ଯୋଗେନ୍ଦ୍ର ଯାଦବ
ମୋଦୀଙ୍କ ଶାସନରେ ଏହା ଚାଷୀଙ୍କ ଦୁର୍ଭାଗ୍ୟ ପାଲଟିଛି। ଗୋଟିଏ ସମସ୍ୟା ଦୂର ହେବା ମାତ୍ରେ ଆଉ ଗୋଟେ ସମସ୍ୟା ପହଞ୍ଚିଯାଉଛି। ଐତିହାସିକ କୃଷକ ଆନ୍ଦୋଳନ ଦ୍ବାରା ତିନିଟିଯାକ ଚାଷୀ ବିରୋଧୀ ଆଇନ ପରାସ୍ତ ହୋଇଥିଲା। ଏବେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ହାସଲ କରିବା ନିମନ୍ତେ ଏକ ଲମ୍ବା ସଂଘର୍ଷ ପାଇଁ ଏକଜୁଟ ହୋଇଛନ୍ତି। କିନ୍ତୁ, ସେପଟେ ସରକାର ସେହି ଆଇନଗୁଡ଼ିକୁ ପଛ ଦ୍ବାର ଦେଇ ଆଣିବା ଲାଗି ଜାତୀୟ କୃଷି ବିପଣନ ଢାଞ୍ଚାରେ ଖସଡ଼ା ପ୍ରସ୍ତୁତ କରିଥିଲେ। କୃଷକ ସଂଗଠନଗୁଡ଼ିକର ପ୍ରବଳ ବିରୋଧ ଯୋଗୁଁ ସେ ଉଦ୍ୟମକୁ ସ୍ଥଗିତ ରଖାଯାଇଛି। ଏହି ଅବସରରେ ଏକ ନୂତନ ସମସ୍ୟା ଦେଖାଦେଇଛି। ଏବେ ଭାରତ ସରକାର ଆମେରିକା ସହିତ ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ଭାରତୀୟ କୃଷକମାନଙ୍କ ଉପରେ ପଡ଼ିବ। ଯଦି ଆଗାମୀ କିଛି ମାସ ଭିତରେ ଦେଶର ଚାଷୀମାନେ ଏକାଠି ହୋଇ ପ୍ରତିବାଦ ନ କରନ୍ତି, ତେବେ ଚାଷୀଙ୍କ ଭବିଷ୍ୟତ୍ ପୁଣି ଥରେ ବିପଦରେ ପଡ଼ିପାରେ।
ବ୍ରାଣ୍ଡନ୍ ଲିଞ୍ଚଙ୍କ ନେତୃତ୍ବରେ ଆମେରିକା ବାଣିଜ୍ୟ ବିଭାଗର ଏକ ପ୍ରତିନିଧିମଣ୍ଡଳ ମାର୍ଚ୍ଚ ୨୫ରୁ ୨୯ ଯାଏ ଭାରତ ଗସ୍ତରେ ଆସିଥିଲେ। ଆମେରିକା ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତିର ଏକ ରୂପରେଖ ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ ଥିଲା। ଭାରତ ଆସିବା ପରେ ଲିଞ୍ଚ ମଧ୍ୟ ନିଜ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅନୁରୂପ ଧମକ ଦେଇଥିଲେ। ଭାରତ ସରକାର ଉଁ କି ଚୁଁ କିଛି କହିଲେ ନାହିଁ। ଚାରି ଦିନ ଧରି ଚାଲିଥିବା ଆଲୋଚନାକୁ ଗୁପ୍ତ ରଖାଯାଇଥିଲା। ଶେଷରେ ଏକ ମଧୁର ବିବୃତ୍ତି ଜାରି କରାଗଲା। ମାତ୍ର ଆନ୍ତର୍ଜାତିକ ବାଣିଜ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତ ସରକାର ଆମେରିକା ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି। ରୁଷିଆରୁ ଶସ୍ତା ଅଶୋଧିତ ତୈଳ କିଣିବା ବଦଳରେ ଆମେରିକାରୁ ତାହା କିଣିବା ପାଇଁ ଆମେରିକା ଭାରତର ହାତକୁ ମୋଡ଼ି ଦେଇଛି। ଭାରତ ସରକାର ଆମେରିକାର ପ୍ରାକୃତିକ ବାଷ୍ପ କିଣିବା ପାଇଁ ରାଜି ହୋଇ ସାରିଛନ୍ତି। ଭାରତର ବାଣିଜ୍ୟ ମନ୍ତ୍ରୀ ଭାରତର ଶିଳ୍ପପତିମାନଙ୍କୁ ଚୀନ୍ ବଦଳରେ ଆମେରିକାରୁ ଆବଶ୍ୟକ ସାମଗ୍ରୀ କିଣିବାକୁ ନିବେଦନ କରୁଛନ୍ତି। ଦିନରାତି ଜାତୀୟତାବାଦର ପ୍ରଚାର କରୁଥିବା ମୋଦୀ ସରକାର ଆମେରିକୀୟ ସାମ୍ରାଜ୍ୟବାଦ ଆଗରେ ଆତ୍ମସମର୍ପଣ ମୁଦ୍ରାରେ ଦଣ୍ଡାୟମାନ ହୋଇଛି।
ଏହି ଆମେରିକୀୟ ପ୍ରତିନିଧି ମଣ୍ଡଳର ହଠାତ୍ ଭାରତ ଆଗମନ ପଛର କାହାଣୀ ଆଉ ଲୁଚି ରହିନାହିଁ। ଆମେରିକା ରାଷ୍ଟ୍ରପତି ସାରା ବିଶ୍ବରେ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି। ଏପ୍ରିଲ ୨ ତାରିଖରୁ ଆମେରିକା ବିଶ୍ବର ପ୍ରତ୍ୟେକ ଦେଶ ଉପରେ ପ୍ରତିଶୋଧମୂଳକ ପାଲଟା ଶୁଲ୍କ ଲାଗୁ କରିବାର ଘୋଷଣା କରି ସାରିଛି। ଏହାର ଅର୍ଥ ହେଉଛି, ଯେଉଁ ଦେଶ ଆମେରିକାର ଆମଦାନି ଉପରେ ଯେଉଁ ପରିମାଣର ଶୁଳ୍କ ଲାଗୁ କରିବ, ଆମେରିକା ମଧ୍ୟ ତାହା ଉପରେ ଅନୁରୂପ ହାରରେ ଶୁଳ୍କ ବସାଇବ। କେବଳ ସେତିକି ନୁହେଁ, ଯେଉଁ ଦେଶ ଆମେରିକାର ବିଦେଶ ନୀତି ସହ ସହମତ ହେବନାହିଁ, ତାହା ଉପରେ ସ୍ବତନ୍ତ୍ର ଟିକସ ଲଗାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଟ୍ରମ୍ପ ତାଙ୍କୁ ବିଶେଷ ଭାବରେ କହିଥିଲେ ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ବହୁତ ଉଚ୍ଚ ଶୁଳ୍କ ଲାଗୁ କରେ ଏବଂ ଆମେରିକା ସେଥିରେ ସୁଧାର ଆଣିବାକୁ ଚାହେଁ। ପ୍ରଧାନମନ୍ତ୍ରୀ ସେଥି ପାଇଁ କିଛି ସମୟ ମାଗିଥିଲେ। ପରେ ସେ କହିଥିଲେ ଯେ ଆମେ କିଛି ମାସ ଭିତରେ ଆମେରିକା ସହିତ ଏକ ବ୍ୟାପକ ଚୁକ୍ତି କରିବୁ। ତଥାପି ଆମେରିକା ତାହାର ପ୍ରତିଶୋଧମୂଳକ ଟିକସ କାର୍ଯ୍ୟାନୁଷ୍ଠାନରେ ଭାରତକୁ ଛାଡ଼ି ନାହିଁ। ଏଥି ସହିତ ଟ୍ରମ୍ପ ଏହି ପ୍ରତିନିଧିମଣ୍ଡଳ ପଠାଇ ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି।
ପ୍ରଶ୍ନ ହେଉଛି, ବ୍ରାଣ୍ଡନ୍ ଲିଞ୍ଚଙ୍କ ନେତୃତ୍ବାଧୀନ ଏହି ପ୍ରତିନିଧିମଣ୍ଡଳର ଚାପ ଯୋଗୁଁ କ’ଣ ଭାରତୀୟ କୃଷକଙ୍କ ସ୍ବାର୍ଥକୁ ହତ୍ୟା କରାଯିବ? କୃଷି ବିଶେଷଜ୍ଞ ତଥା ‘ଗ୍ରାମୀଣ ଭଏସ୍’ର ସମ୍ପାଦକ ହରବୀର ସିଂହ ଏପରି ଆଶଙ୍କା ପ୍ରକଟ କରିଛନ୍ତି। ସେ ମନେ ପକାଇ ଦେଇଛନ୍ତି କି ଆମ ସରକାରମାନେ ସବୁ ବେଳେ କୃଷି କ୍ଷେତ୍ରକୁ ଆନ୍ତର୍ଜାତିକ ବାଣିଜ୍ୟ ଚୁକ୍ତିନାମାରୁ ବାହାରେ ରଖିଛନ୍ତି। ସୁତରାଂ, ଏହି ଆଲୋଚନାରେ କୃଷି ଉତ୍ପାଦକୁ ସାମିଲ କରାଗଲେ ଭାରତୀୟ କୃଷକମାନେ କ୍ଷତିଗ୍ରସ୍ତ ହୋଇପାରନ୍ତି ବୋଲି ସେ ମଧ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।
ଅବଶ୍ୟ, ଏଭଳି ଆଶଙ୍କା ଭିତ୍ତିହୀନ ନୁହେଁ। କାରଣ ଗତ କିଛି ବର୍ଷ ଧରି ଭାରତର କୃଷି ବଜାର ଉପରେ ଆମେରିକା ନଜର ରଖିଛି। କୃଷି ବିଶେଷଜ୍ଞ ହରୀଶ ଦାମୋଦରନ୍ ଆମେରିକାର କୃଷି ବାଣିଜ୍ୟର ବିଶ୍ଳେଷଣ କରି କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଚୀନ୍ ପକ୍ଷରୁ ଆମେରିକୀୟ କୃଷି ଉତ୍ପାଦ କ୍ରୟ ପରିମାଣରେ ହ୍ରାସ ଘଟିଛି ଏବଂ ଏବେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରି ଦେଶରୁ ଚୀନ କୃଷି ଉତ୍ପାଦ କ୍ରୟ କରିବା ଆରମ୍ଭ କରିଛି। ସେଥି ପାଇଁ ଆମେରିକା ନୂତନ ବଜାର ଖୋଜୁଛି ଏବଂ ତା’ ନଜର ଭାରତ ଉପରେ ରହିଛି। ଆମେରିକାର କୃଷି ଉଦ୍ୟୋଗ ଦ୍ବାରା ଭାରତୀୟ ମାଂସ ବ୍ୟବସାୟ କ୍ଷେତ୍ରର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇ ଏହି ନିଷ୍କର୍ଷ ବାହାର କରାଯାଇଛି ଯେ ଆଗାମୀ ଦଶନ୍ଧିରେ ଭାରତରେ କୁକୁଡ଼ା ଖାଦ୍ୟ ଏବଂ ପଶୁମାନଙ୍କ ଖାଦ୍ୟ ଭାବେ ସୋୟାବିନ ଓ ମକାର ଚାହିଦା ବେଶ୍ ବୃଦ୍ଧି ପାଇବ। ଏଠାରେ ଆମେରିକୀୟ ସାମଗ୍ରୀର ବ୍ୟବହାର ପାଇଁ ଭଲ ସୁଯୋଗ ରହିଛି। ମାତ୍ର ଆମେରିକା ପାଇଁ ସମସ୍ୟା ହେଉଛି ଭାରତ ଅଧିକ ଆମଦାନି ଶୁଳ୍କ ଲାଗୁ କରୁଛି। ଏଥି ସହିତ ଆମେରିକାର ‘ଜେନେଟିକାଲି ମୋଡିଫାଏଡ୍’ (ଜି.ଏମ୍.) ଅର୍ଥାତ୍ ବିହନରେ ଜିନଗତ ପରିବର୍ତ୍ତନ ଘଟାଇ କରାଯାଉଥିବା ଫସଲର ବିପଦକୁ ବିଚାର କରି ତାହାକୁ ଭାରତରେ ନିଷେଧ କରାଯାଇଛି। ଏବେ ଟ୍ରମ୍ପଙ୍କ ଧମକ ବଳରେ ଆମେରିକୀୟ କୃଷି ଉତ୍ପାଦକମାନେ ଭାରତ ଉପରେ ସେମାନଙ୍କର ଉତ୍ପାଦ ଲଦିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ସହିତ ଦ୍ବିପାକ୍ଷିକ ଚୁକ୍ତିନାମାରେ ଏଭଳି କିଛି ଫସଲକୁ ଅନ୍ତର୍ଭୁକ୍ତ କରାଯିବାର ପ୍ରୟାସ ହେଉଛି।
ଶେଷରେ ଏହି ଫସଲଗୁଡ଼ିକର ଅବସ୍ଥା କ’ଣ ହେବ, ତାହା ସମସ୍ତେ ଜାଣନ୍ତି। ସୋୟାବିନ ଓ ମକା ବ୍ୟତୀତ ଆମେରିକାର ମୁଖ୍ୟ ଆଗ୍ରହ କପା ଉପରେ ରହିବ। ଏଥି ସହିତ ‘ଵାଶିଂଟନ୍ ସେଓ’, ‘ଆମେରିକୀ ନାସପାତି’ ଓ ‘କାଲିଫର୍ଣ୍ଣିଆ ବାଦାମ’ ପରି କିଛି ଉତ୍ପାଦ ମଧ୍ୟ ରହିବ। ସମ୍ପ୍ରତି ଆମେରିକା ଭାରତରେ ଗହମ ଓ କ୍ଷୀର ଉତ୍ପାଦ ବିକ୍ରି କରିବାର କମ୍ ସମ୍ଭାବନା ଦେଖୁଛି, କିନ୍ତୁ ଭବିଷ୍ୟତରେ ଏଗୁଡ଼ିକୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରେ। କେବଳ ଆମେରିକା ନୁହେଁ, କିଛି ଭାରତୀୟ କମ୍ପାନି ମଧ୍ୟ ଏହି ଆମଦାନିକୁ ସମର୍ଥନ କରୁଛନ୍ତି। କୁକୁଡ଼ା ଶିଳ୍ପ, ମାଂସ ରପ୍ତାନିକାରୀ ଓ କପଡ଼ା ମିଲ୍ ମାଲିକମାନେ ମଧ୍ୟ ଶସ୍ତା ମୂଲ୍ୟରେ ସାମଗ୍ରୀ ପାଇବା ଏବଂ ସେମାନଙ୍କର ଲାଭ ବୃଦ୍ଧି କରିବାକୁ ଚାହାନ୍ତି।
ଏଥିରେ କାହାର ଯଦି କ୍ଷତି ହୁଏ, ତାହା ହେଉଛି ଭାରତୀୟ ଚାଷୀଙ୍କର। ପୂର୍ବରୁ ତ ଚାଷୀ ନିଜ ଫସଲର ମୂଲ୍ୟ ପାଇବାରୁ ବଞ୍ଚିତ! ଏପରି ପରିସ୍ଥିତିରେ ଯଦି ଆମେରିକା ଭଳି ଏକ ବଡ଼ ଦେଶ ସହିତ କୃଷି ବାଣିଜ୍ୟ ଖୋଲିଯାଏ, ତେବେ ଭାରତୀୟ ଚାଷୀମାନେ ଦୁଇ ଗୁଣ ଆଘାତର ସମ୍ମୁଖୀନ ହେବେ। ଗତ କିଛି ବର୍ଷ ଭିତରେ ମକା ଉତ୍ପାଦାନ ତାହାର ପାରମ୍ପରିକ କ୍ଷେତ୍ର ବାହାରେ ବିସ୍ତାରିତ ହୋଇ ବିହାର ଓ ବଙ୍ଗଳାରେ ପହଞ୍ଚିଛି। ସେଠାକାର ଗରିବ ଚାଷୀମାନେ ଏ ବର୍ଷ ଭଲ ମୂଲ୍ୟ ପାଇଛନ୍ତି। ଚଳିତ ବର୍ଷ ସୋୟାବିନ ଉତ୍ପାଦନ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି, ଯଦିଓ ଏହାର ମୂଲ୍ୟ ହ୍ରାସ ପାଇଛି। ଗତ କିଛି ବର୍ଷ ମଧ୍ୟରେ କପା ଉତ୍ପାଦନ ହ୍ରାସ ପାଇଥିବାରୁ କିଛି ସମୟ ଧରି ଏହାର ଆମଦାନିର ଆବଶ୍ୟକତା ରହିଛି। ତେବେ ଏହି ତିନିଟି ଫସଲର ବଜାର ଆମେରିକୀୟମାନଙ୍କ ପାଇଁ ଖୋଲିବା ଦ୍ବାରା ଆମ ଚାଷୀ ତା’ର କଠିନ ପରିଶ୍ରମର ମୂଲ୍ୟ ପାଇବାର ଶେଷ ଆଶା ମଧ୍ୟ ମଉଳିଯିବ।
ତେଣୁ ଏବେ ଭାରତୀୟ ଚାଷୀଙ୍କ ଭବିଷ୍ୟତକୁ ରକ୍ଷା କରିବା ପାଇଁ କେବଳ ଆନ୍ଦୋଳନର ବିକଳ୍ପ ବାକି ଅଛି। ଆମେରିକା ସହିତ ଚୁକ୍ତିନାମାକୁ ବିରୋଧ କରି କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଥମରୁ ହିଁ ଏକ ବିବୃତ୍ତି ଜାରି କରାଯାଇସରିଛି। ଏବେ କେବଳ ବୟାନରେ ମାମଲାର ସମାଧାନ ହେବନାହିଁ। ପୁଣି ଥରେ ରାସ୍ତାକୁ ବାହାରି ଅହିଂସାତ୍ମକ ଓ ସାଂବିଧାନିକ ଉପାୟରେ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି।
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଯାତ୍ରା