ଭୋଜନର ଆଦବକାଇଦା ଓ ପରମ୍ପରା

ଯଶୋଧାରା ମିଶ୍ର

ନିକଟରେ ଆମ ଓଡ଼ିଶାର ଖାଦ୍ୟପେୟ ପରମ୍ପରାକୁ ନେଇ ବେଶ୍ ବିଚାର ବିମର୍ଶ ଚାଲିଛି। ପତ୍ରପତ୍ରିକା ଓ ସୋସିଆଲ ମିଡିଆରେ ବି ଆମ ରୋଷେଇ ଓ ପାକ୍ କଳାକୁ ନେଇ ଖୁବ୍‌ ସଚେତନତା ଦେଖାଯାଉଛି। ତେବେ ଘରେ ତଳେ ବସି ଖାଇବା, ଅଥବା ଭୋଜି ପଙ୍ଗତରେ ଖଲି ଦନା ବା କଦଳୀ ପତ୍ରରେ ପରଷୁଣୀମାନେ ବାଢ଼ି ଦେଉଥିବା ଆଦି ପରମ୍ପରା ଅନାୟାସ ବିଦାୟ ନେଉଛି।

ମଣିଷର ଖାଦ୍ୟପେୟ ଓ ତା’ର ପ୍ରସ୍ତୁତି ଦେଶର ଜଳବାୟୁ ଦ୍ୱାରା ହିଁ ଅନେକ ପରିମାଣରେ ନିର୍ଦ୍ଧାରିତ ହୋଇଥାଏ। ପୁଣି ଲୋକଙ୍କ ଆର୍ଥିକ ସମ୍ବଳ, ଧାର୍ମିକ ପରିବେଶ ତଥା ଦେଶର ରାଜନୈତିକ ପ୍ରତିପତ୍ତି ଦ୍ୱାରା କ୍ରମେ ସୃଷ୍ଟି ହୋଇଥାଏ ତଜ୍ଜନିତ ପରମ୍ପରା। କିନ୍ତୁ ବିସ୍ମୟର କଥା ଯେ ଅନେକ ସମୟରେ ଗୋଟିଏ ଦେଶର ଜଳବାୟୁରେ ପରିପୁଷ୍ଟ ପରମ୍ପରାକୁ ଅନ୍ୟ ଏକ ସଂପୂର୍ଣ୍ଣ ଭିନ୍ନ ଜଳବାୟୁ ଓ ସଂସ୍କୃତିରେ ବଞ୍ଚୁଥିବା ଲୋକଙ୍କ ଉପରେ ଥାପି ଦିଆଯାଏ। ପୁଣି ସେଠା ଲୋକଙ୍କ ଲାଗି ସୁଖକର ନ ହେଲେ ସୁଦ୍ଧା ନାନାଦି ଆନୁଷଙ୍ଗିକ କାରଣରୁ ତାହା ସ୍ୱୀକୃତ ଓ ସମ୍ମାନିତ ହୁଏ। ଏବଂ କ୍ରମେ ସେହି କଷ୍ଟସାଧ୍ୟ ଅଭ୍ୟାସ ସମାଜରେ ପ୍ରାୟ ନୈତିକ ମୂଲ୍ୟର ଆସନ ନେଇନିଏ। ଆମ ଦେଶରେ ସମାଜର ଅନେକ ସ୍ତରରେ ଖାଇବା ଟେବୁଲ୍‌ର ଆଦବକାଇଦା ସେପରି ଏକ ଆରୋପିତ ପରମ୍ପରା। ଇଂରେଜ ଶାସକଙ୍କ ଅଧୀନରେ ଆମ ସମାଜର ଉନ୍ନତ ବର୍ଗରେ କଣ୍ଟା ଚାମଚ ଓ ଛୁରୀରେ ଖାଇବା ଓ ତଜ୍ଜନିତ ‘ଟେବୁଲ ମ୍ୟାନର୍ସ’(ଭଦ୍ରାମି) ସଭ୍ୟ ଜୀବନର ଅଙ୍ଗ ରୂପେ ସମ୍ମାନିତ ହେଲା ।

ଅନେକ ବର୍ଷ ତଳର ଗୋଟିଏ ଅନୁଭବ ମନେପଡ଼େ। ଲଣ୍ଡନରୁ ଅଦୂରସ୍ଥିତ ବିଶ୍ୱବିଖ୍ୟାତ ସେକ୍‌ସପିଅରଙ୍କ ଇତିହାସ ପ୍ରସିଦ୍ଧ ଗାଁ ‘ଷ୍ଟ୍ରାଟଫର୍ଡ ଅପନ ଏଭନ୍‌’କୁ ଯାଇଥାଉ ଆମେ କେତେ ଜଣ ମିଶି। ୧୯୮୪, ଜୁନ୍ ମାସର କଥା। ଗାଇଡ୍‌ ଦେଖାଇଦେଲେ ମୋର ଚିର ନମସ୍ୟ ଲେଖକଙ୍କ ରହିବା ଘର ଭିତର। ଗତ ପାଞ୍ଚ ଶହ ବର୍ଷ ଭିତରେ କେଇ ଥର ପୁନଃନିର୍ମିତ ହୋଇଥିଲେ ବି ମୂଳ ସମୟକୁ ଚାହିଁ ନିଷ୍ଠାପର ଭାବେ ଗଠିତ ନିଶ୍ଚୟ। ଆଜିର ଯୁଗକୁ ଚାହିଁଲେ ନିତାନ୍ତ ନିରାଡ଼ମ୍ବର ଆସବାବ ଓ ଚଳଣିର ଛାପ। ମୋଟାଳିଆ, ପ୍ରାୟ ଅଚଂଛା ଦିଶୁଥିବା କାଠ ପଟାର କାନ୍ଥ, ଚଟାଣ ଓ ଖାଇବା ଟେବୁଲ୍‌। ସାଦାସିଧା ଚାରିଟି ଚଉକି ଘେରା ଖାଇବା ଟେବୁଲ୍ ଉପରେ କେତୋଟି କାଠ ତିଆରି ବଡ଼ ଗିନା ବା ବାଉଲ୍ ଓ ପିତ୍ତଳ ଭଳି ଧାତୁର ପ୍ଲେଟ୍ ଓ ଜଗ୍। ମଝିରେ ବେଶ୍ ବଡ଼ ଗୋଲାକାର ଟ୍ରେ ଭଳି କାଠ ଥାଳି ଓ ତହିଁରେ ମାଂସ ବା ପାଉଁରୁଟି କାଟିବା ଲାଗି କାଠ ବେଣ୍ଟର ବଡ଼ ଛୁରୀ। ଆମ ଆଶାନୁରୂପ ଖାଇବା ଚାମଚ, ଛୁରୀ, କଣ୍ଟା, ସୁନ୍ଦର ଚୀନା ମାଟି ପ୍ଲେଟ୍, କାଚ ଗିଲାସ ଆଦି କିଛି ନାହିଁ।

ଆଜି ଭଳି ସେବେ ବିଦେଶକୁ ଯିବା ପୂର୍ବରୁ ସେଠା ବିଷୟରେ ବେଶୀ ଟିକିନିଖି କଥା ଜାଣିବାର ଅବକାଶ ନ ଥିଲା। ନା ଥିଲା ନିତ୍ୟ ସାଥୀ ମୋବାଇଲ୍‌ ଫୋନ୍ ନା ବିଦେଶୀ ସିନେମା ଓ ସୋସିଆଲ ମିଡିଆରେ ସହଜ ଲବ୍‌ଧ ଅଜସ୍ର ସୂଚନା। ତ ସେଠି ଯାହା ଦେଖିଲି, ଆକାଶରୁ କଚଡ଼ା ଖାଇଲି ସତେକି! ବିଶ୍ୱର ଅଗଣିତ ପାଠକଙ୍କ ମନରେ ପାଶ୍ଚାତ୍ୟ ଆଭିଜାତ୍ୟର ଅମଳିନ ସଂସାର ସୃଜିଥିବା ସେକ୍‌ସପିଅର୍‌ଙ୍କର ଖାଇବା ବାସନ ଥିଲା କାଠ ଗିନା ଆଉ କଲେଇ ଥାଳି, ମଗ୍। ପୁଣି କଣ୍ଟା ଛୁରୀରେ ଖାଉ ନ ଥିଲେ। ଖାଉଥିଲେ ହାତରେ?

ମୋ ହତଚକିତ ପ୍ରଶ୍ନର ଉତ୍ତରରେ ଅଭିଜ୍ଞ ଗାଇଡ୍‌ ହସି କହିଲେ, ‘ଆଜ୍ଞା ହଁ, ସେକ୍‌ସପିଅର୍‌ଙ୍କ ଯୁଗରେ ସାଧାରଣ ଲୋକେ ହାତରେ ଖାଉଥିଲେ। କଣ୍ଟା ଚାମଚ, ଛୁରୀ ଆଦି ଥିଲା କେବଳ ରାଜା ରାଜୁଡ଼ା, ଅଭିଜାତ ବର୍ଗଙ୍କ ଲାଗି। ସେସବୁ ବି ସମାଜକୁ ନୂଆ ଆସିଥିଲା ଓ ବିଶେଷ ଉପଲକ୍ଷରେ ବ୍ୟବହୃତ ହେଉଥିଲା।’ କହିବାକୁ ଗଲେ ପାଶ୍ଚାତ୍ୟ ଭୋଜନ ପରିପାଟୀ ଓ ଆଦବକାଇଦାର ଅଭ୍ୟୁଦୟ ଯେ ଘଟିଥିଲା ବ୍ରିଟେନ ଇତିହାସର ସ୍ବର୍ଣ୍ଣିମ ଯୁଗ ସେହି ଷୋଡ଼ଶ ଶତାବ୍ଦୀରେ, ଏ କଥା ତା’ ପରେ ହିଁ ମୁଁ ବୁଝିଥିଲି।

ପଚାରିଲି, ‘ରୋଷେଇ ଶାଳ ଦେଖିଲି ନାହିଁ ଯେ?’

ମୋ ଭଳି ଅନ୍ୟ ଭାରତୀୟ ବି ତାଙ୍କୁ ଏଇ ପ୍ରଶ୍ନ କରିଥିବେ ହୁଏ’ତ। ନାଟକୀୟ ଭଙ୍ଗୀରେ କେବଳ ପାଖରେ ଥିବା ‘ଫାୟାର୍ ପ୍ଲେସ୍’ ଆଡ଼କୁ ଆଙ୍ଗୁଠି ଦେଖାଇ ଦେଲେ। ବାସଗୃହକୁ ଗରମ ରଖିବା ଲାଗି ଧନୀ, ଗରିବ ସବୁ ଘରର ଅବଶ୍ୟମ୍ଭାବୀ ଅଙ୍ଗ ‘ଫାୟାର୍ ପ୍ଲେସ୍’, ଶୀତପ୍ରଧାନ ଦେଶର ଜୀବନ ଆଧାର। ଶୀତ ଦିନେ ଜାଳେଣି କାଠ ସେ ଯୁଗରେ ଖାଦ୍ୟପେୟ ଠାରୁ ବେଶୀ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ ବୋଲି ଉପନ୍ୟାସରେ ପଢ଼ିଛି। ଦେଖିଲି ଲିଭିଲା ଫାୟାର‌୍ ପ୍ଲେସ୍‌ ଉପରେ ବଡ଼ ଗୋଟାଏ କଡ଼ା ଲଗା ପିତ୍ତଳ ହାଣ୍ଡି ଭଳି ପାତ୍ର। କାନ୍ଥ ଖୁଣ୍ଟିରେ ଆମ ତରକାରି ବଢ଼ା ଡଙ୍କି ଭଳି ଦି ଚାରିଟା ଝୁଲୁଚି, ଆଉ ସେଥିରୁ ସାନ ରକମର ଦିଇଟା ବଢ଼ା ଚାମଚ ଖାଇବା ଟେବୁଲ୍‌ର କୋଣରେ ବି ଥୁଆ ହେଇଚି।

ଠିକ୍ କଥା। ନିଆଁ ଯେଉଁଠି ଜଳୁଥିବ ସେଇଠି ତ ରୋଷେଇ ହେବ। ତେବେ ଏଠି ନିଆଁର ମୁଖ୍ୟ ଉଦ୍ଦେଶ୍ୟ ରୋଷେଇ ନୁହେଁ। ଆମ ଦେଶରେ ସିନା ଘରେ ନିଆଁ ଜଳେ କେବଳ ରୋଷେଇ କାମ ପାଇଁ, ଅଥବା ପୂଜା ଦୀପ ଲାଗି। ବିଚାରୀ ଘରଣୀକୁ ଝାଳ ନାଳ ହେଇ ଦିନର ବଡ଼ ଭାଗ କାଟିବାକୁ ପଡ଼େ ରନ୍ଧା ଘରେ, ଚୁଲି ପାଖରେ। ଶୀତ ଦିନ ହୋଇଥିଲେ ସେଇଠି ଖିଆ ହୁଏ, ନଚେତ୍ ଖାଇବା ପାଇଁ ଲୋଡ଼ା ହୁଏ ପିଣ୍ଡା କି ଅଗଣା। ରୋଷ ଘରେ ଥାଏ ହାଣ୍ଡି, କଡ଼େଇ, ଡେକଚି, ପଲମ ଆଦି କେତେ ମାଟି, କଂସା, ପିତ୍ତଳ ବାସନକୁସନ। ସାଙ୍ଗକୁ ଚଟୁ, ପିଠା ଖଡ଼ିକା, ଡଙ୍କି। ଦିନ ବାର ପର୍ବ ଅନୁଯାୟୀ ସେଠି ତିଆରି ହୁଏ ଅଜସ୍ର ପ୍ରକାର ତିଅଣ, ଭଜା, ଶାଗ, ଖଟା, ପିଠା ପଣା। ଭୋଜନ ପର୍ବରେ ଲୋଡ଼ା ହୁଏ ପିଢ଼ା, ଆସନ, ଥାଳି, ଗିନା, ପାଣି ଢାଳ, ଗିଲାସ, ଗାମୁଛା। ଅଇଁଠା, ସଙ୍ଖୁଡ଼ି, ଆମିଷ, ନିରାମିଷ, ଡାହାଣ ହାତ, ବାଁ ହାତର ଯାବତ୍ ନିୟମ। ଖାଇବା ଆଗରୁ ହାତ ଗୋଡ଼ ଧୁଆ, ଖିଆ ସରିବା ପରେ କୁଳୁକୁଞ୍ଚା। ସକାଳ ପାହିଲେ ଦିନ ଆରମ୍ଭ ହୁଏ ଚୁଲିମୁଣ୍ଡ ଲିପାରୁ। ସାମାଜିକ ଅନୁଶାସନ ଲାଗି ଦଣ୍ଡ ମିଳେ ନିଆଁପାଣି ଅଟକରେ। ଆମର ଧର୍ମ-କର୍ମ, ବିବାହ ଉତ୍ସବ, ଜନ୍ମ ଠାରୁ ଆରମ୍ଭ କରି ମଣିଷର ଶୁଦ୍ଧିକ୍ରିୟା ଯାଏ କିଛି ହେଲେ ରୋଷେଇ ଘରକୁ ବାଦ୍ ଦେଇ ହେଇପାରେ?

ସେଦିନ ପାଶ୍ଚାତ୍ୟ ପରମ୍ପରାର ଏକ ବିରାଟ ରହସ୍ୟ ମୋ ଲାଗି ଉଦ୍‌ଘାଟିତ ହୋଇଥିଲା। ରୋଷେଇ ଶାଳ ବୋଲି ସ୍ଥାନଟିଏ ସେଠି ଘରର ଅଭିନ୍ନ ଅଙ୍ଗ ରୂପେ ନିରୂପିତ ନ ଥିଲା। ଖାଦ୍ୟ ପ୍ରସ୍ତୁତ ହୁଏ ନାନା ଭାବେ, ନାନା ସ୍ଥାନରେ। ପିଲା ଦିନେ ପଢ଼ିଥିବା ଇଂରେଜୀ ଛବି ବହିର ଚିତ୍ର ମନରେ ଝଲସି ଗଲା। ‘ଫାୟାର୍‌ ପ୍ଲେସ୍‌’ ପାଖେ ଗାଉନ ପିନ୍ଧା ମହିଳା ଜଣେ ସିଲେଇ ସରଂଜାମ ନେଇ ବସିଥିବେ, ଆଉ ବଡ଼ ବଡ଼ କାଠ ଫାଳିଆରୁ ଚିମନୀ ଆଡ଼କୁ ଉଠୁଥିବା ନିଆଁ ଉପରେ ତିନି କୋଣିଆ ଷ୍ଟାଣ୍ଡ୍‌ରୁ ଟଙ୍ଗା ହେଇଥିବ ଗୋଟେ ହାଣ୍ଡି। ଆଜି ବୁଝିଗଲି, ଏଇ ‘ଫାୟାର୍‌ ପ୍ଲେସ୍‌’ ହିଁ ଅସଲରେ ଥିଲା ସାଧାରଣ ଗୋରା ଲୋକଙ୍କ ହାଣ୍ଡିଶାଳ। ସାରା ଦିନର ଖାଇବା ଲାଗି ସେଥିରେ ସିଝୁଥିଲା ମଟର ବା ଶିମ୍ବ ଜାତୀୟ ଡାଲି, ପରିବାପତ୍ର ଓ ଅଳ୍ପ କିଛି ମାଂସ ବା ମାଛ। ସେଇ ସୁପ୍ ବା ପଟେଜ୍‌କୁ ବହଳିଆ କରିବା ଲାଗି କିଛି ଅଟା ବା ଶୁଖିଲା ପାଉଁରୁଟି ବି ମିଶୁଥିଲା ଓ ପରେ ଲୁଣ, ଗୋଲ ମରିଚ ଆଦି ସାମାନ୍ୟ ମସଲା। ରୁଟି ତିଆରି ବ୍ୟବସ୍ଥା ଘରେ ନ ଥିଲା। ଗାଁ ବା ସାହିରେ ରହୁଥିବା ଜଣେ ଦିଜଣ ବେକର୍‌ ବା ରୁଟିବାଲା ପାଖରୁ ହିଁ ସମସ୍ତେ କିଣୁଥିଲେ ଲୋଫ୍ ବା ବିରାଟ ଗୋଲ୍ ପାଉଁରୁଟି। ଗହମ ସେତେବେଳେ ମହରଗ ହୋଇ ଥିବାରୁ (ଓ ଚାଉଳ ଆଦୌ ଜଣା ନ ଥିବାରୁ) ଯଅ, ବାଜରା, ମାଣ୍ଡିଆ ଆଦିରେ ତିଆରି ସେ ଲୋଫ୍‌ର ରଙ୍ଗ ଥିଲା ମାଟିଆ ବା କଳା। ଦୈନନ୍ଦିନ ଜୀବନରେ ଗାଧୁଆପାଧୁଆ, ବାସନ ମଜା, ଲୁଗା କଚା, ଏପରି କି ପିଇବା ଲାଗି ପାଣିର ବ୍ୟବହାର ଖୁବ୍ କମ୍ ହେଉଥିଲା।

ବୈଜ୍ଞାନିକ ଯୁଗରେ ବିଜୁଳିର ଆବିଷ୍କାର ମାନବ ସଭ୍ୟତାକୁ ନୂଆ ରୂପ ଦେଲା। ତା’ ପୂର୍ବରୁ ଶୀତପ୍ରଧାନ ଦେଶରେ ମଣିଷର ପାରୁପର୍ଯ୍ୟନ୍ତ ଶକ୍ତି ବିନିଯୋଗ ହେଉଥିଲା ନିଜକୁ ଉଷୁମ୍ ରଖିବାରେ। ମୁଖ୍ୟତଃ ସେଥିରୁ ତା’ର ଘରଦ୍ୱାର, ପୋଷାକ ପରିଚ୍ଛଦ ଓ ଖାଦ୍ୟପେୟର ପ୍ରକୃତି ଏବଂ ସାମାଜିକ ପରମ୍ପରା ପ୍ରଭାବିତ ହୋଇଥିବା ସ୍ୱାଭାବିକ। ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ସୁଧୁରିବା ଫଳରେ ପାଶ୍ଚାତ୍ୟ ଜୀବନରେ ପୂର୍ବର ମହାର୍ଘ ଖାଦ୍ୟ ବସ୍ତୁମାନ ସୁଲଭ ହେଲା ଓ ବିଳାସୀ ଆଦବକାଇଦା ଆସିଲା। ତେବେ ବାହ୍ୟ ଜୀବନ ବଦଳିଲେ ବି ମୁଖ୍ୟ ଖାଦ୍ୟପେୟ ଓ ଖାଦ୍ୟ ରୁଚିକୁ ମଣିଷ ପ୍ରାୟ ଛାଡ଼େ ନାହିଁ, ପିଢ଼ି ପରେ ପିଢ଼ି ଜୀବନର ଅଙ୍ଗ ଭାବେ ତାହା ଲାଖି ରହିଥାଏ।
ଇତିହାସର ତରଙ୍ଗରେ ସମୟକ୍ରମେ କେତେକ ବିସ୍ମୃତପ୍ରାୟ ଜୀବନଶୈଳୀ ଓ ପରମ୍ପରା ବି ପୁନର୍ଜୀବିତ ଓ ପ୍ରତିଷ୍ଠିତ ହୁଏ, ଏବଂ ନୂଆ ଶିଖା ଅଭ୍ୟାସ ଚାଲିଯାଏ। ଆଜି ପଖାଳ ଆମ ଓଡ଼ିଆଙ୍କ ନିଜସ୍ୱ ସଂସ୍କୃତି ତଥା ପରିଚୟ କ୍ଷେତ୍ରରେ ଏକ ସୁଖଦ ଭୂମିକା ନେଇଛି। ପଖାଳ ଦିବସ ପର୍ବ ଭଳି ପାଳିତ ହୋଇ ସାରା ପୃଥିବୀର ଓଡ଼ିଆଙ୍କୁ ଏକ ମଧୁର ସୂତ୍ରରେ ଗୁନ୍ଥିବାର ପ୍ରୟାସ କରିଛି। ନିଃସନ୍ଦେହରେ ଏହା ଆମ ମୌଳିକ ସଂସ୍କୃତିର ପ୍ରତୀତି ଓ ଆତ୍ମବିଶ୍ୱାସର ସ୍ୱାକ୍ଷର, ଯାହା ସାହାଯ୍ୟରେ ମଣିଷ ଅଯଥା ଆରୋପିତ ପରମ୍ପରା ଓ ଅନ୍ଧବିଶ୍ୱାସକୁ ଜୀବନରୁ ଆଡ଼େଇ ଦେଇପାରେ।

ୟୁରୋପର ଉପନିବେଶବାଦର ପତନ ପରେ ପୂର୍ବତନ ଉପନିବେଶ ସବୁ ଆଜି ସୁଦ୍ଧା ଶାସକମାନଙ୍କ ଠାରୁ ପାଇଥିବା ମସ୍ତିଷ୍କ-ଧୁଆ ପାଠ ଓ ଫମ୍ପା ମୂଲ୍ୟବୋଧର ଦାଉରୁ ମୁକୁଳି ପାରୁ ନାହାନ୍ତି। ତେବେ କାହିଁ କେତେ ଦିନରୁ ଆମେରିକୀୟ ଭୂଖଣ୍ଡକୁ ଚାଲିଯାଇଥିବା ମୂଳ ୟୁରୋପୀୟ ଲୋକେ ଜୀବନ ସଂଘର୍ଷରେ ନିଜ ସୁବିଧା ମତେ କିଛିଟା ଭିନ୍ନ ପଥ ବାଛି ନେଇଛନ୍ତି। ତାଙ୍କ ପୂର୍ବତନ ସମାଜର ସବୁ ପରମ୍ପରା ସେଠି ଉଧେଇ ପାରିନାହିଁ, ଅନେକ ଆଦବକାଇଦା ଆଦୃତ ହୋଇନାହିଁ। ଆଧୁନିକ ଜୀବନରେ ‘ଫାୟାର୍ ପ୍ଲେସ୍’ର ଭୂମିକା ହଜିଯିବା ପରେ ଆଜି ସମଗ୍ର ପଶ୍ଚିମ ସଭ୍ୟତାରୁ ବାସଗୃହର ପ୍ରାଣକେନ୍ଦ୍ର ଖାଇବା ଟେବୁଲ୍ ବିଦାୟ ନେବାରେ ଲାଗିଛି। ଲୋକେ ଟିଭି ଆଗରେ ଏକାଠି ବସି ହାତରେ ବର୍ଗର, ପିଜା ଧରି ଖାଉଛନ୍ତି, ଅଫିସ୍‌ରେ ବା ଗାଡ଼ି ଚଳାଇ ଗଲା ବେଳେ ସାଣ୍ଡୱିଚ୍‌, କଫିରେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ଉନ୍ନତ ଦେଶମାନଙ୍କରେ ଆଜି ସ୍କୁଲ୍‌ ପାଠ ସହିତ ପିଲାଙ୍କୁ ଛୁରୀ, କଣ୍ଟା ଚାମଚରେ ଖାଇବା ଶିଖାଯାଉଛି, ଭବିଷ୍ୟତରେ କେବେ ଔପଚାରିକ ପର୍ବ ବା ଉତ୍ସବରେ କାମରେ ଆସିବ ବୋଲି। ତେବେ ଚାମଚ ଓ କଣ୍ଟା ନାନା କାରଣରୁ ସୁବିଧାଜନକ ବୋଲି ଅନେକ ଦେଶର ଲୋକେ ନିତିଦିନିଆ ଜୀବନରେ ଆପଣେଇ ନେଲେଣି।

ସାରା ବିଶ୍ୱକୁ ଏକାକାର କରୁଥିବା ବଜାରର ରଙ୍ଗ ଆମ ଦେଶର କୋଣ ଅନୁକୋଣରେ ଲାଗି ସାରିଛି। ଆଧୁନିକ ଜୀବନର ଢେଉ କେତେ ବାଟ ଦେଇ ଆମ ଗାଁ ଦାଣ୍ଡ ଛୁଇଁ ଏରୁଣ୍ଡି ବନ୍ଧକୁ ବି ଡେଇଁ ଆସିଲାଣି। ରୋଷେଇ ଶାଳର ପୂର୍ବ ପ୍ରତିଷ୍ଠା, ପ୍ରଭାବ ଆଉ ନାହିଁ, ଆଗକୁ କେଉଁ ରୂପ ନେବ କହି ହେଉନାହିଁ। ତେବେ ଗୋଟିଏ ବଡ଼ ଆଶ୍ୱାସନା ଯେ, ସବୁ ଉନ୍ନତ ଦେଶରେ ଯେଉଁଠିକି ଗଲେ ଆଖପାଖରେ ଇଣ୍ଡିଆନ ରେଷ୍ଟୁରାଣ୍ଟ ମିଳିବ। ଛେନାପୋଡ଼ ଓ କାକରା ପିଠା ଆଜି ପୃଥିବୀର କେଉଁ ଦୂରାନ୍ତ ଦେଶର ମଲ୍, ହୋଟେଲ୍‌ କି ମନ୍ଦିର ପ୍ରାଙ୍ଗଣରେ ମିଳିଯାଇ ଆମକୁ ଆହ୍ଲାଦରେ ଭରି ଦେଇପାରେ।
ମୋ- ୯୮୬୮୫୪୫୯୦୦

ସମ୍ବନ୍ଧିତ ଖବର