ସନ୍ଦୀପ ସାହୁ
ଗତ ସୋମବାର ଦିନ ଶେଷ ହୋଇଛି ଛଅ ସପ୍ତାହ ଧରି ଭାରତ ଓ ଇଂଲାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ବିଶିଷ୍ଟ ସିରିଜ୍। ମ୍ୟାଚ୍ ଓ ସିରିଜ୍ର ଶେଷ ଦିନ ମାତ୍ର ୫୬ ମିନିଟର ଖେଳ ହୋଇଥିଲା। କିନ୍ତୁ ସେହି ୫୬ ମିନିଟ ମଧ୍ୟରେ ପ୍ରମାଣ ମିଳି ଯାଇଥିଲା ଯେ ୨୦-୨୦ ଲିଗ୍ ଜମାନାରେ ମଧ୍ୟ ଟେଷ୍ଟ କ୍ରିକେଟ୍ କେତେ ଲୋକପ୍ରିୟ!
ସେଦିନ ଥିଲା ସପ୍ତାହର ପ୍ରଥମ ଦିନ; ତେଣୁ କାର୍ଯ୍ୟ ଦିବସ। ପୂର୍ବଦିନ ସନ୍ଧ୍ୟାରୁ ହିଁ ଜଣା ପଡ଼ି ଯାଇଥିଲା ଯେ ମ୍ୟାଚ୍ର ପଞ୍ଚମ ଓ ଶେଷ ଦିନରେ ଘଣ୍ଟାକରୁ ଅଧିକ ଖେଳ ହେବ ନାହିଁ; କାରଣ ଇଂଲାଣ୍ଡକୁ ବିଜୟ ପାଇଁ ମାତ୍ର ୩୫ ରନ୍ ଦରକାର ଥିଲା ଓ ଭାରତକୁ ଚାରିଟି ୱିକେଟ୍। ଏହା ସତ୍ତ୍ୱେ ସେଦିନ ଓଭାଲର ଐତିହାସିକ ପଡ଼ିଆରେ ଭରପୂର ଦର୍ଶକ ଥିଲେ। ମାତ୍ର ଘଣ୍ଟାକର ଖେଳ ଦେଖିବା ପାଇଁ ସେଦିନ ହୁଏତ ଷ୍ଟାଡିଅମରେ ପହଞ୍ଚି ନିଜ ସ୍ଥାନ ଗ୍ରହଣ କରିବା ପାଇଁ ଅନେକ ଦର୍ଶକଙ୍କୁ ଦୁଇ ତିନି ଘଣ୍ଟା ସମୟ ଲାଗିଥିବ। ଟେଲିଭିଜନରେ ମ୍ୟାଚ୍ର ଧାରା ବିବରଣୀ ଦେଉଥିବା ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ କହୁଥିଲେ; ‘ମୋ ମନରେ ତିଳେମାତ୍ର ସନ୍ଦେହ ନାହିଁ ଯେ ଆଜି ଭାରତରେ ଅଫିସଗୁଡ଼ିକ ଦିନ ୨ଟା ପରେ ଖାଲି ହୋଇ ଯାଇଥିବ।’ ଆପଣ କ୍ରିକେଟ୍ ପ୍ରେମୀ ନ ହୋଇଥିଲେ ମଧ୍ୟ ଏକଥା ନିଶ୍ଚୟ ସ୍ବୀକାର କରିବେ ଯେ ସେଦିନ ରବି ଶାସ୍ତ୍ରୀ ମିଛ କହୁ ନ ଥିଲେ।
କାହିଁକି ଏପରି ଉନ୍ମାଦନା? ତ୍ୱରିତ, ତତ୍କ୍ଷଣାତ୍ ମନୋରଞ୍ଜନର ଏ ଯୁଗରେ ମଧ୍ୟ କାହିଁକି କୋଟି କୋଟି ଲୋକ କାମଦାମ ଛାଡ଼ି ଟେଷ୍ଟ ମ୍ୟାଚ୍ ପରି ଏକ ଧୀର, ମନ୍ଥର ଖେଳ ଦେଖିବା ପାଇଁ ବ୍ୟାକୁଳ? ଏହାର ସରଳ, ସଂକ୍ଷିପ୍ତ ଓ ଠିକ୍ ଉତ୍ତର ହେଉଛି: ଟେଷ୍ଟ କ୍ରିକେଟ୍ର ବିକଳ୍ପ ନାହିଁ। ୨୦-୨୦ କ୍ରିକେଟ୍ରେ ଟେଷ୍ଟ ମ୍ୟାଚ୍ଠାରୁ ଯଥେଷ୍ଟ କମ୍ ସମୟ ମଧ୍ୟରେ ଦର୍ଶକଙ୍କୁ ଯଥେଷ୍ଟ ଅଧିକ ମନୋରଞ୍ଜନ ମିଳୁଥାଇ ପାରେ; ଚଉକା, ଛକ୍କାର ବର୍ଷା ଦେଖିବାକୁ ମିଳୁ ଥାଇପାରେ; ଅଧିକ ଉନ୍ମାଦନା ମିଳୁ ଥାଇପାରେ। କିନ୍ତୁ ସେ ଉନ୍ମାଦନା କୃତ୍ରିମ, କାରଣ ସେଥିରେ ବ୍ୟାଟ ଓ ବଲ୍ ମଧ୍ୟରେ ସନ୍ତୁଳିତ ମୁକାବିଲା ଦେଖିବାକୁ ମିଳେ ନାହିଁ। ୨୦-୨୦ର ନିୟମାବଳୀ ଏଭଳି ଭାବରେ ପ୍ରସ୍ତୁତ କରା ଯାଇଛି ଯେ ସେଥିରେ ବ୍ୟାଟ୍ ସବୁବେଳେ ବଲ୍ ଉପରେ ଭାରି ପଡ଼ିବାକୁ ବାଧ୍ୟ। ପିଚ୍ ଏଭଳି ଢଙ୍ଗରେ ତିଆରି କରାଯିବ ଯେ ସେଥିରେ ରନ୍ ବର୍ଷା ହେବ। ମ୍ୟାଚ୍ ଆରମ୍ଭ ଓ ଶେଷ ମଧ୍ୟରେ ପିଚ୍ର ସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ଦଳର ସର୍ବଶ୍ରେଷ୍ଠ ବୋଲର୍ ମଧ୍ୟ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ମାତ୍ର ଚାରି ଓଭର ବୋଲିଂ କରି ପାରିବ। ବୋଲର ନିଜ ଇଚ୍ଛା ଅନୁସାରେ ଫିଲଡିଂ ସଜାଇ ପାରିବ ନାହିଁ। ପ୍ରଥମ ଛଅ ଓଭର (ପାୱାର ପ୍ଲେ) ମଧ୍ୟରେ ୩୦ ଗଜର ବୃତ୍ତ ବାହାରେ ମାତ୍ର ଦୁଇ ଜଣ ଫିଲଡର ରଖି ପାରିବ ଓ ତା’ପରେ ଇନିଂସ ଶେଷ ପର୍ଯ୍ୟନ୍ତ ସର୍ବାଧିକ ପାଞ୍ଚ ଜଣ। ବଲ୍ ଲେଗ ଷ୍ଟମ୍ପର ଇଞ୍ଚେ ବାହାରେ ଗଲେ ମଧ୍ୟ ତାହା ‘ୱାଇଡ’ ବୋଲି ପରିଗଣିତ ହେବ। ସର୍ଟ ବଲ୍ ଖେଳିବାରେ ବ୍ୟାଟ୍ସମ୍ୟାନ୍ ଦୁର୍ବଳ ହୋଇଥିଲେ ମଧ୍ୟ ବୋଲର୍ ତାକୁ ଗୋଟିଏ ଓଭରରେ ଗୋଟିଏରୁ ଅଧିକ ବାଉନ୍ସର୍ ପକାଇ ପାରିବ ନାହିଁ। ପକାଇଲେ ତାହା ‘ୱାଇଡ୍’ ବୋଲି ପରିଗଣିତ ହେବ ଏବଂ ପ୍ରତିପକ୍ଷ ଦଳକୁ ଗୋଟିଏ ରନ୍ ମିଳିବ। ମୋଟାମୋଟି ଭାବେ ୨୦-୨୦ କ୍ରିକେଟ୍ରେ ବୋଲର୍କୁ ଗୋଟିଏ ହାତ ପଛରେ ବନ୍ଧା ହୋଇଥିବା ଭଳି ଅବସ୍ଥାରେ ବୋଲିଂ କରିବାକୁ ପଡ଼େ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅପର ପକ୍ଷରେ ୨୦-୨୦ରେ ସଫଳ ହେବାପାଇଁ ଜଣେ ବ୍ୟାଟ୍ସମ୍ୟାନ୍ (ଆଜିକାଲିର ଲିଙ୍ଗ-ନିରପେକ୍ଷ ଭାଷାରେ ‘ବ୍ୟାଟର୍’) ସବୁ ପ୍ରକାର ପିଚ୍ ଓ ପରିସ୍ଥିତିରେ ଏବଂ ଉନ୍ନତ ବୋଲିଂ ବିପକ୍ଷରେ ବ୍ୟାଟିଂର କଳା କୌଶଳ ଜାଣିବା, ଶିଖିବା, ସେଥିରେ ଦକ୍ଷତା ହାସଲ କରିବା ଦରକାର ନାହିଁ; କେବଳ ଭଲ ‘ଚଟୁ’ ବୁଲାଇ ପାରୁଥିଲେ ଯଥେଷ୍ଟ। ଏସବୁ ଊଣାଅଧିକେ କ୍ରମେ ଲୋକପ୍ରିୟତା ହରାଉଥିବା ଏକ ଦିବସୀୟ କ୍ରିକେଟ୍ ପାଇଁ ମଧ୍ୟ ପ୍ରଯୁଜ୍ୟ।
କିନ୍ତୁ ଟେଷ୍ଟ ମ୍ୟାଚ୍ରେ ଏଭଳି ବ୍ୟାଟର୍ ଉଧେଇବେ ନାହିଁ; କାରଣ ଏଥିରେ ତାଙ୍କୁ ସବୁ ପ୍ରକାର ପିଚ୍, ଜଳବାୟୁ ଓ ବୋଲିଂର ମୁକାବିଲା କରିବାକୁ ପଡ଼ିବ ଏବଂ ତା’ ପୁଣି ଦୀର୍ଘ ପାଞ୍ଚ ଦିନ ଧରି। ସେହି ପାଞ୍ଚ ଦିନ ମଧ୍ୟରେ ହୁଏତ ପିଚ୍ର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଥିବ। ପ୍ରଥମ ଦିନ ଭୀଷଣ ସୁଇଙ୍ଗ ଓ ସିମ୍ ହେଇଥିବା ପିଚ୍ ହୁଏତ ପଞ୍ଚମ ଦିନ ବେଳକୁ ଭୟଙ୍କର ସ୍ପିନ୍ ହେଉଥିବ। ଆକାଶ ମେଘାଚ୍ଛନ୍ନ ଥିଲେ ବଲ୍ ପ୍ରବଳ ସୁଇଙ୍ଗ ହେବ। ପ୍ରବଳ ଖରା ଖାଇଲେ ପିଚ୍ରେ ଫାଟ ସୃଷ୍ଟି ହେବ, ଯାହା ଫଳରେ ବଲ୍ ସ୍ପିନ୍ ହେବ। ପ୍ରଥମ ଇନିଂସରେ କିଛି କମାଲ କରିପାରି ନ ଥିବା ବୋଲର୍ଟିଏ ହୁଏତ ଦ୍ବିିତୀୟ ପାଳିରେ ଚମତ୍କାର ବୋଲିଂ କରିବ, ଯାହାକୁ ମୁକାବିଲା କରିବା ବ୍ୟାଟର୍ ପାଇଁ କଷ୍ଟକର ହୋଇଯିବ। ସର୍ବୋପରି ବୋଲର୍ଟିଏ ଯେତେ ଇଚ୍ଛା ସେତେ ଓଭର ବଲ୍ ପକାଇ ପାରିବ। ଟେଷ୍ଟ କ୍ରିକେଟ୍ କେବଳ ଖେଳାଳିଙ୍କ କଳା, କୌଶଳର ନୁହେଁ, ବରଂ ତାଙ୍କର ଏକାଗ୍ରତା, ଧୈର୍ଯ୍ୟ, ଶୃଙ୍ଖଳା ତଥା ଶାରୀରିକ ଶକ୍ତି, ଇଚ୍ଛାଶକ୍ତି ଓ ସହନଶୀଳତାର ମଧ୍ୟ ପରୀକ୍ଷା ନିଏ (ସେଇଥିପାଇଁ ଏହାର ନାମ ‘ଟେଷ୍ଟ’ (ପରୀକ୍ଷା) ରଖା ଯାଇଛି)। ମାଞ୍ଚେଷ୍ଟର ଠାରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟ କଥା ମନେ ପକାନ୍ତୁ। କାନ୍ଧ ଓ ଜଙ୍ଘରେ ଆଘାତ ଯୋଗୁଁ ଭୀଷଣ କଷ୍ଟ ପାଉଥିବା ସତ୍ତ୍ୱେ ଇଂଲାଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଦୁଇଟି କିସ୍ତିରେ କ୍ରମାଗତ ୯ ଓ ୧୦ ଓଭର ବୋଲିଂ କରିଥିଲେ। ସେଇ ଟେଷ୍ଟର ପ୍ରଥମ ପାଳିରେ ଭାରତର ୱିକେଟ୍ କିପର୍ ଓ ଦୁର୍ଦ୍ଧର୍ଷ ବ୍ୟାଟର୍ ଋଷଭ ପନ୍ତ ପାଦରେ ‘ଫ୍ରାକ୍ଚର’ ବା ହାଡ଼ ଭଙ୍ଗା ସତ୍ତ୍ୱେ ଦଳ ପାଇଁ କେବଳ ବ୍ୟାଟିଂ କରିବାକୁ ଆସିଲେ ନାହିଁ, ଅପୂର୍ବ ସାହସର ପରିଚୟ ଦେଇ ଚୌକା ଓ ଛକ୍କା ମାରିଲେ; ଅର୍ଦ୍ଧ ଶତକ ହାସଲ କଲେ ଓ ଦଳକୁ ପରାଜୟରୁ ବଞ୍ଚାଇଲେ। ସେହିପରି ପଞ୍ଚମ ଓ ଶେଷ ଟେଷ୍ଟରେ ଇଂଲାଣ୍ଡ ବୋଲର୍ କ୍ରିସ ଓକ୍ସ କାନ୍ଧରେ ଆଘାତ ସତ୍ତ୍ୱେ ଦଳକୁ ପରଜୟରୁ ରକ୍ଷା କରିବାକୁ ବ୍ୟାଟିଂ କରିବାକୁ ଆସି ଅପୂର୍ବ ସାହସର ପରିଚୟ ଦେଲେ। ଏଭଳି ବୀରତ୍ବ ଓ ବିରଳ ସାହସ କେବେ ସୀମିତ ଓଭର କ୍ରିକେଟ୍ରେ ଦେଖିବାକୁ ମିଳେ କି?
ଟେଷ୍ଟ କ୍ରିକେଟ୍ର ଅସରନ୍ତି ଆକର୍ଷଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଏଥିରେ ଦଳ ଓ ଖେଳାଳିଙ୍କୁ ନିଜ ଭୁଲ୍ ସୁଧାରିବାର ସୁଯୋଗ ଥାଏ, ଯାହା ୨୦-୨୦ ବା ୫୦-୫୦ କ୍ରିକେଟ୍ରେ ମିଳେ ନାହିଁ। ଜଣେ ବ୍ୟାଟର୍ ପ୍ରଥମ ପାଳିରେ ଶୂନ ରନ୍ରେ ଆଉଟ୍ ହୋଇଯାଇ ଥାଇପାରେ, କିନ୍ତୁ ଦ୍ୱିତୀୟ ପାଳିରେ ସେ ହୁଏତ ଶତକ ବା ଦ୍ୱିଶତକ ମାରିପରେ। ସେହିପରି ବୋଲର୍ଟିଏ ଗୋଟିଏ ପାଳିରେ, ଏପରିକି ଗୋଟିଏ ‘ସ୍ପେଲ୍’ରେ ଖରାପ ବୋଲିଂ କରିଥିଲେ ମଧ୍ୟ ଦ୍ବିତୀୟ ପାଳି ବା ‘ସ୍ପେଲ୍’ରେ ତାହାର ଭରଣା କରିବାକୁ ସୁଯୋଗ ପାଇଥାଏ। ଦଳକୁ ମଧ୍ୟ ନିଜ ଭୁଲ୍ ସୁଧାରିବାର, କ୍ଷତି ଭରଣା କରିବାର ମଉକା ମିଳେ। ସଦ୍ୟ ସମାପ୍ତ ସିରିଜ୍ର ଚତୁର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ପାଳି କଥା ମନେ ପକାନ୍ତୁ। ପ୍ରଥମ ପାଳିରେ ୩୧୧ ରନ୍ ପଛରେ ଥିବା ଭାରତୀୟ ଦଳ ଯେତେବେଳେ ଦ୍ବିତୀୟ ପାଳିର ପ୍ରଥମ ଓଭରରେ ହିଁ ଦୁଇଟି ୱିକେଟ୍ ( ଯଶସ୍ବୀ ଜୟଶ୍ୱାଲ ଓ ସାଇ ସୁଦର୍ଶନ) ହରାଇ ବସିଲା, ସେତେବେଳେ ଇଂଲାଣ୍ଡ ଦଳ ସମେତ ଅଧିକାଂଶ ଦର୍ଶକ ନିଶ୍ଚୟ ଧରି ନେଇଥିବେ ଯେ ଭାରତ ଇନିଂସ ପରାଜୟର ସମ୍ମୁଖୀନ ହେବ ବା ବୃହତ୍ ବ୍ୟବଧାନରେ ପରାଜିତ ହେବ। କିନ୍ତୁ ହେଲା କ’ଣ? ପ୍ରାୟ ଆଠ ଘଣ୍ଟା କାଳ ଧରି ଇଂଲାଣ୍ଡ ଦଳ ନିଜର ସବୁ ଶକ୍ତି, ସବୁ କଳା କୌଶଳ ପ୍ରୟୋଗ କଲାପରେ ମଧ୍ୟ ଆଉ ମାତ୍ର ଦୁଇଟି ୱିକେଟ୍ ହାସଲ କରି ପାରିଲା। ଅଧିନାୟକ ସୁଭମନ ଗିଲ୍ ତଥା ଅଲ୍ ରାଉଣ୍ଡର ରବୀନ୍ଦ୍ର ଜଡ଼େଜା ଓ ୱାଶିଂଟନ୍ ସୁନ୍ଦର ଶତକ ହାସଲ କଲେ। ମ୍ୟାଚ୍ ଅମୀମାଂସିତ ରହିଲା; ମାଞ୍ଚେଷ୍ଟରରେ ହିଁ ଇଂଲାଣ୍ଡର ସିରିଜ ବିଜୟ ଆଶା ମଉଳି ଗଲା।
ଏଥର ଆସିବା ଟେଷ୍ଟ କ୍ରିକେଟ୍ ପ୍ରତି କ୍ରିକେଟ୍ ପ୍ରେମୀଙ୍କ ଅବଦମିତ ଆଗ୍ରହର ସବୁଠାରୁ ବଡ଼ କାରଣକୁ। ଇଂରେଜୀରେ କୁହାଯାଏ: ‘କ୍ରିକେଟ୍ ଇଜ ଏ ଗେମ୍ ଅଫ୍ ଗ୍ଲୋରିଅସ୍ ଅନସର୍ଟନିଟିଜ୍’; ଅର୍ଥାତ୍ କ୍ରିକେଟ୍ ଏକ ମହାନ ଅନିଶ୍ଚିତତାର ଖେଳ। ଏବଂ ଏହା ହିଁ କ୍ରିକେଟ୍ର ଆବେଦନକୁ ଶହେ ଗୁଣ ବଢ଼ାଇ ଦିଏ। ମ୍ୟାଚ୍ରେ କିଏ ଜିତିବ ବା ହାରିବ, ସେକଥା ଅନେକ ସମୟରେ ଶେଷ ବଲ ବୋଲିଂ ହେବା ପର୍ଯ୍ୟନ୍ତ କେହି କହି ପାରନ୍ତି ନାହିଁ। ଓଭାଲ ଟେଷ୍ଟ କଥା ବିଚାର କରାଯାଉ। ଚତୁର୍ଥ ଦିନ ଖେଳ ଶେଷ ହେଲା ବେଳକୁ କିଏ ବା ଜାଣିଥିଲା କିଏ ଜିତିବ? ଇଂଲାଣ୍ଡ ବିଜୟର ଦ୍ବାର ଦେଶରେ ପହଞ୍ଚି ସାରିଥିବା ବେଳେ ମହମ୍ମଦ ସିରାଜ ଯେତେବେଳେ ଗସ ଅଟକିଂସନଙ୍କୁ ବୋଲ୍ଡ କରି ଦଳକୁ ୬ ରନ୍ରେ ଜିତାଇ ଦେଲେ, ସେତେବେଳେ ସାରା ଭାରତ ଖୁସିରେ ଉଛୁଳି ପଡ଼ିଲା। ସୀମିତ ଓଭର ଖେଳରେ ଯେ ଉତ୍କଣ୍ଠା ବା ଉନ୍ମାଦନା ନାହିଁ, ତା’ ନୁହେଁ। କିନ୍ତୁ ସେ ଉତ୍କଣ୍ଠା/ଉନ୍ମାଦନା ଅନେକାଂଶରେ କୃତ୍ରିମ ଓ ପ୍ରାୟୋଜିତ; ଟେଷ୍ଟ ମ୍ୟାଚ୍ର ଉତ୍କଣ୍ଠା ଓ ଉନ୍ମାଦନା ପରି ସ୍ବାଭାବିକ ନୁହେଁ।
ଶେଷରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ସୀମିତ ଓଭର କ୍ରିକେଟ୍ (୨୦-୨୦ ଓ ୫୦-୫୦)ରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟର୍ମାନଙ୍କ ମଧ୍ୟରେ ଗଣା ହେଉଥିବା ବିରାଟ କୋହଲି ନିକଟ ଅତୀତରେ ଟେଷ୍ଟ କ୍ରିକେଟ୍ର ମାହାତ୍ମ୍ୟ ସମ୍ପର୍କରେ କ’ଣ କହିଥିଲେ, ତାହା ପ୍ରଣିଧାନଯୋଗ୍ୟ। ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ଏଥର ଯେତେବେଳେ ତାଙ୍କ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ‘ଆଇପିଏଲ’ ଟ୍ରଫି ଜିତିଲା, ତାଙ୍କୁ ପଚରାଗଲା ଯେ ଏହି ବହୁ ପ୍ରତୀକ୍ଷିତ ବିଜୟକୁ ସେ କେଉଁ ସ୍ଥାନରେ ରଖିବେ? କୋହଲି କହିଲେ; ‘ଏହା ନିଶ୍ଚିତ ଭାବେ ଏକ ମହତ୍ତ୍ୱପୂର୍ଣ୍ଣ ବିଜୟ। କିନ୍ତୁ ଏ ବିଜୟ ଟେଷ୍ଟ ମ୍ୟାଚ୍ରେ ବିଜୟ ଠାରୁ ଅନ୍ତତଃ ପାଞ୍ଚଟି ପାହାଚ ତଳେ।’ କେବଳ ସେତିକି ନୁହେଁ, ପରବର୍ତ୍ତୀ ପିଢ଼ିର କ୍ରିକେଟର୍ମାନଙ୍କୁ କୋହଲିଙ୍କ ଉପଦେଶ ଥିଲା: ‘ଯଦି ତୁମେ ଜଣେ କ୍ରିକେଟର୍ ଭାବେ ସାରା ବିଶ୍ୱରେ ପରିଚିତ ହେବାକୁ, ସମ୍ମାନ ପାଇବାକୁ ଚାହଁ, ତେବେ ଟେଷ୍ଟ କ୍ରିକେଟ୍କୁ ସମ୍ମାନ ଦିଅ। ସେଥିରେ ଉତ୍କର୍ଷ ଲାଭ କରିବା ପାଇଁ ନିଜର ସବୁ କଳ, ବଳ, କୌଶଳ ଲଗାଇ ଦିଅ’।
ଟେଷ୍ଟ କ୍ରିକେଟ୍ର ମହାନତା, ଉପାଦେୟତା ଓ କାଳଜୟୀ ଆକର୍ଷଣର ଏହାଠାରୁ ଅଧିକ ସଶକ୍ତ ଅନୁମୋଦନ ଆଉ କ’ଣ ବା ହୋଇ ପାରିଥାନ୍ତା? ଆଉ କିଏ ବା କରିପାରି ଥାଆନ୍ତା?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨