ଗତ ବର୍ଷ ଡିସେମ୍ବରରେ ‘୯ ମାସରେ ୩୦ ହଜାର ବିଦେଶୀ ପର୍ଯ୍ୟଟକ’ ଶିରୋନାମାରେ ଗୋଟିଏ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେଥିରେ ପ୍ରକାଶିତ ତଥ୍ୟଗୁଡ଼ିକ ସରକାର ଯୋଗାଇଛନ୍ତି। ପୂର୍ବାନୁଭୂତି ହେଲା, ବର୍ଷ ଶେଷ ହେବାର ବହୁ ମାସ ବିତିଯିବା ପରେ ମଧ୍ୟ ପରିସଂଖ୍ୟାନ ମିଳେ ନାହିଁ। କିନ୍ତୁ ମନେ ହେଲା ୯ ମାସର ତଥ୍ୟ ସରକାର ଆଗଭର ହୋଇ ଯୋଗାଇ ଦେଇଛନ୍ତି। ଦ୍ବିତୀୟ ପରିବର୍ତ୍ତନ ଦେଖାଗଲା ବିଦେଶୀ ପର୍ଯ୍ୟଟକ ଆଗମନ ଉପରେ ଗୁରୁତ୍ବାରୋପ। ଏତେ ଦିନ ସରକାର କ୍ରମବର୍ଦ୍ଧମାନ ଘ‌େରାଇ ପର୍ଯ୍ୟଟକ ସଂଖ୍ୟାକୁ ନେଇ ଆସ୍ଫାଳନ କରୁଥିଲେ। ମନେହୁଏ ବର୍ତ୍ତମାନ ବିଦେଶୀ ମୁଦ୍ରା ଅର୍ଜନର ଅବଶ୍ୟକତା ସରକାର ବୁଝି ପାରିଛନ୍ତି। ତେବେ ଉପଲବ୍‌ଧି ଓ କାର୍ଯ୍ୟକାରୀ ପଦକ୍ଷେପ ମଧ୍ୟରେ ଅନେକ ବ୍ୟବଧାନ ରହିଛି। ଏହି ଲେଖାରେ ସେ ସମ୍ପର୍କରେ ଆଲୋଚନା କରିବା।
୨୦୦୪ ଠାରୁ ୨୦୨୨-୨୩ ଯାଏ ଉପଲବ୍‌ଧ ସରକାରୀ ତଥ୍ୟ ଅନୁଯାୟୀ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ପ୍ରଥମେ ତୁଳନାତ୍ମକ ଦୃଷ୍ଟି ପକାଇବା। ବିଗତ ୨୦ ବର୍ଷରେ ଘରୋଇ ପର୍ଯ୍ୟଟକ ହାର ସର୍ବନିମ୍ନ ୯୯.୨୮ ପ୍ରତିଶତ ଓ ସର୍ବାଧିକ ୯୯.୪୪ ପ୍ରତିଶତ ମଧ୍ୟରେ ଉପର ତଳ ହୋଇଛି। ବିଦେଶୀ ପର୍ଯ୍ୟଟକ ହାର ଶତକଡ଼ା ୧ ପ୍ରତିଶତ ମଧ୍ୟ କେବେ ହେଲେ ଛୁଇଁ ନାହିଁ। ଓଡ଼ିଶାର ଘରୋଇ ପର୍ଯ୍ୟଟକଙ୍କ ଭାଗ ୪୯.୧ ପ୍ରତିଶତ ଠାରୁ ୬୦ ପ୍ରତିଶତ ମଧ୍ୟରେ ଏବଂ ଓଡ଼ିଶା ବାହାରୁ ଆସୁଥିବା ଘରୋଇ ପର୍ଯ୍ୟଟକଙ୍କ ଭାଗ ୩୯.୨୩ ପ୍ରତିଶତ ଠାରୁ ୫୦.୧ ପ୍ରତିଶତ ମଧ୍ୟରେ ରହିଆସିଛି। ତେଣୁ କହିଲେ ଭୁଲ୍ ହେବ ନାହିଁ ଯେ ଅାମର ପର୍ଯ୍ୟଟନ ଶିଳ୍ପ ମୁଖ୍ୟତଃ ଓଡ଼ିଶା ଭିତର ପର୍ଯ୍ୟଟକ ସେବାରେ ନିୟୋଜିତ। ଏମାନେ ରାଜକୋଷକୁ କିଛି ଆଣୁ ନାହାନ୍ତି; ବିକ୍ରୟ ଟିକସ ଆକାରରେ ଯାହା ଆସୁଛି ତାହାକୁ ବାମ ପକେଟରୁ ଡାହାଣ ପକେଟକୁ ଦେବା ସହିତ ସମାନ। ଅବଶ୍ୟ ପର୍ଯ୍ୟଟନ ସ୍ଥଳଗଡ଼ିକର ଉନ୍ନୟନ ହେଉଛି ଏବଂ କିଛି ଲୋକଙ୍କୁ ନିଯୁକ୍ତି ମିଳୁଛି।
ବର୍ତ୍ତମାନ ଦେଖାଯାଉ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ କେଉଁଠି? ଭାରତ ସରକାର ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ୨୦୨୦ ଓ ୨୦୨୧ରେ ଯଥାକ୍ରମେ ଘରୋଇ ଓ ବିଦେଶୀ ବିଭାଗରେ ଓଡ଼ିଶାର ସ୍ଥାନ ଯଥାକ୍ରମେ ୧୮ ଓ ୨୦। ଓଡ଼ିଶାରେ ବିଦେଶୀ ପଦପାତ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ରେ ଲକ୍ଷେ ଟପିଥିଲା- ଯଥାକ୍ରମେ ୧,୦୨,୯୯୫, ୧,୧୩,୭୨୧ ଓ ୧,୦୦,୫୬୭। ତାହା ପୂର୍ବେ ଅଥବା ପରେ ନୁହେଁ। ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗ, ପଞ୍ଜାବ ଓ କେରଳରେ ଦର୍ଶନୀୟ ସ୍ଥାନ ଅଳ୍ପ। ତଥାପି ୨୦୧୮ରେ ପଶ୍ଚିମବଙ୍ଗକୁ ୧୬.୧୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ଓ ୮.୫୬ କୋଟି ଘରୋଇ ପର୍ଯ୍ୟଟକଙ୍କ ପଦପାତ ହୋଇଥିଲା। ସେହି ବର୍ଷ ୧୨ ଲକ୍ଷ ବିଦେଶୀ ଓ ୪.୭୩ କୋଟି ଘରୋଇ ପର୍ଯ୍ୟଟକ ପଞ୍ଜାବ ବୁଲିଥିଲେ। କେରଳରେ ଏହି ସଂଖ୍ୟା ଯଥାକ୍ରମେ ୧୦.୯୬ ଲକ୍ଷ ଓ ୧.୫୬ କୋଟି ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୧.୧୦ ଲକ୍ଷ ଓ ୧.୫୨ କୋଟି ଥିଲା।
ଓଡ଼ିଶା ତୁଳନାରେ ଉପରୋକ୍ତ ତିନିଟି ରାଜ୍ୟରେ ଦର୍ଶନୀୟ ସ୍ଥାନ ଅଳ୍ପ ଥିଲେ ମଧ୍ୟ ଏ‌େତ ଅଧିକ ବିଦେଶୀ ପର୍ଯ୍ୟଟକ କାହିଁକି ଆକର୍ଷିତ ହେଉଛନ୍ତି ତାହା ଅନୁଶୀଳନଯୋଗ୍ୟ। କେରଳର ଦୁଇଟି ଉଦାହରଣ ଦେଖିବା। କାଶ୍ମୀରର ହାଉସ୍‌ ବୋଟ୍ ବିଶ୍ବ ବିଖ୍ୟାତ। କେରଳର ନିଶ୍ଚଳ ନଦୀମାନଙ୍କରେ ଏହାର ପ୍ରତିରୋପଣ କାର୍ଯ୍ୟକାରୀ ହୋଇ ପାରିଛି। ଅନ୍ୟଟି ହେଉଛି ଜଟାୟୁ ନେଚର୍ ପାର୍କ। କେରଳର ଗୋଟିଏ ଥୁଣ୍ଟା ପାହାଡ଼ ମୁଣ୍ଡରେ ମଲା ଗଛଟିଏ ଶାଖା ମେଲାଇ ଥିଲା। ତାହାକୁ ରାବଣ ସହିତ ଯୁଦ୍ଧ କରିଥିବା ଜଟାୟୁ ନାମ ଦେଇ ଏବଂ ସେଠାକାର କିଛି ପରିଚର୍ଯ୍ୟା କରି କେରଳ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଓଡ଼ିଶାର ଇକୋ ରିଟ୍ରିଟ୍ ଗୋଟିଏ ଉତ୍ତମ ପ୍ରକଳ୍ପ। ତେବେ ତାହା କୋଣାର୍କ ବେଳାଭୂମିରେ ଅଥବା ଟିକରପଡ଼ା ତଟରେ କାହିଁକି କାର୍ଯ୍ୟକାରୀ ହୋଇଛି? ଜଳକ୍ରୀଡ଼ା ପାଇଁ ଏ ଦୁଇଟି ସ୍ଥାନ ଅନୁପଯୁକ୍ତ। କୋଣାର୍କ ସମୁଦ୍ର ଉଚ୍ଛଳ ଓ ଟିକରପଡ଼ା ଗଣ୍ଡରେ କୁମ୍ଭୀର ବାସ କରନ୍ତି।
ଓଡ଼ିଶାର ଦୃଷ୍ଟି ଆଜି ମଧ୍ୟ ତଥାକଥିତ ‘ସ୍ବର୍ଣ୍ଣ ତ୍ରିଭୁଜ’ ବାହାରକୁ ଯାଉ ନାହିଁ। ହୀରାକୁଦର ନାମ ନିଆଯାଉଛି ସତ କିନ୍ତୁ ତାକୁ ଆକର୍ଷଣୀୟ କରିବାକୁ କ’ଣ କରାଯାଇଛି? ଧାର୍ମିକ ପର୍ଯ୍ୟଟନ ଏକ ବହୁ ପ୍ରଚାରିତ କଥା। ବିଗତ ନବକଳେବର ସମୟରେ ବିଶ୍ବବ୍ୟାପୀ କୋଟି କୋଟି ଟଙ୍କା ବ୍ୟୟ କରି ଫଳ କ’ଣ ମିଳିଲା ଆମେ ଦେଖିସାରିଛୁ; ପୂର୍ବ ବର୍ଷ ତୁଳନାରେ ୫୦୦୦ ଜଣ କମ୍ ବିଦେଶୀ ପର୍ଯ୍ୟଟକ ଆସିଲେ। ଇଦାନିଂ ଛୋଟ ବଡ଼ ବହୁ ମନ୍ଦିରର ନବ ରୂପାୟନର ସୁଅ ଛୁଟୁଛି। ସେଥିରେ ନା ହେବ ସମାଜର ଅାଧ୍ୟାତ୍ମିକ ଉନ୍ନତି ନା ବଢ଼ିବ ପର୍ଯ୍ୟଟନ। ସମୁଦ୍ର ନ ଥିଲେ କୌଣସି ବିଦେଶୀ ପର୍ଯ୍ୟଟକ ପୁରୀ ଆସନ୍ତେ ନାହିଁ, କାରଣ ସେମାନଙ୍କୁ ମନ୍ଦିର ପ୍ରବେଶ ମନା। କୋଣାର୍କ ମନ୍ଦିର ବେଢ଼ା ମଧ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଅନୁମତି ଅଛି କିନ୍ତୁ ସେଠାରୁ ମଧ୍ୟ ବିଦେଶୀ ପର୍ଯ୍ୟଟକ ମୁହଁ ମୋଡ଼ି ନେଲେଣି। ଅଥଚ ନୂତନ ସୂର୍ଯ୍ୟ ମନ୍ଦିର ଗଢ଼ିବା କଥା ଉଠିଲେ ଐତିହ୍ୟପ୍ରେମୀ ଓଡ଼ିଆ ତଥା ସରକାର ମୁହଁ ମୋଡ଼ି ଦେଉଛନ୍ତି। ଆବୁଧାବିରେ ଭାରତୀୟ ମୂଳ ‘ଗ୍ରାଣ୍ଡ୍‌ ହୋଟେଲ୍’ ଯେବେ ତାଜମହଲର ନକଲ ଗଢ଼ି ପାରନ୍ତି, ଓଡ଼ିଶାର ହୋଟେଲ ମାଲିକମାନେ କ’ଣ ନୂତନ ସୂର୍ଯ୍ୟ ମନ୍ଦିର ଗଢ଼ି ପାରନ୍ତେ ନାହିଁ? ବର୍ତ୍ତମାନ ପଞ୍ଚତାରକା ହୋଟେଲ ଠାରୁ ମଧ୍ୟମ ବର୍ଗୀୟ ସୁନ୍ଦର ତଥା ପରିଚ୍ଛନ୍ନ ହୋଟେଲ ଦରକାର। ତାହା ଠାରୁ ଅଧିକ ଦରକାର ସହୃଦୟ ଆତିଥେୟତା। ଏ ଦିଗରେ ଦକ୍ଷିଣ ଭାରତ ବହୁ ଆଗରେ। ଦୃଢ଼ ଇଚ୍ଛାଶକ୍ତି ଓ ନୂଆ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କଲେ ଓଡ଼ିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଗୋଟିଏ ଅଗ୍ରଣୀ ପର୍ଯ୍ୟଟକ ହବ୍‌ ରୂପେ ଉଭା ହୋଇ ପାରିବ।
ମୋ: ୯୪୩୯୩୬୬୮୫୨