ଲକ୍ଷ୍ମୀଧର ମିଶ୍ର
୨୦୦୧ ମସିହା ଏପ୍ରିଲ ମାସ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏକ ସ୍ମରଣୀୟ କାଳ। ସେହି ବର୍ଷ ରାଜସ୍ଥାନର ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଲୋକ କ୍ଷୁଧା ଓ ଅନାହାର ଯୋଗୁଁ ଉତ୍ପୀଡ଼ିତ ହୋଇଥିଲେ। ଗୋଟିଏ ପଟରେ ସାଧାରଣ ଲୋକ ଏପରି ଉତ୍କଟ ସ୍ଥିତିର ଶିକାର ହୋଇଥିବା ବେଳେ ଅନ୍ୟ ପଟରେ ଭାରତୀୟ ଖାଦ୍ୟ ନିଗମର ଗୋଦାମମାନଙ୍କରେ ୬୦ ନିୟୁତ ମେଟ୍ରିକ୍ ଟନ୍ ଖାଦ୍ୟ ସାମଗ୍ରୀ ବହୁ ଦିନ ଧରି ପଡ଼ିରହିଥିବା ହେତୁ ନଷ୍ଟ ହେବା ଉପରେ ଥିଲା। ସୁତରାଂ, ‘ପିପୁଲସ୍ ୟୁନିଅନ୍ ଫର୍ ସିଭିଲ୍ ଲିବରଟିଜ୍’ (ପି.ୟୁ.ସି.ଏଲ୍.) ପକ୍ଷରୁ ଏ ସଂଦର୍ଭରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ଏକ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ପିଟିସନରେ ଖାଦ୍ୟ ସୁରକ୍ଷାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଲୋକଙ୍କ ଅନାହାର ମୃତ୍ୟୁ ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଡ଼ମ୍ବନାଟି ଥିଲା ଏହା ଯେ ଜନସାଧାରଣଙ୍କ ପାଇଁ ଖାଦ୍ୟ ଶସ୍ୟ ଆବଣ୍ଟନ ବ୍ୟବସ୍ଥା ଥାଇ ମଧ୍ୟ ଲୋକେ ଅନାହାର ମୃତ୍ୟୁର ଶିକାର ହୋଇଥିଲେ। ବଜାରରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଦରିଦ୍ରମାନଙ୍କ କ୍ରୟ ଶକ୍ତିର ବାହାରେ ଥିଲା। କ୍ରମାଗତ ତିନି ବର୍ଷ ଧରି ୩୦,୫୮୩ ଗଁାର ୩.୩ କୋଟି ଲୋକ ମରୁଡ଼ି ଦ୍ବାରା ଦ୍ବାରା ପ୍ରପୀଡ଼ିତ ହୋଇ ଚାଲିଥିଲେ। ରୋଜଗାର ଅଭାବ ହେତୁ ଲୋକେ ସାଧାରଣ ଭାବେ ଚଳିବା ଲାଗି ମଧ୍ୟ ଋଣଗ୍ରସ୍ତ ହୋଇ ପଡ଼ିଥିଲେ। ଦରିଦ୍ର ପରିବାରଗୁଡ଼ିକ ସଂପୂର୍ଣ୍ଣ ଭାବେ କୁପୋଷଣର ଶିକାର ହୋଇଥିବା ବେଳେ ସେମାନଙ୍କ ଗାଈଗୋରୁ ମଧ୍ୟ ମୃତ୍ୟୁର ଶିକାର ହୋଇଥିଲେ।
ଏହାର ଶୁଣାଣି କରି ନଭେମ୍ବର ୧୮, ୨୦୦୧ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପକ୍ଷରୁ ନ୍ୟାୟମୂର୍ତ୍ତି ଶ୍ରୀ ବି.ଏନ୍. କ୍ରିପାଲ୍ ଓ ନ୍ୟାୟମୂର୍ତ୍ତି ଶ୍ରୀ କେ.ଜି. ବାଳକୃଷ୍ଣନ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥା ଅନୁଯାୟୀ ଏକ ସର୍ବେକ୍ଷଣ କରାଯାଇ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ଚିହ୍ନଟ କରାଯାଉ; ପ୍ରତ୍ୟେକ ପରିବାରକୁ ଏକ ରାସନ କାର୍ଡ ଦିଆଯାଉ ଯାହା ମାଧ୍ୟମରେ ପ୍ରତି ପରିବାରକୁ ମାସିକ ୨୫ କିଲୋଗ୍ରାମ ଖାଦ୍ୟଶସ୍ୟ ଦିଆଯାଉ।
୨୦୦୬ ମସିହା, ଜୁଲାଇ ୧୨ ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପକ୍ଷରୁ ଏକ ସତର୍କତା କମିଟି ଗଠନ କରାଗଲା। ସୁଷମ ଖାଦ୍ୟ ବଣ୍ଟନ ପ୍ରଣାଳୀ ବିପର୍ଯ୍ୟସ୍ତ ହେବାର କାରଣକୁ ଅନୁସନ୍ଧାନ କରି ନ୍ୟାୟାଳୟଙ୍କୁ ଅବଗତ କରାଇବା ଥିଲା ଏହି କମିଟିର ଦାୟିତ୍ବ। ଏତଦ୍ବ୍ୟତୀତ ଅନ୍ତ୍ୟୋଦୟ ଅନ୍ନ, ମଧ୍ୟାହ୍ନ ଭୋଜନ, ବାର୍ଦ୍ଧକ୍ୟ ପେନସନ, ଅନ୍ନପୂର୍ଣ୍ଣା, ରାଷ୍ଟ୍ରୀୟ ମାତୃ ସୁରକ୍ଷା ଭଳି ଯୋଜନାର ସଫଳ ରୂପାୟନ ଉପାରେ ମାନ୍ୟବର ଅଦାଲତ ଗୁରୁତ୍ବ ଦେଇଥିଲେ। ମୋଟାମୋଟି ଭାବେ ଦେଶର ପ୍ରତ୍ୟେକ ନାଗରିକ ସକାଶେ ଖାଦ୍ୟ ସୁରକ୍ଷାର ଅନିବାର୍ଯ୍ୟତା ଥିଲା ମୂଳ ପ୍ରସଙ୍ଗ।
ଏବେ ବୁଝିବାକୁ ଚେଷ୍ଟା କରିବା ଖାଦ୍ୟ ସୁରକ୍ଷାର ବାସ୍ତବ ପରିଭାଷାଟି କ’ଣ? ସରଳ ଭାଷାରେ କହିଲେ ଏହା ହେଉଛି, ‘ସବୁ ସମୟରେ ଏକ ସୁସ୍ଥ ଓ କର୍ମଠ ଜୀବନଯାପନ ପାଇଁ ନିରାପଦ ଓ ପୋଷକ ଆହାରର ଉପଲବ୍ଧତା, ଯାହା ପ୍ରତ୍ୟେକ ବ୍ୟକ୍ତିର ଏକ ମୌଳିକ ଅଧିକାର। ପ୍ରତ୍ୟେକ ଲୋକ ତା’ର ରୁଚି ଓ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ପାଇବା ଜରୁରି, ଯଦ୍ଦ୍ବାରା ସେ ଏକ ସୁସ୍ଥ ଓ କର୍ମଠ ଜୀବନ ବଞ୍ଚି ପାରିବ। ଏହି ପରିପ୍ରେକ୍ଷୀରେ ଭାରତରତ୍ନ ପ୍ରଫେସର ଏମ୍.ଏସ୍. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ରାଷ୍ଟ୍ରୀୟ କୃଷକ ଆୟୋଗ ଦ୍ବାରା ପରିଭାଷିତ ଖାଦ୍ୟ ସୁରକ୍ଷା ବିଷୟରେ ଜାଣିବା ଉଚିତ, ଯାହା ତା’ର ସଂଜ୍ଞା ଦୃଷ୍ଟିରୁ ଅଧିକ ବ୍ୟାପକ।
ସ୍ବାମୀନାଥନଙ୍କ ଅନୁସାରେ ଖାଦ୍ୟ ସୁରକ୍ଷା ବୋଇଲେ କୌଣସି ବ୍ୟକ୍ତି ଲାଗି ସନ୍ତୁଳିତ ଆହାର ପାଇବାରେ ବସ୍ତୁଗତ, ଆର୍ଥିକ, ସାମାଜିକ ଓ ପରିବେଶଗତ ବାଧା ନ ରହିବା। ସେ ଯେଉଁ ସନ୍ତୁଳିତ ଆହାର କଥା କହିଥିଲେ, ତହିଁରେ ଉଭୟ ବଡ଼ ଓ ଛୋଟ ଦାନାର ଖାଦ୍ୟ ଶସ୍ୟ ସହିତ ଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ପରିବେଶଗତ ସ୍ବଚ୍ଛତା, ସାଧାରଣ ପରିଚ୍ଛନ୍ନତା, ସୁଲଭ ଓ ସ୍ବଳ୍ପ ମୂଲ୍ୟରେ ସ୍ବାସ୍ଥ୍ୟ ସେବା, ଶିକ୍ଷା (ଉଭୟ ପିଲା ଓ ବୟସ୍କମାନଙ୍କ ପାଇଁ) ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତ। କହିବା ବାହୁଲ୍ୟ, ଏ ସବୁର ସନ୍ତୁଳିତ ସମ୍ମିଶ୍ରଣ ଏକ ସୁସ୍ଥ, ନିରୋଗ ଓ କର୍ମଠ ଜୀବନଯାପନ ପାଇଁ ଏକାନ୍ତ ଆବଶ୍ୟକ। ସ୍ବାମୀନାଥନ କହିଥିଲେ ଯେ ଏହି ସମସ୍ତ ବିଷୟରୁ କିଛି ବା ସମସ୍ତର ଅଭାବର ଅର୍ଥ ହେଲା ଖାଦ୍ୟ ଅସୁରକ୍ଷା।
ଖାଦ୍ୟ ସୁରକ୍ଷାକୁ ମାପିବା ପାଇଁ ଆମକୁ କେତେକ ବିଷୟ ଉପେର ଧ୍ୟାନ ଦେବାକୁ ପଡ଼ିବ। ସେଗୁଡ଼ିକ ହେଲେ, ମୁଣ୍ଡପିଛା ଖାଦ୍ୟ ସାମଗ୍ରୀର ଉପଲବ୍ଧତା, ମୁଣ୍ଡପିଛା କ୍ୟାଲୋରି (ଗ୍ରାମାଞ୍ଚଳରେ ଜଣେ କର୍ମଠ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ୨୪୦୦ କ୍ୟାଲୋରି ଓ ସହରାଞ୍ଚଳ ପାଇଁ ୨୧୦୦ କ୍ୟାଲୋରି) ଆହରଣ, ଉପଲବ୍ଧ ଖାଦ୍ୟ ସାମଗ୍ରୀର ବିବିଧତା ଇତ୍ୟାଦି। ସଂପ୍ରତି ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛେ। ସେହି ଦୃଷ୍ଟିରୁ ଆମ ଦେଶ ଏକ ଖାଦ୍ୟ ଶସ୍ୟ ବଳକା ଦେଶ। ମାତ୍ର ବଣ୍ଟନ ପ୍ରକ୍ରିୟାରେ ଥିବା ଅସଂଗତି ହେତୁ ମୁଣ୍ଡ ପିଛା ଆହାରର ଉପଲବ୍ଧତା ଓ ଉପଭୋଗ୍ୟତା ବହୁ ପରିମାଣରେ ହ୍ରାସ ପାଇଥାଏ। ଧାନ, ଗହମ, ଡାଲି ଇତ୍ୟାଦି ଭଳି ଖାଦ୍ୟ ପାଇବା ସଂଦର୍ଭରେ ସମାଜର ଉପର ଓ ନିମ୍ନ ସ୍ତର ମଧ୍ୟରେ ବହୁତ ତାରତମ୍ୟ ରହିଛି। ଉଚ୍ଚ ମାନର ଖାଦ୍ୟ (ଫଳ, ସବୁଜ ପରିବା, ଅଣ୍ଡା, ଦୁଧ, ମାଛ ଓ ମାଂସ) କ୍ଷେତ୍ରରେ ମଧ୍ୟ ବୈଷମ୍ୟ ଅତ୍ୟନ୍ତ ତୀବ୍ର। ଆମ ଜନସଂଖ୍ୟାର ନିମ୍ନତର େସାପାନରେ ଥିବା ୫୦% ଲୋକ ସେମାନଙ୍କ ଆହାରରୁ ଉଦ୍ଦିଷ୍ଟ କ୍ୟାଲୋରି ପାଇ ନ ଥାଆନ୍ତି। ଅନୁସୂଚିତ ଜାତିର ସଦସ୍ୟମାନଙ୍କ ସକାଶେ ସ୍ବଚ୍ଛ ପିଇବା ପାଣି ମଧ୍ୟ ଅନେକତ୍ର ଦୁଷ୍ପ୍ରାପ୍ୟ ହୋଇପଡ଼େ, କାରଣ ଜନସାଧାରଣ ବ୍ୟବହାର କରୁଥିବା କୂପ ବା ପୁଷ୍କରିଣୀକୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ସେମାନଙ୍କ ପହଞ୍ଚର ବାହାରେ ରଖାଯାଏ। ପୁଣି ନିଯୁକ୍ତିହୀନତା, ନିଯୁକ୍ତିରେ ଅସ୍ଥିରତା ଓ ମଜୁରିରେ ଅସ୍ଥିରତା ଭଳି କେତେକ କାରଣ ହେତୁ ଦରିଦ୍ରମାନଙ୍କ କ୍ରୟ ଶକ୍ତି ଅତି ଦୁର୍ବଳ, ଯାହା ମୁଦ୍ରାସ୍ଫୀତି ଭଳି ସ୍ଥିତିରେ ଭୁଶୁଡ଼ି ପଡ଼େ। ସେହି ଭଳି ବୃଦ୍ଧ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା, ଅନାଥ ଶିଶୁ, ଉତ୍କଟ ବ୍ୟାଧିଗ୍ରସ୍ତ ବ୍ୟକ୍ତି, ପରିତ୍ୟକ୍ତ ମହିଳା ଓ ଶିଶୁଙ୍କ ସକାଶେ ଏବଂ ପ୍ରାକୃତିକ ଦୁର୍ବିପାକ, ସାମ୍ପ୍ରଦାୟିକ ଦଙ୍ଗା, ଯୁଦ୍ଧ, ଆଭ୍ୟନ୍ତରୀଣ ଅଶାନ୍ତି ଓ ବିଭିନ୍ନ ପ୍ରକାର ଉପଦ୍ରବ ପରିପ୍ରେକ୍ଷୀରେ ଖାଦ୍ୟ ସୁରକ୍ଷା ତୀବ୍ର ଭାବେ ବାଧାପ୍ରାପ୍ତ ହୋଇଥାଏ।
‘ଅନ୍ତଃରାଷ୍ଟ୍ରୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଆମ ଦେଶର ୧୭ଟି ପ୍ରମୁଖ ରାଜ୍ୟର ଏକ ଅନୁଧ୍ୟାନ କରାଯାଇଛି। ସେଥିରେ ଜନସଂଖ୍ୟାର ୯୫% ଅଂଶକୁ ନିମ୍ନ, ମଧ୍ୟମ ଓ ଉଦ୍ବେଗପୂର୍ଣ୍ଣ ଶ୍ରେଣୀରେ ବିଭାଜିତ କରାଯାଇଛି। ଏହି ଆକଳନ ଅନୁସାରେ କ୍ଷୁଧା ଓ ଅନାହାର ସ୍ଥିତି ଉତ୍କଟ ଓ ପରିବ୍ୟାପ୍ତ ଏବଂ କୌଣସି ରାଜ୍ୟ ଏହି ସ୍ଥିତିରୁ ସଂପୂର୍ଣ୍ଣ ମୁକ୍ତ ନୁହେଁ। ରାଜ୍ୟ ସ୍ତରରେ ଆର୍ଥିକ ଅଭିବୃଦ୍ଧି ହାର ଅଧିକ ହେଲେ ମଧ୍ୟ ଏହା କ୍ଷୁଧା ଓ ଅନାହାର ଭଳି ସ୍ଥିତିକୁ ପ୍ରଭାବିତ କରିପାରି ନାହିଁ। ସେହି ୧୭ଟି ରାଜ୍ୟରୁ ମାତ୍ର ପାଞ୍ଚଟି ରାଜ୍ୟ, ଯଥା ଆସାମ, ଆନ୍ଧ୍ରପ୍ରଦେଶ, ହରିୟାଣା, ପଞ୍ଜାବ ଓ କେରଳର ସ୍ଥିତି ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ସନ୍ତୋଷଜନକ। ବାକି ୧୨ଟି ରାଜ୍ୟର ସ୍ଥିତି ଚିନ୍ତାଜନକ, ଯହିଁରୁ ୪ଟି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ। ସେହି ରାଜ୍ୟ ଚାରିଟି ହେଲେ ଛତିଶଗଡ଼ (୨୬.୬୫%), ବିହାର (୨୭.୮୦%), ଝାଡ଼ଖଣ୍ଡ (୧୮.୬୭%), ମଧ୍ୟପ୍ରଦେଶ (୩୦%)। ଓଡ଼ିଶା ଜନସଂଖ୍ୟାର ୪୬.୩୭% ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ମଧ୍ୟ ବିଶ୍ବ କ୍ଷୁଧା ସୂଚକାଙ୍କ (୨୩.୭୯%) ଅନୁଯାୟୀ ଏଠାରେ ଖାଦ୍ୟ ସୁରକ୍ଷା ସ୍ଥିତି ନେଇ ଉଦ୍ବେଗର କାରଣ ନାହିଁ।
ତେବେ ଖାଦ୍ୟ ସୁରକ୍ଷାର ଅଭାବରୁ ଆମ ଦେଶର ଶିଶୁମାନଙ୍କ ପୋଷଣ ସ୍ଥିତି କେଉଁ ସ୍ତରରେ ପହଞ୍ଚିଛି, ତା’ ଉପରେ ଏବେ ଦୃଷ୍ଟି ପକାଯାଉ। ଜନ୍ମରୁ ୩ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗରେ ୪୭% ଶିଶୁଙ୍କ ଓଜନ ମାନକ ହାରାହାରି ଓଜନରୁ କମ୍। ସମାନ ଶତାଂଶ ପିଲାମାନଙ୍କର ଶାରୀରିକ ବୃଦ୍ଧି ସଂକୁଚିତ। ଏହି ପିଲାମାନଙ୍କ ମଧ୍ୟରୁ ପ୍ରାୟ ୫୮% (୬ ବର୍ଷରୁ କମ୍) ରକ୍ତହୀନତାର ଶିକାର। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାର ୫୬%। ସେମିତି ୧୫-୪୯ ବର୍ଷ ବୟସ୍କା ମହିଳାମାନଙ୍କ ଭିତରୁ ୫୩% ରକ୍ତହୀନତାର ଶିକାର। ଗର୍ଭବତୀ ମହିଳାମାନେ ଗର୍ଭସ୍ଥ ଶିଶୁମାନଙ୍କ ସକାଶେ ଲୋଡ଼ା ପୋଷଣରୁ ବଞ୍ଚିତ ହୁଅନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ଖାଦ୍ୟ ଅସୁରକ୍ଷା ସ୍ଥିତି ଆହୁରି ଉତ୍କଟ। ପ୍ରାୟ ୬୦% ଅନୁସୂଚିତ ଜନଜାତି ଓ ୫୩.୨% ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଶାରୀରିକ ଅଭିବୃଦ୍ଧି ସନ୍ତୋଷଜନକ ନୁହେଁ। ଅନୁସୂଚିତ ଜନଜାତି ମହିଳାମାନଙ୍କ ମଧ୍ୟରୁ ୬୮.୫% ରକ୍ତହୀନତାର ଶିକାର। ଅନୁସୂଚିତ ଜାତି ମହିଳାମାନଙ୍କ କ୍ଷେତ୍ରରେ ଏହି ହାର ୫୮.୩%।
ଏହା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଆମେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସିତ ହେଉଥିବାରୁ ଓ ସଜାଗ ଓ ସତର୍କ ସରକାରଙ୍କ ତତ୍କାଳ ହସ୍ତକ୍ଷେପ ହେତୁ କୌଣସି ରାଜ୍ୟରେ ବ୍ରିଟିସ ଶାସନ କାଳରେ ହେଉଥିବା ଭଳି ଅତି ଉତ୍କଟ ଦୁର୍ଭିକ୍ଷ ପରିସ୍ଥିତି ଉପୁଜୁ ନାହିଁ, ଯଦିଓ ସମୟ ସମୟରେ ଅନାହାରଜନିତ ମୃତ୍ୟୁ ନେଇ ଅଭିଯୋଗ ଓ ସମ୍ବାଦ ବାହାରୁଛି। କହିବା ଅନାବଶ୍ୟକ ଯେ ଖାଦ୍ୟ ସୁରକ୍ଷା ନାଗରିକର ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ ହେବା ପରେ ପ୍ରତ୍ୟେକ ବ୍ୟକ୍ତିକୁ ଖାଦ୍ୟ ଯୋଗାଇବା ସରକାରଙ୍କ ଦାୟିତ୍ବ ହୋଇ ପଡ଼ିଛି। କିନ୍ତୁ ଖାଦ୍ୟ ସୁରକ୍ଷା ବିଷୟଟି ଯେ କେବଳ ଖାଦ୍ୟ ଉପଲବ୍ଧତା ମାତ୍ରରେ ସୀମିତ ନ ହୋଇ ସନ୍ତୁଳିତ ଆହାର ଲାଭ କରିବା ଏବଂ ରୋଗମୁକ୍ତ କର୍ମଠ ଜୀବନ ଜିଇବାର ସାମର୍ଥ୍ୟ ପ୍ରଦାନ କରିବା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ, ତାହା କେହି ଭୁଲଯିବା ଉଚିତ ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୦୯୫୬୦୨୦୨୩୫୨