ଗାନ୍ଧୀଜୀଙ୍କର ସବୁଠାରୁ ପ୍ରିୟ ଭଜନ ଥିଲା ‘ବୈଷ୍ଣବ ଜନ ତୋ’। ସାବରମତୀ ଆଶ୍ରମରେ ସକାଳ ଓ ସନ୍ଧ୍ୟା ପ୍ରାର୍ଥନା ସଭାରେ ବୋଲା ଯାଉଥିବା ଭଜନରେ ଗାନ୍ଧୀ ଏହାକୁ ସାମିଲ କରିଥିଲେ। ସ୍ୱର ଓ ତାଳ ସହ ଏହା ଗାନ କରାଯାଉଥିଲା। ଉତ୍କୃଷ୍ଟ ଗାନ୍ଧୀ ଭଜନ ଭାବେ ଏହା ସମ୍ପ୍ରତି ଅନ୍ତର୍ଜାତିକ ପ୍ରସିଦ୍ଧି ପାଇସାରିଛି। ‘ବୈଷ୍ଣବ ଜନ ତୋ’ ସଂଗୀତର ରଚନାକାର ଥିଲେ ଗୁଜୁରାଟର ମଧ୍ୟଯୁଗୀୟ ସନ୍ଥ କବି ନରସିଂହ ମେହେଟା। ଗାନ୍ଧୀଜୀ ଥିଲେ ନରସିଂହ ପରମ୍ପରାର ଜଣେ ପ୍ରଶଂସକ। ନରସିଂହ ମେହେଟାଙ୍କ ସମସ୍ତ ରଚନା ଥିଲା ପ୍ରେରଣାଦାୟୀ ଏବଂ ସଂସ୍କାରଧର୍ମୀ। ନୈତିକ ତଥା ପ୍ରଗତିବାଦୀ ସଂସ୍କୃତିର ବାର୍ତ୍ତା ଏଥିରେ ଥିଲା। ଗାନ୍ଧୀଜୀଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ସହ ନରସିଂହଙ୍କ ‘ବୈଷ୍ଣବ ଜନ ତୋ’ ସଂଗୀତର ସନ୍ଦେଶ ସାମଞ୍ଜସ୍ୟ ରଖିଥିଲା।
ଗାନ୍ଧୀ ଦର୍ଶନରେ ଉତ୍ତମ ବ୍ୟକ୍ତି ଏବଂ ଚରିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଗାନ୍ଧୀ ସ୍ପଷ୍ଟ କରି ଦେଇଛନ୍ତି, ଉତ୍ତମ ତଥା ଶୃଙ୍ଖଳିତ ସମାଜ ପାଇଁ ସାଧୁ ମଣିଷଟିଏ ଦରକାର ଯିଏ ସମାଜରେ ସର୍ବନିମ୍ନ ସ୍ତରରେ ଥିବା ବ୍ୟକ୍ତି ସହ ଥିବ; ଗରିବ ପରି ଚଳୁଥିବ ଏବଂ ଅନ୍ୟ କେଉଁ ବ୍ୟକ୍ତିର ଜୀବନ ଓ ସ୍ୱାଧୀନତାକୁ ନଷ୍ଟ କରୁନଥିବ। ୧୯୪୭ ମସିହା ଜାନୁଆରି ୧୬ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀ ତାଙ୍କ କଳ୍ପିତ ଉତ୍ତମ ବ୍ୟକ୍ତିର ସ୍ୱରୂପ ଦେଲାବେଳେ ଏପରି ଏକ ମନ୍ତବ୍ୟ ରଖିଥିଲେ। ନରସିଂହ ମେହେଟାଙ୍କ ‘ବୈଷ୍ଣବ ଜନ ତୋ’ ସଂଗୀତରେ ସାଧୁ ଜନର ବର୍ଣ୍ଣନା ଅଛି। ସଂଗୀତର ପ୍ରଥମ ପଙ୍କ୍ତି ଏହାର ସୂଚନା ଦେଇ କହେ, ‘ବୈଷ୍ଣବ ଜନ ତୋ ତେନେ କହିଏ ଯେ ପୀଡ଼ ପରାଇ ଜାଣେରେ’। ଅର୍ଥାତ୍ ପର ଦୁଃଖରେ ଯିଏ ବିଚଳିତ ହୋଇ ପଡ଼ିଥାଏ ସେ ହିଁ ସାଧୁ ଜନ; ଅନ୍ୟର କଷ୍ଟକୁ ଯିଏ ବୁଝି ପାରିଥାଏ ସେ ହିଁ ବୈଷ୍ଣବ ପୁରୁଷ, ହରିଙ୍କ ସନ୍ତାନ। ଭଲ ମଣିଷର ସଂଜ୍ଞା ଉଲ୍ଲେଖ କରି ନିଜ ଭଜନରେ ନରସିଂହ ପୁଣି କହନ୍ତି, ଉତ୍ତମ ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିଥାଏ, ଏବଂ ସାହାଯ୍ୟ କରିଛି ବୋଲି ସେ କେବେ ଗର୍ବ କରେନି; ପୃଥିବୀର ସବୁ ପ୍ରାଣୀଙ୍କ ପ୍ରତି ତା’ର ଦରଦ ଥାଏ; ସେ ଅନ୍ୟ କାହାର ନିନ୍ଦା କରେନି; କାୟା ମନ ବାକ୍ୟରେ ସଂଯତ ଥାଏ; ସବୁ ନାରୀଙ୍କୁ ମା’ ପରି ସମ୍ନାନ ଦେଇଥାଏ; ନିଜ ସ୍ତ୍ରୀ ପ୍ରତି ଅନୁଗତ ଥାଏ; କେବେ ଅସତ୍ୟ କହେନି; ପର ସମ୍ପତ୍ତି ପ୍ରତି ତା’ର ଆକର୍ଷଣ ନ ଥାଏ; ଲୋଭ, କାମନାରୁ ବିରତ ଥାଏ; ମୋହ ମାୟାରେ ପଡ଼ି ନ ଥାଏ; କ୍ରୋଧମୁକ୍ତ ହୋଇଥାଏ ଏବଂ ସାଧୁ ଜନର ହୃଦୟ ସମସ୍ତ ପୁଣ୍ୟ ତୀର୍ଥସ୍ଥଳୀ ପରି ପବିତ୍ର ହୋଇଥାଏ।
ନରସିଂହଙ୍କ ଏ ସଂଗୀତ ଗାନ୍ଧୀଙ୍କ ପାଇଁ ଏକ ସାମାନ୍ୟ ଧାର୍ମିକ ଭକ୍ତି ଗୀତ ନ ଥିଲା। ଉତ୍ତମ ଚରିତ୍ର ଗଠନ ଏବଂ ସମାଜରେ ରଚନାତ୍ମକ କାର୍ଯ୍ୟ ନିମନ୍ତେ ଗାନ୍ଧୀ ଏହାକୁ ପ୍ରୟୋଗ କରିଥିଲେ। ଗାନ୍ଧୀଙ୍କ ଏକାଦଶ ବ୍ରତର କଳ୍ପନା ହୋଇଥିଲା ଏହି ଭଜନରୁ। ଆଶ୍ରମର ଅନ୍ତେବାସୀଙ୍କ ପାଇଁ ଏକାଦଶ ବ୍ରତ ଥିଲା ଏଗାରଟି ବୃହତ୍ ସଂକଳ୍ପ। ସେ ସଂକଳ୍ପ ଭିତରେ ଥିଲା ଅହିଂସା, ସତ୍ୟ, ଅସ୍ତେୟ (ଚୋରି ଶୂନ୍ୟତା), ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ (ସମ୍ପତ୍ତି ବିମୁଖତା), ଶରୀର ଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ, ସର୍ବଧର୍ମ ସମାନତ୍ୱ, ସ୍ବଦେଶୀ ଓ ସ୍ପର୍ଶ ଭାବନା। ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ମଧ୍ୟ ‘ବୈଷ୍ଣବ ଜନ ତୋ’ ଭକ୍ତି ଗୀତର କିଛି ଉପାଦାନକୁ ନେଇ ଆରମ୍ଭ ହୋଇଥିଲା। ଅସ୍ପୃଶ୍ୟତା ଦୂରୀକରଣ, ନାରୀ ସୁରକ୍ଷା, ସାମ୍ପ୍ରଦାୟିକ ସଂହତି, ଆର୍ଥିକ ସମାନତା ପ୍ରଭୃତି କାର୍ଯ୍ୟକ୍ରମ ନିମନ୍ତେ ଗାନ୍ଧୀଜୀ ନରସିଂହଙ୍କ ସଂଗୀତରୁ ପ୍ରଭାବିତ ହୋଇଥିଲେ। ଗାନ୍ଧୀଙ୍କ ସମସ୍ତ ଜାତୀୟ ବିଦ୍ୟାଳୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପିଲାମାନେ ପାଠ ପଢ଼ିବାର ସୁଯୋଗ ସୃଷ୍ଟି ହୋଇଥିଲା। ଦଳିତ ପିଲାଏ ସ୍କୁଲରେ ଏକାଠି ବସି ପଢ଼ିବାରେ କିଛି ବାରଣ ନଥିଲା। ‘ହରିଜନ’ ଶବ୍ଦ ସୃଷ୍ଟି ‘ବୈଷ୍ଣବ ଜନ ତୋ’ ଭଜନରୁ ହୋଇଥିଲା ବୋଲି ଗାନ୍ଧୀଜୀ ନିଜେ ସ୍ୱୀକାର ବି କରନ୍ତି। ଗାନ୍ଧୀଙ୍କ ଏ ଆଶ୍ରମୀୟ ଆଚରଣ ତତ୍କାଳୀନ ଗୁଜୁରାଟୀ ସମାଜର କିଛି ରକ୍ଷଣଶୀଳ ବ୍ୟକ୍ତିଙ୍କୁ କିପରି ବିପରୀତ ଲାଗିଥିଲା। ସ୍କୁଲରେ ସବର୍ଣ୍ଣ-ଅସବର୍ଣ୍ଣ ପାଠପଢ଼ାକୁ ସେମାନେ ସହଜରେ ଗ୍ରହଣ କରି ନ ଥିଲେ। ବ୍ୟବସାୟୀମାନେ ଗାନ୍ଧୀଙ୍କ ଜାତୀୟ ବିଦ୍ୟାଳୟକୁ ଚାନ୍ଦା ଦେବା ବନ୍ଦ କରି ଦେଇଥିଲେ। ସବର୍ଣ୍ଣମାନେ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ି ନ ଥିଲେ। ଆଶ୍ରମରେ ଦଳିତ ‘ଦୁଡ଼ା ଭାଇ’ର ରହଣିକୁ ବିରୋଧ ହୋଇଥିଲା। ଏବଂ ଗାନ୍ଧୀ ଯେ ଜଣେ ‘ଅଧର୍ମୀ’, ଏବଂ ଶାସ୍ତ୍ରର ବିକୃତ ଅର୍ଥ କରି ଅସ୍ପୃଶ୍ୟତା ଦୂରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି, ଏପରି କିଛି ଅଭିଯୋଗ ‘ଗୁଜୁରାଟୀ’ ନାମକ ଏକ ଖବର କାଗଜରେ ପ୍ରକାଶ ପାଇଥିଲା।
ଅସ୍ପୃଶ୍ୟତା ଦୂରୀକରଣ ଏବଂ ନରସିଂହ ପରମ୍ପରାର କିଛି ପୁରୁଣା ଆଦର୍ଶକୁ ସମାଜ ଗଠନ କାର୍ଯ୍ୟରେ ପ୍ରୟୋଗ କରିବାରୁ ଏତେ ବିରୋଧ ହେବ ବୋଲି ଗାନ୍ଧୀ କେବେ କଳ୍ପନା କରି ନଥିଲେ। ୧୯୨୦ ମସିହା ଡିସେମ୍ବର ମାସ ୫ ତାରିଖ ‘ନବଜୀବନ’ରେ ସେ ଏକ ପ୍ରବନ୍ଧ ଲେଖି ସ୍ପଷ୍ଟ କରିଦେଲେ, ସମାଜର ମଙ୍ଗଳ ପାଇଁ ଶାସ୍ତ୍ରର କୌଣସି ଅର୍ଥ କରି ପ୍ରୟୋଗ କଲେ ସେ ଯଦି ଅଧର୍ମୀ ହୁଅନ୍ତି, ତାଙ୍କର ଏଥିରେ କିଛି ଆପତ୍ତି ନାହିଁ। ସେ ଏଥିରେ ଖୁସି। ସେ କେବଳ ପ୍ରକୃତ ସାଧୁଜନର ବ୍ୟାବହାରିକ ଆଚରଣ କଥା କହୁଛନ୍ତି। ସେ ଭାବନ୍ତି ଯେ ତୁଳସୀ ମାଳ ପିନ୍ଧିଦେଲେ, ବେଦ ପଢ଼ିଦେଲେ, କପାଳରେ ତିଳକ ଲଗେଇଦେଲେ, ଏବଂ ବର୍ଣ୍ଣାଶ୍ରମ ଧର୍ମର ନୀତି ନିୟମ ମାନୁଛି ବୋଲି ଡିଣ୍ଡିମ ପିଟିଲେ, ଜଣେ ସାଧୁ ମଣିଷ ହୋଇ ଯାଏନି। ତୁଣ୍ଡରେ ରାମନାମ ଉଚ୍ଚାରଣ କରି ବି ଜଣେ ପାପ କାମ କରିପାରେ। ସେଥିପାଇଁ ଶଠତାକୁ ତ୍ୟାଗ କରିବାକୁ ହେବ। କଥା, କାର୍ଯ୍ୟ, ଚିନ୍ତାରେ ସଂଯତ ହେବାକୁ ହେବ। ଗାନ୍ଧୀ ତାଙ୍କ ‘ନବଜୀବନ’ ପ୍ରବନ୍ଧରେ ନିଜ ଉକ୍ତିକୁ ଦୋହରାଇ ସ୍ପଷ୍ଟ କରିଦେଲେ ଯେ କୌଣସି ଦଳିତ ଅସ୍ପୃଶ୍ୟ ନୁହେଁ।
ସାଧୁଜନ ଏବଂ ଅସ୍ପୃଶ୍ୟତା ଦୂରୀକରଣ ନେଇ ଗାନ୍ଧୀ ଏକ ଚମତ୍କାର ବକ୍ତବ୍ୟ ଦେଇଥିଲେ ୧୯୩୪ ମସିହା ମେ ମାସ ୬ ତାରିଖରେ ଅନୁଗୁଳରେ। ଓଡିଶାକୁ ‘ହରିଜନ ଯାତ୍ରା’ରେ ଆସି ଅନୁଗୁଳର ଆମ୍ବ ତୋଟାରେ ସେଦିନ ଗାନ୍ଧୀ କହିଥିଲେ, ଅସ୍ପୃଶ୍ୟତା କୌଣସି ଜାତି ବା ବ୍ୟକ୍ତିରେ ନଥାଏ। ଏହା କୁଚିନ୍ତା, ମଦ ଓ ଆଳସ୍ୟରେ ହିଁ ଥାଏ। ଏ ସବୁ ହେଉଛି ଜଣେ ଉତ୍ତମ ମଣିଷ ପାଇଁ ଅସ୍ପୃଶ୍ୟ ପଦାର୍ଥ। ଏହାର ସ୍ପର୍ଶ କେବଳ ଦୁର୍ଗତି ଆଣେ। ବୈଷ୍ଣବ ଜନ ତେଣୁ ଏହାକୁ ପରିତ୍ୟାଗ କରିବା ଉଚିତ।
ମୋ: ୯୮୬୧୪୬୯୩୨୮