ଦକ୍ଷିଣ ଆଫ୍ରିକାରେ ଥିବାବେଳେ ଖାଦ୍ୟ ସଂସ୍କାର ଉପରେ ଗାନ୍ଧୀଜୀଙ୍କର ଏକ ବହି ପ୍ରକାଶ ପାଇଥିଲା। ବହିର ନାଁ ଥିଲା ‘ଏ ଗାଇଡ୍ ଟୁ ହେଲ୍‌ଥ।’ ଖାଦ୍ୟ ଓ ସ୍ୱାସ୍ଥ୍ୟ ସଚେତନତା ନେଇ ୧୯୦୬ ମସିହାରୁ ‘ଇଣ୍ଡିଆନ୍‌ ଓପିନିଅନ୍‌’ ପତ୍ରିକାରେ ଗାନ୍ଧୀ ଲେଖିଥିବା ପ୍ରବନ୍ଧ ସମୂହର ଏହା ଏକ ସଂକଳନ ପୁସ୍ତକ ଥିଲା। ଏ ବହିର ଆଦୃତି ଓ ଜନପ୍ରିୟତା ୟୁରୋପରେ ବେଶୀ ଥିଲା, ଖୁବ୍ କମ୍ ଭାରତୀୟ ଏ ବହି ବିଷୟରେ ଜାଣିଥିଲେ। ‘ଏ ଗାଇଡ୍‌ ଟୁ ହେଲଥ୍’କୁ ଆଧାର କରି ୧୯୪୨ ମସିହାରେ ଆଗା ଖାଁ ପାଲେସରେ ‘କି ଟୁ ହେଲଥ୍’ ନାଁରେ ଗାନ୍ଧୀଜୀ ଅନ୍ୟ ଏକ ବହି ଲେଖିଥିଲେ। ଏଇ ନୂଆ ବହିର ମୁଖବନ୍ଧରେ ମୂଳ ପୁସ୍ତକ ‘ଗାଇଡ୍ ଟୁ ହେଲ୍‌ଥ’ ସମ୍ପର୍କରେ ଗାନ୍ଧୀ ନିଜେ ଏକ ବିସ୍ତୃତ ବିବରଣୀ ଦେଇଥିଲେ। ସେ ଲେଖିଥିଲେ, “ମୁଁ ‘ଇଣ୍ଡିଆନ୍‌ ଓପିନିଅନ୍‌’ରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସାଧାରଣ ଜ୍ଞାନ ନେଇ ଅନେକ ପ୍ରବନ୍ଧ ଲେଖିଥିଲି। ଦକ୍ଷିଣ ଆଫ୍ରିକାରେ ଥିବା ଅନେକ ଭାରତୀୟ ମୋର ଏ ପ୍ରବନ୍ଧର ପାଠକ ଥିଲେ। ଦୀର୍ଘ କୋଡ଼ିଏ ବର୍ଷ ଧରି ଖାଦ୍ୟ ସହ ମୁଁ କରିଥିବା ବ୍ୟକ୍ତିଗତ ପରୀକ୍ଷା, ଅନୁଭୂତି ଓ ଅଧ୍ୟୟନକୁ ଆଧାର କରି ଏ ଲେଖା ଲେଖିଥିଲି। ଏହାର ପ୍ରଥମ ଇଂରେଜୀ ଅନୁବାଦ ପ୍ରକାଶ ପାଇଥିଲା ଲଣ୍ଡନରେ। ୟୁରୋପର ବିଭିନ୍ନ ଭାଷାରେ ଏହା ଅନୂଦିତ ହୋଇ ପ୍ରସାରିତ ହୋଇଥିଲା। ମୁଁ ଯେତେ ବହି ଲେଖିଛି ସବୁଠାରୁ ବେଶୀ ଜନପ୍ରିୟତା ହାସଲ କରିଥିଲା ‘ଗାଇଡ୍ ଟୁ ହେଲ୍‌ଥ’। ଅବଶ୍ୟ ଏ ଜନଆଦୃତିର ସଠିକ୍ କାରଣ କ’ଣ ମୁଁ ଜାଣେନି; ହୋଇପାରେ ମୋ ଲେଖାରେ କିଛି ପାରମ୍ପରିକ ରୁଢ଼ିବାଦୀ ଚିନ୍ତା ନ ଥାଇ କିଛି ନୂତନତା ଅଛି ଯାହା ଆଗ୍ରହ ସୃଷ୍ଟି କରିଛି।’
ମସଲାଯୁକ୍ତ ଖାଦ୍ୟ ନେଇ ଗାନ୍ଧୀଙ୍କର ଏକ ଲେଖା ପ୍ରକାଶ ପାଇଥିଲା ୧୯୧୩ ମାର୍ଚ୍ଚ ୨୯ ତାରିଖ ‘ଇଣ୍ଡିଆନ୍‌ ଓପିନିଅନ୍‌’ରେ। ପ୍ରାରମ୍ଭରେ ଗାନ୍ଧୀ ସୂଚେଇ ଦେଇଥିଲେ, ‘ଆମେ ସବୁ କେମିତି ଏକ ଅନ୍ଧବିଶ୍ୱାସରେ ଅଛୁ। ସେ ଅନ୍ଧବିଶ୍ୱାସ ହେଉଛି, ଔଷଧ ନ ଖାଇଲେ ରୋଗ ଭଲ ହେବନି। ସେଇଥିପାଇଁ ରୋଗ ହେବା ମାତ୍ରେ ଆମେ ଡାକ୍ତର ଓ ବୈଦ୍ୟଙ୍କ ପାଖକୁ ଚାଲିଯାଉଛୁ। ବେଳେବେଳେ ପଡ଼ୋଶୀଙ୍କୁ ପଚାରି ବି ଔଷଧ ଆଣି ଖାଉଛୁ। ଶହ ଶହ ବର୍ଷ ଧରି ଆମକୁ ଯେଉଁ ବୁଝେଇ ଦିଆଯାଇଥିଲା ଯେ ପ୍ରତିଷେଧକ ହିଁ ରୋଗ ଚିକିତ୍ସା ଠାରୁ ଅଧିକ ଭଲ, ତାକୁ ଆମେ ଯେପରି ସମ୍ପୂର୍ଣ୍ଣ ଭୁଲିଗଲୁଣି।’
ମସଲା ଖାଦ୍ୟ ନେଇ ମାର୍ଚ୍ଚ ୨୯ ତାରିଖ ‘ଇଣ୍ଡିଆନ୍‌ ଓପିନିଅନ୍‌’ର ଗାନ୍ଧୀଙ୍କର ସେ ପ୍ରବନ୍ଧ ଥିଲା ବେଶ୍ ବ୍ୟାବହାରିକ ଓ ଗବେଷଣାତ୍ମକ। ଗାନ୍ଧୀ ଉଲ୍ଲେଖ କରିଥିଲେ, ‘ଭାରତର ପ୍ରାୟ ସବୁ ଅଞ୍ଚଳର ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାରେ ଅଭ୍ୟସ୍ତ। ମସଲାର ସ୍ୱାଦ ଓ ବାସ୍ନା ପାଇଁ ସେମାନେ ଖୁବ୍ ଆଗ୍ରହୀ। ମସଲା ଭିତରେ ଥାଏ ଧନିଆ, ଜିରା, ଲଙ୍କା, ଗୋଲମରିଚ ଏପରି ଅନେକ ସ୍ୱାଦ ସୃଷ୍ଟିକାରୀ ପଦାର୍ଥ। ଭାରତରେ ଥିବା ମସଲା ଖାଦ୍ୟ ପ୍ରତି ଏତାଦୃଶ ଆଗ୍ରହ ପୃଥିବୀର ଅନ୍ୟ କେଉଁଠି ଦେଖାଯାଏନି।’
ଗାନ୍ଧୀ ତାଙ୍କ ଲେଖାରେ ଦକ୍ଷିଣ ଆଫ୍ରିକାର ନିଗ୍ରୋ ଓ ୟୁରୋପର ଗୋରା ଇଂରେଜଙ୍କ ଖାଦ୍ୟ ଶୈଳୀର ବର୍ଣ୍ଣନା ଦେଇ ଲେଖିଲେ, ‘ମୁଁ ମୋର ସାର୍ବଜନୀନ ଜୀବନ ଭିତରେ ଅନେକ ଥର ଅନେକ କଳା ଓ ଗୋରା ଲୋକଙ୍କ ସହ ଏକତ୍ର ଭୋଜନ କରିଛି। କଳା ଲୋକମାନଙ୍କ ସ୍ୱାଦଯୁକ୍ତ ଖାଦ୍ୟ ପ୍ରତି କୌଣସି ରୁଚି ନଥାଏ। ରାଗ ମସଲା ମିଶା ଖାଦ୍ୟ ଖାଇବାକୁ ସେମାନେ ପସନ୍ଦ କରନ୍ତି ନାହିଁ। ଗୋରା ଇଂରେଜମାନଙ୍କର ଖାଦ୍ୟ ରୁଚି ମଧ୍ୟ ନିଗ୍ରୋଙ୍କ ପରି। ମସଲା ଖାଦ୍ୟ ଖାଇଦେଲେ ପାଟି ପୋଡ଼ିଗଲା କହି ଗୋରା ଇଂରେଜମାନେ ଚିତ୍କାର କରନ୍ତି; ପେଟ ଖରାପର ଅଭିଯୋଗ ଆଣନ୍ତି।
ଗାନ୍ଧୀଜୀ ତାଙ୍କ ପ୍ରବନ୍ଧରେ କିଛି ପାଠକୀୟ ଅଭିମତର ଉତ୍ତର ରଖିଥିଲେ। ପାଠକଙ୍କ ମତାମତ ଥିଲା, ମସଲାରେ ନିଜସ୍ୱ ପାଚନ ଶକ୍ତି ଅଛି। ଏହା ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ, ଭୋକ ହୁଏ ଓ ଅଧିକ ଖାଇ ହୁଏ। ଶରୀର ବୃଦ୍ଧି ପାଇଁ ମସଲା ହିତକାରକ ବୋଲି ଏପରି କିଛି ପାଠକୀୟ ଯୁକ୍ତି ଥିଲା। ଗାନ୍ଧୀ ଏହାର ଉତ୍ତରରେ ଲେଖିଥିଲେ, ‘ମୁଁ ନିଃସନ୍ଦେହରେ କହିପାରେ, ମସଲାରେ ମିଶିଥିବା ପଦାର୍ଥ ଭିତରେ କୌଣସି ହଜମ ଶକ୍ତି ନ ଥାଏ। ଏହା ଏକ ଭ୍ରାନ୍ତ ଧାରଣା। ମସଲାଦାର ଖାଦ୍ୟ ନେଇ ଏମିତି ଅନେକ ମିଥ୍ ରହିଛି। ଆମେ ମସଲାଯୁକ୍ତ ଖାଦ୍ୟର ସ୍ୱାଦ ସହ ଅଭ୍ୟସ୍ତ ହୋଇଯାଇଛୁ ବୋଲି ଏପରି ଖାଦ୍ୟକୁ ପସନ୍ଦ କରୁଛୁ। କିନ୍ତୁ ବାସ୍ତବତା ହେଲା, ରାଗ ମସଲା ଖାଇଲେ ପେଟରେ ଜ୍ୱଳନ ସୃଷ୍ଟି ହୁଏ; ଭୋକ ଲାଗିଲା ପରି କୃତ୍ରିମ ଅନୁଭବ ଆସେ; କ୍ରମଶଃ ପାକସ୍ଥଳୀ ଦୁର୍ବଳ ହୋଇଯାଏ; ଗ୍ୟାସ ଡାଇରିଆ ପରି ‘ସ୍ପୃ’ ରୋଗରେ ଆକ୍ରାନ୍ତ ହେବାକୁ ପଡ଼େ। ସୁତରାଂ କେବଳ ସ୍ୱାଦ ପାଇଁ ଖାଦ୍ୟ ନ ଖାଇ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଖାଇବା ଉଚିତ।’ ଖାଦ୍ୟ ଥାଳିରେ ମସଲା ଖାଦ୍ୟ ଯେ ଆମ ଜୀବନ ପାଇଁ ବିପଦ, ପ୍ରବନ୍ଧରେ ଗାନ୍ଧୀଙ୍କ ଏପରି ଏକ ଆବେଗିକ ଆବେଦନ ଥିଲା।
ଗାନ୍ଧୀ ତାଙ୍କ ପ୍ରବନ୍ଧରେ ବାରମ୍ବାର ସୂଚେଇ ଦେଇଥିଲେ ଯେ ସ୍ୱାସ୍ଥ୍ୟ ଗାଇଡ୍ ଓ ଖାଦ୍ୟ ସଚେତନତା ସମ୍ପର୍କରେ ସେ ଯାହା କହିଛନ୍ତି ସେସବୁ ତାଙ୍କ ଅନୁଭୂତି ପ୍ରସୂତ। ଏଇ ଯେମିତି ଲୁଣ ଖାଇବା କଥା। ଗାନ୍ଧୀଙ୍କ ଉଲ୍ଲେଖ ଥିଲା, ‘ରାଗ ଓ ମସଲା ପରି ଲୁଣ ବି କ୍ଷତିକାରକ। ଏହାର କିଛି ଉପାଦେୟତା ନାହିଁ। ଆମେ ଖାଉଥିବା ଲୁଣ ଝାଳ ଆକାରରେ ବାହାରି ଯାଇଥାଏ। ଲୁଣଶୂନ୍ୟ ଖାଦ୍ୟ (ସଲ୍‌ଟଲେସ୍‌ ଡାଏଟ୍‌) ସପକ୍ଷରେ ଇଂଲଣ୍ଡରେ ଏକ ସାମାଜିକ ଅନୁଷ୍ଠାନ ଏବେ ଅଭିଯାନ ଆରମ୍ଭ କରିଛି।’
ଗାନ୍ଧୀଜୀ କେବେ ଲୁଣ ଖାଉ ନଥିଲେ। ନିଜ ଅନୁଭୂତିର ବର୍ଣ୍ଣନା ଦେଇ ଗାନ୍ଧୀ କହନ୍ତି, ‘ମୁଁ ଆଉ କସ୍ତୁରବା ଅନେକ ବର୍ଷ ହେଲା ଲୁଣ ଖାଇବା ଛାଡ଼ିଦେଇଛୁ। ଆମ ଶରୀର ଉପରେ ଏହାର କୌଣସି କୁପ୍ରଭାବ ନାହିଁ; ଦୁର୍ବଳ ବି ଲାଗୁନି। ପାଣି ପିଇବା କମ୍ ଦରକାର ହେଉଛି। ଆଜମା, ପାଇଲ୍‌ସରୁ ଆରୋଗ୍ୟ ମିଳିଛି। ଅବଶ୍ୟ ଲୁଣଶୂନ୍ୟ ଖାଦ୍ୟ ଏକ ଔଷଧ ନୁହେଁ, ରୋଗର ପ୍ରତିକାର ସହ ଲୁଣ ନଥିବା ଖାଦ୍ୟ ଖାଇବାକୁ ହୁଏ।’
ପାଠକଙ୍କୁ ଗାନ୍ଧୀଜୀଙ୍କ ଆଶ୍ୱାସନା ଥିଲା, ଲୁଣ ଛାଡ଼ି ହେବ। ପ୍ରାରମ୍ଭିକ ଅବସ୍ଥାରେ ଦୁର୍ବଳ ଲାଗିପାରେ। ଏହା କିନ୍ତୁ ସାମୟିକ, ଠିକ୍ ଯେମିତି ନିଶା ଖାଇବା ପ୍ରତ୍ୟାହାର ବେଳେ ହୁଏ। ଚିନି ଯେ ସ୍ୱାସ୍ଥ୍ୟ ପ୍ରତି ଏକ ଅଦରକାରୀ ପଦାର୍ଥ ଗାନ୍ଧୀଙ୍କ ସ୍ପଷ୍ଟ ମନ୍ତବ୍ୟ ଥିଲା ତାଙ୍କ ପ୍ରବନ୍ଧରେ।
‘ଗାଇଡ୍ ଟୁ ହେଲ୍‌ଥ’ ପୁସ୍ତକ ଗାନ୍ଧୀଙ୍କର ଏକ ଅନବଦ୍ୟ କୃତି। ଗାନ୍ଧୀଜୀଙ୍କ ଉପସଂହାର ଥିଲା, ଉତ୍ତମ ଖାଦ୍ୟ କେବଳ ଏକ ସୁସ୍ଥ ଶରୀର ଗଠନ କରେନି, ବରଂ ଏହା ଶୁଦ୍ଧ ମନ ଓ ଭାବନା ନିର୍ମାଣରେ ବି ସହାୟକ ହୋଇଥାଏ। ଖାଦ୍ୟ ଯେମିତି, ମନ ସେମିତି।
ମୋ: ୯୮୬୧୪୬୯୩୨୮