ଗୌରାଙ୍ଗ ଚରଣ ପରିଡ଼ା

Advertisment

୧୯୩୧ ମସିହା ଫେବ୍ରୁଆରି ମାସରେ ଭାରତର ତତ୍‌କାଳୀନ ବଡ୍‌ଲାଟ ଲର୍ଡ ଇରଉଇନ୍‌ଙ୍କ ସହ ଗାନ୍ଧୀଜୀଙ୍କ ଏକ ସାକ୍ଷାତ ଆଲୋଚନା ହୋଇଥିଲା। ଆଲୋଚନା ଶେଷରେ ସମ୍ରାଟଙ୍କ ପାଖକୁ ବଡ୍‌ଲାଟ ଏକ ରିପୋର୍ଟ ଦେଇ ଲେଖିଥିଲେ, ‘ଏମ୍. କେ. ଗାନ୍ଧୀ କୌଣସି ଅାନ୍ତର୍ଜାତିକ ନେତା ପରି ଦେଖାଯାଆନ୍ତି ନାହିଁ। ଦୁର୍ବଳ ପତଳା ଚେହେରା। କିନ୍ତୁ ବହୁତ ବୁଦ୍ଧିମାନ ନେତା। ମାପିଚୁପି କଥା ହୁଅନ୍ତି। ଭାଷାରେ ସଂଯମ ରଖିଥାଆନ୍ତି। ନିଜ ଯୁକ୍ତିକୁ ସେ ଦୃଢ଼ ବିଶ୍ୱାସର ସହ ଉପସ୍ଥାପନ କରିପାରନ୍ତି। ତାଙ୍କ ସହିତ ଆଲୋଚନା କଲାବେଳେ ମୁଁ ବହୁତ ସତର୍କ ଥିଲି।’
ପ୍ରକୃତରେ ଗାନ୍ଧୀ ଜଣେ ଭଲ ବକ୍ତା ନ ଥିଲେ। ଅଥଚ ସେ ତାଙ୍କ ବିଚାର, ସୂଚନା ଓ ଭାବନାକୁ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ବୁଝେଇ କହି ପାରିବାର ଦକ୍ଷତା ରଖିଥିଲେ। ଇଂରେଜୀରେ କୁହାଯାଏ, ଗାନ୍ଧୀ ଜଣେ ଭଲ କମୁନିକେଟର (ସଂଚାରକ) ଥିଲେ। ଗାନ୍ଧୀ କିନ୍ତୁ କହନ୍ତି, କହିବାକୁ ହେଲେ ଶୁଣିବା ଦରକାର। ଯାହାର ଅନ୍ୟକୁ ଶୁଣିବାର ଧୈର୍ଯ୍ୟ ନାହିଁ, ତା’ର କହିବାର ଅଧିକାର ନାହିଁ।
ଲଣ୍ଡନରେ ଅନୁଷ୍ଠିତ ଦ୍ବିତୀୟ ଗୋଲ୍‌ ଟେବଲ ବୈଠକ ବେଳେ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର କିଛି ପ୍ରତିଷ୍ଠିତ ପ୍ରଫେସରଙ୍କ ସହ ୧୯୩୧ ମସିହା ଅକ୍‌ଟୋବର ୨୪ ତାରିଖ ଦିନ ଏକ ସପ୍ତାହାନ୍ତ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଗାନ୍ଧୀଜୀ ଯୋଗ ଦେଇଥିଲେ। ଦାର୍ଶନିକ ଗିଲ୍‌ବର୍ଟ ମୁରେଙ୍କ ସମେତ ପ୍ରଫେସର ମିଚେଲ ସ୍ଲାଡଲର୍ ଓ ଡକ୍ଟର କୁପଲାଣ୍ଡ୍‌ଙ୍କ ପରି ବିଦ୍ୱାନମାନେ ଏଥିରେ ଯୋଗଦେଇଥିଲେ। ଗାନ୍ଧୀଜୀଙ୍କୁ ଅଧିକାଂଶ ପ୍ରଶ୍ନ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ବିଦେଶୀ ବସ୍ତ୍ର ଓ ଦ୍ରବ୍ୟ ବର୍ଜନ ଉପରେ ପଚରା ଯାଇଥିଲା। ମୁରେଙ୍କ ପ୍ରଶ୍ନ ଥିଲା, ‘ମିଷ୍ଟର ଗାନ୍ଧୀ, ଆପଣଙ୍କ ବିଦେଶୀ ବସ୍ତ୍ର ବର୍ଜନ ଏକ ଅହିଂସ ଆନ୍ଦୋଳନ ନୁହେଁ; ଏହା ଏକ ହିଂସ୍ର ଉଗ୍ର ଜାତୀୟତାବାଦ। ଚର୍ଚ୍ଚିଲଙ୍କ ପରି ଏହାକୁ ଆମେ ବି ଗ୍ରହଣ କରିପାରୁନୁ।’
ଗାନ୍ଧୀଙ୍କ ଉତ୍ତର ଥିଲା, ‘ଜାତୀୟତାବାଦ ସହ ବିଦେଶୀ ବସ୍ତ୍ର ବର୍ଜନର କିଛି ସମ୍ପର୍କ ନାହିଁ। ବିଦେଶୀ ବସ୍ତ୍ର ବର୍ଜନ ମୋ ସଂସ୍କାର କାର୍ଯ୍ୟକ୍ରମର ଏକ ଅଂଶ। ନିଜ ବ୍ୟବହାର ପାଇଁ ନିଜେ ବସ୍ତ୍ର ପ୍ରସ୍ତୁତ କରିବାରେ କିଛି ଉଗ୍ରତା ନାହିଁ। ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ବ ଶାନ୍ତି ପାଇଁ ଉଦ୍ଦିଷ୍ଟ।’
ସେଦିନ ସେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ତିନି ଘଣ୍ଟା ଧରି ଚାଲିଥିଲା। କାର୍ଯ୍ୟକ୍ରମ ପରିଚାଳନା କରୁଥିବା ପ୍ରଫେସର ଥମ୍‌ସନ୍ ଆଲୋଚନାକୁ ଶେଷ କରିବାକୁ ଅନୁରୋଧ କରି କହିଲେ, ‘ମିଷ୍ଟର ଗାନ୍ଧୀ ଥକି ପଡ଼ିଲେଣି। ବିରକ୍ତ ହୋଇ ଯିବେଣି। ପ୍ରଶ୍ନର ଉତ୍ତର ଦେବାରେ ଏ ପର୍ଯ୍ୟନ୍ତ କିନ୍ତୁ କେବେ ସେ ଥଙ୍ଗଥଙ୍ଗ ହୋଇ ନାହାନ୍ତି। ନିଜ ଯୁକ୍ତିରେ ସେ ଅବିଚଳିତ ଅଛନ୍ତି। ସକ୍ରେଟିସ୍‌ଙ୍କ ପରେ ଗାନ୍ଧୀ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କ ଭାଷା ପ୍ରୟୋଗ ଉପରେ ଅଖଣ୍ଡ ନିୟନ୍ତ୍ରଣ ଅଛି। ଏବଂ ସକ୍ରେଟିସ୍‌ଙ୍କ ପରି ନିର୍ଭୟରେ ନିଜ ମତ ପ୍ରକାଶ କରିବାରେ ତାଙ୍କର ଏକ ଦିବ୍ୟ ଆଧ୍ୟାତ୍ମିକ ଶକ୍ତି ରହିଛି। ମୁଁ ଆଜି ଭାବୁଛି, କାହିଁକି ତେବେ ପ୍ରାଚୀନ ଏଥେନ୍‌ସର ରକ୍ଷଣଶୀଳମାନେ ସକ୍ରେଟିସ୍‌ଙ୍କ ମୃତ୍ୟୁ ଦାବି କରୁଥିଲେ।’
ଗାନ୍ଧୀଜୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ, ‘ମୁଁ ଥକି ଯାଇନି, କି ବିରକ୍ତ ହୋଇନି। ଆପଣମାନେ ସନ୍ତୁଷ୍ଟ ହେବା ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ବୁଝେଇବି। ଏବଂ ମୋର ହୃଦ୍‌ବୋଧ ହେବା ପର୍ଯ୍ୟନ୍ତ ଆପଣଙ୍କ କଥା ଶୁଣିବି।’
ପ୍ରଶ୍ନ ଆସେ, ଗାନ୍ଧୀଜୀ ଜଣେ ଭଲ ବକ୍ତା ନ ଥିଲେ ବି, ଦୀର୍ଘ ତିନି ଦଶନ୍ଧି ଧରି ଭାରତର ଏକ ବିରାଟ ଜନଆନ୍ଦୋଳନର ସେ ନେତୃତ୍ୱ ନେଇ ତିଷ୍ଠି ରହିପାରିଲେ କେମିତି? ଜବାହରଲାଲ ନେହରୁ ଏହାର ସରଳ ଉତ୍ତରଟିଏ ଦେଇ କୁହନ୍ତି, ଗାନ୍ଧୀଙ୍କ କଥାକୁ ବୁଝିବା ସହଜ ଥିଲା। ସଭାରେ କହିଲାବେଳେ ସଭାରେ ବସିଥିବା ନିରକ୍ଷର ଶ୍ରୋତା ସହ ସମ୍ପର୍କ ରଖିବାକୁ ସେ ଚେଷ୍ଟା କରୁଥିଲେ। ଏବଂ ଲେଖିଲାବେଳେ ପାଠକର ପଠନର ଗଭୀରତାକୁ ବିଚାରକୁ ନେଇ ସେ ଲେଖୁଥିଲେ। ‘ନବଜୀବନ’, ‘ହରିଜନ’, ‘ୟଙ୍ଗ୍ ଇଣ୍ଡିଆ’ରେ ଗାନ୍ଧୀଙ୍କ ଲିଖିତ ଲେଖା ସବୁ ସରଳ ଭାଷା ଓ ଛୋଟ ବାକ୍ୟରେ ହିଁ ଥିଲା। ଗାନ୍ଧୀଙ୍କର ବ୍ୟଙ୍ଗ ଓ ବିନୋଦର ଆବେଦନ ଥିଲା ନିଆରା। ନରମ ଓ ମଜାଳିଆ। ବଡ଼ କଥା ହେଲା, ଗାନ୍ଧୀଜୀ ବିନା ପ୍ରସ୍ତୁତିରେ କିଛି କହୁ ନ ଥିଲେ କିମ୍ବା ଲେଖୁ ନ ଥିଲେ। ନିଜ ଭାବନାକୁ ହଠାତ୍ ପ୍ରକାଶ କରି ଦେବା ସପକ୍ଷରେ ନ ଥିଲେ ଗାନ୍ଧୀ।
ଭାରତରେ ଗାନ୍ଧୀଜୀଙ୍କ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମୁକ୍ତି ଓ ନୂଆ ସାମାଜିକ ଶୃଙ୍ଖଳା ପାଇଁ ବିଶ୍ୱରେ ଅନ୍ୟ ଦୁଇଟି ବୃହତ୍ ଗଣବିପ୍ଳବ ସଂଗଠିତ ହୋଇସାରିଥିଲା। ପ୍ରଥମଟି ଥିଲା ୧୮ଶ ଶତାବ୍ଦୀର ଶେଷ ଭାଗରେ ଅନୁଷ୍ଠିତ ଫରାସୀ ବିପ୍ଲବ ଓ ଦ୍ବିତୀୟଟି ଥିଲା ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସଂଗଠିତ ରୁଷ୍ ବିପ୍ଳବ। ଏ ଦୁଇଟି ଆନ୍ଦୋଳନରେ କିନ୍ତୁ ସାଧାରଣ ଜନତାଙ୍କ ଅଂଶଗ୍ରହଣ ଗାନ୍ଧୀ ଆହୂତ ସଂଗ୍ରାମ ପରି ଏତେ ଅଧିକ ନ ଥିଲା। ୧୯୪୨ ମସିହା ଜୁନ୍ ମାସରେ ଲୁଇ ଫିସର୍‌ଙ୍କ ସମେତ ଅନ୍ୟ କିଛି ଆମେରିକୀୟ ସାମ୍ବାଦିକ ସେବାଗ୍ରାମରେ ଗାନ୍ଧୀଜୀଙ୍କୁ ପ୍ରଶ୍ନ କରିଥିଲେ, ‘ମିଷ୍ଟର ଗାନ୍ଧୀ, ଆପଣଙ୍କ ଅହିଂସ ସଂଗ୍ରାମରେ ଜନ ସମର୍ଥନ ଅତୁଳନୀୟ। ଅନ୍ୟ ବୈପ୍ଳବିକ ଧାରା ଠାରୁ ଏହା ପୃଥକ। ଯଦି ଆପଣଙ୍କ କଥା ବ୍ରିଟିସ ସରକାର ନ ଶୁଣନ୍ତି, ଆପଣଙ୍କ ଏ ବିପ୍ଳବ ହିଂସ୍ର ହୋଇ ଯିବନି ତ?’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ମୁଁ ନିଶ୍ଚିତ, ଇଂରେଜ ସରକାର ମୋ କଥା ବୁଝିବେ। ଆମ ସଂଗ୍ରାମରେ କିଛି ଅବାସ୍ତବତା ନାହିଁ। ଆମକୁ ଆମ ସ୍ୱରାଜ ଦେଇ ଦେବାକୁ ଜୀବନର ଶେଷ ପର୍ଯ୍ୟନ୍ତ କହିବି।’ ସାକ୍ଷାତ୍‌କାର ଶେଷରେ ଆମେରିକୀୟ ସାମ୍ବାଦିକଙ୍କ ଟିପ୍ପଣୀ ଥିଲା, ଅସୀମ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଥିବା ଗାନ୍ଧୀ ହିଁ ଏପରି ମନ୍ତବ୍ୟ ଦେଇପାରନ୍ତି।
ବୁଝେଇ କହିବାରେ କେବେ ବି ବିରକ୍ତ ହେଉନଥିଲେ ଗାନ୍ଧୀ। ୧୯୩୩ ମସିହା ଫେବ୍ରୁଆରି ୨୦ ତାରିଖରେ ୟେରଵାଡ଼ା ଜେଲ୍‌ରୁ ଏମିତି ଏକ ଚିଠି ଥିଲା ପୁରୀର ଅଠେଇଶ ବର୍ଷୀୟ ଯୁବ ଓକିଲ ତଥା ସତ୍ୟାଗ୍ରହୀ ଲୋକନାଥ ମିଶ୍ର ଓରଫ ପଙ୍କବାବୁଙ୍କ ପାଖକୁ। ଲୋକନାଥ ମିଶ୍ର ସେତେବେଳେ ଅସ୍ପୃଶ୍ୟତା ନିରୋଧ କମିଟିର ପୁରୀ ସମ୍ପାଦକ ଥିଲେ। ଅସ୍ପୃଶ୍ୟତା ଓ ଉତ୍ତରାଧିକାର ଆଇନ ନେଇ ତାଙ୍କର ଗାନ୍ଧୀଙ୍କୁ କିଛି ପ୍ରଶ୍ନ ଥିଲା। ଗାନ୍ଧୀଜୀ ଲୋକନାଥ ମିଶ୍ରଙ୍କୁ ପ୍ରଶଂସା କରି ଓ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରି ଉତ୍ତର ଦେଇ ଲେଖିଥିଲେ, ‘ଚିଠି ତୁମର ଖୁବ୍ ହୃଦୟସ୍ପର୍ଶୀ। ତୁମ ଜଟିଳ ପ୍ରଶ୍ନର ଉତ୍ତର ‘ହରିଜନ’ ପତ୍ରିକାରେ ପ୍ରକାଶ ପାଇଥିବା ମୋ ଲେଖାମାନଙ୍କରେ ଅଛି। ତୁମେ ସମୟ ଦେଖି ମୋ ପାଖକୁ ଆସ। ତୁମେ ସନ୍ତୁଷ୍ଟ ହେଲା ପର୍ଯ୍ୟନ୍ତ ମୁଁ ତୁମ ସହ କଥା ହେବି।’
ସକ୍ରେଟିସୀୟ ସ୍ବଭାବରେ ଓ ସରଳ ଭାଷାରେ ବୁଝେଇ କହିଥିବା ଗାନ୍ଧୀ ବିଚାର ଯେ ଦିନେ ମାନବ ଜାତି ପାଇଁ ଏକ ନିର୍ଣ୍ଣାୟକ ପ୍ରସଙ୍ଗ ହେବ, ଏପରି ଏକ ଭବିଷ୍ୟବାଣୀ ବି ଥିଲା ଅକ୍‌ସଫୋର୍ଡର ପ୍ରଫେସର ଜୁଡିଥ୍ ଏମ୍. ବ୍ରାଉନଙ୍କର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮