ଧର୍ମ-ସଂସ୍ଥାପକ, ପୈଗମ୍ବର, ମୁନିମନୀଷୀ ଓ ଦାର୍ଶନିକମାନେ ଯେଉଁ ତତ୍ତ୍ୱ ବଖାଣନ୍ତି, ତାହା ଅନେକ ସମୟରେ ସାଧାରଣ ଲୋକଙ୍କର ବୋଧଗମ୍ୟ ହୁଏନାହିଁ। ତେଣୁ ତତ୍ତ୍ୱର ତର୍ଜମା ଅବଶ୍ୟମ୍ଭାବୀ ହୋଇପଡ଼େ। କିନ୍ତୁ ଅନେକତ୍ର ପରିଲକ୍ଷିତ ହୁଏ ଯେ ଧର୍ମାଚାର୍ଯ୍ୟ, ବିଦ୍ୱାନ ଓ ବିଶାରଦମାନେ ନିଜ ନିଜ ଢଙ୍ଗରେ ଦର୍ଶନର ଭାଷ୍ୟ ପ୍ରସ୍ତୁତ କରନ୍ତି। ଫଳରେ ଦର୍ଶନର ମୌଳିକତା ବାଧାପ୍ରାପ୍ତ ହୁଏ, ଆଦର୍ଶ ଓ ଆଚରଣ ମଧ୍ୟରେ ପାର୍ଥକ୍ୟ ଦେଖାଦିଏ।
ବୁଦ୍ଧଙ୍କ ଜୀବଦ୍ଦଶା ଭିତରେ ତାଙ୍କ ବାଣୀ ଓ ବାର୍ତ୍ତାର ଭ୍ରମାତ୍ମକ ବିଶ୍ଳେଷଣ କରାଯାଇଥିଲା ବୋଲି କେତେକ ଇତିହାସକାର ମତ ଦିଅନ୍ତି। କହନ୍ତି ଯେ ବୁଦ୍ଧଦେବ ତାଙ୍କର ପ୍ରିୟ ଶିଷ୍ୟମାନଙ୍କ ବିଭ୍ରାନ୍ତି ପ୍ରତି ବିମୁଖ ଥିଲେ। ବୌଦ୍ଧଧର୍ମ କାଳାନ୍ତରେ ବହୁଧା ବିଭକ୍ତ ହୋଇ ବୌଦ୍ଧମନ୍ତ୍ର ‘କରୁଣା’ ଓ ‘କଲ୍ୟାଣ’ ଠାରୁ ଦୂରେଇ ଯାଇଥିଲା। ମାନବପ୍ରେମ ଓ ସେବା ଖ୍ରୀଷ୍ଟଧର୍ମର ଆଧାରଶିଳା। କିନ୍ତୁ ପାଶ୍ଚାତ୍ୟ ଜଗତ, ଯାହା ପାରମ୍ପରିକ ଭାବରେ ଖ୍ରୀଷ୍ଟଭୂମି, ଉପନିବେଶ ମାଧ୍ୟମରେ ପୃଥିବୀବ୍ୟାପୀ ଶୋଷଣର କାରଣ ହୋଇଥିଲା। ପୈଗମ୍ବର ମହମ୍ମଦଙ୍କ ଇସ୍‌ଲାମ୍ ଧର୍ମ ମୂଳତଃ ସଦ୍ଭାବ ଓ ସଦାଚାର ଉପରେ ପର୍ଯ୍ୟବସିତ ବୋଲି କହାଯାଏ। ଅଥଚ କେତେକ ଇସ୍‌ଲାମୀୟ ରାଷ୍ଟ୍ର ଆତଙ୍କବାଦର ଚରାଭୂଇଁ। ହିନ୍ଦୁଧର୍ମ ଏକ ସନାତନୀ ସ୍ରୋତ ହୋଇଥିବାରୁ ଏହା ଅନେକ ବିରୋଧାଭାସର ସମାହାର ପରି ମନେହୁଏ। ‘ବସୁଧୈବ କୁଟୁମ୍ବକମ୍’ ହିନ୍ଦୁ ଦର୍ଶନର ସାରାଂଶ। କିନ୍ତୁ ଅସଂଖ୍ୟ ଜାତିଜୁତାଦି ଛିଦ୍ରରେ କ୍ଷତବିକ୍ଷତ ହିନ୍ଦୁ-କୁଟୁମ୍ବ।
ଆହା- ବିଚାର ଓ ଆଚାର ମଧ୍ୟରେ ସବୁଠି ଯେମିତି ଆକାଶ ପାତାଳର ବ୍ୟବଧାନ।
ସାମାଜିକ ଓ ରାଜନୈତିକ ‘ବାଦ’ରେ ଏହି ବ୍ୟବଧାନ ଆହୁରି ଜଳଜଳ ହୋଇ ଦିଶେ। ପ୍ଲାଟୋ ଓ ଆରିଷ୍ଟୋଟଲ୍‌ଙ୍କ ଠାରୁ ମାର୍କ୍ସ ଓ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଦାର୍ଶନିକମାନେ ନିଜ ଦର୍ଶନ ମାଧ୍ୟମରେ ମଣିଷ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ପ୍ରୟାସ କରିଛନ୍ତି। କିନ୍ତୁ ସେହିସବୁ ଦର୍ଶନର ଧ୍ୱଜାଧାରୀମାନେ ‘ବାଦ’କୁ ବିବାଦରେ ପରିଣତ କରିଛନ୍ତି। ସୂକ୍ଷ୍ମ ଚିନ୍ତନକୁ ପ୍ରାୟୋଗିକ ରୂପ ଦେବାବେଳେ ତା’ର ମୂଳକୁ ଭୁଲି ଡାଳ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏପରିକି ସ୍ଥଳବିଶେଷରେ ଆଚାର ବିଚାର-ବିପରୀତ ହୋଇଛି।
ବିଂଶ ଶତାବ୍ଦୀରେ ଦୁଇ ମହାମନୀଷୀ କାର୍ଲ ମାର୍କ୍ସ ଓ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ପୃଥିବୀରେ ସର୍ବାଧିକ ଲୋକପ୍ରିୟତା ଲାଭ କରିଥିଲା। ଅବଶ୍ୟ ମାର୍କ୍ସଙ୍କ ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ରଚିତ। ମାର୍କ୍ସଙ୍କ ଦୃଷ୍ଟିଭଙ୍ଗୀ ଥିଲା ପ୍ରଚଳିତ ଭାବଧାରା ଠାରୁ ଏକ ବୈପବ୍ଳିକ ବ୍ୟତିକ୍ରମ। ଉତ୍ପୀଡ଼ିତ ଜନତାର ବ୍ୟଥା ଓ ବେଦନାକୁ ସେ ମିତ୍ରଚକ୍ଷୁରେ ଦେଖିଥିଲେ। ତତ୍‌କାଳୀନ ଅର୍ଥନୀତି ଓ ସମାଜ ବ୍ୟବସ୍ଥାର ଚେରକୁ ଚିହ୍ନିଥିଲେ। ଚାରିଟି ସ୍ତମ୍ଭ ଉପରେ ତାଙ୍କ ଦର୍ଶନ ଦଣ୍ଡାୟମାନ: ଶ୍ରେଣୀ ଶୋଷଣ, ଶ୍ରେଣୀ ସଂଘର୍ଷ, ଶୋଷଣ ବିହୀନ ସମାଜ ଗଠନ ଓ ରାଷ୍ଟ୍ରର ଅପସାରଣ। ମାର୍କ୍ସଙ୍କର ଏହି କଳ୍ପନା ବାସ୍ତବ ପାଲଟିଲା ୧୯୧୭ ମସିହାରେ ସୋଭିଏତ୍ ସୋସାଲିଷ୍ଟ ସଂଘ ଗଠନ ମାଧ୍ୟମରେ। ପରବର୍ତ୍ତୀ ସମୟରେ ଚୀନ୍‌ରେ ଓ ଅନ୍ୟ କେତେକ ଦେଶରେ ପ୍ରତିଷ୍ଠିତ ହୋଇଥିଲା ଲାଲ୍ ଶାସନ। ଏହି ଦେଶଗୁଡ଼ିକରେ ସର୍ବହରାମାନଙ୍କର କେତେ ଦୂର ଦୁଃଖ ମୋଚନ ହୋଇଛି ତାହା ଭିନ୍ନ ପ୍ରଶ୍ନ। କିନ୍ତୁ କମ୍ୟୁନିଷ୍ଟ ରାଷ୍ଟ୍ର ଦିନକୁ ଦିନ ବଳିଷ୍ଠ ହୋଇଛି ସିନା ଅପସାରିତ ହୋଇଛି କେଉଁଠି? ଏଠାରେ ଉଲ୍ଲେଖ ଅପ୍ରାସଙ୍ଗିକ ନୁହେଁ ଯେ ପାଶ୍ଚାତ୍ୟ ଗଣତନ୍ତ୍ର ‘ପୁଞ୍ଜି’ ଓ ‘ଭୋଗ’ର ପ୍ରାଚୀର ମଧ୍ୟରେ କବଳିତ। ତଥାକଥିତ ସେହି ଗଣ ଗଡ଼କୁ ଭେଦ କରିପାରେ ନାହିଁ ଆର୍ତ୍ତର ଆର୍ତ୍ତି। ବୁଭୁକ୍ଷୁ ପାଇଁ ଅଧିକାର ନୁହେଁ, ଅନ୍ନ ହିଁ ସକଳ ଆନନ୍ଦର ଉତ୍ସ। ବିଚାର ଓ ଆଚାର ଭିତରେ ଥିବା ଅସଙ୍ଗତିର ଦୃଷ୍ଟାନ୍ତ ନୁହେଁ କି ଏସବୁ?
ବିଂଶ ଶତାବ୍ଦୀର ବିଶ୍ୱକୁ ନୂତନ ସରଣୀର ସନ୍ଧାନ ଦେବାରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ସର୍ବୋପରି। ଦାର୍ଶନିକ କହିଲେ ସାଧାରଣ ଅର୍ଥରେ ଯାହାଙ୍କୁ ବୁଝାଯାଏ, ସେ ଦୃଷ୍ଟିରୁ ଗାନ୍ଧୀଜୀ ହୁଏତ ଦାର୍ଶନିକ ନଥିଲେ। ସେ ବଛାବଛା ଗ୍ରନ୍ଥାଗାରକୁ ଯାଇ ବର୍ଷବର୍ଷ ଧରି କ’ଣ ପୁସ୍ତକ ଅଧ୍ୟୟନ କରିଥିଲେ? କିନ୍ତୁ ପୃଥିବୀ ଠାରୁ ବଡ଼ ଆଉ ଗ୍ରନ୍ଥାଗାରଟିଏ କ’ଣ ଅଛି? ନା ମଣିଷକୁ ପଢ଼ିବା ଠାରୁ ଅଛି କିଛି ବଡ଼ ଅଧ୍ୟୟନ? ମଣିଷକୁ ପଢ଼ିଥିବା ମହାତ୍ମା ବିକ୍ଷିପ୍ତ ଭାବରେ ଯାହାସବୁ ଲେଖିଛନ୍ତି, ସେଥିରେ ତାଙ୍କର ଚିନ୍ତନ ମୌଳିକତା ସୁସ୍ପଷ୍ଟ।
‘ଧ୍ୟେୟ’ ଓ ‘ସାଧନ’ର ସମ୍ପର୍କକୁ ନେଇ ଅନ୍ୟ ଦାର୍ଶନିକମାନଙ୍କ ଠାରୁ ଗାନ୍ଧୀଜୀଙ୍କ ମତ ଭିନ୍ନ। ଗଡ୍ଡଳିକା ପ୍ରବାହରେ ଧ୍ୟେୟ ସର୍ବଦା ଶ୍ରେୟ ବିବେଚିତ, ବିଡ଼ମ୍ବିତ ସାଧନ। ଲକ୍ଷ୍ୟପ୍ରାପ୍ତି ପାଇଁ ଯେକୌଣସି ସାଧନାଶ୍ରୟୀ ହେବା ଉପରେ ପ୍ରାୟ ସମସ୍ତେ ସହମତି ପ୍ରକାଶ କରନ୍ତି। କିନ୍ତୁ ଗାନ୍ଧୀଜୀଙ୍କ ମତରେ ବୀଜ ସହିତ ବୃକ୍ଷର ସମ୍ପର୍କ ପରି ଧ୍ୟେୟ ସହିତ ସାଧନର ସମ୍ବନ୍ଧ ନିଆରା। ଖସା ବୁଣିଲେ ଖେସାରି ଉଠେନାହିଁ କି ଶଗଡ଼ରେ ସମୁଦ୍ର ପାରିହୋଇ ହୁଏ ନାହିଁ। ତେଣୁ ଗାନ୍ଧୀ କହନ୍ତି, ଶୁଦ୍ଧ ସାଧନ ମାଧ୍ୟମରେ ଅସାଧ୍ୟ ସାଧନ ସମ୍ଭବ। ସାଧନରେ ଶୁଦ୍ଧତା ନଥିଲେ ଲକ୍ଷ୍ୟରେ ଶୁଚିତା ଆସେ ନାହିଁ। ଅସତ୍ ଉପାୟରେ ଅର୍ଜିତ ଅର୍ଥରେ ନିର୍ମିତ ମନ୍ଦିର ଦେବାଳୟ ହୋଇପାରେ ନା ଲୁଣ୍ଠିତ ଧନରେ ସ୍ଥାପିତ ହସ୍ପିଟାଲ୍ ହୋଇପାରେ ସେବାଳୟ? ଏହି ଦୃଷ୍ଟିରୁ ରାଜନୀତି ସର୍ବଦା ଏକ ସାଧନ, ଧ୍ୟେୟ କଦାପି ନୁହେଁ।
ଗାନ୍ଧୀଶିଷ୍ୟମାନେ ଗାନ୍ଧୀଜୀଙ୍କ ଏହି ଦର୍ଶନରେ ଆସ୍ଥା ରଖନ୍ତି କି? ଏପରିକି ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ, ଖଦି ଓ କୁଟୀର ଶିଳ୍ପ ଏବଂ ମୌଳିକ ଶିକ୍ଷା ଗାନ୍ଧୀ ଅନୁଗାମୀମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ। ପ୍ରତ୍ୟାଖ୍ୟାତ ପୁଣି ସ୍ୱଦେଶୀ, ସ୍ୱଚ୍ଛତା ଓ ସତ୍ୟାଗ୍ରହର ସନ୍ଦେଶ। ପୁନଶ୍ଚ ରାଜନୀତିକୁ ଆୟୁଧ କରିବାରେ ମହାତ୍ମାଙ୍କ ପଟ୍ଟଶିଷ୍ୟମାନେ ସାଜିଲେ ଅଗ୍ରଦୂତ। ବ୍ୟକ୍ତି ଜୀବନରେ ହେଉ ବା ହେଉ ସମାଜ ଜୀବନରେ, ଶୁଚିତା ଶବ୍ଦ ଉଚ୍ଚାରଣ କରିବାକୁ ଆମ ନେତା ବା ଜନତା କେହି ଭରସନ୍ତି ନାହିଁ। ଗାନ୍ଧୀ ବ୍ୟକ୍ତି ଭାବରେ ଯେତେ ନୁହନ୍ତି, ଦର୍ଶନ ଭାବରେ ତତୋଽଧିକ ଉପେକ୍ଷିତ, ଉପେକ୍ଷିତ ନିକଟଜନଙ୍କ ଦ୍ୱାରା। ଅନେକ ଦିନ ତଳର ଏକ କବିତା ଅନେକଙ୍କ ହୃଦୟରେ ଆଜି ମଧ୍ୟ ଗୁଞ୍ଜରଣ ତୋଳେ: ତିନିଟି ଗୁଳିରେ କିଏ ମୃତ୍ୟୁ ତୁମ ଲୋଡ଼ିଥିଲା, ଆଜି କିନ୍ତୁ ମୃତ ତୁମେ ପ୍ରତି କ୍ଷଣେ ସହସ୍ର ଗୁଳିରେ।
ଗାନ୍ଧୀବାଦ ଏକ କଠୋର ପନ୍ଥାର ଅନ୍ୟ ନାମ। ଅତୀତରେ କେହି ଗାନ୍ଧୀବାଦୀ ଥିଲେ ନା ଏବେ ଅଛନ୍ତି? ମହାତ୍ମା ଗାନ୍ଧୀ ନିଜେ ବୋଧହୁଏ ପୃଥିବୀର ପ୍ରଥମ ଓ ଶେଷ ଗାନ୍ଧୀବାଦୀ।
ମୋ: ୯୪୩୭୧୪୩୮୯୬