ଆମେ ଯେତେବେଳେ ପାଣିପାଗ କଥା କହୁ, ଆମ ମନରେ ବାୟୁମଣ୍ତଳର ଅବସ୍ଥା କଥା ଆସିଥାଏ। କାରଣ ଆମେ ଦେଖୁ ଯେ ମେଘ, ବର୍ଷା, ବିଜୁଳି, ବରଫପାତ, ପବନର ଦିଗ ଓ ଗତି ଇତ୍ୟାଦି ବାୟୁମଣ୍ତଳରେ ହିଁ ସୃଷ୍ଟି ହୋଇଥାଏ। କିନ୍ତୁ ବାୟୁମଣ୍ତଳକୁ ଅଦୃଶ୍ୟ ଭାବେ ପ୍ରଭାବିତ କରିଥାଏ ଜୈବମଣ୍ତଳ, ସ୍ଥଳଭାଗ, ବରଫାକୃତ ମଣ୍ତଳ ଓ ସମୁଦ୍ର ବା ମହାସାଗର। ଏସବୁ ମଧୢରୁ ବାୟୁମଣ୍ତଳ ଓ ସମୁଦ୍ରର ସ˚ପର୍କ ଖୁବ୍ ନିବିଡ଼। ଏହି ଦୁହିଁଙ୍କ ମଧୢରେ ଅହରହ ଚାଲିଥାଏ ଉତ୍ତାପ ଓ ଗ୍ୟାସ୍ର ବିନିମୟ। ଫଳତଃ ଆମ ପାଣିପାଗ ଓ ଜଳବାୟୁ ହେଉଛି ସମୁଦ୍ର କୈନ୍ଦ୍ରିକ। ଜଳବାୟୁ ପରିବର୍ତ୍ତନରେ ମଧୢ ସମୁଦ୍ରର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଗତ କାଲି ପାଳିତ ହୋଇଥିବା ବିଶ୍ବ ପାଣିପାଗ ଦିବସର ବିଷୟବସ୍ତୁ ହେଉଛି ‘ମହାସାଗର, ଆମ ପାଣିପାଗ ଓ ଜଳବାୟୁ’। ସୁତରାଂ, ଏ ସମ୍ବନ୍ଧରେ ଏକ ଆଲୋଚନା କରାଯିବା ଆବଶ୍ୟକ।
ତାପମାତ୍ରା ହେଉଛି ପାଣିପାଗର ମୁଖ୍ୟ ଚାଳକ। ତାପମାତ୍ରା ହିଁ ବାୟୁର ଚାପ ଓ ଆର୍ଦ୍ରତାକୁ ପ୍ରଭାବିତ କରିଥାଏ। ସମୁଦ୍ରର ତାପମାତ୍ରା ଏବ˚ ଏହାର ଉପରିସ୍ଥ ବାୟୁରେ ଚାପ ଓ ଆର୍ଦ୍ରତାରେ ପରିବର୍ତ୍ତନ ଆମ ସ୍ଥଳଭାଗର ବାୟୁମଣ୍ତଳରେ ପ୍ରତିଫଳିତ ହୋଇଥାଏ। ପୃଥିବୀର ୭୦% ଭାଗ ହେଉଛି ଜଳଭାଗ, ଯାହାକୁ ଆମେ ପାଞ୍ଚଟି ମହାସାଗର ହିସାବରେ ନାମିତ କରିଛୁ। ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ସୂର୍ଯ୍ୟଙ୍କର ରଶ୍ମି ଶୋଷିତ ହେବା ଯୋଗୁଁ ଏହା ଉତ୍ତପ୍ତ ହୋଇଥାଏ। ଅନ୍ୟ ବସ୍ତୁ ତୁଳନାରେ ପାଣିର ଅସାଧାରଣ ଉତ୍ତାପ ଧାରଣ କରିବାର ଶକ୍ତି ରହିଥାଏ। ସମୁଦ୍ରର ଗଭୀର ଗର୍ଭରେ ଶୋଷିତ ହେଉଥିବା ଉତ୍ତାପ ବାୟୁମଣ୍ତଳର ଉତ୍ତାପ ଧାରଣ ଶକ୍ତିଠାରୁ ଅନେକ ଗୁଣରେ ଅଧିକ। ଅନୁଧୢାନରୁ ଜଣାପଡ଼ିଛି ଯେ ସବୁଜ ଗୃହ ଗ୍ୟାସ ହେତୁ ବାୟୁମଣ୍ତଳରେ ଯେତେ ଅଧିକ ଉତ୍ତାପ ସୃଷ୍ଟି ହେଉଛି, ତା’ର ମାତ୍ର ୨.୩% ବାୟୁର ତାପମାତ୍ରା ବୃଦ୍ଧି କରୁଛି ଏବ˚ ୯୦% ଉତ୍ତାପ ସମୁଦ୍ର ଶୋଷଣ କରିଥାଏ। ଫଳରେ ସମୁଦ୍ରର ତାପମାତ୍ରା ଅତ୍ୟନ୍ତ ଦ୍ରୁତ ଗତିରେ ବଢୁଛି ଯାହା ବିଗତ ୨୦୦୦ ବର୍ଷ ମଧୢରେ କେବେ ଦେଖା ଯାଇନଥିଲା। ୧୯୫୮ରୁ ୧୯୮୫ ଅପେକ୍ଷା ୧୯୮୬ରୁ ୨୦୨୦ ମଧୢରେ ସମୁଦ୍ର ଜଳ ଆଠ ଗୁଣ ଅଧିକ ଉତ୍ତପ୍ତ ହୋଇଛି। ବିଶ୍ବ ପାଣିପାଗ ସ˚ସ୍ଥାର ପ୍ରକାଶନ କହୁଛି ୨୦୨୦ ହେଉଛି ସବୁଠାରୁ ଉତ୍ତପ୍ତ ସମୁଦ୍ରର ବର୍ଷ। ଆହୁରି ମଧୢ ଜଣାପଡ଼ିଛି ଯେ ସମୁଦ୍ରର ଉତ୍ତପ୍ତୀକରଣ ଜଳ ପତ୍ତନ ସ୍ତରରେ ସୀମିତ ନ ରହି ୨୦୦୦ ମିଟର ଗଭୀର ପର୍ଯ୍ୟନ୍ତ ବ୍ୟାପି ଯାଇଛି। ଉତ୍ତର ଭାରତ ମହାସାଗରସ୍ଥିତ ଉଭୟ ବଙ୍ଗୋପସାଗର ଓ ଆରବ ସାଗର ବିଶ୍ବର ପାଞ୍ଚଟି ‘ହଟ୍ ସ୍ପଟ୍’ ମଧୢରୁ ଅନ୍ୟତମ। ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗର ମଧୢରେ ଇଣ୍ତୋନେସିଆ ଦେଇ ଏକ ଗଭୀର ଜଳ ସୁଡ଼ଙ୍ଗ (Corridor) ସୃଷ୍ଟି ହୋଇଛି। ଏହି ବାଟ ଦେଇ ଉତ୍ତପ୍ତ ପ୍ରଶାନ୍ତ ମହାସାଗରରୁ ବିପୁଳ ପରିମାଣରେ ଉତ୍ତାପ ବଙ୍ଗୋପସାଗରକୁ ପ୍ରବାହିତ ହେଉଛି। ଫଳରେ ବଙ୍ଗୋପସାଗରର ତାପମାତ୍ରା ଅହେତୁକ ଭାବେ ବଢ଼ିଯାଇଛି ଏବ˚ ଏହା ଭବିଷ୍ୟତରେ ଏକ ଭୟାନକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ସାମୁଦ୍ରିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମାନ୍ନାର ଉପସାଗରରେ ଥିବା ପ୍ରବାଳ ପ୍ରାଚୀର (Coral Reef) ଲୋପ ପାଇବାକୁ ଯାଉଛି।
ବିଶ୍ବ ଉତ୍ତପ୍ତୀକରଣ ହେତୁ ଉଭୟ ଆର୍କଟିକ୍ ସାଗର ଓ ଆଣ୍ଟାର୍କଟିକାର ବରଫ ଦୃତ ଗତିରେ ତରଳିବାରେ ଲାଗିଛି। ଶୀତପ୍ରଧାନ ସାଇବେରିଆର ତାପମାତ୍ରା ସ୍ବାଭାବିକ ଠାରୁ ୫ ଡିଗ୍ରୀ ସେଲ୍ସିଅସ୍ ବଢ଼ିଛି। ପୃଥିବୀର ସବୁଠାରୁ ଥଣ୍ତା ଅଞ୍ଚଳ ଭର୍ଖୋୟାନାକ୍ସରେ ୨୦୨୦ ଜୁନରେ ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିଅସ୍ ଛୁଇଁଥିଲା। ୧୯୮୦ ଠାରୁ ଆର୍କ୍ଟିକ୍ ସାଗରର ଉଷ୍ମତା ବଢ଼ିବାରେ ଲାଗିଛି। ଆଣ୍ଟାର୍କଟିକାର କଥା ମଧୢ ସମାନ। ସେଠି ଏକମାତ୍ର ଭୂଖଣ୍ତ ରହିଛି ଯାହାର ନାମ ହେଉଛି ଆଣ୍ଟାର୍କଟିକା ଉପଦ୍ବୀପ (Peninsula)। ଗବେଷଣାରୁ ଜଣାପଡ଼ିଛି ଏଠି ବରଫ ତରଳିବାର କାରଣ ହେଉଛି ଯେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ମଧୢରେ ରହିଥିବା ତାସ୍ମାନ୍ ସାଗରର ଉଷ୍ମତାରେ ଅତ୍ୟଧିକ ବୃଦ୍ଧି। ଏଥିରୁ ପ୍ରମାଣ ମିଳୁଛି ଯେ ସମୁଦ୍ରର ଉଷ୍ମତା ବୃଦ୍ଧିର ପ୍ରଭାବ କେତେ ସୁଦୂରପ୍ରସାରୀ ଓ ଭୟାନକ ହୋଇପାରେ।
ମୌସୁମୀ ବର୍ଷାର ଚାଳକ ହେଉଛି ସମୁୁଦ୍ର। ଗ୍ରୀଷ୍ମମଣ୍ତଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପତ୍ତନର ତାପମାତ୍ରା ଓ ଏହାର ଉପରିସ୍ଥ ବାୟୁର ଚାପରେ ପ୍ରତି ୩ରୁ ୭ ବର୍ଷ ମଧୢରେ ପରିବର୍ତ୍ତନ ହୋଇଥାଏ। ସେହି ଅଞ୍ଚଳରେ ଜଳ ପତ୍ତନର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ହେଲେ, ଏହାକୁ ଏଲ୍-ନିନୋ କୁହାଯାଏ। ଏଲ୍-ନିନୋ ବର୍ଷ ମାନଙ୍କରେ ମୌସୁମୀ ବର୍ଷା କମ୍ ହେବା ସହ ମରୁଡ଼ିର ଆଶଙ୍କା ରହିଥାଏ। ଲା-ନିନା ହେଉଛି ଏଲ୍-ନିନୋର ବିପରୀତ। ଯେଉଁ ବର୍ଷରେ ଲା-ନିନା ହୋଇଥାଏ, ସେହି ବର୍ଷର ମୌସୁମୀ ବର୍ଷା ଅଧିକ ହେବା ସମ୍ଭାବନା ଥାଏ। ଦ୍ବିତୀୟ ଉଦାହରଣ ହେଲା ମୌସୁମୀ ବର୍ଷାରେ ‘ଇଣ୍ଡିଆନ ଓସେନ୍ ଡାଇପୋଲ’ ବା ‘ଆଇ.ଓ.ଡି.’ର ପ୍ରଭାବରୁ ଭାରତ ମହାସାଗରରେ ତାପମାତ୍ରାରେ ପରିବର୍ତ୍ତନ ହେଲେ ମୌସୁମୀ ବାୟୁର ସକ୍ରିୟତାରେ ପରିବର୍ତ୍ତନ ହେଉଛି। ଆହୁରି ମଧୢ ଜଣାପଡ଼ିଛି ଯେ ସୁଦୂର ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ତାପମାତ୍ରା ଓ ଚାପରେ ଅଲକ୍ଷଣ ଦେଖାଗଲେ ମୌସୁମୀ ସମୟରେ ଶେଷ ଭାଗରେ ମରୁଡ଼ି ହେବାର ସମ୍ଭାବନା ଥାଏ।
ସମୁଦ୍ରର ଉଷ୍ମତା ବଢ଼ିବା ଯୋଗୁଁ ଝଡ଼, ବାତ୍ୟା, ଉଚ୍ଚା ଢେଉର ଆଶଙ୍କା ବଢ଼ି ଯାଇଛି। ଗବେଷଣାରୁ ଜଣାପଡ଼ିଛି ସମୁଦ୍ରରେ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି। ସମୁଦ୍ରରେ ଅଧିକ ସମୟ ରହିବା ଯୋଗୁଁ ଏହା ଅଧିକ ଶକ୍ତିଶାଳୀ ହେଉଛି। ଫଳତଃ ସ୍ଥଳଭାଗରେ ପହଞ୍ଚିବା ପରେ ଧନ ଜୀବନର କ୍ଷୟକ୍ଷତି ଅଧିକରୁ ଅଧିକ ହେଉଛି। ‘ହୁ ସ୍ପଟ୍’ (Who Spot) କହୁଛି ଯେ ୨୦୨୦ରେ ଆଟଲାଣ୍ଟିକ୍ ମହାସାଗରରେ ୩୦ଟି ବାତ୍ୟା ସୃଷ୍ଟି ହୋଇଥିଲା ଏବ˚ ସେଥିମଧୢରୁ କେତୋଟି ଭୟାନକ ଚତୁର୍ଥ ପର୍ଯ୍ୟାୟ ବା ‘Category 4’ର ରୂପ ନେଇଥିଲା। ଉତ୍ତର ଭାରତ ମହାସାଗରରେ ଅମ୍ଫାନ, ନିସର୍ଗ ଓ ନିଭାର ଭଳି ବାତ୍ୟା ସୃଷ୍ଟି ହୋଇଥିଲା। ଅମ୍ଫାନ ଏତେ ପ୍ରଳୟଙ୍କରୀ ଥିଲା ଯେ ଏହାଦ୍ବାରା ପ୍ରାୟ ୧୪ ବିଲିଅନ ଆମେରିକୀୟ ଡଲାର (ଏକ ଲକ୍ଷ କୋଟି ଟଙ୍କା) ମୂଲ୍ୟର କ୍ଷତି ହୋଇଥିଲା, ଯାହାକି ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ କ୍ଷତିର ଏକ ରେକର୍ଡ ଥିଲା।
ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଉପକୂଳ ଅଞ୍ଚଳ ଅଧିକ ବିପଦ ଆଡ଼କୁ ମୁହାଁଉଛି। ବାତ୍ୟା ସହିତ ବର୍ଷାର ପରିମାଣ ବଢ଼ିବା ଯୋଗୁଁ ବନ୍ୟାର ଆଶଙ୍କା ବଢ଼ି ଯାଇଛି। ୧୯୯୩ ଠାରୁ ୨୦୨୦ ମଧୢରେ ସମୁଦ୍ର ଜଳପତ୍ତନ ୯୦ ମିଲିମିଟରରୁ ଅଧିକ ବଢ଼ିଛି। ଏହା ସହିତ ଢେଉର ଉଚ୍ଚତା ମଧୢ ବୃଦ୍ଧି ପାଇବାରେ ଲାଗିଛି; ଏପରିକି ୧୯ ମିଟର ଉଚ୍ଚତାର ଢେଉ ଆସୁଥିବା ପରିଲକ୍ଷିତ ହୋଇଛି। ଝଡ଼ ସହିତ ସମୁଦ୍ର ପତ୍ତନ ଓ ଢେଉର ଉଚ୍ଚତାରେ ବୃଦ୍ଧି ଯୋଗୁଁ ଉପକୂଳ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ବଢ଼ିଯାଇଛି। ଉପକୂଳ ଅଞ୍ଚଳର ତଟବାଲିର କ୍ଷୟ, ଝାଉଁ ଓ ହେନ୍ତାଳ ବନ(ପ୍ରାକୃତିକ ଭାବରେ ବାତ୍ୟାକୁ ଅବରୋଧ କରିଥାଏ)ର ଅବକ୍ଷୟ ସହିତ ପ୍ରବଳ ପ୍ରାଚୀରର ବିଲୁପ୍ତି ହେତୁ ବିପଦ ବହୁଗୁଣିତ ହୋଇଯାଇଛି। କହିବା ବାହୁଲ୍ୟ ଯେ ବିଶ୍ବର ସବୁଠାରୁ ଜନବହୁଳ ଅଞ୍ଚଳ, ପ୍ରମୁଖ ସହର, ବାଣିଜ୍ୟ ପେଣ୍ଠି, ଶିଳ୍ପୋଦ୍ୟୋଗ ଆଦି ଉପକୂଳରେ ବିଦ୍ୟମାନ। ସେମିତି ଉପକୂଳ ଅଞ୍ଚଳଗୁଡ଼ିକ କୃଷିେର ଉନ୍ନତ। ତେଣୁ ସେସବୁ ଉପରେ ବାତ୍ୟା ଓ ବନ୍ୟା ବା ସମୁଦ୍ରର ଉଚ୍ଚ ଜୁଆର ଭଳି ପ୍ରାକୃତିକ ବିପଦ ପ୍ରକୃତେର ଉଦ୍ବେଗଜନକ।
ପାଣିପାଗ ଓ ଜଳବାୟୁ ଉପରେ ସମୁଦ୍ରର ପ୍ରଭାବ ଜାଣିବା ପରେ ଆମର ପାଣିପାଗ ପୂର୍ବାନୁମାନର ଜ୍ଞାନ କୌଶଳରେ ପରିବର୍ତ୍ତନ ଆସିଛି। ବାୟୁମଣ୍ତଳର ତଥ୍ୟ ସହ ସମୁଦ୍ରର ତଥ୍ୟ ମିଶାଇ ପାଣିପାଗ ପୂର୍ବାନୁମାନ କରାଯାଉଛି ଏହାକୁ ‘କପଲ୍ଡ ମଡେଲିଂ’ (Coupled Modeling) ବୋଲି କୁହାଯାଏ। ଫଳରେ ଆଜି ଆମେ ବାତ୍ୟାର ଗତିପଥ ବାବଦରେ ଅଧିକ ଠିକ୍ ଭାବେ ପୂର୍ବାନୁମାନ କରିପାରୁଛୁ। ୨୦୦୦ରେ ପୂର୍ବାନୁମାନ ୪ ଦିନ ଆଗରୁ କରାଯାଇପାରୁଥିଲା, ଆଜି ତାହା ୬ ଦିନ ଆଗରୁ ଓ ଅଧିକ ତ୍ରୁଟିଶୂନ୍ୟ ଭାବେ କରାଯାଇପାରୁଛି। ଫଳରେ ପାଣିପାଗ ପୂର୍ବାନୁମାନ ଏବେ ଜନସାଧାରଣଙ୍କ ବିଶ୍ବାସଭାଜନ ହୋଇ ପାରିଛି।
ସୁଖର କଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଆମେରିକାର ନୂତନ ରାଷ୍ଟ୍ରପତି ପ୍ୟାରିସ ଚୁକ୍ତିନାମାକୁ ଫେରିଛନ୍ତି। ଭାରତ ତା’ର ଅନୁବନ୍ଧକୁ ଦୋହରାଇଛି। ୨୦୬୦ ସୁଦ୍ଧା ‘ଜିରୋ ନେଟ୍ କାର୍ବନ୍’ (Zero Net Carbon)ର ସର୍ତ୍ତ ପୂରଣ କରିବାକୁ ଚୀନ ଘୋଷଣା କରିଛି। ତେବେ ପର୍ଯ୍ୟାବରଣର ସୁରକ୍ଷା ଉପକୂଳର ବିକାଶ ସହିତ ଯୋଡ଼ି ହେଲେ, ସମୁଦ୍ର କୈନ୍ଦ୍ରିକ ଜଳବାୟୁର ମନ୍ଦ ପ୍ରଭାବ କମିପାରିବ ଓ ଭବିଷ୍ୟତ ପିଢ଼ି ଲାଗି ଆମେ ଦାୟିତ୍ବବାନ ନାଗରିକର ପରିଚୟ ପ୍ରଦାନ କରିପାରିବା।
[email protected]