ପରିବାରର ‘ଜେନେଟିକ୍‌ ଇଂଜିନିଅର’

ଫକୀର ମୋହନ ସାହୁ

ଜେନେଟିକ୍ ସଙ୍କେତ ବହନ କରୁଥିବା ‘ଡବଲ୍‌ ହେଲିକ୍‌ସ୍‌’ ବା ‘ଯୋଡ଼ା ଛନ୍ଦଣି’ର ଆବିଷ୍କାର ଯେଉଁ ଦିନ ବିଜ୍ଞାନ ରାଜ୍ୟରେ ଚମକ ସୃଷ୍ଟି କଲା, ସେ ଦିନ ମାଇକ୍ରୋ ବାୟୋଲୋଜିଷ୍ଟମାନେ ବିଚାର କଲେ ଯେ ସେମାନେ ଅନ୍ତିମ ସତ୍ୟର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି। ମନୁଷ୍ୟର ଗୁଣ ଓ ବ୍ୟବହାର ଯେ ଜିନ୍‌ଗତ ନିର୍ଦ୍ଧାରଣର ଫଳାଫଳ, ତାହାକୁ ନେଇ ଉତ୍ସବମୁଖର ସ୍ଲୋଗାନ୍‌ ଦେବାର ଅବକାଶ ସୃଷ୍ଟି ହେଲା। ମନୋବିଜ୍ଞାନୀମାନେ ମଧ୍ୟ ବେଶ୍ ଆହ୍ଲାଦିତ ହେଲେ। ମାତ୍ର ଏବେ ପ୍ରମାଣିତ ହେବାକୁ ଲାଗିଲାଣି ଯେ ମନୁଷ୍ୟର ପ୍ରକୃତି ଓ ଆଚରଣକୁ ନିର୍ଦ୍ଧାରଣ ବା ପ୍ରଭାବିତ କରିବାରେ ଜିନ୍‌ ଅନ୍ତିମ କଥା ନୁହେଁ।

ଜିନ୍‌ର ଅଖଣ୍ଡ ପ୍ରଭାବକୁ ସ୍ୱୀକାର କରିନେଉଥିବା ସିଦ୍ଧାନ୍ତକୁ ଏକ ବିରାଟ ଧକ୍‌କା ଦେଲା ‘ଏପିଜେନେଟିକ୍‌ସ’ ବିଜ୍ଞାନର ବିକାଶ। ଏହି ବିଜ୍ଞାନ କହିଲା ଯେ ଜିନ୍ ହେଉଛି ବନ୍ଧୁକରେ ଭରା ହୋଇଥିବା ଗୁଳି ଭଳି। ମାତ୍ର ବନ୍ଧୁକର ଘୋଡ଼ାରେ ଅଙ୍ଗୁଳି ଚାପ ଦିଆ ନ ଗଲା ପର୍ଯ୍ୟନ୍ତ ଗୁଳି ନିଷ୍କ୍ରିୟ ଥାଏ। ସେମିତି ଆମେ ମଧ୍ୟ ଆଉ ଏକ ଉଦାହରଣ ଦେଇ କହିପାରିବା ଯେ ଯେମିତି ସୁଇଚ୍ ନ ଚିପିଲା ପର୍ଯ୍ୟନ୍ତ ବଲ୍‌ବଟି ଜଳି ନ ଥାଏ। ଏହାର ତାତ୍ପର୍ଯ୍ୟ ହେଉଛି ଯେ ପିତାମାତା କିମ୍ବା ପୂର୍ବ ବଂଶଜମାନଙ୍କର ଉପାଦାନ ଜିନ୍ ସୂତ୍ରରେ ଆମ ଠାରେ ବିକଶିତ ହେବା ଲାଗି ସମ୍ଭାବନା ରୂପେ ବିଦ୍ୟମାନ ହୋଇଥାଏ ସିନା, ତାହାର ପରିପ୍ରକାଶ ନିର୍ଭର କରିବ ଅନୁକୂଳ କିମ୍ବା ପ୍ରତିକୂଳ ପରିବେଶ ଉପରେ। ତେଣୁ ପରିବେଶ ହେଉଛି ଅତି ଗୁରୁତ୍ବପୂର୍ଣ୍ଣ। ଜେନେଟିକ୍ ଇଞ୍ଜିନିୟରିଂର ଅର୍ଥ ହେଲା ଜିନ୍‌ରେ ଥିବା ଉପାଦାନକୁ କୃତ୍ରିମ ଉପାୟରେ ବଦଳାଇ ନୂଆ ସମ୍ଭାବନା ସୃଷ୍ଟି କରିବାର କୌଶଳ। ଏହା କେବଳ ଉଚ୍ଚକୋଟୀର ଚିକିତ୍ସକ ବା ବୈଜ୍ଞାନିକଙ୍କ ଦ୍ବାରା ସମ୍ଭବ। କିନ୍ତୁ ଏବେ ବିଶେଷଜ୍ଞମାନେ କହିଲେଣି ଯେ ପିତାମାତା ବା ଅଭିଭାବକମାନେ ମଧ୍ୟ ହେଉଛନ୍ତି ଜଣେ ଜଣେ ଜେନେଟିକ୍‌ ଇଂଜିନିଅର। ସେମାନଙ୍କ ଭୂମିକା କେବଳ ଶିଶୁର ଜନ୍ମ ପରେ ଆରମ୍ଭ ହୋଇ ନ ଥାଏ, ବରଂ ଜନ୍ମ ପୂର୍ବରୁ ଆରମ୍ଭ ହୋଇଯାଏ। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଜନ୍ମ ପରେ ହିଁ ମସ୍ତିଷ୍କ କାର୍ଯ୍ୟକ୍ଷମ ହୁଏ। ସେହି କାରଣରୁ ଧରି ନିଆଯାଉଥିଲା ଯେ ଭ୍ରୂଣର ସ୍ମୃତି ଶକ୍ତି ନ ଥାଏ। ମାତ୍ର ବର୍ତ୍ତମାନ ପ୍ରୟୋଗାତ୍ମକ ମନୋବିଜ୍ଞାନ ଓ ସ୍ନାୟୁ ବିଜ୍ଞାନ ଏହାକୁ ଭୁଲ୍ ବୋଲି ବିଚାର କଲାଣି। ପ୍ରକୃତରେ ଭ୍ରୂଣ ଓ ନବ ଜାତକର ସ୍ନାୟୁ ତନ୍ତ୍ରରେ ଅନୁଭବ କରିବା ଏବଂ ଶିଖିବାର ସାମର୍ଥ୍ୟ ପର୍ଯ୍ୟାପ୍ତ ପରିମାଣର ଥାଏ। ସେମାନଙ୍କର ସ୍ମୃତି ଶକ୍ତିକୁ ସ୍ନାୟୁ ବିଜ୍ଞାନୀମାନେ ଅନ୍ତର୍ନିହିତ ସ୍ମୃତି ବୋଲି କହିଥାଆନ୍ତି।ଗର୍ଭାଶୟ ଭିତରେ ଭ୍ରୂଣ ନାମକ କୁନି ପ୍ରାଣୀ କେମିତି ଜୀବନ ଜିଏ, ତାହା ସେ ଜନ୍ମ ‌େନବା ପରେ ତା’ର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଓ ଆଚରଣକୁ ପ୍ରଭାବିତ କରେ। ପ୍ରସବ-ପୂର୍ବବର୍ତ୍ତୀ ଗର୍ଭାଶୟ ହେଉଛି ଶିଶୁର ଅସ୍ଥାୟୀ ଘର ହୋଇଥିଲେ ସୁଦ୍ଧା ଏ ସମୟର ଜୀବନର ଗୁଣବତ୍ତା ପରବର୍ତ୍ତୀ ଜୀବନରେ ତା’ର ରୋଗ ଓ ଅବିଗୁଣକୁ ରୂପ ଦିଏ। ତେଣୁ ସତ କହିଲେ, ସନ୍ତାନର ଜୀବନ ଗର୍ଭାଶୟର ନିଭୃତ ଅନ୍ଧକାର ମଧ୍ୟରେ ବିକଶିତ ହୋଇ ଚାଲିଥିବା ବେଳେ ବି ପିତାମାତାଙ୍କ ଭୂମିକା କେବଳ ମାତ୍ର ଦର୍ଶକର ଭୂମିକାରେ ସୀମିତ ନ ରହି ମା’ ଗର୍ଭ ଭିତରେ ପିଲା କେମିତି ଶାନ୍ତିରେ ବଢ଼ିବ, ସେଥି ଲାଗି ପରିବେଶ ପ୍ରସ୍ତୁତ କରିବା ଦିଗରେ ବ୍ୟବହୃତ ହେବା ଉଚିତ।

ଶିଶୁ ଜନ୍ମ ହେବା ପରେ ମଧ୍ୟ ସେହି ଏକ ‘ଏପିଜେନେଟିକ୍‌’ ପ୍ରଭାବ ଚାଲୁ ରହିଥାଏ ଓ ପିତାମାତା ସେମାନଙ୍କ ସନ୍ତାନର ପରିବେଶକୁ ପ୍ରଭାବିତ କରି ଚାଲି ଥାଆନ୍ତି। ମସ୍ତିଷ୍କର ବିକାଶ ଦିଗରେ ଉତ୍ତମ ଅଭିଭାବକତ୍ୱର ଗୁରୁତ୍ୱ ସମ୍ବନ୍ଧରେ ସ୍ପଷ୍ଟ ଓ ଚମତ୍କାର ପ୍ରମାଣମାନ ଗବେଷଣା ଦ୍ବାରା ସ୍ବୀକୃତ। ପରିବେଶରୁ ମିଳୁଥିବା ଉଦ୍ଦୀପନାଗୁଡ଼ିକ ଜିନ୍‌ର କ୍ରିୟାକଳାପକୁ ନିୟନ୍ତ୍ରଣ କରନ୍ତି। ଉଦାହରଣ ସ୍ବରୂପ ଯତ୍ନ ପ୍ରଦାନକାରୀ ବ୍ୟକ୍ତିର (ଅନେକ କ୍ଷେତ୍ରରେ ମା’) ସ୍ନେହ-ଶ୍ରଦ୍ଧା ଓ ଆଦର-ଯତ୍ନ ଶିଶୁ ମଧ୍ୟରେ ଅବସାଦକୁ ନିଷ୍କ୍ରିୟ କରିପାରେ, ଯାହା ପୂର୍ବଜମାନଙ୍କ ଜିନ୍‌ରୁ ତା’ ପାଖକୁ ପ୍ରବାହିତ ହୋଇ ଆସିଥାଏ। ଏଭଳି ପରିବେଶ ଶିଶୁ ଠାରେ ଆତ୍ମବିଶ୍ୱାସ ଓ ସୁରକ୍ଷା ମନୋଭାବ ଜାତ କରେ। ତାକୁ ପ୍ରଫୁଲ୍ଲତା ପ୍ରଦାନ କରେ। ସୁତରାଂ, ସେ ପରବର୍ତ୍ତୀ ଜୀବନରେ ଅବସାଦ ଦ୍ବାରା ପୀଡ଼ିତ ହୋଇ ନ ପାରେ! ‌େତଣୁ ବିକାଶ ଲାଭ କରୁଥିବା ମସ୍ତିଷ୍କ ପାଇଁ ସମାଜର ପ୍ରଭାବ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପିତାମାତା ଓ ଅଭିଭାବକମାନେ ଶିଶୁ ଲାଗି ଏକ ଉତ୍ତମ ସାମାଜିକ ପରିବେଶ ଉପଲବ୍‌ଧ କରାଇ ପାରିଲେ, ଜିନୀୟ ଅଭିବ୍ୟକ୍ତି ଅନୁକୂଳ ଦିଗରେ ଗତି କରିବ, ଯାହା ସେମାନଙ୍କ ସନ୍ତାନର ଜୀବନକୁ ନିରୋଗ ଓ ଆନନ୍ଦମୟ କରିପାରିବ, କାରଣ ଏହା ଦ୍ବାରା ତା’ର ଜିନୀୟ ଅଭିବ୍ୟକ୍ତି ସୁନ୍ଦର ରୂପ ନେବ। ଯେଉଁ ଜିନ୍‌ମାନଙ୍କ କାରଣରୁ ସୁସ୍ଥ ମସ୍ତିଷ୍କର ବିକାଶ ଘଟିଥାଏ, ସେହି ଜିନ୍‌ମାନଙ୍କୁ କ୍ରିୟାଶୀଳ କରିବା ପାଇଁ ଶିଶୁମାନେ ଏକ ସୁସ୍ଥ ବାତାବରଣ ଭିତରେ ବଡ଼ ହେବା ଆବଶ୍ୟକ। ସୁତରାଂ, ଶିଶୁର ଜନ୍ମ ପୂର୍ବରୁ ଓ ପରେ ପିତାମାତା ଏବଂ ସଚେତନ ଅଭିଭାବକମାନେ ଜେନେଟିକ୍ ଇଞ୍ଜିନିୟର୍‌ର ଭୂମିକା ନିର୍ବାହ କରନ୍ତି।
ମୋ- ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର