ଗତ କିଛି ବର୍ଷ ହେବ ଜଳବାୟୁରେ ପରିବର୍ତ୍ତନ ଅଧିକ ପ୍ରାଞ୍ଜଳ ଭାବେ ଅନୁଭୂତ ହେଉଛି। ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇଚାଲିଛି; ଶୀତଦିନେ ଯେଉଁ ସମୟରେ ଯେତିକି ଥଣ୍ଡା ପୂର୍ବରୁ ହେଉଥିଲା ଏବେ ହେଉନାହିଁ। ବର୍ଷାର ପୂର୍ବ ଧାରାରେ ଅନେକ ଅନିୟମିତତା ଦେଖାଯାଇଛି। ଲୋକେ କହୁଛନ୍ତି ଆଗ ଭଳି ଆଉ ଚାଷ ଅନୁକୂଳ ବର୍ଷା ହେଉ ନାହିଁ। ଫଳରେ ରାଜ୍ୟରେ କୃଷି ଉତ୍ପାଦନ କ୍ଷତିର ସମ୍ମୁଖୀନ ହୋଇ ଚାଲିଛି।

Advertisment

ରାଜ୍ୟରେ ସାଧାରଣତଃ ମୌସୁମୀ ବର୍ଷା ହୋଇଥାଏ। କିନ୍ତୁ ଏବେ ମୌସୁମୀର ଧାରା ଶ୍ରାବଣ ସ୍ଥାନରେ ଲଘୁଚାପ ଜନିତ ଅନିୟମିତ ବର୍ଷା ହେଉଛି। ପ୍ରତି ବର୍ଷ ଜୁନ୍ ମାସରୁ ସେପ୍‌ଟେମ୍ବର ମାସ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ କାରଣରୁ ବର୍ଷା ବର୍ଷୁଛି ସତ, କିନ୍ତୁ ମୌସୁମୀ ବର୍ଷା ବେଳେ ବୃଷ୍ଟିପାତର ଧାରା ମୋଟାମୋଟି ଏକ ନିୟମ ଅନୁବର୍ତ୍ତୀ ହେଉଥିଲା, ସେମିତି ଏବେ ନାହିଁ। ମାତ୍ର ବର୍ଷାର ପରିମାଣ ପ୍ରାୟ କମି ନାହିଁ। ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖ ସୁଦ୍ଧା ୭ଟି ଲଘୁଚାପ ସୃଷ୍ଟି ହୋଇଛି, ଏହାର ପ୍ରଭାବରୁ ଏହି ସମୟ ସୁଦ୍ଧା ହାରାହାରି ୬୮୧. ୩ ମିଲିମିଟର ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ମତ ଯେ ବାୟୁମଣ୍ଡଳରେ ୧ ଡିଗ୍ରି ସେଲସିଅସ୍ ତାପମାତ୍ରା ବୃଦ୍ଧି ପାଇଲେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତା ୭.୫ ଗୁଣ ବଢ଼ିଯାଏ। ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତାରେ ପରିପୂର୍ଣ୍ଣତା ନ ଆସିଲେ ବର୍ଷା ହୁଏ ନାହିଁ। ସଂପ୍ରତି ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇ ଚାଲିଥିବାରୁ ଜଳୀୟବାଷ୍ପ ପରିପୂର୍ଣ୍ଣତା ଲାଭ କରିବା ପାଇଁ ଅଧିକ ସମୟ ଆବଶ୍ୟକ ପଡୁଛି। ତେଣୁ ବର୍ଷା ହେବାରେ ଅନିୟମିତତା ସୃଷ୍ଟି ହେଉଛି।

ୟୁରୋପର ରିଡିଂ ବିଶ୍ବବିଦ୍ୟାଳୟର ଗବେଷଣା ଅନୁଯାୟୀ ୨୦୦୦ ମସିହା ପରଠାରୁ ଓଡ଼ିଶାର ବାୟୁମଣ୍ଡଳରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୧୨ ମସିହା ବେଳକୁ ବାୟୁମଣ୍ଡଳରେ ପ୍ରାୟ ୨ ଡିଗ୍ରି ସେଲସିଅସ ତାପମାତ୍ରା ବୃଦ୍ଧି ପାଇଥିଲା ବେଳେ ୨୦୨୨ ମସିହା ବେଳକୁ ୫ରୁ ୬ ଡିଗ୍ରି ସେଲସିଅସ ତାପମାତ୍ରା ବୃଦ୍ଧି ପାଇଛି। ସେହି ଦୃଷ୍ଟିରୁ ବିଚାର କଲେ ୨୦୧୨ ମସିହାରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତା ୧୫ ଗୁଣ ବୃଦ୍ଧି ପାଇଥିଲା ବେଳେ ୨୦୨୨ ମସିହାରେ ଏହି କ୍ଷମତା ୩୭.୫ ଗୁଣରୁ ୪୫ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେଣୁ ଜଳୀୟବା‌ଷ୍ପ ଧାରଣ କ୍ଷମତା ବୃଦ୍ଧି ପାଇଥିବାବେଳେ ଆର୍ଦ୍ରଭୂମି ହ୍ରାସ ଓ ନଦୀଗୁଡ଼ିକ ପ୍ରାୟ ଶୁଖିଲା ପଡ଼ିଥିବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିପୂର୍ଣ୍ଣତା ଆସିବାରେ ବିଳମ୍ବ ଘଟୁଛି। ତେଣୁ ବିଳମ୍ବରେ ବର୍ଷା ହେବା ବା ଅନିୟମିତ ବୃଷ୍ଟିପାତ ସ୍ବାଭାବିକ ହୋଇ ପଡ଼ିଛି। ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧିର କାରଣ ଅନେକ। ରାଜ୍ୟରେ ବ୍ୟାପକ ଖଣିଜ ସମ୍ପଦ ଉତ୍ତୋଳନ, ସଘନ ଉଦ୍ୟୋଗୀକରଣ ଓ ଭିତ୍ତିଭୂମିଗତ ବିକାଶ ପାଇଁ ବ୍ୟାପକ ସଂଖ୍ୟାରେ ବଡ଼ ବଡ଼ ଗଛ କଟାଯିବା, ଗାଡ଼ି ମଟର ସଂଖ୍ୟା ବହୁଗୁଣିତ ହେବା, କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବା ଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ହଜାର ହଜାର ଟନ୍‌ କୋଇଲା ଜଳାଯିବା, ବହୁ ସଂଖ୍ୟାରେ ଶୀତତାପ ନିୟତ୍ରକ ଯନ୍ତ୍ର ବ୍ୟବହାର କରାଯିବା ଭଳି ବିଭିନ୍ନ କାରଣ ପାଇଁ ତାପମାତ୍ରାରେ ବୃଦ୍ଧି ଘଟିଛି। ତା’ ସହିତ ଆର୍ଦ୍ରଭୂମିର ଆୟତନରେ ହ୍ରାସ ବାୟୁ ମଣ୍ଡଳକୁ ଯେମିତି ଶୀତଳ କରିବା କଥା କରୁନାହିଁ। ଏହାର ପ୍ରଭାବ ଦ୍ବାରା ମୌସୁମୀ ଲାଗି ଆବଶ୍ୟକ ପାରିବେଶିକ ଅବସ୍ଥା ସୃଷ୍ଟି ହୋଇ ପାରୁ ନାହିଁ।

ରାଜ୍ୟରେ ବର୍ଷା ଋତୁ (ଜୁନ୍ ଦ୍ବିତୀୟ ସପ୍ତାହରୁ ଜୁଲାଇ, ଅଗଷ୍ଟ ଓ ସେପ୍‌ଟେମ୍ବର ପର୍ଯ୍ୟନ୍ତ)ରେ ବର୍ଷକୁ ହାରାହାରି ପ୍ରାୟ ୧୧୫୫.୨ ମିଲିମିଟର ବର୍ଷା ହୋଇଥାଏ। ତାପମାତ୍ରା ବୃଦ୍ଧି ପାଇବା ଫଳରେ ମେଘ ସୃଷ୍ଟି ପ୍ରକ୍ରିୟା ବିଳମ୍ବିତ ହେଉଛି। ସେଥିପାଇଁ ଅନେକ ବର୍ଷ ବର୍ଷା ଋତୁରେ ବିଳମ୍ବରେ ବର୍ଷା ହେବାର ଦେଖାଯାଉଛି। ଏଭଳି ଅସମୟ ବର୍ଷା ହେତୁ କୃଷି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ଏଭଳି ସ୍ଥିତି ମାନବ ସମାଜ ପାଇଁ ଶୁଭଙ୍କର ନୁହେଁ। ତାପମାତ୍ରା ନିୟନ୍ତ୍ରଣ ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ। ନହେଲେ ଜଳବାୟୁ ପରିବର୍ତ୍ତନର ଉତ୍କଟ କୁପରିଣାମ ଆମକୁ ଭୋଗିବାକୁ ହେବ।
ମୋ: ୭୯୭୮୮୭୫୯୦୭