ଏବେ ଟ୍ରମ୍ପ ଅବଲମ୍ବନ କରିଥିବା ରଣକୌଶଳରୁ ଯେଉଁ ଇସାରା ମିଳୁଛି, ତାହା ଅନୁସାରେ ଯେଉଁ ଦେଶ ଆମେରିକୀୟ ଆମଦାନିକୁ ଯେତେ ପ୍ରତିବନ୍ଧକ ମୁକ୍ତ କରିବ, ସେ ଦେଶ ସେତେ କମ୍ ଆେମରିକୀୟ ଟାରିଫ୍ର ସମ୍ମୁଖୀନ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ରୁ ଇଉରୋପିିଆନ୍ ୟୁନିଅନ୍ ପର୍ଯ୍ୟନ୍ତ ତାହା କରିବା ପରିବର୍ତ୍ତେ ଆମେରିକା ଉପରେ ଟାରିଫ୍ ପ୍ରତିଆକ୍ରମଣ କରିବା ଆରମ୍ଭ କରିବା ଦେଖାଯାଇଛି। ଭାରତ କିନ୍ତୁ ବିଜ୍ଞତା ପ୍ରଦର୍ଶନ କରି ସେଭଳି ମାର୍ଗ ଅନୁସରଣରୁ ନିବୃତ୍ତ ରହିଛି।
ଏଇ ମୁହୂର୍ତ୍ତରେ କେଉଁ ଶବ୍ଦଟି ହେଉଛି ପୃଥିବୀରେ ସର୍ବାଧିକ ବ୍ୟବହୃତ ଶବ୍ଦ, ତାହା ଆବିଷ୍କାର କରିବା ପାଇଁ ଯଦି ଏକ ବିଶ୍ବବ୍ୟାପୀ ସର୍ବେକ୍ଷଣ କରାଯାଏ, ତେବେ ଯେଉଁ ଶବ୍ଦଟି ଏହି ବିରଳ ଆନ୍ତର୍ଜାତିକ ସମ୍ମାନର ଅଧିକାରୀ ହେବ, ତାହା ନିଃସନ୍ଦେହରେ ହେଉଛି- ‘ଟାରିଫ୍’। ଆଉ ଏ ପର୍ଯ୍ୟନ୍ତ ଅର୍ଥଶାସ୍ତ୍ରର ଅଲଂଘ୍ୟ ପରିସୀମା ମଧ୍ୟରେ ସାଧାରଣ ଲୋକଙ୍କର ପହୁଞ୍ଚ ବାହାରେ ବନ୍ଦୀ ହୋଇ ରହିଥିବା ଏହି ଅପରିଚିତ ଶବ୍ଦଟିକୁ ବନ୍ଧନ ମୁକ୍ତ କରି ଯିଏ ତାକୁ ଏହି ସମ୍ମାନର ଅଧିକାରୀ ହେବାରେ ମୁଖ୍ୟ ସହାୟକ ଭୂମିକା ନିର୍ବାହ କରିଛନ୍ତି, ସେ ଅବଶ୍ୟ ବର୍ତ୍ତମାନ ପୃଥିବୀର ପ୍ରତ୍ୟେକ ଦେଶର ଅଧିବାସୀକୁ ଜଣାଥିବା ଭଳି ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
‘ଟାରିଫ୍’ ହେଉଛି ଏକ ଟିକସ ବା ଶୁଳ୍କ ଯାହାକୁ ନିଜ ଦେଶ ଭିତରକୁ ନିର୍ଦ୍ଦିଷ୍ଟ ବିଦେଶୀ ଦ୍ରବ୍ୟମାନଙ୍କର ଆମଦାନିକୁ ନିରୁତ୍ସାହିତ କରିବାକୁ କିମ୍ବା ନିଜ ଦେଶରେ ସଂପୃକ୍ତ ଦ୍ରବ୍ୟମାନଙ୍କର ଉତ୍ପାଦନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦେଶମାନେ ପରସ୍ପର ପ୍ରତି ପ୍ରୟୋଗ କରିଥାନ୍ତି। ଟ୍ରମ୍ପ ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ ପୃଥିବୀର ବିଭିନ୍ନ ଦେଶମାନଙ୍କ ପ୍ରତି ଯେଉଁ ଟାରିଫ୍ ହାରମାନ ଲାଗୁ କରିବା ଘୋଷଣା କରିଛନ୍ତି, ତାହାକୁ ସେ ଯେସାକୁ-ତେସା (‘ରେସିପ୍ରୋକାଲ୍’) ଟାରିଫ୍ ରୂପେ ବର୍ଣ୍ଣନା କରିଛନ୍ତି, ଅର୍ଥାତ୍ ଯେଉଁ ଦେଶ ଆମେରିକାରୁ କରୁଥିବା ଆମଦାନି ଉପରେ ଯେଉଁ ହାରରେ ଟାରିଫ୍ ଲାଗୁ କରିଥାଏ, ଟ୍ରମ୍ପ ମଧ୍ୟ ସେ ଦେଶରୁ ଆମେରିକା କରୁଥିବା ଆମଦାନି (ଅର୍ଥାତ୍ ସେ ଦେଶ ଆମେରିକାକୁ କରୁଥିବା ରପ୍ତାନି) ଉପରେ ସେଇ ହାରରେ ଟାରିଫ୍ ଲାଗୁ କରିଛନ୍ତି ବୋଲି ତାଙ୍କର ଏହି ନୂତନ ବାଣିଜ୍ୟ ଯୁଦ୍ଧର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଯେଉଁ ଫର୍ମୁଲା ବ୍ୟବହାର କରି ଟ୍ରମ୍ପ ବିଭିନ୍ନ ଦେଶମାନଙ୍କ ପ୍ରତି ପ୍ରଯୁଜ୍ୟ ଟାରିଫ୍ ହାର ହିସାବ କରି ନିର୍ଣ୍ଣୟ କରିଛନ୍ତି, ସେ ଅନୁସାରେ ଭାରତ ପ୍ରତି ୫୨ ପ୍ରତିଶତ ହାରରେ ଟାରିଫ୍ ଲାଗୁ ହେବା କଥା ହୋଇଥିବାବେଳେ ଅନ୍ୟ ଦେଶମାନଙ୍କ ଭଳି ଏଥିରେ ୫୦ ପ୍ରତିଶତ ରିହାତି ଦିଆଯାଇ ଭାରତ ପ୍ରତି ଲାଗୁ କରାଯାଇଥିବା ଟାରିଫ୍ ହାର ହୋଇଛି ଏହାର ଠିକ୍ ଅଧା- ୨୬ ଶତାଂଶ।
ସୂଚନାଯୋଗ୍ୟ ଏହି ଟାରିଫ୍ ହାର ହେଉଛି ହାରାହାରି ହାର। ଯେହେତୁ ଏକ ଦେଶ ଆମଦାନି କରୁଥିବା ବିଭିନ୍ନ ଦ୍ରବ୍ୟମାନଙ୍କ ଉପରେ ଭିନ୍ନ ଭିନ୍ନ ହାରରେ ଟାରିଫ୍ ଲାଗୁ କରିଥାଏ, ସେ ସବୁ ଦ୍ରବ୍ୟମାନଙ୍କର ଆମଦାନି ପରିମାଣ ଓ ମୂଲ୍ୟକୁ ଉଚିତ ପ୍ରଧାନ୍ୟ ପ୍ରଦାନ କରି ହାରାହାରି ଟାରିଫ୍ ହାର ନିର୍ଣ୍ଣୟ କରାଯିବା ହେଉଛି ଗଣିତ ବା ପରିସଂଖ୍ୟାନ ଶାସ୍ତ୍ର ଅନୁସାରେ ବିଧି (ଯାହା ‘ୱେଟେଡ୍ ଆଭରେଜ୍ ଟାରିଫ୍’ ରୂପେ ପରିଚିତ)। ‘ୱାର୍ଲଡ୍ ଇଣ୍ଟିଗ୍ରେଟେଡ୍ ଟ୍ରେଡ୍ ସଲ୍ୟୁସନ୍ସ’ ନାମକ ସଂସ୍ଥା ଦ୍ବାରା ଏହି ନିୟମ ଅନୁସରଣ କରି କରାଯାଇଥିବା ହିସାବ ଅନୁସାରେ ୨୦୨୩ରେ ଆମେରିକାରୁ କରାଯାଇଥିବା ଆମଦାନି ଦ୍ରବ୍ୟମାନଙ୍କ ପ୍ରତି ଭାରତ ଯେଉଁ ହାରାହାରି ହାରରେ ଟାରିଫ୍ ଲାଗୁ କରିଥିଲା, ତାହା ଥିଲା ୯.୬ ଶତାଂଶ ମାତ୍ର (୫୨ ଶତାଂଶ ନୁହେଁ!)। ଅବଶ୍ୟ ଆମେରିକା ଭାରତୀୟ ଦ୍ରବ୍ୟମାନଙ୍କ ପ୍ରତି ଲାଗୁ କରିଥିବା ମାତ୍ର ୨.୬ ପ୍ରତିଶତ ହାରରେ ଟାରିଫ୍ ତୁଳନାରେ ଏହା ଥିଲା ବେଶ୍ ଉଚ୍ଚା। ତେଣୁ ଏବେ ଟ୍ରମ୍ପ ଯଦି ଆକ୍ଷରିକ ଭାବରେ ଏକ ଯେସାକୁ-ତେସା ଟାରିଫ୍ ନୀତି ଅନୁସରଣ କରିଥାନ୍ତେ, ତେବେ ସେ ଭାରତ ପ୍ରତି ଲାଗୁ କରିଥିବା ଟାରିଫ୍ ହାର ୧୦ ଶତାଂଶରୁ ଅଧିକ ହୁଅନ୍ତା ନାହିଁ। ତା’ହେଲେ ସେ ଏହି ୫୨ ଶତାଂଶ ଟାରିଫ୍ ହାର କେଉଁଠୁ ଆବିଷ୍କାର କରି ଅନୁସୃତ ଫର୍ମୁଲା ଅନୁଯାୟୀ ଭାରତୀୟ ଦ୍ରବ୍ୟ ଉପରେ ତା’ର ଅଧା ହାରରେ ଟାରିଫ୍ ଲାଗୁ କରିବାକୁ ନିଷ୍ପତ୍ତି ନେଲେ?
ଏହାର ଉତ୍ତର ନିହିତ ଅଛି ବିଭିନ୍ନ ଦେଶମାନଙ୍କ ପ୍ରତି ଟାରିଫ୍ ହାର ନିର୍ଣ୍ଣୟ କରିବା ପାଇଁ ଟ୍ରମ୍ପ ବ୍ୟବହାର କରିଥିବା ଏକ ସରଳ ଫର୍ମୁଲାରେ, ଯାହାର ଆଶ୍ଚର୍ଯ୍ୟଜନକ ଭାବରେ ସେ ସବୁ ଦେଶମାନେ ଆମେରିକା ପ୍ରତି ଲାଗୁ କରୁଥିବା ଟାରିଫ୍ ହାର ସହିତ କୌଣସି ସଂପର୍କ ନାହିଁ। ଏହି ଫର୍ମୁଲା ଅନୁସାରେ ଏକ ଦେଶ ସହିତ ଥିବା ଆମେରିକାର ବାଣିଜ୍ୟିକ ନିଅଣ୍ଟ (ଆମେରିକାର ଆମଦାନି ବିଯୁକ୍ତ ରପ୍ତାନି)କୁ ସେ ଦେଶରୁ ଆମେରିକା କରୁଥିବା ଆମଦାନି ଦ୍ବାରା ଭାଗ କଲେ ଯେଉଁ ଅନୁପାତ ଉପଲବ୍ଧ ହୁଏ, ତାହାହିଁ ହେବ ସେ ଦେଶ ପ୍ରତି ଲାଗୁ ହେବା ପାଇଁ ଟାରିଫ୍ର ହାର। ଏହାର ଅର୍ଥ, ଯେଉଁ ଦେଶରୁ ଆମେରିକା କରୁଥିବା ଆମଦାନି ସେ ଦେଶକୁ ଆମେରିକା କରୁଥିବା ରପ୍ତାନି ସହିତ ସମାନ ହୋଇଥିବ (େସ ଦେଶ ସହିତ ଆମେରିକାର ବାଣିଜ୍ୟିକ ନିଅଣ୍ଟ ଶୂନ୍ୟ ହୋଇଥିବ), ସେ ଦେଶ ପ୍ରତି ଆମେରିକା ଶୂନ୍ୟ ହାରରେ ଟାରିଫ୍ ଲାଗୁ କରିବ; ଅପର ପକ୍ଷେ ଯେଉଁ ଦେଶକୁ ଆମେରିକା ଆଦୌ କିଛିହେଲେ ରପ୍ତାନି କରେନାହିଁ, ସେ ଦେଶରୁ ଆମେରିକା କରୁଥିବା ଆମଦାନି ଯେତେ ନଗଣ୍ୟ ହୋଇଥିଲେ ମଧ୍ୟ, ସେ ଦେଶ ପ୍ରତି ଆମେରିକା ୧୦୦ ଶତାଂଶ ହାରରେ ଟାରିଫ୍ ଲାଗୁ କରିବ। ମନେ ହୁଏ ଏହା ପଛରେ ନିହିତ ଥିବା ଶିଶୁସୁଲଭ ଆଶା ହେଉଛି ଏହା ଯେ ଏହାଦ୍ବାରା ସଂପୃକ୍ତ ଦେଶ ସହିତ ଆମେରିକା ସମ୍ମୁଖୀନ ହେଉଥିବା ବାଣିଜ୍ୟିକ ନିଅଣ୍ଟ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ।
ଭାରତ ପ୍ରତି ଉପରୋକ୍ତ ଫର୍ମୁଲା ପ୍ରୟୋଗ କରିବା ଦ୍ବାରା ନିମ୍ନୋକ୍ତ ଫଳାଫଳ ମିଳିଥାଏ। ୨୦୨୪ରେ ଭାରତ ସହିତ ଆମେରିକାର ବାଣିଜ୍ୟିକ ନିଅଣ୍ଟର ଆକାର ଥିଲା ୪୫.୬୬ ବିଲିଅନ୍ ଡଲାର୍; ଆମେରିକା ଭାରତରୁ କରିଥିବା ଆମଦାନିର ଆକାର ଥିଲା ୮୭.୪୨ ବିଲିଅନ୍ ଡଲାର୍। ପ୍ରଥମ ସଂଖ୍ୟାଟିକୁ ଦ୍ବିତୀୟ ସଂଖ୍ୟା ଦ୍ବାରା ଭାଗ କଲେ ଭାଗଫଳ ଅର୍ଥାତ୍ ଅନୁପାତ ମିଳିଥାଏ ୦.୫୨ ବା ୫୨ ଶତାଂଶ। ଏହାହିଁ ହେଉଛି ଭାରତ ଆମେରିକା ବିରୁଦ୍ଧରେ ୫୨ ଶତାଂଶ ହାରରେ ଟାରିଫ୍ ଲାଗୁ କରୁଛି ବୋଲି ଟ୍ରମ୍ପ କରୁଥିବା ଅଭିଯୋଗର ଆଧାର।
ଟ୍ରମ୍ପଙ୍କୁ ଏହା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ପାଇଁ ଯାହା ପ୍ରବୃତ୍ତ କରିଛି ବୋଲି ଏଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି, ତାହା ହେଉଛି ଅଧିକାଂଶ ଦେଶମାନଙ୍କ ସହିତ ଆମେରିକାର ଦ୍ରୁତବର୍ଦ୍ଧିଷ୍ଣୁ ବାଣିଜ୍ୟିକ ନିଅଣ୍ଟ, ଯାହା ସଦ୍ୟତମ ପରିସଂଖ୍ୟାନ ଅନୁସାରେ ବାର୍ଷିକ ମୋଟ ୧.୨ ଲକ୍ଷ କୋଟି ଡଲାର୍ ସ୍ପର୍ଶ କରିସାରିଲାଣି। ଟ୍ରମ୍ପଙ୍କର ଅଭିଯୋଗ ହେଲା ଯେ ଏଥିଯୋଗୁଁ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଆମେରିକାର ଶିଳ୍ପ ଉତ୍ପାଦନ ଭିତ୍ତିଭୂମି ବସ୍ତୁତଃ ଧ୍ବଂସ ପାଇଯାଇଛି। ଏଭଳି ଅଭିଯୋଗର ମର୍ମ ହେଲା, ଏପରି ବିଶାଳ ବାଣିଜ୍ୟିକ ନିଅଣ୍ଟ ବିଦେଶୀ ଶିଳ୍ପ ଉତ୍ପାଦନକୁ ସହାୟତା ପ୍ରଦାନ କରିଥାଏ; ଯଦି ସେଇ ସମ୍ବଳ ଆମେରିକାରେ ବିନିଯୋଗ କରାଯାଇଥାନ୍ତା, ତେବେ ଆମେରିକାର ଶିଳ୍ପ ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାନ୍ତା।
ଏବେ ଟ୍ରମ୍ପ ଅବଲମ୍ବନ କରିଥିବା ରଣକୌଶଳରୁ ଯେଉଁ ଇସାରା ମିଳୁଛି, ତାହା ଅନୁସାରେ ଯେଉଁ ଦେଶ ଆମେରିକୀୟ ଆମଦାନିକୁ ଯେତେ ପ୍ରତିବନ୍ଧକ ମୁକ୍ତ କରିବ, ସେ ଦେଶ ସେତେ କମ୍ ଆେମରିକୀୟ ଟାରିଫ୍ର ସମ୍ମୁଖୀନ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ରୁ ଇଉରୋପିିଆନ୍ ୟୁନିଅନ୍ ପର୍ଯ୍ୟନ୍ତ ତାହା କରିବା ପରିବର୍ତ୍ତେ ଆମେରିକା ଉପରେ ଟାରିଫ୍ ପ୍ରତିଆକ୍ରମଣ କରିବା ଆରମ୍ଭ କରିବା ଦେଖାଯାଇଛି। ଭାରତ କିନ୍ତୁ ବିଜ୍ଞତା ପ୍ରଦର୍ଶନ କରି ସେଭଳି ମାର୍ଗ ଅନୁସରଣରୁ ନିବୃତ୍ତ ରହିଛି। ଯେହେତୁ ଟ୍ରମ୍ପ ଭାରତ ପ୍ରତି ଯେଉଁ ହାରରେ ଟାରିଫ୍ ଲାଗୁ କରିଛନ୍ତି, ତା’ର ଏସୀୟ ପ୍ରତିଦ୍ବନ୍ଦ୍ବୀ ଦେଶମାନଙ୍କ ପ୍ରତି ତା’ଠାରୁ ଉଚ୍ଚତର ହାରରେ ଟାରିଫ୍ ଲାଗୁ କରିଛନ୍ତି, ସେମାନଙ୍କୁ ହଟାଇ ଆମେରିକା ବଜାରରେ ପ୍ରବେଶ କରିବା ପାଇଁ ଭାରତ ଲାଗି ଏହା ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଚୁପ୍ଚାପ୍ ଏହି ସୁଯୋଗର ସଦ୍ବ୍ୟବହାର କରିବା ସରକାର ଓ ଭାରତୀୟ ଉଦ୍ୟୋଗୀମାନଙ୍କ ପକ୍ଷରେ ବୁଦ୍ଧିମାନର କାର୍ଯ୍ୟ ହେବ।