ସନ୍ଦୀପ ସାହୁ

Advertisment

ନବମ ଦଶକରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଅଭିନବ ତତ୍ତ୍ବ ପ୍ରବର୍ତ୍ତନ କରିଥିଲେ। ନିଜର ବିବାଦୀୟ ବକ୍ତବ୍ୟ ପାଇଁ ପରିଚିତ ବିଜୁବାବୁଙ୍କର ଏ ଅଭିନବ ତତ୍ତ୍ୱକୁ ରାଜନୈତିକ ସମୀକ୍ଷକମାନେ ‘ମାଡ଼ ତତ୍ତ୍ବ’ ବୋଲି ଅଭିହିତ କରିଥିଲେ। ଏହି ତତ୍ତ୍ବର ପ୍ରବର୍ତ୍ତନ କରିବାକୁ ଯାଇ ବିଜୁବାବୁ ଯେଉଁ ସରକାରୀ ଅଫିସରମାନେ କାମ କରୁନାହାନ୍ତି, ଦୁର୍ନୀତି କରୁଛନ୍ତି ବା ଜନସାଧାରଣଙ୍କୁ ହଇରାଣ, ହରକତ କରୁଛନ୍ତି, ସେମାନଙ୍କୁ ବାଡ଼େଇବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଖୋଲା ଆହ୍ବାନ ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି କରିଥିଲା। ବିଜୁବାବୁଙ୍କ ଆହ୍ବାନକୁ ଗ୍ରହଣ କରି ଅନେକ ସ୍ଥାନରେ ଲୋକେ ପ୍ରକୃତରେ ‘ଜନବିରୋଧୀ’ ଅଫିସରଙ୍କ ଉପରେ ଶାରୀରିକ ଆକ୍ରମଣ କଲେ। ପରିସ୍ଥିତି ଏପରି ହେଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସଂଶୋଧିତ ନିର୍ଦ୍ଦେଶ ଜାରି କରିବାକୁ ପଡ଼ିଲା। ଏହି ନିର୍ଦ୍ଦେଶରେ ଜନତାଙ୍କୁ କୁହାଗଲା ‘କାମ କରୁ ନ ଥିବା’ ଅଫିସରଙ୍କୁ ମାଡ଼ ମାରିବା ପୂର୍ବରୁ ଲୋକଙ୍କୁ ଅଫିସରଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗର ବିଶଦ ବିବରଣୀ ଦେଇ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନୁମତି ନେବାକୁ ହେବ। ଅଳ୍ପ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ‘ଅନୁମତି ଆବେଦନ’ ଗଦା ହୋଇଗଲା। ସେ ସବୁ ଉପରେ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ସେତିକିରେ ‘ମାଡ଼ ତତ୍ତ୍ବ’ର ପରିସମାପ୍ତି ଘଟିଲା। ୧୯୯୦ ନିର୍ବାଚନରେ ଅଭୂତପୂର୍ବ ଜନ ସମର୍ଥନ ପାଇ, ବିଧାନସଭାର ୧୪୭ ଆସନରୁ ୧୨୩ରେ ବିଜୟ ଲାଭ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ବିଜୁଙ୍କ ନେତୃତ୍ବାଧୀନ ଜନତା ଦଳ ପରବର୍ତ୍ତୀ ନିର୍ବାଚନ (୧୯୯୫)ରେ ମାତ୍ର ୪୬ଟି ଆସନକୁ ଖସି ଆସି କ୍ଷମତା ହରାଇଲା। ରାଜନୈତିକ ପର୍ଯ୍ୟବେକ୍ଷକମାନେ ଦଳ ଓ ବିଜୁବାବୁଙ୍କ ଏ ଅପ୍ରତ୍ୟାଶିତ ପରାଜୟର ଅନେକ କାରଣ ମଧ୍ୟରୁ ଏହି ‘ମାଡ଼ ତତ୍ତ୍ବ’ ମଧ୍ୟ ଅନ୍ୟତମ ବୋଲି ଦର୍ଶାଇଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜର ପ୍ରଥମ ଜନସଭାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଏହାର ଉଲ୍ଲେଖ କରି ଏକ ବହୁଳ ବ୍ୟବହୃତ ଇଂରେଜୀ ଆପ୍ତବାକ୍ୟର ଅବତାରଣା କଲେ। ‘ଏ ବ୍ୟାଡ ୱର୍କମ୍ୟାନ କ୍ବାର୍ଲସ ୱିଥ ହିଜ ଓନ ଟୁଲ୍‌ସ’, ଯାହାର ଅର୍ଥ ‘ଅପାରଗ କାରିଗର ନିଜ ଉପକରଣକୁ ଦୋଷ ଦିଏ।’ 
ପାଠକେ ନିଶ୍ଚୟ ଅନୁମାନ କରିପାରୁଥିବେ ଏ ଦୀର୍ଘ ଉପକ୍ରମଣିକାର ପୃଷ୍ଠଭୂମି। ବିଜୁଙ୍କ ‘ମାଡ଼ ତତ୍ତ୍ବ’ ସମାଧି ଲାଭ କଲା ପରେ ମଧ୍ୟ ସରକାରୀ ଅଫିସରଙ୍କ ଉପରେ ଆକ୍ରମଣ ଘଟଣା ବନ୍ଦ ହୋଇ ନାହିଁ। ଅଫିସରମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବିଭିନ୍ନ ସମୟରେ କ୍ଷୁବ୍‌ଧ ଜନତା ଆଇନକୁ ହାତକୁ ନେଇଛନ୍ତି। କିନ୍ତୁ ଗତ ସପ୍ତାହରେ ଭୁବନେଶ୍ବର ମହାନିଗମ କାର୍ଯ୍ୟାଳୟରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ଯେଉଁ ବର୍ବରୋଚିତ ଆକ୍ରମଣ ହେଲା, ତାହା ଦୁଇଟି କାରଣରୁ ଅଧିକ ଚର୍ଚ୍ଚିତ ହେଲା। ପ୍ରଥମତଃ, ଘଟଣାଟି ରାଜଧାନୀରେ ଏବଂ ଦିନ ଦ୍ୱିପ୍ରହରରେ ଘଟିଲା। ଟେଲିଭିଜନ ଓ ମୋବାଇଲ ପରଦାରେ ସାରା ଓଡ଼ିଶା ଦେଖିଲା ଏ ନିନ୍ଦନୀୟ ଘଟଣାର ଦୃଶ୍ୟ। ଦ୍ବିତୀୟରେ ଘଟଣା ପରେ ଅନେକେ ସାଧାରଣ ଭାବେ ଅଫିସରମାନଙ୍କର ଓ ନିର୍ଦ୍ଦିଷ୍ଟ ଭାବେ ସେହି ଅଫିସରଙ୍କ ‘ଜନ ବିରୋଧୀ’ ଆଭିମୁଖ୍ୟକୁ ନିନ୍ଦା କରି ତାଙ୍କ ଉପରେ ମାଡ଼କୁ ଯଥାର୍ଥ ବୋଲି ଦର୍ଶାଇଲେ। ବିଶେଷ କରି ବିଜେପି ନେତା ତଥା ‘ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ’ର ପରାଜିତ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ସଂପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଯାବତୀୟ ଅଭିଯୋଗ ଆଣି ତାଙ୍କୁ ମାଡ଼ ମରାଯିବାକୁ ଠିକ୍‌ ବୋଲି ଦର୍ଶାଇବାର ଚେଷ୍ଟା କଲେ। ଯେପରିକି, ସଂପୃକ୍ତ ଅଫିସର ଜଣକ ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ କାମ କରୁଥିଲେ। ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରୁଥିଲେ। ସୁଯୋଗ ଉଣ୍ଡି ଜଣେ ନିଲମ୍ବିତ ମହିଳା ବିଡିଓ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସେ କିପରି ତାଙ୍କୁ ନିର୍ଯାତନା ଦେଉଥିଲେ।
ଯଦିଓ ଏକଥା ସ୍ପଷ୍ଟ ଯେ ଏ ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, କ୍ଷଣିକ ପାଇଁ ଧରି ନିଆଯାଉ ସେ ସବୁ ସତ୍ୟ। ତେବେ କ’ଣ ଏସବୁ ଅଭିଯୋଗ ମାଡ଼ ଘଟଣାକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ଯଥେଷ୍ଟ? ଏଭଳି ବିତଣ୍ଡା ଯୁକ୍ତିକୁ ସମର୍ଥନ କଲେ ଦେଶରେ ଅରାଜକତା ବ୍ୟାପିଯିବ ନାହିଁ କି? ଜନତା ଯଦି ନିଜ ଇଚ୍ଛା ଅନୁଯାୟୀ ଭ୍ରଷ୍ଟ, ଅପାରଗ, ଜନବିରୋଧୀ ଅଫିସରଙ୍କୁ ‘ତାତ୍‌କାଳିକ ନ୍ୟାୟ’ ପ୍ରଦାନ କରିବେ, ଆଇନକୁ ହାତକୁ ନେବେ, ତେବେ ଆଇନକାନୁନ ବ୍ୟବସ୍ଥା ଆଉ ରହିବ କାହିଁକି? ଏଭଳି ତ୍ୱରିତ ନ୍ୟାୟ ନୀତିକୁ ପ୍ରଶ୍ରୟ ଦେଲେ ଆମ ଗଣତାନ୍ତ୍ରିକ, ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ନାହିଁ କି? ଅରାଜକତା ବ୍ୟାପିବ ନାହିଁ କି?
ଆଶ୍ବାସନାର ବିଷୟ ମୋହନ ମାଝୀ ସରକାର ଦଳୀୟ ବିଚାରରୁ ଊର୍ଦ୍ଧ୍ୱକୁ ଯାଇ ଏ ବର୍ବର ଆକ୍ରମଣର ମୁଖ୍ୟ ପୁରୋଧା ବୋଲି କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହିତ ତାଙ୍କର ଯେଉଁ ସମର୍ଥକମାନେ ସାହୁଙ୍କୁ ତାଙ୍କରି ଦପ୍ତରରେ ଗୋଡ଼ାଇ ଗୋଡ଼ାଇ, ଘୋଷାରି ଘୋଷାରି ବାଡ଼େଇ ଥିଲେ ସମସ୍ତଙ୍କୁ ଗିରଫ କରି, ସେମାନଙ୍କ ବିରୁଦ୍ଧରେ ସଙ୍ଗିନ ଦଫା ଲଗାଇ ସେମାନଙ୍କୁ ଜେଲ ପଠାଇଛନ୍ତି। ଏଭଳି କରି ସରକାର ଲୋକଙ୍କୁ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ଆଇନର ଊର୍ଦ୍ଧ୍ବରେ କେହି ନୁହେଁ। ଅବଶ୍ୟ ନିନ୍ଦୁକମାନେ କହୁଛନ୍ତି ଯେ ଏ ଗିରଫଦାରି ଆଇନ ବ୍ୟବସ୍ଥା ପ୍ରତି ସରକାରଙ୍କର ପ୍ରତିବଦ୍ଧତାର ପ୍ରମାଣ ନୁହେଁ, ବରଂ ଦଳୀୟ ଅନ୍ତର୍କନ୍ଦଳର ପରିପ୍ରକାଶ। ଆଉ କିଛି ଲୋକ ଏକଥା ମଧ୍ୟ କହୁଛନ୍ତି ଯେ ସରକାର ଜଗନ୍ନାଥ ପ୍ରଧାନ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଡ଼ି ବସି ତିନି ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବା ଓଏଏସ ଅଫିସର୍‌ସ ସଂଘର ‘ଚାପରେ ଚେପା’ ହୋଇଗଲେ। ଏସବୁ ସତ ହେଲେ ମଧ୍ୟ ମୋହନ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେଇଥିବାରୁ ଧନ୍ୟବାଦର ପାତ୍ର। ଗତ ବର୍ଷ ରଥଯାତ୍ରା ସମୟରେ ତତ୍‌କାଳୀନ ରାଜ୍ୟପାଳଙ୍କ ଉଦ୍ଧତ ପୁତ୍ର ପୁରୀ ରାଜଭବନ ଠାରେ ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିନ୍ଦା ଓ ଅପବାଦ ମୁଣ୍ଡାଇଥିବା ମୋହନ ସରକାର ତାଜା ଘଟଣାରେ ଉପଯୁକ୍ତ ପଦକ୍ଷେପ ନେଇ ସେହି ଅପବାଦକୁ କିଛି ପରିମାଣରେ ଲାଘବ କରିଛନ୍ତି। ଏହା ସହ ପୂର୍ବ ସରକାରଙ୍କ ଅମଳରେ ଶାସକ ଦଳ ନେତାଙ୍କ ସଂପୃକ୍ତି ଥିବା ଅନେକ ଘଟଣାରେ ଆଇନକୁ ବାଟବଣା କରି ସେମାନଙ୍କୁ ସୁରକ୍ଷା ଦେବାର ଯେଉଁ ଅସୁସ୍ଥ ପରମ୍ପରା ଚାଲିଥିଲା, ତାକୁ ଭାଙ୍ଗି ଏକ ଅନୁକରଣୀୟ ଉଦାହରଣ ପ୍ରସ୍ତୁତ କରିଛନ୍ତି।
କିନ୍ତୁ ଏ ଘଟଣାରେ ଉପଯୁକ୍ତ ପଦକ୍ଷେପ ନେଇ ରାଜ୍ୟ ସରକାର ଯେତିକି ପ୍ରଶଂସା ସାଉଁଟିଛନ୍ତି, ‘ମାଡ଼ ତତ୍ତ୍ବ’ ପ୍ରୟୋଗର ଅନ୍ୟ ଏକ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ସେତିକି ନିନ୍ଦା ଓ ଅପବାଦ ମଧ୍ୟ ମୁଣ୍ଡାଇଛନ୍ତି। ସାମାଜିକ ଗଣମାଧ୍ୟମରେ ‘ଭାଇରାଲ’ ହୋଇଥିବା ଏକ ଭିଡିଓରେ ସାରା ଓଡ଼ିଶା ଦେଖିଲା ଦ୍ବୈତନଗରୀର ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ କିଭଳି ନିର୍ଲିପ୍ତ, ନିର୍ବିକାର ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ‘‘ଗୋଡ଼ ଭାଙ୍ଗି ଦେବା’’ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସତେ ଯେମିତି ସେତିକି ଯଥେଷ୍ଟ ହେଲା ନାହିଁ, ବରିଷ୍ଠ ଓ ଅଭିଜ୍ଞ ଏହି ପୁଲିସ ଅଫିସର ଜଣକ ଆନ୍ଦୋଳନକାରୀଙ୍କ ଗୋଡ଼ ଭାଙ୍ଗିଥିବା ସୁରକ୍ଷା କର୍ମୀଙ୍କ ପାଇଁ ଯେଭଳି ଭାବରେ ‘ପୁରସ୍କାର’ ଘୋଷଣା କରୁଛନ୍ତି, ତାହାର ପଟାନ୍ତର ନାହିଁ। ଶରଧାବାଲିରେ ଅଘଟଣ ଓ ପରେ ପରେ ବି.ଏମ.ସି. ଅଫିସରଙ୍କ ମାଡ଼ ଘଟଣାକୁ ନେଇ ତମ୍ବିତୋଫାନ ଭିତରେ ଏ ଘଟଣାଟି ଯେତିକି ଚର୍ଚ୍ଚିତ ହେବା କଥା, ସେତିକି ହେଲା ନାହିଁ। କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ ଏହା ବି.ଏମ.ସି. ଘଟଣା ଠାରୁ ଆହୁରି ଅଧିକ ଚିନ୍ତାଜନକ, ଅଧିକ ଉଦ୍‌ବେଗଜନକ। ସାଧାରଣ ଜନତା ବା ଦଳୀୟ କର୍ମକର୍ତ୍ତା ଆଇନ ହାତକୁ ନେଲେ ମଧ୍ୟ ତାହା ଏକ ଦଣ୍ଡନୀୟ ଅପରାଧ। କିନ୍ତୁ ଆଇନର ଶାସନକୁ ସମ୍ମାନ ଜଣାଇବା ପାଇଁ ସଂକଳ୍ପବଦ୍ଧ ଜଣେ ବରିଷ୍ଠ, ଦାୟିତ୍ବବାନ ପୁଲିସ ଅଫିସର ନିଜ ଯବାନମାନଙ୍କୁ ହିଂସା ପାଇଁ ପ୍ରରୋଚିତ, ଉତ୍ସାହିତ କରିବା, ଏପରିକି ଏଥିପାଇଁ ‘ପୁରସ୍କାର’ ଘୋଷଣା କରିବା ସମ୍ପୂର୍ଣ୍ଣ ଭାବେ ଅକ୍ଷମଣୀୟ। ଯେହେତୁ ଏଭଳି ବେଆଇନ ନିର୍ଦ୍ଦେଶର ପୃଷ୍ଠଭୂମି ଥିଲା କଂଗ୍ରେସ କର୍ମୀଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ, ତେଣୁ ଅନୁମାନ କରାଯାଇପାରେ ଯେ ଅଫିସର ଜଣକ ହୁଏତ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ଏଭଳି ଅନୁଚିତ ଓ ଅଗ୍ରହଣୀୟ ଆଦେଶ ଦେଇଥିବେ। କିନ୍ତୁ ଏଭଳି ଘଟଣାରେ ସଂପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଗତାନୁଗତିକ ଭାବେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଦ୍ବାରା ଏକ ପ୍ରଶାସନିକ ତଦନ୍ତର ଆଦେଶ ଦେଇ ବସିଯିବା ସରକାର ଓ ଗୃହମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଛବିକୁ ଆଦୌ ଉଜ୍ଜ୍ୱଳ କରୁନାହିଁ; ବରଂ ଏକ ଅତ୍ୟନ୍ତ ଖରାପ ଉଦାହରଣ ସୃଷ୍ଟି କରୁଛି। ଘଟଣା ପଦାକୁ ଆସିବା ପରେ ନିଜ ଆଚରଣ ସମ୍ପର୍କରେ ସଫେଇ ଦେବାକୁ ଯାଇ ସଂପୃକ୍ତ ଅଫିସର ଜଣକ କହିଛନ୍ତି ଯେ ‘ସବୁ କଥାର ଏକ ନିର୍ଦ୍ଦିଷ୍ଟ ସ୍ଥାନ, କାଳ, ପାତ୍ର ଥାଏ। ଯଦି କେହି ବାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି, ତେବେ ସେ ଆଇନ ଉଲ୍ଲଂଘନ କରୁଛି ଓ ‘ବେଆଇନ ମେଳି’ର ଅଂଶ ବିଶେଷ ପାଲଟୁଛି। ଏଭଳି ମେଳି ଭାଙ୍ଗିବାକୁ ସର୍ବାଧିକ ବଳ ପ୍ରୟୋଗ କରାଯାଇ ପାରିବ।’ ଅର୍ଥାତ୍ ସେ ଯାହା କହିଛନ୍ତି, ତାହା ଆଇନସମ୍ମତ। (ରକ୍ଷା ହୋଇଛି ଯେ ଆନ୍ଦୋଳନକାରୀଙ୍କ ଗୋଡ଼ ଭାଙ୍ଗିବା ପାଇଁ ପୁରସ୍କାର ଘୋଷଣା କରିବାକୁ ସେ ଯଥାର୍ଥ ଓ ଆଇନସମ୍ମତ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରି ନାହାନ୍ତି!)। ଭୋଳଙ୍କ ଏ ଦାବି କେତେଦୂର ନ୍ୟାୟୋଚିତ, ତାହା ତ ଆଇନ ବିଶାରଦମାନେ କହିବେ। କିନ୍ତୁ ସ୍ଥୂଳ ବୁଦ୍ଧିରେ ଏତିକି ନିଶ୍ଚୟ କୁହାଯାଇପାରେ ଯେ ଏ ‘ନୀତି’କୁ ଗ୍ରହଣ କରିନେଲେ ରାଜନୈତିକ ବିରୋଧ/ବିକ୍ଷୋଭ (ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ମୌଳିକ ଅଙ୍ଗ) ପ୍ରଦର୍ଶନ ପାଇଁ ଆଉ କୌଣସି ସୁଯୋଗ ରହିବ ନାହିଁ। ହିଂସାକୁ ରୋକିବା ପାଇଁ ହିଂସା ଆଦୌ ଗ୍ରହଣୀୟ ନୁହେଁ।
ଗଣତନ୍ତ୍ରରେ କୌଣସି ପରିସ୍ଥିତିରେ ହିଂସା ସ୍ପୃହଣୀୟ କିମ୍ବା ଗ୍ରହଣୀୟ ନୁହେଁ; ସେ ହିଂସା ସାଧାରଣ ଜନତା କରନ୍ତୁ କି ରାଜନୈତିକ କର୍ମୀ କି ପୁଲିସ ଅଫିସର। ଏ କଥା ଗ୍ରହଣ ନ କଲେ ସମୁଦାୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ଓ ଅରାଜକତା ସୃଷ୍ଟି ହେବ। ତେଣୁ ବିଭିନ୍ନ ଯୁକ୍ତି, ତର୍କ ବାଢ଼ି ହିଂସାକୁ ଉଚିତ ସାବ୍ୟସ୍ତ କରିବାର ସମସ୍ତ ଉଦ୍ୟମକୁ ପଣ୍ଡ କରାଯିବା ଦରକାର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨