ପ୍ରଥମେ ଗାନ୍ଧୀଜୀଙ୍କୁ କିଏ ମହାତ୍ମା ବୋଲି ସମ୍ବୋଧନ କରିଥିଲେ, ଏଥିନେଇ କିଛି ପାରମ୍ପରିକ ଦାବି ସାମ୍ନାକୁ ଆସେ। ଗୋଟିଏ ଦାବିରେ ରୌଲାଟ୍‌ ସତ୍ୟାଗ୍ରହ ବେଳେ ଗାନ୍ଧୀଙ୍କୁ ଟାଗୋର ଲେଖିଥିବା ଏକ ଚିଠିର ଅବତାରଣା କରାଯାଏ ଯାହା ଏ ପର୍ଯ୍ୟନ୍ତ ଦୃଢ଼ଭାବେ ଗ୍ରହଣୀୟ ହୋଇ ରହିଛି। ୧୯୧୯ ମସିହା ଏପ୍ରିଲ ମାସ ୧୨ ତାରିଖରେ ଗାନ୍ଧୀଙ୍କୁ ପଠାଇଥିବା ଚିଠିରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ, ‘ଆଦରଣୀୟ ମହାତ୍ମାଜୀ, ଆପଣ ଠିକ୍ ସମୟରେ ଏବଂ ଦରକାର ବେଳେ ଏ ଦେଶକୁ ନେତୃତ୍ୱ ଦେବାକୁ ଚାଲି ଆସିଛନ୍ତି।’
ଟାଗୋରଙ୍କ ଏତାଦୃଶ ସମ୍ବୋଧନର ବହୁତ ପୂର୍ବରୁ ମୋହନଦାସ କରମଚାନ୍ଦ ଗାନ୍ଧୀ ଯେ ମହାତ୍ମା ହୋଇ ସାରିଥିଲେ, ଦକ୍ଷିଣ ଆଫ୍ରିକୀୟମାନେ ଦାବି କରନ୍ତି। ଆଫ୍ରିକାରେ ଗାନ୍ଧୀଙ୍କୁ ନିର୍ଯାତନା ନେଇ ପ୍ରଶ୍ନ କଲେ ସେମାନେ ଉତ୍ତର ଦିଅନ୍ତି, ଭାରତୀୟମାନେ ଦକ୍ଷିଣ ଆଫ୍ରିକାକୁ ଭାରତରେ ମହକିଲ ନଥିବା ଏକ ଓକିଲ ପଠାଇଥିଲେ; ଦକ୍ଷିଣ ଆଫ୍ରିକା ଭାରତୀୟଙ୍କୁ ମହାତ୍ମାଟିଏ ଦେଇଛି।
୧୯୧୪ ଅଗଷ୍ଟ ୨୧ ତାରିଖରେ ଜେନେରାଲ ସ୍ମଟସ୍ ଲେଖିଥିବା ଏକ ଚିଠିକୁ ଉଦ୍ଧାର କରାଯାଇ କୁହାଯାଏ, ଜେନେରାଲ ସ୍ମଟସ୍ ହିଁ ଗାନ୍ଧୀଙ୍କୁ ମହାତ୍ମା ବୋଲି ମାନିଥିଲେ। ଭାରତର ତତ୍କାଳୀନ ବଡ଼ଲାଟଙ୍କ ପ୍ରତିନିଧି ବେଞ୍ଜାମିନ୍ ରବର୍ଟସନ୍‌ଙ୍କୁ ଲେଖିଥିବା ଚିଠିରେ ସ୍ମଟସ୍ କହିଥିଲେ ‘ଗାନ୍ଧୀଙ୍କର ଅନେକ ସମସ୍ୟା ମୁଁ ସମାଧାନ କରି ଦେଇଛି। ପରିଣତି ଏତିକି ହୋଇଛି, ଗାନ୍ଧୀଙ୍କ ପରି ଜଣେ ସାଧୁ ମହାତ୍ମା ଦକ୍ଷିଣ ଆଫ୍ରିକା ଉପକୂଳ ଛାଡ଼ି ନିଜ ଦେଶକୁ ଫେରି ଯାଇଛନ୍ତି।’
ଦକ୍ଷିଣ ଆଫ୍ରିକାର ତତ୍କାଳୀନ ପ୍ରଚଣ୍ଡ କ୍ଷମତାଶାଳୀ ତଥା ଅହଙ୍କାରୀ ଗୃହମନ୍ତ୍ରୀ ଜେନେରାଲ ସ୍ମଟସ୍‌ଙ୍କ ପରି ଜଣେ କଠୋର ଶାସକ ଗାନ୍ଧୀଙ୍କୁ ସାଧୁ ମହାତ୍ମା କହିବା ଥିଲା ଆଶ୍ଚର୍ଯ୍ୟଜନକ।
ଉପରୋକ୍ତ ଦାବିଗୁଡ଼ିକର ବହୁତ ପୂର୍ବରୁ କିନ୍ତୁ ପ୍ରାଣଜୀବନ ମେହେଟା ଗାନ୍ଧୀଙ୍କୁ ମହାତ୍ମା ଉପାଧି ଦେଇ ସାରିଥିଲେ। ପ୍ରାଣଜୀବନ ଥିଲେ ଗାନ୍ଧୀଜୀଙ୍କର ପରମ ବନ୍ଧୁ। ୧୯୦୮ ମସିହାରେ ଗୋପାଳକୃଷ୍ଣ ଗୋଖଲେଙ୍କୁ ରେଙ୍ଗୁନରୁ ଦେଇଥିବା ଚିଠିରେ ସେ ଲେଖିଥିଲେ, ‘ପ୍ରିୟ ମହାଶୟ, ଗତ ଥର ମୁଁ ୟୁରୋପ ଗଲାବେଳେ ମିଷ୍ଟର ଗାନ୍ଧୀଙ୍କ ବିଷୟରେ ବହୁତ କିଛି ଜାଣିବାକୁ ପାଇଥିଲି। ମୁଁ ଗାନ୍ଧୀଙ୍କୁ ଦୀର୍ଘ କୋଡ଼ିଏ ବର୍ଷ ହେଲା ଦେଖି ଆସୁଛି ଏବଂ ଯେତେଥର ଦେଖୁଛି, ସେ ମୋତେ ପ୍ରତିଥର ଅଧିକ ନିଃସ୍ବାର୍ଥପର ଓ ପରିବର୍ତ୍ତିତ ଲାଗୁଛନ୍ତି। ବର୍ତ୍ତମାନ ସେ ଏକ ସାଧୁର ଜୀବନଯାପନ କରୁଛନ୍ତି। ସେ ବାସ୍ତବରେ ଜଣେ ‘ମହାତ୍ମା’ ଯିଏ ଦେଶ ସମ୍ପର୍କରେ ଅହରହ ଚିନ୍ତାରେ ହିଁ ଥାଆନ୍ତି।’
ଗାନ୍ଧୀଙ୍କୁ ‘ମହାତ୍ମା’ ସମ୍ବୋଧନର ଶ୍ରେୟ କିନ୍ତୁ ଟାଗୋରଙ୍କୁ ଦିଆଯାଏ। ସେ ଲେଖିଥିବା ଚିଠିର ବିଶ୍ଳେଷଣ ହୁଏ। କାରଣ ଟାଗୋର ଗାନ୍ଧୀଙ୍କୁ କାହିଁକି ପ୍ରଥମେ ମହାତ୍ମା ସମ୍ବୋଧନ କରିଥିଲେ ଏଥିରେ ତା’ର ଏକ ସ୍ପଷ୍ଟୀକରଣ ରହିଥିଲା। ୧୯୧୯ ମସିହାର ରବୀନ୍ଦ୍ରନାଥଙ୍କ ଚିଠି ଦୁଇ ଭାଗରେ ବିଭକ୍ତ। ପ୍ରଥମ ଭାଗରେ ଚିଠିର ଏକ ଉପକ୍ରମଣିକା ଥିଲା। ରୌଲାଟ୍‌ ସତ୍ୟାଗ୍ରହ ଏବଂ ଗାନ୍ଧୀଙ୍କ ନୈତିକ ନେତୃତ୍ୱ ନେଇ ସେଥିରେ ବର୍ଣ୍ଣନା ରହିଥିଲା ଏବଂ ଦ୍ବିତୀୟ ଭାଗରେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱକୁ ପ୍ରଶଂସା କରି ଟାଗୋରଙ୍କ ନିଜ ଲିଖିତ ଏକ କବିତା ସଂଶ୍ଳିଷ୍ଟ ହୋଇଥିଲା।
୧୯୧୯ ମସିହା ପ୍ରଥମାର୍ଦ୍ଧରେ ଇଂରେଜ ସରକାରଙ୍କ ରୌଲାଟ୍‌ ଆଇନ ବିରୋଧରେ ଗାନ୍ଧୀଜୀ ଏକ ଅହିଂସ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ପ୍ରଥମ ବିଶ୍ବଯୁଦ୍ଧ ପରେ ଭାରତରେ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଅଶାନ୍ତିକୁ ଦମନ କରିବାକୁ ଇଂରେଜ ସରକାର ରୌଲାଟ ଆଇନ ପରି ଏକ କଳା ଆଇନ ଆଣିଥିଲେ। ସାମାନ୍ୟ ସନ୍ଦେହରେ ଏବଂ ବିନା ସାକ୍ଷ୍ୟ ପ୍ରମାଣରେ ଜଣକୁ ଗିରଫ କରିବାର ଏଥିରେ ବ୍ୟବସ୍ଥା ଥିଲା।
ସରକାରଙ୍କୁ ସମାଲୋଚନା କରୁଥିବା ସମସ୍ତ ପୁସ୍ତକ ଏବଂ ଲେଖା ଉପରେ କଟକଣା ଥିଲା। ଏଇ ଆଇନର ବିରୋଧ ପାଇଁ ଗାନ୍ଧୀଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହ ସଭା ତିଆରି ହୋଇଥିଲା। ୧୯୧୯ ମସିହା ଏପ୍ରିଲ ୬ ତାରିଖରେ ଦେଶବ୍ୟାପୀ ଏକ ଚବିଶ ଘଣ୍ଟିଆ ଅନଶନ ଓ ହରତାଳ ହୋଇଥିଲା। ଅସୁସ୍ଥତା ସତ୍ତ୍ବେ ଗାନ୍ଧୀଜୀ ବମ୍ବେରେ ହରତାଳର ନେତୃତ୍ୱ ନେଇଥିଲେ। ଦିଲ୍ଲୀର ଚାନ୍ଦିନୀଚୌକ ସ୍ଥି
ତ ଏକ ମସଜିଦରୁ ବାହାରିଥିବା ହିନ୍ଦୁ-ମୁସଲିମ ମିଳିତ ପଟୁଆରର ନେତୃତ୍ୱ ନେଇଥିଲେ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ। ସ୍ୱାମୀଜୀଙ୍କ ପ୍ରତିବାଦ ସଭାରେ ଇଂରେଜ ପୁଲିସ ଗୁଳିରେ ସେଦିନ ଛ’ ଜଣ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ। ହିନ୍ଦୁ ମୁସଲମାନ ଏକତାର ନୂଆ ସୋପାନ ତିଆରି କରିଥିଲା ଗାନ୍ଧୀଙ୍କ ରୌଲାଟ ସତ୍ୟାଗ୍ରହ।
ଗାନ୍ଧୀଜୀଙ୍କ ଏଇ ପ୍ରଭାବଶାଳୀ ସତ୍ୟାଗ୍ରହ ପରିପ୍ରେକ୍ଷୀରେ ଟାଗୋରଙ୍କର ଏ ଚିଠି ଥିଲା। ଟାଗୋର ଲେଖିଥିଲେ, ‘ମହାତ୍ମାଜୀ, ପାସିଭ୍ ରେଜିଷ୍ଟାନ୍‌ସ ଏକ ମହାଶକ୍ତି ହେଲେ ବି ଏହା ଆପେ ଆପେ ଏକ ନୈତିକ ଶକ୍ତି ନୁହେଁ। ପାସିଭ ରେସିଷ୍ଟାନ୍‌ସକୁ ଚଳାଉଥିବା ନେତୃତ୍ୱ ହିଁ ନୀତିବାନ, ସହିଷ୍ଣୁ ଓ ଧୈର୍ଯ୍ୟବାନ ହେବା ଦରକାର। ବେଳେବେଳେ ଆନ୍ଦୋଳନର ସଫଳତା କର୍ମକର୍ତ୍ତାଙ୍କ ଭିତରେ ଉନ୍ମାଦ ଆଣି ଦେଇଥାଏ। ଦୁର୍ଭାଗ୍ୟବଶତଃ ଏପରି ଅବସ୍ଥା ଭାରତରେ କେଉଁଠି କେମିତି ଦେଖା ବି ଦେଲାଣି। ଆପଣ ନିଜେ ଏକ ମହାନ ନେତା ଭାବେ ଆଧ୍ୟାତ୍ମିକ ଆଧାର ନେଇ ଭାରତକୁ ଆସି ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଉଛନ୍ତି। ମୁଁ ଆପଣଙ୍କ ଆଦର୍ଶକୁ ସମର୍ଥନ କରେ। ସେ ଆଦର୍ଶ ହେଲା, ଉଭୟ ଭୀରୁତାରୁ ସୃଷ୍ଟି ହେଉଥିବା ପ୍ରତିଶୋଧ ଏବଂ ଦୁଷ୍ଟଶକ୍ତି ଆଗରେ ଆତ୍ମସମର୍ପଣକୁ ଅହିଂସ ଓ ନୈତିକ ଶକ୍ତିରେ ବିରୋଧ କରିବା।’
ଗାନ୍ଧୀଙ୍କୁ ପ୍ରଶଂସା କରି ଟାଗୋର ଶେଷରେ ଏକ କବିତା ଲେଖିଥିଲେ ଯାହାର ସାରମର୍ମ ଏହିପରି: ‘ମହାତ୍ମାଜୀ, ଆପଣଙ୍କ ଆଶ୍ରୟ ପାଇ ମୋ ଶିର ଆଜି ବହୁତ ଉଚ୍ଚା। ମୋର ଆଜି କୌଣସି ଭୟ ନାହିଁ। ମୃତ୍ୟୁର ଭୟ ନାହିଁ କିମ୍ବା ସମ୍ରାଟଙ୍କ ଭୟ ନାହିଁ। ମୁଁ ନିଶ୍ଚିତ, ମୋ ସ୍ୱାଧୀନତାଠାରୁ ମୋତେ କେହି ଆଉ ଦୂରେଇ ରଖିପାରିବନି। ପରାଜୟରେ ଯେ ବିଜୟ ଅଛି ଏବଂ ମୃତ୍ୟୁରେ ବି ଯେ ଜୀବନ ଅଛି, ଆପଣ ଆମକୁ ଶିଖେଇ ସାରିଲେଣି। ପ୍ରେମ ପାଇଁ ଯେଉଁ ସାହସ ଏବଂ ବିଶ୍ୱାସ ଦରକାର ଆପଣଙ୍କ ଆଧ୍ୟତ୍ମିକ ବ୍ୟକ୍ତିତ୍ୱ ତା’ର ବୟାନ ଦେଉଛି। ଆପଣଙ୍କ ମହାତ୍ମାପଣ ସମର୍ଥନରେ ଏ ମୋର ଏକ କ୍ଷୁଦ୍ର କବିତା।’
ମହାତ୍ମା ସମ୍ବୋଧନ ନେଇ ଗାନ୍ଧୀଜୀ କିନ୍ତୁ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ‘ସତ୍ୟ ଓ ଅହିଂସାରେ ବିଶ୍ୱାସ ରଖିଥିବା ମୋ ପରି ଏକ ସାଧାରଣ ବ୍ୟକ୍ତିକୁ ଏ ମହାତ୍ମା ଡାକ କାହିଁ କେବେ ଆହ୍ଲାଦିତ କରିନାହିଁ।’
ମୋ: ୯୮୬୧୪୬୯୩୨୮