ତିନିଟି ଲେଖା ଗାନ୍ଧୀଜୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ପ୍ରଥମ ଲେଖାଟି ଥିଲା ପ୍ରଖ୍ୟାତ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କର ‘ଦି କିଂଗଡମ ଅଫ୍ ଗଡ ଇଜ୍ ଵିଦିନ୍‌ ୟୁ’, ଯାହା ଗାନ୍ଧୀଙ୍କର ସ୍ୱାଧୀନତା ଓ ସତ୍ୟାଗ୍ରହ ଆନ୍ଦୋଳନର ଆଧାର ଥିଲା। ଦ୍ବିତୀୟ ଲେଖାଟି ଥିଲା ଜନ ରସ୍କିନଙ୍କ ପୁସ୍ତକ ‘ଅନ୍ ଟୁ ଦିସ୍ ଲାଷ୍ଟ’, ଯେଉଁଥିରୁ ଗାନ୍ଧୀ ସର୍ବୋଦୟ ଏବଂ ରଚନାତ୍ମକ କାର୍ଯ୍ୟ କରିବାର ଶିକ୍ଷା ପାଇଥିଲେ। ତୃତୀୟ ଲେଖା ଥିଲା ହେନେରି ଡାଭିଡ ଥୋରୋଙ୍କ ‘ଅନ୍ ଦି ଡ୍ୟୁଟି ଅଫ୍ ସିଭିଲ ଡିସଓବେଡିଏନ୍‌ସ’। ଥୋରୋଙ୍କ ଏ କ୍ଲାସିକ୍ ପୁସ୍ତିକା ଏକ ଅନୁଚିତ ଆଇନକୁ ବିରୋଧ କରି ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଗାନ୍ଧୀଜୀଙ୍କୁ ପ୍ରେରଣା ଦେଇଥିଲା। ଟଲଷ୍ଟୟ ଏବଂ ରସ୍କିନଙ୍କ ତତ୍ତ୍ବକୁ ଗାନ୍ଧୀ କିଛି ମାତ୍ରାରେ ଦକ୍ଷିଣ ଆଫ୍ରିକାରେ ପ୍ରୟୋଗ କରିଥିଲେ। କିନ୍ତୁ ଥୋରୋଙ୍କ ଆଇନ ଅମାନ୍ୟର ରାଜନୈତିକ ପ୍ରୟୋଗ ପାଇଁ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ନିମନ୍ତେ ସୁଯୋଗ ନ ଥିଲା। ୧୯୧୫ ମସିହାରେ ଗାନ୍ଧୀ ଭାରତ ଆସିବାର ମାତ୍ର ତିନି ବର୍ଷ ଭିତରେ ରସ୍କିନ, ଟଲଷ୍ଟୟ ଏବଂ ଥୋରୋଙ୍କ ଶିକ୍ଷାକୁ ସେ ଏଠି ଏକ ସାଙ୍ଗରେ ପ୍ରୟୋଗ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ।
ଗାନ୍ଧୀଜୀଙ୍କ ବହୁବିଧ କାର୍ଯ୍ୟ ଦେଖି ତାଙ୍କର ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କ ପାଖକୁ ସି.ଏଫ୍. ଆଣ୍ଡ୍ରିଉଜ୍ ଏକ ଚିଠି ଲେଖିଥିଲେ ଯାହାକୁ ମହାଦେବ ନିଜ ଡାଏରିରେ ଲିପିବଦ୍ଧ କରିଛନ୍ତି। ଆଣ୍ଡ୍ରିଉଜ୍ ଲେଖିଥିଲେ, ‘ମହାଦେବ ଭାଇ, ବାପୁ ଏବେ ଏକା ସାଙ୍ଗରେ ବହୁ କାମରେ ବ୍ୟସ୍ତ ରହୁଛନ୍ତି। ଏ ସବୁ କାମରେ ବେଶୀ ରାଜନୀତି ରହୁଛି। ଆଇନ ଅମାନ୍ୟର ରାଜନୈତିକ ବ୍ୟବହାର ପାଇଁ ପ୍ରସ୍ତୁତି ସମ୍ପ୍ରତି ନୂଆ ଘଟଣା। ଆଧ୍ୟାତ୍ମିକତା ବାପୁଙ୍କର ଅମୂଲ୍ୟ ପୁଞ୍ଜି ଥିଲା। ମୋର ଭୟ, ବାପୁ ହୁଏତ ଦିନେ ଏପର୍ଯ୍ୟନ୍ତ ସାଇତି ରଖିଥିବା ତାଙ୍କର ଆଧ୍ୟାତ୍ମିକ ସମ୍ପତ୍ତିକୁ ସବୁଦିନ ପାଇଁ ହରେଇ ପାରନ୍ତି।’
ସି.ଏଫ୍. ଆଣ୍ଡ୍ରିଉଜଙ୍କ ଚିଠିକୁ ମହାଦେବ ଦେଶାଇ ଗାନ୍ଧୀଙ୍କୁ ଦେଇଥିଲେ। ଗାନ୍ଧୀଜୀ ତା’ର ଉତ୍ତରରେ ମହାଦେବଙ୍କୁ ଲେଖିଲେ, ‘ମହାଦେବ, ଆଣ୍ଡ୍ରିଉଜ ଏ ପର୍ଯ୍ୟନ୍ତ ମୋର ଆଦର୍ଶ ଓ ରାଜନୀତିକୁ ବୁଝିପାରି ନାହାନ୍ତି। ମୁଁ କିନ୍ତୁ ଅନେକ କାମ ଏକ ସାଙ୍ଗରେ କରିବାରେ ଅପାର ଶାନ୍ତି ପାଏ। ଆଶ୍ରମରେ ଆତ୍ମସଂଯମ କଥା ଅନ୍ତେବାସୀଙ୍କୁ ଶିଖାଏ।’ ୧୯୦୭ ମସିହାରେ ଦକ୍ଷିଣ ଆଫ୍ରିକାରେ ‘ଇଣ୍ଡିଆନ୍ ଓପିନିଅନ’ ପତ୍ରିକାରେ ଥୋରୋଙ୍କ ସିଭିଲ ଡିସଓବେଡିଏନ୍‌ସକୁ ନେଇ ହୋଇଥିବା ବୌଦ୍ଧିକ ଆଲୋଚନା ପଢ଼ିବାକୁ ଗାନ୍ଧୀଜୀ ମହାଦେବଙ୍କୁ ପରାମର୍ଶ ଦେଇଥିଲେ।
ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ଅଧିକାରକୁ ସଂକୁଚିତ କରି ଟ୍ରାନ୍‌ସବାହାଲ ସରକାର ଏକ କଳା ଆଇନ ୧୯୦୭ ମସିହାରେ ଆଣିଥିଲେ। ଏ ଆଇନର ବିରୋଧରେ ଗାନ୍ଧୀ ଥିଲେ। ଡେଭିଡ ଥୋରୋଙ୍କ ଆଇନ ଅମାନ୍ୟ ତତ୍ତ୍ବର ବ୍ୟାପକ ରାଜନୈତିକ ପ୍ରୟୋଗ ସମ୍ପର୍କରେ ଆଲୋଚନା କରି ‘ଇଣ୍ଡିଆନ୍ ଓପିନିଅନ’ ପତ୍ରିକାରେ ପ୍ରବନ୍ଧ ଲେଖିବାକୁ ଅନେକ ପ୍ରତିଷ୍ଠିତ ବିଦ୍ୱାନଙ୍କୁ ଗାନ୍ଧୀ ଅନୁରୋଧ କରିଥିଲେ। ୧୯୦୭ ନଭେମ୍ବରରୁ ୧୯୦୮ ଜାନୁଆରି ପର୍ଯ୍ୟନ୍ତ ପ୍ରାୟ ତିନିମାସ ଧରି ଥୋରୋଙ୍କ ଆଇନ ଅମାନ୍ୟକୁ ବିଭିନ୍ନ ଦିଗରୁ ପରୀକ୍ଷା କରି ‘ଏଥିକ୍ସ ଅଫ୍ ପାସିଭ ରେଜିଷ୍ଟାନ୍‌ସ’ ଶିରୋନାମାରେ ଅନେକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଗାନ୍ଧୀଙ୍କର ମଧ୍ୟ ଏଥିରେ ଏକ ପ୍ରବନ୍ଧ ଥିଲା। ନିଜ ପ୍ରବନ୍ଧରେ ଗାନ୍ଧୀ ଲେଖିଥିଲେ, ଊଣେଇଶ ଶତାବ୍ଦୀର ପ୍ରଥମ ଭାଗରେ ଜନ୍ମ ହୋଇଥିବା ହେନେରି ଡାଭିଡ ଥୋରୋ ଥିଲେ ଆମେରିକାର ମାସାଚୁସେଟ୍‌ସ ରାଜ୍ୟର ଅଧିବାସୀ। ଜଣେ ସନ୍ଥ ବିଦ୍ୱାନ୍ ଭାବେ ସେ ସମଗ୍ର ଆମେରିକାରେ ଜଣା ଥିଲେ। କାୟ ମନ ବାକ୍ୟରେ ଥୋରୋ ସଂଯତ ଥିଲେ। ତାଙ୍କର ଲେଖା ସବୁ ଥିଲା ବଳିଷ୍ଠ। ସେ ଥିଲେ ସତ୍ୟ ଅନୁରାଗୀ। ପ୍ରତି ଶବ୍ଦରେ ତାଙ୍କର ଆଧ୍ୟାତ୍ମିକତାର ସ୍ପର୍ଶ ଥିଲା। ସେଥିପାଇଁ ବହୁ ଲୋକ ତାଙ୍କ ଲେଖା ପଢୁଥିଲେ ଏବଂ ଥୋରୋଙ୍କୁ ନେଇ ଚିନ୍ତା କରୁଥିଲେ। ଏକ କ୍ରାନ୍ତିକାରୀ ଐତିହାସିକ ଘଟଣାରୁ ଆଇନ ଅମାନ୍ୟ ତତ୍ତ୍ବର ଜନ୍ମ ହୋଇଥିଲା।
ଉକ୍ତ ଘଟଣାର ବର୍ଣ୍ଣନା ଦେଇ ଗାନ୍ଧୀ ଉଲ୍ଲେଖ କରିଥିଲେ, ୧୮୪୬ ମସିହାରେ ମେକ୍ସିକୋ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ ଘୋଷଣା କରିଥିଲା। ଯୁଦ୍ଧ ଖର୍ଚ୍ଚ ପାଇଁ ନାଗରିକଙ୍କ ଉପରେ ସ୍ୱତନ୍ତ୍ର ଟିକସ ବସିଥିଲା। ଥୋରୋ ଯୁଦ୍ଧକୁ ଅନାବଶ୍ୟକ ବୋଲି କହିଥିଲେ। ଦାସ ପ୍ରଥାର ସମ୍ପ୍ରସାରଣ ପାଇଁ ଆମେରିକା ଏ ଯୁଦ୍ଧ କରୁଛି ବୋଲି ତାଙ୍କର ଅଭିଯୋଗ ଥିଲା। ଦାସ ପ୍ରଥାର ବିରୋଧୀ ଥିଲେ ଥୋରୋ। ସେ ଟିକସ ଦେବାକୁ ମନା କରିଦେଲେ। ଥୋରୋଙ୍କୁ ଏଥିପାଇଁ ଗୋଟିଏ ରାତି ଜେଲ ଦଣ୍ଡ ମିଳିଥିଲା। ଏ ଜେଲ ଦଣ୍ଡାଦେଶ ନେଇ କିନ୍ତୁ ଥୋରୋଙ୍କର କିଛି ଆପତ୍ତି ନ ଥିଲା।
କଳା ଆଇନକୁ ବିରୋଧ କରି ଗୋଟିଏ ରାତିର ଇଚ୍ଛାକୃତ ଜେଲ ପରେ ଥୋରୋ ଏକ କ୍ଷୁଦ୍ର ପୁସ୍ତିକା ଲେଖିଥିଲେ। ତା’ ନାଁ ଥିଲା ‘ସିଭିଲ ଡିସଓବେଡିଏନ୍‌ସ।’ ଥୋରୋଙ୍କ ଉପସ୍ଥାପନା ଥିଲା, ‘ମୋ ମତରେ ସର୍ବଶ୍ରେଷ୍ଠ ସରକାର ହେଉଛି ସିଏ ଯିଏ କମ୍ ଶାସନ କରେ। ବିବେକ ପ୍ରୟୋଗ କରି ନିଷ୍ପତ୍ତି ନିଏ। ସଂଖ୍ୟାଗରିଷ୍ଠ ମତକୁ ସଂଖ୍ୟାଲଘୁଙ୍କ ଉପରେ ଜବରଦସ୍ତ ଲଦି ଦିଏନି। ମୁଁ ସରକାରଙ୍କୁ ବିରୋଧ କରେନି। ମୁଁ କିନ୍ତୁ ଏକ ଉତ୍ତମ ସରକାର ଚାହେଁ, ଯାହା ନାଗରିକଙ୍କୁ ପ୍ରଜା ନ ଭାବି ସ୍ୱାଧୀନ ମଣିଷ ବୋଲି ଭାବୁଥିବ।
ହେନେରୀ ପୁଣି ଲେଖିଥିଲେ, ‘କୌଣସି ଏକ ଅନୁଚିତ ଆଇନକୁ ବିରୋଧ କରିବାକୁ ଆଉ ଅନେକ ଲୋକ ଆପଣଙ୍କ ସହ ଯୋଗ ଦେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଠିକ୍ ନୁହେଁ। ଏବଂ ଅନୁଚିତ ଭାବେ ଜେଲ ଦଣ୍ଡ ପାଉଥିବା ବ୍ୟକ୍ତିର ପ୍ରକୃତ ସ୍ଥାନ ହେଉଛି ଜେଲ, ଯେଉଁଠି ସିଏ ମୁକ୍ତ ଥାଏ ଓ ସ୍ୱାଧୀନ ଭାବେ ଧ୍ୟାନ କରିପାରେ। ଆମେରିକୀୟ ସରକାର ମୋ ଶରୀରକୁ ଜେଲର ଚାରି ପଥର କାନ୍ଥ ଭିତରେ ବନ୍ଦୀ କରି ଦେଇଥିଲେ ସତ, ମୋ ଆତ୍ମାକୁ କିନ୍ତୁ ବନ୍ଦୀ କରି ପାରି ନଥିଲେ। ମୁଁ ପରାଧୀନ ହେବାକୁ ନ ଚାହିଁଲା ପର୍ଯ୍ୟନ୍ତ ମୋତେ ଅନ୍ୟ କିଏ ପରାଧୀନ କରି ପାରିବେ ନାହିଁ।’
ଥୋରୋଙ୍କ ପୁସ୍ତିକାକୁ ବିଶ୍ଳେଷଣ କରି ଗାନ୍ଧୀ ତାଙ୍କ ପ୍ରବନ୍ଧର ଉପସଂହାରରେ ଲେଖିଥିଲେ, ଆଇନ ଅମାନ୍ୟ ଅପରାଧରେ ଥୋରୋଙ୍କ ମାତ୍ର ଗୋଟିଏ ଦିନର ଜେଲ ଜୀବନ ଖୁବ୍‌ ଛୋଟ ଘଟଣାଟିଏ ହେଲେ ବି ‘ଦାସ ପ୍ରଥା’ ଉଚ୍ଛେଦର ଏହା ଅନ୍ୟ ଏକ କାରଣ ବୋଲି ଐତିହାସିକମାନେ ଗ୍ରହଣ କରନ୍ତି।
ମୋ: ୯୮୬୧୪୬୯୩୨୮