ମନ ପରିଭାଷା, ଯୁବ ମାନସର ସ୍ଫୁଲିଙ୍ଗ

ଫକୀର ମୋହନ ସାହୁ

ଜୀବନର ବିକାଶ ବିଭିନ୍ନ ସୋପାନରେ ଘଟିଥାଏ। ଶୈଶବ, ବାଲ୍ୟ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟର ପର୍ଯ୍ୟାୟ ମାଧ୍ୟମରେ ଜୀବନର କ୍ରମବିକାଶ ହୋଇଥାଏ। ବ୍ୟବହାର ବିଜ୍ଞାନର ପରିଭାଷା ଅନୁଯାୟୀ ୧୦ ବର୍ଷରୁ ୧୮ ବର୍ଷ ବୟସର ସୀମାକୁ କୈଶୋର କୁହାଯାଉଥିବା ସ୍ଥଳେ ୧୮ରୁ ୨୪ ବର୍ଷ ବୟସ ସୀମାକୁ ତାରୁଣ୍ୟର ଆଖ୍ୟା ଦିଆଯାଏ। କୈଶୋର ହେଉ ଅଥବା ତାରୁଣ୍ୟ; ଏହା ହେଉଛି ମଣିଷ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅବସ୍ଥା। ଆଗରୁ ମନସ୍ତତ୍ତ୍ବବିତ୍‌ ଓ ବ୍ୟବହାର ବିଜ୍ଞାନୀମାନେ ଏହି ପର୍ଯ୍ୟାୟକୁ ମାନସିକ ଚାପ ଓ ମାନସିକ ଝଡ଼-ଝଞ୍ଜାର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରୁଥିଲେ। ମାତ୍ର ବିଗତ ଦୁଇ ତିନି ଦଶକରେ ଏହି ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଘଟିଛି। ଜୀବନର ପ୍ରତିଟି ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଧରଣର ଦ୍ବନ୍ଦ୍ବ ଓ ଚାପ ରହିଛି। ତେଣୁ ଯୁବ ବୟସକୁ ସେଭଳି ଦୃଷ୍ଟିରେ ଦେଖାଯିବା ଅନୁଚିତ। ବରଂ ଯୁବ ମାନସର ନିହିତ ଅନେକ ସକାରାତ୍ମକ ଦିଗକୁ ଏବେ ଗୁରୁତ୍ବ ପ୍ରଦାନ କରାଯାଉଛି।

ଯୁବ ମାନସର ସ୍ଫୁଲିଙ୍ଗକୁ ଏବେ ଗୁରୁତ୍ବ ମିଳୁଛି। ଅବଶ୍ୟ ବହୁ ସ˚ଖ୍ୟକ କିଶୋର-କିଶୋରୀ ଏପରି ସ୍ଫୁଲିଙ୍ଗର ଅଧିକାରୀ ହୋଇ ନଥାନ୍ତି। ତେବେ, ଖୁବ୍‌ କମ୍‌ ସ˚ଖ୍ୟକ କିଶୋର-କିଶୋରୀ ବା ତରୁଣ-ତରୁଣୀଙ୍କ ଜୀବନରେ ଏହା ପରିଦୃଷ୍ଟ ହୁଏ। ଏବଂ ଯେଉଁମାନଙ୍କ ଜୀବନରେ ଏହି ସ୍ପୁଲିଙ୍ଗ ଦେଖିବାକୁ ମିଳେ, ସେମାନେ ଏହା ଦ୍ବାରା ମାନବ ସମାଜକୁ ଋଦ୍ଧିମନ୍ତ କରନ୍ତି। ପ୍ରଥମେ ବୁଝିବାକୁ ହେବ ଯେ ଯୁବ ମାନସର ସ୍ଫୁଲିଙ୍ଗର ସ˚ଜ୍ଞା କ’ଣ? କିଶୋର-କିଶୋରୀମାନେ ଏହି ବୟସରେ ହିଁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ସର୍ବାଧିକ ଆଗ୍ରହ ପ୍ରକାଶ କରନ୍ତି। ଏହା ସେମାନଙ୍କ ନୈପୁଣ୍ୟ ଓ ଉଚ୍ଚତର ଦକ୍ଷତା ବୃଦ୍ଧିରେ ସହାୟକ ହୁଏ। ସେହି ସ୍ଫୁଲିଙ୍ଗ କ୍ରମେ ଅନଳର ରୂପ ନେଇ ଉଦ୍‌ଭାସିତ ହୋଇଥାଏ। ଯୁବ ଅବସ୍ଥାରେ କୌଣସି ସର୍ଜନାତ୍ମକ ପ୍ରତିଭାର ପ୍ରକାଶ ଲାଗି ଏମିତି ଅଦମ୍ୟ ଇଚ୍ଛା ଜାଗି ଉଠେଯେ ତାହା ସକଳ ବାଧାବନ୍ଧନକୁ ଅତିକ୍ରମ କରି ଆଗକୁ ବଢ଼ିଥାଏ।

କୈଶୋର ବା ତାରୁଣ୍ୟର ସ୍ଫୁଲିଙ୍ଗର ଗୁରୁତ୍ବ ଅନୁଭବ କରିବାର ଏକ ବିଶେଷ କାରଣ ରହିଛି। ପ୍ରାୟ ପନ୍ଦର ବର୍ଷ ବୟସ ବେଳକୁ ପିଲାମାନେ ଏକ ଆବେଗିକ ଉଦ୍‌ବେଳନର ସମ୍ମୁଖୀନ ହୁଅନ୍ତି। ସେମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠେ: ମୋର ଜୀବନ କେଉଁ ଦିଗରେ ଯାଉଛି? ମୁଁ ବାପାଙ୍କୁ ଅନୁକରଣ କରିିବି କି ମା’ଙ୍କୁ ଅନୁକରଣ କରିବି? କେଉଁ ମୂଲ୍ୟବୋଧ ପ୍ରତି ଅନୁଗତ ହେବି? କ’ଣ ହେବ ମୋର ବିଶ୍ବାସ-ଅବିଶ୍ବାସର ରୂପରେଖ? ଏପରି ଏକ ଆତ୍ମ ପରିଚିତିର ଦ୍ବନ୍ଦ୍ବ ମଧ୍ୟରେ କିଶୋର-କିଶୋରୀମାନେ ବାଟବଣା ହୋଇଥାଆନ୍ତି। ମାତ୍ର ଏହି ଦ୍ବନ୍ଦ୍ବ ଏବଂ ଏହି ପ୍ରଶ୍ନକୁ ଅତିକ୍ରମ କରି ଏକ ଠିକଣା ଉତ୍ତର ଲାଭ କରିଥିବା କିଶୋର-କିଶୋରୀମାନେ ନିଜର ବିକାଶ କରନ୍ତି ଏବଂ ସେମାନଙ୍କ ଭିତରୁ କେତେକ ଏଭଳି ହୁଅନ୍ତି ‌େଯ ସେମାନେ ପୃଥିବୀର ଗତିପଥ ମଧ୍ୟ ବଦଳାଇ ଦିଅନ୍ତି। କେବଳ‌ ଖେଳାଳି ବା କଳାକାର ନୁହନ୍ତି; ଅଦମ୍ୟ ପରିଶ୍ରମ କରି ବ୍ୟବସାୟ କରିଥିବା ଏଭଳି ଯୁଗପ୍ରବର୍ତ୍ତକ ତରୁଣମାନଙ୍କ ଉଦାହରଣ ରହିଛି। ମାଇକ୍ରୋସଫ୍‌ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ହୁଅନ୍ତୁ ବା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ସେମାନେ ସମସ୍ତେ ଏଭଳି ଜଣେ ଜଣେ ଅତି ବିଚକ୍ଷଣ ତରୁଣ ଭାବେ ସେମାନଙ୍କ ପରାକାଷ୍ଠା ‌େଦଖାଇ ଥିଲେ।

ଏହି ପରିପ୍ରେକ୍ଷୀରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା କୌଣସି କିଶୋର କିମ୍ବା କିଶୋରୀଙ୍କ ଜୀବନରେ ପ୍ରତିଭାର ସ୍ପୁଲିଙ୍ଗର ଆଭାସ ମିଳିବା ମାତ୍ରେ ଅନ୍ୟମାନେ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ଉଚିତ। ପରିବାରରେ ପିତାମାତାଙ୍କ ବ୍ୟତୀତ ଅନ୍ୟ ସବୁ ବରିଷ୍ଠ ଓ କନିଷ୍ଠମାନେ ମଧ୍ୟ ସେମାନଙ୍କୁ ସହଯୋଗ କରିବା ଦରକାର। ସ୍ନେହ ଶ୍ରଦ୍ଧା ଦେଇ ପ୍ରତିଭାର ସ୍ପୁଲିଙ୍ଗକୁ ଲିଭି ଯିବାରୁ ରୋକି ହୁଏ। କେବଳ ସେତିକି ନୁହେଁ ପ୍ରତିବେଶୀ ଓ ଆଖପାଖର ଲୋକେ ମଧ୍ୟ ଯୁବ ପ୍ରତିଭାମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର।

ସେମିତି କିଶୋର-କିଶୋରୀମାନଙ୍କ ମନରେ ଯେପରି ସାହସ ବୃଦ୍ଧି ପାଇବ, ସେ ଦିଗରେ ମଧ୍ୟ ପ୍ରୋତ୍ସାହନର ପ୍ରୟୋଜନ ରହିଛି। ପ୍ରତିଭାର ସ୍ପୁଲିଙ୍ଗର ଅଧିକାରୀ କିଶୋର-କିଶୋରୀ କେବଳ କେତେକ ଗତାନୁଗତିକ ବ୍ୟକ୍ତିଗତ ସଫଳତା ‌େଯମିତିକି ଶିକ୍ଷାନୁଷ୍ଠାନରେ ସଫଳତା ଇତ୍ୟାଦିରେ ନିଜକୁ ସୀମିତ ନ ରଖି ଏହା କିଭଳି ସମାଜ ଓ ରାଷ୍ଟ୍ରର ହିତରେ ଲାଗିପାରିବ ସେ କଥା ମନରେ ଭାବି ସେହି ବିଚକ୍ଷଣତାର ବିଭିନ୍ନ ପ୍ରକାର ପ୍ରୟୋଗ କରିବା ଉଚିତ। ସ୍ଫୁଲିଙ୍ଗର ଅଧିକାରୀ ହୋଇଥିବା ଯୁବକଙ୍କ ମନରେ ଏପରି ସମ୍ପୃକ୍ତିର ଭାବ ବୃଦ୍ଧି ପାଇଲେ ବ୍ୟକ୍ତିଗତ ବିକାଶ ସହିତ ସାମାଜିକ ଅଭିବୃଦ୍ଧି ସମ୍ଭବ ହେବ। ଭାରତରେ ଏବେ ଯୁବବର୍ଗର ଆକାର ସାରା ପୃଥିବୀରେ ସବୁଠାରୁ ବିଶାଳ। ଏହି ଯୁବ ବର୍ଗ ନିଜ ଭିତରେ ଥିବା ସ୍ଫୁଲିଙ୍ଗକୁ ବୁଝିପାରି ତାକୁ ରୂପ ଦେବାର ଚେଷ୍ଟା କଲେ ବା ସଫଳ ହେଲେ ଆମ ଦେଶର ବିକାଶ ଆକାଶକୁ ଛୁଇଁବ।
ମୋ – ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର