୧୯୩୨ ମସିହା ମେ’ ମାସ ୯ ତାରିଖରେ, ସର୍ଦ୍ଦାର ପଟେଲଙ୍କ ସହ ଗୋଟିଏ କୋଠରିରେ ରହୁଥିବା ୟେରୱାଡ଼ା ଜେଲ୍ରୁ ଗାନ୍ଧୀଜୀ ସାବରମତି ଆଶ୍ରମର ପିଲାଙ୍କ ପାଖକୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ପରିବେଶ ଓ ସ୍ୱଚ୍ଛତା ସମ୍ପର୍କରେ ଲେଖିଥିଲେ।
ଚିଠିରେ ଗାନ୍ଧୀଜୀ ଏକ ଆଖିଦେଖା ଦୃଶ୍ୟର ବର୍ଣ୍ଣନା ଦେଇଥିଲେ। ଗାନ୍ଧୀ ଲେଖିଥିଲେ, ‘ଆମ ଏଇ ଜେଲ୍ ଅଗଣାରେ ଗୋଟିଏ ବିଲେଇ ଦୁଇଟି ଛୁଆ ଜନ୍ମ କରିଛି। ପ୍ରାୟ ଦେଢ଼ ମାସ ହୋଇଗଲାଣି। ମୁଁ ଦେଖୁଛି, ପ୍ରତିଦିନ ସେ ତା’ ଛୁଆ ଦୁଇଟିକୁ ଏକ ନିଛାଟିଆ ଜାଗାକୁ ନେଇଯାଏ। ନରମ ମାଟି ଦେଖି ନିଜ ଗୋଡ଼ରେ ଗାତ ଖୋଳିଦିଏ। ପିଲାଙ୍କୁ ତା’ର ସେଠି ମଳତ୍ୟାଗ କରାଏ। ସେଇ ଗାତକୁ ପୁଣି ମାଟିରେ ପୋତି ସମତୁଲ କରିଦିଏ। ଏବଂ ଗନ୍ଧ ହେଉଛି କି ନାହିଁ ଜାଣିବା ପାଇଁ ପୋତା ମାଟିକୁ ସେ ଶୁଂଘିଦିଏ। ଯଦି ଛୋଟ ବିଲେଇଟି ସ୍ୱଚ୍ଛତା ଓ ପରିବେଶ ପ୍ରତି ଏତେ ସଚେତନ, ଆମେ କାହିଁକି ହୋଇ ପାରିବାନି? ବିଲେଇ ଏବେ ମୋ ଶିକ୍ଷକ। ସ୍ୱଚ୍ଛତା ଯେ ସୌନ୍ଦର୍ଯ୍ୟ ଓ ପବିତ୍ରତା ଏହା ମୋତେ ବି ସେ ଶିଖେଇଦେଇଛି।’
ଗାନ୍ଧୀ ପରିବେଶ ପ୍ରଦୂଷଣ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ଦକ୍ଷିଣ ଆଫ୍ରିକାରୁ, ଯେତେବେଳେ ସନ୍ତୁଳିତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ଏକ ପ୍ରସଙ୍ଗ ହିଁ ନ ଥିଲା। ସେଥିପାଇଁ ଗାନ୍ଧୀଜୀଙ୍କୁ ପ୍ରାଚୀନତମ ପରିବେଶବିତ୍ଙ୍କ ମଧ୍ୟରେ ଅନ୍ୟତମ ଭାବେ ଗ୍ରହଣ କରାଯାଏ।
୧୮୯୯ ମସିହାରେ ବୋଅର୍ ଯୁଦ୍ଧ ପରେ ଇଂରେଜମାନେ ଟ୍ରାନ୍ସବାହାଲ୍ର ଜୋହାନ୍ସବର୍ଗ ଦଖଲ କରିନେଇଥିଲେ। ସେଠାର ସୁନାଖଣି ସେମାନଙ୍କ ପାଇଁ ବଡ଼ ଆକର୍ଷଣ ଥିଲା। ଆହୁରି ଆକର୍ଷଣ ନିମନ୍ତେ, ଜୋହାନ୍ସବର୍ଗରେ ବ୍ୟାପକ ସହରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଅଖିବୁଜା ଗଛ କଟା ଯାଇଥିଲା। ପାହାଡ଼ ଭାଙ୍ଗି ରାସ୍ତା, ହୋଟେଲ ଓ ସୁଦୃଶ୍ୟ ଅଟ୍ଟାଳିକା ତିଆରି ହୋଇଥିଲା। ସହରସାରା ଧୂଳିରେ ପୂର୍ଣ୍ଣ ହୋଇଯାଇଥିଲା। ଦିନବେଳା ସହରରେ ବି ଆଲୁଅ ଜଳୁଥିଲା। ଗାନ୍ଧୀଜୀ ଏହାକୁ ପ୍ରକୃତି ଓ ପରିବେଶ ବିରୋଧୀ ବୋଲି କହିଲେ। ଏଥିନେଇ ୧୯୧୦ ମସିହା ଫେବ୍ରୁଆରି ୫ ତାରିଖ ‘ଇଣ୍ଡିଆନ୍ ଓପିନିଅନ୍’ରେ ଗାନ୍ଧୀଜୀଙ୍କ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା। ପ୍ରବନ୍ଧର ଶିରୋନାମା ଥିଲା ‘ପ୍ରକୃତି ଓ ସଭ୍ୟତା’ (ନେଚର୍ ଆଣ୍ଡ୍ ସିଭିଲାଇଜେସନ୍)। ପ୍ରବନ୍ଧରେ ଗାନ୍ଧୀଜୀ ଲେଖିଥିଲେ, ‘ପ୍ରକୃତି ନିଜେ ପ୍ରସ୍ତୁତ କରିଥିବା ତା’ର ଏକ ନିୟମ ଅନୁସାରେ ଚାଲେ। ଏଥିରେ ବାହ୍ୟ ଶକ୍ତିର କୌଣସି ନିୟନ୍ତ୍ରଣ କିମ୍ବା ପ୍ରତିରୋଧ ଆସିଲେ ସେ ତା’ର ପ୍ରତିକ୍ରିୟା ଦେଖାଏ। ଏହା ପ୍ରାକୃତିକ ପରିବର୍ତ୍ତନ।’
ଗାନ୍ଧୀଜୀ ତାଙ୍କ ଲେଖାରେ ପ୍ୟାରିସ୍ରେ ଘଟିଥିବା ଏକ ବିପର୍ଯ୍ୟୟର ଉଦାହରଣ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ, ‘ଏଇ ଅଳ୍ପଦିନ ତଳେ ପ୍ୟାରିସ୍ରେ ପ୍ରବଳ ବର୍ଷା ହୋଇଥିଲା। ନଦୀରେ ବନ୍ୟା ଆସିଥିଲା। ବନ୍ୟାର ଶ୍ରୋତ ଏତେ ପ୍ରଖର ଥିଲା ଯେ ଏଥିରେ ଅଧା ସହର ଭାସିଯାଇଥିଲା। ବଡ଼ ବଡ଼ କୋଠା ଘର ଭୁଶୁଡ଼ି ପଡ଼ିଥିଲା। ଲକ୍ଷ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ରାସ୍ତା ଧୋଇ ଯାଇଥିଲା। ହଜାର ହଜାର ଲୋକ ବନ୍ୟାରେ ଓ ମାଟିତଳେ ପୋତି ହୋଇ ମୃତ୍ୟୁବରଣ କରିଥିଲେ। ଭୋକିଲା ମୂଷାମାନେ ଛୋଟ ପିଲାମାନଙ୍କୁ ଆକ୍ରମଣ କରିଥିଲେ। ଆଉ କିଛିଦିନ ବର୍ଷା ଲାଗି ରହିଥିଲେ ସମ୍ପୂର୍ଣ୍ଣ ପ୍ୟାରିସ୍ ସହର ଭାସି ଯାଇଥାଆନ୍ତା। ଏହା ଥିଲା ପ୍ରକୃତିର ଚେତାବନୀ। ପ୍ୟାରିସ୍ର ଆଧୁନିକ ସ୍ଥପତିମାନେ ସହରକୁ ଏକ ସ୍ଥାୟୀ ଓ ଆଧୁନିକ ସୁନ୍ଦର ସହର ଭାବେ ନିର୍ମାଣ କରିଛନ୍ତି ବୋଲି ଯେଉଁ ଗର୍ବ କରୁଥିଲେ, ତାହା ଭାଙ୍ଗି ଯାଇଥିଲା।’ ଗାନ୍ଧୀଜୀ ପୁଣି ଉଲ୍ଲେଖ କରିଥିଲେ, ‘ପ୍ୟାରିସ୍ ଇଞ୍ଜିନିଅର୍ମାନେ ପୁନର୍ବାର ଭିତ୍ତିଭୂମି ତିଆରି କରିବେ। ଏହାକୁ ଶିଳ୍ପାୟନ ବିକାଶ ଓ ପ୍ରଗତିର ନଁା ଦେବେ। ବାସ୍ତବରେ ପାର୍ଥିବ ଭୋଗ ପ୍ରତି ଆମର ମୋହ କମୁନି। ଏହା ଏକ ପାଗଳ ଆସକ୍ତି, ଅବ୍ସେସନ୍।’
ଗାନ୍ଧୀଜୀଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ, ଉପଭୋକ୍ତାବାଦୀ ଆସକ୍ତିରୁ ବଂଚିବାର ଉପାୟ କ’ଣ? ବ୍ୟାପକ ଶିଳ୍ପାୟନରୁ ସୃଷ୍ଟ ଶିଳ୍ପବାଦ (ଇଣ୍ଡଷ୍ଟ୍ରିଆଲିଜିମ୍)ର ବିକଳ୍ପ କ’ଣ? ଗାନ୍ଧୀ ଉତ୍ତର ଦିଅନ୍ତି, ‘ଏହାର ବିକଳ୍ପ ହେଉଛି ସରଳ ଜୀବନଯାପନ। ଏହା ପ୍ରତି ମଣିଷର ପାଇଁ ବଂଚିବାର ସଂସ୍କୃତି ହେବା ଉଚିତ। କାରଣ ବିବେକବିହୀନ ବିଳାସ ଏକ ପାପ। ସମସ୍ତଙ୍କ ଚାହିଦାର ପୂର୍ତ୍ତି ପାଇଁ ଏ ଧରିତ୍ରୀ ସବୁ ସଂପତ୍ତି ସାଇତି ରଖିଛି, କିନ୍ତୁ ଜଣେ ମାତ୍ର ବ୍ୟକ୍ତିର ଲୋଭକୁ ମେଂଟାଇବା ପାଇଁ ଧରିତ୍ରୀ ମା’ର ଏ ସଂପତ୍ତି ଯଥେଷ୍ଟ ନୁହେଁ।’
ଶିଳ୍ପାୟନରୁ ସୃଷ୍ଟ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ନେଇ ଗାନ୍ଧୀଜୀଙ୍କ ମନ୍ତବ୍ୟର ଏକ ମୃଦୁବିରୋଧୀ ପ୍ରତିକ୍ରିୟା ଆସିଥିଲା ବିଶିଷ୍ଟ ଲେଖକ ବର୍ଟ୍ରାଣ୍ଡ୍ ରସେଲ୍ଙ୍କ ଠାରୁ। ରସେଲ୍ଙ୍କ ପ୍ରତିକ୍ରିୟା ଥିଲା, ‘ଶିଳ୍ପାୟନ ଏକ ଆବଶ୍ୟକତା, ଏଥିରେ ଭାରତ ବି ଦିନେ ବୁଡ଼ିଯିବ।’
ଗାନ୍ଧୀଜୀ ଏହାର ଏକ ଉତ୍ତର ଦେଇ ଏକ ପ୍ରବନ୍ଧ ଲେଖିଥିଲେ ୧୯୨୫ ମସିହା ଅଗଷ୍ଟ ୬ ତାରିଖ ‘ୟଙ୍ଗ୍ ଇଣ୍ଡିଆ’ରେ। ପ୍ରବନ୍ଧ ନଁା ଥିଲା ‘ସଇତାନ୍ର ଫାଶ’ (ସ୍ନେଆର୍ ଅଫ୍ ସଇତାନ୍)। ଗାନ୍ଧୀ ଲେଖିଥିଲେ, ୟୁରୋପୀୟ ଲେଖକମାନେ ଅତୀତର ଅନୁଭୂତିକୁ ମନେ ରଖୁ ନାହାନ୍ତି। ପ୍ରଚଣ୍ଡ ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ଦିନେ ରୋମ, ଗ୍ରୀସ୍, ବେବିଲୋନ ଓ ମିଶର୍ ସଭ୍ୟତା ଧ୍ବଂସ ପାଇଯାଇଥିଲା। ପ୍ରକୃତରେ ମୁଁ ସୀମିତ ଶିଳ୍ପାୟନକୁ ବିରୋଧ କରେନି। କିନ୍ତୁ ଶିଳ୍ପାୟନ ନଁାରେ ଯେଉଁ ବଡ଼ବଡ଼ ଶିଳ୍ପ କାରଖାନାର ପ୍ରତିଷ୍ଠା ହୁଏ ଓ ତା’ର ପ୍ରସ୍ତୁତ ପଦାର୍ଥକୁ ନେଇ ଯେଉଁ ଆର୍ଥିକ ତଥା ସାମାଜିକ ଧାରାଟିଏ ସୃଷ୍ଟି ହୁଏ, ତାକୁ ମୁଁ ବିରୋଧ କରେ। ଏହାହିଁ ଶିଳ୍ପବାଦ। ଏହା ସମସ୍ତ ପ୍ରକାରର ସ୍ଖଳନ ପାଇଁ ଦାୟୀ। ଭବିଷ୍ୟତରେ ସଭ୍ୟତାର ଧ୍ବଂସ ଓ ବେକାରୀ ବୃଦ୍ଧି ପାଇଁ ଏହା ବି ଦିନେ ବାଟ ଉନ୍ମୁକ୍ତ କରିଦେବ। ଅତ୍ୟଧିକ ଶିଳ୍ପାୟନର ପ୍ରଭାବ ହୁଏତ ୟୁରୋପ ସହ୍ୟ କରିପାରେ କିନ୍ତୁ ଭାରତ ଓ ଆଫ୍ରିକା ପାଇଁ ଏହା ସହ୍ୟ କରିବା ଅସମ୍ଭବ ହେବ।’
ଗାନ୍ଧୀଜୀଙ୍କ ଆବେଦନ ଥିଲା, ‘ଏ ପୃଥିବୀ ଓ ପ୍ରକୃତି ସବୁଠାରୁ ସୁନ୍ଦର। ୟା’କୁ ଭଲପାଅ।’
ଆମ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏହା ହିଁ ତ ଏବେ ଆହ୍ୱାନ।
ମୋ: ୯୮୬୧୪୬୯୩୨୮
ଗାନ୍ଧୀ ଦୃଷ୍ଟି: ଗାନ୍ଧୀଜୀଙ୍କ ପରିବେଶ ଚିନ୍ତା
୧୯୩୨ ମସିହା ମେ’ ମାସ ୯ ତାରିଖରେ, ସର୍ଦ୍ଦାର ପଟେଲଙ୍କ ସହ ଗୋଟିଏ କୋଠରିରେ ରହୁଥିବା ୟେରୱାଡ଼ା ଜେଲ୍ରୁ ଗାନ୍ଧୀଜୀ ସାବରମତି ଆଶ୍ରମର ପିଲାଙ୍କ ପାଖକୁ ଏକ ଚିଠି ଲେଖିଥିଲେ।