ଗୌରାଙ୍ଗ ଚରଣ ପରିଡ଼ା
୧୯୩୦ ମସିହା ଏପ୍ରିଲ ୬ ତାରିଖ ‘ନବଜୀବନ’ ପତ୍ରିକାରେ ଭାରତୀୟ ମହିଳାଙ୍କୁ ସମ୍ବୋଧନ କରି ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା, ‘ଟୁ ଦି ଓମ୍ୟାନ୍।’ ଆଇନ ଅମାନ୍ୟ ଆନ୍ଦୋଳନରେ ମହିଳାଙ୍କ ବିଶେଷ ଭୂମିକା କ’ଣ ହେବ, ସେ ନେଇ ବର୍ଣ୍ଣନା ଥିଲା ଏଥିରେ।
ପ୍ରବନ୍ଧରେ ଗାନ୍ଧୀଜୀ ଲେଖିଥିଲେ, ‘ମହିଳାଙ୍କ କାର୍ଯ୍ୟ ନେଇ ମୁଁ ଏକ ଯୋଜନା ଓ କ୍ଷେତ୍ର ପ୍ରସ୍ତୁତ କରିରଖିଛି। ଏଥିରେ କାମ କରିବା ସହଜ ବୋଲି ପ୍ରାଥମିକ ଭାବେ ପ୍ରତୀୟମାନ ହେଲେ ବି ଏହା ଏତେ ସହଜ ନୁହେଁ। ମହିଳାମାନେ ଏଥିରେ ସଫଳ ହେଲେ ଭାରତ ଓ ପୃଥିବୀ ଇତିହାସରେ ଏହା ଏକ ବିରଳ ଘଟଣା ହେବ ଏବଂ ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଭାଗୀଦାରିର ଏହା ଏକ ଅନନ୍ୟ ଉଦାହରଣ ହେବ।’
ଗାନ୍ଧୀଜୀ ସ୍ପଷ୍ଟ କରି ଦେଇଥିଲେ, ‘ମହିଳାମାନେ ମଦ ବନ୍ଦ ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାଗ ନେବେ। ମଦ ଦୋକାନ ସମ୍ମୁଖରେ ଦୋକାନ ବନ୍ଦ ପାଇଁ ପିକେଟିଙ୍ଗ୍ କରିବେ। ନିଶାଗ୍ରସ୍ତ ଲୋକଙ୍କ ହୃଦୟ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବେ। ମଦ କିଣିବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ସେମାନେ ସସମ୍ମାନେ ବୁଝେଇ ମଦ କିଣିବାକୁ ବାରଣ କରିବେ। ପିକେଟିଙ୍ଗ୍ କଲାବେଳେ ମହିଳାମାନେ ଭକ୍ତିଭାବ ଥିବା ଧାର୍ମିକ ସଂଗୀତ ଗାନ କରିବେ। ମହିଳାଙ୍କ ଗଣଧାରଣା ନିଶ୍ଚୟ ଶାନ୍ତିପୂର୍ଣ୍ଣ ହେବ। ମୁଁ ନିଶ୍ଚିତ, ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏଥିରେ ସକ୍ଷମ ସାବ୍ୟସ୍ତ ହେବେ। ଏବଂ ମହିଳାମାନେ ଯଦି ଚାହିବେ, ମଦବିରୋଧୀ ଅଭିଯାନକୁ ସେମାନେ ନିଜ ଇଚ୍ଛାରେ ଆହୁରି ବ୍ୟାପକ କରିପାରିବେ।’
ପ୍ରବନ୍ଧରେ ମହିଳାଙ୍କୁ ପୁଣି ଗାନ୍ଧୀ ସୂଚେଇଦେଲେ, ‘ମଦ ବନ୍ଦ ଅଭିଯାନ ପାଇଁ ମୁଁ ଯେଉଁ ଏକ ସ୍କିମ୍ ତିଆରି କରିଛି, ଏ ତା’ର ଏକ ଅଂଶ। ଏଥିରେ କେବଳ ମହିଳାମାନେ ଅଂଶ ଗ୍ରହଣ କରିବେ। ପୁରୁଷମାନେ ତାଙ୍କୁ ସାହାଯ୍ୟ କରିବେ। ମଦ ବନ୍ଦ ଆନ୍ଦୋଳନରେ ପୁରୁଷମାନେ କିନ୍ତୁ ଭାଗ ନେବେନି। ସେମାନେ ଏଥିରୁ ନିବୃତ୍ତ ରହିବେ। ମଦ ବନ୍ଦ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ମହିଳା କାର୍ଯ୍ୟକ୍ରମ ହେବ।’
ଗାନ୍ଧୀଜୀ ଏ କଥା ବି ସ୍ପଷ୍ଟ କରିଦେଲେ, ‘ସରକାରଙ୍କ ମଦ ନୀତି ଲୋକଙ୍କ ବିଶ୍ୱାସ ଉପରେ ପ୍ରତିଷ୍ଠିତ ନୁହେଁ। ସାଧାରଣ ଲୋକଙ୍କ ଏ ନୀତି ପ୍ରତି ସମର୍ଥନ ନାହିଁ। ଏହା ଏକ ଖରାପ ନୀତି। ସମାଜର ସର୍ବନିମ୍ନ ସ୍ତରରେ ଥିବା ମଣିଷର ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ କୌଣସି ଆଇନ ଓ ନୀତି କଲେ ତାହା ଗ୍ରହଣୀୟ ହୋଇ ନ ଥାଏ। ମୁଁ ମୋ ତାଲିସମ୍ୟାନ୍ କାହାଣୀରେ ନୀତି ନିର୍ଦ୍ଧାରକଙ୍କୁ ଏପରି ପରାମର୍ଶ ବି ଦେଇସାରିଛି।’
ଗାନ୍ଧୀଙ୍କ ପ୍ରବନ୍ଧଟି ଦୀର୍ଘ ଥିଲା କିନ୍ତୁ ଏଥିରେ ଆବେଗ ସହ ତଥ୍ୟ ବି ଥିଲା। ଗାନ୍ଧୀ ଲେଖିଥିଲେ, ‘ଅନେକ ପ୍ରଶ୍ନ କରିପାରନ୍ତି, ସରକାର ମଦ ବିକ୍ରିରୁ ରାଜସ୍ବ ପାଉଥିଲେ। ଏଥିରେ ଜନକଲ୍ୟାଣକାରୀ କାର୍ଯ୍ୟ ହେଉଥିଲା। ଏକ ରିପୋର୍ଟ ଅନୁଯାୟୀ ସରକାର ମାତ୍ର ପଚିଶ କୋଟି ଟଙ୍କା ମଦ ଓ ଅଫିମ ବିକ୍ରିରୁ ରାଜସ୍ବ ପାଆନ୍ତି। ଅନ୍ୟ କ୍ଷେତ୍ରରେ ଟିକସ ବୃଦ୍ଧି କରି ସରକାର ଏଇ ପରିମାଣର ରାଜସ୍ବ ଆଦାୟ କରି ପାରିବେ। କିମ୍ବା ପ୍ରଶାସନିକ ଖର୍ଚ୍ଚ କମେଇ ଦେଲେ ମଦ ବନ୍ଦ ଜନିତ ରାଜସ୍ବ କ୍ଷତିର ଭରଣା ବି ହୋଇପାରିବ।’
ଗାନ୍ଧୀ ତାଙ୍କ ଲେଖାରେ ‘ମିଠୁ ବହନ’ ନାମକ ଜଣେ ମହିଳାଙ୍କ ଉଦାହରଣ ଦେଇଥିଲେ। ଗାନ୍ଧୀ ଉଲ୍ଲେଖ କରିଥିଲେ, ‘ମିଠୁ ବହନ ଜଣେ ଦିବ୍ୟାଙ୍ଗ ମହିଳା। ମଦ ବନ୍ଦ ପାଇଁ ଇଚ୍ଛାଶକ୍ତି ତାଙ୍କର ଅସୀମ। ମୁଁ ତାଙ୍କର କାର୍ଯ୍ୟକ୍ରମ ଓ କାର୍ଯ୍ୟନିଷ୍ଠା ଦେଖିଛି। ମିଠୁ ବହନ ନିଶା ନିବାରଣ ପାଇଁ ଭଲ ଭିତ୍ତିଭୂମିଟିଏ ତିଆରି କରି ଦେଇଛନ୍ତି। ଆମ ଭଉଣୀମାନେ ତାକୁ ସୁଦୃଢ଼ କରିବା କଥା। ମୁଁ ଏଥିପାଇଁ ମହିଳାମାନଙ୍କୁ ସ୍ୱଇଚ୍ଛାରେ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛି। ଗୁଜୁରାଟୀ ମହିଳାମାନେ ପ୍ରଥମେ ଏହା ଆରମ୍ଭ କରନ୍ତୁ। ଏବଂ ପ୍ରଥମ ପର୍ଯ୍ୟାୟରେ ଏମାନେ ଭାରତର ବଡ଼ଲାଟ ଲର୍ଡ ଇର୍ଉଇନ୍ଙ୍କ ପାଖକୁ ମଦ ବନ୍ଦ ପାଇଁ ଚିଠି ଲେଖନ୍ତୁ।’
ନିଶା ନିବାରଣ ଅଭିଯାନ ପାଇଁ ଗୁଜୁରାଟରେ ‘ରାଷ୍ଟ୍ରୀୟ ସ୍ତ୍ରୀ ସଭା’ ନାଁରେ ଏକ ମହିଳା ସଂଗଠନ ଗଠିତ ହୋଇ ଯାଇଥିଲା। ୧୯୩୦ ମସିହା ଏପ୍ରିଲ ୨୭ ତାରିଖରେ ମହାଦେବ ଦେଶାଇଙ୍କ ସ୍ତ୍ରୀ ଦୁର୍ଗା ଦେଶାଇ, ବିଶିଷ୍ଟ ଶିଳ୍ପପତି ଅମ୍ବାଲାଲ ସରାଭାଇଙ୍କ ଭଉଣୀ ଅନସୂୟା ସରାଭାଇ, ସମାଜସେବୀ ମିଠୁ ବହନ ଓ ମାମିନା ତ୍ୟାବଜୀଙ୍କ ପରି ଅନେକ ପ୍ରତିଷ୍ଠିତ ମହିଳାଙ୍କ ସମୂହ ଦସ୍ତଖତରେ ଏକ ଇଂରେଜୀ ଚିଠି ବଡ଼ଲାଟଙ୍କ ପାଖକୁ ପଠାଯାଇଥିଲା। ଚିଠିଟି ଲେଖିଦେଇଥିଲେ ଗାନ୍ଧୀଜୀ ନିଜେ।
ଚିଠିରେ ଲେଖା ଥିଲା, “ମହାମହିମ ବଡ଼ଲାଟଜୀ, ଦାଣ୍ଡିଯାତ୍ରା ପରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଏହା ସମ୍ପ୍ରତି ଏକ ବୃହତ୍ ଜାତୀୟ ଆନ୍ଦୋଳନର ରୂପ ନେଇ ସାରିଲାଣି। ଆମେ ମହିଳାମାନେ ଏଇ ଆନ୍ଦୋଳନରୁ ନିଜକୁ ପୃଥକ୍ କରି ରଖିପାରୁନୁ। ଆଇନ ଅମାନ୍ୟ ଆନ୍ଦୋଳନକୁ ଆମେ ସମର୍ଥନ କରୁଛୁ ଏବଂ ମଦ ଓ ନିଶା ବନ୍ଦ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛୁ।
ମହାମହିମ, ମଦ ଆମ ପରିବାରକୁ ଉଜାଡ଼ି ସାରିଲାଣି। ଘରେ ଆଉ ପାରିବାରିକ ସୌହାର୍ଦ୍ଦ ନାହିଁ। ଜୀବନ ଦୁର୍ବିଷହ। ଘରେ ମଦ୍ୟପାନ ଯୋଗୁଁ ପୁରୁଷଙ୍କ ଅପେକ୍ଷା ବେଶୀ ଏବେ ପ୍ରଭାବିତ ହେଉଛନ୍ତି ମହିଳା। ଜନକଲ୍ୟାଣ ଦୃଷ୍ଟିରୁ ରାଷ୍ଟ୍ର ମଦ ଓ ନିଶା ବିକ୍ରି ବନ୍ଦ କରିବା କଥା। ଦୁର୍ଭାଗ୍ୟ ଯେ ଏହା ହେଉନି।
ମହାମହିମ, ଆମେ ମହିଳାମାନେ ଦଳଦଳ ହୋଇ ମଦ ଦୋକାନ ଆଗରେ ବର୍ତ୍ତମାନ ପିକେଟିଙ୍ଗ୍ କରୁଛୁ। ଦୋକାନ ନ ଖୋଲିବାକୁ ନିବେଦନ କରୁଛୁ। ମଦ କିଣିବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ମଦ ନ ପିଇବାକୁ ଅନୁରୋଧ କରୁଛୁ। ସେମାନଙ୍କର ହୃଦୟ ଜିତି ଆମେ ଯେ ମଦ ବନ୍ଦ କରିପାରିବୁ, ଆମର ବିଶ୍ୱାସ। ଗାନ୍ଧୀଜୀ କହନ୍ତି, ମହିଳାମାନେ ମଦ ବନ୍ଦ ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ବିନା ଅସ୍ତ୍ରରେ ବି ସେମାନେ ଯୁଦ୍ଧବନ୍ଦ କରିପାରିବେ।
ମହାମହିମ, ଆମେ ମଦ ଓ ନିଶା ନିବାରଣ ଅଭିଯାନ କେବଳ ଗୁଜୁରାଟରେ ସୀମିତ ରଖିନୁ। ଭାରତର ଅନ୍ୟ ପ୍ରଦେଶର ନାରୀ ସମାଜ ମଧ୍ୟ ଆମ ସହ ସ୍ୱତଃପ୍ରବୃତ୍ତ ଭାବେ ଯୋଗ ଦେଇଛନ୍ତି। ମଦ ବନ୍ଦ ପାଇଁ ଏକ ବ୍ୟାପକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଯାଇଛି।
ବଡ଼ଲାଟଜୀ, ମଦ ବନ୍ଦ ଆମ ମହିଳାଙ୍କ ପାଇଁ ଏକ ଗମ୍ଭୀର ପ୍ରସଙ୍ଗ। ମଦ ପ୍ରସାର ନୀତି ବନ୍ଦ ନ ହେବା ପର୍ଯ୍ୟନ୍ତ ଏହା ସ୍ୱାଧୀନତା ଆନ୍ଦୋଳନ ସହ ଜାରି ରହିବ।
ଇତି ଆପଣଙ୍କର ବିଶ୍ୱସ୍ତ।’’
ମହିଳାଙ୍କ ଦସ୍ତଖତରେ ଏ ଚିଠିକୁ ଡାକ ଯୋଗେ ବଡ଼ଲାଟଙ୍କ ପାଖକୁ ପଠାଇ ଦିଆଯାଇଥିଲା। ମହିଳାଙ୍କ ଆବେଦନ କିନ୍ତୁ ଇଂରେଜ ସାହେବ ଶୁଣି ନ ଥିଲେ।
ଅବଶ୍ୟ ଏକ ମଦ ମୁକ୍ତ ସମାଜ ପାଇଁ ସେ ଆବେଦନ ଏବେ ବି ଏକ ସକାରାତ୍ମକ ଉତ୍ତର ଅପେକ୍ଷାରେ ଅଛି।
ମୋ: ୯୮୬୧୪୬୯୩୨୮