ଇଥିଓପିଆର ରାଜଧାନୀ ଆଡିସ୍ ଅବାବା। କିଛି ବର୍ଷ ତଳେ ସେଠିକାର ଏକ ବିଶ୍ବବିଦ୍ୟାଳୟରେ ମୁଁ ସମାଜ ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟରତ ଥାଏ। ଇଥିଓପିଆ ଦୂତାବାସର ଅନତିଦୂରରେ ମହାତ୍ମା ଗାନ୍ଧୀ ରୋଡ୍। ସେଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଦେଖାଇ ଜଣେ ଆଫ୍ରିକୀୟ ପ୍ରଫେସର ବନ୍ଧୁ କହିଲେ, “ଆପଣ ଜାଣନ୍ତି କି ଗାନ୍ଧୀ ଏକମାତ୍ର ଲୋକପ୍ରିୟ ଓ ବିଶ୍ୱସ୍ତରୀୟ ନେତା ଥିଲେ ଯିଏ କି ଇଟାଲୀୟ ଉପନିବେଶ ବିରୋଧରେ ଇଥିଓପିଆର ଲଢ଼େଇକୁ ସମର୍ଥନ କରିଥିଲେ। ଇଟାଲୀ ୧୯୩୫ ମସିହାରେ ଇଥିଓପିଆ ଉପରେ ଆକ୍ରମଣ କରିଥିଲା। ଗାନ୍ଧୀଜୀ ଉପବାସ ରହି ଇଥିଓପିଆବାସୀଙ୍କ ପ୍ରତି ଏକତା ପ୍ରଦର୍ଶନ କରିଥିଲେ। ଏହା ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷ ଓ ଇଥିଓପିଆର ଦୁର୍ଦ୍ଦଶା ପ୍ରତି ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଥିଲା। ସେହିଭଳି ତିଗ୍ରେ ଯୁଦ୍ଧ ଓ ଓରୋମୋ ଗୃହଯୁଦ୍ଧ ସମୟରେ ମଧ୍ୟ ଇଥିଓପିଆର ଲୋକମାନେ ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ସତ୍ୟାଗ୍ରହ ନୀତି ଅନୁସରଣ କରିଥିଲେ। କେବଳ ଇଥିଓପିଆ ନୁହେଁ, ଆଫ୍ରିକାର ସମସ୍ତ ଦେଶରେ ଗାନ୍ଧୀଜୀଙ୍କ ପରମ୍ପରାକୁ ସମ୍ମାନିତ କରାଯାଉଛି। କ୍ୱାମେ ନକ୍ରୁମା, ନେଲ୍‌ସନ୍‌ ମାଣ୍ଡେଲା ଓ ଜୋମୋ କେନିଆଟାଙ୍କ ପରି ଆଫ୍ରିକୀୟ ନେତା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ। ତେଣୁ ଭାରତରେ ଗାନ୍ଧୀ ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇପାରନ୍ତି କିନ୍ତୁ ଆମ ପାଇଁ ଓ ପୂରା ଆଫ୍ରିକା ପାଇଁ ସେ ଏକ ଦର୍ଶନ ଓ ଏକ ବିଚାର।’’
ସେଦିନର ବାର୍ତ୍ତାଳାପ ସହ ଆଜିର ପ୍ରସଙ୍ଗ ଜଡ଼ିତ। ଗାନ୍ଧୀଙ୍କ ଲୋକପ୍ରିୟତାର ଉର୍ତ୍ସକୁ ନେଇ ଏବେ ପ୍ରଶ୍ନ। ଗାନ୍ଧୀ ଏକ ଐତିହ୍ୟ ନା ‘ଗାନ୍ଧୀ’ ସିନେମା ପାଇଁ ଗାନ୍ଧୀ ଲୋକପ୍ରିୟ?
୧୯୮୨ ମସିହାରେ ଗାନ୍ଧୀଙ୍କ ଜୀବନୀକୁ ନେଇ ରିଚାର୍ଡ ଆଟେନବରୋ ଏକ ଚଳଚ୍ଚିତ୍ର ନିର୍ମାଣ କଲେ ଏବଂ ନାଁ ଦେଲେ ‘ଗାନ୍ଧୀ।’ ସିନେମାଟି ଲୋକପ୍ରିୟ ଓ ଜନାଦୃତ ହେଲା ଓ ଆଠଟି ଓସ୍କାର ପୁରସ୍କାର ମଧ୍ୟ ପାଇଲା। ଏତେଗୁଡ଼ାଏ ଓସ୍କାର ପାଇଥିବାରୁ, ସିନେମାଟିକୁ ସମାଲୋଚନା ମଧ୍ୟ କରାଯାଇଥିଲା। ଗାନ୍ଧୀ କିଏ? ଗାନ୍ଧୀଙ୍କୁ କେହି ଜାଣନ୍ତି ନାହିଁ। ଜଣେ ଅଜଣା ଭାରତୀୟର ଜୀବନୀକୁ ନେଇ ହୋଇଥିବା ଚଳଚ୍ଚିତ୍ରକୁ ଏତେ ଗୁଡ଼ାଏ ପୁରସ୍କାର! କିଛି ଠିକ୍‌ ହୋଇନି ବୋଲି କେତେକ ପତ୍ରିକାରେ କଟୁ ମନ୍ତବ୍ୟ ମଧ୍ୟ ପ୍ରକାଶିତ ହେଲା। ନିର୍ଦେଶକ ଆଟେନବରୋଙ୍କୁ ଏସବୁ ମନ୍ତବ୍ୟ ମୂଲ୍ୟହୀନ ଲାଗୁଥିଲା। ତାଙ୍କ ପାଇଁ ‘ଗାନ୍ଧୀ’ ସିନେମା ଥିଲା ଦୁଇ ଦଶନ୍ଧିର ଏକ ଅମୂଲ୍ୟ ଗବେଷଣା।
୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବା ବେଳକୁ ଗାନ୍ଧୀ ଜନନାୟକ ହୋଇସାରିଥିଲେ। ନିଜ ବ୍ୟବସ୍ଥା ବିରୋଧରେ ଲଢୁଥିବା ଜଣେ ଭାରତୀୟ ଆଇନଜୀବୀଙ୍କ ପ୍ରତି ଦକ୍ଷିଣ ଆଫ୍ରିକାର ଶାସକ ଜେନେରାଲ ସ୍ମଟ୍‌ସଙ୍କର ବହୁତ ସମ୍ମାନ ଥିଲା ବୋଲି ଅନେକ ମତ ରଖନ୍ତି। ୧୯୦୯ ମସିହାରେ ଦକ୍ଷିଣ ଆଫ୍ରିକାରେ ହିଁ ଗାନ୍ଧୀଙ୍କ ପ୍ରଥମ ଜୀବନୀ ଲେଖିଥିଲେ ଆଫ୍ରିକୀୟ ସତ୍ୟାଗ୍ରହୀ ଜୋସେଫ ଡୋକ୍। ଗାନ୍ଧୀଙ୍କ ଚରିତ୍ର ଚିତ୍ରଣ କରିବା ସମୟରେ ଡୋକ୍ ଗାନ୍ଧୀଜୀଙ୍କ ନୈତିକତା, ନ୍ୟାୟ ପ୍ରତି ସମର୍ପଣ ଓ ଆଧ୍ୟାତ୍ମିକ ଗଭୀରତାକୁ ଆଲୋକପାତ କରିଥିଲେ। ମାନବିକ ଅଧିକାର ଓ ମର୍ଯ୍ୟାଦା ପାଇଁ ସମର୍ପିତ ଜଣେ ପ୍ରତିବଦ୍ଧ ଓ ନିଃସ୍ୱାର୍ଥପର ନେତା ଭାବରେ ଗାନ୍ଧୀଙ୍କୁ ଏହି ଜୀବନୀରେ ଚିତ୍ରିତ କରାଯାଇଛି। ଭାରତ ବାହାରେ ବିଶେଷ କରି ପାଶ୍ଚାତ୍ୟ ଦୁନିଆରେ ଗାନ୍ଧୀଙ୍କ ବିଷୟରେ ଜନସାଧାରଣଙ୍କ ଧାରଣାକୁ ଗଢ଼ିତୋଳିବାରେ ଡୋକ୍‌ଙ୍କ “ଏମ୍‌. କେ. ଗାନ୍ଧୀ: ଆନ୍‌ ଇଣ୍ଡିଆନ୍‌ ପାଟ୍ରିଏଟ୍‌ ଇନ୍‌ ସାଉଥ୍‌ ଆଫ୍ରିକା” ଜୀବନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ସେହିପରି ୧୯୨୪ ମସିହାରେ ଫରାସୀ ନୋବେଲ୍‌ ବିଜେତା ରୋମା ରୋଲାଁ ଗାନ୍ଧୀଜୀଙ୍କ ଉପରେ ଲେଖିଥିବା ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଯେ “ଗାନ୍ଧୀ ଶକ୍ତିର ବିଜୟ ହେବ ଓ ବୁଦ୍ଧଙ୍କ ବାଣୀ ଭଳି ଗାନ୍ଧୀ ତତ୍ତ୍ୱ ସବୁଆଡ଼େ ପ୍ରସାରିତ ହେବ।”
ପ୍ରତିଷ୍ଠିତ ଆମେରିକୀୟ ସାମ୍ବାଦିକ ଲୁଇ ଫିସର୍‌ ଗାନ୍ଧୀଙ୍କ ସାକ୍ଷାତକାର ନିମନ୍ତେ ସେବାଗ୍ରାମରେ କୁଆଡ଼େ ମାସ ମାସ ଧରି ଅପେକ୍ଷା କରୁଥିଲେ ଏବଂ ଚୀନ୍‌ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ଚିଆଁଙ୍ଗ କାଇସେକ୍ ଭାରତରେ କେବଳ ଗାନ୍ଧୀଙ୍କୁ ଦେଖା କରିବେ ବୋଲି ଘୋଷଣା କରିଥିଲେ।
ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତା ମାର୍ଟିନ୍‌ ଲୁଥର୍‌ କିଙ୍ଗ ଜୁନିଅର୍‌ ଜାତିଗତ ବିଭାଜନ ଓ ଅସମାନତାର ମୁକାବିଲା ପାଇଁ ଗାନ୍ଧୀଙ୍କ ଅହିଂସ ପ୍ରତିରୋଧର ନୀତି ଗ୍ରହଣ କରିଥିଲେ। ୧୯୬୫ ମସିହା ମାର୍ଚ୍ଚ ୨୧ ତାରିଖରେ ସେ ଦାଣ୍ଡି ଯାତ୍ରା ଅନୁରୂପ ଏକ ଅହିଂସା ପଦଯାତ୍ରା କରିଥିଲେ। ମତଦାନ ଅଧିକାର ପାଇଁ ହେଉଥିବା ପଦଯାତ୍ରାରେ ଶହ ଶହ ଆମେରିକୀୟ କୃଷ୍ଣକାୟ ଅଂଶଗ୍ରହଣ କରିଥିଲେ। ସେହିପରି ୧୯୭୦ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ କୃଷି ଶ୍ରମିକ ସଂଘର ସହ-ପ୍ରତିଷ୍ଠାତା ଶ୍ରମିକ ନେତା ଓ ନାଗରିକ ଅଧିକାର କର୍ମୀ ସେସର୍‌ ଚାଭେଜ୍ ଗାନ୍ଧୀଙ୍କ ଅହିଂସା ପ୍ରତିରୋଧରୁ ପ୍ରେରଣା ପାଇଥିଲେ ବୋଲି ସ୍ବୀକାର କରିଥିଲେ। ସେହିପରି ୧୯୮୦ ଦଶକରେ ପୋଲାଣ୍ଡରେ କମ୍ୟୁନିଷ୍ଟ ଶାସନର ଅନ୍ତ ଘଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂହତି ଆନ୍ଦୋଳନର ନେତା ଲେଚ୍ ୱାସା ଗାନ୍ଧୀଜୀଙ୍କ ରଣନୀତି ଦ୍ୱାରା ପ୍ରଭାବିତ ହୋଇଥିଲେ। ଲେଚ୍ ୱାସାଙ୍କ ମତରେ ଗାନ୍ଧୀଙ୍କ ଆଭିମୁଖ୍ୟର ନୈତିକ ଶକ୍ତି ପୋଲାଣ୍ଡରେ ସ୍ୱାଧୀନତାକୁ ସୁରକ୍ଷିତ କରିବା ପାଇଁ ଏକ ଭିତ୍ତିଭୂମି ପ୍ରଦାନ କରିଥିଲା।
ଏହିପରି ଅନେକ ନେତାମାନଙ୍କ ବ୍ୟତୀତ ଅଗଣିତ ନାଗରିକ ସମୁଦାୟ ଅହିଂସା, ସତ୍ୟ ଓ ନାଗରିକ ଅବମାନନା ପ୍ରତି ଥିବା ଗାନ୍ଧୀଙ୍କ ପ୍ରତିବଦ୍ଧତା ଦ୍ୱାରା ଏବେବି ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି। ଗାନ୍ଧୀଙ୍କ ଐତିହ୍ୟ ସମଗ୍ର ବିଶ୍ୱରେ ନ୍ୟାୟ, ଶାନ୍ତି ଓ ମାନବାଧିକାର ଏକ ପ୍ରେରଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗାନ୍ଧୀଜୀଙ୍କ ଜନ୍ମଦିନ ଅକ୍‌ଟୋବର ୨ ତାରିଖକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଏ, ଯାହା ମହାତ୍ମା ଗାନ୍ଧୀଙ୍କର ସ୍ଥାୟୀ ବୈଶ୍ୱିକ ପ୍ରଭାବକୁ ଆହୁରି ସୁଦୃଢ଼ କରିଛି।
ରିଚାର୍ଡ ଆଟେନବରୋଙ୍କ ‘ଗାନ୍ଧୀ’ ଭଳି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଗାନ୍ଧୀଙ୍କ କାହାଣୀକୁ ବ୍ୟାପକ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ଅବଦାନ ଦେଇଛି। କିନ୍ତୁ ସିନେମା ଆସିବାର ବହୁ ପୂର୍ବରୁ ଗାନ୍ଧୀଜୀଙ୍କ ଖ୍ୟାତି ଓ ପ୍ରଭାବ ଭଲ ଭାବେ ପ୍ରତିଷ୍ଠିତ ହୋଇସାରିଥିଲା। ସାମାଜିକ ଓ ରାଜନୈତିକ ପରିବର୍ତ୍ତନରେ ଗାନ୍ଧୀଙ୍କ ଅବଦାନର ବ୍ୟାପକତା ହିଁ ଗାନ୍ଧୀଜୀଙ୍କ ବିଶ୍ୱସ୍ତରୀୟ ସ୍ୱୀକୃତିର ମୁଖ୍ୟ କାରଣ। ପରିଶେଷରେ ବିଶ୍ବବ୍ୟାପୀ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ପାଇଁ ଗାନ୍ଧୀ ଏକ ସମ୍ମାନଜନକ ବ୍ୟକ୍ତିତ୍ୱ, ସେ ସିନେମାର କାଳ୍ପନିକ ଚରିତ୍ର ନୁହନ୍ତି।
ମୋ: ୮୪୫୬୮୭୯୫୨୨