କେହି କେହି ଗାନ୍ଧୀଜୀଙ୍କୁ ଜଣେ ବେପାରୀ କହି ସମାଲୋଚନା କରନ୍ତି। ତାଙ୍କର ବେପାରୀ ବୁଦ୍ଧି। ହେଲେ ଏହାକୁ ସମାଲୋଚନା ବୋଲି କହିବା ଠିକ୍ ହେବ ନାହିଁ କାରଣ ସେ ନିଜେ ତାହା ସ୍ବୀକାର କରିଛନ୍ତି। ବଣିିଆ କହିଲେ ଆମେ ଓଡ଼ିଶାରେ ସୁନା, ରୁପା ଅଳଙ୍କାର ଗଢୁଥିବା କାରିଗରଙ୍କୁ ବୁଝୁ। ମାତ୍ର ‘ବଣିଆ’ ଶବ୍ଦର ବ୍ୟାପକ ଅର୍ଥ ‘ବେପାରୀ’।
ମଣିଷର ବଡ଼କଥା ହେଲା ତା’ର ପରିଚୟ। ସେଇଥିପାଇଁ ନିକଟ ଅତୀତ ଯାଏ କାହାର ପରିଚୟ ମାଗିଲାବେଳେ ପ୍ରଥମେ ପଚରା ଯାଉଥିଲା- ଆପଣ ବର୍ଣ୍ଣରେ କ’ଣ? ଅର୍ଥାତ୍ ଆପଣ କେଉଁ ଜାତିର ଲୋକ? ଆଜି ଜାତି ଶବ୍ଦଟିକୁ ଭେଦାଭେଦମୂଳକ ବୋଲି ବିଚାର କରାଯାଉଛି। ବିଶେଷ କରି ସ୍ବାଧୀନ ଭାରତରେ ଜାତି ଶବ୍ଦଟି ଘୃଣା-ବ୍ୟଞ୍ଜକ। ତେଣେ ସମସ୍ତ ସରକାରୀ କାଗଜରେ ନିଯୁକ୍ତି ବେଳେ ଓ ଜନଗଣନା ବେଳେ ପଚରାଯାଏ ଜାତି କ’ଣ? ଏଣେ ମୁହଁରେ ଧରିଲେ ଦୋଷାବହ। ସ୍ବାଧୀନତା ପୂର୍ବବର୍ତ୍ତୀ ଭାରତରେ ବଡ଼ ପରିଚୟ ଥିଲା ଜାତି। ସେଇଥିପାଇଁ ବୋଧେ ଗାନ୍ଧୀଜୀ, ନିଜ ‘‘ଆତ୍ମଜୀବନୀ ବା ମୋ’ ଜୀବନରେ ସତ୍ୟର ପ୍ରୟୋଗ ବୃତ୍ତାନ୍ତ’’ ଲେଖିବାକୁ ଯାଇ ଆରମ୍ଭରୁ ସ୍ବୀକାର କରିଛନ୍ତି ଯେ ‘‘ଗାନ୍ଧୀମାନେ ବଣିଆ ଜାତିର ଏବ˚ ସେମାନେ ମୂଳତଃ ତେଜାରତୀ ବା ମସଲା ବେପାରୀ।’’ ଅତଏବ ବୁଝିନେବା ଉଚିତ ଯେ ଗାନ୍ଧୀ ମହାତ୍ମାଙ୍କ ଭିତରେ ଜନ୍ମରୁ ବେପାରୀର ଗୁଣସୂତ୍ର ଥିଲା।
ନିଜ ବିଷୟରେ ଲେଖିଲାବେଳେ ସେ ପୁଣି ଲେଖିଛନ୍ତି- ମୋ ଜେଜେବାପାଙ୍କ ଠାରୁ ଆରମ୍ଭ କରି ପୂର୍ବ ତିନି ପୁରୁଷଯାଏ ସେମାନେ କାଠିଆବାଡ଼ ରାଜ୍ୟମାନଙ୍କରେ ପ୍ରଧାନମନ୍ତ୍ରୀ କାମ ତୁଲାଉଥିଲେ। ଜେଜେବାପା ଉତ୍ତମଚାନ୍ଦ ବା ଓତା ଗାନ୍ଧୀଙ୍କ ପରେ ବାପା କରମଚାନ୍ଦ ବା କାବା ଗାନ୍ଧୀ, ଏ ସମସ୍ତେ ଥିଲେ ବିଭିନ୍ନ ରାଜ୍ୟର ପ୍ରଧାନମନ୍ତ୍ରୀ। ତେଣୁ ମୋହନ ଦାସ ଗାନ୍ଧୀ ଗୁଣସୂତ୍ରରେ ଥିଲେ ବେପାରୀ ଓ ପାରିବାରିକ ଅଭିଜ୍ଞତା ଆଧାରରେ ଥିଲେ ପ୍ରଶାସନିକ ବ୍ୟବସାୟୀ। ପୁଟୁଳି ବଣିଆଗିରିରୁ ପ୍ରଶାସନ। ଉଭୟ ବ୍ୟବସାୟ।
ସମୟ ବଦଳୁଥିଲା। ପ୍ରଧାନମନ୍ତ୍ରୀପଣ ବା ଦେଵାନଗିରି ପାଇଁ ରାଜ୍ୟମାନଙ୍କର ବ୍ରିଟିସ୍ ଆଇନ୍ ଜ୍ଞାନ ଓ ଭଲ ଇ˚ରେଜୀ ଜ୍ଞାନ ଦରକାର ପଡୁଥିଲା। ସେଇଥିପାଇଁ ଗାନ୍ଧୀ ପରିବାର କରଜରେ ବୁଡ଼ି ସୁଦ୍ଧା ମୋହନ ଦାସ ଗାନ୍ଧୀଙ୍କୁ ବିଲାତ ପଠେଇଥିଲେ ବାରିଷ୍ଟରୀ ପଢ଼ିବା ପାଇଁ।
ତେଜାରତୀ ବ୍ୟବସାୟରୁ ଆଇନ୍ ବ୍ୟବସାୟ। ତେଜାରତୀ ବେପାରରୁ ଆଇନ୍ ବେପାର। ବେପାରୀ ଗାନ୍ଧୀ-ପରିବାର।
ମାତ୍ର ଶେଷକୁ ମୋହନ ଦାସ ହେଲେ କ’ଣ? ତେଜାରତୀ ଦୋକାନ ଖୋଲିଲେ ନା ଆଇନ ବ୍ୟବସାୟରେ ରହିଲେ? ପରିବାର ତାଙ୍କୁ ତିଆରି କରିଥିଲା ଦେଵାନ୍ ଚାକିରି ପାଇଁ। ସେ କିନ୍ତୁ ପାଲଟିଲେ ସତ୍ୟ, ଅହି˚ସାର ପୂଜାରୀ। ଏଇ ରୂପାନ୍ତରଣକୁ ନ ବୁଝିଲେ ଗାନ୍ଧୀଜୀଙ୍କୁ ବୁଝିବା ସହଜ ହେବ ନାହିଁ। ତା’ଙ୍କୁ ନ ବୁଝିଲେ ତା’ଙ୍କର କିଛି କ୍ଷତି ହେବାର ନାହିଁ, ସେ ତ ଗଲେଣି! ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିଅର୍ ସେଥିପାଇଁ କହିଥିଲେ, ‘‘ତାଙ୍କୁ ନ ବୁଝିଲେ ଆମର କ୍ଷତି, ଆମ ଭବିଷ୍ୟତ ପାଇଁ ବିପଦ।’’
ଗାନ୍ଧୀଜୀଙ୍କ ପରି ରୂପାନ୍ତରିତ ବ୍ୟକ୍ତିତ୍ବ ବିରଳ। ସେ ନିଜେ ସ୍ବୀକାର କରିଛନ୍ତି ଯେ ମୁଁ ଗୋଟେ ବିବର୍ତ୍ତିତ ମଣିଷ। ଅନ୍ତରର ଚେତନା ମତେ ଯେମିତି ଓ ଯେଉଁ ଆଡ଼କୁ ଡାକେ ମୁଁ ସେ ଆଡ଼େ ଯାଏ। ତାଙ୍କର ସ˚ଗ୍ରାମ ଧାରାଟି ମଧୢ ସେହିପରି। ‘‘ସହଯୋଗରୁ ଅସହଯୋଗ’’। ‘‘ଅସହଯୋଗରୁ ଆଇନ ଅମାନ୍ୟ’’। ‘‘ଶେଷକୁ- ବିତାଡ଼ନ’’। ଅନ୍ୟ ଅର୍ଥରେ କହିଲେ- ‘‘ଛାଡ଼ିକି ଯାଉଛ ନା ଦେଖିବ!’’ ଏ ଭଳି ବିପ୍ଳବଧାରାରେ ପାହାଚ ପରେ ପାହାଚ ଉଠି ନିଜକୁ ସଫଳ କରାଇପାରିଥିବା ନାୟକ କାଇଁ ପୃଥିବୀ ଇତିହାସରେ? ସବୁକଥାରେ ଉତ୍ତରଣ। ଚରମ କାମୁକତାରୁ ଅତୁଟ ବ୍ରହ୍ମଚର୍ଯ୍ୟର ଜୀବନ। ଡରୁଆ ମାଡ଼ଖିଆ ଜୀବନରୁ ଇସ୍ପାତ ଭଳି ଟାଣୁଆ ପୁଣି ନିର୍ଭୀକ ବ୍ୟକ୍ତିତ୍ବ। ମନେ ପକାଇବା, ଦକ୍ଷିଣ ଆଫ୍ରିକାରେ ମୋହନ ଦାସ ଗାନ୍ଧୀଙ୍କର ଠେଙ୍ଗାମାଡ଼ ଓ ଗୋଇଠା ଖାଇବାର କଥା।
ଅତଏବ ଯେଉଁମାନେ ଗାନ୍ଧୀଜୀଙ୍କ ଭିତରେ ବେପାରୀଟିକୁ ଦେଖନ୍ତି ସେମାନେ ଜହ୍ନି ମଞ୍ଜିଟିକୁ ଦେଖନ୍ତି ସିନା ସେମାନଙ୍କ ଆଖିରେ ଜହ୍ନି ଫୁଲ ଠୋ’ ଠା’ ହେଇ ଦିଶେନି। ଚାରୁ ସୁବର୍ଣ୍ଣ ପ୍ରତିମା ଭିତରେ ତାଙ୍କୁ ଖଣି ପଥରଟିଏ ଦିଶେ। ଆଲୁଅରେ ବି ସେମାନେ ଅନ୍ଧାର ଖୋଜନ୍ତି। ଜଗନ୍ନାଥଙ୍କ ଭିତରେ କାଠଗଡ଼ ଦେଖନ୍ତି।
ଏବେ ମୂଳ କଥାଟିକୁ ଆସିବା। ବର୍ତ୍ତମାନିକ ସମୟରେ ଗାନ୍ଧୀଜୀ ଆମ ଆଖିରେ କେମିତି? ତିନିପ୍ରକାର ଲୋକଙ୍କ ଭିତରେ ଆଜି ସେ ସୀମାବଦ୍ଧ। ସେଥିରୁ ଦୁଇ ପ୍ରକାରର ବ୍ୟକ୍ତି ତାଙ୍କୁ ନେଇ ବ୍ୟବସାୟରେ ପ୍ରମତ୍ତ। ଦଳେ ଗାନ୍ଧୀଜୀଙ୍କୁ ଗାଳି ଫଜିତ୍ କରି ନିଜ ବ୍ୟବସାୟ ଆରମ୍ଭ କରିଛନ୍ତି ତ ଆଉ ଦଳେ ଗାନ୍ଧୀ ଭକ୍ତ ପାଲଟି ଖୋଳ, ଥାଳ ଧରି ଚାନ୍ଦା ଆଦାୟରେ ମାତିଛନ୍ତି। ତୃତୀୟ ପ୍ରକାରଟି ଜାଣିତୀର୍ଥ। ଗାନ୍ଧୀଜୀଙ୍କ ବିଚାରଧାରାକୁ ଜାଣନ୍ତି ଓ ବୁଝନ୍ତି ମାତ୍ର ତାଙ୍କୁ େନଇ ସେମାନଙ୍କର କିଛି କରିବାର ନାହିଁ। ଆଲୋଚନାବେଳେ ଗାନ୍ଧୀ-ମାର୍ଗ ସମ୍ପର୍କରେ ଏମାନଙ୍କର ବକ୍ତବ୍ୟ ଖୁବ୍ ରୋଚକ ହୁଏ ହେଲେ ଗାନ୍ଧୀ ବିଚାର ଧାରାର ଉପଯୋଗିତା କଥା କହି ତାହାକୁ କାର୍ଯ୍ୟକାରୀ କରିବା ଲାଗି ନିଜେ ସେମାନେ ନିସ୍ପୃହ ହୋଇପଡ଼ନ୍ତି।
ଗାନ୍ଧୀଜୀ ଏବେ ଏକ ବ୍ୟାବସାୟିକ ସାମଗ୍ରୀ। ଯେ ଯେତେ ତାଙ୍କୁ ବଜାରରେ ଉପଯୋଗ କରିପାରିଲା ତା’ର ସେତେ ଲାଭ। ବଜାର ସଭ୍ୟତାର ଅସଲ କଥା ହେଲା ବିକା କିଣା। ନ ଥିବା ଜିନିଷ ଗଢ଼ ଓ ସେ ସମ୍ପର୍କରେ ବଢ଼ା ଚଢ଼ା କରି କହି ବିକ୍ରିକର। ନାଇଁ ତ ଯାହା ଗଢ଼ା ହୋଇଅଛି ତା’କୁ ଯେତେ ପାର ସେତେ କମ୍ ଦରରେ କିଣି ଆଣି ବେଶ୍ ଚଢ଼ା ମୂଲ୍ୟରେ ବିକ୍ରି କରିବା ଲାଗି ବାଟ ଖୋଜ। ପଦାର୍ଥଟି ସମ୍ପର୍କରେ ମିଛ ସତ କୁହ, ଖୁବ୍ ଜୋରରେ ବିଜ୍ଞପିତ କର। ଉଭୟରେ ଲାଭ ହିଁ ଲାଭ।
ଚାଷ କାର୍ଯ୍ୟରେ ସଭିଏଁ ଲାଭକାରୀ ବା ଅର୍ଥକାରୀ ଫସଲ ଉପରେ ଧୢାନ ଦିିଅନ୍ତି। ଯେଉଁ ଚାଷରେ ଭଲ ଅମଳ ନାହିଁ ସେଥିରେ କିଏ କାହିଁକି ଲାଗିବ? ବ୍ୟକ୍ତିତ୍ବ ଦିଗରୁ ବିଚାର କଲେ ଗାନ୍ଧୀଜୀ ହିଁ ଆମ ଦେଶରେ ସବୁଠାରୁ ଅଧିକ ଲାଭକାରୀ ଫସଲ। ଫସଲରୁ ଉପୁଜିଥିବା ଶସ୍ୟ, ଫଳ ବା ଉତ୍ପାଦ କେହି ନିଜେ ଖାଉ କି ନ ଖାଉ ଅନ୍ୟକୁ ବିକି ସେଥିରୁ ଫାଇଦା ଉଠାଇବା ପାଇଁ ସଭିଏଁ ଆଗଭର।
ସବୁଠାରୁ ଲାଭକାରୀ ଫସଲଟି କ’ଣ?
କେବେ ଥିଲା ‘‘ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦର୍ଦ୍ଧ˚ କୃଷି କର୍ମାଣୀ, ତଦର୍ଦ୍ଧ˚ ରାଜସେବାୟା˚, ଭିକ୍ଷା˚ ନୈବଚ ନୈୖବଚ।’’ ଏବେ ଆଉ ସେ କଥା ନାହିଁ। ରାଜନୀତି-ବ୍ୟବସାୟ ହିଁ ସବୁଠାରୁ ଅଧିକ ଲାଭକାରୀ ଫସଲ ଭାବେ ପ୍ରମାଣିତ ହୋଇଛି। ଆଜି ଯେ ଫକିର କାଲି ସେ ରାଜେନ୍ଦ୍ର ଆସନରେ ବସୁଛି, ନିସ୍ବ ବ୍ୟକ୍ତିଟିଏ ରାଜନୀତି-ବ୍ୟବସାୟ କରି ଅଳ୍ପ ଦିନରେ ଧନପତି ପାଲଟି ପାରୁଛି। ଗଣତନ୍ତ୍ର, ବ୍ୟକ୍ତିକୁ ସ୍ବାଧୀନତା, ସମାନତା ଦେଉ କି ନ ଦେଉ ଅବାଟରେ ଧନ କମେଇବା ଲାଗି ବ୍ୟାପକ ସୁଯୋଗ ପ୍ରଦାନ କରୁଛି। ତେଣୁ ରାଜନୀତି ପାଲଟିଛି ଉତ୍କୃଷ୍ଟ ଲାଭନୀତି।
ବ୍ୟବସାୟର ମୂଳ ଲକ୍ଷ୍ୟ ଲାଭ। ଲାଭ ନ ଥିବା ବ୍ୟବସାୟ ନିରର୍ଥକ। ତେଣୁ ରାଜନୀତି-ବ୍ୟବସାୟକୁ ଲାଭନୀତିରେ ପରିଣତ କରିବା ପାଇଁ ଯେଉଁ ସବୁ ବ୍ୟକ୍ତିତ୍ବଙ୍କର ଉପଯୋଗ କରାଯାଉଛି ତା’ର ଅଗ୍ରଭାଗରେ ଅଛନ୍ତି ଗାନ୍ଧୀଜୀ। ଗାନ୍ଧୀଜୀ, ଅନେକଙ୍କ ପାଇଁ ଆଜି ପଦାର୍ଥ ଭାବରେ ଉଭୟ ସାର ଓ ଫସଲର ଭୂମିକା ନିର୍ବାହ କରୁଛନ୍ତି।
ଦକ୍ଷିଣପନ୍ଥୀମାନେ ଗାନ୍ଧୀଜୀଙ୍କୁ ସାର ଭଳି ବ୍ୟବହାର କରି ନିଜର ରାଷ୍ଟ୍ରଭକ୍ତିକୁ ଉଜାଗର କରୁଛନ୍ତି। ଯେଉଁମାନେ ଦିନେ ଗାନ୍ଧୀଜୀଙ୍କୁ ବିରୋଧ କରୁଥିଲେ, ଗାନ୍ଧୀ ବିଚାରଧାରାରେ ସାମିଲ ନ ଥିଲେ ସ୍ବାଧୀନ ଭାରତରେ ସେମାନେ ସାଜିଛନ୍ତି ଗାନ୍ଧୀ-ଘୃଣାକାରୀ। ନିଜର ଦଳକୁ ମଜବୁତ୍ କରିବାରେ ଓ ଆଦର୍ଶକୁ ନିଆରା ପ୍ରମାଣିତ କରିବା ଲାଗି ଗାନ୍ଧୀ-ସାର ପ୍ରୟୋଗ କରୁଛନ୍ତି ସେମାନେ। ଗାନ୍ଧୀଜୀ ଭାରତକୁ ଅନଗ୍ରସର କରିଦେଲେ, ଦେଶ ବିଭାଜନର କାରଣ ସାଜିଲେ, ମୁସଲମାନ ପ୍ରୀତି କରି ହିନ୍ଦୁମାନଙ୍କୁ ନିର୍ଯାତିତ କଲେ, କ˚ଗ୍ରେସକୁ କ୍ଷମତା ଅର୍ପଣ କଲେ, ପଟେଲଙ୍କ ବଦଳରେ ନେହରୁଙ୍କୁ ଗାଦିରେ ବସାଇ ମସ୍ତବଡ଼ ଭୁଲ କଲେ ଆଦି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ନିଜ ଦଳର ଗାନ୍ଧୀ ବିରୋଧୀ ମନୋଭାବକୁ ସୁଦୃଢ଼ କରିବାରେ ସେମାନେ ଲାଗିପଡ଼ିଛନ୍ତି। କିନ୍ତୁ ଗାନ୍ଧୀଜୀ ଯେ ଜଣେ ଶ୍ରେଷ୍ଠ ହିନ୍ଦୁ ଥିଲେ ଓ ସତ୍ୟ, ଅହି˚ସା, ଅସ୍ତେୟ, ଅପରିଗ୍ରହ, ଉପବାସ, ଉପାସନା, ବ୍ରହ୍ମଚର୍ଯ୍ୟ ଓ ସର୍ବୋଦୟ ଭଳି ଶ୍ରେଷ୍ଠ ହିନ୍ଦୁ କର୍ମଗୁଡ଼ିକର ନିଷ୍ଠାପର ସାଧକ ଥିଲେ ସେ କଥା ସେମାନେ କହନ୍ତି ନାହିଁ। ଗୋପବନ୍ଧୁ ଦାସଙ୍କର ଯେ ଉକ୍ତି- ‘‘ନିଜ ସ୍ବାର୍ଥ ଲାଗି ଜାତ ନୁହେଁ ହିନ୍ଦୁ/ ବିଶ୍ବ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ’’, ତାହାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମହାତ୍ମା ଗାନ୍ଧୀ। ଯେଉଁ ଦଳବାଦୀମାନେ ଦେଶଭକ୍ତି ଓ ରାଷ୍ଟ୍ରୀୟତାର କଥା କହି ଗାନ୍ଧୀଜୀଙ୍କୁ ଘୃୃଣା କରନ୍ତି ସେମାନେ ଭୁଲିଯାଆନ୍ତି ଯେ ସେହି ବ୍ୟକ୍ତି ହିଁ ୧୯୩୬ ମସିହାରେ ପ୍ରଥମ କରି ବାରଣାସୀଠାରେ ଭାରତମାତା ମନ୍ଦିରର ଉଦ୍ଘାଟନ କରିଥିଲେ। ସେ ମନ୍ଦିରରେ ମୂର୍ତ୍ତି ନାହିଁ ମାତ୍ର ଚମତ୍କାର ମାର୍ବଲ ଚଦରରେ କଟା ହୋଇ ରହିଛି ଭାରତମାତାଙ୍କର ମାନଚିତ୍ର। ମନ୍ଦିର ଗାତ୍ରରେ ଶୋଭାପାଉଛି ଜାତୀୟତାବାଦୀ ପ୍ରସିଦ୍ଧ ହିନ୍ଦୀ କବି ମୈଥିଳୀ ଶରଣ ଗୁପ୍ତଙ୍କର କବିତାର ଧାଡ଼ି। ଜାତି, ଧର୍ମ ନିର୍ବିଶେଷରେ ଏ ମନ୍ଦିର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ଆଜି ଯେ କନ୍ୟାକୁମାରୀ ଠାରୁ ଆରମ୍ଭ କରି ଉଜ୍ଜୟିନୀ ଯାଏ ନାନା ସ୍ଥାନରେ ଭାରତମାତାଙ୍କର ମୂର୍ତ୍ତି ଓ ମନ୍ଦିର ଶୋଭାପାଉଛି ସେସବୁ କ’ଣ ଅଣଗାନ୍ଧୀ ପ୍ରତିଫଳନ?
କେବଳ ସେତିକି ନୁହେଁ ଅତୀତରେ ଗାନ୍ଧୀ-ବିରୋଧୀ ବୋଲି ଆପଣାର ପରିଚୟ ଦେଇଥିବା ପ୍ରାୟ ସମସ୍ତ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ଦଳ ସୁଯୋଗ ଅନୁସାରେ ନିଜ ରାଜନୀତି ବ୍ୟବସାୟରେ ଆଜି ଗାନ୍ଧୀ-ସାର ପ୍ରୟୋଗ କରୁଛନ୍ତି। ସେମାନେ ଜାଣନ୍ତି ଯେ ରାଜନୀତିରେ ଲୋକମତକୁ ପଲ୍ଲବିତ କରିବା ପାଇଁ ଗାନ୍ଧୀଜୀଙ୍କ ଭଳି ଉତ୍କୃଷ୍ଟ ଜୈବିକସାର ଆଉ କିଛି ନାହିଁ। ବିରୋଧ ହେଉ କି ପ୍ରଶ˚ସା, ଲୋକେ ଗାନ୍ଧୀ ନାମ ସହ ବନ୍ଧା। ଅତଏବ ଗାନ୍ଧୀଚର୍ଚ୍ଚାର ନେତିସୂଚକ ଆଲୋଚନା ମଧୢ ଜନମତ ସୃଷ୍ଟି ଲାଗି ବେଶ୍ ଉପକାରୀ।
ଅପରପକ୍ଷରେ ଗାନ୍ଧୀ-ପ୍ରଶ˚ସକ ବା ଗାନ୍ଧୀଭକ୍ତମାନଙ୍କ ବ୍ୟବସାୟର କଥା। ଭାରତବର୍ଷରେ ଗାନ୍ଧୀବାଦ, ଗାନ୍ଧୀ ରାଜନୈତିକ ଦଳ, ଗାନ୍ଧୀ-ଅର୍ଥନୀତି, ଗାନ୍ଧୀ-ମୌଳିକଶିକ୍ଷା, ଗାନ୍ଧୀ-ନ୍ୟାସବ୍ୟବସ୍ଥା ଆଦି ଆଉ କେଉଁଠାରେ ଦେଖିବାକୁ ମିଳୁନଥିଲାବେଳେ ଶହ ଶହ ଗାନ୍ଧୀ-ଶାସ୍ତ୍ରୀ ଏବେ ଦେଶ ତମାମ ଉପଲବ୍ଧ।
ତା’ଙ୍କ ଲାଗି ଶହେପଚାଶତମ ଜନ୍ମଶତବାର୍ଷିକୀ ପାଳନର ଅବସର ସତେ ଯେମିତି ସାରା ଦେଶ ପାଇଁ ପାଲଟିଗଲା ଏକ ପାଠ୍ୟକ୍ରମ। ଗାନ୍ଧୀଜୀଙ୍କୁ ପଢ଼ି ନ ଥିବା ବୁଝି ନ ଥିବା ଲୋକେ ସେ ପାଠ୍ୟକ୍ରମରେ ସାମିଲ ହୋଇ ଗାନ୍ଧୀ-ବିଶାରଦ ହେବାର ଉପକ୍ରମ କଲେ। ରାତାରାତି ଶହ ଶହ ଗୀତ, ପ୍ରବନ୍ଧ ଲେଖା ଚାଲିଲା। କାଗଜ କଲମରେ, ସଭାରେ, ବକ୍ତୃତାରେ ହଜାର ହଜାର ଲୋକ ଗାନ୍ଧୀ-ବିଚାରକୁ ବୁଝିଥିବାର ପ୍ରମାଣ ଦେଲେ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ଭଲ କାଗଜ, ଭଲ ଛାପା, ରଙ୍ଗ ଓ ବନ୍ଧେଇ ପାଲଟିଗଲା ଗାନ୍ଧୀଜୀଙ୍କୁ ବୁଝିଥିବାର ପ୍ରମାଣ। ସରକାରମାନେ, ସାମାଜିକ, ସା˚ସ୍କୃତିକ ଓ ସ୍ବେଚ୍ଛାସେବୀ ସ˚ସ୍ଥାମାନେ ଜାତୀୟ ଅର୍ଥମୁଣାରେ ହାତ ପୂରାଇ ଗାନ୍ଧୀଜୀଙ୍କ ନାମରେ କେତେ ନା କେତେ କାର୍ଯ୍ୟକ୍ରମ କଲେ। ଖଦଡ଼କୁ ରଙ୍ଗ କରି ପିନ୍ଧିଲେ।
ହିନ୍ଦୁ-ମୁସଲମାନ ଭାଇଚାରା, ଛୁଆଁ-ଅଛୁଆଁ ଭେଦଭାବର ଦୂରୀକରଣ, ସ୍ବଦେଶୀ ତଥା ସ୍ବନିର୍ଭରଶୀଳତା, ନିଶାନିବାରଣ, ନାରୀଶକ୍ତିର ଜାଗରଣ, ମୌଳିକ ଶିକ୍ଷା, ଗ୍ରାମୀଣ ବିକାଶ ଆଦି ଯେତେ ସବୁ ଗାନ୍ଧୀ-ବିଚାରର କଡ଼ି ସେଥିରୁ ଗୋଟିଏ ବି କେହି କାର୍ଯ୍ୟକାରୀ କଲେ ନାହିଁ।
ଗାନ୍ଧୀଜୀ କହୁଥିଲେ ଖଦଡ଼ ରଙ୍ଗ ହେବ ନାହିଁ କାରଣ ତାହା ମଇଳାକୁ ଲୁଚେଇବା ଲାଗି ସୁଯୋଗ ଦେବ, ଅଥଚ ଆମେ ଆଜି ଅଧିକା˚ଶ ରଙ୍ଗ-ଖଦଡ଼ ପ୍ରେମୀ। ଗାନ୍ଧୀଜୀଙ୍କର ମତ ଥିଲା ନିଶା ଏକ ପାପ, ଅଥଚ ନିଶାଦ୍ରବ୍ୟ କେମିତି ସହଜରେ ଲୋକେ ପାଇବେ ସେଥିପାଇଁ ଆମେ ପହିଲେ କାର୍ଯ୍ୟକ୍ରମ ଗ୍ରହଣ କଲେ। ସ୍ବଦେଶୀ ଓ ସ୍ବନିର୍ଭରଶୀଳତା ବଦଳରେ ବିଦେଶୀ ଦ୍ରବ୍ୟ ଓ ପରନିର୍ଭରଶୀଳତା ପ୍ରତି ଏବେ ଆମର ଅକୁଣ୍ଠ ସମର୍ଥନ। ଦେଶସାରା ସାମ୍ପ୍ରଦାୟିକ ଅସଦ୍ଭାବ, ନାରୀଜାତି ଗାଆଁରୁ ସହରଯାଏ ସବୁଆଡ଼େ ନିର୍ଯାତିତ, ଗାଆଁ ଉଜୁଡୁଛି ସହର ବଢୁଛି। ପରିବେଶ ଲାଗି ଗାନ୍ଧୀଜୀଙ୍କର ଯେ ମନ୍ତ୍ର ତାହାକୁ ମଧୢ କାର୍ଯ୍ୟକାରୀ କରାଗଲା ନାହିଁ।
ଆଜି ଗାନ୍ଧୀ-ବିଚାର ଆମ ଦେଶର ସାମଗ୍ରିକ ବିଚାର-ଧାରାରୁ ସମ୍ପୂର୍ଣ୍ଣ ଅନ୍ତର୍ହିତ। କେବଳ ମଝିରେ ମଝିରେ ଖବରକାଗଜ ପୃଷ୍ଠାରେ ଛାପା କେତେଗୋଟି ପ୍ରବନ୍ଧ ଓ କୁଣ୍ଠିତ ସ୍ତରର ଠାଆକୁ ଠାଆ ବକ୍ତବ୍ୟ ଏବ˚ ଅଣଦେଖା ତଥା ଅବହେଳିତ ଗୁଡ଼ିଏ ପ୍ରତିମୂର୍ତ୍ତିକୁ ଛାଡ଼ିଦେଲେ ଗାନ୍ଧୀଜୀ ଆଉ କେଉଁଠି ନାହାନ୍ତି। ଯେଉଁ କେତେଜଣ ଗାନ୍ଧୀକର୍ମୀ ଏବେ ବି ପ୍ରାଣପାତ କରି ଗାନ୍ଧୀ ବିଚାରଧାରା ସହ ରହିବାକୁ ଚାହାନ୍ତି ସେମାନଙ୍କ ପ୍ରତି ବ୍ୟବସ୍ଥା ଏତେ ପ୍ରତିକୂଳ ଯେ କେହି ଗାନ୍ଧୀଙ୍କୁ ନେଇ ଲୋକକ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରିପାରୁନାହାନ୍ତି। ଏପରି କି ଯେଉଁ ରାଜନୈତିକ ଦଳମାନେ ଗାନ୍ଧୀଜୀଙ୍କ ନାଆଁ ଧରି ଅତୀତରେ ପରିଚୟ ପାଇଥିଲେ ସେମାନେ ବି ଆତ୍ମସଚେତନତା ଓ ଆତ୍ମବିଶ୍ବାସ ହରେଇ ବସିଛନ୍ତି।
ଏବେ ଗାନ୍ଧୀଜୀ କେଉଁଠି ଅଛନ୍ତି ବୋଲି କହିଲେ ତା’ର ଠିକ୍ ଉତ୍ତର ହେବ- ‘‘ଷ୍ଟାଚ୍ୟୁରେ ନ ହେଲେ ଲାଇବ୍ରେରିରେ।’’ ସାରା ଭାରତବର୍ଷରେ ସବୁଠାରୁ ଅଧିକ ପୁସ୍ତକର ପୃଷ୍ଠା ମଣ୍ତନ କରିଥିବା ଓ ପ୍ରତିମୂର୍ତ୍ତିର ଆକାର ଧାରଣ କରିଥିବା ଦିବଙ୍ଗତ ବ୍ୟକ୍ତି ବିଶେଷ ହେଉଛନ୍ତି ଗାନ୍ଧୀଜୀ। ଆଜି ଅନେକ ଗାନ୍ଧୀଶାସ୍ତ୍ରୀ ମାତ୍ର ଗାନ୍ଧୀବାଦୀ ଓ ଗାନ୍ଧୀକର୍ମୀଙ୍କ ସ˚ଖ୍ୟା ଅତ୍ୟନ୍ତ ସ୍ବଳ୍ପ। ଗାନ୍ଧୀ-ଜୀବନ ବଞ୍ଚିବା ଆଉ ନାହିଁ କହିଲେ ଚଳେ। ଯେଉଁମାନେ ଥିଲେ, ସାରା ଦେଶରେ ଓ ଆମ ପ୍ରଦେଶରେ ସେମାନେ ସୁଦ୍ଧା ବିଲୁପ୍ତ ପ୍ରାୟ।
ଏଇକଥା ବି ଘଟିଛି ଆମ ଧର୍ମଶାସ୍ତ୍ରରେ। ସ˚ସାର ସୃଷ୍ଟିର ଆଦି ଉପାଦାନ ମାଟି, ପାଣି, ପବନ, ଆକାଶ ଓ ନିଆଁ ବା ଶକ୍ତିକୁ ବେଦରେ ପୂଜାଯୋଗ୍ୟ କରାଯାଇଥିଲା। ପରେ ପରେ ନାନା ମନଗଢ଼ା କଥା ନେଇ ଆମେ ପୁସ୍ତକ ପରେ ପୁସ୍ତକ ଲେଖିଲୁ। ମୂର୍ତ୍ତି ପରେ ମୂର୍ତ୍ତି ଗଢ଼ିଲୁ। ପ୍ରକୃତିକୁ ନୟାନ୍ତ କରି ଶୋଷିବାରେ ଲାଗିଲୁ। ଏବେ ସେ ସମସ୍ତ ମୂର୍ତ୍ତିରେ ଓ ପୁସ୍ତକରେ ଲୁଚି ରହିଲେଣି। ମାଟି, ପାଣି, ପବନ, ଆକାଶ ସବୁ ନେତିନେତିରେ ଆକ୍ରାନ୍ତ। ବଜାର ସଭ୍ୟତାରେ ସେ ସମସ୍ତ ଏବେ ବିକ୍ରି ତାଲିକାରେ। ସବୁରେ ବ୍ୟବସାୟ। ବିଚରା ଗାନ୍ଧୀ-ବିଚାରଟି ସେଥିରୁ ବାଦପଡ଼ନ୍ତା କେମିତି?
କହିବାର ଅଛି, ଗାନ୍ଧୀ-ବିଚାର କେତେକ ମୌଳିକ ଉପାଦାନର ସମଷ୍ଟି ମାତ୍ର। ସେସବୁ ଚିରନ୍ତନ। ଗାନ୍ଧୀ ବଣିଆ ଜାତିର ବୋଲି ନିଜକୁ ପରିଚୟ ଦେଇଥିଲେ ବୋଲି ଯେ ସେ ଜାତିବାଦରେ ବିଶ୍ବାସୀ ଏହାଠାରୁ ବଳି ବଡ଼ ଭ୍ରମ କଥା ଆଉ କ’ଣ ଅଛି?
ଗାନ୍ଧୀ ମଣିଷ। ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ଦିଗ ଓ ସାମୂହିକ ଦିଗ ଅଛି। ଗାନ୍ଧୀଜୀଙ୍କର ସାମୂହିକ ଦିଗ ପବିତ୍ର ଓ ସର୍ବହିତକାମୀ। ତେଣୁ ବିରୋଧ କରି ହେଉ ବା ଭକ୍ତି କରି ହେଉ ସମସ୍ତ ପ୍ରକାର ବ୍ୟବସାୟ ଯେ ତା’ଙ୍କ ବିଚାରପ୍ରତି ଘୋର ଅନ୍ୟାୟ ସେ କଥା ହୃଦୟଙ୍ଗମ କରିବା ଉଚିତ୍।
[email protected]