ପିଲାଦିନରୁ ଆମକୁ କୁହାଯାଏ, ‘ଠିକ୍ କାମ କର’, ‘ଭଲ ମଣିଷ ହୁଅ’, ‘ନ୍ୟାୟ ସହିତ ସବୁବେଳେ ଠିଆହୁଅ’। ଏସବୁ ଶୁଣିବାକୁ ବହୁତ ସହଜ ଲାଗେ। ମନେହୁଏ, ଯେମିତି ଆମ ସାମ୍ନାରେ ସରଳ, ସ୍ପଷ୍ଟ ଓ ପରିଚ୍ଛନ୍ନ ରାସ୍ତାଟିଏ ଆଗକୁ ପଡ଼ିଛି; ଆଉ କୌଣସି ଚିନ୍ତା ନକରି ଆମକୁ ସେଇ ରାସ୍ତାରେ ଚାଲିବାର ଅଛି। କିନ୍ତୁ ଏ ରାସ୍ତା ଯେ ଖଣ୍ଡାଧାରରେ ଚାଲିବା ଭଳି କଠିନ, ତାହା ସେତେବେଳେ ବୁଝାପଡ଼େ; ଯେବେ ମୁସ୍କାନ୍ ରସ୍ତୋଗୀ ପରି ବୀଭତ୍ସ କାହାଣୀମାନ ଆମ ଆଖି ଆଗକୁ ଆସିଯାଆନ୍ତି। ନିଜ ପ୍ରେମିକ ସହ ମିଶି ମୁସ୍କାନ୍ ଯେପରି ଭାବରେ ସ୍ୱାମୀ ସୌରଭ ରାଜପୁତର ହତ୍ୟା ଷଡ୍ଯନ୍ତ୍ର କରିଥିଲା, ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଥମେ ସେମାନେ ସୌରଭକୁ ବେହୋସ କଲେ, ତା’ପରେ ଛୁରୀରେ ମୁଣ୍ଡଗଣ୍ଡି ଅଲଗା କଲେ, ପୁଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଲେ ଏବଂ ଶେଷରେ ଗୋଟେ ଡ୍ରମ୍ରେ ଭର୍ତ୍ତି କରି ସିମେଣ୍ଟ ମୁଦିଦେଲେ! ତେବେ ଦେହ ଶିହରି ଉଠିଲା ପରି ଏପରି ଅପରାଧ ଆଜିକାଲି ଆଉ ଅସାଧାରଣ ହୋଇ ରହିନାହିଁ। କିନ୍ତୁ ଏ ସମଗ୍ର ଘଟଣାରେ ଯେଉଁ କଥାଟି ମତେ ସବୁଠାରୁ ଅଧିକ ପ୍ରଭାବିତ କରିଛି, ତାହାହେଲା ଝିଅର ଅମାନୁଷିକ କାଣ୍ଡ ବିଷୟରେ ଜାଣିବା ପରେ ମୁସ୍କାନ୍ର ବାପା ଓ ମା’ଙ୍କ ପ୍ରତିକ୍ରିୟା। ତା’ ବାପା-ମା’, ଯିଏ ତାକୁ ଜନ୍ମ ଦେଇଛନ୍ତି, ପାଳି ପୋଷି ବଡ଼ କରିଛନ୍ତି, ସେମାନେ ହିଁ ମୁସ୍କାନ୍କୁ ପୁଲିସ ହାତରେ ସମର୍ପି ଦେଇଛନ୍ତି ଏବଂ ଝିଅର ଏ କୁକର୍ମ ପାଇଁ ତାକୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ଦାବି କରିଛନ୍ତି। ଏପରି ଉଦାହରଣ ପ୍ରମାଣ କରିଦିଏ, ଠିକ୍କୁ ଠିକ୍ କହିବା, ଭୁଲ୍କୁ ଭୁଲ୍ ବୋଲି ମାନିବା ସହଜ ମନେହେଲେ ବି ବାସ୍ତବରେ ଏତେ ସହଜ ହୋଇ ନଥାଏ। ଏଥିପାଇଁ ଅଦମ୍ୟ ସାହସ ଓ ସଂସ୍କାର ଆବଶ୍ୟକ ହୋଇଥାଏ।
ମୁଁ ବି ଜଣେ ମା’। ଏମିତି ଏକ ଅଭାବନୀୟ ଅବସ୍ଥାରେ ମୁସ୍କାନ୍ର ବାପା-ମା’, ବିଶେଷକରି ମା’ କେଉଁ ପରିସ୍ଥିତି ଦେଇ ଗତି କରିଥିବେ ଏବଂ ତାଙ୍କ ମନ ଭିତରେ କ’ଣ ଚାଲିଥିବ, ମୁଁ ସତରେ ସେ ଅବସ୍ଥା ବୁଝିବା ପାଇଁ ଅସମର୍ଥ। ତୁମ ପିଲା ସ୍ୱୀକାର କରୁଛି ଯେ ସେ ଏକ ଜଘନ୍ୟ ଅପରାଧ କରିଛି। ତୁମ ପାଖରେ ଏବେ ଦୁଇଟି ବିକଳ୍ପ- ମା’ ପ୍ରବୃତ୍ତିରେ, ମା’ପଣିଆ ଦେଖେଇ ତା’ ଭୁଲ୍କୁ ଘୋଡ଼େଇ, ତା’ର ସୁରକ୍ଷାରେ ଲାଗିପଡ଼ିବ ନା ସବୁଦିନ ପାଇଁ ନିଜ ସନ୍ତାନକୁ ହରେଇବାର ଆଶଙ୍କା ଥିଲେ ବି ତାକୁ ଆଇନ ହାତରେ ସମର୍ପି ଦେବ? ଏ ନିଷ୍ଠୁର ବାସ୍ତବତାକୁ ସାମ୍ନା କରିବା ବେଳେ ବାପା-ମା’ଙ୍କ ମନ ଓ ମସ୍ତିଷ୍କ ଆନ୍ଦୋଳିତ ହୋଇଥିବ ଏବଂ ଭୀଷଣ ମାନସିକ ଦ୍ବନ୍ଦ୍ବ ଉପୁଜିଥିବ; ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ପରିଶେଷରେ ସେମାନେ ଯେଉଁ ନିଷ୍ପତ୍ତି ନେଲେ ତାହା ଗୁରୁତ୍ବପୂର୍ଣ୍ଣ। ସେମାନେ କହିଛନ୍ତି, ‘‘ସୌରଭ ଆମ ପୁଅ ପରି ଥିଲା। ସେ ବହୁତ ଭଲ ପିଲା। ସୌରଭକୁ ଏପରି ନିର୍ମମ ଭାବରେ ହତ୍ୟା କରିଥିବା ଝିଅ ଆମ ରକ୍ତମାଂସରେ ଗଢ଼ା ହେଲେ ବି ସେ ଯାହା କରିଛି, ତା’ର ବଞ୍ଚିବାର କୌଣସି ଅଧିକାର ନାହିଁ। ଏ ସମାଜରେ ରହିବା ପାଇଁ ସେ ଅଯୋଗ୍ୟା।’’ ସେମାନେ ଯାହା କରିଛନ୍ତି, ଉଚିତ କରିଛନ୍ତି; କେବଳ ଏତିକି କହି ରହିଗଲେ ଚଳିବ ନାହିଁ। ମୁସ୍କାନ୍ର ବାପା-ମା’ ଯାହା କରିଛନ୍ତି, ସେଥିପାଇଁ ପ୍ରଚଣ୍ଡ ସାହସ ଦରକାର; ଆମ ଭିତରୁ ଅଧିକାଂଶ ହୁଏତ ଏପରି କଳ୍ପନା ମଧ୍ୟ କରିପାରିବେ ନାହିଁ।
ଯେବେ ହରେଇବାକୁ ପାଖରେ ବେଶୀ କିଛି ନଥାଏ, ସେତେବେଳେ ହିଁ ଆମେ ନୀତି ଓ ନୈତିକତାର ଚିନ୍ତା କରିବାକୁ ପସନ୍ଦ କରୁ। ଅନ୍ୟ କେହି ଦେଖୁଥିବା ଅବସ୍ଥାରେ ଜଣଙ୍କ ପକେଟରୁ ପଡ଼ିଯାଇଥିବା ପର୍ସଟି ତାକୁ ଫେରେଇଦେବା ସାଧାରଣ କଥା। କିନ୍ତୁ ପ୍ରକୃତ ପରୀକ୍ଷା ସେତେବେଳେ ହୁଏ, ଯେତେବେଳେ ତୁମକୁ କେହି ଦେଖୁନାହାନ୍ତି। ସମସ୍ତଙ୍କ ଅଜାଣତରେ ଖସିପଡ଼ିଥିବା ଟଙ୍କା ମୁଣିଟିକୁ ତୁମେ ଲୁଚେଇ ଦେଲ ନା ଫେରେଇ ଦେଲ, ତାହା ହେଉଛି ଅସଲ ପରୀକ୍ଷା। ମୁସ୍କାନ୍ର ବାପା-ମା’ ନିରବ ରହି ପାରିଥାଆନ୍ତେ, ଧୃତରାଷ୍ଟ୍ରଙ୍କ ପରି ନିଜ ପିଲାକୁ ସୁରକ୍ଷା ଦେବାପାଇଁ ଶତ ଚେଷ୍ଟା କରିପାରିଥାଆନ୍ତେ। ସେମାନଙ୍କୁ ଫେରାର ହେବାରେ ସାହାଯ୍ୟ ମଧ୍ୟ କରିପାରିଥାଆନ୍ତେ। ବହୁ ପିତାମାତା ଏମିତି ହିଁ କରିଥାଆନ୍ତି। କିନ୍ତୁ ସେମାନେ ତାହା କଲେ ନାହିଁ, ବରଂ କଠିନ ହେଲେ ବି ଠିକ୍ ରାସ୍ତା ବାଛିଲେ। କାରଣ ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ଥିଲା; ଆମେ ଯାହା କରୁଛୁ, ଠିକ୍ କରୁଛୁ।
ମୁସ୍କାନ୍ର ବାପା-ମା’ ଯେଉଁ କାର୍ଯ୍ୟ କଲେ, ତାହା ସମସ୍ତଙ୍କୁ ଏହି ବାର୍ତ୍ତା ଦେଲା ଯେ ଯେତେ ଯନ୍ତ୍ରଣାଦାୟକ ହେଲେ ବି ଯାହା ଉଚିତ ଓ କରଣୀୟ ତାହା ହିଁ କରାଯିବା ଜରୁରି। ନିଜର ପ୍ରିୟଜନ ବି ଯଦି ଅନୁଚିତ କର୍ମ କରେ, ତେବେ ସେ ବି ଦଣ୍ଡର ଅଧିକାରୀ। ଧର୍ମର ଅନୁସରଣ କରିବା ସବୁବେଳେ ସୁଖଦ ଅନ୍ତ ହେଉଥିବା ଏକ କାହାଣୀ ହୋଇ ନଥାଏ; ଏହା ଏକ ଯୁଦ୍ଧ, ଯାହା ଲଢ଼ିବା ପାଇଁ ଶକ୍ତି ଓ ସାହସର ଅସ୍ତ୍ର ଆବଶ୍ୟକ।
ତନୟା ପଟ୍ଟନାୟକ
ସଂପାଦକ