ସନ୍ଦୀପ ସାହୁ
ନଅ, ଦଶ ବର୍ଷର ପିଲାଟିଏ ପଡ଼ିଶା ଘରେ ରହୁଥିବା ତା’ ସାଙ୍ଗ ଘରକୁ ଖେଳିବାକୁ ଗଲା; କିନ୍ତୁ ମାତ୍ର କିଛି ମିନିଟ ମଧ୍ୟରେ ଫେରି ଆସିଲା। ମା’ ପଚାରିଲେ: ‘‘କିରେ, କ’ଣ ଏତେ ଶୀଘ୍ର ଚାଲି ଆସିଲୁ? ତୋ ସାଙ୍ଗ ନାହିଁ କି?’’ ପିଲାଟି ତୁରନ୍ତ ଉତ୍ତର ଦେଲା: ‘‘ସାଙ୍ଗ ଅଛି ଯେ, ତାଙ୍କ ଘରେ ନେଟ୍ (ଇଣ୍ଟରନେଟ) ନାହିଁ!’’
କେତେ ବଦଳି ଗଲାଣି ସତରେ ‘‘ଖେଳ’’ର ପରିଭାଷା! ଦିନ ଥିଲା ପିଲାଏ ସ୍କୁଲରୁ ଫେରିଲା ମାତ୍ରେ ବସ୍ତାନି ଫୋପାଡ଼ି ଦେଇ ଖେଳିବାକୁ ଧାଇଁ ଯାଉଥିଲେ। ଖେଳିବାର ନିଶାରେ ସେମାନେ ଏତେ ମସଗୁଲ ଥିଲେ ଯେ ‘‘ଖାଇ ଦେଇ ଯାଆ’’ ବୋଲି ମା’ର ଆକଟ ଶୁଣିବାକୁ ତର ନ ଥିଲା। ସେତେବେଳେ ପୁଣି ଅଧିକାଂଶ ସ୍କୁଲରେ, ଗଁାରେ, ଏପରିକି ସହରାଞ୍ଚଳରେ ମଧ୍ୟ ଖେଳ ପଡ଼ିଆ ଓ ଖେଳ ଉପକରଣର ଘୋର ଅଭାବ ଥିଲା। କିନ୍ତୁ ଏସବୁ କେବେ ଖେଳିବାରେ ବାଧକ ସାଜୁ ନ ଥିଲା। ଅନେକ ଖେଳ ଥିଲା, ଯେଉଁଥିପାଇଁ କୌଣସି ବିଧିବଦ୍ଧ ଖେଳ ପଡ଼ିଆ ବା ଉପକରଣର ଆବଶ୍ୟକତା ହିଁ ପଡୁ ନ ଥିଲା। ଉଦାହରଣ ସ୍ୱରୂପ ଦୌଡ଼, ଡୁଡୁ/କବାଡ଼ି, ବାଟି (କାଚ ବା ଚିନାମାଟିରେ ତିଆରି ଗୋଲି), ଡାହିମାଙ୍କୁଡ଼ି ଇତ୍ୟାଦି। ଝିଅପିଲାମାନେ ଖେଳୁଥିଲେ ପୁଚି, ବୋହୂଚୋରି, ଖପରାଡିଅଁା, ଖୋଖୋ ଇତ୍ୟାଦି। ଆଉ କିଛି ଖେଳ ଥିଲା ଯାହା ପାଇଁ ଖେଳ ଉପକରଣ ବିନା ଖର୍ଚ୍ଚରେ ବା ନଗଣ୍ୟ ଖର୍ଚ୍ଚରେ ପ୍ରସ୍ତୁତ ହୋଇଯାଉଥିଲା। ଫୁଟବଲ୍ଟିଏ ହୋଇଗଲେ ତାହା ୧୫/୨୦ ପିଲାଙ୍କ ଖେଳିବା ପାଇଁ ଯଥେଷ୍ଟ ଥିଲା। ଅମରି ବାଡ଼ି ଚଞ୍ଛା ହୋଇ ସେଥିରୁ ପ୍ରସ୍ତୁତ ହେଉଥିଲା ଡାବଳ ପୁଆ। ଯଦିଓ ସେତେବେଳେ କ୍ରିକେଟ୍ ଆଜିକାଲିକା ପରି ଲୋକପ୍ରିୟ ହୋଇ ନ ଥିଲା, କିଛି ପିଲା କାଠପଟାକୁ ଚାଞ୍ଛି ସେଥିରୁ କ୍ରିକେଟ୍ ବ୍ୟାଟ ତିଆରି କରୁଥିଲେ ଓ ରବର ବଲରେ କ୍ରିକେଟ୍ ଖେଳୁଥିଲେ। ଷ୍ଟମ୍ପ ବଦଳରେ ବ୍ୟବହାର ହେଉଥିଲା ତିନିଟି ଡାଙ୍ଗ। ଏସବୁ ଖେଳ ପାଇଁ ପଡ଼ିଆ ଦରକାର ନ ଥିଲା। ଯେ କୌଣସି ଖାଲି ସ୍ଥାନ, ଏପରିକି ସର୍ବସାଧାରଣଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ରାସ୍ତା ମଧ୍ୟ ସାମୟିକ ଭାବେ ପାଲଟି ଯାଉଥିଲା ଖେଳ ପଡ଼ିଆ। କିଛି ପିଲାଙ୍କ ପାଇଁ ଗଛଚଢ଼ା, ସାଇକଲ ଚଲା, ନଈ ପହଁରା ଥିଲା ଖେଳର ଅନ୍ୟ ନାମ।
ଆଉ ଆଜି? ପିଲାଟି ସ୍କୁଲରୁ ଫେରିଲା ମାତ୍ରେ ଝାମ୍ପି ପଡୁଛି ମୋବାଇଲ ଫୋନ ଉପରେ। ଫୋନ ନ ଦେଲେ ପାଟିତୁଣ୍ଡ କରି ଘର କମ୍ପାଉଛି। ପୂର୍ବ ତୁଳନାରେ ଏବେ ଅଧିକ ଖେଳ ପଡ଼ିଆ, ଅଧିକ ଖେଳ ଉପକରଣ। କିନ୍ତୁ ଛଅ ଇଞ୍ଚ ଲମ୍ବା, ତିନି ଇଞ୍ଚ ଚଉଡ଼ା ସେଇ ବିସ୍ମୟ ଯନ୍ତ୍ରଟି ହେଉଛି ତା’ର ଖେଳ ପଡ଼ିଆ। ତାହାରି ଭିତରେ ରହିଛି ତା’ର ସବୁ ଖେଳ ଉପକରଣ। ସେଇଠି ତା’ର ସବୁ ଖେଳ, ସବୁ ଅବସର ବିନୋଦନ। ନୂଆ ଯୁଗର ପିଲାଟିଏ ଆଉ ଟିଭିରେ କାର୍ଟୁନ୍ ମଧ୍ୟ ଦେଖୁନାହିଁ। ୟୁ-ଟ୍ୟୁବ୍ ତା’ ପାଇଁ ଆଣି ଦେଇଛି ମନୋରଞ୍ଜନର ଅସରନ୍ତି ଭଣ୍ଡାର।
ସୁସ୍ଥ, ପରିପୂର୍ଣ୍ଣ ଶରୀର ଗଠନ ଓ ଉପଯୁକ୍ତ ମାନସିକ ବିକାଶ ପାଇଁ ଖେଳକୁଦର ମହତ୍ତ୍ବ କେତେ, ତାହା ଏକ ତର୍ଜମାତୀତ ବିଷୟ। ଶରୀର ତତ୍ତ୍ବ ଉପରେ ବୈଜ୍ଞାନିକ ଗବେଷଣା ଏହି ସତ୍ୟକୁ ବାରମ୍ବାର ପ୍ରତିପାଦିତ କରିଛି। କେବଳ ସେତିକି ନୁହେଁ। ଖେଳ ମଧ୍ୟ ପିଲାଙ୍କ ମଧ୍ୟରେ ଦଳଗତ ଭାବନା, ପ୍ରତିଯୋଗୀ ମନୋଭାବ ଓ ହାର, ଜିତକୁ ସମାନ ଭାବରେ ଗ୍ରହଣ କରି ନେବାର ଖେଳୁଆଡ଼ ମନୋବୃତ୍ତି ଜାତ କରେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଏକ ସନ୍ତୁଳିତ, ପରିପକ୍ବ, ନାଗରିକ ଭାବେ ଗଢ଼ି ତୋଳିବା ସହ ଜୀବନ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଥାଏ। ଏହା ସତ୍ତ୍ୱେ ପିଲାଏ ଖେଳ ପଡ଼ିଆ ପ୍ରତି ବିମୁଖ ହୋଇ ପଡ଼ିବା ନିଶ୍ଚୟ ଏକ ଉଦ୍ବେଗର ବିଷୟ। ଗୋଟିଏ ପଟେ ଖେଳକୁଦ ଜରିଆରେ ଶାରୀରିକ ବ୍ୟାୟାମର ଅଭାବ ଓ ଅନ୍ୟ ପଟେ ବଡ଼ ବଡ଼ କମ୍ପାନିଙ୍କ ଦ୍ବାରା ପ୍ରସ୍ତୁତ ତାମସିକ, ମେଦବୃଦ୍ଧିକାରୀ ଖାଦ୍ୟ (ଜଙ୍କ ଫୁଡ୍)ର ବିଶାଳ ସମ୍ଭାର ନୂଆ ପିଢ଼ିର ଅନେକ ପିଲାଙ୍କୁ ପୃଥୁଳ ଓ ଅସୁସ୍ଥ କରି ପକାଉଛି।
ଏକଦା ମା’, ବାପା ମାନେ ପିଲାଙ୍କୁ ଖେଳିବାରେ ଆକଟ କରୁଥିଲେ। ଆଉ ଏବେ ମୋବାଇଲରେ ବେଶୀ ସମୟ ନ ଖେଳିବାକୁ କହି ଆକଟ କରୁଛନ୍ତି। ଛୋଟ ପିଲାମାନେ କିନ୍ତୁ ନା ସେତେବେଳେ ବାପା, ମାଙ୍କ କଥା ମାନୁଥିଲେ ଆଉ ନା ଏବେ ମାନୁଛନ୍ତି। ଫରକ କେବଳ ଏତିକି ଯେ ସେତେବେଳେ ଅଭିଭାବକମାନଙ୍କ ଆଦେଶ ଅମାନ୍ୟ କରିବା ପିଲାଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ସହାୟକ ହେଉଥିଲା ଏବଂ ଏବେ ତାହା ପିଲାଙ୍କ ସ୍ବାସ୍ଥ୍ୟ ଓ ସନ୍ତୁଳିତ ଶାରୀରିକ ଓ ମାନସିକ ବିକାଶ ପାଇଁ ଏକ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଅନେକ ପିତା, ମାତା ଏ ବିଷୟରେ ସଚେତନ ଅଛନ୍ତି ଓ ମୋବାଇଲରେ ପିଲାଙ୍କ ‘‘ଖେଳିବା’’ ସମୟ ନିର୍ଘଣ୍ଟ ସ୍ଥିର କରିଛନ୍ତି। କିନ୍ତୁ ସେ ସମୟ ନିର୍ଘଣ୍ଟ ପିଲାମାନେ ମାନିବେ, ଏହା ନିଶ୍ଚିତ କରିବା ସେମାନଙ୍କ ପାଇଁ କାଠିକର ପାଠ ପାଲଟିଛି। ଆହୁରି କଷ୍ଟକର ହୋଇ ପଡ଼ିଛି ପିଲାମାନେ ମୋବାଇଲରେ କ’ଣ କରୁଛନ୍ତି; କ’ଣ ଦେଖୁଛନ୍ତି; କ’ଣ ଖେଳୁଛନ୍ତି, ତା’ ଉପରେ ନିଘା ବା ନିୟନ୍ତ୍ରଣ ରଖିବା। ମୋବାଇଲରେ ଉପଲବ୍ଧ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଉପାଦାନ ବା ବିଷୟବସ୍ତୁ (କଣ୍ଟେଣ୍ଟ) ଦେଖି ଓ ବ୍ୟବହାର କରି ପିଲାଏ ନିଜର ଶୈଶବ ହରାଇ ବସୁଛନ୍ତି; ସମୟର ଯଥେଷ୍ଟ ପୂର୍ବରୁ ‘‘ବଡ଼’’ ହୋଇ ଯାଉଛନ୍ତି।
ଆପଣମାନେ ହୁଏତ କହିବେ ଯେ ଏବେ ତ ପୂର୍ବାପେକ୍ଷା ଅଧିକ ଖେଳ ପଡ଼ିଆ, ଉପକରଣ, ତାଲିମ ବ୍ୟବସ୍ଥା ଅଛି ଓ ଅନେକ ପିଲା ଖେଳୁଛନ୍ତି ମଧ୍ୟ। ବାପା, ମା’ମାନେ ସେମାନଙ୍କ ପିଲାଙ୍କୁ ଏଥିପାଇଁ ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। କିନ୍ତୁ ଆପଣ ଭଲ କରି ଲକ୍ଷ୍ୟ କଲେ ଜାଣିପାରିବେ ଯେ ଏଭଳି ପିଲା (ଓ ପିତାମାତା)ଙ୍କ ସଂଖ୍ୟା ଖୁବ୍ କମ୍; ପିଲାଙ୍କ ସମୁଦାୟ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ମଧ୍ୟ ନୁହେଁ। ଅନ୍ୟ ଭାବରେ କହିଲେ ୯୫ ପ୍ରତିଶତ ପିଲା କୌଣସି ପ୍ରକାର ଖେଳ କୁଦ ବା ଶାରୀରିକ ବ୍ୟାୟାମରେ ଅଂଶ ଗ୍ରହଣ କରନ୍ତି ନାହିଁ। ଯେଉଁମାନେ କରନ୍ତି, ସେମାନଙ୍କ ମଧ୍ୟରେ ବି ଅଧିକାଂଶ ଖେଳକୁ ‘‘ନିର୍ମଳ ଆନନ୍ଦ’’ ପାଇଁ ନୁହେଁ, ବରଂ ତାକୁ ପେସା ବା କ୍ୟାରିଅର କରିବା ଲକ୍ଷ୍ୟ ରଖି ଖେଳନ୍ତି; କାରଣ କୌଣସି ଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ କିଛି ସଫଳତା ଲାଭ କରିଥିଲେ ଚାକିରିଟିଏ ମିଳିବା ସହଜ ହୋଇଥାଏ। ଚାକିରି ନ ମିଳିଲେ ମଧ୍ୟ ଆବଶ୍ୟକ ତାଲିମ ନେଇ ସେମାନେ ଭବିଷ୍ୟତରେ ନିଜେ କୋଚ ଭାବେ ନିଯୁକ୍ତି ପାଇବାର ସମ୍ଭାବନା ଥାଏ। କହିବା ବାହୁଲ୍ୟ କ୍ରିକେଟ୍ର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଓ ପରିବ୍ୟାପ୍ତ ସମ୍ଭାବନା ଦୃଷ୍ଟିରୁ ଉଭୟ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ତାଲିମ ପାଇଁ ସବୁଠାରୁ ଅଧିକ ଆଗ୍ରହ ଏହି ଖେଳ ପାଇଁ ଦେଖା ଯାଇଥାଏ। ଏହାଛଡ଼ା ଆଉ ଯେଉଁ ବର୍ଗର ପିଲାଏ ଖେଳକୁଦରେ ଅଂଶଗ୍ରହଣ କରନ୍ତି ସେମାନେ ପ୍ରାୟତଃ ଭଲ ଛାତ୍ର/ଛାତ୍ରୀ ହୋଇ ନ ଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଅଧାରୁ ପଢ଼ା ଛାଡ଼ି ସାରିଥାନ୍ତି। ଭଲ ପଢୁଥିବା ପିଲା ଓ ସେମାନଙ୍କ ଗୁରୁଜନ ଖେଳକୁଦକୁ ସମୟର ଅପଚୟ ବୋଲି ବିଚାର କରନ୍ତି। ସେମାନଙ୍କ ବିଚାରରେ ଏହା ପିଲାଙ୍କ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି କରେ। କିଏ ସେମାନଙ୍କୁ ବୁଝାଇବ ଯେ ଏଭଳି କରି ସେମାନେ ଅଜାଣତରେ ନିଜର ଓ ନିଜ ପିଲାଙ୍କର କ୍ଷତି ସାଧନ କରନ୍ତି?
ଏଠି ଖେଳକୁ ଏକ ପେସା ଭାବେ ନୁହେଁ, ଅନାବିଳ ଆନନ୍ଦର ଏକ ମାଧ୍ୟମ ରୂପେ ଚର୍ଚ୍ଚା କରା ଯାଉଛି। ‘‘ଚାକିରି ପାଇଁ ଖେଳ’’ ନୁହେଁ, ବରଂ ‘‘ଖେଳ ପାଇଁ ଖେଳ’’ ଭାବରେ ଉପସ୍ଥାପନ କରା ଯାଉଛି। ଏଭଳି ଖେଳରେ ବ୍ୟୁତ୍ପତ୍ତି ଲାଭ କରିବା ଜରୁରି ନୁହେଁ; ଖେଳିବାଟା ହିଁ ସବୁକିଛି। ଖେଳ ଏଠି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ କରିବାର ମାଧ୍ୟମ ନୁହେଁ; ଚିତ୍ତ ବିନୋଦନର ଏକ ମାଧ୍ୟମ। କୌଣସି ନିର୍ଦ୍ଦିଷ୍ଟ ଖେଳରେ ଆଗ୍ରହ ବା ପ୍ରତିଭା ଥିବା ପିଲାଟିକୁ ଆବଶ୍ୟକ ତାଲିମ ଯୋଗାଇ ଦିଆଯିବା କଥା ଏଠି କୁହାଯାଉ ନାହିଁ। ବରଂ କୁହା ଯାଉଛି ଖେଳ କୁଦ (ସେ ଯେ କୌଣସି ଖେଳ ହେଉ ନା କାହିଁକି) ପ୍ରତି ପିଲାଙ୍କ ଭିତରେ ଥିବା ସହଜାତ ଆଗ୍ରହକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯିବା କଥା। ଏଠି ନିର୍ଦ୍ଦିଷ୍ଟ ଖେଳରେ ଆଗ୍ରହ ରଖୁଥିବା ପାଞ୍ଚ ପ୍ରତିଶତ ପିଲା (ଓ ସେମାନଙ୍କ ଅଭିଭାବକ)ଙ୍କ କଥା ନୁହେଁ, ବରଂ କୌଣସି ନା କୌଣସି ଖେଳରେ ଆଗ୍ରହ ରଖୁଥିବା ୧୦୦% ପିଲାଙ୍କ କଥା ଆଲୋଚନା କରା ଯାଉଛି।
କହିବା ବାହୁଲ୍ୟ, ପିଲାଙ୍କ ଭିତରେ ବାହ୍ୟ ବା ପଡ଼ିଆ (ଆଉଟ୍ ଡୋର) ଖେଳ ପ୍ରତି ଥିବା ସହଜାତ ଆଗ୍ରହକୁ ଉତ୍ସାହିତ କରିବାରେ ଅଭିଭାବକମାନଙ୍କର ଦାୟିତ୍ବ ସର୍ବାଧିକ। ଆଜିକାଲିର ଯୁଗରେ ପିଲାଙ୍କୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ କରିବା ସମ୍ଭବ ନୁହେଁ କି ଯୁକ୍ତିଯୁକ୍ତ ମଧ୍ୟ ନୁହେଁ। କାରଣ ପିଲାଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହାର ନିୟନ୍ତ୍ରିତ ବ୍ୟବହାର ମଧ୍ୟ ଅପରିହାର୍ଯ୍ୟ। କିନ୍ତୁ ପିଲାଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ଏହାର ସନ୍ତୁଳିତ ବ୍ୟବହାର ସହିତ ଖେଳକୁଦକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବା ସବୁ ବାପା, ମାଙ୍କର କର୍ତ୍ତବ୍ୟ ହେବା ଉଚିତ। ଅଭିଭାବକମାନଙ୍କ ଛଡ଼ା ଶିକ୍ଷକ, ଶିକ୍ଷା ନୀତି ପ୍ରଣେତା ଓ ଶିଶୁଙ୍କର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କର ମଧ୍ୟ ଏ ଦିଗରେ ଗୁରୁ ଦାୟିତ୍ବ ରହିଛି। ଏ ସମସ୍ତେ ଯଦି ନିଜ, ନିଜ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ ନ କରିବେ, ତେବେ ଭବିଷ୍ୟତରେ ସୁସ୍ଥ, ସନ୍ତୁଳିତ ନାଗରିକ ସମାଜ ବଦଳରେ ଏକ ଅସୁସ୍ଥ, ଅପୁଷ୍ଟ ଓ ଅପରିପକ୍ବ ପିଢ଼ି ସୃଷ୍ଟି ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨