ଭାରତ ଛାଡ଼ ଆନ୍ଦୋଳନ ଯୋଗୁଁ ଜେଲରେ ବନ୍ଦୀ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ୧୯୪୫ ମସିହା ଅଗଷ୍ଟ ମାସରେ ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ବାହାରିବା ବେଳେ ପଟେଲ ବହୁତ ଅସୁସ୍ଥ ଥିଲେ। ବଡ଼ ଧରଣର ଏକ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଏଇ ଅସ୍ତ୍ରୋପଚାରରେ କିନ୍ତୁ ବିପଦର ଆଶଙ୍କା ଥିଲା। ପ୍ରାକୃତିକ ଚିକିତ୍ସା ନିମନ୍ତେ ଗାନ୍ଧୀ ପଟେଲଙ୍କୁ ବିଶିଷ୍ଟ ଆୟୁର୍ବେଦାଚାର୍ଯ୍ୟ ଡକ୍ଟର ଦିନଶ’ ମେହେଟାଙ୍କ ପୁନା ସ୍ଥିତ ‘ନେଚର କିଓର’ ବା ପ୍ରାକୃତିକ ଉପଶମ କ୍ଲିନିକ୍‌କୁ ନେଇ ଯାଇଥିଲେ। ଗାନ୍ଧୀଜୀଙ୍କ ତଦାରଖରେ ପଟେଲଙ୍କ ଚିକିତ୍ସା ହୋଇଥିଲା।
କିଛି ଦିନର ଚିକିତ୍ସାରେ ପଟେଲଙ୍କୁ ସୁଫଳ ମିଳିଥିଲା। ଦିନେ କ୍ଲିନିକରେ ଆଲୋଚନା ବେଳେ ଗାନ୍ଧୀଜୀ କହିଲେ, ‘ବୁଝିଲ ସର୍ଦ୍ଦାର, ମୁଁ ଆଉ ଏକ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିଛି।’ ପଟେଲ ଆଶ୍ଚର୍ଯ୍ୟ ହୋଇ ଗାନ୍ଧୀଜୀଙ୍କୁ ଚାହିଁଲେ ଏବଂ ପ୍ରଶ୍ନ କଲେ, ‘ବାପୁ, ଏ ବୟସରେ ଆପଣଙ୍କର ସେ ପୋଷ୍ୟ ସନ୍ତାନ ଟି କିଏ?’ ଗାନ୍ଧୀ ଉତ୍ତର ଦେଲେ, “ମୁଁ ଗ୍ରାମାଞ୍ଚଳରେ ଏକ ନେଚର କିଓର ବିଶ୍ୱବିଦ୍ୟାଳୟ କରିବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ପୁନେରୁ ସୋଲାପୁର ଯିବା ରାସ୍ତାରେ ‘ଉରୁଳି କାଞ୍ଚନ’ ଗାଁରେ ଏଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଉଛି। ଏମିତି ଏକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ମୋ ଜୀବନର ଏକ ଇଚ୍ଛା ଥିଲା। ନେଚର କିଓର ମୋର ଅତି ପ୍ରିୟ।’’
ଗାନ୍ଧୀଜୀଙ୍କ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଜାଣିବାକୁ ପଟେଲଙ୍କ ଉତ୍ସୁକତା ବଢ଼ି ଯାଇଥିଲା। ପଟେଲ ପୁଣି ପ୍ରଶ୍ନ କଲେ, ‘ଏ ବିଶ୍ବବିଦ୍ୟାଳୟରେ ଆପଣଙ୍କ ଭୂମିକା କ’ଣ?’ ଗାନ୍ଧୀ ବୁଝେଇ କହିଲେ, ‘ଏଇ ଅନୁଷ୍ଠାନ ପାଇଁ ଏକ ଟ୍ରଷ୍ଟ ଗଠିତ ହୋଇଛି। ସେ ଟ୍ରଷ୍ଟରେ ମୁଁ ଏକ ଟ୍ରଷ୍ଟି ଅଛି। ମୋ ସହ ଡକ୍ଟର ଦିନଶ ମେହେଟା, ଘନଶ୍ୟାମଦାସ, ମହାଦେବ ପ୍ରସାଦ ପୋଦାର ଅନ୍ୟତମ ଟ୍ରଷ୍ଟି ଅଛନ୍ତି। ଦେବଦାସ ଘନଶ୍ୟାମଦାସଙ୍କ ପ୍ରତିନିଧି ହୋଇ ରହିଛନ୍ତି। ୧୯୪୪ ମସିହା ମେ’ ମାସରେ ମୁଁ ଜେଲରୁ ମୁକ୍ତ ହେବା ପରେ ଏ ଟ୍ରଷ୍ଟଟି ଗଠନ କରିଛି। ଯେହେତୁ ନେଚର କିଓର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାର ଚିନ୍ତା ମୋର ନିଜସ୍ୱ, ମୁଁ ଏଥିନେଇ ଥିବା ଆବଶ୍ୟକତା କଥା ମହାଦେବ ପ୍ରସାଦଙ୍କୁ ଜଣାଇ ଦେଇଥିଲି। ମହାଦେବ ଉରୁଲିରେ ଏକ ବଡ଼ ଜାଗା ନେଇଛନ୍ତି। ଭଲ ସ୍ୱାସ୍ଥ୍ୟକର ଜାଗା। ପାଖରେ ରେଳ ଷ୍ଟେସନ, ଆର୍ମି କ୍ୟାଣ୍ଟନମେଣ୍ଟ ରହିଛି। ସେଠି ପିଜୁଳି, କମଳା, ଅମୃତ ଭଣ୍ଡାର ଫଳ ଗଛମାନ ଅଛି। ରୋଗୀମାନେ ରହିବାକୁ ଛୋଟ ଛୋଟ ଚାଳ ଘର ତିଆରି ହୋଇଛି। ବ୍ୟାୟାମ ପାଇଁ ବ୍ୟାୟାମଶାଳା ହୋଇଛି। ଡାକ୍ତରଖାନାର ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ୱରେ ଡକ୍ଟର ମେହେଟା ଏବଂ ତାଙ୍କର ଡାକ୍ତର ପତ୍ନୀ ରହିବେ। ଆନ୍ଧ୍ରର ଜଣେ ପ୍ରାକୃତିକ ଚିକିତ୍ସା ବିଶାରଦ ଆମ ସହ ଉରୁଲିରେ ଯୋଗ ଦେବେ।’
ଚିକିତ୍ସାର ପଦ୍ଧତି କ’ଣ ବୋଲି ପ୍ରଶ୍ନ ହେବାରୁ ଗାନ୍ଧୀଜୀ ପଟେଲଙ୍କୁ ଉତ୍ତର ଦେଲେ, ‘ପ୍ରାକୃତିକ ଚିକିତ୍ସା ଆମର ପୁରୁଣା ସୃଷ୍ଟି ତତ୍ତ୍ବର ପାରମ୍ପରିକ ଦର୍ଶନ ଉପରେ ପର୍ଯ୍ୟବସିତ। କ୍ଷିତି, ଅପ୍, ତେଜଃ, ମରୁତ, ବ୍ୟୋମ, ଏ ପଞ୍ଚ ମହାଭୂତରୁ ଏ ଧରିତ୍ରୀ ସୃଷ୍ଟି। ମାଟି, ପାଣି, ଅଗ୍ନି, ପବନ ଓ ଆକାଶର ପ୍ରୟୋଗରେ ଏ ସୃଷ୍ଟି ବଂଚିଛି ଓ ବଢ଼ିଛି। ମାଟି, ପାଣି, ପବନକୁ ସାମାନ୍ୟ ପଦାର୍ଥ ବୋଲି ଭାବିବା ଉଚିତ ନୁହେଁ। ଏ ସବୁ ଆମ ଜୀବନର ଆଧାର। ଉରୁଲି କାଞ୍ଚନ ପ୍ରାକୃତିକ ବିଶ୍ବବିଦ୍ୟାଳୟ ଏବଂ ଚିକିତ୍ସା କେନ୍ଦ୍ରରେ ଏ ସବୁ ପ୍ରୟୋଗ କରାଯିବ ଏବଂ ଶିକ୍ଷା ଦିଆଯିବ। ଏଥିରେ କୁନ୍ନେ ସ୍ନାନ, ପଙ୍କ ପ୍ରଲେପ (ମଡ ପ୍ୟାକ), ସୂର୍ଯ୍ୟ ନମସ୍କାର, ରାତିରେ ଚନ୍ଦ୍ର ସ୍ନାନ, ଗରମ ଓ ଥଣ୍ଡା ପାଣିରେ ଅଣ୍ଟା ପର୍ଯ୍ୟନ୍ତ ଗାଧୁଆ ରହିବ। ନିରାମିଷ ଭୋଜନ ଓ ପରିଷ୍କାର ବସ୍ତ୍ର ପରିଧାନ, ଉପବାସ, ପ୍ରାର୍ଥନା, ମୌନ ଅବଲମ୍ବନ ଏବଂ ପ୍ରାଣାୟାମ ଆଦି ଚିକିତ୍ସା ପ୍ରକ୍ରିୟାରେ ସାମିଲ ହେବ। ଇନ୍ଦ୍ରଧନୁର ରଙ୍ଗକୁ ପାଣି ପାତ୍ରରେ ଦେଖିବା ଏବଂ ଖୋଲା ଆକାଶରେ ନକ୍ଷତ୍ରକୁ ଚାହିଁବା ଇଏ ବି ପ୍ରାକୃତିକ ଚିକିତ୍ସାର ଅଂଶ। ସୁସ୍ଥ ତଥା ଶାନ୍ତ ମନ ହିଁ ଅନେକ ରୋଗର ପ୍ରାକୃତିକ ଔଷଧ। ପ୍ରାକୃତିକ ଚିକିତ୍ସା ଉପରେ ଲୁଇ କୁନ୍ନେ ଏବଂ ଆଡଲ୍‌ଫ ଜଷ୍ଟଙ୍କ ଦ୍ୱାରା ଲିଖିତ ଅନେକ ଲେଖା ମୁଁ ପଢ଼ିଛି। କୁନ୍ନେଙ୍କ ନେଚର ଥେରାପିକୁ ଅନେକ ବିଦେଶୀ ରାଷ୍ଟ୍ରରେ ଏବେବି ଲୋକେ ପସନ୍ଦ କରନ୍ତି। ନେଚର କିଓର କେବଳ ଗରିବ ଲୋକଙ୍କ ଚିକିତ୍ସା ପଦ୍ଧତି କହି ପ୍ରକୃତିର ନିୟମକୁ ଉପହାସ କରିବା ଗ୍ରହଣୀୟ ନୁହେଁ।’
୧୯୧୩ ମସିହା ଜାନୁଆରି ୧୧ ତାରିଖରେ ‘ଇଣ୍ଡିଆନ ଓପିନିଅନ’ରେ ଗାନ୍ଧୀ ନିଜେ ଲେଖିଥିବା ଏକ ଲେଖା ସମ୍ପର୍କରେ କହିଲେ- ମୁଁ ଲେଖିଥିଲି, ଟିକିଏ ରୋଗ ହେଲେ ଡାକ୍ତର, ବୈଦ୍ୟ, ହାକିମ୍‌ଙ୍କ ପାଖକୁ ଦୌଡ଼ିବା ଆମ ସମସ୍ତଙ୍କର ଅଭ୍ୟାସ। ଯଦି କିଏ ଡାକ୍ତରଙ୍କ ପାଖକୁ ନ ଯାଇପାରନ୍ତି, ଅନ୍ୟ କାହାକୁ ପଚାରି ସେ ନିଜ ପାଇଁ ଔଷଧ କିଣି ଆଣି ଖାଇଥାଆନ୍ତି। ଔଷଧ ନ ଖାଇଲେ ଯେ ରୋଗ ଭଲ ହେବନି, ଆମର ଏ ଧାରଣା ରହିଛି। ପ୍ରକୃତରେ ଔଷଧ କେବଳ ରୋଗ ଲକ୍ଷଣର ଉପଶମ କରେ; ରୋଗର କାରଣ କିନ୍ତୁ ସେମିତି ଅପ୍ରତିହତ ଥାଏ। ଘର ଭିତରେ ଜମିଥିବା ମଇଳା ସଫା ନ କଲା ପର୍ଯ୍ୟନ୍ତ ଘରୁ ଯେପରି ଦୁର୍ଗନ୍ଧ ଯାଏନି, ଠିକ୍ ସେମିତି ଦେହ ଭିତରର ମଇଳା ସଫା ନ ହେଲା ପର୍ଯ୍ୟନ୍ତ ଦେହ ଭିତରେ ରୋଗ ଲୁଚି ରହିଥାଏ। ପ୍ରାକୃତିକ ଉପଶମରେ କେବଳ ରୋଗ ଭଲ ହୁଏନି, ଭବିଷ୍ୟତରେ ଯେପରି ରୋଗ ଆଉ ନ ହେବ ତା’ର ସୁରକ୍ଷା ଏ ଦେଇଥାଏ। ରୋଗ ଚିକିତ୍ସା ଠାରୁ ପ୍ରତିଷେଧକ ଭଲ।
ପ୍ରାକୃତିକ ଉପଶମ ସମ୍ପର୍କରେ ଗାନ୍ଧୀଜୀଙ୍କ ଠାରୁ ଏତେ ସବୁ ଶୁଣିଲା ପରେ ପଟେଲ ହସି ହସି ଉତ୍ତର ଦେଲେ, ‘ବାପୁ, ଆପଣଙ୍କ ବୟସ ବର୍ତ୍ତମାନ ଛଅସ୍ତରୀ ହେଲାଣି। ଏମିତି ତ ଏବେ ଆପଣଙ୍କ କାମ କିଛି କମ୍ ନାହିଁ। ଏ କାମ ପିଲାଙ୍କୁ ବୁଝିବାକୁ ଛାଡ଼ିଦେବା ଉଚିତ। ହଁ, ମୋର କାହିଁ ଭୟ ହୁଏ, ଲୋକଙ୍କ ଭିତରେ ଯେପରି ଏପରି ବିଶ୍ୱାସ ଆସି ନ ଯାଉ ଯେ ବାପୁ ଛୁଇଁ ଦେଲେ ରୋଗ ଭଲ ହୋଇଯାଏ।’
ପ୍ରାକୃତିକ ଉପଶମ ଏକ ଜୀବନଶୈଳୀ, ଦୀର୍ଘ ଦିନ ସୁସ୍ଥ ଭାବେ ବଂଚିବାର ଏହା ଏକ ସୁମାର୍ଗ ଏବଂ ଉପନିଷଦ୍‌ରେ ଯେଉଁ ୧୨୫ ବର୍ଷ ବଂଚିବା କଥା କୁହାଯାଇଛି, ଏହା ପ୍ରାକୃତିକ ଚିକିତ୍ସାକୁ ଆଧାର କରି କୁହାଯାଇଛି ବୋଲି ପଟେଲଙ୍କୁ ଗାନ୍ଧୀଜୀଙ୍କ ପାଲଟା ଉତ୍ତର ଥିଲା।
ମୋ: ୯୮୬୧୪୬୯୩୨୮