ସନ୍ଦୀପ ସାହୁ
ଆଜି ‘‘ସହିଦ ଦିବସ’’। ୭୭ ବର୍ଷ ତଳେ ଆଜିର ଦିନରେ ଜଣେ ଧର୍ମାନ୍ଧ ଆତତାୟୀର ଗୁଳିରେ ଟଳି ପଡ଼ିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏବଂ ଦେଶର ଏକତା ଓ ସଂହତି ରକ୍ଷା ପାଇଁ ଚରମ ବଳିଦାନ ଦେଇଥିବା ସେହି ମହାମାନବଙ୍କ ମହାପ୍ରୟାଣ ଦିବସକୁ ଦେଶ ସହିଦ ଦିବସ ରୂପେ ପାଳନ କରି ଆସୁଛି। କିନ୍ତୁ ଘୋର ବିଡ଼ମ୍ବନାର ବିଷୟ ହେଉଛି ଦେଶର ଏକ କ୍ଷୁଦ୍ର ଅଥଚ କ୍ରମବର୍ଦ୍ଧମାନ ଗୋଷ୍ଠୀ ମହାତ୍ମା ଗାନ୍ଧୀଙ୍କ ବଦଳରେ ତାଙ୍କୁ ହତ୍ୟା କରିଥିବା ନଥୁରାମ ଗୋଡ଼ସେଙ୍କୁ ‘‘ସହିଦ’’ ଭାବେ ଚିତ୍ରଣ କରିବାରେ ଲାଗି ପଡ଼ିଛି। ଗାନ୍ଧୀଙ୍କୁ ‘‘ହିନ୍ଦୁ ବିରୋଧୀ’’ ଆଖ୍ୟା ଦେଇ ଗୋଡ଼ସେକୁ ହିନ୍ଦୁ ଧର୍ମର ତ୍ରାଣକର୍ତ୍ତା ଭାବେ ଉପସ୍ଥାପିତ କରିବାର ପ୍ରୟାସ ଚଳାଇଛି। କ୍ରମଶଃ କାୟା ଓ ପ୍ରଭାବ ବିସ୍ତାର କରୁଥିବା ଏ ମଦମତ୍ତ ଗୋଷ୍ଠୀ ଏ ଦାବି କରିବାରେ ମଧ୍ୟ ଦ୍ୱିଧା ବୋଧ କରୁନାହିଁ ଯେ ୧୯୪୭ ମସିହାରେ ଗାନ୍ଧୀଙ୍କ ନେତୃତ୍ୱରେ ଦେଶ ଯେଉଁ ସ୍ବାଧୀନତା ଲାଭ କରିଥିଲା, ତାହା ପ୍ରକୃତ ସ୍ବାଧୀନତା ନ ଥିଲା। ଦେଶକୁ ପ୍ରକୃତ ସ୍ବାଧୀନତା ୨୦୧୪ ମସିହାରେ ହିଁ ମିଳିଲା!
ଟିକିଏ ନିରିଖେଇ ଦେଖିଲେ ସ୍ପଷ୍ଟ ହୋଇଯାଏ ଯେ ଏହି କ୍ଷୁଦ୍ର (ଅନ୍ତତଃ ବର୍ତ୍ତମାନ ପର୍ଯ୍ୟନ୍ତ) କିନ୍ତୁ ପ୍ରଭାବଶାଳୀ ଗୋଷ୍ଠୀ ଯେଉଁ ଆଧାରରେ ଗାନ୍ଧୀଜୀଙ୍କୁ ହିନ୍ଦୁ ବିଦ୍ବେଷୀ ବୋଲି ଚିତ୍ରଣ କରିବାର ଅପଚେଷ୍ଟା କରୁଚି, ସେସବୁର ଠିଆ ହେବାପାଇଁ ଗୋଡ଼ ନାହିଁ। ଦେଶର ପିତାଙ୍କୁ ହିନ୍ଦୁ ବିରୋଧୀ ଆଖ୍ୟା ଦେବାରେ ଏମାନେ ସାଧାରଣତଃ ଯେଉଁ ସବୁ କାରଣ ଦର୍ଶାନ୍ତି, ସେସବୁକୁ ଅନୁଧ୍ୟାନ କରାଯାଉ। ଗାନ୍ଧୀ ପ୍ରାଦେଶିକ କଂଗ୍ରେସ କମିଟି ଗୁଡ଼ିକ ଦ୍ବାରା ସର୍ବସମ୍ମତ ଭାବେ ନିର୍ବାଚିତ ସର୍ଦ୍ଦାର ପଟେଲଙ୍କ ବଦଳରେ ଜୱାହରଲାଲ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ବାଛିଲେ ଓ ‘‘ଇମୋସନାଲ ବ୍ଲାକମେଲ’’ ଜରିଆରେ ଏ ନିଷ୍ପତ୍ତି ମାନି ନେବା ପାଇଁ ପଟେଲଙ୍କ ସହ ଅନ୍ୟ ସବୁ କଂଗ୍ରେସ ନେତାଙ୍କୁ ବାଧ୍ୟ କଲେ। ସେତେବେଳର ବିଶେଷ ପରିସ୍ଥିତିରେ ପଟେଲଙ୍କ ବଦଳରେ ନେହେରୁ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଠିକ୍ ଥିଲା କି ନାହିଁ, ତାକୁ ନେଇ ବିତର୍କର ଅବକାଶ ନିଶ୍ଚୟ ଅଛି। କିନ୍ତୁ ଏ ପ୍ରସଙ୍ଗରେ ନେହେରୁଙ୍କୁ ହିନ୍ଦୁ ବିରୋଧୀ ଓ ପଟେଲଙ୍କୁ ‘‘କଟ୍ଟର’’ ହିନ୍ଦୁ ବୋଲି ଚିତ୍ରଣ କରାଯିବା ନିଶ୍ଚିତ ଭାବେ ହାସ୍ୟାସ୍ପଦ। ଏଭଳି ଉଦ୍ଭଟ ଦାବି ପଛରେ ଦୁଇଟି ସମ୍ଭାବ୍ୟ କାରଣ ଥାଇପାରେ; ଗୋଟିଏ ଅଜ୍ଞତା ଓ ଅନ୍ୟଟି ସତ୍ୟ ପ୍ରତି ଇଚ୍ଛାକୃତ ବିମୁଖତା। ଯେଉଁମାନେ ଇତିହାସ ପଢ଼ିଛନ୍ତି, ସେମାନେ ନିଶ୍ଚୟ ଜାଣିଛନ୍ତି ଯେ ଦେଶର ଗୃହମନ୍ତ୍ରୀ ଭାବେ ଗାନ୍ଧୀଜୀଙ୍କ ହତ୍ୟା ପରେ ସେହି ସର୍ଦ୍ଦାର ପଟେଲ ହିଁ ସବୁ ହିନ୍ଦୁଙ୍କର ପ୍ରତିନିଧି ବୋଲି ଦାବି କରୁଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଉପରେ ପ୍ରଥମ ନିଷେଧାଜ୍ଞା ଜାରି କରିଥିଲେ। ପଟେଲଙ୍କ ବଦଳରେ ନେହେରୁଙ୍କୁ ଦେଶର ପ୍ରଧାନମନ୍ତ୍ରୀ ବାଛିବା ହୁଏତ ଗାନ୍ଧୀଜୀଙ୍କର ଏକ ରାଜନୈତିକ ଭୁଲ୍ ହୋଇପାରେ, କିନ୍ତୁ ଏ ନିଷ୍ପତ୍ତିକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବାର ପ୍ରଚେଷ୍ଟା ସର୍ବାଦୌ ବର୍ଜନୀୟ।
ଗାନ୍ଧୀଜୀଙ୍କୁ ହିନ୍ଦୁ ବିଦ୍ୱେଷୀ ବୋଲି ଦର୍ଶାଇବାକୁ ଯାଇ ଏହି ଗାନ୍ଧୀ ବିଦ୍ୱେଷୀ ଗୋଷ୍ଠୀ ଅନ୍ୟ ଯେଉଁ ଘଟଣାଟିର ଅବତାରଣା କରନ୍ତି, ତାହା ହେଲା ସେ ମୁସଲମାନ ଜିନ୍ନାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏ ପ୍ରସ୍ତାବର ଐତିହାସିକ ପୃଷ୍ଠଭୂମିକୁ ବିଚାରକୁ ନ ନେଇ ଏହା ଉପରେ ଟିପ୍ପଣୀ କରିବା ଆଦୌ ସମୀଚୀନ ନୁହେଁ। ଆମେ ମାନେ ଭୁଲି ଯିବା ଉଚିତ ନୁହେଁ ଯେ ଦେଶର ସମ୍ଭାବ୍ୟ ବିଭାଜନକୁ ନେଇ ଭୀଷଣ ଭାବେ ବ୍ୟଥିତ ଓ ମର୍ମାହତ ଗାନ୍ଧୀଜୀ କେବଳ ବିଭାଜନ ଏଡ଼ାଇବାକୁ ଯାଇ ‘‘ଶେଷ ବାଜି’’ ଭାବରେ ଏଭଳି ପ୍ରସ୍ତାବ ରଖିଥିଲେ (ଯାହା ଅଚିରେ କଂଗ୍ରେସ ନେତାଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେଲା); ଜିନ୍ନା ମୁସଲମାନ ଥିଲେ ବୋଲି ନୁହେଁ।
ଗାନ୍ଧୀଜୀଙ୍କ ବିରୁଦ୍ଧରେ ହିନ୍ଦୁତ୍ୱବାଦୀଙ୍କ ଅନ୍ୟ ଏକ ଅଭିଯୋଗ ହେଲା ଦେଶ ବିଭାଜନ ପରେ ବି ସେ ପାକିସ୍ତାନକୁ ବିଭାଜନ ପରବର୍ତ୍ତୀ ଯାବତୀୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଭାରତ ସରକାରଙ୍କ ତରଫରୁ ୫୫ ଲକ୍ଷ ଦିଆଯିବା ପାଇଁ ଜିଦ ଧରିଥିଲେ ଓ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ (ଯେଉଁ ଆଶା କେବେ ପୂରଣ ହୋଇ ପାରିଲା ନାହିଁ)। ଏହା ନ ଥିଲା ତାଙ୍କ ପାକିସ୍ତାନ ପ୍ରୀତି ବା ଭାରତ/ହିନ୍ଦୁ ବିଦ୍ୱେଷୀ ମନୋଭାବର ପରିଚାୟକ; ବରଂ ଥିଲା ପରିବାରର ମୁରବି ଭାବରେ ତାଙ୍କର ଭିନେ ହୋଇଥିବା ସାନ ପୁଅଟି ପ୍ରତି ସ୍ବାଭାବିକ ଉଦାରତା।
ଗାନ୍ଧୀଜୀଙ୍କ ବିରୁଦ୍ଧରେ ଯେଉଁ ଦୀର୍ଘ ଅଭିଯୋଗ ପତ୍ର ଜାରି କରାଯାଇଛି, ଗୋଟି ଗୋଟି କରି ସେସବୁର ତର୍ଜମା କରିବା ଏହି ଆଲେଖ୍ୟର ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ। କିନ୍ତୁ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ପ୍ରମାଣିତ କରିବା ପାଇଁ ଏହିଭଳି ଯେତେ ସବୁ ଉଦାହରଣ ଉପସ୍ଥାପିତ କରାଯାଇଛି, ସେସବୁକୁ ଐତିହାସିକ ସତ୍ୟ ଓ ପୃଷ୍ଠଭୂମି ଆଧାରରେ ଖଣ୍ଡନ କରାଯାଇ ପାରିବ। ପ୍ରକୃତ କଥା ହେଲା ଏଭଳି ଅଭିଯୋଗ ଆଣୁଥିବା ଲୋକମାନେ ଉଭୟ ଗାନ୍ଧୀଜୀ ଓ ହିନ୍ଦୁ ଧର୍ମ ସମ୍ପର୍କରେ ଅଜ୍ଞ। କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ବଡ଼ ଗୋଷ୍ଠୀ ହିନ୍ଦୁ ଧର୍ମ ଉପରେ ଗାନ୍ଧୀଜୀଙ୍କ ବିଚାର ସମ୍ପର୍କରେ ଜାଣିବାକୁ ଚାହାନ୍ତି ହିଁ ନାହିଁ; ହିନ୍ଦୁ ଧର୍ମ ସମ୍ପର୍କରେ ସେ କ’ଣ କହିଛନ୍ତି ବା ଲେଖିଛନ୍ତି, ତାହା ପଢ଼ିବାକୁ/ଜାଣିବାକୁ କେବେ ଚେଷ୍ଟା ହିଁ କରନ୍ତି ନାହିଁ କାରଣ ପଢ଼ିଲେ, ଜାଣିଲେ କାଳେ ହିନ୍ଦୁତ୍ବ ପ୍ରବକ୍ତାମାନଙ୍କ ଦ୍ବାରା ତାଙ୍କ ମୁଣ୍ଡରେ ପୂରାଇ ଦିଆଯାଇଥିବା ଧାରଣା ଚହଲିଯିବ। ‘‘ମାଇଁ ଏକ୍ସପେରିମେଣ୍ଟସ୍ ୱିଥ୍ ଟ୍ରୁଥ୍’’ ଏମାନଙ୍କ ପାଇଁ ଏକ ନିଷିଦ୍ଧ ପୁସ୍ତକ। ହିନ୍ଦୁ ଧର୍ମ ସମ୍ପର୍କରେ ବିଭିନ୍ନ ସମୟରେ ‘‘ହରିଜନ’’ ଓ ‘‘ୟଙ୍ଗ ଇଣ୍ଡିଆ’’ ପତ୍ରିକାରେ ସେ ଲେଖିଥିବା ଲେଖାଗୁଡ଼ିକର ସଂକଳନ ‘‘ହ୍ୱାଟ ଇଜ୍ ହିନ୍ଦୁଇଜ୍ମ?’’ ଏମାନଙ୍କ ପାଇଁ ‘‘ସୈତାନର ସତ୍ୟପାଠ’’! ଆଖି ନ ଥିବା ଲୋକ ଦୋଷାବହ ନୁହେଁ। କିନ୍ତୁ ଆଖି ଥାଇ ଯିଏ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅନ୍ଧର ଅଭିନୟ କରିବ, ତାକୁ କ’ଣ କୁହାଯିବ? ଗାନ୍ଧୀଜୀଙ୍କୁ ହିନ୍ଦୁ ବିଦ୍ୱେଷୀ ଭାବେ ସଜାଇବାରେ ଲାଗି ପଡ଼ିଥିବା ଲୋକମାନେ ଏହି ବର୍ଗର।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଗୋଟିଏ ଉଦାହରଣ ନିଆଯାଉ। ଏକଥା ସମସ୍ତେ ଜାଣନ୍ତି ଯେ ଧର୍ମାନ୍ତରଣ ସବୁ ହିନ୍ଦୁଙ୍କ ପାଇଁ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ସ୍ବାଧୀନତା ପୂର୍ବରୁ ଓ ପରେ ଅନେକ ସାମ୍ପ୍ରଦାୟିକ ହିଂସା ଘଟିଛି; ଅନେକ ଜୀବନ ଯାଇଛି। କିନ୍ତୁ କେତେ ଲୋକ ଜାଣନ୍ତି ଯେ ଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗାନ୍ଧୀଜୀଙ୍କ ବିଚାର ଓ ଚିନ୍ତାଧାରା କ’ଣ ଥିଲା? ଉପରେ ଉଲ୍ଲେଖ କରା ଯାଇଥିବା ଗାନ୍ଧୀଜୀଙ୍କ ରଚିତ ପୁସ୍ତକ ଦୁଇଟି ଅଧ୍ୟୟନ କଲେ ସ୍ପଷ୍ଟ ହୋଇଯାଏ ଯେ ସେ ଧର୍ମାନ୍ତରଣକୁ ଘୋର ବିରୋଧ କରୁଥିଲେ। ‘‘ୟଙ୍ଗ ଇଣ୍ଡିଆ’’ର ମାର୍ଚ୍ଚ, ୧୯୨୯ ସଂସ୍କରଣରେ ସେ ଲେଖିଥିଲେ; ‘‘ମୁଁ ଜଣେ ଲୋକ ଦ୍ବାରା ଅନ୍ୟ ଜଣଙ୍କର ଧର୍ମାନ୍ତରଣରେ ବିଶ୍ୱାସ କରେ ନାହିଁ। ମୋର ପ୍ରଚେଷ୍ଟା କାହାରି ଧର୍ମକୁ ନ୍ୟୂନ କରି ଦେଖାଇବା ନୁହେଁ; ବରଂ ତାଙ୍କ ନିଜ ଧର୍ମକୁ ନିଷ୍ଠାର ସହ ପାଳନ କରିବା ପାଇଁ ତାଙ୍କୁ ପ୍ରରୋଚିତ କରିବା ସକାଶେ ଉଦ୍ଦିଷ୍ଟ ହେବା ଉଚିତ।’’ ଗାନ୍ଧୀଜୀଙ୍କୁ ହିନ୍ଦୁ ବିରୋଧୀ ଆଖ୍ୟା ଦେଉଥିବା ଲୋକମାନେ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦ ଅକ୍ଟୋବର, ୧୯୨୭ରେ ସେହି ପତ୍ରିକାରେ ‘‘ମୁଁ ହିନ୍ଦୁ କାହିଁକି?’’ ଶୀର୍ଷକରେ ପ୍ରକାଶିତ ଏକ ଅଗ୍ରଲେଖରେ ଗାନ୍ଧୀଜୀ ଦୃଢ଼ତାର ସହ କହିଛନ୍ତି ଯେ ସେ ‘‘ବର୍ଣ୍ଣାଶ୍ରମ’’ରେ ବିଶ୍ୱାସ କରନ୍ତି (ଯଦିଓ ସେ ସ୍ପଷ୍ଟ କରିଛନ୍ତି ଯେ ସେ ବର୍ଣ୍ଣାଶ୍ରମର ମୂଳତତ୍ତ୍ବରେ ବିଶ୍ୱାସ କରନ୍ତି, ତାହାର ପ୍ରଚଳିତ ସ୍ଖଳିତ ରୂପରେଖରେ ନୁହେଁ)। ଏବେ କିଛି ହିନ୍ଦୁ ନିଜକୁ ‘‘ସନାତନୀ ହିନ୍ଦୁ’’ ବୋଲି ପରିଚୟ ଦେଉଛନ୍ତି। କିନ୍ତୁ ପ୍ରାୟ ଶହେ ବର୍ଷ ତଳେ ଗାନ୍ଧୀଜୀ କେବଳ ନିଜକୁ ‘‘ସନାତନୀ ହିନ୍ଦୁ’’ ବୋଲି କହି ନ ଥିଲେ; ଏହାର ଚାରି ଗୋଟି କାରଣ ମଧ୍ୟ ଦର୍ଶାଇଥିଲେ। (୧) ‘‘ମୁଁ ବେଦ, ଉପନିଷଦ, ପୁରାଣ ଓ ଅନ୍ୟ ସମସ୍ତ ହିନ୍ଦୁ ଧର୍ମ ଶାସ୍ତ୍ରରେ ବିଶ୍ୱାସ କରେ ଓ ସେହି କାରଣରୁ ଅବତାର ଓ ପୁନର୍ଜନ୍ମରେ ମଧ୍ୟ ବିଶ୍ବାସ କରେ। (୨) ମୁଁ ବୈଦିକ ଅର୍ଥରେ (ବର୍ତ୍ତମାନ ପ୍ରଚଳିତ ଅର୍ଥରେ ନୁହେଁ) ବର୍ଣ୍ଣାଶ୍ରମରେ ବିଶ୍ୱାସ ରଖେ। (୩) ଏକ ବୃହତ୍ତର ଅର୍ଥରେ ମୁଁ ଗୋସୁରକ୍ଷାରେ ବିଶ୍ୱାସ ରଖେ ଏବଂ (୪) ମୁଁ ପ୍ରତିମା ପୂଜାରେ ଅବିଶ୍ବାସ କରେ ନାହିଁ।” କିନ୍ତୁ ଗାନ୍ଧୀ ବିରୋଧୀଙ୍କ ବିଚାରରେ ଏସବୁ ବୋଧହୁଏ ତାଙ୍କ ହିନ୍ଦୁ ହୋଇଥିବାର ଯଥେଷ୍ଟ ପ୍ରମାଣ ନୁହେଁ।
ଗାନ୍ଧୀଜୀଙ୍କ ଉପରୋକ୍ତ ‘‘ବିଶ୍ୱାସ’’ଗୁଡ଼ିକର ଆଧାରରେ ଆଧୁନିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ଜଣେ ବ୍ୟକ୍ତି ହୁଏତ ଗାନ୍ଧୀଜୀଙ୍କୁ ଏକ ରୁଢ଼ିବାଦୀ ହିନ୍ଦୁର ଆଖ୍ୟା ଦେଇପାରେ। କିନ୍ତୁ ହିନ୍ଦୁ ବିରୋଧୀ? ହିନ୍ଦୁ ଧର୍ମରେ ଯାହା କିଛି ମହନୀୟ, ଯାହା କିଛି ଅନୁକରଣୀୟ, ସେସବୁର ପ୍ରତିଫଳନ ଦେଖିବାକୁ ମିଳେ ସତ୍ୟ ଓ ଅହିଂସାର ଏହି ଆଜୀବନ ପୂଜାରୀଙ୍କ ଜୀବନରେ। ସାରା ଜୀବନ ନିଜ ଆଚରଣରେ, କର୍ମରେ, ଚିନ୍ତାଧାରାରେ ସଚ୍ଚା ହିନ୍ଦୁର ଜୀବନ ଜିଇଥିବା ଜଣେ ମହାନ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଭିତ୍ତିହୀନ ଓ ସତ୍ୟର ଅପଳାପ ମାତ୍ର।
ଗାନ୍ଧୀଜୀ ଦେଶର ପିତା, ସ୍ବାଧୀନତା ସଂଗ୍ରାମର ମୁଖ୍ୟ ବିନ୍ଧାଣି ହୋଇ ପାରନ୍ତି। କିନ୍ତୁ ସେ ସମାଲୋଚନାର ଊର୍ଦ୍ଧ୍ବରେ ନୁହନ୍ତି। କେବଳ ଗାନ୍ଧୀଜୀ କାହିଁକି, ଆଧୁନିକ ଯୁଗରେ କେହି ବି ‘‘ପବିତ୍ର ଗାଈ’’ ନୁହନ୍ତି। କିନ୍ତୁ ସମାଲୋଚନା ଯୁକ୍ତିନିଷ୍ଠ ଓ ଅକାଟ୍ୟ ତଥ୍ୟ ସମ୍ବଳିତ ହେବା ଜରୁରି। ଏବଂ ୭୭ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରି ସାରିଥିବା ଜଣେ ବ୍ୟକ୍ତିଙ୍କୁ ସମାଲୋଚନା କରିବା ପୂର୍ବରୁ ସମକାଳୀନ ପରିସ୍ଥିତି ଓ ପୃଷ୍ଠଭୂମିକୁ ବିଚାରକୁ ନେବା ଆହୁରି ଜରୁରି। ପ୍ରମାଣରହିତ, ଅସୂୟାପ୍ରଣୋଦିତ ସମାଲୋଚନା ଦୀର୍ଘସ୍ଥାୟୀ ହୁଏନାହିଁ; କାଳର କରାଳ ଗର୍ଭରେ ଲୀନ ହୋଇଯାଏ। ଏବଂ ଏହି ଲେଖକ ମନରେ ତିଳେମାତ୍ର ସନ୍ଦେହ ନାହିଁ ଯେ ଗାନ୍ଧୀଜୀଙ୍କୁ ହିନ୍ଦୁ ବିରୋଧୀ ସାବ୍ୟସ୍ତ କରିବା ପାଇଁ ତାଙ୍କ ବିରୁଦ୍ଧରେ ହେଉଥିବା ସମାଲୋଚନାର ମଧ୍ୟ ସମାନ ପରିଣତି ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨