ଗତ ମେ’ ମାସ ୨୯ ତାରିଖରେ ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ଶାହବାଦ ଅଞ୍ଚଳରେ ସାକ୍ଷୀ ନାମକ ଜଣେ ଷୋହଳ ବର୍ଷୀୟା ନାବାଳିକାକୁ ତା’ର ପ୍ରେମିକ ବାଇଶ ଥର ଛୁରୀ ଭୁଷି, ତା’ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ଅତ୍ୟନ୍ତ ବର୍ବରତାର ସହିତ ହତ୍ୟା କଲା। ସେହି ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ। ଏହା ସତ୍ତ୍ୱେ କେହି ଜଣେ ମଧ୍ୟ ସେହି ଅମାନବୀୟ କାର୍ଯ୍ୟର ପ୍ରତିବାଦ କଲେ ନାହିଁ ବା ନାବାଳିକାଟିକୁ ବଞ୍ଚାଇବାକୁ ଚେଷ୍ଟା ମଧ୍ୟ କଲେ ନାହିଁ। ସୁତରାଂ, ଏହା ସମଗ୍ର ଦେଶରେ ଏକ ଗଭୀର ଉଦ୍‌ବେଳନ ସୃଷ୍ଟି କରିବା ସ୍ବାଭାବିକ।
ଏହିଭଳି ଗୋଟିଏ ଘଟଣା ୧୯୬୪ ମସିହାରେ ନ୍ୟୁୟର୍କରେ ଘଟିଥିଲା। ଘଟଣା ଘଟିବା ଦିନ କିଟି ନାମକ ଜଣେ ମହିଳା କାମ ସାରି ଘରକୁ ଫେରୁଥିଲେ। ତାଙ୍କ ଆପାର୍ଟମେଣ୍ଟ ଆଗରେ ଆତତାୟୀ ଛୁରୀରେ ତାଙ୍କୁ ବାରମ୍ବାର ଆଘାତ କରିଥିଲା। ତାଙ୍କୁ ବଞ୍ଚାଇବା ପାଇଁ ସେ ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ। ଆପାର୍ଟମେଣ୍ଟରେ ଥିବା ପ୍ରାୟ ଚାଳିଶଟି ପରିବାର ଝରକା ପାଖକୁ ଆସି ଘଟଣାଟି ଦେଖିଥିଲେ। ବାରମ୍ବାର ଛୁରାରେ ଆଘାତ କରିବା ପରେ ଆତତାୟୀ ଗାଡ଼ିରେ ବସି ପଳାଇ ଯାଇଥିଲା। କିଟି ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଜଣେ ବି କେହି ପ୍ରତିବେଶୀ ଆସି ତାଙ୍କୁ ସାହାଯ୍ୟ କରି ନ ଥିଲେ। ପୁଲିସ୍ ବା ଆମ୍ବୁଲାନ୍‌ସକୁ ଫୋନ୍ ମଧ୍ୟ କରି ନଥିଲେ। ବରଂ ସେମାନେ ଘଟଣାଟି ଭଲ ଭାବରେ ଦେଖିବା ପାଇଁ ନିଜ ନିଜର ଘରର ଲାଇଟ୍ ଲିଭାଇ ଦେଇଥିଲେ। ପ୍ରାୟ ପନ୍ଦର ମିନିଟ୍ ଏପରି ଭାବରେ ବିତିବା ପରେ ବଡ଼ କଷ୍ଟରେ ରକ୍ତ ଜୁଡୁବୁଡୁ ହୋଇ କିଟି ଘୁଷୁରି ଘୁଷୁରି ନିଜ ଆପାର୍ଟମେଣ୍ଟ ଆଡ଼କୁ ଆସିବାକୁ ଚେଷ୍ଟା କରିଥିଲେ। ପୁଣି ଥରେ ଆତତାୟୀ ଫେରି ଆସି କିଟିଙ୍କୁ ଆଠ ଥର ଛୁରୀରେ ଆଘାତ କଲା। ଜଣେ ପଡ଼ୋଶୀ ପୁଲିସ୍‌କୁ ଫୋନ୍ କରିବାକୁ ଉଦ୍ୟତ ହେବାରୁ ତାଙ୍କ ସ୍ତ୍ରୀ କହିଲେ, ‘କାହିଁକି ଅଯଥା ଫୋନ୍ କରୁଛ? ପ୍ରାୟ ତିରିଶରୁ ଅଧିକ ଲୋକ ପୁଲିସ୍‌କୁ ଫୋନ୍ କରି ସାରିବେଣି।’ ବାରମ୍ବାର ଛୁରାଘାତରେ କିଟି ସେଇଠି ପ୍ରାଣ ହରାଇଲେ। କିଟି ମରିବାର ପ୍ରାୟ ତିରିଶ ମିନିଟ୍ ପରେ ଫୋନ୍ ପାଇ ପୁଲିସ ସେଠାରେ ପହଞ୍ଚିଥିଲା।
କିଟିଙ୍କ ପଡ଼ୋଶୀମାନଙ୍କ ଉଦାସୀନ ଓ ନିର୍ଲିପ୍ତ ବ୍ୟବହାରରେ ସମଗ୍ର ଆମେରିକା ସ୍ତବ୍‌ଧ ହୋଇ ଯାଇଥିଲା। ଏହି ଘଟଣା ସମ୍ବନ୍ଧରେ ବହୁ ଆଲୋଚନା ହୋଇଥିଲା। ନିର୍ଯାତିତ ହେଉଥିବା ମଣିଷଟି ପ୍ରତି କାହିଁକି ମଣିଷ ବେଳେ ବେଳେ ଖୁବ୍ କଠିନ ଓ ହୃଦୟହୀନ ବ୍ୟବହାର ଦେଖାଏ? ବା ପୁଣି ଆଉ କେତେବେଳେ ନିଜ ଜୀବନକୁ ଖାତିର ନ କରି ସାହାଯ୍ୟ କରିବାକୁ ମଧ୍ୟ ଆଗେଇ ଯାଏ? କିଟିଙ୍କ ହତ୍ୟା ଘଟଣା ପରେ ବିପଦରେ ପଡ଼ି ଯନ୍ତ୍ରଣା ଭୋଗୁଥିବା ମଣିଷ ପ୍ରତି ଦର୍ଶକ ଓ ପଥଚାରୀମାନଙ୍କର ମନୋଭାବ ଉପରେ ସାମାଜିକ ମନୋବିଜ୍ଞାନୀମାନଙ୍କ ଦ୍ୱାରା ଗବେଷଣା ତଥା ଅନୁଧ୍ୟାନ କରାଯାଇଥିଲା। ଏଭଳି ବିପଜ୍ଜନକ ପରିସ୍ଥିତିରେ ମଣିଷ ଅନ୍ୟ ପ୍ରତି କିପରି ବ୍ୟବହାର କରେ, ତା’ ଉପରେ ଗବେଷଣାରୁ ମିଳିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଏହି ପ୍ରବନ୍ଧ ପର୍ଯ୍ୟବସିତ।
ସାଧାରଣତଃ ଆମେ ଆଶା କରୁ ଯେ ଅଧିକ ଲୋକ ବା ଦର୍ଶକ ଉପସ୍ଥିତ ଥିଲେ ବିପଦର ସମ୍ମୁଖୀନ ହୋଇଥିବା ବା ଯନ୍ତ୍ରଣା ଭୋଗ କରୁଥିବା ମଣିଷଟି ନିଶ୍ଚୟ ଅଧିକ ସାହାଯ୍ୟ ପାଇବ। କିନ୍ତୁ ଆଶ୍ଚର୍ଯ୍ୟର କଥା ଲୋକସଂଖ୍ୟା ଯେତେ ଅଧିକ ହୁଏ, ସାହାଯ୍ୟ କରିବାର ସମ୍ଭାବନା ସେତେ କମିଯାଏ। କାରଣ ପ୍ରତ୍ୟେକଙ୍କୁ ନିଜର ଦାୟିତ୍ୱ କମିଗଲା ପରି ମନେ ହୁଏ। ନିଜକୁ କମ୍ ଉତ୍ତରଦାୟୀ ଭଳି ଲାଗେ। ଦାୟିତ୍ୱ ଓ କର୍ତ୍ତବ୍ୟ ଭାଗ ହୋଇଗଲା ପରି ମନେ ହୁଏ। ଏତେ ଲୋକ ଅଛନ୍ତି; କିଏ ବି ସାହାଯ୍ୟ କରିବ, ଏପରି ଭାବିବା ଫଳରେ ଅଧିକାଂଶ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ନାହିଁ। ଏହାକୁ ‘ଉତ୍ତରଦାୟିତ୍ୱର ବିଚ୍ଛୁରଣ’ (ଡିଫ୍ୟୁଜନ୍ ଅଫ ରେସ୍‌ପନ୍‌ସିବିଲିଟି) ବୋଲି କୁହାଯାଏ। କିନ୍ତୁ ସାହାଯ୍ୟ କରିବା ପାଇଁ ଜଣେ ବା ଅଳ୍ପ ଲୋକ ଥିଲେ, ସେମାନଙ୍କର ଦାୟିତ୍ୱ ବଢ଼ି ଯାଇଥିବା ଭଳି ସେମାନଙ୍କୁ ଲାଗେ। ଅନ୍ୟ କେହି ନ ଥିବା ଯୋଗୁଁ ବାଧ୍ୟ ହୋଇ ସେମାନେ ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ବାହାରନ୍ତିି। ନଚେତ ସେମାନଙ୍କ ମନରେ ଅପରାଧୀ ଓ ଦୋଷୀ ପରି ଗ୍ଳାନିବୋଧ ଜାତ ହୁଏ। ଜଣେ ପଥଚାରୀ ଯନ୍ତ୍ରଣାକାତର ମଣିଷଟିକୁ ସାହାଯ୍ୟ କରିବା ପୂର୍ବରୁ ମାନସିକ ସ୍ତରରେ ଗୁଡ଼ିଏ ହିସାବ ନିକାଶ ଆରମ୍ଭ କରିଦିଏ। ଅନେକଗୁଡ଼ିଏ ବିଷୟ ସାମୂହିକ ଭାବରେ କାର୍ଯ୍ୟ କରେ।
ପ୍ରଥମତଃ ପଥଚାରୀଟି ରାସ୍ତାରେ ଗଲା ବେଳେ ଅନେକ ସମୟରେ ଜାଣି ପାରେନାହିଁ ଯେ କିଛି ଗୋଟିଏ ଅଘଟଣ ଘଟିଛି। ଜରୁରୀ ଘଟଣା ବା ଦୁର୍ଘଟଣା ଆକସ୍ମିକ ଭାବରେ ଆସେ। ପଥଚାରୀଟି ନିଜ ସମସ୍ୟା ଓ ଚିନ୍ତାରେ ମଗ୍ନ ଥିବାରୁ ହୁଏତ ଜରୁରୀକାଳୀନ ପରିସ୍ଥିତିକୁ ସେ ହଠାତ ଲକ୍ଷ୍ୟ କରିପାରେ ନାହିଁ। ସାହାଯ୍ୟ ପାଇବା ପାଇଁ ପ୍ରାର୍ଥନା କରୁଥିବା ଲୋକର ସ୍ୱର ତା’ର କାନରେ ପଡ଼େ ନାହିଁ। ଜନବହୁଳ ସହରାଞ୍ଚଳରେ ଲୋକମାନଙ୍କର କର୍ମବ୍ୟସ୍ତତା ଯୋଗୁଁ ଓ ପ୍ରତି ମୁହୂର୍ତ୍ତରେ ଅନେକ ରକମର ଘଟଣା, ଦୁର୍ଘଟଣା ଘଟୁଥିବାରୁ ଲୋକମାନେ ଛୋଟ ଛୋଟ ବ୍ୟତିକ୍ରମକୁ ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ‘ମାତ୍ରାଧିକ ଉତ୍ତେଜନାର ପରିଣାମ’ (ଷ୍ଟିମ୍ୟୁଲସ୍ ଅଭର୍‌ଲୋଡ୍‌ ଇଫେକ୍ଟ) ବୋଲି କୁହାଯାଏ। ବଡ଼ ସହରରେ ରାସ୍ତା କଡ଼ରେ ଲୋକଟିଏ ଶୋଇଥିଲେ ଏହି ଦୃଶ୍ୟକୁ ଅନାବଶ୍ୟକ ଭାବି କେହି ହୁଏତ ଲକ୍ଷ୍ୟ କରନ୍ତି ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଏପରି ଦୃଶ୍ୟ ହୁଏତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। କାରଣ ଗ୍ରାମାଞ୍ଚଳର ସରଳ ପରିବେଶରେ ଏଭଳି ବ୍ୟତିକ୍ରମ କମ୍ ଘଟେ ଓ ପରସ୍ପର ଭିତରେ ଚିହ୍ନା ପରିଚୟ ଥାଏ।
କିଛି ଗୋଟିଏ ଅଘଟଣ ଘଟିଛି ବୋଲି ସନ୍ଦେହ ହେଲେ ମଧ୍ୟ ପରିସ୍ଥିତିଟି ଅସ୍ପଷ୍ଟ ହୋଇଥିଲେ ମଣିଷ ଭାବିବାକୁ ଚାହେଁ ଯେ ତାହା ଜରୁରୀକାଳୀନ ପରିସ୍ଥିତି ନୁହେଁ। ଜରୁରୀକାଳୀନ ପରିସ୍ଥିତି ବୋଲି ଭାବିଲେ ମାନସିକ ଅସ୍ଥିରତା ବଢ଼େ; ଅସ୍ୱସ୍ତିକର ଲାଗେ। ସାହାଯ୍ୟ କରିବା ଉଚିତ ବା ନୁହେଁ ଏହା ଭିତରେ ସନ୍ତୁଳି ହେଉଥିବାରୁ ମାନସିକ ଦ୍ୱନ୍ଦ୍ୱ ବଢ଼େ। ସାହାଯ୍ୟ କରି ନ ପାରିଲେ ଦୋଷୀ ଦୋଷୀ ଲାଗେ। ରାତି ଅଧରେ ସୁଟ୍‌କେସ ଧରି ଯାଉଥିବା ଜଣେ ଲୋକକୁ ଦେଖିଲେ, କୌଣସି କାମରେ ଯାଉଥିବ ବା ରେଳଯାତ୍ରା କରିବାକୁ ଥିବ ବୋଲି ଆମେ ଭାବୁ। ସେହି ଲୋକ ଚୋରି ବା ବ୍ୟାଙ୍କ ଡକାୟତି କରି ଥାଇପାରେ ବୋଲି ଆମେ ଭାବିବାକୁ ଚାହୁଁନାହିଁ। ରାସ୍ତା କଡ଼ରେ ଶୋଇଥିବା ଲୋକଟିର ହୃଦ୍‌ଘାତ ହୋଇ ଥାଇପାରେ ବୋଲି ଆମେ ନ ଭାବି ହାଲିଆ ହୋଇ ବା ମଦ ପିଇ ଶୋଇ ଥାଇପାରେ ବୋଲି ଭାବିବାକୁ ଅଧିକ ନିରାପଦ ମନେ କରୁ। ତା’ଛଡ଼ା ଅଧିକ ଉତ୍କଣ୍ଠା ଦେଖେଇ ବୋକା ବନିବାକୁ ଆମେ ଚାହୁଁନାହିଁ। ଏପରି ବ୍ୟବହାରକୁ ‘ସାମୂହିକ ଅଜ୍ଞାନତା’ (ପ୍ଲୁରାଲିଷ୍ଟିକ୍ ଇଗ୍ନୋରାନ୍‌ସ) ବୋଲି କୁହାଯାଏ। ଗୋଟିଏ ଅନୁଧ୍ୟାନରେ କିଛି ଲୋକଙ୍କୁ କେତୋଟି ପ୍ରଶ୍ନାବଳୀର ଉତ୍ତର ଲେଖିବାକୁ ଦିଆ ଯାଇଥିଲା। ପ୍ରଶ୍ନୋତ୍ତର କଲାବେଳେ କୋଠରି ମଧ୍ୟକୁ ପ୍ରବଳ ଧୂଆଁ ଛଡ଼ା ଯାଇଥିଲା। ଏକୁଟିଆ ପ୍ରଶ୍ନୋତ୍ତର କଲା ବେଳେ ବିପଦ ଆଶଙ୍କା କରି ପ୍ରତ୍ୟେକ ଲୋକ ଧୂଆଁ କେଉଁଠାରୁ ଓ କାହିଁକି ଆସୁଛି ବୋଲି ବ୍ୟସ୍ତ ହୋଇ ପଚାରିଥିଲେ ଓ ବାରମ୍ବାର ବାହାରକୁ ପଳାଇ ଆସୁଥିଲେ। କିନ୍ତୁ ବହୁତ ଲୋକ ଏକାଠି ବସି ପ୍ରଶ୍ନୋତ୍ତର କଲା ବେଳେ କୋଠରିଟି ଧୂଆଁରେ ଭରି ଯାଇ ପୂରା ଅନ୍ଧକାରାଛନ୍ନ ହୋଇ ଯାଇଥିଲେ ମଧ୍ୟ କେହି କିଛି ପ୍ରତିବାଦ କରୁ ନଥିଲେ ବା କିଛି ପଚାରୁ ନଥିଲେ। ଅସଲରେ କୌଣସିି ଲୋକ ବୋକା ବନିବାକୁ ଚାହୁଁ ନଥିଲେ। ଜଣେ ବି ଲୋକ ପ୍ରତିବାଦ କରୁ ନଥିବାରୁ ଗୋଟିଏ ସାଧାରଣ ଘଟଣାରେ ଅଧିକ ପ୍ରତିକ୍ରିୟା ଦେଖାଇବା ଠିକ୍ ହୋଇ ନ ପାରେ ବୋଲି ହୁଏତ ସେମାନେ ଭାବୁଥିଲେ। ସତେ ଯେପରି ବୋକା ବନିବା ଠାରୁ ମୃତ୍ୟୁ ଶ୍ରେୟସ୍କର। କେହି ସାହାଯ୍ୟ କରୁ ନଥିଲେ ଅନେକ ସମୟରେ ଭୁଲ୍‌ ଭାବରେ ବିଶ୍ୱାସ କରାଯାଏ ଯେ, ସେହି ପରସ୍ଥିତିରେ ସାହାଯ୍ୟ କରିବା ଦରକାର ନାହିଁ।
ଏତେ ଲୋକ ଥାଉଥାଉ ଦାୟିତ୍ୱ ନେଇ ଜଣେ କାହିଁକି ନିଜର ସମସ୍ୟା ବଢ଼େଇବ ବୋଲି ଭାବିବା ସଙ୍ଗେ ସଙ୍ଗେ କିପରି ସାହାଯ୍ୟ କରିବ ସେ ବିଷୟରେ ହଠାତ୍ ବୁଝି ପାରେନାହିଁ। ସାହାଯ୍ୟ କରିବାର ଦକ୍ଷତା ଓ ସାମର୍ଥ୍ୟ ହୁଏତ ପଥଚାରୀର ନଥାଏ। ପାଣିରେ ଭାସି ଯାଉଥିବା ପିଲାକୁ ଉଦ୍ଧାର କରିବାକୁ ହେଲେ ସାହାଯ୍ୟକାରୀକୁ ପହଁରା ଆସୁଥିବା ଦରକାର। ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସକଙ୍କର ସାହାଯ୍ୟ ଦରକାର ଥିଲେ, ଲୋକମାନେ ସେମାନଙ୍କର କୌଣସି ଦାୟିତ୍ୱ ନାହିଁ ବୋଲି ଭାବି ନିଅନ୍ତି। ସେତେବେଳେ ଦାୟିତ୍ୱର ବିଚ୍ଛୁରଣ (ଡିଫ୍ୟୁଜନ୍ ଅଫ ରେସ୍‌ପନ୍‌ସିବିଲିଟି) ସହିତ ଦାୟିତ୍ୱର ଅସ୍ପଷ୍ଟତା (କନ୍‌ଫ୍ୟୁଜନ୍ ଅଫ୍ ରେସ୍‌ପନ୍‌ସିବିଲିଟି) ମଧ୍ୟ ଦେଖାଦିଏ।
ଅନ୍ୟ କାହାକୁ ଦାୟିତ୍ୱ ଦେଇ ପରୋକ୍ଷ ଭାବରେ ସାହାଯ୍ୟ କରିବାକୁ ଥିଲେ, ଦର୍ଶକ ବା ପଥଚାରୀ ତତ୍‌କ୍ଷଣାତ ସାହାଯ୍ୟ ହସ୍ତାନ୍ତର କରିଦିଏ ଓ ଆଶ୍ୱସ୍ତ ହୋଇଯାଏ। ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରିବାକୁ ଥିଲେ ସେ ମାନସିକ ସ୍ତରରେ ଲାଭ କ୍ଷତିର ହିସାବ କରିନିଏ। ଲାଭ ତୁଳନାରେ କ୍ଷତିର ପରିମାଣ ଅଧିକ ହୋଇଥିଲେ, ସାଧାରଣ ଲୋକ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। ବିଶେଷ କ୍ଷତି ହେଉ ନଥିଲେ ସାହାଯ୍ୟ କରାଯାଇପାରେ ବୋଲି ଭାବନ୍ତି। ଗବେଷଣାରୁ ଦେଖାଯାଇଛି ଯେ, ରାସ୍ତାରେ ବା ଘର ବାହାରେ ଆକସ୍ମିକ ଭାବରେ ଘଟୁଥିବା ଏଭଳି ଜରୁରୀକାଳୀନ ପରିସ୍ଥିତିରେ ସାଧାରଣତଃ ପୁରୁଷମାନେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ସମାଜରେ ଯୁଗ ଯୁଗ ଧରି ପୁରୁଷ ରକ୍ଷାକାରୀ ବା ଆଶ୍ରୟଦାତାର ଭୂମିକା ନିର୍ବାହ କରୁଥିବାରୁ ଏଭଳି ପରିସ୍ଥିତିରେ ସାହାଯ୍ୟ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ସେମାନେ ଭାବିଥାନ୍ତି। ପୁରୁଷମାନଙ୍କର ଶାରୀରିକ ଶକ୍ତି ଓ ସାମର୍ଥ୍ୟ ଅଧିକ ଏବଂ ଏଭଳି ସାହସିକ କାର୍ଯ୍ୟ କରିବା ବୀରତ୍ୱ ଏବଂ ପୌରୁଷର ଲକ୍ଷଣ ବୋଲି ହୁଏତ ସେମାନେ ମନେ କରିଥାନ୍ତି। ଦେଖାଯାଇଛି ଏଭଳି ବିପଜ୍ଜନକ ପରିସ୍ଥିତିରେ ପୁରୁଷ ଠାରୁ ନାରୀଟିଏ ଅଧିକ ସାହାଯ୍ୟ ପାଏ।
ଅବଶ୍ୟ କିଛି ଲୋକ ନିଃସ୍ୱାର୍ଥପର ଭାବେ ପରୋପକାର କରିବାରେ ବିଶ୍ୱାସ ରଖନ୍ତି। ନିଜ ଜୀବନକୁ ବାଜି ଲଗେଇ ବା ନିଜ ସ୍ୱାର୍ଥ ପ୍ରତି ନଜର ନ ଦେଇ ଅନ୍ୟକୁ ସାହାଯ୍ୟ କରନ୍ତି; ଜଳନ୍ତା ନିଆଁ ବା ପାଣିରେ ପଶି ଅନ୍ୟର ଜୀବନ ରକ୍ଷା କରନ୍ତି। ପୁରସ୍କାର ଆଶା ନ କରି ଆତ୍ମ-ତ୍ୟାଗ କରନ୍ତି। ସହାନୁଭୂତି ଓ ସମାନୁଭୂତି ହେତୁ ସେମାନେ ବିପଦରେ ପଡ଼ିଥିବା ଲୋକର ସ୍ଥାନରେ ନିଜକୁ ରଖି ତା’ର ଆବେଗ, ପୀଡ଼ନ ଓ ଅନୁଭବକୁ ହୃଦୟଙ୍ଗମ କରିପାରନ୍ତି। ନୈତିକ ମୂଲ୍ୟବୋଧ ଉପରେ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତି। ଏଭଳି କାମରେ ଲାଭଟି ସାମାଜିକ ଓ ମାନସିକ ସ୍ତରରେ ଥାଏ। ସେମାନଙ୍କୁ ସାମାଜିକ ସ୍ୱୀକୃତି ଓ ପ୍ରଶଂସା ମିଳେ। ସାହାଯ୍ୟ ପାଇଥିବା ଲୋକର କୃତଜ୍ଞତା ଓ ଧନ୍ୟବାଦ ସେମାନଙ୍କୁ ଆତ୍ମସନ୍ତୋଷ ଆଣିଦିଏ।
ମୋ: ୯୪୩୭୫୭୭୨୧୧