ପ୍ରଭାତ କୁମାର ମହାପାତ୍ର

Advertisment

ଭାରତ ଏବେ ଅସମ୍ଭବକୁ ସମ୍ଭବ କରିବାକୁ ଯାଉଥିବା ଭଳି ମନେ ହେଉଛି। କଥାରେ ଅଛି ପାଞ୍ଚ ଆଙ୍ଗୁଳି କେବେ ହେଲେ ସମାନ ହୋଇ ନଥାନ୍ତି। ଭାରତ କିନ୍ତୁ ସେମାନଙ୍କୁ ପାଖାପାଖି ସମାନ କରିସାରିଲାଣି ବୋଲି ୱର୍ଲଡ୍ ବ୍ୟାଙ୍କ୍ ଏବେ ପ୍ରକାଶ କରିଛି। ‘ଜିନି ଇଣ୍ଡେକ୍‌ସ’ ଏକ ସମାଜରେ ଉପସ୍ଥିତ ଥିବା ଅର୍ଥନୈତିକ ବୈଷମ୍ୟର ମାତ୍ରା ସମ୍ବନ୍ଧରେ ସୂଚନା ଦେଇଥାଏ। ଏହାର ମୂଲ୍ୟ ୦ (ଶୂନ)ରୁ ୧୦୦ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ। ଯେଉଁ ସମାଜରେ ଏହାର ମୂଲ୍ୟ ୧୦୦ ହୋଇଥାଏ, ସେଠାରେ ବୈଷମ୍ୟ ଏପରି ଚରମ ସୀମା ଛୁଇଁଥାଏ ଯେ ଜଣେ ଲୋକ ପାଖରେ ସମସ୍ତ ଆୟ ବା ଉପଭୋଗ କେନ୍ଦ୍ରୀଭୂତ ହୋଇଥାଏ। ଯେଉଁ ସମାଜରେ ଆୟ ବା ଉପଭୋଗର ବଣ୍ଟନ ସଂପୂର୍ଣ୍ଣ ଭାବରେ ସମାନ ହୋଇଥାଏ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାମାନ୍ୟତମ ତାରତମ୍ୟ ମଧ୍ୟ ନ ଥାଏ, ସେଠାରେ ‘ଜିନି ଇଣ୍ଡେକ୍‌ସ’ର ମୂଲ୍ୟ ହୋଇଥାଏ ୦ (ଶୂନ)। ୱର୍ଲଡ୍ ବ୍ୟାଙ୍କ୍ ରିପୋର୍ଟ ଅନୁସାରେ ଭାରତର ଉପଭୋଗ ‘ଜିନି ଇଣ୍ଡେକ୍‌ସ’ରେ କ୍ରମଶଃ ହ୍ରାସ ଘଟି ୨୦୨୨-୨୩ରେ ତାହା ହୋଇଥିଲା ୨୫.୫। ଏହାକୁ ଭିତ୍ତି କରି ୱର୍ଲଡ୍ ବ୍ୟାଙ୍କ୍ ଭାରତକୁ ପୃଥିବୀର ସମାନତା ମର୍ଯ୍ୟାଦା ତାଲିକାରେ ଚତୁର୍ଥ ସ୍ଥାନ ପ୍ରଦାନ କରିଛି। ତେବେ ତାଲିକାର ପ୍ରଥମ ତିନିଟି ସ୍ଥାନରେ ଥିବା ପୂର୍ବ ଇ‌ଉରୋପୀୟ ଦେଶମାନ (ସ୍ଲୋଭାକ୍ ରିପବ୍ଲିକ୍, ସ୍ଲୋଭାନିଆ ଓ ବେଲାରୁଷ୍) ଭାରତ ତୁଳନାରେ ଅତ୍ୟନ୍ତ କ୍ଷୁଦ୍ର ହୋଇଥିବାରୁ, ଭାରତ ବର୍ତ୍ତମାନ ପୃଥିବୀର ସର୍ବାଧିକ ସମାନତାପୂର୍ଣ୍ଣ ଗୁରୁତ୍ବପୂର୍ଣ୍ଣ ଦେଶରେ ପରିଣତ ହୋଇଛି କହିଲେ ଭୁଲ୍ ହେବ ନାହିଁ।
କେବଳ ଏକ ଅଳସ କଳ୍ପନାବିଳାସ ସ୍ବରୂପ ଭାରତର ଏହି ଚମକ ସୃଷ୍ଟିକାରୀ ଉପଲବ୍‌ଧିରୁ ଏକ ପ୍ରଶ୍ନ ଜନ୍ମ ଲାଭ କରିଥାଏ: ଜିନି ଇଣ୍ଡେକ୍‌ସରେ ଏହି ସ୍ଖଳନ ଧାରା ଅବ୍ୟାହତ ରହି ଦିନେ ତାହାର ମୂଲ୍ୟ ଶୂନ ହୋଇଯିବ କି? ଅର୍ଥାତ୍ ସମାଜରେ ଆୟ ଓ ଉପଭୋଗର ବଣ୍ଟନରେ ରହିଥିବା ବୈଷମ୍ୟ ସଂପୂର୍ଣ୍ଣ ରୂପେ ଲୋପ ପାଇ ଯାଇ ପ୍ରତ୍ୟେକ ନାଗରିକର ସ୍ଥିତି ସମାନ ହୋଇଯିବ କି? ଏଭଳି ସମାଜରେ ସ୍ବାଭାବିକ ଭାବରେ ବ୍ୟକ୍ତିସ୍ବାର୍ଥ ପାଇଁ କୌଣସି ସ୍ଥାନ ରହିବ ନାହିଁ। ମାନବ ସମାଜର ଇତିହାସରେ ଅବଶ୍ୟ ଏପରି ଘଟିବା କେବେ ଦେଖାଯାଇ ନାହିଁ। ଆଦିମ ମନୁଷ୍ୟ ଯେତେବେଳେ ପ୍ରକୃତି କୋଳରେ ଜୀବନ ବିତାଉଥିଲା, ସେତେବେଳେ ସମାଜରେ ଏଇଭଳି ସମାନତା ବିରାଜମାନ କରୁଥିଲା ବୋଲି ଅଷ୍ଟାଦଶ ଶତାବ୍ଦୀର ମହାନ ସ୍ବିସ୍ ଦାର୍ଶନିକ ରୁଷୋ ବିଶ୍ବାସ କରୁଥିଲେ ହେଁ, ବାସ୍ତବରେ ତାହା ଥିଲା ତାଙ୍କର ଏକ ଅନୁମାନ ମାତ୍ର।
ରୁଷୋଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ସୋସିଆଲ୍ କଣ୍ଟ୍ରାକ୍‌ଟ’ର ଯେଉଁ ଆରମ୍ଭ ବାକ୍ୟ ସହିତ ପ୍ରତ୍ୟେକ ସ୍କୁଲ ଛାତ୍ର ପରିଚିତ, ତାହା ହେଲା: ‘‘ମନୁଷ୍ୟ ସ୍ବାଧୀନ ଭାବରେ ଜନ୍ମ ହୋଇଥିଲା, ଏବଂ ସେ ସର୍ବତ୍ର ଜଞ୍ଜିରରେ ବନ୍ଧା ହୋଇଛି।’’ ପ୍ରକୃତି କୋଳରେ ମନୁଷ୍ୟ ଏକାକୀ ବିଚରଣ କରୁଥିବା ସମୟରେ ସେ କେବଳ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରି ସନ୍ତୁଷ୍ଟ ରହୁଥିଲା, ଯାହା ସମୁଦାୟ ଖାଦ୍ୟ ଓ ଏକ ମୌଳିକ ଆଶ୍ରୟସ୍ଥଳୀରେ ସୀମିତ ‌ଥିଲା। ସେ ଏହାକୁ ନେଇ ନିଜକୁ ଆ‌ଉ କାହା ସହିତ ତୁଳନା କରିବା ଅବକାଶ ନ ଥିଲା। ସମସ୍ତଙ୍କର ସ୍ଥିତି ଥିଲା ସମାନ। ରୁଷୋଙ୍କ ଅନୁସାରେ ଏହା ହିଁ ଥିଲା ମନୁଷ୍ୟ ଉପଭୋଗ କରୁଥିବା ପ୍ରକୃତ ସ୍ବାଧୀନତା। କ୍ରମେ ସମାଜର ଆବିର୍ଭାବ ସହିତ ବ୍ୟକ୍ତିଗତ ସଂପଦ ଓ ଉ‌ଚ୍ଚାକାଙ୍‌କ୍ଷାର ଉନ୍ମେଷ ଘଟିଲା। ଏଥି ସହିତ ମନୁଷ୍ୟର ସ୍ବାଧୀନତାର ଅନ୍ତ ଘଟିଲା। ଆମେ ଅନ୍ୟ ସହିତ ନିଜର ତୁଳନା କରିବାକୁ ଆରମ୍ଭ କଲୁ; ଅନ୍ୟର ସଂପଦ ଆମର ଶାନ୍ତିକୁ ପ୍ରଭାବିତ କଲା। ଆମଠାରେ ସଂପଦ ଠୁଳ କରିବା ପ୍ରବୃତ୍ତି ଜାଗ୍ରତ ‌ହେଲା; ଆମେ ଅସନ୍ତୁଷ୍ଟ, ଈର୍ଷାପରାୟଣ, ନିଷ୍ଠୁର ପ୍ରାଣୀରେ ପରିଣତ ହେଲୁ। ସଂକ୍ଷେପରେ କହିଲେ, ଅସମାନତା ସମାଜରେ ଅଶାନ୍ତିର ଜନନୀ ରୂପେ କାର୍ଯ୍ୟ କଲା।
କିନ୍ତୁ ରୁଷୋଙ୍କ ପୁସ୍ତକ ପ୍ରକାଶ ପାଇବାର ଠିକ୍ ୧୪ ବର୍ଷ ପରେ ଜଣେ ସ୍କଟିସ୍ ଦାର୍ଶନିକଙ୍କର ଏକ ପୁସ୍ତକ ପ୍ରକାଶ ପାଇଲା ଯେଉଁଥିରେ ଏକ ସଂପୂର୍ଣ୍ଣ ବିପରୀତ ଆଭିମୁଖ୍ୟ ଗ୍ରହଣ କରାଯାଇ ଏପରି ପ୍ରଭାବଶାଳୀ ଢଙ୍ଗରେ ଅସମାନତା ଓ ବ୍ୟକ୍ତିସ୍ବାର୍ଥର ଗୁଣଗାନ କରାଯାଇଥିଲା, ‌ଯାହା ଏ ପର୍ଯ୍ୟନ୍ତ ଊଣାଅଧିକେ ପୃଥିବୀର ସମସ୍ତ ଉଦାର ପୁଞ୍ଜିବାଦୀ ଅର୍ଥନୀତିମାନଙ୍କ ପାଇଁ (ଏମାନଙ୍କ ମଧ୍ୟରେ ସାମ୍ୟବାଦୀ ଚୀନ୍ ମଧ୍ୟ ଅନ୍ତର୍ଭୁକ୍ତ) ଦିଗ୍‌ଦର୍ଶକ ରୂପେ କାର୍ଯ୍ୟ କରିଆସୁଛି। ଏହି ଦାର୍ଶନିକଙ୍କର ନାମ ହେଲା ଆଡାମ୍ ସ୍ମିଥ୍ ଏବଂ ୧୭୭୬ରେ ପ୍ରକାଶିତ ତାଙ୍କର ସେଇ ପୁସ୍ତକର ସଂକ୍ଷିପ୍ତ ନାମ ହେଲା ‘ଦି ୱେଲ୍‌ଥ ଅଫ୍ ନେସନ୍‌ସ’। ସ୍ମିଥ୍‌ଙ୍କୁ ଆଧୁନିକ ଅର୍ଥଶାସ୍ତ୍ରର ଜନକ ରୂପେ ସ୍ବୀକାର କରାଯାଇଥାଏ ଏବଂ ସେଇ ପୁସ୍ତକଟି ହେଉଛି ଏହି ଶାସ୍ତ୍ରର ପ୍ରଥମ ବିଧିବଦ୍ଧ ପୁସ୍ତକ। ପୁସ୍ତକଟିର ଶୀର୍ଷକ ଘୋଷଣା କରିଥାଏ ଯେ ଏକ ରାଷ୍ଟ୍ରର ସଂପଦ କିପରି ସୃଷ୍ଟି ହୋଇଥାଏ, ଏହା ହେଉଛି ସେ ସମ୍ବନ୍ଧରେ ଏକ ଅନୁସନ୍ଧାନ। ଏହି ଅନୁସନ୍ଧାନରୁ ସ୍ମିଥ୍ ଯେଉଁ ଚମକପ୍ରଦ ଭାବରେ ସରଳ ସତ୍ୟ ଆବିଷ୍କାର କଲେ, ତାହା ହେଲା, ଏକ ଦେଶ‌ର ଲୋକମାନେ ସମସ୍ତେ ଯଦି ନିଜ ନିଜର ସ୍ବାର୍ଥ ସାଧନରେ ଲାଗିଯିବେ, ତେବେ ସେମାନଙ୍କର ଅଜାଣତରେ ଆପେ ଆପେ ସମାଜର ସାମଗ୍ରିକ ସ୍ବାର୍ଥ ସାଧିତ ହେବ।
ଉଦାହରଣ ସ୍ବରୂପ, ମନେକର ଜଣେ ଉଦ୍ୟୋଗୀ ଘର ଘର ବୁଲି ପରିବା ବିକ୍ରି କରିବାକୁ ଏକ ବ୍ୟବସାୟ ଆରମ୍ଭ କଲା। ସେ ନିଜର ଜୀବିକା ଅର୍ଜନ କରିବା ପାଇଁ ଓ ଲାଭ ଅର୍ଜନ କରିବା ପାଇଁ ଏଇ ବ୍ୟବସାୟ ପ୍ରତିଷ୍ଠା କଲା। ତା’ ପାଇଁ ଏହାହିଁ ହେଉଛି ତା’ର ଏହି ଉଦ୍ୟମ ପଛରେ ନିହିତ ଥିବା ଉଦ୍ଦେଶ୍ୟ। କିନ୍ତୁ ତା’ର ଏହି ଉଦ୍ଦେଶ୍ୟକୁ ଅତିକ୍ରମ କରି ତା’ର ଉକ୍ତ ଉଦ୍ୟମ ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ଲାଭବାନ ହୋଇଥାନ୍ତି: ତା’କୁ ପରିବା ଯୋଗାଉଥିବା ଚାଷୀମାନେ, ନିଜ ଘରେ ବସି ତା’ ଠାରୁ ପରିବା ପାଇପାରୁଥିବା ଗ୍ରାହକମାନେ, ତା’ ଦ୍ବାରା ନିଯୁକ୍ତ ପରିବା ଡେଲିଭରି ପିଲାମାନେ...।
ତା’ର ବ୍ୟବସାୟର ସଫଳତା ପ୍ରତିଯୋଗୀମାନଙ୍କୁ ସେ ବ୍ୟବସାୟ ପ୍ରତି ଆକର୍ଷିତ କରିବ; ଫଳରେ ଅତ୍ୟଧିକ ଲାଭ ଅର୍ଜନ ଉଦ୍ଦେଶ୍ୟରେ ସେ ଚଢ଼ା‌ ଦରରେ ପରିବା ବିକ୍ରି କରିପାରିବ ନାହିଁ। କେତେକ ପ୍ରତିଯୋଗୀ ପ୍ରତିଯୋଗିତାରେ ବିଫଳ ହୋଇ ବଜାର ତ୍ୟାଗ କରିବେ। ସଫଳ ପ୍ରତିଯୋଗୀମାନେ ନିଜର ଲାଭର ପୁନର୍ନିବେଶ ଘଟାଇ ନିଜର ବ୍ୟବସାୟର ସଂପ୍ରସାରଣ ଘଟାଇବା ସହିତ ସେଥିରେ ବ୍ୟବହୃତ ପ୍ରବିଧିରେ ମଧ୍ୟ ଉନ୍ନତି ସାଧନ କରିବେ। କ୍ରମେ ଏହି ସଫଳ ଉଦ୍ୟୋଗୀ ଓ ଅନ୍ୟମାନଙ୍କ ମଧ୍ୟରେ ଆୟ ଓ ସଂପଦର ବଣ୍ଟନରେ ତାରତମ୍ୟ ଦେଖାଦେବ ଓ ବୃଦ୍ଧି ପାଇବାରେ ଲାଗିବ। ଏହାଦ୍ବାରା କିନ୍ତୁ ଉପରେ କୁହାଯାଇଥିବା ଭଳି ଉଭୟ ଗୋଷ୍ଠୀର ସ୍ବାର୍ଥ ସାଧନ ଘଟିଥାଏ। (ଏଇ ନିୟମ ଅନୁସାରେ ସ୍ମିଥ୍‌ଙ୍କ ସମୟରେ ଏକ ବାରିକ ଦୋକାନରେ ଜଣେ କପର୍ଦ୍ଦକହୀନ ସହାୟକ ରୂପେ ନିଜର ଜୀବନ ଆରମ୍ଭ କରିଥିବା ବାଳକ ରିଚାର୍ଡ ଆର୍କରାଇଟ୍ ୧୭୯୨ରେ ୬୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ସମୟକୁ ଯେତିକି ସଂପଦ ଛାଡ଼ିଯାଇଥିଲେ ତାହାର ସେତେବେଳେ ମୂଲ୍ୟ ଥିଲା ୫,୦୦,୦୦୦ ପାଉଣ୍ଡ୍, ଯାହା ବର୍ତ୍ତମାନ ହେବ ପ୍ରାୟ ୧୦୦ ନିୟୁତ ପାଉଣ୍ଡ୍।) ଏହି ବୈଷମ୍ୟ ଥିଲା ପୁଞ୍ଜିବାଦର ମୂଳମନ୍ତ୍ର ଓ ସେ ସମୟରେ ବ୍ରିଟେନ୍‌ରେ ଆରମ୍ଭ ହେଉଥିବା କାରଖାନା କୈନ୍ଦ୍ରିକ ଶିଳ୍ପବିପ୍ଳବର ମୂଳଭିତ୍ତି।
ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ଏହି ବୈଷମ୍ୟ କିନ୍ତୁ ସାମ୍ୟବାଦର ସ୍ରଷ୍ଟା ମାର୍କ୍ସ ଓ ତାଙ୍କର ସହଯୋଗୀ ବନ୍ଧୁ ଏଙ୍ଗେଲ୍‌ସଙ୍କ ପାଇଁ ଗ୍ରହଣୀୟ ହେଲା ନାହିଁ। ମାର୍କ୍ସ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ଅର୍ଥନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ସାମାଜିକ ବ୍ୟବସ୍ଥାରେ ସର୍ବଦା ପରିବର୍ତ୍ତନ ଘଟି ଚାଲିଥାଏ। ଉଦାହରଣ ଛଳରେ ସେ କହିଥିଲେ ହସ୍ତଚାଳିତ କଳ ‌ଯୁଗ ସହିତ ଖାପ ଖାଇ ଯେଉଁ ସାମାଜିକ ବ୍ୟବସ୍ଥାର ଆବିର୍ଭାବ ଘଟିଥିଲା, ତାହା ଥିଲା ସାମନ୍ତବାଦ; ବାଷ୍ପଚାଳିତ କଳ ସୃଷ୍ଟି କରିଛି ପୁଞ୍ଜିପତି ଶିଳ୍ପପତିକୁ। ମାର୍କ୍ସଙ୍କ ମତରେ ରାଜନୈତିକ ଇତିହାସ ହେଉଛି ଶ୍ରେଣୀସଂଘର୍ଷର ଇତିହାସ, ଯାହାର ଫଳସ୍ବରୂପ ଏକ ନୂତନ ସାମାଜିକ ବ୍ୟବସ୍ଥା ପୁରାତନ ବ୍ୟବସ୍ଥାକୁ ସ୍ଥାନଚ୍ୟୂତ କରିଥାଏ। ସାମନ୍ତବାଦ ଅଧୀନରେ ଯେଉଁ ଭୂମିମାଲିକ ବା ଜମିଦାରମାନଙ୍କର ଆବିର୍ଭାବ ଘଟିଥିଲା, ପରବର୍ତ୍ତୀ ସମୟରେ ମୁଣ୍ଡ ଟେକିବାକୁ ଆରମ୍ଭ କରିଥିବା ମଧ୍ୟମବର୍ଗ ସେମାନଙ୍କୁ ବିରୋଧ କଲେ। ଏଇ ଶ୍ରେଣୀସଂଘର୍ଷରୁ ସୃଷ୍ଟି ହେଲେ ଏକ ନୂତନ ଅର୍ଥନୈତିକ ଶ୍ରେଣୀ- ପୁଞ୍ଜିପତି ଶିଳ୍ପୋଦ୍ୟୋଗୀ। ସାମନ୍ତବାଦର ସ୍ଥାନ ଦଖଲ କଲା ପୁଞ୍ଜିବାଦ। ଏହି ନୂତନ ବ୍ୟବସ୍ଥାରେ ଯେଉଁ ଦୁଇ ନୂତନ ପ୍ରତିପକ୍ଷ ଦେଖାଦେଲେ, ସେମାନେ ହେଲେ ଏହି ପୁଞ୍ଜିପତି ମାଲିକ ଓ ସେମାନଙ୍କର କାରଖାନାମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନେ। ଏମାନଙ୍କ ମଧ୍ୟରେ ସଂପଦ, ଆୟ ଓ ଉପଭୋଗର ବଣ୍ଟନରେ ଦେଖାଯାଉଥିବା ତୀବ୍ର ବୈଷମ୍ୟ ଏହି ଉଭୟ ଶ୍ରେଣୀ ମଧ୍ୟରେ ଯେଉଁ ସଂଘର୍ଷର ସୂତ୍ରପାତ କରିଥାଏ, ତାହା ଅନିବାର୍ଯ୍ୟ ଭାବରେ ସାମ୍ୟବାଦକୁ ଜନ୍ମ ଦେବ ବୋଲି ମାର୍କ୍ସ ଓ ଏଙ୍ଗେଲ୍‌ସ ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ (୧୮୪୮) ଓ ମାର୍କ୍ସ ‘ଦାସ୍ କ୍ୟାପିଟାଲ୍’ (୧୮୬୭)ରେ ଭବିଷ୍ୟବାଣୀ କରିଥିଲେ। ଉଭୟ ସାମନ୍ତବାଦୀ ଓ ପୁଞ୍ଜିବାଦୀ ସମାଜରେ ସଂପଦ, ଆୟ ଓ ଉପଭୋଗର ବଣ୍ଟନରେ ତୀକ୍ଷ୍‌ଣ ବୈଷମ୍ୟ ରହିଥିବା ବେଳେ ବା ପାଞ୍ଚ ଆଙ୍ଗୁଳି ମଧ୍ୟରେ ଘୋର ଅସମାନତା ରହିଥିବା ବେଳେ, ସାମ୍ୟବାଦର ନାମ ସୂଚାଉଥିବା ଭଳି ଏଥିରେ ସେଇ ବୈଷମ୍ୟ ସଂପୂର୍ଣ୍ଣ ରୂ‌େପ ଦୂରୀଭୂତ ହୋଇ ପାଞ୍ଚ ଆଙ୍ଗୁଳି ସଂପୂର୍ଣ୍ଣ ରୂ‌େପ ସମାନ ହୋଇଯିବ ବୋଲି ଆଶା କରାଯାଉଥିଲା।
୧୮୮୩ରେ ୬୫ ବର୍ଷ ବୟସରେ ମାର୍କ୍ସ ଇହଧାମ ତ୍ୟାଗ କଲେ। ସେ ଆଶା କରି ନ ଥିବା ଏକ ଦେଶ, ରୁଷିଆରେ ୧୯୧୭ରେ ଏକ ରକ୍ତାକ୍ତ ବିପ୍ଳବ ମାଧ୍ୟମରେ ପୃଥିବୀର ସର୍ବପ୍ରଥମ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ୍ ସଂଘ ପ୍ରତିଷ୍ଠିତ ହେଲା। ସେଠାରେ କିନ୍ତୁ ପାଞ୍ଚ ଆଙ୍ଗୁଳିଙ୍କୁ ସମାନ କରିବା ଚେଷ୍ଟା ସଂପୂର୍ଣ୍ଣ ବିଫଳ ହେବା ପରେ ଶେଷରେ ୧୯୯୧ରେ ତଥାକଥିତ ସାମ୍ୟବାଦୀ ସୋଭିଏତ୍ ସଂଘର ବିଲୟ ଘଟି ସେଠାରେ ପୁଞ୍ଜିବାଦର ପ୍ରତ୍ୟାବର୍ତ୍ତନ ଘଟିଲା। ପୃଥିବୀର ବର୍ତ୍ତମାନ ଏକମାତ୍ର ନାମମାତ୍ର ବୃହତ୍ ସାମ୍ୟବାଦୀ ଦେଶ ଚୀନ୍‌ରେ ଏବେ ବିଲିଅନେଆର୍‌ମାନଙ୍କର ସଂଖ୍ୟା ହେଉଛି ୫୧୬, ଯାହା ହେଉଛି ପୁଞ୍ଜିବାଦୀ ଆମେରିକା ପଛକୁ ପୃଥିବୀର ଦ୍ବିତୀୟ ସର୍ବାଧିକ।
ପୃଥିବୀରେ ମାନବ ଇତିହାସ ସାରା ସକଳ ଚେଷ୍ଟା ସତ୍ତ୍ବେ ତା’ ହେଲେ ପାଞ୍ଚ ଆଙ୍ଗୁଳିଙ୍କୁ ସମାନ କରାଯାଇ ପାରୁନାହିଁ କାହିଁକି? ଏ ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ବୋଧହୁଏ ମିଳିଥାଏ ବିଂଶ ଶତାବ୍ଦୀର ଅନ୍ୟତମ ସ୍ବନାମଧନ୍ୟ ଆମେରିକୀୟ ଦାର୍ଶନିକ ରବର୍ଟ ନୋଜିକ୍‌ଙ୍କ ଠାରୁ। ନୋଜିକ୍ ତାଙ୍କର ପୁସ୍ତକ, ‘ଆନାର୍କି, ଷ୍ଟେଟ୍ ଆଣ୍ଡ୍ ୟୁଟୋପିଆ’ରେ ବ୍ୟକ୍ତିର ସଂଜ୍ଞା ନିରୂପଣ କରି କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ହେଉଛି ଜଣେ ‘‘ଆତ୍ମ-ଅଧିକାରୀ’’। ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତିର ନିଜର ଶରୀର, ମନ ଓ ଦକ୍ଷତା ଉପରେ ଅବିଚ୍ଛେଦ୍ୟ ଅଧିକାର ରହିଥିବା ଭଳି ତା’ର ନିଜର ପାର୍ଥିବ ସଂପଦ ଉପରେ ମଧ୍ୟ ଅନୁରୂପ ଅଧିକାର ରହିଛି। ଟିକସ ମାଧ୍ୟମରେ ରାଷ୍ଟ୍ର ଏହି ସଂପଦକୁ ବ୍ୟକ୍ତିଠାରୁ ଛଡ଼ାଇ ନେଇ ତାହାର ପୁନର୍ବଣ୍ଟନ କରିବାକୁ ନୋଜିକ୍ ତେଣୁ ଆନୁଷ୍ଠାନିକ ଚୋରି ରୂପେ ବର୍ଣ୍ଣନା କରିଥିଲେ।
ଏଭଳି ଚୋରି ବ୍ୟବସ୍ଥା ପ୍ରତି ଅନ୍ତର୍ନିହିତ ବିରୋଧ ତେଣୁ ହେଉଛି ମନୁଷ୍ୟର ସହଜାତ ପ୍ରବୃତ୍ତି ବୋଲି କୁହାଯାଇପାରେ, ଯେଉଁ କାରଣରୁ ପାଞ୍ଚ ଆଙ୍ଗୁଳିଙ୍କୁ ସଂପୂର୍ଣ୍ଣ ସମାନ କରିବା ପାଇଁ ଉଦ୍ୟମ କେବେହେଲେ ସଫଳ ହୋଇନାହିଁ କି ହୋଇପାରିବ ନାହିଁ। ଅର୍ଥାତ୍ ‘ଜିନି ଇଣ୍ଡେକ୍‌ସ’ର ମୂଲ୍ୟ କେବେହେଲେ ଶୂନ ହୋଇପାରିବ ନାହିଁ। ତଥାପି ଏହି ପ୍ରାକୃତିକ ପ୍ରତିବନ୍ଧକ ସତ୍ତ୍ବେ ଏକ ଉଦାର ପୁଞ୍ଜିବାଦୀ ଢାଞ୍ଚା ମଧ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମିତ୍ତ ପ୍ରଗତିଶୀଳ ଟିକସ ଓ ଜନମଙ୍ଗଳ କାର୍ଯ୍ୟକ୍ରମମାନ ମାଧ୍ୟମରେ ଭାରତ ‘ଜିନି ଇଣ୍ଡେକ୍‌ସ’ ସୂଚାଉଥିବା ଭଳି ଏଠାରେ ପାଞ୍ଚ ଆଙ୍ଗୁଳି ମଧ୍ୟରେ ତାରତମ୍ୟ ହ୍ରାସ କରିବାରେ ଯେଉଁ ସଫଳତା ଅର୍ଜନ କରିଛି, ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ।
(ମତାମତ ଲେଖକଙ୍କ ନିଜସ୍ବ)
୫୨-ଏ, ଶିବ ନଗର
ଟଙ୍କପାଣି ରୋଡ୍, ଭୁବନେଶ୍ବର-୭୫୧୦୧୮
ମୋ: ୭୯୭୮୪୮୩୯୫୧