ଗୌରାଙ୍ଗ ଚରଣ ପରିଡ଼ା
୧୯୪୨ ମସିହାରୁ ୧୯୪୪ ମସିହା ପର୍ଯ୍ୟନ୍ତ ଗାନ୍ଧୀଜୀ ପୁନାର ଆଗା ଖାଁ ପ୍ରାସାଦରେ ବନ୍ଦୀ ଥିବାବେଳେ ବ୍ରିଟେନ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଵିନ୍ଷ୍ଟନ୍ ଚର୍ଚ୍ଚିଲ୍ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀଜୀଙ୍କ ବିରୋଧରେ ଦେଉଥିବା ଅନେକ କଟୁ ମନ୍ତବ୍ୟ ଖବର କାଗଜରେ ପ୍ରକାଶ ପାଉଥିଲା। ଚର୍ଚ୍ଚିଲ୍ଙ୍କ ଘୋଷଣା ଥିଲା, ଭାରତ ଯେ ବ୍ରିଟିଶ୍ ଶାସନରୁ କେବେ ସ୍ୱାଧୀନତା ପାଉ, ସେ ଚାହାନ୍ତି ନାହିଁ। ଏପରିକି ବିଶ୍ବଯୁଦ୍ଧ ଜିତିଲା ପରେ ବି ବ୍ରିଟେନ୍ର ଅନ୍ୟ ସମସ୍ତ ପରାଧୀନ ରାଷ୍ଟ୍ରକୁ ସ୍ୱାଧୀନତା ଦିଆଗଲେ ବି ଏ ସୁଯୋଗ କିନ୍ତୁ ଭାରତକୁ ମିଳିବନି ବୋଲି ଦୃଢ଼ୋକ୍ତି ଥିଲା ଚର୍ଚ୍ଚିଲ୍ଙ୍କର।
ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ନେଇ ଖୁବ୍ କଠୋର ଥିଲେ ଚର୍ଚ୍ଚିଲ୍। ସେ ଖୋଲାଖୋଲି କହୁଥିଲେ, ଲଙ୍ଗଳା ଫକିର ଗାନ୍ଧୀ ଓ ତାଙ୍କ ଆନ୍ଦୋଳନକୁ ନିୟନ୍ତ୍ରିତ ନକଲେ ଭାରତକୁ ସବୁଦିନ ଇଂଲାଣ୍ଡ୍ ପାଖରେ ରଖିବା କଷ୍ଟ ହେବ। ଗାନ୍ଧୀ ଆଇନ ଅନୁସାରେ ଆନ୍ଦୋଳନ କରୁଥିଲେ ବି, ଆଇନ ମାଧ୍ୟମରେ ଆନ୍ଦୋଳନକୁ କିପରି ଦମନ କରିହେବ, ଏ ଉପାୟ ମଧ୍ୟ ଇଂଲାଣ୍ଡ୍ ଶାସକଙ୍କୁ ଜଣା ବୋଲି ଚର୍ଚ୍ଚିଲ୍ ଚେତାବନୀ ଦେଇଥିଲେ।
ଆଗା ଖାଁ ପାଲେସ୍ରେ ଗାନ୍ଧୀଜୀ ଚର୍ଚ୍ଚିଲ୍ଙ୍କ ଏ ସବୁ ଟିପ୍ପଣୀ ପଢୁଥିଲେ। କିନ୍ତୁ କିଛି ପ୍ରତିକ୍ରିୟା ଦେଇ ପାରୁନଥିଲେ। ପ୍ରତିକ୍ରିୟା ଦେବାକୁ ସରକାରୀ ବାରଣ ଥିଲା। ୧୯୪୪ ମସିହା ମେ’ ମାସରେ ଜେଲ୍ରୁ ମୁକ୍ତ ହେବା ପରେ ଗାନ୍ଧୀଜୀ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁନା ନିକଟସ୍ଥ ‘ପଞ୍ଚଗନି’ରେ କିଛିଦିନ ବିଶ୍ରାମ ନେଇଥିଲେ। ସେହି ବର୍ଷ ଜୁଲାଇ ୧୭ ତାରିଖରେ ଗାନ୍ଧୀଜୀ ‘ପଞ୍ଚଗନି’ରୁ ଏକ ଚିଠି ଲେଖିଲେ ଚର୍ଚ୍ଚିଲ୍ଙ୍କ ପାଖକୁ। ଗାନ୍ଧୀ ଲେଖିଥିଲେ, ‘ପ୍ରିୟ ପ୍ରଧାନମନ୍ତ୍ରୀ, ମୋ ସମ୍ପର୍କରେ ଆପଣ ଦେଇଥିବା ମନ୍ତବ୍ୟ ମୁଁ ଖବରକାଗଜରେ ପଢ଼ିଛି। ମୋ ପରି ଜଣେ ଲଙ୍ଗଳା ଫକିରକୁ ଦମନ (କ୍ରସ୍) କରିବେ ବୋଲି ଆପଣ ସଂକଳ୍ପ କରିଛନ୍ତି। ଫକିର ହେବା ସହଜ ନୁହେଁ। ତ୍ୟାଗ ନକଲେ କିଏ ଫକିର ହୋଇପାରେନି। ପୁଣି ଲଙ୍ଗଳା ଫକିର ହେବା କଷ୍ଟକର ବ୍ୟାପାର। ମୁଁ ଆପଣଙ୍କ ମନ୍ତବ୍ୟକୁ ଖରାପ ଭାବିନି। ଏହାକୁ ମୋର ଏକ ପ୍ରଶଂସା ପତ୍ର ବୋଲି ଧରି ନେଇଛି। ମୁଁ ଆପଣଙ୍କ ସହ ଅନେକ ଥର ମିଶିଛି। ମୁଁ ଉଭୟ ଭାରତୀୟ ଓ ଇଂଲାଣ୍ଡ୍ ଅଧିବାସୀଙ୍କ ହିତରେ କାମ କରୁଛି ବୋଲି କହିଛି। ଏଥିପାଇଁ ମୁଁ ଆପଣଙ୍କ ସହଯୋଗ ମାଗିଛି ଏବଂ ମୁଁ ଆପଣଙ୍କୁ ସାହାଯ୍ୟ କରିବି ବୋଲି ବି ପ୍ରତିଶ୍ରୁତି ଦେଇଛି। ମୋର ବିଶ୍ୱାସ, ଅହିଂସାରେ ଭାରତ ସ୍ୱାଧୀନତା ପାଇଲେ ପୃଥିବୀର ମଧ୍ୟ ମଙ୍ଗଳ ହେବ। ଇତି, ଆପଣଙ୍କର ଆଦରଣୀୟ ବନ୍ଧୁ, ଏମ୍. କେ. ଗାନ୍ଧୀ।’
ଚିଠି ଲେଖିସାରି ଗାନ୍ଧୀଜୀ ଉକ୍ତ ଚିଠିଟିକୁ ରାଜାଜୀ (ରାଜଗୋପାଳଚାରୀ)ଙ୍କୁ ପଢ଼ିବାକୁ ଦେଇଥିଲେ। ରାଜାଜୀ କିନ୍ତୁ ଏ ଚିଠି ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ଙ୍କ ପାଖକୁ ଦେବା ସପକ୍ଷରେ ନଥିଲେ। କାଳେ ଭିନ୍ନ ଅର୍ଥ ବାହାରିପାରେ, ରାଜାଜୀଙ୍କ ଆଶଙ୍କା ଥିଲା। ଗାନ୍ଧୀ କିନ୍ତୁ ମନ୍ତବ୍ୟର ଗମ୍ଭୀରତା ଦୃଷ୍ଟିରୁ ଏପରି ଏକ ଚିଠି ଆବଶ୍ୟକ କହି ଉକ୍ତ ଚିଠିଟିକୁ ଚର୍ଚ୍ଚିଲ୍ଙ୍କ ନିକଟକୁ ପଠାଇ ଦେଇଥିଲେ। ଚର୍ଚ୍ଚିଲ୍ ଏହାର ଉତ୍ତର ଦେଇ ନ ଥିଲେ। କେବଳ ଧନ୍ୟବାଦ ସହ ଏକ ପ୍ରାପ୍ତି ସ୍ୱୀକାର ପତ୍ର ଭାରତର ବଡ଼ଲାଟଙ୍କ ମାଧ୍ୟମରେ ଗାନ୍ଧୀଙ୍କ ପାଖକୁ ଆସିଥିଲା। ଚର୍ଚ୍ଚିଲ୍ ଗାନ୍ଧୀଙ୍କ ସହ କୌଣସି ବୁଝାମଣା ଚାହୁ ନଥିଲେ।
ଗାନ୍ଧୀଙ୍କ ସହ ଚର୍ଚ୍ଚିଲ୍ଙ୍କ ଶତ୍ରୁତା ପ୍ରାୟ ଚାଳିଶି ବର୍ଷ ପୁରୁଣା ଥିଲା। ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ସତ୍ୟାଗ୍ରହକୁ ଚର୍ଚ୍ଚିଲ୍ ନାପସନ୍ଦ କରୁଥିଲେ। ସେତେବେଳେ ସେ ଇଂଲାଣ୍ଡ୍ର ବୈଦେଶିକ ବିଭାଗର ଉପସଚିବ ଥିଲେ।
ଚର୍ଚ୍ଚିଲ ଥିଲେ ଇଂଲାଣ୍ଡ୍ର ଜଣେ ରକ୍ଷଣଶୀଳ ସମ୍ଭ୍ରାନ୍ତ ବଂଶଜ। ସାଧାରଣରେ ଶ୍ରେଣୀହୀନ ସମାଜ କଥା କହୁଥିଲେ ବି ନିଜ ଶ୍ରେଣୀ ପ୍ରତି ସେ ବେଶ୍ ସଚେତନ ଥିଲେ। ସମ୍ରାଟଙ୍କ ଶାସନ ବିରୋଧରେ ଯେକୌଣସି ଆନ୍ଦୋଳନ ପ୍ରତି ତାଙ୍କର ଅଜସ୍ର ଘୃଣା ଥିଲା।
୧୯୩୧ ମସିହାରେ ଫେବ୍ରୁଆରିରେ ବଡ଼ଲାଟ ଲର୍ଡ ଇର୍ଵିନ୍ଙ୍କ ସହ ଗାନ୍ଧୀଜୀଙ୍କ ପ୍ରସ୍ତାବିତ ସାକ୍ଷାତ ନେଇ ଖବର ପ୍ରଚାରିତ ହେବା ପରେ ଖୁସିର ପରିବେଶ ସୃଷ୍ଟି ହୋଇଥିଲା। ଦୁଇ ତୁଙ୍ଗ ବ୍ୟକ୍ତିଙ୍କ ସାକ୍ଷାତରୁ କିଛି ସମାଧାନର ସୂତ୍ର ବାହାରିପାରେ ବୋଲି ଅନେକଙ୍କ ଆଶା ରହିଥିଲା। ଇର୍ଵିନ୍-ଗାନ୍ଧୀ ସାକ୍ଷାତ ନେଇ କିନ୍ତୁ ବେଶୀ ବିଚଳିତ ଥିଲେ ଚର୍ଚ୍ଚିଲ୍। ଲଣ୍ଡନ୍ର ଏକ ଜନସଭାରେ ଭାଷଣ ଦେଇ ସେ କହିଲେ, ‘ଗାନ୍ଧୀ ଏକ ଦେଶଦ୍ରୋହୀ। ରାଜଦ୍ରୋହ ଅପରାଧରେ ସେ ବାରମ୍ବାର ବନ୍ଦୀ ହୋଇ ଜେଲ୍ ଯାଆନ୍ତି। ଗାନ୍ଧୀ ଜଣେ ଛୋଟକାଟିଆ ଓକିଲ, ଇଂଲାଣ୍ଡ୍ର ଜଣେ ମିଡିଲ୍ ଟେମ୍ପଲ୍ ଓକିଲ ପରି। ଜଣେ ତ୍ୟାଗୀ ଫକିର ବୋଲି ସେ ଅଭିନୟ କରନ୍ତି। ବେଶଭୂଷା ଅର୍ଦ୍ଧନଗ୍ନ। ଫକିରମାନେ ଭାରତରେ ଅର୍ଦ୍ଧନଗ୍ନ ହୋଇ ଥାଆନ୍ତି। ସେଇ ଅଧା ଲଙ୍ଗଳା ବ୍ୟକ୍ତି, ଏମ୍. କେ. ଗାନ୍ଧୀ ଏବେ ବଡ଼ଲାଟଙ୍କ ସହ ସାକ୍ଷାତ ପାଇଁ ବଡ଼ଲାଟ ଅଫିସ ଘର ପାଖକୁ ଆସିପାରିଛନ୍ତି। ସେ ସମ୍ପ୍ରତି ନୂଆ ଏକ ଆଇନ ଅମାନ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ତଥାପି ଆମେ ତାଙ୍କୁ ଆଲୋଚନା ନିମନ୍ତେ ନିମନ୍ତ୍ରଣ କରିଛୁ। ଗାନ୍ଧୀଙ୍କୁ ଦେଖିଲେ ମୋତେ କିପରି ବାନ୍ତିବାନ୍ତି ଲାଗେ।’
ଇର୍ଵିନ୍ଙ୍କ ସହ ଗାନ୍ଧୀଙ୍କ ସାକ୍ଷାତରେ ଚର୍ଚ୍ଚିଲ ଏତେ କ୍ଷୁବ୍ଧ ହୋଇଯାଇଥିଲେ ଯେ, ଗୋଲ ଟେବଲ ବୈଠକବେଳେ ଗାନ୍ଧୀଜୀ ଚର୍ଚ୍ଚିଲ୍ଙ୍କୁ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ ବି ଚର୍ଚ୍ଚିଲ୍ ମନା କରିଦେଇଥିଲେ।
ଚର୍ଚ୍ଚିଲ ଓ ଗାନ୍ଧୀଙ୍କ ସମ୍ପର୍କ ନେଇ ଔପନ୍ୟାସିକ ଆର୍ଥର୍ ହରମ୍ୟାନ୍ ଏକ ବହି ଲେଖିଛନ୍ତି। ବହିର ନାଁ ‘ଗାନ୍ଧୀ ଆଣ୍ଡ୍ ଚର୍ଚ୍ଚିଲ୍’। ହରମ୍ୟାନ୍ ଲେଖିଛନ୍ତି, ଗାନ୍ଧୀଙ୍କ ସହ ଚର୍ଚ୍ଚିଲ୍ଙ୍କ ପୁରାଣ ପରି ଏ ଦୀର୍ଘ ଶତ୍ରୁତା ବ୍ରିଟିଶ୍ ସାମ୍ରାଜ୍ୟର ପତନ ପାଇଁ ଦାୟୀ। ବିଶ୍ୱଯୁଦ୍ଧରେ ବିଜୟ ପରେ ବି ୧୯୪୫ ମସିହା ନିର୍ବାଚନ ହାରିଯାଇଥିଲେ ଚର୍ଚ୍ଚିଲ୍। ହରମ୍ୟାନ୍ ତାଙ୍କ ପୁସ୍ତକରେ ଚର୍ଚ୍ଚିଲ ଓ ମୀରା ବେନ୍ (ମିସ୍ ମାଡେଲିନ୍ ସ୍ଲେଡ୍)ଙ୍କ ଏକ ସାକ୍ଷାତକାର ସ୍ଥାନିତ କରିଛନ୍ତି। ସାକ୍ଷାତକାରରେ ଚର୍ଚ୍ଚିଲ କହିଥିଲେ, ‘ମିସ୍ ସ୍ଲେଡ୍, ଗାନ୍ଧୀଙ୍କ ଅସ୍ପୃଶ୍ୟତା ଦୂରୀକରଣ ଓ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକ୍ରମକୁ ମୁଁ ପସନ୍ଦ କରେ। ଅଥଚ ଗାନ୍ଧୀଙ୍କ ରାଜନୈତିକ ନେତୃତ୍ୱକୁ ମୁଁ ପସନ୍ଦ କରେନି।’ ମୀରା ଉତ୍ତର ଦେଇଥିଲେ, ‘ଗାନ୍ଧୀଜୀ ଜଣେ ବାସ୍ତବ ଆଦର୍ଶବାଦୀ। ନୀତିହୀନ ରାଜନୀତିକୁ ସେ ପାପ ବୋଲି କହନ୍ତି।’
ହଠାତ୍ ସକ୍ଷାତକାର ବନ୍ଦ କରି ମୀରା ଫେରି ଆସିବା ବେଳେ, ଚର୍ଚ୍ଚିଲ କହିଥିଲେ, ‘କୁମାରୀ ସ୍ଲେଡ୍, ଗାନ୍ଧୀଙ୍କୁ ମୋ ସମ୍ମାନ ଓ ଶୁଭେଚ୍ଛା ଜଣାଇଦେବ। କହିବ, ଗୋଲଟେବଲ ବୈଠକ ବେଳେ ତାଙ୍କୁ ସାକ୍ଷାତ ନ କରି ମୁଁ ଦୁଃଖିତ। କେବେ ଭାରତ ଗଲେ ଦେଖା ହେବି’। ଚର୍ଚ୍ଚିଲ୍ କେବେ ଭାରତ ଆସି ନ ଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮