ଗୋଲ ଟେବୁଲ ବୈଠକ ବେଳେ ଗାନ୍ଧୀଜୀ ଲଣ୍ଡନରେ ଥିବା ସମୟରେ ଲଣ୍ଡନର ‘ଭେଜିଟାରିଆନ୍‌ ସୋସାଇଟି’ ତାଙ୍କର ଏକ ସ୍ୱତନ୍ତ୍ର ଅଧିବେଶନରେ ଅତିଥି ଭାବେ ଯୋଗ ଦେବାକୁ ଗାନ୍ଧୀଜୀଙ୍କୁ ନିମନ୍ତ୍ରିତ କରିଥିଲେ। ଏଥିରେ ବିଶିଷ୍ଟ ଲେଖକ ତଥା ନିରାମିଷ ଭୋଜନର ତତ୍ତ୍ୱବିତ୍‌ ଓ ପ୍ରବକ୍ତା ହେନେରି ସଲ୍‌ଟ ଯୋଗଦେବେ ବୋଲି ଗାନ୍ଧୀଙ୍କୁ ସୂଚେଇ ଦିଆଯାଇଥିଲା। ସଲ୍‌ଟ ଥିଲେ ‘ଲଣ୍ଡନ ଭେଜେଟାରିଆନ୍ ସୋସାଇଟି’ର ପ୍ରତିଷ୍ଠାତା।
୧୮୮୮ରୁ ୧୮୯୧ ମସିହାରେ ଲଣ୍ଡନରେ ଆଇନ ପାଠ ପଢ଼ିବାବେଳେ ହେନେରି ସଲ୍‌ଟଙ୍କ ସହ ପରିଚୟ ହୋଇଥିଲା ଗାନ୍ଧୀଙ୍କର। ନିରାମିଷ ଖାଦ୍ୟ ଉପରେ ସଲ୍‌ଟ ଏକ ବହି ଲେଖିଥିଲେ। ବହିର ନାଁ ଥିଲା ‘ଏ ପ୍ଲି ଫର୍‌ ଭେଜିଟାରିଆନଜିମ୍।’ ସଲ୍‌ଟ ଲେଖିଥିଲେ, ଧର୍ମ ପରମ୍ପରା ଓ ପ୍ରଥା ଶାକାହାରୀ ଭୋଜନର ଆଧାର ନ ହୋଇ ନୈତିକତା, ସ୍ୱାସ୍ଥ୍ୟ, ଅର୍ଥନୀତି ଆଧାର ହେବା ଉଚିତ। ସଲ୍‌ଟଙ୍କ ଏ ବହି ଗାନ୍ଧୀଜୀ ପଢ଼ିଥିଲେ ଏବଂ ଖୁବ୍ ପ୍ରଭାବିତ ହୋଇଥିଲେ।
ଗାନ୍ଧୀଜୀ ଆଜୀବନ ଶାକାହାରୀ ଥିଲେ। ଏହାର ଦୁଇଟି କାରଣ ଥିଲା। ପ୍ରଥମ ଥିଲା ପାରିବାରିକ ପରମ୍ପରା ଓ ଦ୍ବିତୀୟଟି ଥିଲା ମା’ ପୁତୁଲିବାଇଙ୍କ ପାଖରେ ଗାନ୍ଧୀ କରିଥିବା ଏକ ସଂକଳ୍ପ। ପରମ୍ପରା ଥିଲା ଏମିତି, ପୋରବନ୍ଦରରେ ଗାନ୍ଧୀ ପରିବାରର ସମସ୍ତେ ନିରାମିଷାଶୀ ଥିଲେ। ଗାନ୍ଧୀଙ୍କ ମା’ ପୁତୁଲିବାଇ ଆମିଷ ଭୋଜନକୁ କେବଳ ଘୃଣା କରୁ ନ ଥିଲେ, ଏହାକୁ ଏକ ପାପ ବୋଲି କହୁଥିଲେ। ପୁତୁଲିବାଇ ଥିଲେ ବୈଷ୍ଣବପନ୍ଥୀ।
ଗାନ୍ଧୀଜୀଙ୍କ ଶାକାହାରୀ ଜୀବନରେ ମା’ଙ୍କ ଆଗରେ ରଖିଥିବା ବ୍ରତ ଥିଲା ଗୁରୁତ୍ୱପୂର୍ଣ୍ଣ, ଏକ ଅଭଙ୍ଗା ସଂକଳ୍ପ। ୧୮୮୮ରେ ଲଣ୍ଡନରେ ପଢ଼ିବାକୁ ଆସିବା ବେଳେ ମା’ ପୁତୁଲିବାଇ ଗାନ୍ଧୀଙ୍କ ବେକରେ ଏକ ତୁଳସୀ ମାଳ ପିନ୍ଧେଇ ଦେଇ କହିଥିଲେ, ‘ମନୁ, ମୋତେ କଥା ଦେ, ବିଦେଶରେ ମାଂସ ଖାଇବୁ ନାହିଁ, କିମ୍ବା ମଦ ପିଇବୁ ନାହିଁ।’ ଗାନ୍ଧୀ ଏ ସବୁ ନ କରିବାକୁ ମା’ଙ୍କୁ କଥା ଦେଇଥିଲେ। ଏ କଥା, ଏ ସଂକଳ୍ପ ଗାନ୍ଧୀଙ୍କ ପାଇଁ ଜୀବନ ବ୍ୟାପି ଏକ ବ୍ରତ ହୋଇ ଯାଇଥିଲା।
୧୮୯୧ ମସିହାରେ ‘ଲଣ୍ଡନ ଭେଜିଟାରିଆନ୍ ସୋସାଇଟି’ର ଏକ ସକ୍ରିୟ ସଭ୍ୟ ହୋଇ ଯାଇଥିଲେ ଗାନ୍ଧୀ। ସୋସାଇଟିର ପ୍ରତ୍ୟକ ମିଟିଙ୍ଗ୍‌ରେ ଗାନ୍ଧୀଜୀ ଯୋଗ ଦେଉଥିଲେ। ଆଲୋଚନାରେ ଭାଗ ନେଉଥିଲେ। ଶାକାହାର ନେଇ ଭାରତୀୟ ଦୃଷ୍ଟିଭଙ୍ଗୀ ରଖୁଥିଲେ। ଜୋସିଆ ଓଲ୍‌ଡଫିଲଡ୍‌ଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଭେଜିଟାରିଆନ୍‌’ ପତ୍ରିକାରେ ନିରାମିଷ ଖାଦ୍ୟ ଉପରେ ଥିବା ଭାରତୀୟ ଧାର୍ମିକ ପରମ୍ପରା, ଚଳଣି ନେଇ ଗାନ୍ଧୀ ନିୟମିତ ସ୍ତମ୍ଭ ଲେଖିଥିଲେ।
ଗାନ୍ଧୀଜୀ କେବଳ ଅଭ୍ୟାସରେ ନିରାମିଷାଶୀ ନ ଥିଲେ, ନିରାମିଷ ଭୋଜନ ଉପରେ ଗାନ୍ଧୀଜୀଙ୍କ ଅନେକ ଅଧ୍ୟୟନ ବି ଥିଲା। ତିନିଟି ବହି ସେ ଲେଖିଥିଲେ- ‘କି ଟୁ ହେଲ୍‌ଥ’, ‘ଡାଏଟ୍‌ ଆଣ୍ଡ୍‌ ଡାଏଟ୍‌ ରିଫର୍ମସ୍‌’ ଓ ‘ମୋରାଲ୍‌ ବେସିସ୍‌ ଅଫ୍ ଭେଜିଟାରିଆନିଜିମ୍‌’। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ନିଜ ସମ୍ପାଦନାରେ ପ୍ରକାଶିତ ‘ଇଣ୍ଡିଆନ୍‌ ଓପିନିଅନ୍‌’ ପତ୍ରିକାରେ ଖାଦ୍ୟ ସଂସ୍କାର ସମ୍ପର୍କରେ ଅନେକ ପ୍ରବନ୍ଧ ପ୍ରକାଶ କରିଥିଲେ।
ସୋସାଇଟିର ଏକ ବିଶେଷ ଅଧିବେଶନରେ ଯୋଗ ଦେବାକୁ ଗାନ୍ଧୀଜୀ ଯେତେବେଳେ ନିମନ୍ତ୍ରଣ ପାଇଲେ, ସେ ତାକୁ ପ୍ରତ୍ୟାଖ୍ୟାନ କରି ପାରି ନ ଥିଲେ। ମିଟିଙ୍ଗ୍‌ର ତାରିଖ ଓ ସ୍ଥାନ ଥିଲା ୧୯୩୧ ମସିହା ନଭେମ୍ବର ୨୦ ତାରିଖ, ‘ଲଣ୍ଡନ ଭେଜିଟାରିଆନ୍‌ ସୋସାଇଟି’ର ସମ୍ମିଳନୀ କକ୍ଷ। ସେଦିନ ନିରାମିଷ ଭୋଜନ ବା ‘ଭେଜିଟାରିଆନିଜିମ୍‌’ ଉପରେ ଗାନ୍ଧୀଜୀଙ୍କ ଭାଷଣ ଥିଲା ଅନନ୍ୟ। ଗାନ୍ଧୀଜୀଙ୍କ ଭାଷଣ ଦୁଇ ଭାଗରେ ବିଭକ୍ତ ଥିଲା। ପ୍ରଥମେ ଖାଦ୍ୟ ସଂସ୍କାର ନେଇ ଗାନ୍ଧୀ ନିଜ ଅନୁଭୂତି ଓ ଅନୁଭୂତି ପ୍ରସୂତ ଦର୍ଶନ କଥା କହିଥିଲେ ଏବଂ ଦ୍ବିତୀୟ ଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା।
ଗାନ୍ଧୀଙ୍କ ଭାଷଣ ଥିଲା- ‘ଚାଳିଶି ବର୍ଷର ସ୍ମୃତି ମୋତେ ଏଠାକୁ ଆକର୍ଷିତ କରି ନେଇଆସିଛି। ମୁଁ କେବେ ଭାବି ନ ଥିଲି, ଏମିତି ଏକ ଦିନ ଆସିବ ମୁଁ ହେନେରି ସଲ୍‌ଟଙ୍କ ସହ ସଭା ମଞ୍ଚରେ ଏକାଠି ବସି ଭେଜେଟାରିଆନିଜିମ୍‌ ଉପରେ ଭାଷଣ ଦେବି।’
ଗାନ୍ଧୀଜୀ ତାଙ୍କ ପାଠପଢ଼ା ଜୀବନ କଥା ମନେ ପକାଇ କହିଲେ, ‘ଚାରି ଦଶନ୍ଧି ତଳେ ଲଣ୍ଡନରେ ଖୁବ୍ କମ୍ ନିରାମିଷ ରେଷ୍ଟୁରାଣ୍ଟ ଥିଲା। ମୁଁ ପ୍ରାୟ ସବୁ ନିରାମିଷ ରେଷ୍ଟୁରାଣ୍ଟକୁ ଯାଇଛି। ରେଷ୍ଟୁରାଣ୍ଟରେ ସବୁଠି ନିରାମିଷ ଖାଦ୍ୟ ଉପରେ ଭଲ ଆଲୋଚନା ହେଉଥିଲା। ରୋଗରୁ ଭଲ ହେବାକୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯେ ନିରାମିଷାଶୀ ହେବା ଉଚିତ, ପ୍ରାୟ ସମସ୍ତ ଶାକାହାରୀମାନେ ଯୁକ୍ତି ରଖୁଥିଲେ। ମୁଁ କିନ୍ତୁ ଏହାକୁ ସମର୍ଥନ କରି ପାରି ନ ଥିଲି। କହିଥିଲି, ଅନେକ ମାଂସାହାରୀ ବି ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟବାନ୍।’
ଗାନ୍ଧୀଜୀ ଟିକିଏ ବିରାମ ନେଇ ପ୍ରଶ୍ନ କଲେ, ‘ଆପଣମାନେ ପ୍ରଶ୍ନ କରିପାରନ୍ତି, ନିରାମିଷ ଖାଦ୍ୟକୁ ସମର୍ଥନ କରିବାରେ ମୋର ଆଧାର କ’ଣ? ମୋର ଉତ୍ତର ହେଲା, ନୈତିକତାକୁ ମୁଁ ମୋ ନିରାମିଷ ଭୋଜନ ଅଭ୍ୟାସର ଏକ ବଳିଷ୍ଠ ଆଧାର ବୋଲି ଗ୍ରହଣ କରିଛି।’
ଗାନ୍ଧୀଜୀ ପୁଣି ପ୍ରଶ୍ନ ଛଳରେ କହିଲେ, ‘ଆପଣମାନେ ପ୍ରଶ୍ନ ମଧ୍ୟ କରିପାରନ୍ତି, ଏ ନୈତିକ ଆଧାର କ’ଣ? ମୋର ଉତ୍ତର ହେଉଛି- ସ୍ୱାଦ ପାଇଁ ଖାଦ୍ୟ ଖିଆ ଯାଏନି। କେବଳ ଶରୀର ଧାରଣ ପାଇଁ ଖାଦ୍ୟ ଦରକାର। ଆମେ ଆମ ଶାରୀର ଓ ଜିହ୍ୱାର ସନ୍ତୁଷ୍ଟି ପାଇଁ ଅନେକ ପଶୁ ହତ୍ୟା ବି କରୁଛୁ। ଦୈହିକ ସୁଖ ନିମନ୍ତେ ଏ ପଶୁ ହତ୍ୟା ଅନୈତିକ ଓ ଧର୍ମବିରୋଧୀ। ସତ କଥା ହେଲା, ମଣିଷ ମାଂସାଶୀ ହୋଇ ଜନ୍ମ ହୋଇ ନାହିଁ ଏବଂ ଶାକାହାରୀ ହେବାକୁ ମାନସିକ ଦୃଢ଼ତା ଦରକାର।’
ଗାନ୍ଧୀଜୀ ଭାଷଣ ଶେଷ କରି ଶ୍ରୋତାଙ୍କଠାରୁ ପ୍ରଶ୍ନ ଅପେକ୍ଷାରେ ଥିଲେ। ଜଣେ ଶ୍ରୋତା ପ୍ରଶ୍ନ କଲେ, ‘ମିଷ୍ଟର ଗାନ୍ଧୀ, ଆପଣ ଆପଣଙ୍କ ଦୈନିକ ଖାଦ୍ୟ ସର୍ବାଧିକ ପାଞ୍ଚ ପ୍ରକାରରେ କାହିଁକି ସୀମିତ କରୁଛନ୍ତି? ଗାନ୍ଧୀଙ୍କ ଉତ୍ତର ଥିଲା, ‘୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ଅନେକ ବନ୍ଧୁ ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କରି ଅନେକ ସୁସ୍ୱାଦୁ ଭୋଜନ ପରଷୁ ଥିଲେ। ମୁଁ ନିଜକୁ ନିଜେ ପ୍ରଶ୍ନ କଲି, ମୁଁ ଭାରତକୁ ସେବା କରିବାକୁ ଆସିଛି ନା ନିଜର ଅକାଳ ମୃତ୍ୟୁକୁ ଆହ୍ୱାନ କରିବାକୁ ଆସିଛି? ଖାଦ୍ୟର ଅବାଂଛିତ ବହୁବିଧ ମିଶ୍ରଣକୁ ସହ୍ୟ କରିବାକୁ ମଣିଷର ପାକସ୍ଥଳୀ ସକ୍ଷମ ନୁହେଁ କିମ୍ବା ମଣିଷର ପେଟ ଏକ ଡଷ୍ଟବିନ୍‌ ନୁହେଁ। ପ୍ରକୃତରେ ମୋର ସୀମିତ ଖାଦ୍ୟ ଅଭ୍ୟାସ ଯୋଗୁଁ ଭାରତ ଭ୍ରମଣରେ ଗ୍ରାମାଞ୍ଚଳକୁ ଗଲାବେଳେ ମୁଁ ମୋ ପାଇଁ ଖାଦ୍ୟ ପାଇବାରେ କିଛି ଅସୁବିଧା ହେଉନି। ନୈତିକ ଓ ଆର୍ଥିକ ଦୃଷ୍ଟିରୁ ଏ ମୋର ନୂଆ ଆବିଷ୍କାର।’
ଗାନ୍ଧୀଜୀଙ୍କ ଭାଷଣ ଶେଷରେ ଧନ୍ୟବାଦ ଦେଇ ଉଦ୍‌ଘୋଷକ କହିଥିଲେ, ‘ଗାନ୍ଧୀ ଖାଲି ଜଣେ ଅହିଂସ ସତ୍ୟାଗ୍ରାହୀ ନୁହନ୍ତି, ସେ ଜଣେ ମାନବଧର୍ମୀ ସଂସ୍କାରକ ବି।’
ମୋ: ୯୮୬୧୪୬୯୩୨୮