ସନ୍ଦୀପ ସାହୁ
ଶୀର୍ଷକଟି ଆଖିରେ ପଡ଼ିବା ପରେ ଏହି ସ୍ତମ୍ଭର ଅନେକ ପାଠକଙ୍କ ମନରେ ହୁଏତ ପ୍ରଶ୍ନ ଉଠିପାରେ: ‘ପୀୟୂଷ ପାଣ୍ଡେ କିଏ? ଆମେ ତାଙ୍କ ସମ୍ପର୍କରେ କାହିଁକି ପଢ଼ିବୁ? ଗୋଟିଏ ଓଡ଼ିଆ ସମ୍ବାଦପତ୍ରରେ ତାଙ୍କ ସମ୍ପର୍କରେ ଲେଖାଯିବ କାହିଁକି?’ ଏ ସମସ୍ତ ପ୍ରଶ୍ନର ଉତ୍ତର ହେଲା ଆମେ ବ୍ୟକ୍ତିଗତ ଭାବେ ପୀୟୂଷ ପାଣ୍ଡେଙ୍କୁ ଜାଣି ନ ଥାଇପାରୁ; କିନ୍ତୁ ଆମ ଅଜାଣତରେ ସେ ଆମ ସମସ୍ତଙ୍କ ଜୀବନର ଅଂଶ ପାଲଟି ଯାଇଛନ୍ତି। କେମିତି? ‘ଫେଭିକଲ’ର ସେହି ଲୋକପ୍ରିୟ ବିଜ୍ଞାପନଟି କଥା ମନେ ପକାନ୍ତୁ, ଯେଉଁଥିରେ ରାଜସ୍ଥାନର ବନ୍ଧୁର ରାସ୍ତାରେ ଏକ ଛୋଟ ଯାତ୍ରୀବାହୀ ବସରେ ବୋଝେଇ ହୋଇ ଯାଉଛନ୍ତି ରଙ୍ଗ ବେରଙ୍ଗ ପଗଡ଼ି ପିନ୍ଧା ଦଳେ ଲୋକ। ଗାଡ଼ି ଭିତରେ, ବାହାରେ, ଛାତରେ, ଏପରିକି ଗାଡ଼ିକୁ ଚଢ଼ିବା ପାଇଁ ପାଦ ରଖିବା ସ୍ଥାନରେ ମଧ୍ୟ ଖୁନ୍ଦାଖୁନ୍ଦି ହୋଇ ଭର୍ତ୍ତି ହୋଇଛନ୍ତି ଯାତ୍ରୀ। ଗାଡ଼ି ଧକଡ଼ ଚକଡ଼ ହୋଇ ଆଗକୁ ବଢୁଛି ଆଉ ତାହାରି ସହିତ ତାଳ ଦେଇ ଦୋହଲି ଦୋହଲି, ପରସ୍ପର ସହ ଘଷି ହୋଇ ଚାଲିଛନ୍ତି ଯାତ୍ରୀ। ତାଙ୍କ ଭିତରୁ କିଛି ଢୁଳାଉଛନ୍ତି ମଧ୍ୟ। ଅଥଚ ଆଶ୍ଚର୍ଯ୍ୟର କଥା ହେଲା କେହି ବସରୁ ଗଳି ପଡ଼ୁ ନାହାନ୍ତି। ମୋଟ ୪୨ ସେକେଣ୍ଡର ଏହି ବିଜ୍ଞାପନର ଶେଷ ଦୃଶ୍ୟରେ ଦେଖା ଯାଉଛି ଗାଡ଼ିର ପଛ ଭାଗ ଏବଂ ସେଥିରେ ଲେଖା ହୋଇଛି ‘ଫେଭିକଲ।’ ବିଜ୍ଞାପନର କୌଣସି ଚରିତ୍ର ପଦୁଟିଏ କିଛି କହୁ ନାହାନ୍ତି। ପ୍ରଚ୍ଛଦପଟରେ ମଧ୍ୟ କାହାରି ସ୍ୱର ଶୁଭୁନାହିଁ। ପର୍ଦ୍ଦାରେ ମଧ୍ୟ କୌଣସି ଲେଖା ଆସୁନାହିଁ। ଅଥଚ କେତେ ସୁନ୍ଦର, ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ ହୋଇଛି ସତରେ ବିଜ୍ଞାପନଟିର ବାର୍ତ୍ତା! ସେମିତି ନୂତନ ସହସ୍ରାବ୍ଦୀର ଆରମ୍ଭ (୨୦୦୨)ରେ ଆସିଥିବା ଏସିଆନ ପେଣ୍ଟ୍ସର ସେହି ବିଜ୍ଞାପନଟି କଥା ସ୍ମରଣ କରନ୍ତୁ, ଯାହା ମାତ୍ର ୪୭ ସେକେଣ୍ଡର ସୀମିତ ସମୟ ମଧ୍ୟରେ ଗୋଟିଏ ମଧ୍ୟବିତ୍ତ ଯୌଥ ପରିବାରର ତିନି ପିଢ଼ିର କାହାଣୀ କହୁଛି; ଘରର ଛାତ, ଚଟାଣ, କାନ୍ଥର ସୁନ୍ଦର ଦୃଶ୍ୟ ଜରିଆରେ ଏକ ରଙ୍ଗୀନ ଚିତ୍ର ଗଢ଼ି ତୋଳୁଛି। ଶେଷରେ ଆସୁଛି ବିଜ୍ଞାପନଟିର ଟ୍ୟାଗଲାଇନ୍ (ବାର୍ତ୍ତା): ‘କ୍ୟୁଁ କି ହର ଘର କୁଛ କହତା ହୈ’ (‘କାରଣ ପ୍ରତି ଘର କିଛି କଥା କହେ’। ଏହି ଦୁଇଟି ଓ ଏହିପରି ଅନେକ କିଂବଦନ୍ତି ବିଜ୍ଞାପନ ପଛର ମଣିଷ ହେଉଛନ୍ତି ପୀୟୂଷ ପାଣ୍ଡେ, ଯେ କି ଗତ ୨୩ ତାରିଖରେ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାପନ ସଂସ୍ଥା ଓଗିଲଭି ଆଣ୍ଡ ମାଥର (ସଂକ୍ଷେପରେ ‘ଓ ଏଣ୍ଡ ଏମ’)ର ସୃଜନ ମୁଖ୍ୟ ଭାବେ ପୀୟୂଷ ନିର୍ମାଣ କରିଥିବା ବିଜ୍ଞାପନ କିଛି ନ କହି ମଧ୍ୟ ଅନେକ କିଛି କହିଯାଏ (ଫେଭିକଲ୍)। ତାଙ୍କ ସୃଜନ ସାମ୍ରାଜ୍ୟରେ ଇଟା, ବାଲି, ସିମେଣ୍ଟରେ ନିର୍ମିତ ଜଡ଼, ନିର୍ଜୀବ ଘର ବି କଥା କହେ (ଏସିଆନ ପେଣ୍ଟସ୍)। ଏବଂ ସେଇଥିପାଇଁ ଏସବୁ ବିଜ୍ଞାପନ ଦର୍ଶକ ମନରେ ଛାଡ଼ିଯାଏ ଏକ ଅଲିଭା ଛାପ। ଆମେ ‘ଫେଭିକଲ’ କିଣୁ ବା ନ କିଣୁ, ଏସିଆନ ପେଣ୍ଟସ୍ ବ୍ୟବହାର କରୁ ବା ଅନ୍ୟ କୌଣସି ବ୍ରାଣ୍ଡ୍ର ରଙ୍ଗ, ଏ ବିଜ୍ଞାପନ ଆମ ମନରେ ଘର କରିଯାଏ; ଆମ ସାମଗ୍ରିକ ଚେତନାର ଅଂଶବିଶେଷ ପାଲଟିଯାଏ। ପୀୟୂଷ ପାଣ୍ଡେ ଇହଧାମ ତ୍ୟାଗ କରିବା ପରେ ଯେଉଁ କମ୍ପାନିଗୁଡ଼ିକ ପାଇଁ ସେ ବିଜ୍ଞାପନ ତିଆରି କରିଛନ୍ତି, ସେମାନେ ନିଜ ପରବର୍ତ୍ତୀ ବିଜ୍ଞାପନ ଅନ୍ୟ କୌଣସି ବ୍ୟକ୍ତି ବା ଏଜେନ୍ସି ଦ୍ବାରା ନିର୍ମାଣ କରାଇ ପାରନ୍ତି; କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ ସେ ତିଆରି କରିଦେଇ ଯାଇଥିବା ବିଜ୍ଞାପନଗୁଡ଼ିକ ଭାରତରେ ବିଜ୍ଞାପନ ଶିଳ୍ପର କ୍ରମ ବିକାଶରେ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ହୋଇ ରହିଯିବ। କାରଣ ସେ ଥିଲେ ପ୍ରଥମ ବ୍ୟକ୍ତି ଯେ କି ପାଶ୍ଚାତ୍ୟ ଚିନ୍ତାଧାରା, ଭାଷା ଓ ଶୈଳୀ ଦ୍ବାରା ଗଭୀର ଭାବେ ପ୍ରଭାବିତ (ସଂକ୍ରମିତ କହିଲେ ବୋଧହୁଏ ଅଧିକ ପ୍ରଯୁଜ୍ୟ ହେବ) ଭାରତୀୟ ବିଜ୍ଞାପନ ଜଗତର ଶରୀରରେ ଏକ ବିଶୁଦ୍ଧ ଭାରତୀୟ ଆତ୍ମା ପ୍ରତିରୋପଣ କରିଥିଲେ। ସେ ଥିଲେ ବିଜ୍ଞାପନ ଦୁନିଆର ପ୍ରଥମ ବ୍ୟକ୍ତି ଯେ କି ଇଂରେଜୀରେ ଚିନ୍ତା କରୁ ନ ଥିଲେ (ଯଦିଓ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ ଭଳି ସମ୍ଭ୍ରାନ୍ତ କଲେଜରେ ଶିକ୍ଷା ଲାଭ କରିଥିଲେ ଏବଂ ବେଶ ସୁନ୍ଦର ଇଂରେଜୀ କହି, ଲେଖି ପାରୁଥିଲେ)। ନିଜ ବିଜ୍ଞାପନ ପାଇଁ ସେ ଉପାଦାନ ଖୋଜୁଥିଲେ ଭାରତୀୟ ସଂସ୍କୃତିରେ, ଭାରତୀୟ ପରମ୍ପରାରେ, ଭାରତୀୟ ସଙ୍ଗୀତରେ। ସେଇଥି ପାଇଁ ତାଙ୍କ ଦ୍ବାରା ନିର୍ମିତ ପ୍ରାୟ ସବୁ ବିଜ୍ଞାପନରେ ଭାରତୀୟତା ଫୁଟି ଉଠୁଥିଲା; ପ୍ରତ୍ୟେକ ଭାରତୀୟର ମନ, ପ୍ରାଣ, ଆତ୍ମାକୁ ଛୁଇଁ ଯାଉଥିଲା। ଦେଶରେ ବିଜ୍ଞାପନ ଶିଳ୍ପର ଭାରତୀୟୀକରଣର ସେ ଥିଲେ କର୍ଣ୍ଣଧାର।
କିନ୍ତୁ ତାଙ୍କ ଭାରତୀୟତା କେବଳ ଏକ ଭାବପ୍ରବଣ, ପଶ୍ଚାତମୁଖୀ ଭାରତୀୟତା ନ ଥିଲା। ଯୁଗ ଓ ସମୟ ସହ ତାଳ ଦେଇ ନୂଆ ପିଢ଼ିଙ୍କ ନୂଆ ଚିନ୍ତାଧାରାକୁ ଆତ୍ମସ୍ଥ କରିବାରେ ଏବଂ ତାହାକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରିବାରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ। ଏହି ପରିପ୍ରେକ୍ଷୀରେ ୧୯୯୪ ରେ ଜାରି ହୋଇଥିବା ‘କ୍ୟାଡବାରି’ ଚକୋଲେଟର ସେହି ବହୁ ଚର୍ଚ୍ଚିତ ଏବଂ ବହୁଳ ଆଦୃତ ବିଜ୍ଞାପନଟିକୁ ଉଦାହରଣ ସ୍ୱରୂପ ନିଆ ଯାଇପାରେ, ଯେଉଁଥିରେ ୯୯ରେ ବ୍ୟାଟିଂ କରୁଥିବା ନିଜ ପୁରୁଷ ବନ୍ଧୁଟି ଛକ୍କା ମାରି ନିଜ ଶତକ ପୂରଣ କରିବା ସହ ଦଳକୁ ମ୍ୟାଚ୍ ଜିତାଇବା ପରେ ସୁନ୍ଦରୀ ତରୁଣୀଟିଏ ସମସ୍ତଙ୍କୁ ଅଣଦେଖା କରି, ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପ୍ରବଳ ଉଚ୍ଛ୍ବାସରେ ଉଦ୍ଦାମ ନୃତ୍ୟ କରି କରି ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରୁଛି; ହାତରେ ଅଛି କ୍ୟାଡବରି ଚକୋଲେଟ୍ର ଅଧା ଖିଆ ବାର। ପୃଷ୍ଠଭୂମିରେ ଶୁଭୁଛି ଗୀତଟିଏ; ‘କୁଛ ଖାସ ହୈ ହମ ସଭି ମେଁ, କୁଛ ବାତ ହୈ ହମ୍ ସଭି ମେଁ’ ଏବଂ ଗୀତଟି ଶେଷ ହେଲା ବେଳକୁ ତରୁଣୀ ଜଣକ ନିଜ ପୁରୁଷ ବନ୍ଧୁଙ୍କୁ ଚକୋଲେଟ୍ ଖୁଆଇ ଆଲିଙ୍ଗନ କରିବା ସହ ପରଦାରେ ଆସୁଛି ଧାଡ଼ିଟିଏ: ‘ଅସଲି ସ୍ବାଦ ଜିନ୍ଦଗୀ କା’। ଏହା ଥିଲା ପ୍ରଥମ ଚକୋଲେଟ୍ ବିଜ୍ଞାପନ ଯେଉଁଥିରେ ଶିଶୁଙ୍କ ବଦଳରେ ପ୍ରାପ୍ତ ବୟସ୍କଙ୍କୁ ମଡେଲ ଭାବେ ବ୍ୟବହାର କରାଯାଇଥିଲା। ଏହାର ଅଲିଖିତ ବାର୍ତ୍ତାଟି ଥିଲା: ଚକୋଲେଟ୍ କେବଳ ଶିଶୁମାନଙ୍କ ପାଇଁ ନୁହେଁ; ବୟସ୍କମାନେ ମଧ୍ୟ ଏହାର ମଜା ନେଇ ପାରିବେ। କମ୍ପାନି ତରଫରୁ ପୀୟୂଷଙ୍କୁ ଦିଆ ଯାଇଥିବା ନିର୍ଦ୍ଦେଶ ଥିଲା ବେଶ ସ୍ପଷ୍ଟ: ଚକୋଲେଟ୍ ଖାଇବା ପାଇଁ କୌଣସି ବୟସ ସୀମା ନାହିଁ। ଦେଶରେ ଉଦାରୀକରଣ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଏହି ବିଜ୍ଞାପନଟି ପ୍ରଥମ ଥର ପାଇଁ ଚକୋଲେଟକୁ ଏକ ଶିଶୁ ସର୍ବସ୍ବ ଉତ୍ପାଦର ସଂକୀର୍ଣ୍ଣତାରୁ ବାହାରକୁ ଆଣି ଏକ ବୟସ-ନିରପେକ୍ଷ ଖାଦ୍ୟରେ ପରିଣତ କରିବାର ଉଦ୍ୟମ କରିଥିଲା ଏବଂ ସେଥିରେ ଅପାର ସଫଳତା ମଧ୍ୟ ଅର୍ଜନ କରିଥିଲା।
ଏହି ବିଜ୍ଞାପନ ପଛର କାହାଣୀଟି ବେଶ ରୋଚକ। ପୀୟୂଷ ଦୀପାବଳି ଛୁଟି କାଟିବାକୁ ଆମେରିକା ଯାଇଥିବା ବେଳେ ହଠାତ୍ ତାଙ୍କୁ ତାଙ୍କ କମ୍ପାନି ତରଫରୁ ତୁରନ୍ତ ଫେରି ଏହି ବିଜ୍ଞାପନଟି ନିର୍ମାଣ କରିବା ପାଇଁ ଜରୁରୀ ଡାକରା ଆସିଲା। ପୀୟୂଷ କାଳ ବିଳମ୍ବ ନ କରି, ନିଜ ଛୁଟି ଅଧାରେ ରଖି ଭାରତ ଫେରିଲେ। ଫେରିଲା ବେଳେ ବିମାନଟି ଆଟଲାଣ୍ଟିକ ମହାସାଗର ଉପର ଦେଇ ଉଡୁଥିବା ବେଳେ ହଠାତ୍ ପୀୟୂଷଙ୍କ ମନରେ ଏକ ଭାବନାର ଉଦ୍ରେକ ହେଲା। ପାଖରେ କୌଣସି କାଗଜ ନ ଥିବାରୁ ପୀୟୂଷ ନିଜ ବୋର୍ଡିଂ ପାସ ଉପରେ ହିଁ ଦୁଇ ଧାଡ଼ି ଲେଖି ପକାଇଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ଧାଡ଼ି ହିଁ ପାଲଟିଗଲା ‘କ୍ୟାଡବରି’ ବିଜ୍ଞାପନର ସ୍ୱର ଏବଂ ତା’ର ଆତ୍ମା: ‘କୁଛ ଖାସ ହୈ ହମ୍ ସଭି ମେଁ; କୁଛ ବାତ ହୈ ହମ୍ ସଭି ମେଁ’। ମୁମ୍ବାଇ ପହଞ୍ଚିଲା ପରେ ପୀୟୂଷ ଏହି ଦୁଇ ଧାଡ଼ିର ସ୍ୱର ସଂଯୋଜନା ଦାୟିତ୍ବ ଦେଲେ ପ୍ରଖ୍ୟାତ ଜାଜ୍ ସଙ୍ଗୀତଜ୍ଞ ଲୁଇ ବ୍ୟାଙ୍କସ୍ଙ୍କୁ। ଇଂରେଜୀରେ ଲିଖିତ ଗୀତଟି ପାଇଁ ପ୍ରଥମେ ସ୍ୱର ଦେଇଥିଲେ ପ୍ରସିଦ୍ଧ ଜାଜ୍ ଗାୟକ ଗ୍ୟାରି ଲୟର। କିନ୍ତୁ ଗୀତଟି ଶୁଣିବା ପରେ ପୀୟୂଷଙ୍କୁ ଲାଗିଲା ଯେ ଏଥିରେ ଭାରତୀୟ ଆତ୍ମା ନାହିଁ। ତେଣୁ ସେ ଇଂରେଜୀରେ ଲେଖା ହୋଇଥିବା ମୂଳ ଲିରିକ୍କୁ ନିଜେ ହିନ୍ଦୀ ରୂପ ଦେଲେ ଏବଂ ଏଥିରେ ସ୍ୱର ଦେବା ପାଇଁ ଆମନ୍ତ୍ରଣ କଲେ ସେତେବେଳର ଅପରିଚିତ, କିନ୍ତୁ ଏବେକାର ବିଖ୍ୟାତ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନଙ୍କୁ। ଲୁଇ ବ୍ୟାଙ୍କସ୍ଙ୍କ ମୂଳ ସଙ୍ଗୀତ କିନ୍ତୁ ରହିଲା ସମ୍ପୂର୍ଣ୍ଣ ଅପରିବର୍ତ୍ତିତ। ନୃତ୍ୟରତା ତରୁଣୀ ଭୂମିକାରେ ଅଭିନୟ କରିବା ପାଇଁ ପୀୟୂଷ ଚାହିଁଥିଲେ କୌଣସି ଶୀର୍ଷ ସ୍ଥାନୀୟା ବଲିଉଡ୍ ନାୟିକା ବା ଜଣେ ସୁପରିଚିତ ଏବଂ ତାଲିମପ୍ରାପ୍ତ ନର୍ତ୍ତକୀଙ୍କୁ ନେଇ ପାରିଥାନ୍ତେ। ପୀୟୂଷ କିନ୍ତୁ ବାଛିଲେ କେହି ଚିହ୍ନି ନ ଥିବା, ଆଦୌ ନୃତ୍ୟର ତାଲିମ ନେଇ ନ ଥିବା ସିମୋନା ରାଶିଙ୍କୁ। ସିମୋନାଙ୍କ ଉଦ୍ଦଣ୍ଡ ନୃତ୍ୟ ସହିତ ଶଙ୍କର ମହାଦେବନଙ୍କ ସୁଲଳିତ କଣ୍ଠର ଯାଦୁ ଏମିତି ଚାଲିଲା ଯେ ଏହି ବିଜ୍ଞାପନଟି ଏକ କିଂବଦନ୍ତି ପାଲଟିଗଲା। ସେ ବର୍ଷ ଭାରତୀୟ ବିଜ୍ଞାପନ ଜଗତର ‘ଓସ୍କାର’ ବୋଲି ବିବେଚନା କରା ଯାଉଥିବା ‘ଆବି’ ପୁରସ୍କାର ଉତ୍ସବରେ ‘କାମ୍ପେନ ଅଫ ଦି ସେଞ୍ଚୁରି’(ଶତାବ୍ଦୀର ଶ୍ରେଷ୍ଠ ପ୍ରଚାର ଅଭିଯାନ) ପୁରସ୍କାରରେ ସମ୍ମାନିତ ହୋଇଥିଲା ଏହି ବିଜ୍ଞାପନ। କିନ୍ତୁ ସେଇ ବର୍ଷକରେ ସୀମିତ ରହିଗଲା ନାହିଁ ଏ କାଳଜୟୀ ବିଜ୍ଞାପନର ଆବେଦନ। ଦୀର୍ଘ ୨୬ ବର୍ଷ ପରେ ଓଗିଲଭି ଏହାର ଏକ ସମୟୋପଯୋଗୀ, ଲିଙ୍ଗ ପରିବର୍ତ୍ତିତ ସଂସ୍କରଣ ଜାରି କଲା ଯେଉଁଥିରେ ଛକ୍କା ମାରୁଛି ଝିଅଟିଏ ଏବଂ ନାଚି ନାଚି ପଡ଼ିଆରେ ପ୍ରବେଶ କରୁଛି ତା’ର ପୁରୁଷ ବନ୍ଧୁ। ଏ ନୂଆ ବିଜ୍ଞାପନଟି ତିଆରି କରାଯିବା ବେଳେ ପୀୟୂଷ କେବଳ ଗୋଟିଏ ସର୍ତ୍ତ ରଖିଥିଲେ। ବାକି ସବୁ ପରିବର୍ତ୍ତନ କଲେ ଚଳିବ; କିନ୍ତୁ ଗୀତ ଓ ସଙ୍ଗୀତରେ କୌଣସି ପରିବର୍ତ୍ତନ ହେବ ନାହିଁ!
ପୀୟୂଷଙ୍କ ନିର୍ମିତ କୌଣସି ବିଜ୍ଞାପନ ଦେଖି ନ ଥିବା ମଣିଷ ହୁଏତ ଦେଶରେ ଅନେକ ଥିବେ। କିନ୍ତୁ ‘ମିଲେ ସୁର୍ ମେରା ତୁମହାରା’ ଦେଖି ନ ଥିବା, ଶୁଣି ନ ଥିବା, ତା’ର ପ୍ରେରଣାଦାୟୀ ଆବେଦନରେ ଉଦ୍ବୁଦ୍ଧ ହୋଇ ନ ଥିବା ଭାରତୀୟ ବୋଧହୁଏ ଜଣେ ବି ନ ଥିବେ। ଏହି କାଳଜୟୀ ଗୀତଟି ରଚନା କରିଥିଲେ ପୀୟୂଷ। ତାଙ୍କ ନିର୍ମିତ ଅନ୍ୟ ସବୁ ବିଜ୍ଞାପନକୁ ଭୁଲିଗଲେ ମଧ୍ୟ ଏହି ଗୀତ ଓ ତା’ର ଅଖିଳ ଭାରତୀୟ ଆବେଦନକୁ କୌଣସି ଭାରତୀୟ କେବେ ବି ଭୁଲି ପାରିବ ନାହିଁ, କାରଣ ଆମ ରାଷ୍ଟ୍ରୀୟତାର ମୂଳମନ୍ତ୍ର ‘ଅନେକତା ମଧ୍ୟରେ ଏକତା’କୁ ବ୍ୟକ୍ତ କରୁଥିବା ଏହାଠାରୁ ଉତ୍କୃଷ୍ଟ ଉଦାହରଣ ବୋଧହୁଏ ଆଉ କିଛି ନାହିଁ।
ବିଦାୟ, ପୀୟୂଷ ପାଣ୍ଡେ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/fshfhhfhfxbv-2025-10-30-00-19-27.jpg)