ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉତ୍ତପ୍ତୀକରଣ ଭଳି ସମସ୍ୟାରେ ଜର୍ଜର ବିଶ୍ୱବାସୀ ଆତ୍ମରକ୍ଷା ପାଇଁ ସଂଗ୍ରାମରତ। ବୈଜ୍ଞାନିକ, ବୁଦ୍ଧିଜୀବୀ, ବିଶେଷଜ୍ଞ ଓ ରାଷ୍ଟ୍ର ମୁଖ୍ୟମାନେ ୧୯୯୫ ମସିହାରୁ ଆନୁଷ୍ଠାନିକ ଭାବେ ଶୀର୍ଷ ସ୍ତରୀୟ ସମ୍ମିଳନୀମାନ ଆୟୋଜନ କରି ସ୍ଥିତିର ସମୀକ୍ଷା କରୁଛନ୍ତି ଏବଂ ସୁଧାର ନିମନ୍ତେ ବାର୍ଷିକ ବିଚାରବିମର୍ଶ ଜାରି ରଖିଛନ୍ତି। ୨୦୧୫ ମସିହାର ପ୍ୟାରିସ୍ ରାଜିନାମାରେ ସ୍ଥିର କରାଯାଇଥିଲା ଯେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଧରିତ୍ରୀର ତାପମାତ୍ରାକୁ ପ୍ରାକ୍-ଶିଳ୍ପ ବିପ୍ଳବ ସମୟର ସ୍ତର ଠାରୁ ଅଧିକ ୧.୫ ଡିଗ୍ରି ସେଲ୍ସିଅସ୍ ଭିତରେ ସୀମିତ ରଖାଯିବ। ସେ ଦିଗରେ ଊଣାଅଧିକେ ପ୍ରୟାସ ଚାଲିଛି ଏବଂ ଏ ନେଇ ଏବେ ଆଉ କାହା ମନରେ ସନ୍ଦେହ ନାହିଁ ଯେ ଆମ ବାୟୁମଣ୍ଡଳରେ ‘ସବୁଜ ଗୃହ ବାଷ୍ପ’ ବା ‘ଗ୍ରିନ୍ ହାଉସ୍ ଗ୍ୟାସ’ ପରିମାଣରେ କ୍ରମାଗତ ବୃଦ୍ଧି ହିଁ ହେଉଛି ବିଶ୍ବ ତାପମାନ ବୃଦ୍ଧିର କାରଣ। ଏହା ମଧ୍ୟ ସର୍ବଜ୍ଞାତ ଯେ ସମାଧାନର ସୂତ୍ର ରହିଛି ବୃକ୍ଷ ରୋପଣରେ।
ବାୟୁମଣ୍ଡଳରେ ଅନିଷ୍ଟକାରୀ ଓ ତାପ ବନ୍ଧନକାରୀ ‘ଗ୍ରିନ୍ ହାଉସ୍ ଗ୍ୟାସଗୁଡ଼ିକ, ବିଶେଷ କରି ଏହାର ସିଂହଭାଗ ଅର୍ଥାତ୍ ଅଙ୍ଗାରକାମ୍ଳ (୭୬%)କୁ ଯଥାଶୀଘ୍ର ଓ ଯଥା ସମ୍ଭବ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ପ୍ରଥମ ଆବଶ୍ୟକତା ହେଲା ଏଭଳି ଗ୍ୟାସ ନିର୍ଗମନକୁ ରୋକାଯିବା ଏବଂ ଦ୍ବିତୀୟଟି ହେଲା ବୃକ୍ଷ ମାଧ୍ୟମରେ ବାୟୁମଣ୍ଡଳରୁ ଏହି ଗ୍ୟାସଗୁଡ଼ିକୁ ଶୋଷି ନେବା।
ଉଲ୍ଲେଖଯୋଗ୍ୟ ହେଲା, ପତ୍ର ଠାରୁ ଚେର ପର୍ଯ୍ୟନ୍ତ ବୃକ୍ଷର ସମଗ୍ର ଶରୀର ଅଙ୍ଗାରକାମ୍ଳ ଗ୍ୟାସକୁ ଆଜୀବନ ବାନ୍ଧି ରଖିବା ସହିତ ନିରନ୍ତର ଅମ୍ଳଜାନ ଉତ୍ପାଦନ ଓ ଯୋଗାଣ କରି ଚାଲିଥାଏ, ଯାହା ହେଉଛି ଜୀବଜଗତ୍ର ପ୍ରାଣବାୟୁ। ଗୋଟିଏ ହିସାବରୁ ଜଣାଯାଏ ଯେ ଏକ ଏକର ପରିମିତ ବୃକ୍ଷାଂଚଳ ବାର୍ଷିକ ୫ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରି ୪ ଟନ୍ ଅମ୍ଳଜାନ ପ୍ରଦାନ କରିଥାଏ। ଯଦିଓ କୃତ୍ରିମ ଓ ରାସାୟନିକ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ୟାସର ସଂଗ୍ରହ ଓ ପାଇପ ଯୋଗେ ଗଭୀର ଭୂତଳେ ତାକୁ ବନ୍ଦୀ କରି ରଖିବାର ଉପାୟ ଏବେ ଉପଲବ୍ଧ, ତାହା କିନ୍ତୁ କଷ୍ଟସାଧ୍ୟ, ଜଟିଳ ଓ ଅତ୍ୟନ୍ତ ବ୍ୟୟସାପେକ୍ଷ। ତେଣୁ ଭୂପୃଷ୍ଠର ବୃକ୍ଷଲତା ହୁଅନ୍ତୁ ବା ଜଳଜ ଉଦ୍ଭିଦ ହୁଅନ୍ତୁ; ଅଙ୍ଗାରକାମ୍ଳ ଶୋଷଣ କରିବାରେ ଏମାନଙ୍କ ଭୂମିକାର ପଟାନ୍ତର ନାହିଁ। ତେବେ, କେବଳ ଅଙ୍ଗାରକାମ୍ଳ ନୁହେଁ, ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ଯେମିତି କି ନାଇଟ୍ରସ୍ ଅକ୍ସାଇଡ୍, ଓଜୋନ୍, ସଲଫର୍ ଡାଇଅକ୍ସାଇଡ୍ ଇତ୍ୟାଦି ମଧ୍ୟ ବୃକ୍ଷ ଦ୍ବାରା ଅପସାରିତ ହୋଇଥାଏ।
ତେବେ କୃତ୍ରିମ ଉପାୟରେ ଚାରା ରୋପଣ ଦ୍ବାରା ସୃଷ୍ଟ ଜଙ୍ଗଲ ତୁଳନାରେ ପ୍ରାକୃତିକ ଜଙ୍ଗଲର ଅଙ୍ଗାରକାମ୍ଳ ଆହରଣ ଦକ୍ଷତା ଅଧିକ, ଯାହାକୁ ହାରାହାରି ପ୍ରାୟ ୩ ଗୁଣ ବୋଲି କୁହାଯାଇଥାଏ। ଏହାର ଏକ କାରଣ ହେଲା ପ୍ରାକୃତିକ ଜଙ୍ଗଲରେ ମିଶ୍ରିତ ଅରଣ୍ୟ ଦେଖାଯାଏ ଏବଂ ଚାରା ରୋପଣ ଦ୍ବାରା ସୃଷ୍ଟ ଜଙ୍ଗଲରେ ବିଶେଷ ବିବିଧତା ନ ଥାଏ। କେବଳ ସେତିକି ନୁହେଁ ବୃକ୍ଷ ଛାୟା ତା’ର ପାରିପାର୍ଶ୍ବିକ ବାତାବରଣକୁ ଶୀତଳ କରି ରଖେ ଏବଂ ପ୍ରସ୍ୱେଦନ ଦ୍ୱାରା ଭୂମଣ୍ଡଳକୁ ଜଳୀୟବାଷ୍ପ ପ୍ରେରଣ କରି ଉତ୍ତାପ ହ୍ରାସରେ ସହାୟକ ହୋଇଥାଏ।
ବୃକ୍ଷ ଯେ େକବଳ ଜଳବାୟୁ ପରିବର୍ତ୍ତନର ବେଗକୁ ମନ୍ଥର କରେ ତାହା ନୁହେଁ, ଜଳବାୟୁ ପରିବର୍ତ୍ତନ ଦ୍ବାରା ହେଉଥିବା ପ୍ରାକୃତିକ ଦୁର୍ବିପାକରୁ ମଧ୍ୟ ସୁରକ୍ଷା ପ୍ରଦାନରେ ବିଶେଷ ଭୂମିକା ନିର୍ବାହ କରିଥାଏ। ଉପକୂଳ ସୁରକ୍ଷା ବଳୟ ଝାଉଁ ଜଙ୍ଗଲ ଓ ତଟ ସୁରକ୍ଷାକାରୀ ହେନ୍ତାଳ ବନ ଏହାର ଉଦାହରଣ। ହେନ୍ତାଳ ବନ ବାତ୍ୟା ପ୍ରତିରୋଧ ପ୍ରାଚୀର ଭଳି କାମ କରିଥାଏ। ବଜ୍ରପାତର ପ୍ରକୋପକୁ ହ୍ରାସ କରିବା ଲାଗି ତାଳ ଗଛ ରୋପଣ ଉପରେ ଏବେ ଅନେକ ଗୁରୁତ୍ବ ପ୍ରଦାନ କରାଯାଉଛି। ସେମିତି ଭୂତଳ ଜଳସ୍ତରକୁ ସଂକୁଚିତ ହେବାକୁ ନଦେବା ବା ମୃତ୍ତିକା କ୍ଷୟକୁ ରୋକି ନଦୀର ଗତିପଥକୁ ବଦଳିବାକୁ ନ ଦେବା ମଧ୍ୟ ହେଉଛି ବୃକ୍ଷମାନଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଅବଦାନ।
ପରିତାପର ବିଷୟ, ମାନବର ଆବଶ୍ୟକତା, ଲୋଭ ଓ ଅପରିଣାମଦର୍ଶିତା କାରଣରୁ ବୃକ୍ଷ ଛେଦନ ପ୍ରାବଲ୍ୟ ଲାଭ କରିଛି, ଯଦିଓ କେତେକ ଅଞ୍ଚଳରେ ସଚେତନତା ଓ ଆଇନଗତ ବ୍ୟବସ୍ଥା ହେତୁ ଗଛ କଟା ଅବାଧ ହୋଇପାରୁନାହିଁ। ୨୦୧୫ରେ ବିଶ୍ୱ ବିଖ୍ୟାତ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ସଂର୍ଦଭ କହିଥିଲା ଯେ ପୃଥିବୀର ମୁଣ୍ଡପିଛା ଗଛ ସଂଖ୍ୟା ୪୨୨ ଥିବା ବେଳେ ଭାରତର ମାତ୍ର ୨୮। ଚୀନ, ନେପାଳ ଓ ଶ୍ରୀଲଙ୍କାରେ ଏହା ଯଥାକ୍ରମେ ୧୦୨, ୧୧୯ ଓ ୧୧୮। ଏଥିରୁ ବୃକ୍ଷ ସଂପଦ ପରିପ୍ରେକ୍ଷୀରେ ଆମର ଦୟନୀୟ ଅବସ୍ଥା ସ୍ପଷ୍ଟ। ଏଭଳି ସ୍ଥିତିରେ ପରିବର୍ତ୍ତନ ଘଟାଇବାକୁ ବ୍ୟାପକ ବୃକ୍ଷ ରୋପଣ ତଥା ଜଙ୍ଗଲ ସୃଷ୍ଟିର ଉଦ୍ୟମ କରାଯାଉଛି। କିନ୍ତୁ ତା’ଠାରୁ ଅଧିକ ଭଲ ଓ ମହତ କାମ ହେଉଛି ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ଗଛ କଟାକୁ ବିରୋଧ କରିବା। ବିକାଶର ଭଗୀରଥମାନେ ଏହି ଛୋଟ କଥା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବା ଆବଶ୍ୟକ।
ମୋ: ୯୪୩୭୦୮୦୨୩୩
ଜଙ୍ଗଲ ସୃଷ୍ଟି ନୁହେଁ, ବଞ୍ଚିବା ଜରୁରି
ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉତ୍ତପ୍ତୀକରଣ ଭଳି ସମସ୍ୟାରେ ଜର୍ଜର ବିଶ୍ୱବାସୀ ଆତ୍ମରକ୍ଷା ପାଇଁ ସଂଗ୍ରାମରତ। ବୈଜ୍ଞାନିକ, ବୁଦ୍ଧିଜୀବୀ, ବିଶେଷଜ୍ଞ ଓ ରାଷ୍ଟ୍ର ମୁଖ୍ୟମାନେ ୧୯୯୫ ମସିହାରୁ ଆନୁଷ୍ଠାନିକ ଭାବେ ଶୀର୍ଷ ସ୍ତରୀୟ ସମ୍ମିଳନୀମାନ ଆୟୋଜନ...