କୃଷକଙ୍କ ହିତରେ କୃଷି ସ˚ଶୋଧନ ଆଇନ

ପ୍ରଦୀପ୍ତ କୁମାର ନାଏକ

ସ˚ସଦରେ କୃଷି ସମ୍ପର୍କିତ ତିନିଟି ବିଲ୍‌ ଗୃହୀତ ହେବା ପରେ ସେଥି ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବାଭାବିକ ଭାବରେ ଯେଉଁମାନେ ବିରୋଧୀ ଦଳରେ ବସିଛନ୍ତି ସେମାନେ କେବଳ ବିରୋଧ କରିବା ଛଳରେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ଏହି ବିରୋଧରେ ଚାଷୀମାନଙ୍କ ଅପେକ୍ଷା ଅଣଚାଷୀମାନଙ୍କୁ ଅଧିକ ଦେଖିବାକୁ ମିଳୁଛି। କିଛି ରାଜନୈତିକ ଦଳ ନିଜର ଅସ୍ତିତ୍ବ ବ˚ଚାଇବା ପାଇଁ ଏହି ଆନ୍ଦୋଳନକୁ ଉସୁକାଇବା ଲକ୍ଷ୍ୟରେ ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି। ବିଦେଶରେ ଖଲିସ୍ତାନ ସପକ୍ଷବାଦୀମାନେ ଏହି ଆନ୍ଦୋଳନର ମୋର୍ଚ୍ଚା ସମ୍ଭାଳୁଥିବା ଦେଖାଯାଉଛି। ସାମାଜିକ ଗଣମାଧୢମରେ ପାକିସ୍ତାନରୁ ଚାଲୁଥିବା କିଛି ଆକାଉ˚ଟରେ ଆମ ଦେଶର ଚାଷୀମାନଙ୍କୁ ହି˚ସା କରିବା ପାଇଁ ଉସୁକାଇଲା ଭଳି ପୋଷ୍ଟିଂ କରାଯାଉଛି।

ଏହି ବିଲ୍‌ର ବିରୋଧ କରି ବିରୋଧୀମାନେ କ’ଣ ଯୁକ୍ତି ରଖୁଛନ୍ତି ସେହି ପ୍ରସଙ୍ଗରେ ଆଲୋଚନାର ଆବଶ୍ୟକତା ରହିଛି। ପ୍ରଥମତଃ ଆମକୁ ସ୍ବୀକାର କରିବାକୁ ହେବ ଯେ ବର୍ତ୍ତମାନ ଯେଉଁ ବ୍ୟବସ୍ଥାରେ ଆମ ଦେଶରେ କୃଷି ଚାଲୁଛି, ତହିଁରେ ପରିବର୍ତ୍ତନ ଆସିବା ନିହାତି ଆବଶ୍ୟକ। କାରଣ ତଦ୍ଦ୍ବାରା କୃଷକର ସେମିତି କିଛି ଉନ୍ନତି ହେଉନାହିଁ କି ହୋଇନାହିଁ। ଏହା ଊଣାଅଧିକେ ସମସ୍ତେ ସ୍ବୀକାର କରିବେ। ଚାଷ ଆଜି ବି ଏକ ଲାଭଜନକ ପେସା ସ୍ତରକୁ ଆସିପାରିନାହିଁ। ଯେବେ ଯାଏଁ କୃଷି ଏକ ସ୍ବୟ˚ସମ୍ପୂର୍ଣ୍ଣ ଶିଳ୍ପର ମଡେଲ୍‌ର ରୂପ ନ ନେଇଛି, ସେବେ ଯାଏଁ କୃଷି ବା କୃଷକର ବିକାଶ ହୋଇ ପାରିବ ନାହିଁ। ଯେବେ ଯାଏଁ କୃଷକକୁ ଆମେ ବିଶ୍ବ ବଜାର ସହିତ ସଂଯୁକ୍ତ କରିପାରିନାହେଁ ଏବ˚ ଚାଷୀକୁ ଅଭାବୀ ବିକ୍ରି ଭଳି ପାରମ୍ପରିକ ସମସ୍ୟାରୁ ମୁକ୍ତି ଦେଇପାରିନାହେଁ, ସେ ପର୍ଯ୍ୟନ୍ତ ଚାଷୀର ବିକାଶ ହୋଇ ପାରିବ ନାହିଁ। ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯେଉଁଥି ଲାଗି ଏହି ତିନିଟି ବିଲ୍ ଆସିଛି। ସେଗୁଡ଼ିକ ହେଲା କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଲ୍‌, କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟ ଧାର୍ଯ୍ୟ ଓ କୃଷି ସେବା ବିଲ୍‌ ଏବ˚ ଅତ୍ୟାବଶ୍ୟକ ସାମଗ୍ରୀ (ସ˚ଶୋଧନ) ବିଲ୍‌। ପ୍ରଥମ ବିଲ୍‌ରେ ଯେଉଁ ନିୟମ ରହିଛି, ତାହା କୃଷକମାନଙ୍କୁ ମଧୢସ୍ଥମାନଙ୍କ ଦାଉରୁ ରକ୍ଷା କରିବ। ତଦନୁସାରେ ବର୍ତ୍ତମାନ ଉପଲବ୍‌ଧ ଥିବା ମଣ୍ତି ବ୍ୟବସ୍ଥା ସହିତ ଚାଷୀଙ୍କୁ ଖୋଲା ବଜାରରେ ଜିନିଷ ବିକିବାର ସୁବିଧା ମିଳିବ। ଆଗରୁ ନିୟମ ଥିଲା ଯେ ଧାନ ହେଉ ବା ଗହମ ବା ଡାଲି ଆଦି ଫସଲ କ୍ଷେତ୍ରରେ ଚାଷୀ କେବଳ ତାର ଅ˚ଚଳରେ ଥିବା ଲାଇସେନ୍‌ସ ପ୍ରାପ୍ତ ମଣ୍ତିରେ ଜିନିଷ ବିକ୍ରି କରିପାରୁଥିଲା। ଏହି ବିଲ୍‌ ଅନୁସାରେ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେଉଁଠି ଚାହିଁବେ ବିକ୍ରି କରିପାରିବେ।

ଏହା ଦ୍ବାରା ଏଭଳି ଗୋଟିଏ ‘ଇକୋ-ସିଷ୍ଟମ’ ତିଆରି ହୋଇ ପାରିବ ଯହିଁରେ ଚାଷୀ ପାଖରେ ବିଭିନ୍ନ ବିକଳ୍ପ ରହିବ। ନିଜ ଫସଲକୁ ବିକ୍ରି କରିବା ପାଇଁ ସେ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ରିଟେଲର, ହୋଲ୍‌ସେଲର ଏବଂ ରପ୍ତାନିକାରୀ ଇତ୍ୟାଦିଙ୍କ ସହିତ ଯୋଡ଼ି ହୋଇପାରିବ। ବିରୋଧୀମାନେ ଯେଉଁ ତର୍କ ରଖୁଛନ୍ତି ଯେ ଏହା ଫଳରେ ସରକାର ଦେଉଥିବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବ୍ୟବସ୍ଥା ଆଉ ରହିବ ନାହିଁ; ତାହା ଅମୂଳକ। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ବାରମ୍ବାର କହୁଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ରହିବ। ବରଂ ଏହା ହେଲେ ଚାଷୀ ପାଖରେ ଜିନିଷ କିଣିବା ପାଇଁ ଅଧିକ ବେପାରୀ ଆସି ପହଞ୍ଚିବେ ଏବଂ ଚାଷୀ ତାର ଜିନିଷର ମୂଲ୍ୟକୁ ବଢ଼ାଇ ପାରିବ। ପ୍ରତିଦ୍ବନ୍ଦ୍ବିତାମୂଳକ ବଜାରର ଲାଭ ଚାଷୀ ନେଇ ପାରିବ। କୃଷକର ସବୁଠାରୁ ବଡ଼ ସମସ୍ୟା ହେଉଛି ଅଭାବୀ ବିକ୍ରି। ଏହା ପ୍ରାୟ ସବୁ ବର୍ଷ ଆମେ ଦେଖୁଛେ କିଭଳି ମହାରାଷ୍ଟ୍ର ନାସିକର ଚାଷୀ ପିଆଜକୁ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରି କରିବା ପାଇଁ ବାଧୢ ହୁଏ ଏବଂ ଠିକ ତାର ୧୦ ଦିନ ପରେ ବଜାରରେ ପିଆଜ ଦର କେଜି ପିଛା ୩୦ ଟଙ୍କା ଛୁଇଁଯାଏ। ଓଡ଼ିଶାର କଳାହାଣ୍ତି ବା ବଲାଙ୍ଗୀର ଜିଲ୍ଲାରେ ଥିବା ପିଆଜ ଚାଷୀଙ୍କର ବି ସେଇ ସମାନ ଅବସ୍ଥା ହୁଏ। ପ୍ରାୟ ସମସ୍ତ କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ଏକ ବଡ଼ ସମସ୍ୟା। ଚାଷୀ କେତେବେଳେ ବି ତାର ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଏନି। ଖାଉଟି ମଧ୍ୟ ଚଢ଼ା ଦରରେ ଜିନିଷ କିଣେ। ଏହାର ଏକମାତ୍ର କାରଣ ହେଲା କୃଷିଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଏକ ମାତ୍ର ବିକଳ୍ପ ରହି ଆସିଛି, ଯାହା ହେଉଛି ମଣ୍ତି ଏବ˚ ମଧୢସ୍ଥି ବା ଦଲାଲ ବ୍ୟବସ୍ଥା। ଚାଷୀ ସର୍ବଦା କ୍ଷତି ସହେ, ହେଲେ ମଧୢସ୍ଥିର କେବେ କ୍ଷତି ହୁଏ ନାହିଁ।

ଦ୍ବିତୀୟ ବିଲ୍‌ ହେଉଛି ‘କ˚ଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିବଦ୍ଧ ଚାଷକୁ ନେଇ। ଏବେ ପ˚ଜାବରେ ଏହାକୁ ସବୁ ରାଜନୈତିକ ଦଳ ବିରୋଧ କରୁଛନ୍ତି। କିନ୍ତୁ, ପ˚ଜାବରେ ୨୦୦୧ ମସିହାରୁ ପେପ୍‌ସି କମ୍ପାନି ଚୁକ୍ତିବଦ୍ଧ ଚାଷ କରିଆସୁଛି। ଚାଷ ଋତୁର ପ୍ରାରମ୍ଭରେ ଚାଷୀ ଏବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉ ବା ବଡ଼ ରିଟେଲର ହୁଅନ୍ତୁ; ସେମାନଙ୍କ ସହିତ ଫସଲର ଦର ଓ ବିକ୍ରିକୁ ନେଇ ଆଗୁଆ ଚୁକ୍ତି କରିପାରିବ। ଯିଏ କିଣିବ ସିଏ ନିର୍ଦ୍ଧାରିତ ଦର ଠାରୁ କମ୍‌ରେ କିଣି ପାରିବ ନାହିଁ। ଏଥିରେ ଚାଷୀର ଆୟ ସୁନିଶ୍ଚିତ ହେବ। ଏହି ବି‌େଧୟକ ଦ୍ବାରା ଚାଷ ଆଉ ପାଦେ ଆଗକୁ ଯିବ। ଚାହିଦାକୁ ଦେଖି ଚାଷୀ ନୂଆ ନୂଆ ଫସଲର ଚାଷ କରିବା ପାଇଁ ସମ୍ଭାବନା ଓ ସୁଯୋଗ ତିଆରି ହୋଇପାରିବ। ଏଥିରେ ସାଧାରଣତଃ ଯେଉଁ ଚୁକ୍ତି ହେବ; ତାହା ଗୋଟିଏ ଚାଷୀ ସହିତ ନ ହୋଇ ଏକ ପ˚ଚାୟତ ବା ବ୍ଲକ୍‌ର ଚାଷୀମାନଙ୍କ ସହିତ ହେବ। ଏହି ନିୟମରେ ଚୁକ୍ତି କରିଥିବା ସ˚ସ୍ଥା ଦ୍ବାରା ଉନ୍ନତ ବୈଜ୍ଞାନିକ ପ୍ରଣାଳୀ, ଉନ୍ନତ ବିହନ ଆଦି ଚାଷୀମାନଙ୍କ ପାଖରେ ଉପଲବ୍‌ଧ ହୋଇପାରିବ। ଏଠାରେ ଚାଷୀମାନଙ୍କୁ ସଂଗଠିତ ହେବାର ବି ଆବଶ୍ୟକତା ରହିଛି ଓ ରାଜ୍ୟ ସରକାରମାନଙ୍କୁ ଏ କ୍ଷେତ୍ରରେ ବଡ଼ ଭୂମିକା ନେବାର ଅଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବା ରପ୍ତାନିକାରୀ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ସହିତ କୃଷକର ଏକ ପ୍ରକାର ସିଧାସଳଖ ସ˚ଯୋଗ ସୃଷ୍ଟି ହୋଇପାରିବ। ଏହା ଦ୍ବାରା ‘କୃଷି କ୍ଲଷ୍ଟର’ର ବିକାଶ ଏବ˚ ସମୂହ କୃଷି ଆଡ଼କୁ ବାଟ ଫିଟାଇବ। ତୃତୀୟ ବିଲ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଥିବା ଅନେକ ଖାଦ୍ୟଦ୍ରବ୍ୟକୁ ଏବେ ବାଦ ଦିଆଯାଇଛି। କିନ୍ତୁ, ଯୁଦ୍ଧ ବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହି ନିୟମ ଲାଗୁ ହୋଇପାରିବ ନାହିଁ। ସେଭଳି ସମୟରେ କେହି ଖାଦ୍ୟ ସାମଗ୍ରୀ ‘ହୋର୍ଡିଙ୍ଗ’ ବା ମହଜୁଦ କରି ରଖି ପାରିବେ ନାହିଁ। ଏହି ବିଲ୍‌ ମୂଳତଃ ଉତ୍ପାଦନ ଖର୍ଚ୍ଚ ଅନୁସାରେ ଲାଭ ପାଇବାରେ ଚାଷୀଙ୍କୁ ସାହାଯ୍ୟ କରିପାରିବ।

କ˚ଗ୍ରେସ ଦଳ ୨୦୧୯ ନିର୍ବାଚନ ଇସ୍ତାହାରରେ ଏହି ସମସ୍ତ କଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ସେମାନେ ଏବେ ଏହାର ବିରୋଧ କରୁଛନ୍ତି। ଯେଉଁ ପ˚ଜାବରେ ବିଭିନ୍ନ ରାଜନୈତିକ ଦଳ ଏହି ବିଧେୟକକୁ ବିରୋଧ କରୁଛନ୍ତି, ସେହି ପ˚ଜାବରେ ଚୁକ୍ତିଭିତ୍ତିକ ଚାଷ ଆଇନ ସିଦ୍ଧ। ବିଜେପିର ଅନ୍ୟତମ ସହଯୋଗୀ ଅକାଳୀ ଦଳ ଏବେ ଏହି କୃଷି ବିଧେୟକକୁ ବିରୋଧ କରୁଛି। ପ˚ଜାବ ଓ ହରିୟାଣାରେ କୃଷିର ଯେଉଁ ବଜାର ଅଛି, ତାହା ପୂରା ମଣ୍ତି ନିୟନ୍ତ୍ରିତ ବଜାର। ଏହି ମଣ୍ତି ଖାଲି ଫସଲ ଦର ନିୟନ୍ତ୍ରଣ କରେନି ବରଂ ରାଜ୍ୟର ରାଜନୀତିକୁ ବି ନିୟନ୍ତ୍ରଣ କରେ। ସେଥିପାଇଁ ଅଧିକ ବିରୋଧ ଏହି ଦୁଇ ରାଜ୍ୟରେ ହେଉଛି। ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦିରେ କିପରି କୃଷକ ପାଖରେ ବଜାର ପହଞ୍ଚିବ, ମଣ୍ତି ବ୍ୟବସ୍ଥାରୁ ବାହାରି ସେ ରାଜ୍ୟଗୁଡ଼ିକର କୃଷିଜାତ ଦ୍ରବ୍ୟ ବିଶ୍ବ ବଜାରରେ ପହଞ୍ଚିବ; ସେମାନେ ତାହାର ବ୍ୟବସ୍ଥା କଲେଣି। ଏହାର ଲାଭ ବି ସେମାନେ ପାଇଲେଣି।

ବିରୋଧୀ ଦଳମାନଙ୍କର ଯୁକ୍ତି ହେଉଛି ଯେ ମୋଦୀ ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାକୁ ବନ୍ଦ କରିଦେବେ। ହେଲେ ବାସ୍ତବରେ ବିଗତ ୫ ବର୍ଷ ଭିତରେ ବିଭିନ୍ନ ଫସଲରେ ଯେତିକି ସର୍ବନିମ୍ନ ସହାୟକ ମୂଲ୍ୟର ବୃଦ୍ଧି କରାଯାଇଛି, ତାହା ୟୁପିଏର ୧୦ ବର୍ଷରେ ହୋଇନଥିଲା। ଉଦାହରଣ ସ୍ବରୂପ, ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୧୩-୧୪ରେ କ୍ବି˚ଟାଲ ପିଛା ୧୪୦୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୧୯୭୫ ଟଙ୍କାରେ ପହଞ୍ଚିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୧୩-୧୪ରେ କ୍ବି˚ଟାଲ ପିଛା ୧୩୧୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୧୮୬୮ ଟଙ୍କାରେ ପହଞ୍ଚିଛି। ସମସ୍ତ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବିଗତ ୫ ବର୍ଷରେ ସର୍ବାଧିକ ବଢ଼ିଛି। ବିରୋଧୀଙ୍କ ଆଉ ଏକ ଯୁକ୍ତି ହେଲା ଯେ ସରକାର ଫସଲ କିଣାବିକାରେ ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବେ ଓ ସରକାର ଯେଉଁ ଫସଲ କିଣୁଥିଲେ, ତାହା ଆଉ କିଣିବେ ନାହିଁ। ତାହା ବି ମିଥ୍ୟା। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁଭଳି ଭାବରେ ସରକାର ଫସଲ କିଣୁ ଥିଲେ, ସେମିତି ଫସଲ କିଣିବେ। ଆମେ ଯଦି ତଥ୍ୟକୁ ଦେଖିବା ତେବେ ପାଇବା ଯେ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ୨୦୧୩-୧୪ରେ ୨୫୧ ଲକ୍ଷ ମେଟ୍ରିକ ଟନ୍‌ ଗହମ କିଣିଥିବା ବେଳେ ଏବେ ୨୦୧୯-୨୦ରେ ବିଜେପି ସରକାର ସମୟରେ କେନ୍ଦ୍ର ସରକାର ୩୪୧ ଲକ୍ଷ ମେଟ୍ରିକ ଟନ୍‌ ଗହମ କିଣିଛନ୍ତି। ସେହିପରି ୨୦୧୩-୧୪ରେ କେନ୍ଦ୍ର ସରକାର ୩୫୬ ଲକ୍ଷ ମେଟ୍ରିକ ଟନ୍‌ ଓଜନର ଧାନ କିଣିଥିବା ବେଳେ ୨୦୧୯-୨୦ରେ କେନ୍ଦ୍ର ସରକାର ୭୬୨ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣିଛନ୍ତି। ବିରୋଧୀମାନଙ୍କର ଆଉ ଏକ ଯୁକ୍ତି ହେଉଛି ଯେ ଚୁକ୍ତିଭିତ୍ତିକ ଚାଷ ନିୟମ ହେଲେ ଚାଷୀ ତାର ଜମି ହରାଇବ। କିନ୍ତୁ ବାସ୍ତବରେ ଯେଉଁ ଆଇନ ଆସିଛି, ସେଥିରେ ଫସଲ ପାଇଁ ଚୁକ୍ତି ହେବ, ଜମି ପାଇଁ ନୁହେଁ। ଜମିର ମାଲିକାନାକୁ ନେଇ କୌଣସି ଚୁକ୍ତି ଚାଷୀ ସହିତ ହେବ ନାହିଁ।

ଆମ ଦେଶରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଭିତରେ ଯେଉଁ ସମାନତାଟି ଦେଖିବାକୁ ମିଳିଥାଏ, ତାହା ହେଲା ବିରୋଧୀ ଦଳରେ ଅଛୁ ମାନେ ଯାହା ବି ପ୍ରସଙ୍ଗ ହେଉ ତାକୁ ଆମେ ବିରୋଧ କରିବା। ଏଭଳି ଆଭିମୁଖ୍ୟ ନ ରହୁ। ବରଂ ସେମାନେ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦିଅନ୍ତୁ। ଚାଷୀ ନିର୍ଦ୍ଧାରଣ କରୁ ସେ କି ଚାଷ କରିବ, କାହା ସହିତ ଚୁକ୍ତି କରିବ, କେତେ ଦରରେ ଫସଲ ବିକିବ, କାହାକୁ ବିକିବ ଇତ୍ୟାଦି। ଏପରି ଆହୁରି ଆଇନ ଆସୁ ଯେପରି ଚାଷୀ ବଳଶାଳୀ ହେବ। ଗଲା ୭୦ ବର୍ଷରେ ଚାଷୀ ଯେତିକି ଦୁଃଖ ସହିଛି, ଏହା ହୁଏତ ଆଉ କେହି ସହି ନାହାନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ବିରୋଧୀ ଦଳର ନେତା, ଓଡ଼ିଶା ବିଧାନସଭା

ସମ୍ବନ୍ଧିତ ଖବର