ଜାତି ସମ୍ବନ୍ଧରେ ଚିତ୍ର ଯେତେବେଳେ ଅସ୍ପଷ୍ଟ ଥାଏ, ତାହାର ରାଜନୀତୀକରଣ ସହଜ ହୋଇଥାଏ ଓ ତାହାକୁ ବ୍ୟବହାର କରି କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନିଜର ସ୍ବାର୍ଥସିଦ୍ଧି କରିବା ଦେଖାଯାଇଥାଏ। ଚିତ୍ର ସ୍ପଷ୍ଟ ହୋଇଗଲେ ସେଭଳି ଗୋଷ୍ଠୀମାନଙ୍କର ସ୍ଥିତି ଦୁର୍ବଳ ହୋଇଯାଇପାରେ (ଏହାର ଏକ ଉଦାହରଣ ସ୍ବରୂପ କର୍ଣ୍ଣାଟକରେ କରାଯାଇଥିବା ଏକ ଜାତି ସର୍ବେକ୍ଷଣ ରିପୋର୍ଟ ଲିକ୍ ହୋଇଯିବା ପରେ ଏବେ ସେଠାକାର ରାଜନୀତିରେ ପ୍ରଭୁତ୍ବ ବିସ୍ତାର କରିଆସିଥିବା ଦୁଇଟି ଜାତିର ପ୍ରକୃତ ଜନସଂଖ୍ୟା ଅନୁପାତ ପ୍ରଚାରିତ ଅନୁପାତ ଠାରୁ କମ୍ ବୋଲି ଜଣାପଡ଼ି ସେଠାରେ ଘୋର ଆତଙ୍କ ସୃଷ୍ଟି ହୋଇଛି)। କିନ୍ତୁ ଜାତି ଜନଗଣନାରୁ ଉଦ୍ଦିଷ୍ଟ ସୁଫଳ ମିଳିବାକୁ ହେଲେ ତଥ୍ୟ ସଂଗ୍ରହ କାର୍ଯ୍ୟ ସ୍ବଚ୍ଛ, ନିର୍ଭୁଲ୍ ଓ ସମ୍ବେଦନଶୀଳ ହେବା ନିତାନ୍ତ ଆବଶ୍ୟକ।
ଇତିହାସ ସାରା ଜାତି ଭାରତୀୟ ସମାଜର ଏକ କଳଙ୍କିତ ଦୁର୍ବଳତା ହୋଇ ରହିଆସିଛି। ସ୍ବାଧୀନତା ଲାଭ ପରେ ରାଷ୍ଟ୍ରନିର୍ମାତାମାନେ ଏକ ଜାତିଗତ ବାଛବିଚାରହୀନ ସୁସଂହତ ଭାରତୀୟ ସମାଜ ଗଠନ କରିବା ପାଇଁ ଉଦ୍ୟମ କରିଥିଲେ ହେଁ, ବାସ୍ତବରେ ଏବେ ମଧ୍ୟ ଅର୍ଥନୈତିକ, ସାମାଜିକ, ରାଜନୈତିକ ଦୃଷ୍ଟିକୋଣରୁ ଜଣେ ଭାରତୀୟ ନାଗରିକର ଜୀବନ ଜାତି ଦ୍ବାରା ଗୁରୁତ୍ବପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥାଏ। ଏହି ଅପ୍ରିୟ ସତ୍ୟକୁ ଆୟୁଧ କରି ଭି. ପି. ସିଂହଙ୍କ ଠାରୁ ଆରମ୍ଭ କରି ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂହ ଯାଦବ, ମାୟାବତୀ ଆଦିଙ୍କ ପର୍ଯ୍ୟନ୍ତ ନେତାମାନେ ପାରମ୍ପରିକ ଭାବରେ ପଛୁଆ ଜାତିମାନଙ୍କର ସଶକ୍ତୀକରଣ ସଂଗ୍ରାମକୁ ନେତୃତ୍ବ ଦେବା ନାମରେ ନିଜ ପାଇଁ ଚମକପ୍ରଦ ରାଜନୈତିକ ସଫଳତା ହାସଲ କରିବା ଦେଖାଯାଇଛି। ତେବେ ସାଂପ୍ରତିକ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ଯେଉଁ ରାଜନେତା ପୁନରାୟ ଜାତିକୁ ତାଙ୍କ ଦଳର ଏକମାତ୍ର ନିର୍ବାଚନୀ ଆଶାବାଡ଼ିରେ ପରିଣତ କରିବାକୁ ଆଗେଇ ଆସିଛନ୍ତି, ସେ ହେଉଛନ୍ତି କଂଗ୍ରେସର ସର୍ବମୟ କର୍ତ୍ତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ଗତ ସାଧାରଣ ନିର୍ବାଚନ ଅଭିଯାନ ସମୟରେ ସେ ଘୋଷଣା କରିବା ଦେଖାଯାଇଥିଲା ଯେ ତାଙ୍କର ଏକମାତ୍ର ସ୍ଲୋଗାନ ହେଉଛି: ‘‘ଜାତି, ଜାତି ଓ ଜାତି।’’
କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି କିନ୍ତୁ ଏ ପର୍ଯ୍ୟନ୍ତ ଏକ ଜାତିମୁକ୍ତ ଐକ୍ୟବଦ୍ଧ ସମାଜ ଗଠନକୁ ତା’ର ରାଜନୈତିକ ଆଦର୍ଶ ଓ ଲକ୍ଷ୍ୟ ରୂପେ ଅନୁସରଣ କରିଆସୁଥିଲା। ଏହି ଦଳ ଶେଷରେ କିନ୍ତୁ ଏବେ ସେଇ ଉଚ୍ଚ ଆଦର୍ଶ ତ୍ୟାଗ କରି ପ୍ରତିପକ୍ଷକୁ ହତଭମ୍ଭ କରିଦେଇ ଅପ୍ରତ୍ୟାଶିତ ଭାବରେ ରାହୁଳଙ୍କ ହାତରୁ ତାଙ୍କର ସେଇ ଏକମାତ୍ର ଅସ୍ତ୍ରଟିକୁ ଛଡ଼ାଇ ନେଇଛି। ସଂକ୍ଷେପରେ କହିଲେ ମୋଦୀ ସରକାର ହଠାତ୍ ଏବେ ଆଗାମୀ ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି, ଯାହାକୁ ସେମାନେ ଏ ପର୍ଯ୍ୟନ୍ତ ବିରୋଧ କରିଆସୁଥିଲେ। ଆଗାମୀ ନିର୍ବାଚନମାନଙ୍କରେ ଭାଜପାର ମୁଖ୍ୟ ପ୍ରତିପକ୍ଷକୁ ପୁଣି ନୂତନ କିଛି ରଣକୌଶଳ ଉଦ୍ଭାବନ କରିବାକୁ ହେବ।
କିନ୍ତୁ ଏହି ନିର୍ବାଚନୀ ଗୋଟିଚାଳନାକୁ ଅତିକ୍ରମ କରି ବର୍ତ୍ତମାନ ଆମେ ଯେଉଁ ବାସ୍ତବତାର ସମ୍ମୁଖୀନ ହୋଇଛୁ, ତାହା ହେଉଛି ଏକ ଅାସନ୍ନ ଜାତି ଜନଗଣନା। ଆଉ ଆମକୁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଏକ ଜାତିମୁକ୍ତ ସମାଜ ଏକ ନିର୍ବିବାଦୀୟ ମହତ୍ ଆଦର୍ଶ ହୋଇଥିଲେ େହଁ, ଭାରତ ଭଳି ଏକ ଜାତି-ଅଧ୍ୟୁଷିତ ସମାଜରେ ପ୍ରକୃତ ସାମାଜିକ ନ୍ୟାୟ ପ୍ରତିଷ୍ଠା ମଧ୍ୟ ହେଉଛି ଏକ ଅନୁରୂପ ଭାବରେ ମହତ୍ ଆଦର୍ଶ ଏବଂ ଏହାକୁ ବାସ୍ତବତାରେ ପରିଣତ କରିବାରେ ଜାତି ଜନଗଣନା ନିଶ୍ଚିତ ରୂପେ ସହାୟକ ହେବ।
କୁହାଯାଇପାରେ ଏଠାରେ ଅନେକ ନେତା ଓ ସେମାନଙ୍କର ଦଳମାନେ ଜାତିକୁ ଆଧାର କରି ସଫଳତାର ସହିତ ରାଜନୈତିକ କ୍ଷମତା ଦଖଲ କରିଆସୁଥିବାବେଳେ, ପୁଣି ଜାତି ଜନଗଣନାର ଆବଶ୍ୟକତା କ’ଣ? ଏ ପ୍ରଶ୍ନର ବୋଧହୁଏ ସବୁଠାରୁ ପ୍ରଭାବଶାଳୀ ଉତ୍ତର ମିଳିଥାଏ ପ୍ରସିଦ୍ଧ ରାଜନୀତି ତତ୍ତ୍ବବିତ୍ ହାନା ପିଟ୍କିନ୍ଙ୍କ ଠାରୁ। ଆମେ ଯେଉଁ ଗଣତାନ୍ତ୍ରିକ ଢାଞ୍ଚାକୁ ଅବଲମ୍ବନ କରିଥାଉ, ତାହା ପ୍ରତ୍ୟକ୍ଷ ଗଣତନ୍ତ୍ର ନୁହେଁ, ତାହା ହେଉଛି ପ୍ରତିନିଧିତ୍ବମୂଳକ ଗଣତନ୍ତ୍ର, ଯେଉଁଥିରେ ନିର୍ବାଚିତ ପ୍ରତିନିଧିମାନଙ୍କ ମାଧ୍ୟମରେ ହିଁ ଗଣ ଅର୍ଥାତ୍ ଜନସାଧାରଣ ଶାସନ କରିଥାନ୍ତି। ଏହି ପ୍ରତିନିଧିତ୍ବ କ’ଣ? ସ୍ବର୍ଗୀୟା ପିଟ୍କିନ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି କନ୍ସେପ୍ଟ ଅଫ୍ ରିପ୍ରେଜେଣ୍ଟେସନ୍’ (‘ପ୍ରତିନିଧିତ୍ବର ସ୍ବରୂପ’)ରେ ପ୍ରଦାନ କରିଥିବା ବର୍ଣ୍ଣନା ଅନୁସାରେ ‘‘କାହାପାଇଁ ଛିଡ଼ା ହେବା ପ୍ରତିନିଧିତ୍ବ ନୁହେଁ; ସେମାନଙ୍କ ପାଇଁ କାମ କରିବା ହେଉଛି ପ୍ରତିନିଧିତ୍ବ।’’ ଏହା ସୁବିଦିତ ଯେ ପଛୁଆ ଜାତିମାନଙ୍କ ପାଇଁ ଛିଡ଼ାହୋଇ ରାଜନୀତି କରୁଥିବା ଏବଂ କରିଆସିଥିବା ନେତାମାନେ ନିଜ ପାଇଁ ତଥା ନିଜ ପରିବାରବର୍ଗଙ୍କ ପାଇଁ ବେଶ୍ ଉନ୍ନତି ହାସଲ କରିପାରିଥାନ୍ତି, କିନ୍ତୁ ଯେଉଁମାନଙ୍କ ପାଇଁ ସେମାନେ ଛିଡ଼ାହୋଇ ଏହା ହାସଲ କରିଥାନ୍ତି, ସେମାନେ ଏହାଦ୍ବାରା କିଭଳି ଲାଭବାନ ହୋଇଛନ୍ତି?
ଭାରତରେ ପଛୁଆ ଜାତି କହିଲେ ଗୋଟିଏ ଜାତି ନୁହେଁ, ଏହା ହେଉଛି ଅସଂଖ୍ୟ ଜାତି ଓ ଉପଜାତିମାନଙ୍କର ସମାହାର। ଯେତେବେଳେ ନିଯୁକ୍ତି, ଆୟ, ସଂପତ୍ତି, ଶିକ୍ଷା, ସ୍ବାସ୍ଥ୍ୟ, କ୍ଷମତା- ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଜାତି-ଗୋଷ୍ଠୀମାନଙ୍କ ମଧ୍ୟରେ ଥିବା ଅସାମଞ୍ଜସ୍ୟ ସଂପୂର୍ଣ୍ଣ ରୂେପ ଦୂରୀଭୂତ ହେବ, ସେତେବେଳେ ସଂପୂର୍ଣ୍ଣ ସାମାଜିକ ନ୍ୟାୟ ପ୍ରତିଷ୍ଠିତ ହେଲା ବୋଲି କୁହାଯାଇ ପାରିବ ଏବଂ ଲୋକପ୍ରତିନିଧିମାନେ ଓ ସେମାନଙ୍କ ଦ୍ବାରା ଗଠିତ ସରକାର ହାନା ପିଟ୍କିନ୍ଙ୍କ ମାନଦଣ୍ଡ ଅନୁସାରେ ସଠିକ୍ ଭାବରେ ଲୋକମାନଙ୍କ ପାଇଁ କାମ କରିଛନ୍ତି ବୋଲି କୁହାଯାଇ ପାରିବ। କିନ୍ତୁ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଭାରତୀୟ ସମାଜର ବିଭିନ୍ନ ଜାତି-ବଦ୍ଧ ଗୋଷ୍ଠୀମାନେ ଏହାଦ୍ବାରା ତୁଳନାତ୍ମକ ଭାବରେ କିଭଳି ପ୍ରଭାବିତ ହୋଇଛନ୍ତି, ସେ ସମ୍ବନ୍ଧରେ କୌଣସି ନିର୍ଭୁଲ୍, ବିଶ୍ବାସଯୋଗ୍ୟ ସୂଚନା କାହାରି ପାଖରେ ଉପଲବ୍ଧ ନାହିଁ। ଏକ ଜାତି ଜନଗଣନା ମାଧ୍ୟମରେ ହିଁ ଏ ସମ୍ବନ୍ଧରେ ଏକ ବାସ୍ତବ ଚିତ୍ର ଆହରଣ କରାଯାଇ ପାରିବ।
କିନ୍ତୁ ଏଭଳି ଏକ ବିଶଦ ଜାତି ଜନଗଣନା ସ୍ବାଧୀନତୋତ୍ତର ଭାରତରେ କେବେହେଲେ ଅନୁଷ୍ଠିତ ହୋଇନାହିଁ; ପରାଧୀନ ଭାରତରେ ହିଁ ୧୯୩୧ରେ ଅନୁଷ୍ଠିତ ଜନଗଣନାର ଅଂଶ ସ୍ବରୂପ ଶେଷ ଥର ପାଇଁ ଜାତି ସଂପର୍କିତ ସବିଶେଷ ତଥ୍ୟମାନ ସଂଗୃହୀତ ହୋଇଥିଲା। ଏବେ ଯଦି ଜନଗଣନା ଅତୀତର ସେଇ ଉଦାହରଣକୁ ଅନୁସରଣ କରି ଜାତି ଓ ଉପଜାତିମାନଙ୍କ ସମ୍ବନ୍ଧରେ ଏକ ସ୍ପଷ୍ଟ ତୁଳନାତ୍ମକ ଚିତ୍ର ପ୍ରଦାନ କରେ ତେବେ ତାହାକୁ ଆଧାର କରି ସରକାର ଏକ ସନ୍ତୁଳିତ ଉନ୍ନୟନ ନୀତି ରୂପାୟନ ଓ ଅନୁସରଣ କରିପାରିବେ।
ଜାତି ସମ୍ବନ୍ଧରେ ଚିତ୍ର ଯେତେବେଳେ ଅସ୍ପଷ୍ଟ ଥାଏ, ତାହାର ରାଜନୀତୀକରଣ ସହଜ ହୋଇଥାଏ ଓ ତାହାକୁ ବ୍ୟବହାର କରି କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନିଜର ସ୍ବାର୍ଥସିଦ୍ଧି କରିବା ଦେଖାଯାଇଥାଏ। ଚିତ୍ର ସ୍ପଷ୍ଟ ହୋଇଗଲେ ସେଭଳି ଗୋଷ୍ଠୀମାନଙ୍କର ସ୍ଥିତି ଦୁର୍ବଳ ହୋଇଯାଇପାରେ (ଏହାର ଏକ ଉଦାହରଣ ସ୍ବରୂପ କର୍ଣ୍ଣାଟକରେ କରାଯାଇଥିବା ଏକ ଜାତି ସର୍ବେକ୍ଷଣ ରିପୋର୍ଟ ଲିକ୍ ହୋଇଯିବା ପରେ ଏବେ ସେଠାକାର ରାଜନୀତିରେ ପ୍ରଭୁତ୍ବ ବିସ୍ତାର କରିଆସିଥିବା ଦୁଇଟି ଜାତିର ପ୍ରକୃତ ଜନସଂଖ୍ୟା ଅନୁପାତ ପ୍ରଚାରିତ ଅନୁପାତ ଠାରୁ କମ୍ ବୋଲି ଜଣାପଡ଼ି ସେଠାରେ ଘୋର ଆତଙ୍କ ସୃଷ୍ଟି ହୋଇଛି)। କିନ୍ତୁ ଜାତି ଜନଗଣନାରୁ ଉଦ୍ଦିଷ୍ଟ ସୁଫଳ ମିଳିବାକୁ ହେଲେ ତଥ୍ୟ ସଂଗ୍ରହ କାର୍ଯ୍ୟ ସ୍ବଚ୍ଛ, ନିର୍ଭୁଲ୍ ଓ ସମ୍ବେଦନଶୀଳ ହେବା ନିତାନ୍ତ ଆବଶ୍ୟକ।
ପ୍ରଖ୍ୟାତ ରାଜନୈତିକ ଦାର୍ଶନିକ ଜନ୍ ରଲ୍ସଙ୍କ ଅନୁସାରେ ସେଇ ସମାଜ ହେଉଛି ଏକ ନ୍ୟାୟୋଚିତ ସମାଜ, ଯେଉଁଠି ସର୍ବାଧିକ ଅବହେଳିତମାନଙ୍କୁ ଲାଭବାନ କରିବା ନିମିତ୍ତ ରାଷ୍ଟ୍ର ଏକ ଉପଯୁକ୍ତ ବିଷମ ନୀତି ଅନୁସରଣ କରିଥାଏ। ଆଶା କରାଯାଇପାରେ ଯେ ଜାତି ଜନଗଣନା ମାଧ୍ୟମରେ ବାସ୍ତବ ଜାତି-ଚିତ୍ର ପ୍ରକାଶ ପାଇଲା ପରେ ସରକାର ଏହି ରଲ୍ସୀୟ ନ୍ୟାୟ ଅନୁସରଣ କରି ଏଠାରେ ଦୁର୍ବଳତମ ଜାତି ବା ଉପଜାତି ରୂପେ ଚିହ୍ନିତ ହୋଇଥିବା ଗୋଷ୍ଠୀମାନଙ୍କର ମଙ୍ଗଳସାଧନ ଓ ସଶକ୍ତୀକରଣ ନିମିତ୍ତ ପଦକ୍ଷେପ ନେବା ସହିତ ଜାତି ଅାଢୁଆଳରେ ରହି କେତେକ ସବଳ ଗୋଷ୍ଠୀମାନେ ଉପଭୋଗ କରିଚାଲିଥିବା କ୍ଷମତା ଓ ସୁବିଧା ସୁଯୋଗରେ ଅନ୍ତ ଘଟାଇବେ। ଜାତି ଜନଗଣନା ଯଦି କେବଳ ଏକ ନିର୍ବାଚନୀ ରଣକୌଶଳରେ ସୀମିତ ନ ରହି ଏଭଳି ଏକ ରଲ୍ସୀୟ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହୁଏ, ତେବେ ଭାରତରେ ଜାତି ଯନ୍ତ୍ରଣାକୁ ଅନେକାଂଶରେ ଉପଶମ କରିବା ଦିଗରେ ଏହା ଏକ ନିଶ୍ଚିତ ପଦକ୍ଷେପ ହେବ।