‘ଝିଅଙ୍କୁ ରାସ୍ତାରେ ଏକାକୀ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିବା କିଛି ପୁଅମାନେ ନିଜକୁ ରୋମିଓ ଓ ଝିଅଙ୍କୁ ତାଙ୍କର ଜୁଲିଏଟ୍ ବୋଲି ଏବେ ଭାବୁଛନ୍ତି। ଏ ପୁଅମାନେ ନାରୀ ସୁରକ୍ଷା ପ୍ରତି ସଂପ୍ରତି ବୃହତ୍ ବିପଦଟିଏ ହୋଇଗଲେଣି।’ 
୧୯୩୮ ମସିହା, ଡିସେମ୍ବର ୩୦ ତାରିଖ ‘ହରିଜନ’ ପତ୍ରିକାରେ ‘ଛାତ୍ର ସମାଜ ପାଇଁ ଲଜ୍ଜା’ (ସେମ୍ ଅନ୍ ଷ୍ଟୁଡେଣ୍ଟ୍‌ସ) ଶିରୋନାମାରେ ଲିଖିତ ଏକ ପ୍ରବନ୍ଧରେ ଗାନ୍ଧୀଜୀଙ୍କର ଏପରି ଏକ ବ୍ୟଙ୍ଗ ତଥା କଟୁ ମନ୍ତବ୍ୟ ଥିଲା।
ସ୍ୱାଧୀନତା ସଂଗ୍ରାମ ବେଳେ ନାରୀ ସୁରକ୍ଷା ଗାନ୍ଧୀଙ୍କର ଏକ ବଡ଼ ପ୍ରସଙ୍ଗ ଥିଲା। ଭାରତ ଭ୍ରମଣ ସମୟରେ ସେ ଅନେକ ମହିଳାଙ୍କ ସହ ମିଶୁଥିଲେ। ବାର୍ତ୍ତାଳାପ କରୁଥିଲେ। ମହିଳା ସମ୍ମିଳନୀରେ ଭାଷଣ ଦେଉଥିଲେ। ସ୍ୱାଧୀନତା ପାଇଁ ମହିଳାଙ୍କୁ ସଚେତନ କରୁଥିଲେ। ସ୍ୱରାଜ ପାଇଁ ନାରୀ ଜାଗୃତି ଅପରିହାର୍ଯ୍ୟ ଥିଲା।
ଗାନ୍ଧୀଙ୍କୁ ଭେଟୁଥିବା ପ୍ରାୟ ସମସ୍ତ ମହିଳାଙ୍କର ଗାନ୍ଧୀଙ୍କ ପାଖରେ ଗୋଟିଏ ଅଭିଯୋଗ ଥିଲା: ‘ବାପୁ, ଆମେ ମହିଳାମାନେ ଏବେ ଆଉ ସୁରକ୍ଷିତ ନାହୁଁ। ଘରେ ବାହାରେ ସବୁଠି ଆମେ ଅସୁରକ୍ଷିତ। ଘରେ ମଦ୍ୟପ ପୁଅ, ସ୍ୱାମୀଙ୍କ ଯାତନା, ଏବଂ ବାହାରେ ଦୁଷ୍ଟାତ୍ମାମାନଙ୍କର ଆମ ଉପରେ ଲୋଲୁପ ଦୃଷ୍ଟି। ଝିଅ ଓ ନାରୀଙ୍କ ପାଇଁ ଆଉ କେଉଁଠି ନିରାପଦ ସ୍ଥାନଟିଏ ନାହିଁ। ସବୁଠାରୁ ବଡ଼ କଥା ହେଲା, ପୁରୁଷମାନେ ଏବେ ନାରୀମାନଙ୍କର ସ୍ୱାଭାବିକ ରକ୍ଷାକର୍ତ୍ତା (ନେଚୁରାଲ୍‌ ପ୍ରୋଟେକ୍‌ଟର) ନୁହନ୍ତି। ଏଥିରେ ସେମାନେ ଏବେ ସମ୍ପୂର୍ଣ୍ଣ ବିଫଳ। ଏଇ ବିଫଳତାର ଧାରା କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରୁ ହିଁ ଆରମ୍ଭ ହୋଇ ଯାଇଛି।’
ନାରୀ ସୁରକ୍ଷା ଉପରେ ପଞ୍ଜାବର ଏକ କଲେଜ ପଢୁଆ ଝିଅର ଏକ ଦୀର୍ଘ ଚିଠି କିନ୍ତୁ ଗାନ୍ଧୀଜୀଙ୍କୁ ବେଶୀ ଆନ୍ଦୋଳିତ କରିଥିଲା। ଝିଅଟି ଲେଖି ଜଣାଇଥିଲା: ‘ବାପୁ, ମହିଳା ଓ ଝିଅମାନଙ୍କ ପାଇଁ କେବେ ଯେ ଏପରି ଏକ ଖରାପ ସମୟ ଆସିବ, କଳ୍ପନାରେ ନଥିଲା। ନିଜ ସହର ଭିତରେ ବି ନିର୍ଭୟରେ ବୁଲି ହେଉନି। ପୁଅଙ୍କ ଠାରୁ ଅନୁଚିତ ତଥା କୁତ୍ସିତ ଇଙ୍ଗିତର ସମ୍ମୁଖୀନ ହେବାକୁ ପଡୁଛି। ନିରବ ରହିଲେ ଆମେ ଦୁର୍ବଳ ବୋଲି ବିବେଚିତ ହେଉଛୁ। ଦୁଷ୍କର୍ମର ଶିକାର ହେଉଛୁ। ଅହିଂସା କିଛି କାମ କରୁନି। ବିପଦ ବେଳେ ଚିତ୍କାର କଲେ ଅବଶ୍ୟ କେଉଁଠି କେମିତି ଆମକୁ ସାଧାରଣ ଲୋକଙ୍କ ସାହାଯ୍ୟ ମିଳୁଛି। ସବୁଠି କିନ୍ତୁ ନୁହେଁ। କିଛି ସମୟ ପାଇଁ ଆମେ ସୁରକ୍ଷିତ ରହିଗଲେ ବି ଏହା ସ୍ଥାୟୀ ସମାଧାନ ନୁହେଁ। ଆସନ୍ନ ଦୁର୍ଘଟଣା କିଛି ସମୟ ସ୍ଥଗିତ ରହୁଛି ବୋଲି ମନେ ହେଉଛି।’
ଝିଅଟି ପୁଣି ତା’ ଚିଠିରେ ଲେଖିଥିଲା, ‘ବାପୁ, ଅନେକ ବୁଦ୍ଧିଜୀବୀ କହନ୍ତି, ଝିଅମାନଙ୍କ ପ୍ରତି ଯନ୍ତ୍ରଣାର ଏ ଖରାପ ସମୟ ଆଉ ବେଶୀ ଦିନ ରହିବନି। ପର ପିଢ଼ି ଶିକ୍ଷିତ ହୋଇଗଲେ ସେ ପିଢ଼ିର ଯୁବକମାନେ ଆପେ ଆପେ ସଭ୍ୟ ଓ ଭଦ୍ର ହୋଇଯିବେ। ପିଲାବେଳୁ ପିଲାଙ୍କୁ ଭଦ୍ର ହେବାକୁ ଶିକ୍ଷା ଦିଆଯାଉଛି। ଅନେକ ନେତା ନାରୀ ସୁରକ୍ଷା ଉପରେ ବଡ଼ ବଡ଼ ଭାଷଣ ଦେଉଛନ୍ତି। ଦୁର୍ବୃତ୍ତମାନେ ଶିକ୍ଷା ପାଇବା ଉଚିତ ବୋଲି କହୁଛନ୍ତି, କିନ୍ତୁ କିଛି କରୁ ନାହାନ୍ତି। ସରକାର ତ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ନାରୀ ପ୍ରତି ଦୁଷ୍କର୍ମ ପରି ଏକ ସାମାଜିକ ପାପର ମୂଳୋତ୍ପାଟନ ପାଇଁ କାହାର ଏଠି ଧ୍ୟାନ ନାହିଁ।’
ଝିଅଟିର ଚିଠିର ଅନ୍ୟ ଏକ କଥାଟି ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲା, ‘ବାପୁ, ସର୍ବଜନୀନ ଉତ୍ସବରେ ସହରରେ ହେଉଥିବା ମେଢ଼, ଆଲୋକସଜ୍ଜା ଓ ରୋଶଣିକୁ ଝିଅମାନେ ରାତିରେ ଦେଖି ନ ଯିବାକୁ ସ୍ଥାନୀୟ ଖବରକାଗଜରେ ଏବେ ବିଜ୍ଞାପନ ବାହାରିଛି। ଅନେକ ଲେଖକ ଲଜ୍ଜାହୀନ ଭାବେ ଏହାକୁ ସମର୍ଥନ କରି ପ୍ରବନ୍ଧ ଲେଖିଛନ୍ତି। ସୁରକ୍ଷାର ବ୍ୟବସ୍ଥା ନ କରି ଝିଅମାନଙ୍କୁ ପୂଜା ମଣ୍ଡପକୁ ଯିବାକୁ ବାରଣ ଅଛି। ବିଶ୍ୱରେ ନାରୀ ସୁରକ୍ଷା ନେଇ ଆମର ସ୍ଥାନ କେଉଁଠି, ବାପୁ? ଆମେ ବାଘକୁ ଯେତିକି ଭୟ କରୁନୁ, ତା’ ଠାରୁ ବେଶୀ ଭୟ କରୁଛୁ ପୁରୁଷମାନଙ୍କୁ। ମୋର ଆତ୍ମମର୍ଯ୍ୟାଦା ରକ୍ଷା ପାଇଁ ମୁଁ ଯଦି ପ୍ରତିଆକ୍ରମଣ କରେ, ଏହା କ’ଣ ହିଂସା ହେବ?’
ଉତ୍ତରରେ ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ଏହା ୧୯୨୨ ମସିହା, ଜାନୁଆରି ୧୫ ତାରିଖ ଦିନ ‘ନବ ଜୀବନ’ ପତ୍ରିକାରେ ପ୍ରକାଶ ପାଇଥିଲା। ପ୍ରବନ୍ଧର ନାଁ ଥିଲା, ‘ନାରୀ, ନିର୍ଭୀକ ହୁଅ’ (ଫିଅରଲେସ୍ ଉମେନ୍‌)। ଗାନ୍ଧୀ ଲେଖିଥିଲେ, ନାରୀମାନେ ନିଜର ମର୍ଯ୍ୟାଦା, ପବିତ୍ରତା ଓ ଆତ୍ମରକ୍ଷା ପାଇଁ ଦୁର୍ବୃତ୍ତଙ୍କ ଉପରେ ପ୍ରତିଆକ୍ରମଣ କରିବା ଭୁଲ୍ ନୁହେଁ। ଈଶ୍ୱର ଏଥି ପାଇଁ ତାଙ୍କୁ ହାତ, ନଖ, ଦାନ୍ତ ଦେଇଛନ୍ତି। ଭୟରେ ଆତ୍ମସମର୍ପଣ ମୃତ୍ୟୁ ସହ ସମାନ।’
ଗାନ୍ଧୀଜୀଙ୍କ ସ୍ପଷ୍ଟୋକ୍ତି ଥିଲା, ‘ମୋ ଅହିଂସା ଦୁର୍ବଳର ଅସ୍ତ୍ର ନୁହେଁ, ଏହା ସବଳର ଆୟୁଧ। ଅହିଂସାକୁ ଆଢୁଆଳ କରି ଲୁଚିଯିବାଟା ହିଁ ଭୀରୁତା। ଆମ ସମାଜ ନାରୀମାନଙ୍କୁ ଅବଳା, ଦୁର୍ବଳା ଭାବେ ଚିତ୍ରଣ କରିଛି। ବାସ୍ତବରେ କିନ୍ତୁ ଜଣେ ପୁରୁଷଠାରୁ ନାରୀଟିଏର ସହନ ଶକ୍ତି ଅଧିକ। ସାହସୀ ହେବାକୁ ଶରୀରର ଶକ୍ତି ନୁହଁ, ମାନସିକ ଶକ୍ତି ଦରକାର।’
ପ୍ରବନ୍ଧର ଅନ୍ତିମ ପାରାରେ ରୋମିଓ ଯୁବକଙ୍କ ପ୍ରତି ଗାନ୍ଧୀଙ୍କ ଉପଦେଶ ଥିଲା ଅନନ୍ୟ। ଗାନ୍ଧୀ ଉଲ୍ଲେଖ କରିଥିଲେ: ‘ପ୍ରତ୍ୟେକ ପୁଅ ପାଇଁ ଜଣେ ନାରୀ ହେଉଛି ତା’ମା’ ପରି। ମା’ ପ୍ରଥମେ ଜଣେ ନାରୀ, ପରେ ସେ ମା’।’ ସୁତରାଂ ମା’ ଯେପରି ସମ୍ମାନଯୋଗ୍ୟା ପ୍ରତ୍ୟେକ ମହିଳା ସେମିତି ସମ୍ମାନଯୋଗ୍ୟା। ନାରୀ ସୁରକ୍ଷା ପ୍ରତି ବିପଦ ଆଣୁଥିବା ପୁରୁଷ ଅପରାଧୀଙ୍କ ପ୍ରତି ସରକାର ଓ ରାଷ୍ଟ୍ର ଆହୁରି କଠୋର ହେଉ ବୋଲି ଗାନ୍ଧୀଙ୍କ ପରାମର୍ଶ ଥିଲା। କାରଣ ଯେଉଁ ପୁରୁଷ ନାରୀକୁ ସୁରକ୍ଷା ନ ଦେଇ ନିର୍ଯାତନା ଦିଏ ସେ ଦାନବ ଠାରୁ ବି ହୀନ ଏବଂ ଯେଉଁ ରାଷ୍ଟ୍ର ତା’ର ନାରୀ ସମାଜକୁ ସୁରକ୍ଷିତ ରଖି ନ ପାରେ ସେ ଆଂଶିକ ପକ୍ଷାଘାତ ରୋଗରେ ପୀଡ଼ିତ ଥାଏ।
ଗାନ୍ଧୀଜୀ ପୁଅମାନଙ୍କ ପାଇଁ ଏକ ଦୈନିକ ପ୍ରାର୍ଥନାର ଅବତାରଣା କରିଥିଲେ ତାଙ୍କ ପ୍ରବନ୍ଧରେ। ଯେଉଁ ପ୍ରାର୍ଥନାରେ ପୁଅଟିଏ କହେ, ‘ହେ ଈଶ୍ୱର, ନାରୀଙ୍କୁ ସୁରକ୍ଷା ଦେବାକୁ ମୋତେ ଶକ୍ତି ଦିଅ। କୌଣସି ନାରୀ ପ୍ରତି ମୁଁ ଅସଦାଚରଣ କରିବା ପୂର୍ବରୁ ମୋର ଯେପରି ମୃତ୍ୟୁ ହୋଇଯାଏ, ଏହା ମୁଁ କାମନା କରେ। କୌଣସି ନାରୀର ମୁଁ ଯେପରି ଭୟର କାରଣ ନ ହୁଏ, ମୁଁ ଚାହେ। ମୋ ପୁରୁଷାର୍ଥ ଯେ ନାରୀର ସୁରକ୍ଷାରେ ବିନିଯୋଗ ହେଉ, ଆତଙ୍କରେ ନୁହେଁ, ଏ ମୋର ପ୍ରାର୍ଥନା।’
ପଞ୍ଜାବର ସେ କଲେଜ ଝିଅର ଚିଠିର ବର୍ଣ୍ଣନା ଦେବା ପରେ ଗାନ୍ଧୀ ମନେ ପକାଇଥିଲେ ବ୍ରିଟିସ୍‌ ଲେଖକ ଏଡ୍‌ୱାର୍ଡ ଥମ୍ପସନ୍‌ଙ୍କ କଥା। ଥମ୍ପସନ୍ ଥରେ କହିଥିଲେ, ‘ମିଷ୍ଟର ଗାନ୍ଧୀ, ମୁଁ ଏକ ରିପୋର୍ଟରେ ଦେଖିଲି, ଭାରତୀୟ ଜଂଗଲମାନଙ୍କରେ ଏବେ ହିଂସ୍ର ବନ୍ୟ ଜନ୍ତୁଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି।’ ଥମ୍ପସନ୍‌ଙ୍କ ରିପୋର୍ଟ ଶୁଣି ଗାନ୍ଧୀ କିଛି ସମୟ ଚୁପ୍ ରହିଯାଇଥିଲେ ଏବଂ ଉତ୍ତର ଦେଇଥିଲେ, ‘ହଁ, ଏହା ସତ, ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ସଂଖ୍ୟା କମୁଚି, ଅଥଚ ଏ ସଂଖ୍ୟା ଭାରତୀୟ ସହରମାନଙ୍କରେ ବୃଦ୍ଧି ପାଇବାରେ ଲାଗିଛି।’
ଗାନ୍ଧୀଙ୍କ ଟିପ୍ପଣୀର ଶହେ ବର୍ଷ ଭିତରେ ଏ ହିଂସ୍ର ପ୍ରାଣୀମାନେ କେବଳ ଆଉ ସହରରେ ଅଟକି ନାହାନ୍ତି। ସର୍ବତ୍ର ବ୍ୟାପିଗଲେଣି। ଏମାନଙ୍କ ହିଂସ୍ରତାର ସହଜ ଟାର୍ଗେଟ୍‌ ଝିଅମାନେ। ଉଚ୍ଚ ଶିକ୍ଷା ସତ୍ତ୍ବେ ମଣିଷ ପଶୁ ହୋଇ ରହିଛି।
ମୋ: ୯୮୬୧୪୬୯୩୨୮