ଗୌରାଙ୍ଗ ଚରଣ ପରିଡ଼ା

Advertisment

୧୯୩୬ ମସିହା ପ୍ରାରମ୍ଭରେ ଜଣେ ପତ୍ରପ୍ରେରକ ଇଂରେଜୀ ଖବରକାଗଜ ‘ଦି ଷ୍ଟେଟସ୍‌ମ୍ୟାନ୍’ରେ ଯୌତୁକ ପ୍ରଥା ଉପରେ ପ୍ରକାଶିତ କିଛି ପ୍ରବନ୍ଧର କଟା ଅଂଶ ଗାନ୍ଧୀଜୀଙ୍କୁ ପଠାଇ ପ୍ରଶ୍ନ କରିଥିଲେ, ‘ବାପୁ, ଯୌତୁକ ବିରୁଦ୍ଧରେ ଆପଣ ଏକ ଅଭିଯାନ ଆରମ୍ଭ କଲେ ହୁଅନ୍ତାନି? ଆପଣଙ୍କ ଅନ୍ୟାନ୍ୟ ରଚନାତ୍ମକ କାର୍ଯ୍ୟକ୍ରମ ପରି ଏହା ଏକ କାର୍ଯ୍ୟକ୍ରମ ହେବା କଥା। କାରଣ ଯୌତୁକଜନିତ ବଧୂ ନିର୍ଯାତନା, ହତ୍ୟା, ଆତ୍ମହତ୍ୟା ଭାରତରେ ଏବେ ବଢ଼ିବାରେ ଲାଗିଛି।’
ଗାନ୍ଧୀଜୀ ଏକ ସ୍ୱତନ୍ତ୍ର ପ୍ରବନ୍ଧରେ ତାଙ୍କର ଉତ୍ତର ଉଲ୍ଲେଖ କରିଥିଲେ। ପ୍ରବନ୍ଧର ଶିରୋନାମା ଥିଲା, ‘ମ୍ୟାରେଜ ବାଏ ପରଚେଜ’ (କିଣା ବିବାହ)। ଗାନ୍ଧୀ ତାଙ୍କ ଲେଖାରେ କେବଳ ଯୌତୁକ ସମସ୍ୟା କଥା ଲେଖି ନ ଥିଲେ, ଏଥିରେ ସେ ଏହାର ସମାଧାନର ବି ବର୍ଣ୍ଣନା କରିଥିଲେ ଏବଂ ଯୌତୁକ ପରି ଏକ ହୃଦୟହୀନ କୁପ୍ରଥାର ତୁରନ୍ତ ବିଲୋପ ପାଇଁ ଆହ୍ୱାନ କରିଥିଲେ।
ଗାନ୍ଧୀଜୀ ଲେଖିଥିଲେ, “‘ଷ୍ଟେଟସ୍‌ମ୍ୟାନ୍’ର ସଂପାଦକୀୟ ପୃଷ୍ଠାରେ ଗତ କିଛି ମାସ ଧରି ଯୌତୁକ ପ୍ରଥା ସଂପର୍କରେ ଧାରାବାହିକ ଭାବେ ବିତର୍କ ପ୍ରକାଶ ପାଉଥିବା କଥା ମୁଁ ଜାଣେ। ‘ଷ୍ଟେଟସ୍‌ମ୍ୟାନ୍‌’ର ଏ ଉଦ୍ୟମ ମୋର ପୁରୁଣା ସ୍ମୃତି ମନେ ପକାଇ ଦେଇଛି। ଗତ କିଛି ବର୍ଷ ତଳେ ମୁଁ ମଧ୍ୟ ଯୌତୁକ ବିରୁଦ୍ଧରେ ‘ୟଙ୍ଗ ଇଣ୍ଡିଆ’ରେ ଏମିତି ଧାରାବାହିକ ପ୍ରବନ୍ଧ ଲେଖିଥିଲି। ଏହା ନିଃସନ୍ଦେହ ଯେ ଯୌତୁକ ଏକ ଜାତିଭିତ୍ତିକ ପ୍ରଥା। ଶିକ୍ଷିତ ମଧ୍ୟବର୍ଗୀଙ୍କ ଭିତରେ ଏଇ ପ୍ରଥାର ପ୍ରଭାବ ବେଶି। ଏହାର ସଂଖ୍ୟା କମ୍ ଥିଲେ ବି, ଏହାର ପରିଣତି ଚିନ୍ତାଜନକ। ଏହା ବର୍ତ୍ତମାନ ଏକ ସାମାଜିକ ସମସ୍ୟା।’
ଏକ ସମାଜଶାସ୍ତ୍ରୀୟ ବିଶ୍ଳେଷଣ କରି ଗାନ୍ଧୀ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ, ‘ଯୌତୁକ ପ୍ରଥା ଏପରି ଏକ ପ୍ରଥା ଯେଉଁଥିରେ କନ୍ୟାପିତା ବରପିତାକୁ ଯୌତୁକ ଅର୍ଥ ଦେଇଥାଏ। ଗୋଟିଏ ଜାତିରେ ସୀମିତ ସଂଖ୍ୟାରେ ଥିବା ନିଜ ଝିଅ ପାଇଁ ଭଲ ବର ପାଇବା ନିମନ୍ତେ କନ୍ୟାପିତା ବାଧ୍ୟ ହୋଇ ଯୌତୁକ ଦାବି ପୂରଣ କରେ ବୋଲି ପ୍ରକାଶ କରନ୍ତି। ଏଥିପାଇଁ କନ୍ୟାପିତାଙ୍କ ଭିତରେ କେଉଁଠି କେମିତି ଯୌତୁକ ଦେବାକୁ ପ୍ରତିଯୋଗିତା ମଧ୍ୟ ଚାଲେ। ସିନ୍ଧୀ ସଂପ୍ରଦାୟରେ ବଡ଼ ପରିମାଣରେ ଅର୍ଥ ଦାବି କରାଯାଏ। ଏହା ‘ଦେତି ନେତି’ (ଦିଅ ନିଅ) ଫର୍ମୁଲା। ପୁଅମାନେ ବିକ୍ରି ହୁଅନ୍ତି। ଅନେକ ସଂପ୍ରଦାୟରେ ବରପିତା କନ୍ୟାପିତାକୁ ଯୌତୁକ ଟଙ୍କା ଓ ଉପହାର ଦେଇ ନିଜ ପୁଅ ପାଇଁ ବୋହୂ ଆଣିବାର ପ୍ରଥା ବି ପ୍ରଚଳିତ ଅଛି। ଏ ସଂପ୍ରଦାୟରେ କିନ୍ତୁ ବେଶୀ ନାବାଳିକା ବିବାହ ହୁଏ ଏବଂ ଝିଅ ଓ ପୁଅ ଭିତରେ ବୟସର ପ୍ରାର୍ଥକ୍ୟ ଏଠି ଅଧିକ ଥାଏ।’
ଗାନ୍ଧୀ ଖୁବ୍ ଚମତ୍କାର ଭାବେ ଏହା ବି ଉଲ୍ଲେଖ କରିଥିଲେ,“‘ୟଙ୍ଗ ଇଣ୍ଡିଆ’ ଓ ‘ନବଜୀବନ’ରେ ମୁଁ ମୋର ଅନେକ ଲେଖାରେ ଏବଂ ଭାରତ ସାରା ଭ୍ରମଣବେଳେ ଅନେକ ସଭାରେ କନ୍ୟାପିତାମାନଙ୍କୁ ସେମାନଙ୍କ ଝିଅକୁ ଶିକ୍ଷିତ ଓ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ ପରାମର୍ଶ ଦେଇଛି। ଝିଅମାନଙ୍କ ସଂପତ୍ତି ଅଧିକାର କଥା କହିଛି। ଝିଅକୁ ଏକ ବୋଝ ଭାବି କମ୍ ବୟସରେ ତା’ର ବିବାହ ନ କରିବାକୁ ଅନୁରୋଧ କରିଛି। ଏଥିନେଇ ଅନେକ ସମାଲୋଚନା ବି ଶୁଣିଛି।’’
‘ହରିଜନ’ରେ ପ୍ରକାଶିତ ଏପରି ଏକ ଅଭିଯୋଗର ଉଦାହରଣ ଦେଇ ଗାନ୍ଧୀ ଲେଖିଥିଲେ, “ଜଣେ ବନ୍ଧୁ ଅଭିଯୋଗ ଆଣି କହନ୍ତି, ‘ମିଷ୍ଟର ଗାନ୍ଧୀ, ନାରୀମାନଙ୍କୁ ସଂପତ୍ତି ଅଧିକାର ଓ ଆର୍ଥିକ ସ୍ୱାଧୀନତା ଦେବା ଦାବି ମହିଳାମାନଙ୍କୁ ସ୍ବେଚ୍ଛାଚାରୀ କରିଦେବ; ଘର ଭାଙ୍ଗିଯିବ; ମହିଳାମାନେ ଅନୈତିକ ହୋଇଯିବେ। ମହିଳାଙ୍କୁ ସଂପତ୍ତି ଅଧିକାର ଦେଇ ଆପଣ କ’ଣ ଅନ୍ୟ ଏକ ଗୁରୁତର ସାମାଜିକ ସମସ୍ୟାଟିଏ ନିମନ୍ତ୍ରଣ କରିବାକୁ ଚାହାନ୍ତି?’ ମୁଁ ତାଙ୍କୁ ପାଲଟା ପ୍ରଶ୍ନ କରିଥିଲି, ‘ସଂପତ୍ତି ଅଧିକାର ଉପଭୋଗ କରୁଥିବା ପୁରୁଷମାନେ ଏବେ କ’ଣ ସମସ୍ତେ ଅନୈତିକ ହୋଇ ଯାଇଛନ୍ତି? ଏହାର ଉତ୍ତର ଯଦି ବି ହଁ ହୋଇଥାଏ, ତଥାପି ମୁଁ ମହିଳାଙ୍କ ସଂପତ୍ତି ଅଧିକାର ଓ ଆର୍ଥିକ ଆତ୍ମନିର୍ଭରତା କଥା କହିବି। କାରଣ ସଂପତ୍ତି ଓ ଦାରିଦ୍ର୍ୟ ସହ ନୈତିକତାର କିଛି ସଂପର୍କ ନାହିଁ। ନୈତିକତା କେବଳ ପବିତ୍ର ହୃଦୟରୁ ସୃଷ୍ଟି ହୋଇଥାଏ। ସ୍ୱାବଲମ୍ବୀ, ଶିକ୍ଷିତ ମହିଳାମାନେ ହିଁ ବାଲ୍ୟ ବିବାହ, ଯୌତୁକ ପରି କୁପ୍ରଥା ବିରୁଦ୍ଧରେ ଲଢ଼ିପାରିବେ।”
ଗାନ୍ଧୀଙ୍କୁ ଆଉ ଏକ ପ୍ରଶ୍ନ ଥିଲା- “ବାପୁ, ଜଣେ ବ୍ୟକ୍ତି, କୁପ୍ରଥାକୁ ବିରୋଧ କରି କ’ଣ ସାମାଜିକ ସଂସ୍କାର ଆଣିପାରିବ?’’ ଗାନ୍ଧୀଜୀଙ୍କ ଉତ୍ତର ଥିଲା, “ପୃଥିବୀରେ ଯେତେସବୁ ସାମାଜିକ ସଂସ୍କାର ହୋଇଛି ପ୍ରଥମେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ହିଁ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିପଦସଂକୁଳ ଅବସ୍ଥାରେ ଥିବା ଘରଟିକୁ ଭାଙ୍ଗିବାକୁ ପ୍ରଥମ ଇଟା କାଢ଼ିବାରେ କଷ୍ଟ ହୋଇଥାଏ। ପରେ କିନ୍ତୁ ସେତେ ଆଉ ଅସୁବିଧା ହୋଇ ନ ଥାଏ। କୌଣସି କୁପ୍ରଥା ବିରୁଦ୍ଧରେ ପ୍ରଥମ ଅସହଯୋଗ ଗୁରୁତ୍ୱପୂର୍ଣ୍ଣ।’
ଗାନ୍ଧୀଜୀ ତାଙ୍କ ଉତ୍ତରରେ ଏକ ତଥ୍ୟ ଉଲ୍ଲେଖ କରି କହିଲେ, ‘ଯୌତୁକ, ବାଲ୍ୟବିବାହ ଓ ବିବାହରେ ଅତ୍ୟଧିକ ଖର୍ଚ୍ଚ, ଏପରି କିଛି ସାମାଜିକ ପ୍ରସଙ୍ଗ ନେଇ ମୁଁ ସାଧାରଣରେ ଲୋକଙ୍କଠାରୁ ମତାମତ ଚାହିଁଛି। ଅଧିକାଂଶ ଲୋକ ଏହି କୁଅଭ୍ୟାସ ବିରୁଦ୍ଧରେ ମତ ଦିଅନ୍ତି। କିନ୍ତୁ ପ୍ରତ୍ୟକ୍ଷରେ ସାମ୍ନାକୁ ଆସି କୁପ୍ରଥା ବିରୁଦ୍ଧରେ ଉଚ୍ଚ ସ୍ୱରରେ କହିବାକୁ ସେମାନଙ୍କର ସାହସ ନ ଥାଏ। କୌଣସି ବିରୋଧୀ ପରିଚୟ ଦେବାକୁ ସେମାନେ କାହିଁକି କେମିତି ଅହେତୁକ ଭୟ କରନ୍ତି। ମୁଁ ଭାବେ, କୌଣସି ଏକ ସମାଜରେ କୁସଂସ୍କାର, କୁପ୍ରଥା ତିଷ୍ଠି ରହିବା ପାଇଁ ଉତ୍ତମ ଲୋକଙ୍କ ନିରବତା ହିଁ ବଡ଼ ଏକ କାରଣ।’
ଯୌତୁକ ଦୁଃଖ ନେଇ ଗାନ୍ଧୀଜୀଙ୍କ ଉପସଂହାର ଥିଲା ବେଶ୍ ପ୍ରେରଣାଦାୟକ। ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା- ‘ଯୌତୁକ ପ୍ରଥାର ଉତ୍ପୀଡ଼ନ ନିମନ୍ତେ ପୁଅର ମାତାପିତା ଅପେକ୍ଷା ଶିକ୍ଷିତ ପୁଅମାନେ ବେଶୀ ଦାୟୀ। ମୋ ମତରେ, ଯେଉଁ ପୁଅ ବିବାହ ପାଇଁ ଯୌତୁକର ସର୍ତ୍ତ ରଖେ, ସେ ପ୍ରକୃତରେ ଶିକ୍ଷିତ ନୁହେଁ। ଏ ସର୍ତ୍ତରେ ସେ ତା’ର ନିଜ ସମାଜକୁ ନିନ୍ଦିତ କରେ। ନାରୀତ୍ବକୁ ଅସମ୍ମାନ କରେ। ସେମାନଙ୍କୁ ତେଣୁ ସାମାଜିକ ବାସନ୍ଦ କରିବା ଦରକାର। କିନ୍ତୁ ଦୁଃଖ ଯେ ଯୌତୁକ ବିରୁଦ୍ଧରେ ଆମେ ଏ ପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ଗଣଜାଗରଣ ସଂଗଠିତ କରିପାରି ନାହୁଁ। ଆମ ଶିକ୍ଷା ପଦ୍ଧତି ଆମ ପୁଅଝିଅଙ୍କ ଭିତରେ କୁ-ସଂସ୍କାର ବିପକ୍ଷରେ ଲଢ଼େଇ ପାଇଁ ନୈତିକ ମୂଲ୍ୟବୋଧ, ସଂସ୍କାର ଓ ସାହସ ବି ଏପର୍ଯ୍ୟନ୍ତ ସୃଷ୍ଟି କରିପାରି ନାହିଁ।’
ଯୌତୁକ ନେଇ ସେ ଦିନର ସେ ଗାନ୍ଧୀକଥାକୁ ଶହେ ବର୍ଷ ପୂରିଲାଣି। ତଥାପି କାହିଁକି ସମସ୍ତ ଆଧୁନିକ ଶିକ୍ଷା ଓ ଆର୍ଥିକ ପ୍ରଗତି ସତ୍ତ୍ବେ ଯେ ଭାରତୀୟ ସମାଜରେ ଏବେ ବି ଯୌତୁକ ଦାବି ରହିଛି, ଏହା ହିଁ ବିଡ଼ମ୍ବନା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮