ହିରଣ୍ୟ ମହାନ୍ତି

୧୯୪୭ ମସିହା ଜାନୁଆରି ପହିଲା। ନିଶାନ୍ତ ବେଳାରେ ‘ଲଣ୍ଡନ ନଗରୀ’, କୁଜ୍‌ଝଟିରେ ଆଚ୍ଛନ୍ନ ଥାଏ। ବାତାବରଣରେ ଥାଏ, ଶୀତର ଉପଦ୍ରବ ସହିତ ସ୍ବାଭାବିକ ବିଷଣ୍ଣତା ଓ ବିଜନତାର ଡରଡର ଭାବ। ଘନ କୁହୁଡ଼ି ଓ ମଞ୍ଜ ଥରାଇ ଦେବା ପରି ଶୀତ, ବ୍ରିଟେନର ରାଜଧାନୀରେ କିଛି ନୂଆ କଥା ନୁହେଁ। କିନ୍ତୁ ନବ ବର୍ଷର ପ୍ରଥମ ସକାଳ ଲାଗି ତାହା ବହନ କରୁଥାଏ ଏକ ଅଶୁଭ ସଂକେତ। ସେ ସମୟରେ ଏପରି ସକାଳଟିରେ କ୍ଷୌର ହେବା ପାଇଁ ପୁରୁଷ ଲୋକମାନେ ଉଷୁମ ପାଣି ମୁନ୍ଦେ ପାଉ ନଥିଲେ। ସ୍ତ୍ରୀଲୋକମାନେ ଅଣ୍ଟା ପର୍ଯ୍ୟନ୍ତ ପୋଛି ହେବା ପାଇଁ ମଧ୍ୟ ଉଷୁମ ପାଣି ନ ଥାଏ।
ଲଣ୍ଡନ ବାସିନ୍ଦାମାନେ ରାଜସରଣୀକୁ ନ ଆସି ସେମାନଙ୍କ ନବ ବର୍ଷର ପ୍ରଥମ ଦିନକୁ ପାଳନ କରୁଥାଆନ୍ତି ନିଜ ନିଜ ଶୟନ କକ୍ଷରେ। ହ୍ବିସ୍କି ବା ଏକ ପାଉଣ୍ଡ ବଟର ଖାଲି ସାଧାରଣ ପରିବାରର ଲୋକମାନଙ୍କ ପାଇଁ ନୁହେଁ, ସଂପନ୍ନ ପରିବାର ପାଇଁ ଅପହଞ୍ଚ ହୋଇ ଯାଇଥାଏ। ଜନପଥ ପ୍ରାୟ ଶୂନଶାନ, ଅଳ୍ପ କିଛି ପଥଚାରୀ ମାତ୍ର। ସମସ୍ତେ ଯେମିତି ଗମ୍ଭୀର ଓ ବିଷଣ୍ଣ। 
ରାଜପଥରେ କଁାଭଁା ଗୋଟିଏ ଗୋଟିଏ ଗାଡ଼ି କୁହୁଡ଼ି ଭିତରେ ବାରମ୍ବାର ହର୍ଣ୍ଣ ଦେଇ ଗଡୁଥାନ୍ତି। ଦ୍ବିତୀୟ ମହାଯୁଦ୍ଧରେ ଶତ୍ରୁପକ୍ଷର ବୋମା ମାଡ଼ରେ ଧ୍ବଂସାବଶେଷରୁ ନିର୍ଗତ ପୋଡ଼ା ଗନ୍ଧ ଭିଜା ବାୟୁମଣ୍ଡଳରେ ଝୁଲି ରହିଥାଏ। ଭାରତ ସମେତ ଅର୍ଧେକ ପୃଥିବୀକୁ ଶାସନ କରୁଥିବା ଦେଶର ରାଜଧାନୀ ଲଣ୍ଡନ ମହାନଗରୀର ଏଭଳି ସ୍ଥିତି। କଳକାରଖାନା ପ୍ରାୟ ସବୁ ବନ୍ଦ। କୋଇଲା ଅଭାବରୁ ବିଜୁଳିର ଅବସ୍ଥା କହିଲେ ନ ସରେ। ଏବଂ ଲଣ୍ଡନର ବାସିନ୍ଦାମାନଙ୍କ ପାଇଁ ଏହିପରି ଏକ ନବ ବର୍ଷର ସକାଳ ଆସିଥାଏ ଲଗାତାର ଅଷ୍ଟମ ଥର ପାଇଁ। ରାସନରେ ମିଳୁଥାଏ ଖାଦ୍ୟ, ପୋଷାକପତ୍ର, ଏପରିକି ଜୋତା ମଧ୍ୟ। ପୁରୁଣା ପୋଷାକ ପତ୍ର, ଛିଣ୍ଡି ଯାଇଥିବା ସାତ-ସିଅଁା-ଜୋତା ଆଦି ନ ଦେଖାଇଲେ ତାହା ପୁଣି ମିଳିବ ନାହିଁ। ଏ ସବୁ ସତ୍ତ୍ବେ ଇଂଲିସ ଜାତି ସେ ପର୍ଯ୍ୟନ୍ତ ରହିଥାଏ ଏକ-ଚତୁର୍ଥାଂଶ ଧରଣୀର ଅଧୀଶ୍ବର। ପ୍ରକାଶ ଥାଉ କି, ଇତିହାସର କୌଣସି କାଳଖଣ୍ଡରେ, କୌଣସି ସିଜର୍ କିମ୍ବା ଚାର୍ଲମେନ୍, ଏପରି ବିଶାଳ ସାମ୍ରାଜ୍ୟର ଅଧୀଶ୍ବର ‌ହୋଇପାରି ନ ଥିଲେ। ହିଟଲରଙ୍କୁ ଯୁଦ୍ଧରେ ହରାଇ ବ୍ରିଟିସମାନେ ସେମାନଙ୍କ ମୁଖ୍ୟ ସଡ଼କ ପାର୍ଶ୍ବରେ ଦୃଷ୍ଟି ଆକର୍ଷଣ କଲା ଭଳି ସ୍ଥାନରେ ‘ଭି ଫର୍ ଭିକ୍‌ଟୋରି’ ବୋଲି ଲେଖିଥିଲେ ସିନା, ଖାଦ୍ୟ, ପାନୀୟ, ବିଜୁଳି ଶକ୍ତି ଓ ପୋଷାକ ପରିଧାନ ଆଦିରେ ସେମାନେ କେବେ ହେଲେ ସେହିପରି ଦୈନ୍ୟ ଦେଖି ନ ଥିଲେ। ସେ ଦିନ ଲଣ୍ଡନ ନଗରୀ ଥରୁଥିବା ବେଳେ ବ୍ରିଟେନର ରାଜାସାହେବ ଷଷ୍ଠ ଜର୍ଜ ଡାକରା ପଠାଇଥିଲେ ତାଙ୍କର ରକ୍ତ-ସଂପର୍କୀୟ ଭାଇ ମାଉଣ୍ଟବାଟେନଙ୍କୁ, ଯାହାଙ୍କ ସେନାନାୟକତ୍ବରେ ବ୍ରିଟେନ ନୌବାହିନୀ ଜିତିଥିଲା ଦ୍ବିତୀୟ ମହାଯୁଦ୍ଧ।
ବ୍ରିଟିସ ରାଜର ହୃଦ୍‌ବୋଧ ହେଉଥାଏ ଯେ ବିଶାଳ ବ୍ରିଟିସ ସାମ୍ରାଜ୍ୟର ବିଶାଳତାରୁ କିଛି ହ୍ରାସ ନ ଘଟାଇଲେ ଆଉ ସମ୍ଭାଳି ହେବ ନାହିଁ। ଭାରତ ପରି ବିରାଟ ଦେଶ ସ୍ବାଧୀନ ହେବା ପାଇଁ ଚାଲୁ ରଖିଥିବା ସଂଗ୍ରାମକୁ ସମ୍ମୁଖୀନ ହେବା ଓ ସ୍ଥିତି ସମ୍ଭାଳିବା ଆର୍ଥିକ ଦୃଷ୍ଟିରୁ ଅସମ୍ଭବ ଓ ନୀତି ଦୃଷ୍ଟିରୁ ଅନୁଚିତ। ବିଳମ୍ବ କରାଗଲେ, ପରିଣାମ ହୁଏତ ଅସ୍ତିତ୍ବ-ସଂକଟ ସୃଷ୍ଟି କରିବ। ସୁତରାଂ, ଭାରତକୁ ସ୍ବାଧୀନ କରିଦେବା ଥିଲା ବ୍ରିଟେନ ପାଇଁ ଏକ ବାଧ୍ୟବାଧକତା। ମାତ୍ର ରାଜନୈତିକ ଦୃଷ୍ଟିକୋଣରୁ ତାହା ଥିଲା ଏକ ଜଟିଳ ଓ ଦୁରୁହ ବ୍ୟାପାର। କିପରି ସମ୍ମାନର ସହ ଭାରତରୁ ଫେରି ହେବ, ତାହା ବ୍ରିଟିସ ଶାସକମାନଙ୍କୁ ଚିନ୍ତାରେ ପକାଇଥିଲା। ଅନ୍ୟଥା, ଇତିହାସର କାଠଗଡ଼ାରେ ସେମ‌ାନେ ଠିଆ ହେବେ, ଦୋଷୀ ପରି ଚିରକାଳ। କେବଳ ଲର୍ଡ ଲୁଇ ମାଉଣ୍ଟବାଟେନଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ବର ବିଚାର ଓ ବ୍ୟବହାର ଦ୍ବାରା ଏହା ସମ୍ଭବ ବୋଲି, ବ୍ରିଟିସ ପ୍ରଧାନମନ୍ତ୍ରୀ ଆଟଲି ସାହେବ ରାଜାଙ୍କୁ ବୁଝାଇଥିଲେ। ସେହି କାରଣରୁ ରାଜା ଷଷ୍ଠ ଜର୍ଜ, ସେ ଦିନର ସେହି ହେମାଳ କୁହୁଡ଼ି ଆଚ୍ଛନ୍ନ ନିଶାନ୍ତରେ, ତାଙ୍କର ସର୍ବାଧିକ ପ୍ରିୟ ଭାଇ ମାଉଣ୍ଟବାଟେନଙ୍କୁ ଡକାଇଥିଲେ। ଚର୍ଚ୍ଚିଲ ବା ଯାହା ବିରୋଧ କରିଥାନ୍ତେ, ଠିକ୍ ସେହି ସମୟରେ ବ୍ରିଟିସ ଜନତା କ୍ଲେମେଣ୍ଟ ଆଟଲିଙ୍କୁ ଲେବର ପାର୍ଟିକୁ ନିର୍ବାଚନରେ ଜିତାଇ ଖାଇବର ପାସ୍‌ ଠାରୁ କେପ୍ କାମୋରିଆ-ଇଣ୍ଡିଆ(କେରଳ) ପର୍ଯ୍ୟନ୍ତ ଜନାକୀର୍ଣ୍ଣ ବ୍ରିଟିସ ଶାସିତ ଅଞ୍ଚଳକୁ ସ୍ବାଧୀନ କରିଦେବା ପାଇଁ ପ୍ରକାରାନ୍ତରେ ରାୟ ଦେଇଥିଲେ। 
ମାଉଣ୍ଟବାଟେନ ସେତେବେଳେ ଛୟାଳିଶ ବର୍ଷ ବୟସରେ। ଛଅ ଫୁଟରୁ ସାମାନ୍ୟ ଅଧିକ ଉଚ୍ଚତାର ଜଣେ ସୌମ୍ୟ ଦର୍ଶନ ମଣିଷ, ମୁହଁରେ ବୟସର ସାମାନ୍ୟ ଗାରଟିଏ ସୁଦ୍ଧା ନାହିଁ, ମାଉଣ୍ଟବାଟେନ ବୁଝି ସାରିଥିଲେ ଯେ ଏହା ଏକ ଗୁରୁ ଦାୟିତ୍ବ। ବ୍ରିଟେନର ଅର୍ଥନୀତି ଦୁର୍ବଳ ଥିବା ଅବସ୍ଥାରେ ଭାରତକୁ ସ୍ବାଧୀନ କରି ଦିଆଯିବ। ଏହାର ଅର୍ଥ ବ୍ରିଟେନର ଆର୍ଥିକ ଅବସ୍ଥା ଅଚିନ୍ତନୀୟ ଭାବେ ଦୟନୀୟ ହୋଇଯିବ। ଏଣେ, ସେଭଳି କରା ନ ଗଲେ ଦ୍ବିତୀୟ ମହାଯୁଦ୍ଧ ପରେ ଭାରତକୁ ସ୍ବାଧୀନ କରି ଦିଆଯିବାର ପ୍ରତିଶ୍ରୁତି ଭଙ୍ଗ ହେବ। ବ୍ରିଟିସ ଜାତି ମିଥ୍ୟାବାଦୀ ହେବା ସହିତ ବିଶ୍ବସନୀୟତା ହରାଇ ବସିବ କାଳାନ୍ତର ପାଇଁ। 
ଅନ୍ଧାର ଟିକେ ପତଳା ହୋଇ ଆସିଥାଏ। ଏକ କଳା ରଙ୍ଗର ଅଷ୍ଟିନ କାର ଶୂନଶାନ ଥିବା ରାଜପଥରୁ ରାଜନିବାସକୁ ପ୍ରବେଶ କରେ। ସେଠାରେ ମଧ୍ୟ ବିଜନତାର ରାଜୁତି। କେବଳ ରାଜା ‌ସାହେବ ଓ ରାଣୀ ଦୁଇଟି ଫୁଲତୋଡ଼ା ଧରି ବକିଂହାମ ପ୍ରାସାଦର ପ୍ରବେଶ ଦ୍ବାରରେ ମାଉଣ୍ଟବାଟେନଙ୍କୁ ପାଛୋଟି ନେବାକୁ ଠିଆ ହୋଇଥିଲେ। ମାଉଣ୍ଟବାଟେନ ଅନୁମାନ କରି ନେଇଥିଲେ ଯେ ତାଙ୍କୁ କାହିଁକି ଡକାଯାଇଥିଲା। ତେବେ ବିଧି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଅଟଲି କଥାକୁ ସ୍ପଷ୍ଟ କରିବାକୁ ଯାଇ କହିଥିଲେ ଯେ ରାଜାସାହେବ ଏବଂ ବ୍ରିଟିସ ଜନସାଧାରଣ ସର୍ବାନ୍ତକରଣରେ ଚାହାନ୍ତି ଯେ ଲୁଇ ମାଉଣ୍ଟବା‌େଟନଙ୍କୁ ଭାରତର ଭାଇସରାୟର ଦାୟିତ୍ବ ଗ୍ରହଣ କରିବାକୁ ହେବ। ତାଙ୍କ ବ୍ୟତିରେକ ଆଉ କାହା ପକ୍ଷରେ ଏହା ସମ୍ଭବ ନୁହେଁ। ଏହିପରି ଏକ ପ୍ରସ୍ତାବନାରେ ଦ୍ବିଧାହୀନ ସମ୍ମତି ପ୍ରଦାନ କରିଥିଲେ ମାଉଣ୍ଟବାଟେନ। କାରଣ ତା’ ସହିତ ଥିଲା ପଣ୍ଡିତ ଜବାହରଲାଲଙ୍କ ବ୍ୟକ୍ତିଗତ ଅନୁରୋଧ। ଉଭୟ ହାରୋ ଓ କେଂବ୍ରିଜର ପାଠପଢ଼ା ଦିନରେ ଖୁବ୍ ଅନ୍ତରଙ୍ଗ ଥିଲେ। ଉଭୟ ପରସ୍ପରଙ୍କର ସଂକଳ୍ପ ଓ ସାମର୍ଥ୍ୟକୁ ଦୀର୍ଘ କାଳ ଧରି କଳିଥିଲେ। ଲଣ୍ଡନର ଆକାଶରେ ଫିକା ଉଜ୍ଜ୍ବଳତା ଦିଶୁଥିଲା। ଏକ ନୂତନ ସୂର୍ଯ୍ୟୋଦୟ ଲାଗି ଭୂମି ପ୍ରସ୍ତୁତ ହେଉଥିଲା। 
(ଲାରି କଲିନସ ଓ ଡୋମିନିକ ଲାପିଏରେଙ୍କ ପୁସ୍ତକ ‘ଫ୍ରିଡମ ଏଟ୍‌ ମିଡନାଇଟ’ରୁ ମର୍ମାନୂଦିତ) 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୭୭୨୦୫୬୮୪

Advertisment