ଆଇନ ସହ ଲଢ଼େଇ

ଆମ ସଂବିଧାନ, ଆମ ଧର୍ମଗ୍ରନ୍ଥ

ଭାରତର ସ୍ବାଧୀନତା ସଂଗ୍ରାମ କଥା କହିଲାବେଳେ କେହି କେହି ହାଲୁକା ଟିପ୍‌ପଣୀ କରି କହନ୍ତି ଯେ, ଆମେ ସହଜରେ ସ୍ବାଧୀନତା ପାଇଗଲୁ। ସେଥିପାଇଁ ତା’ର ଗୁରୁତ୍ବ ବୁଝିପାରୁନାହୁଁ। ରକ୍ତପାତ କରି ଲଢ଼ିଥିଲେ ସ୍ବାଧୀନତା ନିଆରା ହୋଇଥାନ୍ତା। ଆମେ ଦୃଢ଼ ହୋଇ ଉଠିଥାନ୍ତୁ। ଏ କଥା କିନ୍ତୁ ଅମୂଳକ। ଆମ ଲଢ଼େଇରେ ଯେ ରକ୍ତକ୍ଷରଣ, ବଳିଦାନ, ଦୁଃଖ, ଯନ୍ତ୍ରଣାର ନୈ‌େବଦ୍ୟ ଅର୍ପିତ ହୋଇନାହିଁ ସେ କଥା ନୁହେଁ। ମାତ୍ର ତାହା ମୂଳତଃ ଥିଲା ନ୍ୟାୟ ପାଇଁ ନିଜକୁ ଦୃଢ଼ କରି ପ୍ରତିପକ୍ଷ ସାମନାରେ ଠିଆ ‌େହବାର ଲଢ଼େଇ। ଅହିଂସାକୁ ଅସ୍ତ୍ର କରିଥିବା ସେ ଦିନର ନେତା ଜାଣିଥିଲେ ଯେ ହିଂସାରେ ବିଜୟ ଅସମ୍ଭବ। ଯାହା ପାଖରେ ଅସ୍ତ୍ର ନାହିଁ, ସାଧନ ନାହିଁ ତା’ପାଇଁ ହିଂସା ହୋଇଥାନ୍ତା ବିନାଶକୁ ନିମନ୍ତ୍ରଣ। ତା’ଛଡ଼ା ଆଜି ଯେଉଁମାନେ ରକ୍ତପାତର କଥା କହୁଛନ୍ତି, ସେମାନଙ୍କ ପରିବାର ରକ୍ତ କ’ଣ, ଦେଶ ପାଇଁ ସେତେବେଳେ ଦେହରୁ ମଳି ଟିକିଏ ସୁଦ୍ଧା ଦେଇନାହାନ୍ତି। ସେଥିପାଇଁ ଅହିଂସାର ଲଢ଼େଇଟା ସେମାନଙ୍କୁ ଅକାରଣ ଲାଗୁଛି। ଅହିଂସା ନତଜାନୁର ଭାଷା ନୁହେଁ, ଆଖିରେ ଆଖି ମିଳାଇବାର ଦୃଢ଼ତମ ଭାଷା।

ଚରମ ପନ୍ଥାରେ ମାତିବେ ନା ନରମ ପନ୍ଥାରେ ମାତିବେ? ଏଇଭଳି ଗୋଟାଏ ଦୋ’ ଦୋ’ ପାଞ୍ଚ ଦଶନ୍ଧିରେ ଭାରତର ସ୍ବାଧୀନତା ସଂଗ୍ରାମ ଦିଗହରା ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ଅହିଂସା ଅସ୍ତ୍ରର ଉପଯୋଗୀ-ଅଭିଜ୍ଞତା ଧରି ଫେରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ପ୍ରଥମେ ତାଙ୍କ ପ୍ରସ୍ତାବ ଶୁଣି ହସିଥିଲେ ସମସ୍ତେ। ସେ ଧାଡ଼ିରେ ଥିଲେ ଜିନ୍ନା, ପଟେଲ୍‌, ମୋତିଲାଲ, ଚିତ୍ତରଞ୍ଜନ ଆଦି ଅନେକ। ୧୯୧୬ର କଂଗ୍ରେସ ଅଧିବେଶନରେ ସେ ନୂଆ ନୂଆ ଆସି ମଞ୍ଚରୁ ମତ ରଖୁଥିବାବେଳେ ତଳେ ସତରଞ୍ଜ ପକେଇ ତାସ୍‌ ଖେଳୁଥିଲେ କିଛି। ମାତ୍ର ସେଇମାନେ ସମସ୍ତେ ବର୍ଷ କେଇଟାରେ ଅନୁଗତ ପାଲଟି ଗଲେ। ଗାନ୍ଧୀ ବାଟ ତା’ଙ୍କୁ ଅସଲ ବାଟ ଭଳି ଦିଶିଲା। ୧୯୧୭ର ଚମ୍ପାରନ୍‌ ପରୀକ୍ଷା ଫଳ ଆଖି ଖୋଲି ଦେଇଥିଲା ଅନେକଙ୍କର। ଅହିଂସା ଆଧାରିତ ଅସହଯୋଗ ପ୍ରସ୍ତାବକୁ ଯେଉଁ ଦେଶବନ୍ଧୁ ଚିତ୍ତରଞ୍ଜନ ଉପହାସ କରିଥିଲେ ସେଇ ଶେଷକୁ କଂଗ୍ରେସ ଅଧିବେଶନରେ ଅସହଯୋଗ ପ୍ରସ୍ତାବ ଆଣିଲେ ଓ ଅହିଂସ ଗାନ୍ଧୀ-ଆନ୍ଦୋଳନ ପାଲଟିଗଲା ଭାରତୀୟ ଆନ୍ଦୋଳନର ପ୍ରମୁଖ ଧାରା।

ଭାରତର ସାମ୍ବିଧାନିକ ଇତିହାସର ପର୍ଯ୍ୟାଲୋଚନା ବେଳେ ଏ ଅନୁଶୀଳନ କାହିଁକି? ଏଇଥିପାଇଁ ଯେ ଭାରତର ସ୍ବାଧୀନତା ପାଇଁ ଯେଉଁ ଲଢ଼େଇ ତାହା ପ୍ରକୃତରେ ଥିଲା ବ୍ରିଟିସ୍‌ ସରକାର ଥରକୁ ଥର ଭାରତ ମାଟିରେ ଲାଗୁ କରୁଥିବା ଅନ୍ୟାୟ, ଅସଙ୍ଗତ ଆଇନ ସହ ଲଢ଼େଇ। ଏଇଠି ମନେ ପକେଇବା ୧୯୦୫ ବଙ୍ଗ ଭଙ୍ଗ ଆନ୍ଦୋଳନର କଥା। ସ୍ବରାଜର କଥା ତ ସେଇଠୁ ଆରମ୍ଭ। ଲର୍ଡ କର୍ଜନଙ୍କ ବଙ୍ଗ ଭଙ୍ଗ ଆଇନକୁ ବିରୋଧ କରି ତେଜିଥିଲା ଏକ ବ୍ୟାପକ ଆନ୍ଦୋଳନ। ସେତେବେଳକୁ ଗାନ୍ଧୀଜୀ ଦୃଶ୍ୟପଟରେ ନ ଥିଲେ। ମାତ୍ର ୧୯୧୮ ଶେଷକୁ ଯେତେବେଳେ ରାଓଲାଟ୍‌ ଆଇନ ଆସିଲା, ଗାନ୍ଧୀଜୀ ତା’କୁ ବିରୋଧ କରି କଳା ଆଇନ ବୋଲି କହିଥିଲେ। ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ଡାକରା ଦେଇଥିଲେ ସେ। ହେଲେ ପଞ୍ଜାବର ଜାଲିଆନଵାଲା ବାଗ୍‌ଠାରେ ବ୍ରିଟିସ୍‌ ସରକାର ଅହିଂସା ଉପରେ ଯେଉଁ ବର୍ବର ହତ୍ୟାକାଣ୍ଡ ଭିଆଇଲେ ତାହା ସେଇଦିନୁ ତା’ଙ୍କୁ ପରାଜୟ ଧାରାରେ ତେଣିକି ତଳକୁ ତଳକୁ ଖସେଇଲା। ଯେଉଁଠି ଯେଉଁଠି ସରକାର ହିଂସା ଆଚରଣ କଲେ ସେଇଠି ସେଇଠି ତା’ଙ୍କୁ ଅହିଂସା ସାମନା କଲା। ଅସହଯୋଗ ତା’ଙ୍କ ନିଦ ହଜେଇ ଦେଲା। ସରକାର ସାଇମନ୍‌ କମିସନ ବସେଇଲେ। ଅହିଂସ ‘ଗୋ ବ୍ୟାକ୍‌ ସାଇମନ୍‌’ ତା’ଙ୍କୁ ପ୍ରାଣାନ୍ତକ ଘାରିଲା। ଗୋଲ୍‌ ଟେବୁଲ୍‌ ବୈଠକର ଚତୁର ପ୍ରଚେଷ୍ଟା ପୂର୍ବରୁ ଲବଣ ସତ୍ୟାଗ୍ରହ ତା’ଙ୍କୁ ଦୋହଲେଇ ଦେଲା। ଧରାସନରେ ସରକାର ଅକଳ୍ପନୀୟ ହିଂସା କଲେ ମାତ୍ର ଦୁନିଆ ଆଖିରେ ସତ୍ୟାଗ୍ରହୀଙ୍କ ଅହିଂସା ଜିତିବାକୁ ଲାଗିଲା।

ତା’ପରେ ଆସିଥିଲା ୧୯୩୫ର ଆଇନ। ପ୍ରାଦେଶିକ ସ୍ବାତନ୍ତ୍ରୢ, ସଂଘରାଷ୍ଟ୍ର ଗଠନ, କେନ୍ଦ୍ରରେ ଦ୍ବୈତ ଶାସନ, ସଂଘୀୟ ଉଚ୍ଚତମ ନ୍ୟାୟାଳୟ ଆଦିର ପ୍ରସ୍ତାବ ରହିଥିଲା ସେଥିରେ। ବଡ଼ଲାଟ୍‌ ବା ଗଭର୍ଣ୍ଣର ଜେନେରାଲ୍‌ ଯେଉଁ ସର୍ବେସର୍ବାକୁ ସେଇ ସର୍ବେସର୍ବା ରହିଥିଲେ। ବୋତଲର ଉପର କାଗଜ ବଦଳିଥିଲା ମାତ୍ର ସେଇ ବୋତଲ ‌ଓ ସେଇ ବିଷ ଥିଲା ଭିତରେ। ଭାଷାକୁ ଆଧାର କରି ସିନ୍ଦ୍‌ ଓ ଓଡ଼ିଶା ଗଠିତ ହୋଇଥିଲା ସିନା, ସାମ୍ପ୍ରଦାୟିକ ବିଭାଜନ ଭିତ୍ତିରେ ପ୍ରତିନିଧି ବାଛିବାର ପଶାପାଲି ବିଛେଇ ଦେଇଥିଲେ ସରକାର। ହିନ୍ଦୁ ସଂଖ୍ୟାଗରିଷ୍ଠଙ୍କ ପ୍ରତି ଚରମ ଆଘାତ ଥିଲା ସେଥିରେ। ମୁସଲମାନ୍‌, ଶିଖ୍‌, ଇଉରୋପୀୟ, ଭାରତୀୟ ଖ୍ରୀଷ୍ଟିଆନ୍‌, ଆ‌ଙ୍ଗ୍ଲୋଇଣ୍ଡିଆନ୍‌ ଭେଦରେ ଭାରତୀୟତାକୁ ବାଣ୍ଟିଦେବା ସହ ପ୍ରାଦେଶିକ ସରକାର ଓ କରଦ ରାଜ୍ୟଗୁଡ଼ିକର ଶାସନ ତଥା ଶାସକଙ୍କ ଭିତରେ ଅଲଗା ରହିବାର ବିଷ ଭରି ଦେଇଥିଲେ ବ୍ରିଟିସ୍‌ ସରକାର। ପ୍ରଦେଶରେ ସ୍ବତନ୍ତ୍ର ସରକାର ଗଠନ ଲାଗି ୧୯୩୭-୩୯ ଦୁଇବର୍ଷ ସକାଶେ ଗୋଟାଏ ପରୀକ୍ଷାମୂଳକ ପ୍ରହସନ ବିଧି ବି ହୋଇଥିଲା। ‌େସତେବେଳେ ଭାରତରେ ପନ୍ଦର ପ୍ରଦେଶ। ଏଗାରଟି ସ୍ବତନ୍ତ୍ର ପ୍ରଦେଶ, ତିନିଗୋଟି କେନ୍ଦ୍ର ଅଧୀନରେ ଚିଫ୍ କମିସନରଙ୍କ ପ୍ରଦେଶ ଓ ଗୋଟିଏ ବ୍ରିଟିସ୍‌ ବେଲୁଚିସ୍ତାନ୍‌। ଅତଏବ ଓଡ଼ିଶାକୁ ମିଶେଇ ସେଇ ଯେ ୧୧ ଗୋଟି ପ୍ରଦେଶ ସେଥିରୁ ୭ଟିରେ ଆରମ୍ଭ ହୋଇଥିବା ପ୍ରାଦେଶିକ ସରକାର ଅଳ୍ପ ଦିନ‌େର ନିଜ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ। କାରଣ?

ଦ୍ବିତୀୟ ବିଶ୍ବଯୁଦ୍ଧ ତେଣେ ଆରମ୍ଭ ହୋଇସାରିଥିଲା। ପ୍ରାଦେଶିକ ସରକାର ଗଢ଼ିବା ନାଆଁରେ ବିଲାତି ସରକାର ଅଧିକାଂଶ ପ୍ରଦେଶରେ କଂଗ୍ରେସ ଓ ମୁସ୍‌ଲିମ୍‌ ଲିଗ୍‌କୁ ମୁହାଁମୁହିଁ କରାଇ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆରମ୍ଭ କରେଇ ସାରିଥିଲେ। ଏଇ ସମୟରେ ହିଁ ମୁସ୍‌ଲିମ୍‌ ଲିଗ୍‌ ମୁସଲମାନଙ୍କୁ ନେଇ ଭାରତ ବିଭାଜନ ପାଇଁ ଅଡ଼ି ବସିବା ଆରମ୍ଭ କରି ଦେଇଥିଲେ। ସାରା ଭାରତରେ ସାମ୍ପ୍ରଦାୟିକ ଅସଦ୍‌ଭାବର ମଞ୍ଜି ବୁଣା ସରିଥିଲା। ୧୯୩୫ ଆଇନ ତା’ର ବିଷ କ୍ରିୟା ସଫଳ ଭାବରେ ଭେଦେଇ ସାରିଥିଲା ଭାରତ ମାଟିରେ। ଠିକ୍‌ ବେଳ ଦେଖି ଭାରତୀୟଙ୍କୁ ନ ପଚାରି, ଭାରତୀୟ ନେତୃବୃନ୍ଦଙ୍କୁ ଅଣଦେଖା କରି ଭାରତକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସାମିଲ କରି ଦେଇଥିଲେ ବ୍ରିଟିସ୍‌ ସରକାର। ବିନା ପ୍ରତିନିଧିତ୍ବରେ ସରକାର ମନକୁ ମନ କର ବସାଇ ପାରିବେ ନାହିଁ ବୋଲି ଆମେରିକୀୟ ସ୍ବାଧୀନତା ସଂଗ୍ରାମରେ ଏକ ସ୍ଲୋଗାନ୍‌ ଦିନେ ବିଶ୍ବବ୍ୟାପୀ ହୋଇଥିଲା। ଏବେ ବିନା ପରାମର୍ଶରେ, ପଚରା ଉଚରାରେ ଦେଶୀୟ ପ୍ରାଦେଶିକ ସରକାର ଥାଇ ମଧ୍ୟ ବିଦେଶୀ ବିଲାତି ସରକାର ଭାରତୀୟଙ୍କୁ ଯୁଦ୍ଧର ଘନଘଟାରେ ପୂରାଇ ଦେଇଥିଲେ।

ଅସହାୟ ଭାରତକୁ ଯୁଦ୍ଧରେ ପୂରାଇ ଦେଇ, ମୁସଲିମ୍‌ ଲିଗ୍‌କୁ ପ୍ରୋତ୍ସାହିତ କରାଯାଇଥିଲା ଭାରତକୁ ଭାଙ୍ଗିବା ପାଇଁ। ଭାରତ ଛଟପଟ ହେଉଥିଲା। କ’ଣ ଆଉ ବାଟ ଥିଲା ସଚ୍ଚା ସଂଗ୍ରାମୀ ଆଗରେ? ୧୯୪୦, ୧୯୪୧, ୧୯୪୨ ଥିଲା ଘୋର ସଂକଟର ସମୟ। ସାରା ବିଶ୍ବ ବସିଥିଲା ନିଆଁ କଢ଼େଇ ଉପରେ। ବ୍ରିଟିସ୍‌ କାରଣରୁ ଜଳୁଥିଲା ଭାରତ। ଆଇନର ସଣ୍ଢୁଆଶିରେ ବିଲାତ ଧରିଥିଲା ଭାରତକୁ। ଏତିକି‌ବେଳେ ମାର୍ଚ୍ଚ, ୧୯୪୨ରେ ବ୍ରିଟିସ୍‌ ସରକାରଙ୍କ ତରଫରୁ ସାର୍‌ ଷ୍ଟାଫୋର୍ଡ କ୍ରିପ୍‌ସ ଆସିଥିଲେ ପ୍ରସ୍ତାବ ନେଇ ଭାରତୀୟ ନେତୃବୃନ୍ଦଙ୍କ ମନ କିଣିବା ସକାଶେ। ଜର୍ମାନି, ଇଟାଲି ଓ ଜାପାନ ଆଗରେ ହାମୁଡ଼ି ପଡ଼ିଥିଲେ ବିଲାତି ସରକାର। ଭାରତୀୟ ନେତୃବୃନ୍ଦଙ୍କୁ ନିଜ ପଟକୁ ନେବା ପାଇଁ କ୍ରିପ୍‌ସ ଯେଉଁ ପ୍ରସ୍ତାବ ଆଣି ଆସିଥିଲେ ତାହା ମଧ୍ୟ ଥିଲା ଗୋଟେ ପ୍ରକାରର ଜଘନ୍ୟ ତଥା ଚାଲାକ ଆଇନ ଖସଡ଼ା। ମନେ ରଖିବା ଦରକାର ଯେ ବ୍ରିଟିସ୍‌ ସରକାର ଯେବେ ଯେବେ ଖରାପ ଆଇନ ଆଣି ଭାରତରେ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି, ସେବେ ସେବେ ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନେ ତା’ସହ ଲଢ଼େଇ କରିଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ ବସ୍ତୁତଃ ବ୍ରିଟିସ୍‌ ସରକାରଙ୍କ ଚକ୍ରାନ୍ତକାରୀ ଆଇନ ସହ କ୍ରମାଗତ ଲଢ଼େଇର ଇତିହାସ ଏବଂ ପ୍ରତିଟି ପଦକ୍ଷେପରେ ସରକାର ହିଁ ପଛକୁ ପାଦ ହଟାଇଛନ୍ତି। ଶେଷକୁ ଆସିଛି ଭାରତୀୟ ସ୍ବାଧୀନତା ଆଇନ- ୧୯୪୭।

କେହି ଦୟାକରି ଭାରତକୁ ସ୍ବାଧୀନତା ଦେଇ ନାହିଁ। ବିନା ସଂଗ୍ରାମରେ ଭାରତ ସ୍ବାଧୀନତା ପାଇ ନାହିଁ କି ବିନା ତ୍ୟାଗରେ ଭାରତୀୟମାନେ ହାସଲ କରିନାହାନ୍ତି ସ୍ବାଧୀନତା। ସେ ତ୍ୟାଗ ପୁଣି ଏମିତି ଯାହାର ପଟାନ୍ତର ନାହିଁ। ଆଜିର ଯୁବ ସମ୍ପ୍ରଦାୟ ସେ କଥା ନ ବୁଝିଲେ ଆଉ ବୁଝିବ କିଏ?
କ୍ରିପ୍‌ସ ପ୍ରସ୍ତାବର ଘନଘଟାକୁ ଏବେ ଯିବା। ଆପଣା କୁହୁକ ପେଡ଼ିରେ କ’ଣ ଧରି ଆସିଥିଲେ କ୍ରିପ୍‌ସ? ସେ ଚର୍ଚ୍ଚିଲ୍‌ଙ୍କ ମିଳିତ ମନ୍ତ୍ରିମଣ୍ଡଳରେ ଶ୍ରମିକ ଦଳରୁ ଥିଲେ ଜଣେ ସଭ୍ୟ। ଚାରିଗୋଟି ମୂଳ ପ୍ରସ୍ତାବ ଥିଲା ସେଥିରେ। ଆଗକୁ ଦେଶରକ୍ଷା ସମେତ ସବୁ ବିଭାଗର କ୍ଷମତା ଭାରତୀୟ ମନ୍ତ୍ରୀମାନଙ୍କୁ ଦିଆଯିବ। ଯୁଦ୍ଧ ସରିଲେ ଭାରତୀୟମାନଙ୍କୁ ନିଜ ସଂବିଧାନ ଗଢ଼ିବା ପାଇଁ କ୍ଷମତା ମିଳିବ। ତୃତୀୟରେ ବ୍ରିଟିସ୍‌-ମିଳିତ-ସଂଘ ସହ ଭାରତ ରହିବ କି ନାହିଁ ତାହା ତା’ର ଇଚ୍ଛା ଉପରେ ନିର୍ଭର କରେ। ଏବଂ ଶେଷ ମାରାତ୍ମକ କଥାଟି ହେଲା ଭାରତର ପ୍ରଦେଶ ଓ ଗଡ଼ଜାତ ରାଜ୍ୟଗୁଡ଼ିକ ଦଶ ବର୍ଷ ପରେ ନିଜେ ନିଜେ ଅଲଗା ରହିବାର ସ୍ବାଧୀନତା ପାଇବେ। ଗୁରୁତ୍ବପୂର୍ଣ୍ଣ ଦୁଇ ଦିଗ ହେଲା ଯେ ଯୁଦ୍ଧ ପରେ ହିଁ ଏହା ଲାଗୁ ହେବ ଏବଂ ସବୁଯାକ ପ୍ରସ୍ତାବ ଏକ ସଙ୍ଗେ ଗ୍ରହଣ କରିବାକୁ ପଡ଼ିବ। ଯୁଦ୍ଧରେ ଭାରତକୁ ସାମିଲ କରିବା ପାଇଁ ଏହା ଥିଲା ଏକ ଜଘନ୍ୟ ଛୁରିଭୁକା ଆଇନ ଖସଡ଼ା। ସବୁଠାରୁ ବଡ଼ କଥା ହେଲା ୧୫ ପ୍ରଦେଶ ଓ ୫୬୨ କରଦ ରାଜ୍ୟ ଚାହିଁଲେ ଅଲଗା ସରକାର ଗଢ଼ି ସ୍ବାଧୀନ ରହିପାରିବେ। ଚୂର୍ଣ୍ଣିଭୂତ ହୋଇଯିବ ଭାରତୀୟ ଏକତା।

ସାମ୍ପ୍ରଦାୟିକ ଭେଦରେ ପ୍ରତିନିଧିତ୍ବ ବ୍ୟବସ୍ଥା କରି ବ୍ରିଟିସ୍‌ ବିଭାଜନ ଘଟାଇ ସାରିଥିଲେ ଭାରତର। ଏବେ ଆସିଗଲେ ସ‌ାରା ଭୂମିକୁ ଖଣ୍ଡ ଖଣ୍ଡ କରି ଚୂରମାର୍‌ କରିବାର ପ୍ରସ୍ତାବ ନେଇ। କ’ଣ ଆଉ ବାଟ ଥିଲା ଭାରତୀୟ ନେତୃବୃନ୍ଦଙ୍କ ଆଗରେ? ସମର୍ପଣ? କଂଗ୍ରେସର ବୁଦ୍ଧି ବଣା ହେ‌ାଇସାରିଥିଲା। ପୃଥିବୀ ଆକାଶରେ ଉଡୁଥିଲେ ବୋମାବର୍ଷୀ ବ୍ୟୋମଜାନଶ୍ରେଣୀ। ବ୍ରିଟିସ୍‌ କାରଣରୁ ଜର୍ମାନି, ଇଟାଲି, ଜାପାନ ଭାରତ ଉପରକୁ ଝାମ୍ପି ପଡ଼ିବାର ସବୁ ସମ୍ଭାବନା ଥିଲା। ସେଇ ସମୟକୁ ଯାଇ ଆମେ ଭାଳିବା ଦରକାର। କ୍ରିପ୍‌ସଙ୍କ ନୂଆ ଆଇନ ଖସଡ଼ାର ପ୍ରସ୍ତାବକୁ ଆମେ ସାମନା କରିଥାନ୍ତେ କେମିତି? ଗାନ୍ଧୀଜୀଙ୍କ ଛଡ଼ା ଆଉ କାହା ପାଖରେ ଠୋସ୍‌ ଯୋଜନା ନ ଥିଲା। ଏବେ ଶେଷ ଲଢ଼େଇ। କର ବା ମର।
[email protected]

ସମ୍ବନ୍ଧିତ ଖବର