“ବାଂଲାଦେଶୀ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଆପଣ କ’ଣ ଭାବୁଛନ୍ତି?’’
ମୁଁ ମୋର ଭାବନା ପ୍ରକାଶ କରିବା ପୂର୍ବରୁ ଚାଚା ମୋତେ ସମାଲୋଚନା କରି କହିଲେ, “ତୁମେ ଧର୍ମନିରପେକ୍ଷ ଲୋକମାନେ ଭାରତର ମୁସଲମାନମାନଙ୍କ ବିଷୟରେ ବହୁତ କଥାବାର୍ତ୍ତା କରୁଛ, କିନ୍ତୁ କାଶ୍ମୀର ପଣ୍ଡିତ କିମ୍ବା ବାଂଲାଦେଶୀ ହିନ୍ଦୁମାନଙ୍କ ବାବଦରେ ତୁମକୁ ପ୍ରଶ୍ନ କଲେ ତୁମ ମୁହଁ କାହିଁକି ଖଟା ହୋଇଯାଉଛି?’’
ମୁଁ କହିଲି, “ଚାଚା, ମୁଁ ପ୍ରାୟତଃ ଏଭଳି ବିଷୟରେ କଥାବାର୍ତ୍ତା କରିଥାଏ, ତେବେ ଆପଣ ଯଦି ପଚାରୁଛନ୍ତି ମୁଁ ପୁଣି ଆଉ ଥରେ କହିବି। କିନ୍ତୁ ଆପଣ ଏହି ପ୍ରଶ୍ନର ସଂପୂର୍ଣ୍ଣ ଓ ତିକ୍ତ ସତ୍ୟ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ତ?’’
ବୟୋଜ୍ୟେଷ୍ଠ ବୃଦ୍ଧଙ୍କର ଯୁକ୍ତି ଶୁଣି ମୁଁ ଆରମ୍ଭ କଲି- ପ୍ରଥମ ଓ ମୌଳିକ ସତ୍ୟଟି ହେଉଛି ବାଂଲାଦେଶର ସଂଖ୍ୟାଲଘୁ ସଂପ୍ରଦାୟ, ବିଶେଷ କରି ହିନ୍ଦୁ ସଂପ୍ରଦାୟ ହିଁ ଅନ୍ୟାୟ ଓ ଅତ୍ୟାଚାରର ଶିକାର ହୋଇ ଚାଲିଛନ୍ତି। ୧୯୭୫ ମସିହାରେ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ ମୁସଲମାନ ବହୁସଂଖ୍ୟକବାଦର ଶିକାର ହୋଇଥିଲା ବାଂଲାଦେଶର ଧର୍ମନିରପେକ୍ଷ ସଂବିଧାନ, ଯାହା ୧୯୮୮ ମସିହାରେ ଇସଲାମିକ୍ ରିପବ୍ଲିକ୍ ଘୋଷଣା ସହିତ ଆନୁଷ୍ଠାନିକ ହୋଇଗଲା, ଯଦିଓ ସଂବିଧାନରେ ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁ ବର୍ଗଙ୍କ ପାଇଁ ଧାର୍ମିକ ସ୍ବାଧୀନତା ସମେତ ଅନେକ ଅଧିକାରର ପ୍ରାବଧାନ ରହିଛି। ସେଠାରେ ହିନ୍ଦୁମାନଙ୍କର ଅବସ୍ଥା ପାକିସ୍ତାନ କି ଆଫଗାନିସ୍ତାନ ପରି ଦୟନୀୟ ନୁହେଁ। ମାତ୍ର ପ୍ରଥମ ତିକ୍ତ ସତ୍ୟଟି ହେଉଛି- ହିନ୍ଦୁମାନେ ସେଠାରେ ଦ୍ବିତୀୟ ଶ୍ରେଣୀର ନାଗରିକ, ଯଦିଓ ସେଠାରେ ହିନ୍ଦୁମାନେ ବ୍ରିଟିସ ଅମଳରେ ଜମିଦାର ଥିଲେ, ତେଣୁ ଆଜି ମଧ୍ୟ ସେମାନେ ଶିକ୍ଷାଗତ ତଥା ଅର୍ଥନୈତିକ ଦୃଷ୍ଟିକୋଣରୁ ପଛୁଆ ନୁହନ୍ତି। କିନ୍ତୁ ନିଜ ଦେଶରେ ଭେଦଭାବ ଯୋଗୁଁ ସେମାନେ ଭାରତରେ ଆଶ୍ରୟ ଲୋଡ଼ିବାକୁ ବାଧ୍ୟ ହେଉଛନ୍ତି। ଭାରତ ବିଭାଜନ ପରେ ୧୯୫୧ ମସିହା ବେଳକୁ ଆଜିର ବାଂଲାଦେଶ (ପୂର୍ବ ପାକିସ୍ତାନରେ ୨୨ ପ୍ରତିଶତ ହିନ୍ଦୁ ଥିଲେ, କିନ୍ତୁ ବାଂଲାଦେଶ ଗଠନ ପରେ ୧୯୭୪ ମସିହା ବେଳକୁ ହିନ୍ଦୁଙ୍କ ସଂଖ୍ୟା ୧୩.୫ ପ୍ରତିଶତକୁ ହ୍ରାସ ପାଇଥିଲା ଏବଂ ୨୦୧୧ ଜନଗଣନାରେ ତାହା ମାତ୍ର ୮ ପ୍ରତିଶତ ହୋଇଗଲା।
‘କେବଳ ଭେଦଭାବ ନୁହେଁ, ହିନ୍ଦୁମାନଙ୍କ ବିରୋଧରେ ରାଜନୈତିକ ଓ ଧାର୍ମିକ ହିଂସା ମଧ୍ୟ ଲାଗି ରହିଛି; ଗାଁଠୁ ସହର ଯାଏ ଦୈନନ୍ଦିନ ହିଂସା ଠାରୁ ଆରମ୍ଭ କରି ହିନ୍ଦୁ ବିରୋଧୀ ଦଙ୍ଗା ଯାଏ ଦେଖିବାକୁ ମିଳୁଛି। ଯେତେବେଳେ ସେଠାରେ ଆଵାମି ଲିଗ୍ ସରକାର ଥାଆନ୍ତି, ସେତେବେଳେ ହିନ୍ଦୁମାନେ କିଛି ମାତ୍ରାରେ ନିରାପଦ ଅନୁଭବ କରିଥା’ନ୍ତି, କିନ୍ତୁ ଅନ୍ୟ ସରକାର ସମୟରେ ହିନ୍ଦୁମାନଙ୍କ ମନରେ ଅସୁରକ୍ଷାର ଭାବନା ବୃଦ୍ଧି ପାଇଥାଏ। ଅଳ୍ପସଂଖ୍ୟକମାନଙ୍କ ପ୍ରତି ଶେଖ ହସିନା ସରକାରଙ୍କର ଉଦାରତାକୁ ତୁଷ୍ଟୀକରଣ ରୂପେ ଦେଖା ଯାଉଥିବାରୁ ତାଙ୍କ ସରକାର ବିରୋଧରେ ଜନସାଧାରଣଙ୍କ ଆକ୍ରୋଶ ଆଜି ହିନ୍ଦୁମାନଙ୍କ ଉପରେ କ୍ରୋଧର ବିସ୍ଫୋରଣ ଘଟାଇଛି। ମୁସଲିମ୍ କଠୋରପନ୍ଥୀ ସଂଗଠନଗୁଡ଼ିକ ରାଜନୈତିକ ବିଦ୍ବେଷ ଓ କିଛି ଧାର୍ମିକ ଅସହିଷ୍ଣୁତାର ନିଆଁରେ ଘିଅ ଢାଳିବାକୁ ଲାଗିଲେ। ଫଳରେ ସେଠାରେ ହିନ୍ଦୁ ଓ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଲା। ଏ ପ୍ରସଙ୍ଗରେ ‘ଯଦି’ କିମ୍ବା ‘କିନ୍ତୁ’ର ପ୍ରଶ୍ନ ନ ଉଠାଇ ପ୍ରତ୍ୟେକ ନ୍ୟାୟପ୍ରିୟ ମଣିଷ ବର୍ତ୍ତମାନ ସମୟରେ ହିନ୍ଦୁମାନଙ୍କ ସହିତ ଛିଡ଼ା ହେବା ବାଞ୍ଛନୀୟ।’’
ଏହା ଶୁଣି ଚାଚା ଜୋରରେ କହିଉଠିଲେ- “ଆମେ ମଧ୍ୟ ଅନୁରୂପ କାର୍ଯ୍ୟ କରୁଛେ।’’
ଏତେ ଶୀଘ୍ର ସହମତିର ସମ୍ଭାବନାକୁ ଏଡ଼ାଇ ଯାଇ ମୁଁ କହିଲି, “କିନ୍ତୁ ଆପଣ ଯାହା କରୁଛନ୍ତି, ସେ ବାବଦରେ କିଛି ନିଷ୍ଠୁର ସତ୍ୟ ମଧ୍ୟ ଶୁଣିଯାଆନ୍ତୁ।’’ “ଦ୍ବିତୀୟ ତିକ୍ତ ସତ୍ୟଟି ହେଉଛି- ଏହି ପ୍ରସଙ୍ଗରେ ଭାରତରେ ଯେଉଁ ଧାରଣା ସୃଷ୍ଟି କରାଯାଉଛି ଓ ବିରୋଧ ପ୍ରଦର୍ଶନ ହେଉଛି, ତାହା ବାଂଲାଦେଶର ହିନ୍ଦୁମାନଙ୍କ ପାଇଁ ଅଧିକ କ୍ଷତି ଓ କମ୍ ଲାଭ ଆଣିବ। ଯେପରି ଆରବୀୟ ଦେଶମାନେ ଭାରତୀୟ ମୁସଲମାନମାନଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଔପଚାରିକତା ଶେଷ କରିଦେଉଛନ୍ତି, ଭାରତ ସରକାର ଓ ହିନ୍ଦୁ ଧର୍ମର ଠିକାଦାରମାନେ ମଧ୍ୟ ବାଂଲାଦେଶର ହିନ୍ଦୁମାନଙ୍କ ଲାଗି ସମାନ କାର୍ଯ୍ୟ କରୁଛନ୍ତି। ଭାରତୀୟ ମୁସଲମାନଙ୍କ ସୁଖ ଓ ଦୁଃଖ ସହ ଆରବ ସରକାରଙ୍କର କିଛି ସମ୍ପର୍କ ନାହିଁ, ଠିକ୍ ସେହିପରି ବାଂଲାଦେଶର ହିନ୍ଦୁମାନଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ଏହାର ଅର୍ଥ ହେଲା, ସବୁ କିଛି ରହିଛି କେବଳ ଲୋକଦେଖା ବହ୍ବାଡ଼ମ୍ବର ପାଇଁ। ପ୍ରକୃତ କଥା ହେଉଛି- ସେମାନଙ୍କ ପାଇଁ କୌଣସି ନିଦା କାର୍ଯ୍ୟ କରିବାର କ୍ଷମତା ବା ରାଜନୈତିକ ଇଚ୍ଛାଶକ୍ତି ଭାରତ ସରକାରଙ୍କର ନାହିଁ। ଏହା ମଧ୍ୟ ସତ୍ୟ ଯେ ବାଂଲାଦେଶର ଘରୋଇ ରାଜନୀତିରେ (ଏହା ନେପାଳ, ଶ୍ରୀଲଙ୍କା ଓ ମାଳଦ୍ବୀପ ପାଇଁ ମଧ୍ୟ ପ୍ରଯୁଜ୍ୟ) ସବୁଠାରୁ ବଡ଼ ଅଭିଯୋଗ ହେଉଛି ଭାରତର ମଧ୍ୟସ୍ଥତା। ଭାରତ ସରକାର ଆଵାମି ଲିଗ୍କୁ ଖୋଲାଖୋଲି ସମର୍ଥନ କରୁଥିବାରୁ ଭାରତ ସରକାରଙ୍କ ପ୍ରତି ରହିଥିବା କ୍ରୋଧ ହିଁ ବାଂଲାଦେଶର ହିନ୍ଦୁମାନଙ୍କ ବିରୋଧରେ ପ୍ରତିଶୋଧରେ ପରିଣତ ହୋଇଛି। ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ସାମାନ୍ୟ ଅତ୍ୟାଚାର ବି ବାଂଲାଦେଶର ସଂଖ୍ୟାଲଘୁଙ୍କ ପାଇଁ ବିପର୍ଯ୍ୟୟ ଆଣିଦିଏ। ଯଦି ଆମେ ବାଂଲାଦେଶୀ ହିନ୍ଦୁମାନଙ୍କର ପ୍ରକୃତ ହିତାକାଂକ୍ଷୀ ବୋଲି ଦାବି କରୁ, ତେବେ ଆମକୁ ଦେଖେଇ ହେବା ଗୁଣ କମାଇବାକୁ ହେବ ଏବଂ ନିଜ ବକ୍ତବ୍ୟରେ ସଂଯମ ପ୍ରଦର୍ଶନ କରିବା ଉଚିତ।’’
ଏହା ଶୁଣିବା ପରେ ଚାଚାଙ୍କର ମୁହଁରେ ଭ୍ରୂକୁଞ୍ଚନ ସୃଷ୍ଟି ହେଉଥିଲା। କିନ୍ତୁ, ତାକୁ ଖାତିର ନ କରି ମୁଁ ତାଙ୍କୁ ତୃତୀୟ ତିକ୍ତ ସତ୍ୟ ବାବଦରେ କହିଲି। ମୁଁ କହିଲି- “ସଂଖ୍ୟାଲଘୁଙ୍କ ବିଷୟରେ ଅନ୍ୟ କାହାକୁ ପରାମର୍ଶ ଦେବାର କ୍ଷମତା ଆମର ନାହିଁ। କାରଣ ବିଶ୍ବର ଅନ୍ୟ ଦେଶମାନେ ଯେତେବେଳେ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରସଙ୍ଗ ଉଠାନ୍ତି, ସେତେବେଳେ ଆମେ ସେମାନଙ୍କୁ ନିଜ ବ୍ୟାପାରରେ ଧ୍ୟାନ ଦେବାକୁ ଭାଷଣ ଶୁଣାଇଥାଉ। ଏବେ ଆମେ କୋଉ ମୁହଁରେ ଆମ ପଡ଼ୋଶୀ ସଂଖ୍ୟାଲଘୁଙ୍କ କଥା ଉଠାଇବା? ଗାଜା ପଟିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗଣହତ୍ୟା ଉପରେ ନିରବ ଥିବା ଦେଶ, ଯାହାର ପ୍ରଧାନମନ୍ତ୍ରୀ ନିଜ ଦେଶର ୨୦ କୋଟି ସଂଖ୍ୟାଲଘୁଙ୍କୁ ଅନୁପ୍ରବେଶକାରୀ ବୋଲି କହିଛନ୍ତି, ଯେଉଁଠି ଉନ୍ମତ୍ତ ଭିଡ଼ ଦ୍ବାରା ଅଳ୍ପସଂଖ୍ୟକଙ୍କୁ ହତ୍ୟା କରାଯାଉଛି ଓ ସେମାନଙ୍କ ବାସସ୍ଥାନ ଉପରେ ବୁଲଡୋଜର୍ ଚଳାଇବା ଘଟଣାକୁ ଉତ୍ସବାୟିତ କରାଯାଉଛି, ସେହି ଦେଶର ସରକାର ଅନ୍ୟକୁ ଉପଦେଶ ଦେବାଠାରୁ ବଳି କପଟତା ଆଉ କ’ଣ ହୋଇପାରେ? ଉକ୍ତ ବିବୃତିକୁ ଭାରତର କୋଳାଶ୍ରିତ ଗଣମାଧ୍ୟମ ସିନା ଛାପିଦେବେ, ହେଲେ ଅବଶିଷ୍ଟ ଦୁନିଆ ପାଇଁ ଏହା କେବଳ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବ।’’
ଏଥର ଚାଚାଙ୍କର ସ୍ଥିତି ଏଭଳି ଥିଲା ଯେ ସେ ନା ଛେପ ପକାଇ ପାରିବେ ନା ଢୋକି ପାରିବେ! ଏପରି ସୁଯୋଗର ଫାଇଦା ନେଇ ମୁଁ ମଧ୍ୟ ଚତୁର୍ଥ ତଥା ଶେଷ ତିକ୍ତ ସତ୍ୟ ବାବଦରେ ବଖାଣିଲି। କହିଲି- “ଏହା ସବୁଠୁ ଲଜ୍ଜାଜନକ ବାସ୍ତବତା ଯେ ଅନ୍ତତଃ ପକ୍ଷେ ଏ ପ୍ରସଙ୍ଗରେ ବାଂଲାଦେଶର ବର୍ତ୍ତମାନର ସରକାରଙ୍କ ପ୍ରଦର୍ଶନ ଭାରତର ବର୍ତ୍ତମାନର ସରକାରଙ୍କ କହିବା ଅପେକ୍ଷା ଅଧିକ ଭଲ। ମହମ୍ମଦ ୟୁନୁସ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଦେଶ ପାଇଁ ସେହି ସମାନ ବାର୍ତ୍ତା ଦେଇଛନ୍ତି ଯେ ଯଦି ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ହୁଏ, ତେବେ ସେ ମଧ୍ୟବର୍ତ୍ତୀ ସରକାରର ଦାୟିତ୍ବ ଗ୍ରହଣ କରିବେ ନାହିଁ। ଏହି ଲଜ୍ଜାଜନକ ହିଂସାକୁ ଘୋଡ଼ାଇବା ପରିବର୍ତ୍ତେ ସେ ପ୍ରଥମ ସୁଯୋଗ ପାଇବା ମାତ୍ରେ ମନ୍ଦିରକୁ ଯାଇ ସମସ୍ତ ହିନ୍ଦୁଙ୍କୁ ସୁରକ୍ଷାର ଭରସା ଦେଇଥିଲେ। ଆମର ପ୍ରଧାନମନ୍ତ୍ରୀ କୋଡ଼ିଏ ବର୍ଷ ଭିତରେ ବି ବିଲକିସ ବାନୋଙ୍କୁ କି ସାନ୍ତ୍ବନା ଅବା ଦେଇପାରିଲେ? ହତ୍ୟାର ଶିକାର ହୋଇଥିବା ଘରକୁ ଯାଇ ସାନ୍ତ୍ବନାମୂଳକ ଦୁଇ ପଦ କହିଲେ କି?’’
ଚାଚାଙ୍କ ମୁହଁର ଅଭିବ୍ୟକ୍ତିକୁ ପଢ଼ି ମୁଁ କଥାକୁ ଆଗକୁ ବଢ଼େଇଲି: “ଚାଚା, ମୁଁ କହୁନାହିଁ ଯେ ଆମ ପଡ଼ୋଶୀ ଦେଶରେ ଅତ୍ୟାଚାର ହେବା ଉଚିତ ଏବଂ ଆମେ ସେଥିରେ ନିରବ ରହିବା ଉଚିତ! ମୁଁ କେବଳ ଏତିକି କହିବାକୁ ଚାହୁଛି କି ସର୍ବପ୍ରଥମେ ନିଜ ଘରୁ ହିଁ ମୁହଁ ଖୋଲିବା ଦରକାର। ପ୍ରଥମେ ନିଜ ଉପରେ ଥରେ ଦୃଷ୍ଟି ପକାଅ। କେବଳ ବିଧି ପାଳନ ନ କରି ବିପଦର ମୁକାବିଲା କର। ନୋଆଖଲିରେ ବାଂଲାଦେଶର ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ଗାନ୍ଧୀଜୀ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେହି ଗାନ୍ଧୀ କୋଲକାତାରେ ଦଙ୍ଗା ଭିତରେ ଛିଡ଼ା ହେବାର ସାହସ ଦେଖାଇଥିଲେ। ସତ କହିବାଟା କୌଣସି ସହଜ କି ଶସ୍ତା କାମ ନୁହେଁ।’’
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ
ବାଂଲାଦେଶୀ ହିନ୍ଦୁଙ୍କ ସଂଦର୍ଭରେ ଚାରି ସତ୍ୟ
“ବାଂଲାଦେଶୀ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଆପଣ କ’ଣ ଭାବୁଛନ୍ତି?’’ ମୁଁ ମୋର ଭାବନା ପ୍ରକାଶ କରିବା ପୂର୍ବରୁ ଚାଚା ମୋତେ ସମାଲୋଚନା କରି କହିଲେ, “ତୁମେ ଧର୍ମନିରପେକ୍ଷ ଲୋକମାନେ ଭାରତର ମୁସଲମାନମାନଙ୍କ ବିଷୟରେ ବହୁତ କଥାବାର୍ତ୍ତା କରୁଛ
/sambad/media/media_files/CQ7HxVvJZVgBl9ZeifcX.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)