ଗାନ୍ଧୀ ଭଗୀରଥ

ବିଜୟ ନାୟକ

“ଗାନ୍ଧୀ ଭଗୀରଥ ନିଜ ପୁଣ୍ୟ ବଳେ,
ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ”

ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଏହି ପଂକ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନ ଏବଂ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ଉନ୍ମେଷର ସଂକେତ ବହନ କରେ। ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହେବା ପର ଠାରୁ ମଧୁବାବୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କଂଗ୍ରେସର ବିଭିନ୍ନ ଅଧିବେଶନରେ ଯୋଗଦାନ କରୁଥିଲେ ବି ଓଡ଼ିଶାରେ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇ ନ ଥିଲା। କଂଗ୍ରେସର ଜାତୀୟ ମଞ୍ଚରେ ଆଞ୍ଚଳିକ ପ୍ରସଙ୍ଗ ଆଲୋଚିତ ହୋଇପାରିବ ନାହିଁ ବୋଲି ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ଉତ୍ତରରେ କ୍ଷୁବ୍‌ଧ ମଧୁବାବୁ କଂଗ୍ରେସରୁ ସଂପର୍କ ଛିନ୍ନ କରି ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ଏବଂ ତା’ ମାଧ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଦାବି ଉତ୍‌ଥାପିତ କରୁଥିଲେ। ଜାତୀୟ କଂଗ୍ରେସରେ ଓଡ଼ିଶାର ସ୍ୱତନ୍ତ୍ର ପ୍ରତିନିଧିତ୍ୱ ନ ଥିଲା। ଗୋପବନ୍ଧୁଙ୍କ ଭାଷାରେ, “ଭାରତ ଜାତୀୟ ମହାସମ୍ମିଳନେ, ନ ବସେ ଉତ୍କଳ ସ୍ୱତନ୍ତ୍ର ଆସନେ।” ଗାନ୍ଧୀଙ୍କ ପରାମର୍ଶ କ୍ରମେ କଂଗ୍ରେସ ଭାଷାଭିତ୍ତିକ ରାଜ୍ୟକୁ ସ୍ୱୀକୃତି ଦେବା ପରେ ଓଡ଼ିଶାରେ ପ୍ରାଦେଶିକ କଂଗ୍ରେସ କମିଟି ଗଠନର ବାଟ ଫିଟିଲା।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଅବ୍ୟବହିତ ପୂର୍ବରୁ ବିଧିବଦ୍ଧ ଭାବରେ ଓଡ଼ିଶା କଂଗ୍ରେସ କମିଟି ଗଠିତ ହୋଇଥିଲା ଯାହାର ସଭାପତି ହୋଇଥିଲେ ଗୋପବନ୍ଧୁ ଏବଂ ଏକ୍ରାମ୍ ରସୁଲ ଓ ଭାଗୀରଥି ମହାପାତ୍ର ଯଥାକ୍ରମେ ଉପସଭାପତି ଓ ସଂପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। କମିଟିର ଅନ୍ୟ ସଦସ୍ୟମାନେ ଥିଲେ ହରେକୃଷ୍ଣ ମହତାବ, ନିରଞ୍ଜନ ପଟ୍ଟନାୟକ ଓ ଜଗବନ୍ଧୁ ସିଂହ। ଏହା ୧୯୨୧ ମସିହା ମାର୍ଚ୍ଚ ମାସ ୧୩ ତାରିଖର କଥା। ଓଡ଼ିଶା କଂଗ୍ରେସ କମିଟିର ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ ମାର୍ଚ୍ଚ ୨୩ ତାରିଖ ବଡ଼ି ସକାଳୁ ହାୱଡ଼ା-ପୁରୀ ଟ୍ରେନ୍‌ରେ ଆସି କଟକରେ ପଦାର୍ପଣ କରିଥିଲେ। ତାଙ୍କ ସାଙ୍ଗରେ କସ୍ତୁରବା ଏବଂ ସାନପୁଅ ଦେବଦାସ ମଧ୍ୟ ଆସିଥିଲେ।

ସେହି ଦିନଟି ଥିଲା ଦୋଳପୂର୍ଣ୍ଣିମା। ନୂଆ ପ୍ରକାର ଦୋଳ ଗୋଳ ଲାଗିଥିଲା କଟକରେ। କଟକ ରେଳ ଷ୍ଟେସନ୍‌ରୁ ପଟୁଆର ଲମ୍ବିଥିଲା ସ୍ୱରାଜ୍ୟ ଆଶ୍ରମ ପର୍ଯ୍ୟନ୍ତ। ଭାରତ ମାତା କୀ ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଧ୍ୱନିରେ ଗଗନପବନ ପ୍ରକଂପିତ ହେଉଥିଲା। ଶଙ୍ଖ, ଘଣ୍ଟ, ମୃଦଙ୍ଗ ସାଙ୍ଗକୁ ହୁଳହୁଳି ଶବ୍ଦରେ ଉଛୁଳୁଥିଲା କଟକର ଗଳି ଉପଗଳି। ଏହା ଥିଲା ଓଡ଼ିଶାରେ ଏକ ନବଯୁଗର ଆରମ୍ଭ। ସଂଧ୍ୟାରେ କାଠଯୋଡ଼ି ନଈ ବାଲିରେ ହୋଇଥିଲା ବିରାଟ ସାଧାରଣ ସଭା। ସେ କାଳରେ ପଚାଶ ହଜାର ଲୋକ ରୁଣ୍ଡ ହୋଇଥିଲେ ସଭା ସ୍ଥଳୀରେ। ସେଥର ଗାନ୍ଧୀ ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଏବଂ ବ୍ରହ୍ମପୁର ମଧ୍ୟ ଯାତ୍ରା କରିଥିଲେ। କଟକରେ ସାଧାରଣ ସଭା ବ୍ୟତୀତ ଅନ୍ୟ ଏକାଧିକ ବୈଠକରେ ସେ ଯୋଗ ଦେଇଥିଲେ। ବିଦେଶୀ ଲୁଗା, ବିଦେଶୀ ଭାଷା ଆଦି ପଞ୍ଚ-ବର୍ଜନ କଥା ଗାନ୍ଧୀଜୀ କଟକରେ କହିଥିଲେ; ମାତୃଭାଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ। ଭଦ୍ରକ ସଭାରେ ବ୍ରିଟିସ୍‌ ସରକାରଙ୍କୁ ‘ସୈତାନ୍‌’ ଆଖ୍ୟା ଦେଇଥିଲେ ଗାନ୍ଧୀଜୀ। ସାକ୍ଷୀଗୋପାଳରେ ବନ ବିଦ୍ୟାଳୟ ପରିଦର୍ଶନ କରି ସେ ମୁଗ୍‌ଧ ହୋଇଥିଲେ। ପୁରୀରେ ଗାନ୍ଧୀଙ୍କ ଆଗମନରେ ଅଦିନ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା। ଓଡ଼ିଶା ପରିପ୍ରେକ୍ଷୀରେ ତାଙ୍କ ବ୍ରହ୍ମପୁର ଭାଷଣଟି ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ମହାପ୍ରଦେଶ ଅଧୀନରେ ଥିଲା। ଭାଷାଭିତ୍ତିକ ପ୍ରଦେଶ ଗଠନର ଦାବିକୁ ସମର୍ଥନ କରି ଓଡ଼ିଶାର ଅଭିଯୋଗକୁ ‘ନ୍ୟାଯ୍ୟ’ ବୋଲି ଅଭିହିତ କରିଥିଲେ ମହାତ୍ମା ଗାନ୍ଧୀ।
ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡ଼ିଶାରେ ସର୍ବପ୍ରଥମେ ଜନ ଜାଗରଣ ଆଣିଥିଲେ ମଧୁବାବୁ। ଗାନ୍ଧୀ ଆଗମନ ପରେ ଜନ ଜାଗରଣ ଜାତୀୟ ଜାଗରଣରେ ପରିଣତ ହୋଇଥିଲା; ସର୍ବଭାରତୀୟ ଚେତନା ପ୍ରବାହରେ ପୁଲକିତ ହୋଇଥିଲା ସାରା ଓଡ଼ିଶା। ଓଡ଼ିଆ ଜାତୀୟତାରେ ସିକ୍ତ ଉତ୍କଳବାସୀ ଭାରତୀୟ ମହାଜାତୀୟତା ଆଡ଼କୁ ଉନ୍ମୁଖ ହେଲେ। ଅସହଯୋଗର ବାର୍ତ୍ତା ପୁରପଲ୍ଲୀରେ ପହଞ୍ଚିଲା। ଆବାଳବୃଦ୍ଧବନିତା ଭାରତ ବନ୍ଦନାରେ ମୁଖର ହେଲେ। ସେହି କଥା ଗୋପବନ୍ଧୁ ଲେଖିଛନ୍ତି କବିତାରେ, “ଅସହଯୋଗର ପବିତ୍ର ସରିତ, ଉତ୍କଳର ବକ୍ଷେ ହେଲା ପ୍ରବାହିତ। x x x ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତଧାରେ, ବହେ ପୁରପଲ୍ଲୀ କାନ୍ତାରେ ପ୍ରାନ୍ତରେ।”

୧୯୨୫ ମସିହାରେ ମଧୁବାବୁଙ୍କ ନିମନ୍ତ୍ରଣକ୍ରମେ ମହାତ୍ମା ଉତ୍କଳ ଟ୍ୟାନେରି ପରିଦର୍ଶନରେ କଟକ ଆସିଥିଲେ। କିନ୍ତୁ ୧୯୨୭ ମସିହାରେ ସେ ଓଡ଼ିଶାରେ ତୋଫାନୀ ଗସ୍ତ କରିଥିଲେ ଯାହା ଖଦି ଗସ୍ତ ଭାବରେ ଜଣାଶୁଣା। ପାରଳାରୁ ଏହି ଯାତ୍ରା ଆରମ୍ଭ ହୋଇ ପୁରୀ-ବାଲେଶ୍ୱର-ଭଦ୍ରକ ଦେଇ କଟକରେ ଶେଷ ହୋଇଥିଲା। ୧୯୨୮ ମସିହାରେ ବମ୍ବେରୁ କଲିକତା ଟ୍ରେନ୍‌ରେ ଯିବା ବାଟରେ ସେ ଝାରସୁଗୁଡ଼ାରେ ଓହ୍ଲାଇ ସମ୍ବଲପୁରରେ ସଭା କରିଥିଲେ। ତା’ପରେ ୧୯୩୪ ମସିହାରେ ସେ ଓଡ଼ିଶାରେ ହରିଜନ ପଦଯାତ୍ରା କରିଥିଲେ। ଟ୍ରେନ୍ ଯୋଗେ ଝାରସୁଗୁଡ଼ାରୁ ଆସି ବାମୁର, ଅନୁଗୁଳ, କଟକ ହୋଇ ପୁରୀରେ ପହଞ୍ଚିଥିଲେ ଗାନ୍ଧୀଜୀ। ପୁରୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ସିଂହଦ୍ୱାରରୁ ପଦଯାତ୍ରା ଆରମ୍ଭ କରିଥିଲେ। ଦୁଇ ପର୍ଯ୍ୟାୟର ଏହି ଯାତ୍ରା ଭଦ୍ରକରେ ସମାପ୍ତ ହୋଇଥିଲା। ୧୯୩୮ ମସିହାରେ ଗାନ୍ଧୀଜୀ ବେରବୋଇ ଠାରେ ଅନୁଷ୍ଠିତ ଗାନ୍ଧୀ ସେବାସଂଘର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିଲେ। ସେଠାରେ ସେ ସାତ ଦିନ ଅବସ୍ଥାନ କରିଥିଲେ। ତାଙ୍କ ଶେଷ ଓଡ଼ିଶା ଆଗମନ ୧୯୪୬ ମସିହାରେ। ଗୌହାଟୀରୁ ମାନ୍ଦ୍ରାଜ ରେଳଯାତ୍ରା ସମୟରେ ସେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁରରେ ଅଟକି ଉତ୍କଳବାସୀଙ୍କୁ ତାଙ୍କ ମନ କଥା କହିଥିଲେ।

ମହାତ୍ମା ଗାନ୍ଧୀ ମୋଟ ଆଠ ଥର ଓଡ଼ିଶା ଆସିଥିଲେ ଏବଂ ଓଡ଼ିଶାରେ ୬୯ ଦିନ ଅତିବାହିତ କରିଥିଲେ। ବାରମ୍ବାର ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ଯୋଗୁଁ ସାରା ରାଜ୍ୟରେ ସ୍ୱାଧୀନତା ସଂଗ୍ରାମ ତୀବ୍ର ହୋଇଥିଲା। ରାଜ୍ୟରେ ଯୁବ ଓ ନାରୀ ନେତୃତ୍ୱ ସୃଷ୍ଟି ହୋଇଥିଲା। ଅପେକ୍ଷାକୃତ ବିଳମ୍ବରେ ଆରମ୍ଭ ହୋଇଥିବା ସଂଗ୍ରାମ ଅବିଳମ୍ବେ ବ୍ୟାପକ ହୋଇଥିଲା ଓଡ଼ିଶାରେ। ଓଡ଼ିଆ କର୍ମୀଙ୍କ ଉତ୍ସାହ ଓ କର୍ମପ୍ରବଣତା ମହାତ୍ମା ଗାନ୍ଧୀ ଓ ଅନ୍ୟ ସର୍ବଭାରତୀୟ ନେତାଙ୍କ ପ୍ରଶଂସାଭାଜନ ହୋଇଥିଲା। ଇଞ୍ଚୁଡ଼ି, ଇରମ ଠାରୁ ହୁମ୍ମା ପର୍ଯ୍ୟନ୍ତ ଓଡ଼ିଶାର ବିସ୍ତୃତ ବେଳାଭୂମିରେ ଲବଣ ସତ୍ୟାଗ୍ରହ ନିଷ୍ଠାର ସହିତ ଆୟୋଜନ କରାଯାଇଥିଲା। ଏହି ସତ୍ୟାଗ୍ରହ ସମୟରେ ଅନ୍ୟମାନଙ୍କ ସହିତ ଦୁଇ ନେତ୍ରୀ- ରମାଦେବୀ ଓ ସରଳାଦେବୀ ମଧ୍ୟ ଗିରଫ ହୋଇଥିଲେ। ମହାତ୍ମା ଗାନ୍ଧୀ ନିଜେ ଗୁଜରାଟର ଦାଣ୍ଡି ଠାରେ ଲବଣ ଆଇନ ଅମାନ୍ୟ କରିଥିଲେ। ଲବଣ ସତ୍ୟାଗ୍ରହ କ୍ଷେତ୍ରରେ ଗୁଜରାଟ ତଳକୁ ଓଡ଼ିଶାର ସ୍ଥାନ ଥିଲା ଦ୍ୱିତୀୟ। ଏହା ସେତେବେଳେ ଥିଲା ଚର୍ଚ୍ଚାର ବିଷୟ। ଏହା ଦେଖିବାକୁ ଗୋପବନ୍ଧୁ ଯାହା ସ୍ୱଦେହରେ ନ ଥିଲେ!

ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରାର ଭଲ ପ୍ରଭାବ ପଡ଼ିଥିଲା ଓଡ଼ିଶାରେ। ଓଡ଼ିଶା ତ କାଳେକାଳେ ଏକ ଉଦାର ଇଲାକା। ପୁରୀରେ ଜାତି ନ ଥିବା କଥା କାହାକୁ ବା ଅଜଣା? ଗାନ୍ଧୀ ପ୍ରଭାବରେ ସେ କାଳରେ ଓଡ଼ିଶାରେ ଅନେକତ୍ର ହରିଜନ-ସବର୍ଣ୍ଣ ବିବାହ ଅନୁଷ୍ଠିତ ହୋଇଥିଲା। ପଂକ୍ତିଭୋଜନ ଥିଲା ଏକ ସାଧାରଣ ଘଟଣା। ସେହିପରି ଓଡ଼ିଶାରେ ‘ଭାରତ ଛାଡ଼’ ଆନ୍ଦୋଳନର ତୀବ୍ରତା ଥିଲା ଅସାମାନ୍ୟ। ମହାତ୍ମା ଗାନ୍ଧୀ ପ୍ରମୁଖ ତୁଙ୍ଗନେତାମାନଙ୍କ ଗିରଫଦାରି ପରେ ନେତାଶୂନ୍ୟ ଭାରତ ଦିଶାଶୂନ୍ୟ ହୋଇପଡ଼ିଥିଲା। ଦେଶସାରା ହିଂସାର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଗାନ୍ଧୀ ପନ୍ଥାର ପ୍ରତିକୂଳ ଥିଲା ଅବଶ୍ୟ। କିନ୍ତୁ ଏଥିରେ ସାଧାରଣ ଲୋକଙ୍କର ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଲକ୍ଷ୍ୟ କରିବା କଥା। ଓଡ଼ିଶାରେ ମାଥିଲି, ପାପଡ଼ାହାଣ୍ଡି ଠାରୁ ଲୁଣିଆ ଓ ଇରମ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟି ଅନେକ ଲୋକ ସହିଦ ହୋଇଥିଲେ। ଥାନା ଓ ଅସ୍ତ୍ରାଗାର ପୋଡ଼ି ପରି ଅଭୂତପୂର୍ବ ଘଟଣାମାନ ଘଟିଥିଲା ଓଡ଼ିଶାରେ।

ଗାନ୍ଧୀଙ୍କ ଓଡ଼ିଶା ଆଗମନ ଓଡ଼ିଆ କାବ୍ୟ କବିତାକୁ କିଛି କମ୍ ପ୍ରଚୋଦିତ କରିନାହିଁ। ୧୯୨୧ ମସିହା ପୂର୍ବରୁ ‘ଭାରତ-ଗୀତିକା’ (ସର୍ବେଷାଂନୋ ଜନନୀ ଭାରତ), ‘ତୁହିମା ଜନମ ଭୂମି, ପବିତ୍ର ଭାରତ ଭୂମି’ ଓ ‘ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ସ୍ୱାର୍ଥକୁ ଦିଅ ଆହୁତି’ ଭଳି କବିତା ରଚିତ ହୋଇସାରିଥିଲା। କିନ୍ତୁ ଗାନ୍ଧୀଙ୍କ ସ୍ୱଦେଶ ଓ ସ୍ୱଦେଶୀ ବାର୍ତ୍ତା କବିତା ମାଧ୍ୟମରେ ଓଡ଼ିଶାର ସର୍ବତ୍ର ପହଞ୍ଚାଇବାକୁ ଆଗଭର ହୋଇଥିଲେ ଗୋପବନ୍ଧୁ। ତାଙ୍କ ‘ବନ୍ଦୀର ଆତ୍ମକଥା’ ଓ ‘କାରାକବିତା’ ସ୍ୱଦେଶ ପ୍ରୀତିର ସ୍ନିଗ୍‌ଧ ରାଗିଣୀ। ବାଂଛାନିଧିଙ୍କ ‘ମହାତ୍ମା ମୋହନ ଦାସ ଦ୍ୱରକା ପୁରରେ ବାସ’ ବା ବୀରକିଶୋରଙ୍କ ‘ଦେଶପୀରତି ବଡ଼ ଗହନ କଥା, ମଧୁରୁ ମଧୁର ଆକାଶରୁ ଦୂର ମରଣରୁ ବଳି ପରାଣ ବ୍ୟଥା’ ବା ଗୋଦାବରୀଶଙ୍କ ‘ଉପବାସେ ନିଶି ଯାପିଲେ ଭାରତ ମୁକୁଟବିହୀନ ନାହା’ ଆଦି ଭଳି ଅଗଣିତ ଦେଶାତ୍ମବୋଧକ ଗୀତର ମୂର୍ଚ୍ଛନାରେ ଓଡ଼ିଶାର ଦିଗଦିଗନ୍ତ ହୋଇଥିଲା ମୁଖରିତ। ଗାନ୍ଧୀ, ଭଗୀରଥଙ୍କ ପରି ଓଡ଼ିଶାରେ ମହାଜାତୀୟତାର ଗଙ୍ଗା ପ୍ରବାହିତ କରାଇଥିଲେ। ଗୋପବନ୍ଧୁଙ୍କ ଏମନ୍ତ ଉକ୍ତିର ପଟାନ୍ତର ନାହିଁ।
(ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ)
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର