ମିସ୍ କାଥେରିନ୍ ମାୟୋ ନାମ୍ନୀ ଜଣେ ଆମେରିକୀୟ ଐତିହାସିକ ଭାରତୀୟ ସମାଜ, ଭାରତରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଏବଂ ସଂଗ୍ରାମରେ ସମ୍ପୃକ୍ତ ଥିବା ନେତାଙ୍କ ସମ୍ପର୍କରେ ଗବେଷଣା କରି ପୁସ୍ତକ ଲେଖିବାକୁ ଅସହଯୋଗ ଆନ୍ଦୋଳନ ବେଳେ ଭାରତ ଆସିଥିଲେ। ଇଂରେଜ ସରକାର ଏଥିପାଇଁ ତାଙ୍କୁ ଆର୍ଥିକ ସାହାଯ୍ୟ ସହ ସମସ୍ତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ। ମିସ୍ ମାୟୋଙ୍କର ଭାରତ ନେଇ ତଥାକଥିତ ଗବେଷଣାତ୍ମକ ପୁସ୍ତକଟିଏ ପ୍ରକାଶ ପାଇଥିଲା ୧୯୨୭ ମସିହାରେ। ବହିର ନାଁ ଥିଲା “ମଦର ଇଣ୍ଡିଆ।” ଏହା ଥିଲା ଏକ ଭାରତ ବିରୋଧୀ ପୁସ୍ତକ। ମିସ୍ ମାୟୋ ଏ ବହିରେ ଲେଖିଥିଲେ- ଭାରତ ସାରା ଏବେ ନର୍ଦ୍ଦମା ଭର୍ତ୍ତି। ସାହିତ୍ୟ ସଂସ୍କୃତି, ସଭ୍ୟତା ଧର୍ମ ସବୁଠି ଅପବିତ୍ରତାର ଗନ୍ଧ। ଏଠି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଆଯାଏ। ସାମାଜିକ ସଂସ୍କାରକୁ ଏଠି ବିରୋଧ କରାଯାଏ। ଭାରତରେ କିଛି ଭଲ ଦୃଶ୍ୟ ନାହିଁ। ସର୍ବତ୍ର ଡ୍ରେନ୍ର କେମିତି ଏକ ଗନ୍ଧ ସଂସ୍କୃତି।
ମିସ୍ ମାୟୋଙ୍କ ବୌଦ୍ଧିକ ଆକ୍ରମଣ ଅଧିକ ଥିଲା ଭାରତୀୟ ହିନ୍ଦୁମାନଙ୍କ ଉପରେ। ମାୟୋ ଟିପ୍ପଣୀ କରିଥିଲେ ଯେ ହିନ୍ଦୁମାନେ ବହୁତ ଅନ୍ଧବିଶ୍ୱାସୀ, ଦୁର୍ବଳ ବି। ବିଦେଶରୁ, ବିଶେଷ କରି ମଧ୍ୟ-ଏସିଆରୁ ଆସୁଥିବା ଆକ୍ରମଣକାରୀ ଯୋଦ୍ଧାମାନେ ଏମାନଙ୍କୁ ସହଜରେ ପରାସ୍ତ କରି ଶାସନ କରି ପାରୁଥିଲେ। ଭାରତୀୟମାନଙ୍କର ନିଜକୁ ନିଜେ ଶାସନ କରିବାର କ୍ଷମତା ନାହିଁ। ସେମାନେ କେବଳ ଶାସିତ ହୋଇ ରହିପାରନ୍ତି। ‘ମଦର ଇଣ୍ଡିଆ’ ପୁସ୍ତକରେ ମିସ୍ କାଥେରିନ୍ ମାୟୋ ଭାରତୀୟ ମନ୍ଦିର, ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତି ଏବଂ ବୈଷ୍ଣବୀୟ ପରମ୍ପରା ଉପରେ କଟୁ ମନ୍ତବ୍ୟ ରଖିଥିଲେ। ମନ୍ଦିର ଦେହରେ ଥିବା ମୂର୍ତ୍ତି ଏବଂ ବୈଷ୍ଣବମାନେ ମୁଣ୍ଡରେ ଲଗାଉଥିବା ତିଲକ ଚିତାରେ ଯୌନ ଅଶ୍ଳୀଳତାର ସନ୍ଦେଶ ଥାଏ ବୋଲି ମାୟୋଙ୍କର ଟିପ୍ପଣୀ ଥିଲା। ପୁରୀ ଶ୍ରୀମନ୍ଦିର ସମେତ ଓଡ଼ିଶାର ମନ୍ଦିରମାନଙ୍କରେ ଅଶ୍ଳୀଳ ମୂର୍ତ୍ତି ଥିବା ଅଭିଯୋଗ ସହ ଏକ କୁତ୍ସିତ ଉପସ୍ଥାପନା ଥିଲା ମାୟୋଙ୍କ ବହିରେ। ମହାତ୍ମା ଗାନ୍ଧୀ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଚ୍ଛଲ୍ୟ କରି କାଥେରିନ୍ ଲେଖିଥିଲେ- ୧୯୨୧ ମସିହାରେ ବ୍ରିଟିସ୍ ଯୁବରାଜଙ୍କୁ ଦେଖିବାକୁ ତାଙ୍କ ଗାଡ଼ି ପଛରେ କାନ୍ଦି କାନ୍ଦି ଦଉଡୁଥିବା ଭାରତୀୟଙ୍କ ଦୃଶ୍ୟ ପ୍ରକୃତରେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନକୁ ବିଦ୍ରୂପ କରିଥିଲା।
୧୯୨୮ ମସିହାରେ ସାଇମନ କମିଶନ ଭାରତ ଆସିବା ପୂର୍ବରୁ ଏ ବହି ପ୍ରକାଶ ପାଇଥିଲା। ବହିର ମୁଖବନ୍ଧରେ ମିସ୍ ମାୟୋ ଉଲ୍ଲେଖ କରିଥିଲେ, “ଏ ବହି ମୁଁ ଇଂରେଜ ଏବଂ ଆମେରିକୀୟ ପାଠକମାନଙ୍କ ପାଇଁ ଲେଖିଛି। କିନ୍ତୁ ଭାରତୀୟମାନଙ୍କୁ ଏହା ସମର୍ପିତ କରିଛି।’
ଭାରତର ସବୁ ଖବରକାଗଜ ମିସ୍ ମାୟୋଙ୍କର ଏ ପୁସ୍ତକକୁ ବିରୋଧ କଲେ। ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଲା। କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ମିସ୍ ମାୟୋଙ୍କ ବିରୋଧରେ ପ୍ରତିବାଦ ହେଲା।
ମିସ୍ ମାୟୋଙ୍କ ପୁସ୍ତକ ଉପରେ ମନ୍ତବ୍ୟ ରଖିବାକୁ ଗାନ୍ଧୀଜୀଙ୍କ ଉପରେ ବି ଚାପ ପଡ଼ିଥିଲା। ଗାନ୍ଧୀ ସେତେବେଳେ ଖଦି ପ୍ରସାର କାର୍ଯ୍ୟକ୍ରମରେ ଭାରତ ଭ୍ରମଣ କରୁଥିଲେ। କୋଇମ୍ବଟୁରରୁ ସିଲୋନ ଯିବାବେଳେ ଗାନ୍ଧୀଜୀ ମିସ ମାୟୋଙ୍କ ‘ମଦର ଇଣ୍ଡିଆ’ ବହି ଟ୍ରେନରେ ପଢ଼ିଲେ ଏବଂ ବହିର ଏକ ସମୀକ୍ଷା ଲେଖିଲେ। ଗାନ୍ଧୀଜୀଙ୍କ ସମୀକ୍ଷାଟି ୧୯୨୭ ମସିହା ସେପ୍ଟେମ୍ବର ୧୫ ତାରିଖ ‘ୟଙ୍ଗ୍ ଇଣ୍ଡିଆ’ରେ ପ୍ରକାଶିତ ହୋଇଥିଲା।
ଏହାର ଶିରୋନାମା ଥିଲା, “ଡ୍ରେନ୍ ଇନିସ୍ପେକ୍ଟର’ସ ରିପୋର୍ଟ।” ପ୍ରାୟ ଦଶ ପୃଷ୍ଠା ବିଶିଷ୍ଟ ଥିଲା ଗାନ୍ଧୀଙ୍କର ଏ ପ୍ରବନ୍ଧ। ଗାନ୍ଧୀ ଲେଖିଥିଲେ, “ମିସ୍ କାଥେରିନ୍ ମାୟୋ ଭାରତ ସମ୍ପର୍କରେ ତାଙ୍କ ‘ମଦର ଇଣ୍ଡିଆ’ ପୁସ୍ତକରେ ଯାହା ଲେଖିଛନ୍ତି, ଏ ସବୁ ଅସତ୍ୟ ଉପରେ ପର୍ଯ୍ୟବସିତ। ଭାରତର ପ୍ରାଚୀନତମ ସଂସ୍କୃତି, ସଭ୍ୟତା ଏବଂ ପବିତ୍ର ଲୋକ ଚଳଣିକୁ ମିସ୍ ମାୟୋ ବୁଝିପାରି ନାହାନ୍ତି କିମ୍ବା ବୁଝିବାକୁ ଚେଷ୍ଟା କରି ନାହାନ୍ତି। ସେ ଖୋଲା ମନ ନେଇ ନିଶ୍ଚୟ ଭାରତ ଆସି ନଥିଲେ। ସେ ଏଠି ଏକ ଡ୍ରେନ ଇନିସ୍ପେକ୍ଟରର କାମ କରିଛନ୍ତି। ବହିର ଲେଖା ଖୁବ୍ ଶକ୍ତିଶାଳୀ ହୋଇଥିଲେ ବି ଲେଖିକା ଯେ ଜଣେ ଅସାଧୁ ଲେଖିକା, ବହି ତା’ର ପ୍ରମାଣ ଦେଇଛି।’’ ଏଥିରେ ଗାନ୍ଧୀ ସ୍ପଷ୍ଟ କରିଦେଇଥିଲେ ଯେ ସେ ଯଦି ଇଂଲାଣ୍ଡ କଥା ଲେଖିବେ ଏବଂ ଇଂଲାଣ୍ଡର ଡ୍ରେନ୍ର ବର୍ଣ୍ଣନା ଦେବେ, ତା’ର ସୀମା ରହିବନି। ଭାରତ ସମ୍ପର୍କରେ କହିବା ପୂର୍ବରୁ ପ୍ରଥମେ ଇଂଲାଣ୍ଡ ବିଷୟରେ କହିବାକୁ ଗାନ୍ଧୀ ମାୟୋଙ୍କୁ ଆହ୍ୱାନ କରିଥିଲେ।
ଭାରତର ବୈଷ୍ଣବୀୟ ପରମ୍ପରା ଏବଂ ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତି ନେଇ ମାୟୋ ଦେଇଥିବା ଟିପ୍ପଣୀକୁ ଗାନ୍ଧୀଜୀ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଗାନ୍ଧୀଜୀଙ୍କ ଲେଖିଥିଲେ ଯେ ସେ ନିଜେ ଜଣେ ଆଜନ୍ମ ବୈଷ୍ଣବ। ବୈଷ୍ଣବମାନେ ପିନ୍ଧୁଥିବା ତିଳକ ଚିତାରେ ଯେ ଯୌନ ଅଶ୍ଳୀଳତାର ଚିହ୍ନ ଅଛି, କୌଣସି ବୈଷ୍ଣବ ତାହା ଜାଣନ୍ତିନି। ଏ ଚିତା ଆମ ପାଇଁ ପବିତ୍ର। କିଛି ମିସ୍ନାରି ପୁସ୍ତକରେ ଜଗନ୍ନାଥ ମନ୍ଦିର ସମେତ ଓଡ଼ିଶାର ମନ୍ଦିରମାନଙ୍କରେ ଅଶ୍ଳୀଳ ମୂର୍ତ୍ତି ରହିଥିବାର ଯେଉଁ ବର୍ଣ୍ଣନା ଅଛି, ତାହା ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଭ୍ରାନ୍ତିକର।
କାଥେରିନଙ୍କ ପୁସ୍ତକ ସମୀକ୍ଷା କରି ଗାନ୍ଧୀଜୀ ଏହା ବି ସୂଚେଇ ଦେଇଥିଲେ, ‘ମୁଁ ପୁରୀ ମନ୍ଦିର ଯାଇଛି। ହଠାତ୍ ଆକର୍ଷିତ କଲାପରି ସେତେ ଅଶ୍ଳୀଳ ମୂର୍ତ୍ତି ସେଠି ନାହିଁ। ବଡ଼ କଥା ହେଲା, ହଜାର ହଜାର ଲୋକ ଜଗନ୍ନାଥ ମନ୍ଦିରକୁ ଆସୁଥିଲେ ବି କିଏ କେଉଁଠି ଛିଡ଼ା ହୋଇ ମନ୍ଦିରରେ ଖୋଦିତ ତଥାକଥିତ ଅଶ୍ଳୀଳ ମୂର୍ତ୍ତିକୁ ଦେଖିବାର ମୁଁ କାହାକୁ ଦେଖିଲି ନାହିଁ। ମୁଁ ଆଶ୍ଚର୍ଯ୍ୟ ଯେ ଆମ ପରମ୍ପରା ଆଉ ଚଳଣିରେ ଏଇ ବିଦେଶୀ ପର୍ଯ୍ୟଟକମାନଙ୍କୁ କିପରି, କେମିତି ଓ କାହିଁକି ଖାଲି ଅଶ୍ଳୀଳତା ଦେଖାଦିଏ?’
ସାହିତ୍ୟର କଳୁଷିତ ଅଂଶକୁ କେବଳ ସାହିତ୍ୟିକ ଲେଖାରେ ବିରୋଧ କରାଯିବା ଦରକାର କହି ଗାନ୍ଧୀଜୀ ତାଙ୍କର ସମୀକ୍ଷା ଶେଷ କରିଥିଲେ।
ମୋ: ୯୮୬୧୪୬୯୩୨୮