ଆଇନର ଏହି ଖେଳ ଉଚ୍ଚ ଅଦାଲତ ଓ ନିମ୍ନ ଅଦାଲତ ମଧ୍ୟରେ କିମ୍ବା ଉଭୟ ପକ୍ଷର ଓକିଲମାନଙ୍କ ମଧ୍ୟରେ ଚାଲିଥିବା ଭଳି ମନେ ହେଉଥିଲେ ହେଁ, ଏହି ଖେଳରେ ଯେଉଁମାନେ ପ୍ରକୃତରେ ଶୋଚନୀୟ ଭାବରେ ପରାସ୍ତ ହୋଇଛନ୍ତି, ସେମା‌େନ ହେଉଛନ୍ତି ନିଜେ ସେହି ହତଭାଗ୍ୟମାନେ, ଯେଉଁମାନେ ସେଇ ବର୍ବର କାଣ୍ଡର ରଚୟିତାମାନେ ଦଣ୍ଡ ପାଇବା ଦେଖିବା ପାଇଁ ଦୀର୍ଘ ଦୁଇ ଦଶନ୍ଧି ହେଲା ଅପେକ୍ଷା କରି ରହିଛନ୍ତି। ବମ୍ବେ ହାଇକୋର୍ଟଙ୍କର ରାୟ ଦେଖି ସେମାନଙ୍କ ମନରେ ଏକ ଧାରଣା ସୃଷ୍ଟି ହେଉଥିବ, ସତେ ଯେମିତି ଆମ ନ୍ୟାୟ ବ୍ୟବସ୍ଥା ଦୃଷ୍ଟିରେ ସେଦିନ ରେଳଗାଡ଼ିଗୁଡ଼ିକରେ ବିସ୍ଫୋରଣମାନ ଆପେ ଆପେ ଘଟିଥିଲା, କେହି ସେଗୁଡ଼ିକୁ ଘଟାଇ ନ ଥିଲେ।

Advertisment

ସବର୍ବାନ୍‌ ରେଲ‌୍‌ୱେ ନେଟ୍‌ୱର୍କ ବା ଲୋକାଲ୍ ଟ୍ରେନ୍ ଚଳାଚଳ ବ୍ୟବସ୍ଥା ହେଉଛି ଦୁଇ କୋଟିରୁ ଅଧିକ ଲୋକସଂଖ୍ୟାବିଶିଷ୍ଟ ମୁମ୍ବାଇ ମହାନଗରୀର ଜୀବନରେଖା। ଆଜିକୁ ଠିକ୍ ପ୍ରାୟ ୧୯ ବର୍ଷ ତଳେ ୨୦୦୬ ଜୁଲାଇ ୧୧ ଦିନ ଆତଙ୍କବାଦୀମାନେ ଏହି ଜୀବନରେଖା ଉପରେ ସମନ୍ବିତ ବୋମା ଆକ୍ରମଣ ଚଳାଇ ଯେଉଁ ନରସଂହାର ରଚନା କରିଥିଲେ, ବମ୍ବେ ହାଇକୋର୍ଟ ସୋମବାର ଦିନ ପ୍ରଦାନ କରିଥିବା ଏକ ଅବିଶ୍ବାସ୍ୟ ରାୟ ପୁଣି ଥରେ ତାହାର ସ୍ମୃତିକୁ ଉଜ୍ଜୀବିତ କରି ସାରା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଛି।
ସକାଳେ ଓ ସନ୍ଧ୍ୟାରେ ଲୋକମାନେ କର୍ମସ୍ଥଳୀକୁ ଯାଉଥିବା ଓ ଫେରୁଥିବା ବେଳେ ଏହି ଟ୍ରେନ୍‌ମାନଙ୍କରେ ଯେଉଁ ଅସମ୍ଭାଳ ଭିଡ଼ ହୁଏ, ତାହା ଲୋକକଥାରେ ପରିଣତ ହୋଇଛି। ସେଦିନ ଏହିପରି ଏକ ସମୟରେ, ସନ୍ଧ୍ୟା ୬.୨୪ରୁ ୬.୨୮ ମଧ୍ୟରେ ୱେଷ୍ଟର୍ନ ରେଲ୍‌ୱେ ଲାଇନ୍‌ର ଲୋକାଲ୍ ଟ୍ରେନ୍‌ମାନଙ୍କରେ ପ୍ରଥମଶ୍ରେଣୀ କମ୍ପାର୍ଟମେଣ୍ଟମାନଙ୍କରେ ସାତଟି ଅତ୍ୟନ୍ତ ଶକ୍ତିଶାଳୀ ‌ବିସ୍ଫୋରଣ ଘଟିଲା। ଯେଉଁସବୁ ବ୍ୟସ୍ତବହୁଳ ଷ୍ଟେସନମାନଙ୍କରେ କିମ୍ବା ସନ୍ନିକଟରେ ଏହି ବିିସ୍ଫୋରଣମାନ ଘଟିଲା, ସେଗୁଡ଼ିକ ହେଲେ ମାଟୁଙ୍ଗା ରୋଡ୍, ମାହିମ୍, ବାନ୍ଦ୍ରା, ଖାର୍, ଜୋଗେଶ୍ବରୀ, ବୋରିଭାଲି ଓ ମୀରା ରୋଡ୍। କୋର୍ଟ ଡକୁମେଣ୍ଟ ଅନୁସାରେ ବିସ୍ଫୋରଣରେ ବ୍ୟବହୃତ ବୋମାଗୁଡ଼ିକୁ ପ୍ରେସର୍ କୁକର୍‌ରେ ଭର୍ତ୍ତିକରି ରଖାଯାଇଥିଲା। ସେଇ ପ୍ରେସର୍‌ କୁକର୍‌ଗୁଡ଼ିକୁ କଳା ରଙ୍ଗର ରେକ୍‌ସିନ୍ ବ୍ୟାଗ୍‌ମାନଙ୍କରେ ଭର୍ତ୍ତି କରାଯାଇ ପ୍ରଥମଶ୍ରେଣୀ କମ୍ପାର୍ଟମେଣ୍ଟମାନଙ୍କର ଲଗେଜ୍‌ ରୢାକରେ ଥୋଇ ଦିଆଯାଇଥିଲା, ଯେମିତି ତାହା କାହାରି ସନ୍ଦିଗ୍‌ଧ ଦୃଷ୍ଟି ଆକର୍ଷଣ ନ କରେ। ପ୍ରେସର୍ କୁକର୍‌ ଭିତରେ ଥିବା ବିସ୍ଫୋରକ ପଦାର୍ଥ ଥିଲା ଆର୍‌ଡିଏକ୍‌ସ ଓ ଆମୋନିଅମ୍ ନାଇଟ୍ରେଟ୍‌ର ମିଶ୍ରଣ, ଏବଂ ବିସ୍ଫୋରଣଜନିତ କ୍ଷତିକୁ ସର୍ବାଧିକ ସମ୍ଭବ ଘାତକ କରିବା ଉଦ୍ଦେଶ୍ୟରେ ସେଥିରେ ବଲ୍ ବେଅରିଙ୍ଗମାନ ଭର୍ତ୍ତି କରି ଦିଆଯାଇଥିଲା। ସାତଟି ବିକ୍ଷିପ୍ତ ସ୍ଥାନମାନଙ୍କରେ ବିସ୍ଫୋରଣମାନଙ୍କ ମଧ୍ୟରେ ତାଳମେଳ ରଖିବା ଉଦ୍ଦେଶ୍ୟରେ ଟାଇମର୍ ଯନ୍ତ୍ରମାନ ଖଞ୍ଜା ଯାଇଥିଲା।
ଯେତେବେଳେ ମାତ୍ର ପ୍ରାୟ ପାଞ୍ଚ ମିନିଟ୍ ମଧ୍ୟରେ ଏହି ସାତଟିଯାକ ବିସ୍ଫୋରଣ ମୁମ୍ବାଇର ଏହି ରେଳ ବ୍ୟବସ୍ଥାକୁ ବିଦୀର୍ଣ୍ଣ କରିଦେଲା, ତାହା ଯେଉଁ ଧ୍ବଂସଲୀଳା ରଚନା କଲା, ସେଥିରେ ୧୮୯ ଜଣ ନିରୀହ ‌ରେଳଯାତ୍ରୀ ପ୍ରାଣ ହରାଇବା ସହିତ ୮୨୯ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅନେକ ବିକଳାଙ୍ଗ ଅବସ୍ଥାରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଇହଧାମ ତ୍ୟାଗ କରିସାରିଲେଣି। ବିସ୍ଫୋରଣ ପରେ ପରେ ରକ୍ତରଞ୍ଜିତ ପ୍ଲାଟ୍‌ଫର୍ମମାନଙ୍କରେ ଯେଉଁଭଳି ରେଳଡବାଗୁଡ଼ିକର ଭଗ୍ନାବଶେଷ ସହିତ ନର ମାଂସ, ହାଡ଼ ଛିନ୍ନଭିନ୍ନ ହୋଇ ଚତୁର୍ଦ୍ଦିଗରେ ଖେଳାଇ ହୋଇ ପଡ଼ିରହିଥିଲା, ତାହା କୌଣସି ଯୁଦ୍ଧକ୍ଷେତ୍ର ଠାରୁ ମଧ୍ୟ ଅାହୁରି ଭୟାନକ ଦୃଶ୍ୟ ସୃଷ୍ଟି କରୁଥିଲା।
ଏହି ବିସ୍ଫୋରଣର ଆକାର ଓ ସେଗୁଡ଼ିକର ସୂକ୍ଷ୍ମ ସଂଯୋଜନା କାହାରି ମନରେ ସାମାନ୍ୟତମ ସନ୍ଦେହର ଅବକାଶ ରଖି ନ ଥିଲା ଯେ ଏହା ହେଉଛି ଏକ ସୁଚିନ୍ତିତ ଚକ୍ରାନ୍ତର ଫଳ। ବିସ୍ଫୋରଣ‌ର ପରଦିନ ହିଁ ମହାରାଷ୍ଟ୍ରର ଆତଙ୍କବାଦ ବିରୋଧୀ ସଂସ୍ଥା ‘ଆଣ୍ଟି ଟେରରିଜ୍‌ମ ସ୍କ୍ବାଡ୍’ (‘ଏଟିଏସ୍’) ଅନୁସନ୍ଧାନର ଦାୟିତ୍ବ ଗ୍ରହଣ କରିଥିଲା। ଯେଉଁଭଳି ଯତ୍ନର ସହିତ ବିସ୍ଫୋରଣ ସ୍ଥଳୀମାନଙ୍କୁ ଚୟନ କରାଯାଇଥିଲା ଏବଂ ବୋମାଗୁଡ଼ିକୁ ଖଞ୍ଜା ଯାଇଥିଲା, ତାହା ଅତ୍ୟନ୍ତ ଯତ୍ନ ସହକାରେ ଏହାର ରଚୟିତାମାନେ ଏଥିପାଇଁ କରିଥିବା ଟିକିନିଖି ଯୋଜନା ସମ୍ବନ୍ଧରେ ସୂଚନା ଦେଇଥାଏ।
‘ଏଟିଏସ୍’ ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଅନୁସନ୍ଧାନ ଆରମ୍ଭ କଲା ପରେ ବିସ୍ଫୋରଣ ସ୍ଥଳୀମାନଙ୍କର ଫୋରେନ୍‌ସିକ୍ ପରୀକ୍ଷାରୁ ଆରମ୍ଭ କରି, ବିସ୍ଫୋରକ ପଦାର୍ଥ ସବୁ ଜବତ କରିବା ଓ ବିସ୍ଫୋରଣ ପରବର୍ତ୍ତୀ ଅବଶିଷ୍ଟାଂଶମାନଙ୍କର ଅନୁଶୀଳନ ପର୍ଯ୍ୟନ୍ତ ଅନୁସନ୍ଧାନରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଅନୁସନ୍ଧାନର ଫଳସ୍ବରୂପ ସମୟ କ୍ରମେ ୧୩ ଜଣ ସନ୍ଦିଗ୍‌ଧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହାରାଷ୍ଟ୍ର ଓ ପଡ଼ୋଶୀ ରାଜ୍ୟମାନଙ୍କର ବାସିନ୍ଦା। ସେମାନଙ୍କ ମଧ୍ୟରୁ ଅନେକ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ‘ଷ୍ଟୁଡେଣ୍ଟସ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍ ଇଣ୍ଡିଆ’ (‘ସିମି’)ର ସଦସ୍ୟ ବୋଲି ସୂଚନା ପ୍ରକାଶ ପାଇଛି, ଯେଉଁମାନଙ୍କର ମଧ୍ୟ ପାକିସ୍ତାନସ୍ଥିତ ‘ଲସ୍କର-ଏ-ତଇବା’ (‘ଏଲ୍‌ଇଟି’) ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ରହିଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ରର ‘ଏମ୍‌କୋକା’ କୋର୍ଟରେ ନଭେମ୍ବର ୨୦୦୬ରେ ‘ଏଟିଏସ୍’ ଦ୍ବାରା ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ‘ଇଣ୍ଡିଆନ୍ ପେନାଲ୍ କୋଡ୍’ (‘ଆଇପିସି’)ରୁ ଆରମ୍ଭ କରି, ‘ଦି ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜ୍‌ଡ କ୍ରାଇମ୍ ଆକ୍‌ଟ’ (‘ଏମ୍‌କୋକା’), ‘ଦି ଅନ୍‌ଲଫୁଲ୍ ଆକ୍‌ଟିଭିଟିଜ୍ ପ୍ରିଭେନ୍‌ସନ୍ ଅାକ୍‌ଟ’ (‘ୟୁଏପିଏ’), ‘ଦି ଏକ୍‌ସପ୍ଲୋସିଭ୍‌ସ ଆକ୍‌ଟ’, ‘ଦି ରେଲ୍‌ୱେଜ୍ ଆକ୍‌ଟ’ ଏବଂ ‘ଦି ପାସ୍‌ପୋର୍ଟ ଆକ୍‌ଟ’ ପର୍ଯ୍ୟନ୍ତ ଅନୁସାରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯାଇଥିଲା। ପ୍ରାୟ ଦଶ ବର୍ଷ ଧରି ଶୁଣାଣି ଚାଲିବା ପରେ ଅଦାଲତ ଶେଷରେ ୨୦୧୫ ସେପ୍‌ଟେମ୍ବର ୧୧ରେ ରାୟ ଶୁଣାଇଥିଲେ।
ଶୁଣାଣି ସମୟରେ ଅଦାଲତ ୧୯୨ ଜଣ ସାକ୍ଷୀଙ୍କ ଠାରୁ ଆରମ୍ଭ କରି ମେଡିକାଲ ଅଫିସର, ଫୋରେନ୍‌ସିକ୍ ବିଶେଷଜ୍ଞ ଓ ‘ଏଟିଏସ୍’ ଅଫିସର୍‌ସମାନଙ୍କୁ ପରୀକ୍ଷା କରିଥିଲେ। ସରକାରୀ ପକ୍ଷ ଅଭିଯୋଗ କରିଥିଲେ ଯେ ୭/୧୧ ବୋମା ବିସ୍ଫୋରଣ ପଛରେ ଥିବା ଚକ୍ରାନ୍ତ ‘ସିମି’ ଓ ‘ଏଲ୍‌ଇଟି’ ଦ୍ବାରା ପାକିସ୍ତାନରେ ରଚିତ ହୋଇଥିଲା। ଆତଙ୍କବାଦୀମାନେ ଏଥିପାଇଁ ପାକ୍-ଅଧିକୃତ କାଶ୍ମୀରରେ ତାଲିମ ନେଇଥିଲେ ବୋଲି ଅଦାଲତ ଉଲ୍ଲେଖ କରିଥିଲେ। କୋର୍ଟ ତାଙ୍କର ରାୟ ପ୍ରଦାନ କରି ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ପ୍ରାଣଦଣ୍ଡ ଓ ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡ ନିମିତ୍ତ ଆଦେଶ ପ୍ରଦାନ କରାଯାଇଥିଲା।
ବର୍ତ୍ତମାନ ସେଇ ଆଦେଶର ଦଶ ବର୍ଷ ପ‌ରେ ବମ୍ବେ ହାଇକୋର୍ଟ ଉଭୟ ଅନୁସନ୍ଧାନ ସଂସ୍ଥା ‘ଏଟିଏସ୍’ ଓ ସଂପୃକ୍ତ ଅଦାଲତଙ୍କ କାର୍ଯ୍ୟ ପଦ୍ଧତିର ତୀବ୍ର ସମାଲୋଚନା କରି ସେ ସମସ୍ତ ୧୨ ଜଣଯାକ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦେଇଛନ୍ତି। ହାଇକୋର୍ଟ ଏଭଳି ଏକ ଉଦାର ଆଭିମୁଖ୍ୟ ଗ୍ରହଣ କରିବାର ମୁଖ୍ୟ କାରଣ ହେଉଛି, କୋର୍ଟଙ୍କ ବିଚାରରେ ସଂପୃକ୍ତ ସାକ୍ଷୀମାନଙ୍କର ବୟାନ ବିଶ୍ବାସଯୋଗ୍ୟ ନୁହେଁ।
ଆଇନର ଏହି ଖେଳରେ କେଉଁ ଅଦାଲତ ଠିକ୍ ତାହା ୨୦୦୬ରେ ସେ ଆତଙ୍କବାଦୀ ବିଭୀଷିକାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କ ପକ୍ଷରେ ବୁଝିବା ସମ୍ଭବ ନୁହେଁ। ତେବେ ସେମାନେ କେବଳ ଏତିକି ବୁଝିବେ ଯେ ଆଇନର ଏହି ଖେଳ ଉଚ୍ଚ ଅଦାଲତ ଓ ନିମ୍ନ ଅଦାଲତ ମଧ୍ୟରେ କିମ୍ବା ଉଭୟ ପକ୍ଷର ଓକିଲମାନଙ୍କ ମଧ୍ୟରେ ଚାଲିଥିବା ଭଳି ମନେ ହେଉଥିଲେ ହେଁ, ଏହି ଖେଳରେ ଯେଉଁମାନେ ପ୍ରକୃତରେ ଶୋଚନୀୟ ଭାବରେ ପରାସ୍ତ ହୋଇଛନ୍ତି, ସେମା‌େନ ହେଉଛନ୍ତି ନିଜେ ସେହି ହତଭାଗ୍ୟମାନେ, ଯେଉଁମାନେ ସେଇ ବର୍ବର କାଣ୍ଡର ରଚୟିତାମାନେ ଦଣ୍ଡ ପାଇବା ଦେଖିବା ପାଇଁ ଦୀର୍ଘ ଦୁଇ ଦଶନ୍ଧି ହେଲା ଅପେକ୍ଷା କରି ରହିଛନ୍ତି। ବମ୍ବେ ହାଇକୋର୍ଟଙ୍କର ରାୟ ଦେଖି ସେମାନଙ୍କ ମନରେ ଏକ ଧାରଣା ସୃଷ୍ଟି ହେଉଥିବ, ସତେ ଯେମିତି ଆମ ନ୍ୟାୟ ବ୍ୟବସ୍ଥା ଦୃଷ୍ଟିରେ ସେଦିନ ରେଳଗାଡ଼ିଗୁଡ଼ିକରେ ବିସ୍ଫୋରଣମାନ ଆପେ ଆପେ ଘଟିଥିଲା, କେହି ସେଗୁଡ଼ିକୁ ଘଟାଇ ନ ଥିଲେ। ଠିକ୍ ଯେମିତି ବମ୍ବେ ହାଇକୋର୍ଟ ତଳ କୋର୍ଟର ରାୟକୁ ଖାରଜ କରି ମାତାଲ ଗାଡ଼ି ଚାଳନାଜନିତ ନରହତ୍ୟା ଅଭିଯୋଗରୁ ଚିତ୍ରତାରକା ସଲମାନ ଖାନଙ୍କୁ ମୁକ୍ତ କରିଦେବା ପରେ ଏକ ଜୋକ୍ ପ୍ରସାର ଲାଭ କରିଥିଲା ଯେ ସେ ଗାଡ଼ି କେହି ଚଳାଉ ନ ଥିଲା, ତାହା ଥିଲା ପୃଥିବୀର ସର୍ବପ୍ରଥମ ଚାଳକବିହୀନ ଗାଡ଼ି!