ସନ୍ଦୀପ ସାହୁ
ସର୍ବକାଳୀନ ମହାନ କ୍ରିକେଟର୍ ଓ ଲୋକପ୍ରିୟ ଭାଷ୍ୟକାର ସୁନୀଲ ଗାଭାସ୍କର ସବୁବେଳେ କୁହନ୍ତି: ‘ଏଭଳି ସମୟରେ ଅବସର ଗ୍ରହଣ କରିବା ଉଚିତ, ଯେତେବେଳେ ଲୋକେ ପଚାରିବେ: ‘ଏବେ କାହିଁକି?’; ଏଭଳି ସମୟରେ ନୁହେଁ ଯେତେବେଳେ ଲୋକେ ପଚାରିବେ: ‘କାହିଁକି ନୁହେଁ?’ ଅନ୍ୟ ଭାବରେ କହିଲେ ଶୀର୍ଷରେ ଥିଲା ବେଳେ, ଭଲ ଖେଳୁଥିଲା ବେଳେ ହିଁ ଜଣେ ଖେଳାଳି ଅବସର ନେବା ଉଚିତ। ଗାଭାସ୍କର ଏ କଥା କେବଳ ଉପଦେଶ ଛଳରେ କହନ୍ତି ନାହିଁ। ନିଜେ ଅବସର ଗ୍ରହଣ କଲା ବେଳେ ମଧ୍ୟ ସେ ଠିକ୍ ସେହି ନୀତି ଅବଲମ୍ବନ କରିଥିଲେ, ଯାହା କରିବା ପାଇଁ ସେ ଅନ୍ୟମାନଙ୍କୁ ଉପଦେଶ ଦିଅନ୍ତି।
୨୦-୨୦ କ୍ରିକେଟ୍ ଓ ଆଇ.ପି.ଏଲ. ପାଗଳ ନୂଆ ପିଢ଼ିର କ୍ରିକେଟ୍ ‘ଫ୍ୟାନ’ମାନେ ହୁଏତ ଏ କଥା ଜାଣି ନ ଥିବେ। କିନ୍ତୁ ଟେଷ୍ଟ କ୍ରିକେଟ୍କୁ ଉଚ୍ଚାଙ୍ଗ କ୍ରିକେଟ୍ ବୋଲି ବିଚାର କରୁଥିବା ପୂର୍ବ ପିଢ଼ିର କ୍ରିକେଟ୍ପ୍ରେମୀମାନେ ଜାଣନ୍ତି ଯେ ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡିଅମ୍ରେ ନିଜ ଜୀବନର ଶେଷ ଟେଷ୍ଟର ଚତୁର୍ଥ ପାଳିରେ ଭୟଙ୍କର ଭାବେ ସ୍ପିନ ହେଉଥିବା ପିଚ୍ରେ ଭାରତର ସର୍ବଶ୍ରେଷ୍ଠ ଓପନର ଗାଭାସ୍କର ୯୬ ରନ୍ର ଏଭଳି ଏକ ଅବିଶ୍ବସନୀୟ ଇନିଂସ୍ ଖେଳିଥିଲେ, ଯାହା କ୍ରିକେଟ୍ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ମଧ୍ୟରେ ଅନ୍ୟତମ ବୋଲି ପରିଗଣିତ ହୁଏ। ସିରିଜ ଆରମ୍ଭ ହେବା ପୂର୍ବରୁ ହିଁ ଗାଭାସ୍କର ଘୋଷଣା କରି ସାରିଥିଲେ ଯେ ବାଙ୍ଗାଲୋର ଟେଷ୍ଟ ପରେ ସେ ଅବସର ଗ୍ରହଣ କରିବେ। କିନ୍ତୁ ଏ ଇନିଂସ ପରେ ସାରା ଦେଶର କ୍ରିକେଟ୍ପ୍ରେମୀ ଓ ପୂର୍ବତନ ଖେଳାଳିମାନେ ତାଙ୍କୁ ନିଜ ଅବସର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଥିଲେ। ବାଙ୍ଗାଲୋର ଇନିଂସ ଆଧାରରେ ସେମାନଙ୍କର ଯୁକ୍ତି ଥିଲା ଯେ ସେ ଏବେ ବି ଚମତ୍କାର ବ୍ୟାଟିଂ କରୁଛନ୍ତି ଓ ଆହୁରି ବେଶ୍ କିଛି ଦିନ ଖେଳି ପାରିବେ। କିନ୍ତୁ ଗାଭାସ୍କର ନିଜ ନିଷ୍ପତ୍ତିରେ ଅଟଳ ରହିଲେ।
କିନ୍ତୁ ଅଧିକାଂଶ ଖେଳାଳି ଗାଭାସ୍କରଙ୍କ ଭଳି ଠିକଣା ସମୟରେ ଅବସର ନେବାର ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଖେଳ ପ୍ରତି ନିଜ ମୋହ ଯୋଗୁଁ ହେଉ ବା ନିଜର କ୍ରମକ୍ଷୟମାନ ଦକ୍ଷତାର ନିଷ୍ଠୁର ସତ୍ୟତାକୁ ଗ୍ରହଣ କରିବାର ଅନିଚ୍ଛା ଯୋଗୁଁ ହେଉ; ଖେଳି ଚାଲନ୍ତି। ବାରମ୍ବାର ଅସଫଳ ହେବା ପରେ ବି ସ୍ବୀକାର କରନ୍ତି ନାହିଁ ଯେ ସେମାନଙ୍କ ସମୟ ଅତିକ୍ରାନ୍ତ ହୋଇ ସାରିଛି। ଏପରିକି ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ମହାନ ଅଲ୍ ରାଉଣ୍ଡର କପିଳ ଦେବଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଉଠିଛି ଯେ ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ସେମାନେ ନିଜର ଶେଷ କିଛି ଟେଷ୍ଟ କେବଳ କିଛି ବିରଳ ରେକର୍ଡ ହାସଲ କରିବା ଉଦ୍ଦେଶ୍ୟରେ ଖେଳିଥିଲେ।
ଏଭଳି କ୍ରିକେଟର୍ଙ୍କ ସୂଚିରେ ଏବେ ଆଉ ଦୁଇ ଜଣ ମହାନ ଭାରତୀୟ ଖେଳାଳିଙ୍କ ନାମ ଯୋଡ଼ି ହୋଇ ଯାଇଛି; ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର୍ ବିରାଟ କୋହଲି। ଏଥିରେ ସନ୍ଦେହ ନାହିଁ ଯେ ‘ହିଟ୍ ମ୍ୟାନ୍’ ରୋହିତ ଓ ‘କିଙ୍ଗ କୋହଲି’ ଏ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରେ ଅନ୍ୟତମ। କିନ୍ତୁ ଏ କଥା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଉଭୟେ ଆଉ ପୂର୍ବ ପରି ଦକ୍ଷ ଓ ସର୍ବଜୟୀ ବ୍ୟାଟର୍ ହୋଇ ନାହାନ୍ତି। ଗତ ତିନି ଚାରି ବର୍ଷ ମଧ୍ୟରେ ଏହି ଦୁଇ ମହାନ ଖେଳାଳିଙ୍କ ବ୍ୟାଟିଂ ପରିସଂଖ୍ୟାନ ହିଁ ପ୍ରମାଣ କରୁଛି ଯେ ଏମାନେ ଏବେ କେବଳ ନିଜ ପୂର୍ବ ପ୍ରଦର୍ଶନ ଆଧାରରେ ଦଳରେ ସ୍ଥାନ ପାଉଛନ୍ତି; ତାଙ୍କ ଚଳିତ ଫର୍ମ ବା ପ୍ରଦର୍ଶନ ଆଧାରରେ ନୁହେଁ। ୨୦୨୪ ମସିହାରେ କୋହଲି ଏ ପର୍ଯ୍ୟନ୍ତ ଖେଳିଥିବା ୧୭ଟି ଇନିଂସରେ ଗୋଟିଏ ଶତକ ସହ ୨୫.୦୬ ହାରରେ ମାତ୍ର ୩୭୬ ରନ୍ କରିଛନ୍ତି। କେବଳ ୨୦୨୪ ନୁହେଁ, ୨୦୨୦ ପରଠାରୁ ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ନୈରାଶ୍ୟଜନକ ରହିଛି। ୨୦୨୦ ଠାରୁ ଏ ପର୍ଯ୍ୟନ୍ତ ଖେଳିଥିବା ୩୭ଟି ଟେଷ୍ଟ ମ୍ୟାଚରେ ସେ ୩୧.୬୭ ହାରରେ ମାତ୍ର ୧୯୬୪ ରନ୍ କରିଛନ୍ତି। କ୍ରମାଗତ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ୨୦୧୯ ମସିହାରେ ୫୫.୧୦ ଥିବା ତାଙ୍କ କ୍ୟାରିଅର ବ୍ୟାଟିଂ ଏଭରେଜ୍ ବା ହାରାହାରି ଏବେ ୪୭.୪୯କୁ ଖସି ଆସିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ (ପର୍ଥ) ଟେଷ୍ଟର ଦ୍ବିିତୀୟ ଇନିଂସରେ କୋହଲିଙ୍କ ଶତକ ପରେ ତାଙ୍କ ପ୍ରଶଂସକମାନେ ଧରିନେଲେ ଯେ ‘କିଙ୍ଗ’ କୋହଲି ପ୍ରତ୍ୟାବର୍ତ୍ତନ କଲେ। କିନ୍ତୁ ଏହାପରେ ସେ ଖେଳିଥିବା ଅନ୍ୟ ତିନିଟି ଇନିଂସ - ଏଡିଲେଡରେ ୭ ଓ ୧୧ ଏବଂ ବ୍ରିସବେନରେ ୩ ରନ୍ - ପ୍ରମାଣ କଲା ଯେ ଏହା ଏକ ସାମୟିକ ଭ୍ରମ ଥିଲା ଏବଂ କୋହଲି ଏବେ ମଧ୍ୟ ଅଫ ଷ୍ଟମ୍ପ ବାହାର ବଲ୍କୁ ଖେଞ୍ଚିବାର ନିଜ ଦୁର୍ବଳତାକୁ ସୁଧାରି ପାରି ନାହାନ୍ତି।
ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ କୋହଲିଙ୍କ ଠାରୁ ଆହୁରି ଅଧିକ ନୈରାଶ୍ୟଜନକ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୬ଟି ଇନିଂସରେ ମାତ୍ର ୯୧ ରନ୍ କରିଥିବା ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ଖେଳିଥିବା ତିନିଟି ଇନିଂସରେ କରିଛନ୍ତି ମାତ୍ର ୩, ୬ ଓ ୧୦ ରନ୍। ଗତ ୯ଟି ଟେଷ୍ଟରେ ତାଙ୍କ ବ୍ୟାଟିଂ ହାରାହାରି ରହିଛି ମାତ୍ର ୧୯.୬୬। କହିବା ବାହୁଲ୍ୟ, ଦଳର ଜଣେ ପ୍ରମୁଖ ବ୍ୟାଟର - ଓ ତା’ ପୁଣି ଅଧିନାୟକ - ଙ୍କ ଏତାଦୃଶ ଅଧୋଗତି ଦଳ ପାଇଁ ପ୍ରତିକୂଳ ସାବ୍ୟସ୍ତ ହେଉଛି ଓ ଅନ୍ୟ ଖେଳାଳିଙ୍କ ମନୋବଳକୁ ପ୍ରଭାବିତ କରୁଛି। କେବଳ ସେତିକି ନୁହେଁ, ଏହା ଅନ୍ୟ ଅନେକ ଉଦୀୟମାନ ପ୍ରତିଭାବାନ ଖେଳାଳିଙ୍କ ବାଟ ମଧ୍ୟ ଓଗାଳୁଛି।
କେବଳ ପରିସଂଖ୍ୟାନ ଦୃଷ୍ଟିରୁ ନୁହେଁ, ପ୍ରଦର୍ଶନ ଦୃଷ୍ଟିରୁ ଏକଦା ସାରା ବିଶ୍ୱର ବୋଲରମାନଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିବା ଏ ଦୁଇ ବ୍ୟାଟରଙ୍କୁ ଏବେ ବ୍ୟାଟିଂ କରିବାର ଦେଖିଲେ ମନ ମାନେନାହିଁ। ଏେବ ଲାଗୁଛି ଯେ ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ପୂର୍ବ ପରି ଚଳଚଞ୍ଚଳ ନାହିଁ, ଆଂଶିକ ଶିଥିଳ ହୋଇଛି ବା ସେମାନଙ୍କ ମନରେ ପୂର୍ବର ଆତ୍ମବିଶ୍ବାସ ନାହିଁ। କହିବା ବାହୁଲ୍ୟ, ବୟସ ବଢ଼ିବା ସହିତ ଦୁହିଁଙ୍କର ‘ରିଫ୍ଲେକ୍ସ’ ବା ତଡ଼ିତ୍ ପ୍ରତିକ୍ରିୟା ଦୁର୍ବଳ ହେଉଛି ଏବଂ ସେଇଥିପାଇଁ ଉଭୟେ ପୂର୍ବ ଭଳି ୱିକେଟରେ ବେଶୀ ସମୟ ରହିପାରୁ ନାହାନ୍ତି କି ଅଧିକ ରନ୍ କରିପାରୁ ନାହାନ୍ତି। (ରୋହିତଙ୍କ ବୟସ ଏବେ ୩୮ ଓ କୋହଲିଙ୍କ ବୟସ ୩୬)। କିନ୍ତୁ ଏ ସତ୍ୟକୁ ଗ୍ରହଣ କରିନେବା ପାଇଁ ଦୁହେଁ ଏ ପର୍ଯ୍ୟନ୍ତ ମାନସିକ ପ୍ରସ୍ତୁତି କରିପାରୁ ନାହାନ୍ତି। ସେ ଦୁହିଁଙ୍କ ପ୍ରଶଂସକମାନେ ମଧ୍ୟ ଏବେ ବୁଝି ସାରିଲେଣି ଯେ ଦୁହେଁ ଏକ ଅହେତୁକ ଆଶାରେ ଖେଳି ଚାଲିଛନ୍ତି, ଯାହାର କୌଣସି ମଜଭୁତ ଆଧାର ନାହିଁ। ଅଧିକାଂଶ କ୍ରିକେଟ୍ପ୍ରେମୀ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି ଯେ ଏ ଦୁହେଁ କାହିଁକି ଅବସର ଗ୍ରହଣ କରୁ ନାହାନ୍ତି?
ବାସ୍ତବତାକୁ ସ୍ବୀକାର କରିବାର କୁଣ୍ଠା ଓ ସ୍ଥିତିରେ ପରିବର୍ତ୍ତନ ହେବାର ଅହେତୁକ ଆଶା ବ୍ୟତୀତ ଏ ଦୁଇ ମହାନ ଖେଳାଳି ଅବସର ନ ଗ୍ରହଣ କରିବାର ଅନ୍ୟ ଏକ କାରଣ ମଧ୍ୟ ଥାଇପାରେ। ଏ କଥା ସର୍ବଜନବିଦିତ ଯେ ଆଜିକାଲି କ୍ରିକେଟ୍ରମାନଙ୍କର ଆୟର ମୁଖ୍ୟ ସ୍ରୋତ ସେମାନେ ଭାରତୀୟ ଟିମ୍ ପାଇଁ ଖେଳିବା ବାବଦରେ ପାଉଥିବା ପାରିଶ୍ରମିକ ନୁହେଁ, ବରଂ ବିଜ୍ଞାପନ। ଏବଂ ବିଜ୍ଞାପନଦାତାମାନଙ୍କର ପ୍ରଥମ ପସନ୍ଦ ସବୁବେଳେ ଭାରତୀୟ ଟିମ୍ ପାଇଁ ଖେଳୁଥିବା ଖେଳାଳି। ଅବଶ୍ୟ ୨୦୦୭ ମସିହାରେ ଆଇ.ପି.ଏଲ. ଆରମ୍ଭ ହେବା ପର ଠାରୁ ଅନେକ ଖେଳାଳି କେବେ ଭାରତୀୟ ଦଳ ପାଇଁ ନ ଖେଳି ମଧ୍ୟ ବେଶ ଭଲ ପଇସା ରୋଜଗାର କରୁଛନ୍ତି। କିନ୍ତୁ ଏକଥା ମଧ୍ୟ ସତ ଯେ ଆଇ.ପି.ଏଲ.ର ପ୍ରାୟ ସବୁଠାରୁ ଦାମୀ ଖେଳାଳିମାନେ ହେଉଛନ୍ତି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଖେଳାଳି। ନିକଟରେ ଆଇ.ପି.ଏଲ. ପାଇଁ ହୋଇଥିବା ନିଲାମିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳ ଋଷଭ ପନ୍ତଙ୍କୁ ୨୭ କୋଟି ଟଙ୍କା ଦେଇ ‘କିଣିଲା’। କିନ୍ତୁ ସେ ଯଦି ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ହୋଇ ନ ଥାନ୍ତେ, ତେବେ କ’ଣ ଲକ୍ଷ୍ନୌ ଦଳ - ବା ଅନ୍ୟ କୌଣସି ଦଳ - ତାଙ୍କୁ କିଣିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥାନ୍ତା? ଆଇ.ପି.ଏଲ.ର ଇତିହାସ ଅନୁଧ୍ୟାନ କଲେ ଏ କଥା ସ୍ପଷ୍ଟ ଯେ ଏକଦା ଭାରତୀୟ ଦଳ ପାଇଁ ଖେଳୁଥିବା ଯେଉଁ ଖେଳାଳିମାନେ ଏବେ ଆଉ ଦଳର ସଦସ୍ୟ ନାହାନ୍ତି ବା ଅବସର ଗ୍ରହଣ କରି ସାରିଛନ୍ତି, ଆଇ.ପି.ଏଲ. ବଜାରରେ ସେମାନଙ୍କର ମୂଲ୍ୟ କମିଯାଇଛି। ଏହାର ବୋଧହୁଏ ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ରିକେଟ୍ରମାନେ ଯେହେତୁ ଖୁବ୍ କମ୍ ବୟସରେ (ପ୍ରାୟତଃ ୪୦ ବର୍ଷ ପୂର୍ବରୁ) ଅବସର ନିଅନ୍ତି, ଏବର ଅଧିକାଂଶ ଖେଳାଳି ଗାଭାସ୍କରଙ୍କ ଭଳି ଶୀର୍ଷରେ ଥାଇ ଅବସର ନେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। କାରଣ ଅବସର ପରେ ସେମାନଙ୍କ ପାଇଁ ରୋଜଗାରର ବାଟ ସଙ୍କୁଚିତ ହୋଇଯାଏ।
ପ୍ରଶ୍ନ ଉଠୁଛି ଯେ ଯଦି ବିରାଟ କୋହଲି ଓ ରୋହିତ ଶର୍ମା ସ୍ୱେଚ୍ଛାରେ ଅବସର ଗ୍ରହଣ କରୁ ନାହାନ୍ତି, ତେବେ ଦୁହିଁଙ୍କର କ୍ରମାଗତ ବିଫଳତା ପରେ ମଧ୍ୟ ଚୟନକର୍ତ୍ତାମାନେ ତାଙ୍କୁ ଦଳରୁ ବାଦ ଦେଉ ନାହାନ୍ତି କାହିଁକି? ଏ କଥା ସତ ଯେ ଭାରତୀୟ କ୍ରିକେଟ୍ ପାଇଁ ଅନେକ ସଫଳତା ଆଣିଥିବା କୋହଲି ଓ ରୋହିତଙ୍କ ପରି ମହାନ ଖେଳାଳିଙ୍କୁ ବାଦ ଦେବା କ୍ରିକେଟ୍ ବୋର୍ଡ ଓ ଚୟନକର୍ତ୍ତାଙ୍କ ପାଇଁ ସହଜ ନୁହେଁ। ଅଷ୍ଟ୍ରେଲିଆ ସିରିଜର ବାକି ଦୁଇଟି ଟେଷ୍ଟରେ ବ୍ୟାଟ୍ସମ୍ୟାନ ଭାବେ କୋହଲି ଓ ରୋହିତ ଯଦି ଆଶାନୁରୂପ ସଫଳତା ଲାଭ ନ କରନ୍ତି, ତେବେ ସେ ଦୁହିଁଙ୍କୁ ବାଦ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ବାଧ୍ୟବାଧକତା ହୋଇଯିବ। ଆଉ ଯଦି ଦୁହେଁ ଅବଶିଷ୍ଟ ଦୁଇଟି ଟେଷ୍ଟରେ ଭଲ ଖେଳନ୍ତି ଓ ଭାରତ ସିରିଜ ଜିତେ, ତେବେ ଦୁହେଁ ହୁଏତ ସ୍ବଇଚ୍ଛାରେ ଅବସର ଗ୍ରହଣ କରି ପାରନ୍ତି; ଠିକ୍ ଯେମିତି ଜୁନ ମାସରେ ଟି-ଟ୍ବେଣ୍ଟି ବିଶ୍ବକପ୍ ବିଜୟ ପରେ ଉଭୟେ ୨୦-୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨