ଆମକୁ ଲାଗେ ପରିବା ଓ ପରିବାର ଭିତରେ ଅଛି ଗୋଟେ ଅଦ୍ଭୁତ ବନ୍ଧନ! ତେଣୁ ତ’ ସବୁ ଠିକ୍‌ଠାକ୍ ଚାଲିଥିବା ବେଳେ ଅଚାନକ କେଉଁଠି କେଉଁ କୀଟ କିଆଁ କାମୁଡ଼େ କେଜାଣି ଅଚାନକ ପରିବା ଦର ବଢ଼େ।
ଆଗେ କେବଳ ପିଆଜ ଦର ଟିକେ ନାକୁରୁ ବଢ଼ିଥିଲା ଯେ ତହିଁରୁ ସୃଷ୍ଟ ପଲିଟିକ୍‌ସର ଧକ୍‌କା କାହାକୁ ଉଠାଉଥିଲା ତ’ ଆଉ କାହାକୁ କରିଥିଲା ଭୂପତିତ! କାଳକ୍ରମେ ପିଆଜର ପ୍ରତିଦ୍ୱନ୍ଦ୍ବୀଏ ଉପୁଜିଲେ ତେଣୁ ପଲିଟିକ୍‌ସ ଆହୁରି ରୋଚକ ହେଲା। ଆଳୁର ବି ଦର ବଢ଼ିଲା! ତା’ ଦେଖାଦେଖି ଟମାଟୋ ଏକା ନଟେ ରାଗିମାଗି ତା’ ନାଲି ଆଖିକି ଆହୁରି ଲାଲ୍ କରି ଜଣାଇଦେଲା ଯେ ତା’ ଭାଉ ବି କାଇଁରେ କ’ଣ! ଏମାନଙ୍କ ଦେଖାଦେଖି ଆଉ ଆଉ ପରିବାଙ୍କ ଦର ବି ଛାଏଁ ବଢ଼ିଚାଲନ୍ତେ ପରିବା ଦର ସହ ପରିବାର ଚଳାଇବା ପ୍ରସଙ୍ଗ ଯୋଡ଼ି ହୋଇଯାଇ ଚର୍ଚ୍ଚାର ବିଷୟ ହେଲା।
ହାଲରେ ଏ ନେଇ ଆମେ ବି ଚିନ୍ତିଲୁ। ଏହି କ୍ରମରେ କିଞ୍ଚିତ ଅତୀତାବଲୋକନ କଲୁ ତ’ ଜଳଜଳ ଦିଶିଗଲା ଆମର ଜନୈକ ବାଲ୍ୟବନ୍ଧୁର ମୁହଁ, ଯିଏ ଥିଲା ସେ ସମୟରେ ଆମ ସହରର ଏକମାତ୍ର ଧାନ ମିଲ୍, ଏକମାତ୍ର ପୋଟ୍ରୋଲ ବଙ୍କ୍, ଏକମାତ୍ର ସୁନା ଦୋକାନ ଓ ଖାଉଟି ସାମଗ୍ରୀ ବିକ୍ରୟର ସବୁଠୁ ବଡ଼ ପାଇକାରୀ କେନ୍ଦ୍ର ଚଳାଉଥିବା ଏକ ନାମୀଦାମୀ ବଣିକ ପରିବାରର ସନ୍ତାନ। 
ସେମାନଙ୍କ ପରିବାର ବୋଇଲେ ଏମିତି ସେମିତି ନୁହଁ। ସେତେବେଳେ ଥିଲା ମାତ୍ର ଏକଷଠି ଜଣ ସଦସ୍ୟ ସମ୍ବଳିତ ଏକ ବୃହଦାକାର ଏକାନ୍ନବର୍ତ୍ତୀ ପରିବାର! ଏତେ ବଡ଼ ପରିବାର ଏକାଠି ଚଳିବା ନେଇ ସେତେବେଳେ ଆମ କିଶୋର ମନରେ ବି ଉପୁଜୁଥିବା ଯାବତ କୌତୂହଳ ଓ ଜିଜ୍ଞାସାଙ୍କୁ ସେମିତି ମନରେ ରଖିଥିବା ସତ୍ତ୍ବେ ଦିନେ ବନ୍ଧୁଟିକୁ ପଚାରିଦେଲି- “ଆଉ ଆଜି କ’ଣ ଖାଇ ଆସିଛୁ କିରେ?” ପଚାରିବା ମାତ୍ରେ ସେ ମୋ ମନ କଥା ବୁଝି ପାରିଥିବା ପ୍ରାୟେ ଏକରକମ ଘୋଷି ରଖିଥିବା ଭଳି ଏମନ୍ତ ଗାଇ ଯାଉଥିଲା: ଆଜି ଆମ ଜେଜେମାଆଙ୍କ ପାଳି ଥିଲା ତ’, ଜେଜେବାପା ବଜାର ଯାଇ ବାଇଗଣ, ବୋଇତାଳୁ, ଖମ୍ବଆଳୁ, ଶଙ୍ଖସାରୁ, ସଜନାଛୁଇଁ ଆଦି ନାନା ରକମର ପରିବା ଆଣିଥିଲେ ଓ ତହିଁରେ ଘରେ ମହଜୁଦ ଥିବା ବଡ଼ି, ବୁଟ ଆଦି ମିଶାଇ ଜେଜେମାଆଙ୍କ ପସନ୍ଦର ଘାଣ୍ଟ ତରକାରି। ଭାରି ସୁଆଦିଆ ହୋଇଥିଲାରେ!
ସେ ଆହୁରି କହି ଚାଲିଲା: ଜାଣିଛୁ ତ’ ଆମର ବଡ଼ ପରିବାର। ତେଣୁ ଆମ ଜେଜେବାପା ଠିକ୍ କରିଛନ୍ତି ଯେ ଦିନକୁ ଗୋଟିଏ ହିଁ ତରକାରି ହେବ ଓ ତା’ସହ ଆମ ଜମିରୁ ଆସିଥିବା ଡାଲି ସହ ଘରେ ତିଆରି ଆଚାର, ପାମ୍ପଡ଼, ବଡ଼ି ଆଦି ଲଗାଇ ସଭିଏଁ ଖାଇବେ। ଦିନକୁ ଜଣକ ପାଳି ପଡ଼ିବ ଓ ସେଦିନ ତା’ ପସନ୍ଦର ତରକାରି ରନ୍ଧା ହେବ, ଯାହା ସଭିଏଁ ଖାଇବେ। ଆଉ ତା’ ପାଇଁ ଯାହା ଲୋଡ଼ା ସେ ଓ ଜେଜେମାଆ ଠିକ୍ କରି ଚିଠା କରିବେ ଓ ସେ ଚିଠା ଅନୁସାରେ ବଜାରରୁ ପରିବା ଓ ଜିନିଷ କିଣା ହେବ। 
ଆଚମ୍ବିତ ହୋଇ ଏ ସବୁ ଶୁଣିବା ଭିତରେ ଆମେ ତାକୁ ପଚାରିଲୁ: ଏ ସବୁ ଠିକ୍ ଯେ ସବୁଦିନ ଜେଜେବାପା ହିଁ ବଜାର ଯିବା କି ଲୋଡ଼ା? ଘରେ ଏତେ ଲୋକ ଥାଉ ଥାଉ?
ତ’ ସେ କହିଲା: ବୟସ ବଢ଼ିଲାରୁ ଆମ ଜେଜେବାପା ବ୍ୟବସାୟ ଛାଡ଼ି ନାହାନ୍ତି, ବରଂ ଜଣେ ସାମାନ୍ୟ ତେଜରାତି ଦୋକାନୀରୁ ଅନେକ କିସମର ବ୍ୟବସାୟ ଅତି ନିଷ୍ଠାର ସହ କରି ବଡ଼ ବ୍ୟବସାୟୀ ହେବା ପରେ ପିଲାଙ୍କୁ ଓ ସବୁ ଭାଇଙ୍କୁ ଗୋଟେ ଗୋଟେ ବ୍ୟବସାୟରେ ଜୁଟାଇ ସେ ନିଜେ ଓହରି ଆସିଛନ୍ତି। ଏବେବି ପ୍ରତି ରାତିରେ ଆମ ଘରେ ଜେଜେବାପାଙ୍କ ସହ ବଡ଼ବାପା, ଦାଦା, ଭାଇନାମାନେ ମିଶି ନିଜ ନିଜ ବ୍ୟବସାୟର ସାରାଦିନର ଅନୁଭବ ବିଷୟରେ କହନ୍ତି। ସେମାନଙ୍କ ଅନେକ ସମସ୍ୟାର ସମାଧାନ ଜେଜେବାପା ମୁହେଁ ମୁହେଁ କରି ଦିଅନ୍ତି। ଏବେ ଜେଜେବାପା ଘରର ମୁରବି। ଘର କେମିତି ଚଳିବ ତାହା ସେ ବୁଝନ୍ତି। 
ତା’ ପରେ ଟିକିଏ ରହିଯାଇ ସେ କହିଲା: ଜାଣିଛୁ, ଗରିବୀ ଓ ଅଭାବ ମୋ ଜେଜେବାପା ଓ ଜେଜେମାଆ ବେଶ୍ ଭୋଗିଛନ୍ତି ବୋଲି ଅଳ୍ପ ଖର୍ଚ୍ଚରେ ଘର ଚଳାଇ ପାରନ୍ତି। ତେଣୁ ତ’ ପରିବା ଦର ଶସ୍ତା ହେଉ କି ମହଙ୍ଗା, ଆମ ଘରେ ଗୋଟେ ତରକାରି ହିଁ ହୋଇ ଆସୁଛି। ଆଉ ଗୋଟେ ବଡ଼ କଥା କ’ଣ ଜାଣୁ? ଜେଜେବାପା ମୂଲଚାଲ କରିବାରେ ବି ଖୁବ୍‌ ଧୁରନ୍ଧର।’’
ଏବେ ଏତେ ବର୍ଷ ପରେ ଏ ବାଲ୍ୟ ସ୍ମୃତି ରୋମନ୍ଥନ କରିବା ପରେ ଲାଗିଲା ଏବେ ପରିବା ଦର ବଢ଼ିଛି ନିଶ୍ଚୟ, ହେଲେ ସେଥିରେ ଅଣୁରୁ ପରମାଣୁ ଜାତୀୟ ବକଟେ ନାକୁ ପରିବାରଗୁଡ଼ିକ ଯେମିତି ହନ୍ତସନ୍ତ ହୋଇଯାଉଛନ୍ତି, ବଡ଼ ପରିବାର କଥା ଛାଡ଼! କିନ୍ତୁ ମୋତେ ଲାଗିଲା ‌େଯ ପରିବା ଦର ଏମିତି ବଢୁଥିବା ବେଳେ ଆମ ପରିବାରଗୁଡ଼ିକରେ ଜଣେ ଜଣେ ଜେଜେବାପା ଲୋଡ଼ା! ସେମାନଙ୍କ ମୁରବିପଣ ଲୋଡ଼ା। ମୋ ସାଙ୍ଗର ପରିବାରରେ ଥିବା ଭଳି ସଂପ୍ରୀତି ଓ ସୌହାର୍ଦ୍ଦ୍ୟ ଲୋଡ଼ା; ଶୃଙ୍ଖଳା ଲୋଡ଼ା। ସେହି ଶୃଙ୍ଖଳାର ଗୁରୁତ୍ବ ବୁଝିବା ଲାଗି ମୋ ସାଙ୍ଗ ଭଳିଆ ମନୋବୃତ୍ତି ମଧ୍ୟ ଲୋଡ଼ା, ଯିଏ କୈଶୋରରୁ ମଧ୍ୟ ତାକୁ ତାରିଫ କରି ପାରୁଥିଲା! ସେମିତି ହେଲେ ପରିବା ଦର ବଢ଼ିଲେ ମଧ୍ୟ ପରିବାର ଚଳାଇବା ବିଷୟ ଏକ ଗମ୍ଭୀର ପ୍ରସଙ୍ଗ ହୁଅନ୍ତା ନାହିଁ।
ମୋ: ୯୪୩୭୯୦୯୬୭୫