ସଂଗୀତା ରଥ

Advertisment

ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ ଯେତିକି ଅନନ୍ୟ, ତତୋଽଧିକ ଜଟିଳ ମଧ୍ୟ। ବ୍ୟକ୍ତିତ୍ୱର ଏହି ଭିନ୍ନତା ଫଳରେ ସମାନ ପରିସ୍ଥିତିରେ ମଧ୍ୟ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ଆଚରଣ ପ୍ରଦର୍ଶନ କରିଥାନ୍ତି। କେତେକ ବ୍ୟକ୍ତିଙ୍କ ଆଚରଣ ଓ ଚିନ୍ତାଧାରା ସାମାଜିକ ଓ ସାଂସ୍କୃତିକ ପ୍ରତ୍ୟାଶାଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ, ଯାହାକୁ ‘ବ୍ୟକ୍ତିତ୍ୱ ବିକାର ବା ବିକୃତି’ ବୋଲି କୁହାଯାଏ। ଏଭଳି ପୀଡ଼ିତ ବ୍ୟକ୍ତିଙ୍କ ଆଚରଣ ସମସ୍ତଙ୍କୁ ବ୍ୟସ୍ତ-ବିବ୍ରତ ଓ ବିରକ୍ତ କରିଦିଏ ସତ, କିନ୍ତୁ ସେହି ବ୍ୟକ୍ତି ସେ ବିଷୟରେ ଆଦୌ ସଚେତନ ନଥାନ୍ତି। ମାନସିକ ସ୍ୱାସ୍ଥ୍ୟର ସ୍ଥିତିକୁ ପରଖି ମୁଖ୍ୟତଃ ଦଶ ପ୍ରକାରର ବ୍ୟକ୍ତିତ୍ୱ ବିକୃତି ନିର୍ଦ୍ଧାରଣ କରାଯାଇଛି। ତହିଁରୁ ‘ଆତ୍ମପ୍ରେମୀ ବ୍ୟକ୍ତିତ୍ୱ ବିକୃତି’ (ନାର୍ସିଷ୍ଟିକ ପର୍ସନାଲିଟି ଡିସର୍ଡର) ଅନ୍ୟତମ, ଯାହା ବିଭିନ୍ନ ସଂଦର୍ଭରେ ବିସ୍ତୃତ ଭାବେ ଆଲୋଚିତ ଓ ଚର୍ଚ୍ଚିତ ମଧ୍ୟ। 
ଗ୍ରୀକ୍ ପୌରାଣିକ ଚରିତ୍ର ନାର୍ସିସିଅସ୍ ଥିଲେ ଜଣେ ଅତ୍ୟନ୍ତ ସୁନ୍ଦର ଯୁବକ। ଜଳ ମଧ୍ୟରେ ନିଜର ପ୍ରତିବିମ୍ବ ଦେଖି ସେ ପ୍ରେମରେ ବିମୋହିତ ହୋଇଯାଇଥିଲେ। ନିଜ ପ୍ରତିବିମ୍ବ ସହିତ ମିଳିତ ହେବାର ପ୍ରବଳ ଇଚ୍ଛା ପୂରଣ ତ ହୋଇ ନ ଥିଲା, ବରଂ ଶେଷରେ ସେ ପ୍ରାଣ ହରାଇଥିଲେ। ଆତ୍ମରତି ଆକୁଳ ନାର୍ସିସିଅସ୍‌ଙ୍କ ନାମରେ ନାମିତ ହୋଇଛି ଉପରେ ବର୍ଣ୍ଣିତ ବ୍ୟକ୍ତିତ୍ବ ବିକାର ‘ନାର୍ସିସିଜମ’। 
ପାଠକପାଠିକାମାନେ ବୁଝି ସାରିବେଣି ଯେ ଏଭଳି ବିକୃତିର ଶିକାର ବ୍ୟକ୍ତି ନିଜ ପ୍ରେମରେ ନିଜେ ପଡ଼ିଥାଏ ଓ ନିଜକୁ ମହାନ ବୋଲି ବିଚାର କରେ। ସେ ସର୍ବଦା ନିଜ ସଫଳତା, ଶକ୍ତି, ସାମର୍ଥ୍ୟ ତଥା ସୌନ୍ଦର୍ଯ୍ୟ ନେଇ ଭାବନାରେ ବୁଡ଼ି ରହିଥାଏ। ଏପରି ବ୍ୟକ୍ତିମାନେ ନିଜକୁ ଅନନ୍ୟ ବୋଲି ବିଚାର କରନ୍ତି ଏବଂ ସାମର୍ଥ୍ୟ, ଉପଲବ୍‌ଧି ତଥା ସଫଳତା ପ‌ରିପ୍ରେକ୍ଷୀରେ ନିଜକୁ ବହୁ ଉଚ୍ଚ ସ୍ଥାନରେ ବସାନ୍ତି। ପ୍ରେମ ବ୍ୟାପାରରେ ସେମାନଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ ବୋଲି ଦାବି କରନ୍ତି। ଏପରି ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ନିରନ୍ତର ସମ୍ମାନ, ପ୍ରଶଂସା, ଧ୍ୟାନ ଓ ସ୍ୱୀକୃତି ପାଇବାର ଆଶା ରଖନ୍ତି। ଆତ୍ମ-ପ୍ରାଧାନ୍ୟର ପରିକଳ୍ପନାରେ ମଗ୍ନ ଏହି ବ୍ୟକ୍ତିମାନେ ଅନ୍ୟ ବ୍ୟକ୍ତିଙ୍କ ଭାବନା ଓ ଆବଶ୍ୟକତା ବୁଝିବାକୁ ଅସମର୍ଥ ହୁଅନ୍ତି ବା ସେ ନେଇ କୌଣସି ପରବାୟ କରନ୍ତି ନାହିଁ। ସେମାନଙ୍କୁ ଅବହେଳା ପ୍ରଦର୍ଶନ କରିବା ସହିତ ଅନେକ କ୍ଷେତ୍ରରେ ଶୋଷଣ ମଧ୍ୟ କରନ୍ତି। ଅପର ଦିଗରେ ଆତ୍ମ-ମଗ୍ନ ‘ନାର୍ସିସିଷ୍ଟ’ ବ୍ୟକ୍ତିଙ୍କ ଉପରେ ଯଦି କେହି ନିର୍ଭରଶୀଳ ହୁଅନ୍ତି ବା ତାଙ୍କର ନିକଟତର ହେବାକୁ ଚେଷ୍ଟା କରନ୍ତି, ତେବେ ତାକୁ ବରଦାସ୍ତ କରିପାରନ୍ତି ନାହିଁ। ଏଭଳି ବ୍ୟକ୍ତିତ୍ବ ବିକାରର ଶିକାର ହୋଇଥିବା ଲୋକ ଏକ ସୁନ୍ଦର ଭାବମୂର୍ତ୍ତି ବଜାୟ ରଖିବାକୁ ଅହରହ ଚେଷ୍ଟା କରନ୍ତି, ଖୁବ୍ ପ୍ରତ୍ୟୟବାନ ବୋଲି ଦେଖାଇ ହୁଅନ୍ତି, କିନ୍ତୁ ଏମାନଙ୍କ ଆତ୍ମପ୍ରତ୍ୟୟ କ୍ଷଣଭଙ୍ଗୁର। ସେମାନେ ନିଜର ମୂଲ୍ୟ ବିଷୟରେ ଅନିଶ୍ଚିତ ଓ ସନ୍ଦିହାନ ଥାଆନ୍ତି। ଏମାନେ ବାସ୍ତବରେ ଅତ୍ୟନ୍ତ ଅସୁରକ୍ଷିତ। ଫଳରେ ଗଠନମୂଳକ ସମାଲୋଚନା ବା ମତାମତ ଦ୍ବାରା ମଧ୍ୟ ଏମାନେ ଆହତ, ବିରକ୍ତ ଓ କ୍ରୋଧାନ୍ୱିତ ହୁଅନ୍ତି। ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅନ୍ୟମାନଙ୍କୁ ନ୍ୟୂନ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତି। ‘ନାର୍ସିସିଷ୍ଟ’ମାନେ ପ୍ରଶଂସା ପାଇବାକୁ ଅତ୍ୟନ୍ତ ଆତୁର ଥାଆନ୍ତି ଓ ପ୍ରଶଂସା ପାଇଲେ ସେମାନେ ଅଧିକ ସୁରକ୍ଷିତ ମନେ କରନ୍ତି। ‘ନାର୍ସିସିଜିମ’ରେ ପୀଡ଼ିତ ବ୍ୟକ୍ତି କୌଣସି ପ୍ରତିଭାବାନ ବ୍ୟକ୍ତିଙ୍କୁ ଈର୍ଷା କରନ୍ତି। କିନ୍ତୁ ସେମାନଙ୍କ ଧାରଣା ଥାଏ ଯେ ସେମାନଙ୍କ ପ୍ରତିଭାକୁ ସମସ୍ତେ ଈର୍ଷା କରୁଛନ୍ତି। 
‘ନାର୍ସିସିଷ୍ଟି’ମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନ ବିକ୍ଷୁବ୍‌ଧ ହୋଇଥାଏ। ସେମାନେ ଉତ୍ତମ ଓ ସୁସ୍ଥ ସମ୍ପର୍କ ସ୍ଥାପନ କରି ପାରନ୍ତି ନାହିଁ। ସେମାନଙ୍କ ଆଚରଣ‌େର ଥିବା ଅସଂଗତି, ତ୍ରୁଟି ଓ ଆତିଶଯ୍ୟ ଜଳଜଳ ହୋଇ ଜଣାପଡୁଥିଲେ ସୁଦ୍ଧା ସେମାନେ ଏ ନେଇ ଜାଣିପାରନ୍ତି ନାହିଁ। 
‘ଡିଏସ୍‌ଏମ୍‌-୫-ଟିଆର୍’ ନାମକ ପୁସ୍ତିକା ଏହି ଆତ୍ମକୈନ୍ଦ୍ରିକ ବ୍ୟକ୍ତିତ୍ୱ ବିକୃତିକୁ ଏକ ଗୁରୁତର ମାନସିକ ଅବସ୍ଥା ବୋଲି ଆନୁଷ୍ଠାନିକ ଭାବରେ ସ୍ୱୀକୃତି ପ୍ରଦାନ କରିଛି, ଅଥଚ ଏହାର ବର୍ଗୀକରଣରେ ବିଶ୍ୱାସ କରି ନ ଥାଏ। ତେବେ, ଅନେକ ସମୟରେ ଗୁଣ ଓ ଆଚରଣକୁ ଆଧାର କରି ବିଶେଷଜ୍ଞମାନେ ‘ନାର୍ସିସିଜମ୍‌’ର ବର୍ଗୀକରଣ କରନ୍ତି। 
ତହିଁରୁ ଗୋଟିଏ ହେଲା, ପ୍ରତାପୀ (ଗ୍ରାଣ୍ଡିଓଜ୍‌) ‘ନାର୍ସିସିଷ୍ଟ୍‌’। ଏମାନେ ଅତ୍ୟନ୍ତ ଗର୍ବୀ, ଅହଙ୍କାରୀ ହେବା ସହିତ ନିରନ୍ତର ନିଜ ପ୍ରଶଂସା ଆବଶ୍ୟକ କରନ୍ତି। ଧ୍ୟାନର କେନ୍ଦ୍ରବିନ୍ଦୁ ହେବାକୁ ଚାହିଁବା ସହିତ ମାତ୍ରାଧିକ ସମ୍ମାନ, ସ୍ବୀକୃତି ଓ ଅଧିକାର ପାଇବାକୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ମତାମତକୁ ଅଗ୍ରାହ୍ୟ କରିବା ସହିତ ସେମାନଙ୍କୁ ଅପମାନିତ କରିବାକୁ ମଧ୍ୟ ପଶ୍ଚା‌ତପଦ ହୁଅନ୍ତି ନାହିଁ। 
ଦ୍ବିତୀୟ ବର୍ଗର ‘ନାର୍ସିସି୍‌ଷ୍ଟ’ମାନେ ହେଉଛନ୍ତି ପୂର୍ବ ବର୍ଗର ବିପରୀତ ଏବଂ ଅସୁରକ୍ଷା ଭାବନା ଦ୍ବାରା ସର୍ବଦା ଜର୍ଜର ଥା‌ଆନ୍ତି। ଏମାନେ ଲାଜକୁଳା ଓ ସମ୍ବେଦନଶୀଳ ହୋଇଥାନ୍ତି ସିନା, ଅଧିକାଂଶ ସମୟରେ ଭାବନ୍ତି ଯେ ସେମାନେ ଅବହେଳିତ ଓ ନିଜ ବିଫଳତା ପାଇଁ ଅନ୍ୟକୁ ଦାୟୀ କରନ୍ତି। ଅନ୍ୟମାନଙ୍କ ଠାରୁ ଆଶ୍ୱାସନା ଓ ଅନୁମୋଦନ ପାଇବାକୁ ଉଦ୍‌ଗ୍ରୀବ ହୋଇ ଥାଆନ୍ତି। ଅପମାନିତ ହେଲେ ପ୍ରତିଶୋଧ ପରାୟଣ ମଧ୍ୟ ହୁଅନ୍ତି। 
ତୃତୀୟ ବର୍ଗର ‘ନାର୍ସିସିଷ୍ଟ’ ହେଉଛନ୍ତି ଘାତକ ବା କ୍ଷତିକାରକ (ମାଲିଗ୍‌ନାଣ୍ଟ) ବର୍ଗର। ଏମାନଙ୍କ ଠାରେ ‘ଅସାମାଜିକ ବ୍ୟକ୍ତିତ୍ୱ ବିକାର’ ମଧ୍ୟ ମିଶିକରି ଥାଏ। ଏମାନଙ୍କର କାହା ଉପରେ ଭରସା ନ ଥାଏ; ସମସ୍ତଙ୍କ ସହିତ ଶତ୍ରୁତାପୂର୍ଣ୍ଣ ଓ ନିର୍ଦ୍ଦୟ ଆଚରଣ କରନ୍ତି। ଏଭଳି ଲୋକେ ଅନ୍ୟମାନଙ୍କୁ ନିୟନ୍ତ୍ରଣରେ ରଖି ଯନ୍ତ୍ରଣା ଦେଇ ଓ କ୍ଷତି ସାଧନ କରି ଆନନ୍ଦ ପାଆନ୍ତି। ଏହି ବର୍ଗର ‘ନାର୍ସିସିଷ୍ଟ’ମାନେ ସିରିଆଲ୍ କିଲର୍‌’ ହୋଇପାରନ୍ତି।
ଚତୁର୍ଥ ବର୍ଗର ‘ନାର୍ସିସିଷ୍ଟ’ ହେଲେ ପରୋପକାରୀ (କମୁନାଲ)। ଅନ୍ତତଃ ଏମାନେ ଦୟାଶୀଳ ଓ ଅତ୍ୟନ୍ତ ନିଃସ୍ୱାର୍ଥପର ଭଳି ପ୍ରତୀୟମାନ ହୁଅନ୍ତି। ନୈତିକତା ଦୃଷ୍ଟିରୁ ଏମାନେ ନିଜକୁ ଶ୍ରେଷ୍ଠ ଓ ମହାନ ବୋଲି ପ୍ରଦର୍ଶନ ମଧ୍ୟ କରନ୍ତି। ନିଜ ବଦାନ୍ୟତା ପାଇଁ ଅତ୍ୟନ୍ତ ଗୌରବାନ୍ୱିତ ମନେ କରନ୍ତି। ସେମାନଙ୍କ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥା‌ଏ, ଅନ୍ୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବା। ସେମାନେ ମାତ୍ରାଧିକ ସ୍ୱୀକୃତି ଓ ପ୍ରଶଂସା ଆଶା କରନ୍ତି ଏବଂ କୌଣସି ବ୍ୟକ୍ତି ସାହାଯ୍ୟ ପାଇ କୃତଜ୍ଞତା ଜ୍ଞାପନ ନ କଲେ ଖୁବ୍ ଅସନ୍ତୁଷ୍ଟ ହୁଅନ୍ତି।
କେବଳ ଆଚରଣକୁ ଦୃଷ୍ଟିରେ ରଖି ବିଶ୍ୱର ବହୁ ପ୍ରସିଦ୍ଧ ବ୍ୟକ୍ତି ‘ନାର୍ସିସିଜିମ୍‌’ରେ ପୀଡ଼ିତ ଥିଲେ ବୋଲି ଅନୁମାନ କରାଯାଏ। ସମ୍ମାନ ଓ ପ୍ରଶଂସା ଚାହୁଁଥିବା ନିଷ୍ଠୁର ଫରାସୀ ବୀର ନେପୋଲିଅନ୍ ବୋନାପାର୍ଟ, ଅହଙ୍କାରୀ ଓ ସମ୍ବେଦନଶୂନ୍ୟ ଜର୍ମାନ ‘ଫୁଏରର’ ଆଡଲ୍‌ଫ ହିଟଲର, ଛଳନାପୂର୍ଣ୍ଣ, ଚକ୍ରାନ୍ତକାରୀ, କ୍ରୂର ଓ ସ୍ୱେଚ୍ଛାଚାରୀ ସୋଭିଏତ୍ ଶାସକ ଜୋସେଫ୍ ଷ୍ଟାଲିନ୍‌, ନିଜକୁ ଅନନ୍ୟ ଭାବରେ ଚିତ୍ରଣ କରୁଥିବା ପ୍ରଶଂସାପ୍ରିୟ ଓ ସମାନୁଭୂତିହୀନ ଆମେରିକାର ସାଂପ୍ରତିକ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଇତ୍ୟାଦି ‘ନାର୍ସିସିଜିମ୍’ର ଶିକାର ହୋଇଥିବା ସମ୍ଭବ। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲିଆ ଗିଲାର୍ଡ ‘ବିୟଣ୍ଡ ବ୍ଲୁ’ ନାମକ ଏକ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଅନୁଷ୍ଠାନର ଅଧ୍ୟକ୍ଷ ଥିବା ବେଳେ ଟ୍ରମ୍ପଙ୍କ ମାନସିକ ସ୍ୱାସ୍ଥ୍ୟ ଓ ‘ନାର୍ସିସିଜିମ୍‌’କୁ ନେଇ ଚିନ୍ତା ପ୍ରକଟ କରିଥିଲେ। 
ନାର୍ସିସିଷ୍ଟିକ୍ ବ୍ୟକ୍ତିତ୍ୱ ବିକୃତିର କାରଣ ଜଟିଳ। ଜନ୍ମଗତ ଓ ପରିବେଶ; ଏହି ଉଭୟ କାରଣରୁ ଏପରି ମାନସିକ ଅବସ୍ଥା ସୃଷ୍ଟି ହୋଇପାରେ। ବାଲ୍ୟ କାଳରେ ପିତାମାତାଙ୍କ ଠାରୁ ମାତ୍ରାଧିକ ପ୍ରଶଂସା ପାଉଥିବା ପିଲା ବା ଅତ୍ୟଧିକ ଉପେକ୍ଷା ଓ ଅନାଦର ମଧ୍ୟରେ ବଢୁଥିବା ପିଲା ଏପରି ବ୍ୟବହାର ପ୍ରଦର୍ଶନ କରିବାର ଅଧିକ ସମ୍ଭାବନା ଥାଏ। ଯେଉଁ ସମାଜ ଓ ସଂସ୍କୃତି ବ୍ୟକ୍ତିଗତ ମହତ୍ତ୍ୱ ଓ ସଫଳତା ଉପରେ ଅତ୍ୟଧିକ ପ୍ରାଧାନ୍ୟ ଦିଏ, ସେହି ସମାଜରେ ମଧ୍ୟ ଏପରି ଲକ୍ଷଣଯୁକ୍ତ ଲୋକ ଅଧିକ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ଏହା ମଧ୍ୟ ଜଣାଯାଏ ଯେ ଭାବନା ଓ ସମ୍ବେଦନଶୀଳତାକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ଅଂଶରେ ଅସ୍ୱାଭାବିକତା ଥିଲେ ଏଭଳି ମାନସିକ ବିକୃତି ସୃଷ୍ଟି ହୋଇପାରେ। ‘ନାର୍ସିସିଷ୍ଟିକ୍’ ଲୋକେ ଭଲ ହେବା ଲାଗି ଦୀର୍ଘକାଳୀନ ଚିକିତ୍ସା ଲୋଡ଼ା। ଏଭଳି ପୀଡ଼ିତ ବ୍ୟକ୍ତିଙ୍କୁ ନିଜ ବିଷୟରେ ସଚେତନ କରିବା ଏକାନ୍ତ ଆବଶ୍ୟକ। ମନୋଚିକିତ୍ସାରେ ସଜ୍ଞାନତ୍ମକ ବ୍ୟାବହାରିକ ଚିକିତ୍ସା (କଗ୍‌ନିଟିଭ ବିହେଭିଅର ଥେରାପି) ପଦ୍ଧତି ସାହାଯ୍ୟରେ ଅହଙ୍କାରକୁ ହ୍ରାସ କରାଇ ଆତ୍ମଜ୍ଞାନ ବୃଦ୍ଧି କରିବା ଓ ନକାରାତ୍ମକ ଚିନ୍ତାଧାରାକୁ ଚିହ୍ନଟ କରି ସେ ସବୁକୁ ସକାରାତ୍ମକ ଭାବନାରେ ପରିବର୍ତ୍ତନ କରିବା ସମ୍ଭବ ହୋଇଥାଏ। ‘ଦ୍ବୈତ ବ୍ୟାବହାରିକ ଚିକିତ୍ସା’ (ଡାଏଲେଟିକାଲ ବିହେଭିଅର ଥେରାପି) ଦ୍ୱାରା ଭାବନା ଓ ଆବେଗକୁ ନିୟନ୍ତ୍ରଣ କରିବାକୁ କୁହାଯାଏ। ମନୋବିଶ୍ଳେଷଣ (ସାଇକୋଡାଇନାମିକ ଥେରାପି) ମାଧ୍ୟମରେ ଶୈଶବର ନକାରାତ୍ମକ ଅନୁଭବ ଏବଂ ଅବଚେତନ ମନରେ ଥିବା ଅବଦମିତ ଭାବନା ବିଷୟରେ ଅନୁସନ୍ଧାନ କରି ଅସୁସ୍ଥତାର ମୂଳ କାରଣମାନ ବୁଝିବାକୁ ଚେଷ୍ଟା କରାଯାଏ। ଗ୍ରୁପ୍ ଥେରାପି ସାହାଯ୍ୟରେ ସାମାଜିକ ସଂପର୍କକୁ ଉନ୍ନତ କରିବାର କୌଶଳଗୁଡ଼ିକ ଶିକ୍ଷା ଦିଆଯିବା ସହିତ ସମ୍ବେଦନଶୀଳତା ବୃଦ୍ଧି କରାଯାଏ। ‘ନାର୍ସିସିଷ୍ଟିକ୍’ ବ୍ୟକ୍ତିତ୍ୱ ବିକୃତି ସଂପର୍କରେ ପରିବାର ସଦସ୍ୟମାନଙ୍କୁ ସଚେତନ କରି ଏହା ଦ୍ବାରା ପୀଡ଼ିତ ବ୍ୟକ୍ତିକୁ ସହାୟତା ଯୋଗାଇ ଦିଆଯିବା ଉଚିତ। ଊଣାଅଧିକେ ଆମେ ସମସ୍ତେ ନିଜକୁ ଭଲ ପାଇଥାଉ; କିନ୍ତୁ ଏହାର ମାତ୍ରାଧିକତା ହିଁ ବିକୃତିର କାରଣ ହୋଇଥାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୫୭୭୨୧୧