ସନ୍ଦୀପ ସାହୁ
୧୯୯୦ ମସିହାରେ ମହାନ୍ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କର ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାହାର ନାମ: ‘ଗଣଶତ୍ରୁ’। ନରୱେର ବିଶିଷ୍ଟ ନାଟ୍ୟକାର ହେନରିକ ଇବସେନଙ୍କ ରଚିତ କାଳଜୟୀ ନାଟକ ‘ଏନିମି ଅଫ ଦି ପିପୁଲ୍’ ଉପରେ ଆଧାରିତ ଏହି ସିନେମାର ବିଷୟବସ୍ତୁ ଥିଲା ଆସ୍ଥା ଓ ବିଜ୍ଞାନ ମଧ୍ୟରେ ସଂଘର୍ଷ।
ସଂକ୍ଷେପରେ କାହାଣୀଟି ଥିଲା ଏହିପରି। କ୍ଷୁଦ୍ର ଏକ କାଳ୍ପନିକ ସହରରେ କାର୍ଯ୍ୟରତ ଜଣେ ନିଷ୍ଠାପର ଡାକ୍ତର ଅଶୋକ ଗୁପ୍ତ (ସତ୍ୟଜିତ ରାୟଙ୍କର ପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀ ଏହି ଭୂମିକାରେ ଅଭିନୟ କରିଛନ୍ତି) ଆବିଷ୍କାର କରନ୍ତି ଯେ ସହରରେ ଅନେକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଉଛନ୍ତି। ଏହାର କାରଣ ନିରୂପଣ କରିବାକୁ ଯାଇ ସେ ସହରର ବିଭିନ୍ନ ଜନଗହଳି ଅଞ୍ଚଳର ଜଳ ନମୁନା ପରୀକ୍ଷା କରିବା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ ଭୂତଳ ପାଇପ ଫାଟିବା ଯୋଗୁଁ ଦୂଷିତ ହେଉଥିବା ଜଳରୁ ପ୍ରସ୍ତୁତ ତ୍ରିପୁରେଶ୍ୱର ମନ୍ଦିରର ‘ଚରଣାମୃତ’ ହିଁ ସହରରେ ଦ୍ରୁତ ଗତିରେ ବ୍ୟାପୁଥିବା ଜଣ୍ଡିସର ଏକମାତ୍ର କାରଣ। ଏକଥା ଜାଣିବା ପରେ ଡାକ୍ତର ଗୁପ୍ତ ସହରବାସୀଙ୍କୁ ଏ ବିଷୟରେ ସଚେତନ କରିବାକୁ ଓ ମନ୍ଦିରରେ ଦିଆଯାଉଥିବା ‘ଚରଣାମୃତ’ ପାନ ନ କରିବା ପାଇଁ ପ୍ରବର୍ତ୍ତାଇବାକୁ ସବୁମତେ ଚେଷ୍ଟା କରନ୍ତି। କିନ୍ତୁ ଏଭଳି ଚେଷ୍ଟା କରି ସେ ସମସ୍ତଙ୍କର ଶତ୍ରୁ ପାଲଟି ଯାଆନ୍ତି କାରଣ ମନ୍ଦିରଟି କେବଳ ସହରର ମୁଖ୍ୟ ଧାର୍ମିକ ଓ ପର୍ଯ୍ୟଟନ ଆକର୍ଷଣ ନୁହେଁ; ବରଂ ସ୍ଥାନୀୟ ପୌରପାଳିକା ପାଇଁ ଆୟର ସବୁଠାରୁ ବଡ଼ ଉତ୍ସ। ଡାକ୍ତର ଗୁପ୍ତଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ କରାଯାଏ। କେବଳ ଗଭୀର ଭାବେ ଧର୍ମପରାୟଣ ଓ ଈଶ୍ୱରବିଶ୍ୱାସୀ ସହରର ଲୋକେ ନୁହନ୍ତି, ସ୍ଥାନୀୟ ପୌର ପରିଷଦର ଅଧ୍ୟକ୍ଷ ଓ ଡାକ୍ତର ଗୁପ୍ତଙ୍କ ନିଜ ଭାଇ (ଧୃତିମାନ ଚାଟାର୍ଜୀ) ମଧ୍ୟ ମନ୍ଦିରକୁ ସାମୟିକ ଭାବେ ବନ୍ଦ ରଖିବାକୁ ତାଙ୍କ ପ୍ରସ୍ତାବକୁ ଘୋର ବିରୋଧ କରନ୍ତି। ଏ ପ୍ରସଙ୍ଗ ଲୋକଙ୍କ ପାଖକୁ ପହଞ୍ଚାଇବାର ତାଙ୍କର ସମସ୍ତ ପ୍ରୟାସକୁ କଳେ ବଳେ କୌଶଳେ ପଣ୍ଡ କରି ଦିଅନ୍ତି। ଡାକ୍ତର ଗୁପ୍ତ ଓ ଶିକ୍ଷୟିତ୍ରୀ ଥିବା ତାଙ୍କ ଝିଅ ଉଭୟେ ନିଜ ନିଜ ଚାକିରି ହରାନ୍ତି। ଘର ମାଲିକ ତାଙ୍କୁ ଘରୁ ବାହାର କରିଦିଏ। ଏସବୁ ବିପର୍ଯ୍ୟୟ ସତ୍ତ୍ୱେ ଡାକ୍ତର ଗୁପ୍ତ ନିଜ ଅଭିଯାନରୁ ନିବୃତ୍ତ ହୁଅନ୍ତି ନାହିଁ। ଶେଷରେ ସହରର ଯୁବବର୍ଗର ସମର୍ଥନରେ ସେ ଲୋକଙ୍କୁ ନିଜ କଥା ବୁଝାଇବାରେ ଓ ଦୂଷିତ ‘ଚରଣାମୃତ’ ଯୋଗୁଁ ସହରବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ସୃଷ୍ଟି ହେଇଥିବା ବିପଦ ସମ୍ପର୍କରେ ସଚେତନ କରିବାରେ ସଫଳ ହୁଅନ୍ତି। ଲୋକଙ୍କ ମାନସିକତାରେ ଏ ପରିବର୍ତ୍ତନ ଦେଖି ସହର ଛାଡ଼ିବାକୁ ନିଷ୍ପତ୍ତି ନେଇ ସାରିଥିବା ଡାକ୍ତର ଗୁପ୍ତ ନିଜ ନିଷ୍ପତ୍ତି ପରିବର୍ତ୍ତନ କରି ସେହି ସହରରେ ହିଁ ରହିବାକୁ ସ୍ଥିର କରନ୍ତି। କିଛିଦିନ ପୂର୍ବ ପର୍ଯ୍ୟନ୍ତ ତାଙ୍କୁ ତିରସ୍କାର କରୁଥିବା, ତାଙ୍କୁ ‘ଗଣଶତ୍ରୁ’ ବୋଲି ବିଚାର କରୁଥିବା ସହରବାସୀଙ୍କ କଣ୍ଠରୁ ‘ଡାକ୍ତର ଅଶୋକ ଗୁପ୍ତ ଜିନ୍ଦାବାଦ’ ଧ୍ବନି ଗଗନ ପବନ ପ୍ରକମ୍ପିତ କରେ!
ଆସ୍ଥା ଓ ବିଜ୍ଞାନ ମଧ୍ୟରେ ସଂଘର୍ଷ ଉପରେ ଆଧାରିତ ଏହି ଚଳଚ୍ଚିତ୍ର (ଏବଂ ତା’ର ମୂଳ ଉତ୍ସ ଇବସେନଙ୍କ ନାଟକ) ସିନା ଥିଲା ଏକ କାଳ୍ପନିକ କାହାଣୀ। ସମ୍ପ୍ରତି କିନ୍ତୁ ବାସ୍ତବ ଦୁନିଆରେ ଏହାର ପୁନରାବୃତ୍ତି ଘଟୁଛି। ‘ଗଣଶତ୍ରୁ’ରେ ସିନା ଶେଷରେ ବିଜ୍ଞାନର ବିଜୟ ହୋଇଥିଲା। ବାସ୍ତବ ଜୀବନର ଏ କାହାଣୀରେ କିନ୍ତୁ କୋଟି କୋଟି ଲୋକଙ୍କ ଆସ୍ଥା ବିଜ୍ଞାନ ଉପରେ ଭାରି ପଡୁଛି। ଆପଣମାନେ ନିଶ୍ଚୟ ଅନୁମାନ କରି ସାରିଥିବେ ଏଠି କେଉଁ ପ୍ରସଙ୍ଗର ଅବତାରଣା କରାଯାଉଛି। ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ରାଷ୍ଟ୍ରୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍ଜିଟି) ପାଖରେ ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ଦେଢ଼ ମାସ ଧରି ପ୍ରୟାଗରାଜ ଠାରେ ଚାଲିଥିବା ‘ମହାକୁମ୍ଭ’ ଅବସରରେ କୋଟି କୋଟି ହିନ୍ଦୁ ଭକ୍ତ ବୁଡ଼ ପକାଇ ସାରିଥିବା ‘ସଙ୍ଗମ’ର ବିଭିନ୍ନ ଗାଧୁଆ ଘାଟ ଜଳର ମାନ ସମ୍ପର୍କରେ ଉଦ୍ବେଗଜନକ ତଥ୍ୟ ରହିଛି। ‘ମହାକୁମ୍ଭ’ର ବିଭିନ୍ନ ପର୍ଯ୍ୟାୟରେ ‘ସଙ୍ଗମ’ର ଭିନ୍ନ ଭିନ୍ନ ସ୍ଥଳରୁ ସଂଗୃହୀତ ଜଳ ନମୁନାର ପରୀକ୍ଷା ପରେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ମୁଖ୍ୟତଃ ଦୁଇଟି ବିଷୟକୁ ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଏକ: ‘ସଙ୍ଗମ’ ଜଳରେ ‘ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ’ ବା ‘ବି.ଓ.ଡି.’ ନିରାପଦ ସୀମାର ଯଥେଷ୍ଟ ଉପରେ ରହିଛି। ପ୍ରକାଶ ଥାଉ କି ‘ବି.ଓ.ଡି.’ ସ୍ତର ଗୋଟିଏ ଲିଟର ଜଳରେ ୩ ମିଲିଗ୍ରାମ ଥିଲେ ସେହି ଜଳ ଗାଧୋଇବା ପାଇଁ ନିରାପଦ ବୋଲି ବିଚାର କରାଯାଏ। କିନ୍ତୁ ‘ମହାକୁମ୍ଭ’ ଆରମ୍ଭ ହେବା ଦିନଠାରୁ (ଜାନୁଆରି ୧୩) ବିଭିନ୍ନ ସମୟରେ ସିପିସିବି ଦ୍ବାରା କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି ଯେ ସଙ୍ଗମ ଜଳରେ ‘ବି.ଓ.ଡି.’ ସ୍ତର ନିରାପଦ ସୀମାଠାରୁ ଯଥେଷ୍ଟ ଉପରକୁ ଚାଲିଯାଇଛି। ଜାନୁଆରି ୧୩ରେ ଏହା ୩.୯୪ ଥିଲା ବେଳେ ପରବର୍ତ୍ତୀ ମାସାଧିକ କାଳ ମଧ୍ୟରେ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇବା ଯୋଗୁଁ ଫେବ୍ରୁଆରି ୧୯ ବେଳକୁ ଏହା ୫.୨୯ରେ ପହଞ୍ଚିଥିଲା। କହିବା ବାହୁଲ୍ୟ, ଏହି ଜଳ ଗୁରୁତର ଭାବେ ଦୂଷିତ ଓ ଅସ୍ୱାସ୍ଥ୍ୟକର।
କିନ୍ତୁ ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଏହାଠାରୁ ଅଧିକ ଚିନ୍ତାଜନକ ବିଷୟଟି ହେଲା ସଙ୍ଗମ ଜଳରେ ‘ଫିକାଲ କୋଲିଫର୍ମ’ର ସ୍ତର ନିରାପଦ ସୀମା (ପ୍ରତି ୧୦୦ ମିଲିଲିଟର ଜଳରେ ୨୫୦୦ ଏମପିଏନ୍) ଠାରୁ ଢେର ଅଧିକ ରହିଛି (୪୫୦୦) ଯାହା ମାନବ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ମନେ ରଖିବାକୁ ହେବ ଯେ ଜଳରେ ମାନବ ବା ପଶୁଙ୍କ ବିଷ୍ଠା ବା ମଳରେ ଥିବା ଜୀବାଣୁଙ୍କ ଯୋଗୁଁ ‘ଫିକାଲ୍ କୋଲିଫର୍ମ’ ମାତ୍ରା ବୃଦ୍ଧି ପାଇଥାଏ। ଏବଂ ଜଳରେ ଏହାର ମାତ୍ରା ନିରାପଦ ସୀମା ଉପରକୁ ଗଲେ ଏହି ଜଳ ମାନବୀୟ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇଯାଏ। ଏଭଳି ଜଳରେ ସ୍ନାନ କରୁଥିବା ବ୍ୟକ୍ତି ଅନ୍ୟ ଅନେକ ବେମାରି ସହ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ସଙ୍ଗମରେ ବୁଡ଼ ପକାଇ ଆସିଥିବା ଅନେକ ଲୋକ ଇତି ମଧ୍ୟରେ ଏହାର ପ୍ରମାଣ ମଧ୍ୟ ପାଇ ସାରିଛନ୍ତି।
କିନ୍ତୁ ‘ସି.ପି.ସି.ବି.’ର ନୋଟିସ ପରେ ଏ ପ୍ରସଙ୍ଗରେ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇ ଦାବି କରା ଯାଇଛି ଯେ ‘ଫିକାଲ୍ କୋଲିଫର୍ମ’ ମାତ୍ରା (୨୪୦୦) ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି! ଅନ୍ୟ ଭାବରେ କହିଲେ ଏକ କେନ୍ଦ୍ରୀୟ ସ୍ତରର ସଂସ୍ଥାର ରିପୋର୍ଟକୁ ଏହାର ରାଜ୍ୟ ୟୁନିଟ୍ ପ୍ରତ୍ୟାଖାନ କରିଛି। ସମାନ କାମ କରୁଥିବା ଦୁଇଟି ସଂସ୍ଥାଙ୍କ ରିପୋର୍ଟ ଭିତରେ ଏତାଦୃଶ ପାର୍ଥକ୍ୟ ସମ୍ପର୍କରେ ଉତ୍ତର ପ୍ରଦେଶ ବୋର୍ଡର ମତ ପ୍ରଣିଧାନଯୋଗ୍ୟ। ଏ ସଂକ୍ରାନ୍ତରେ ‘ହିନ୍ଦୁସ୍ଥାନ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟରେ ଉତ୍ତର ପ୍ରଦେଶ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଯାହା କହିଛନ୍ତି ତାହା ହାସ୍ୟାସ୍ପଦ। ସେ କହିଛନ୍ତି; “ଆମେ ଜଳ ନମୁନା ନଦୀର ମଝିରୁ ସଂଗ୍ରହ କରିଥାଉ। କୂଳରୁ ନମୁନା ସଂଗ୍ରହ କଲେ ଫଳାଫଳ ନିଶ୍ଚୟ ଅଲଗା ହେବ।’ ପ୍ରଶ୍ନ ଉଠୁଛି ସଙ୍ଗମରେ ବୁଡ଼ ପକାଉଥିବା କୋଟି କୋଟି ଶ୍ରଦ୍ଧାଳୁ (ୟୁ ପି ସରକାରଙ୍କ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୬୦ କୋଟିରୁ ଅଧିକ) କ’ଣ ବୁଡ଼ ପକାଇବା ପାଇଁ ନଈ ମଝିକି ଯାଆନ୍ତି? ତେବେ ନଈ ମଝିରେ ପ୍ରଦୂଷଣ ସ୍ତର ନିରାପଦ ସୀମା ଭିତରେ ଥିଲେ ବି କ’ଣ ଫରକ ପଡୁଛି? କୌତୂହଳର ବିଷୟ ହେଉଛି ଫେବ୍ରୁଆରି ୧୯ ତାରିଖରେ ଉତ୍ତର ପ୍ରଦେଶ ବୋର୍ଡ ଦ୍ବାରା ଦାଖଲ ଆଫିଡେଭିଟରେ ଜଳ ପରୀକ୍ଷଣର ଯେଉଁ ତଥ୍ୟ ସଂଲଗ୍ନ କରା ଯାଇଥିଲା, ତାହା ଥିଲା ଜାନୁଆରି ୧୨ ତାରିଖର; ଅର୍ଥାତ୍ ‘ମହାକୁମ୍ଭ’ ଆରମ୍ଭ ହେବାର ଗୋଟିଏ ଦିନ ପରର! ସ୍ୱାଭାବିକ ଭାବେ ଉତ୍ତର ପ୍ରଦେଶ ବୋର୍ଡ ଦ୍ବାରା ଦାଖଲ କରା ଯାଇଥିବା ସତ୍ୟପାଠ ଗ୍ରିନ ଟ୍ରିବ୍ୟୁନାଲକୁ କ୍ଷୁବ୍ଧ କରିଥିଲା। ମାମଲାରେ ଉତ୍ତର ପ୍ରଦେଶ ବୋର୍ଡର ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ଆଡଭୋକେଟ ଜେନେରାଲ ଗରିମା ପ୍ରସାଦଙ୍କୁ ଟ୍ରିବ୍ୟୁନାଲ ପ୍ରଶ୍ନ କରିଥିଲେ; ‘ଜାନୁଆରି ୧୨ର ରିପୋର୍ଟ ଆପଣ କ’ଣ ପାଇଁ ଦାଖଲ କରିଛନ୍ତି? ଟ୍ରିବ୍ୟୁନାଲର ସମୟ ନଷ୍ଟ କରିବା ପାଇଁ?’ ନିଜ ବିରକ୍ତି ପ୍ରକାଶ କରିବା ସହ ଟ୍ରିବ୍ୟୁନାଲ ଆଗାମୀ ୨୮ ତାରିଖରେ ଏକ ସାନି ଆଫିଡେଭିଟ୍ ଦାୟର କରିବାକୁ ନିର୍ଦ୍ଦେଶ ଦେଲେ।
ବିଡ଼ମ୍ବନାର ବିଷୟ ହେଉଛି ଯେଉଁ ଉତ୍ତର ପ୍ରଦେଶ ବୋର୍ଡର ରିପୋର୍ଟକୁ ଟ୍ରିବ୍ୟୁନାଲ ସମୂଳେ ଅଗ୍ରାହ୍ୟ କରିଦେଲେ, ତାହାରି ଆଧାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପର ଦିନ ଉତ୍ତର ପ୍ରଦେଶ ବିଧାନସଭାରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରି ଦାବି କଲେ ଯେ ସଙ୍ଗମ ଜଳ କେବଳ ଗାଧୋଇବା ପାଇଁ ନୁହେଁ, ‘ଆଚମନ’ (ବୁଡ଼ ପକାଇଲା ବେଳେ ଭକ୍ତମାନେ ବିଧି ଅନୁଯାୟୀ କରୁଥିବା ଜଳପାନ) ପାଇଁ ମଧ୍ୟ ଉପଯୁକ୍ତ!
ପର ଦିନ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଗଲା ଯେଉଁଥିରେ ପଦ୍ମଶ୍ରୀ ବିଜେତା ବୈଜ୍ଞାନିକ ଡକ୍ଟର ଅଜୟ କୁମାର ସୋନକରଙ୍କ ପରୀକ୍ଷା ଲବ୍ଧ ରିପୋର୍ଟକୁ ଆଧାର କରି ଦାବି କରାଗଲା ଯେ ଗଙ୍ଗା ଜଳରେ ୧୧,୦୦୦ ପ୍ରକାର ହିତକାରୀ ଜୀବାଣୁ (ଯେଉଁ ଜୀବାଣୁମାନେ ଜଳରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆଙ୍କୁ ମାରି ପକାନ୍ତି) ଅଛନ୍ତି, ଯେଉଁଥି ପାଇଁ କି ୫୭ କୋଟି ଲୋକ ବୁଡ଼ ପକାଇ ସାରିବା ପରେ ମଧ୍ୟ ଗଙ୍ଗା ଜଳ ପ୍ରଦୂଷିତ ହୋଇନାହିଁ। କିଛି ଅନ୍ୟ ବୈଜ୍ଞାନିକ ଏବଂ ପରିବେଶବିତ ମଧ୍ୟ ମତ ଦେଉଛନ୍ତି ଯେ ସଙ୍ଗମ ଜଳର ମାନ ସହନୀୟ ସୀମା ଅତିକ୍ରମ କରିନାହିଁ।
କେହି କହୁନାହିଁ ଯେ ଏସବୁ ବୈଜ୍ଞାନିକଙ୍କ ମତ ତଥ୍ୟ ସମ୍ବଳିତ, ବିଜ୍ଞାନ ସମ୍ମତ ଓ ବିଚାରଯୋଗ୍ୟ ନୁହେଁ ବା ସେମାନେ ସମସ୍ତେ ଉତ୍ତର ପ୍ରଦେଶ/କେନ୍ଦ୍ର ସରକାରଙ୍କର ପକ୍ଷଧର। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଗଙ୍ଗା ଜଳ ନିରାପଦ ବୋଲି ଦାବି କରୁଥିବା ପ୍ରତି ବିଶେଷଜ୍ଞଙ୍କ ମତକୁ ଅନ୍ତତଃ ପାଞ୍ଚ ଜଣ ବୈଜ୍ଞାନିକ, ପରିବେଶବିତ୍ ବା ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରତ୍ୟାଖାନ କରୁଛନ୍ତି। ଏକ ସ୍ବାଧୀନ, ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଭାବେ ସତ୍ୟଟି ପ୍ରକୃତରେ କ’ଣ ତାହା ଜାଣିବାର ଅଧିକାର ସମସ୍ତଙ୍କର ଅଛି। ଭିନ୍ନମତକୁ ପ୍ରତ୍ୟାଖ୍ୟାନ କରିବା ଯେମିତି ଅଗଣତାନ୍ତ୍ରିକ, ଆସ୍ଥାର ଦ୍ୱାହି ଦେଇ ସତ୍ୟକୁ ଲୁଚାଇବାର ପ୍ରୟାସ ମଧ୍ୟ ସେତିକି ଗଣତନ୍ତ୍ରର ପରିପନ୍ଥୀ। ତେଣୁ ଦେଶର ବଛାବଛା, ବିଶ୍ୱସନୀୟ, ସବୁ ବର୍ଗଙ୍କ ବିଶ୍ବାସଭାଜନ ବୈଜ୍ଞାନିକ/ବିଶେଷଜ୍ଞ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଉ ଓ ଆବଶ୍ୟକ ପରୀକ୍ଷାନିରୀକ୍ଷା ପରେ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଉ। କମିଟିର ରିପୋର୍ଟ ଆଧାରରେ ଭବିଷ୍ୟତରେ ଏଭଳି ପ୍ରବଳ ଜନ ସମାଗମ ହେଉଥିବା ଧାର୍ମିକ ସ୍ଥଳମାନଙ୍କରେ ଜଳର ଉତ୍ତମ ମାନ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସବୁ ପଦକ୍ଷେପ ନିଆଯାଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨