୧୯୩୬ ମସିହା ଡିସେମ୍ବର ଶେଷ ସପ୍ତାହରେ ମହାରାଷ୍ଟ୍ରର ଫଇଜିପୁର ଠାରେ କଂଗ୍ରେସର ମହାଧିବେଶନ ଅନୁଷ୍ଠିତ ହୋଇଥିଲା। ୧୯୩୭ ମସିହା ଜୁନ୍ ମାସରେ ପ୍ରାଦେଶିକ ପ୍ରତିନିଧି ସଭା ପାଇଁ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ଏ ଅଧିବେଶନର ଗୁରୁତ୍ୱ ଥିଲା ବେଶୀ। ଏଥିରେ ଜନପ୍ରତିନିଧି ପ୍ରାର୍ଥୀ ଓ ଭୋଟରଙ୍କର କର୍ତ୍ତବ୍ୟ ଏବଂ ଗଣତାନ୍ତ୍ରିକ ନିର୍ବାଚନ ଉପରେ ବିଶେଷ ଆଲୋଚନା ହୋଇଥିଲା।
ପ୍ରଥମ ଦିନ ଆଲୋଚନାରେ ଭାଗ ନେଇ ଗାନ୍ଧୀଜୀ କହିଥିଲେ, ‘ଆମେ ଆଉ କିଛି ଦିନ ପରେ ଭାରତର ଏକ ବୃହତ୍ ଗଣତାନ୍ତ୍ରିକ ନିର୍ବାଚନରେ ଭାଗ ନେବାକୁ ଯାଉଛେ। ଯଦିଓ ଏହା ସ୍ୱାଧୀନ ଭାରତର ନିର୍ବାଚନ ନୁହେଁ, ଏହା କିନ୍ତୁ ଆମ ପାଇଁ ତାତ୍ପର୍ଯ୍ୟ ରଖେ। ଅଧ୍ୟାଦେଶର ଶାସନ ବଦଳରେ ୧୯୩୫ ଭାରତ ଶାସନ ଆଇନ ଅନୁଯାୟୀ ପ୍ରତିନିଧିମୂଳକ ଶାସନ, ଏହାହିଁ ହେବ ଏକ ଉପଲବ୍ଧି। ଆମ ନୀତି ଅନୁସାରେ ପ୍ରତି ନିର୍ବାଚନ ଯେ ମୁକ୍ତ ଏବଂ କମ୍ ବ୍ୟୟବହୁଳ ହେଉ, ଆମେ ଚାହୁଁ। ଭାରତର ୩୫ କୋଟି ଜନସଂଖ୍ୟା ଭିତରୁ ସାଢ଼େ ତିନି କୋଟି ପୁରୁଷ ଓ ମହିଳା ଭୋଟ୍ଦାତା ଏଥିରେ ଭାଗ ନେବେ। ଏହି ଭୋଟରମାନେ ସେମାନଙ୍କ ବୁଦ୍ଧି ଓ ବିଚାରରେ ମାତ୍ର ପନ୍ଦର ଶହ ପ୍ରତିନିଧି ବାଛିବେ। ଏଗାରଟି ରାଜ୍ୟରେ ଏହି ନିର୍ବାଚନ ହେବ। ଜମି ମାଲିକ, ଘର ଟିକସ ଏବଂ ଆୟକର ଦେଉଥିବା ବ୍ୟକ୍ତି ହିଁ ଭୋଟର ଭାବେ ବଛାଯିବେ ଏବଂ ସମୁଦାୟ ସାବାଳକ ଜନସଂଖ୍ୟାର ଏମାନେ ମାତ୍ର ଏକ-ଷଷ୍ଠାଂଶ ହେବେ। ଏବଂ ଭୋଟରମାନେ ବାଛିଥିବା ଜନପ୍ରତିନିଧି ସେମାନଙ୍କ ସୀମିତ କ୍ଷମତା ଭିତରେ ଭାରତ ଶାସନ ପାଇଁ ବିଦ୍ଧିଗତ ନିଷ୍ପତ୍ତି ନେବେ। ଏ ନିଷ୍ପତ୍ତି ୩୫ କୋଟି ଭାରତୀୟଙ୍କର ବୋଲି ଧରିନିଆଯିବ। ପ୍ରକୃତରେ ଜନପ୍ରତିନିଧି ହେଉଛନ୍ତି ଜନତାର ସେବକ। ସାଧାରଣ ଜନତା ହେଉଛନ୍ତି ମାଲିକ। କିନ୍ତୁ ବିଡ଼ମ୍ବନା ହେଲା, ସାଧାରଣ ଜନତା ତାଙ୍କ ଭୋଟ୍ଦାତା ମାଧ୍ୟମରେ ଥରେ ପ୍ରତିନିଧି ବାଛିଦେଲା ପରେ ଆଉ ଯେ ତାଙ୍କର କିଛି କର୍ତ୍ତବ୍ୟ ଅଛି, ମନେ କରନ୍ତି ନାହିଁ। ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ସମସ୍ତେ ଯେପରି ଗଭୀର ନିଦ୍ରାରେ ଶୋଇ ଯାଇଥାଆନ୍ତି। ନିର୍ବାଚିତ କରି କିଛି ଲୋକଙ୍କୁ କ୍ଷମତା ଦେଇଦେବା ସ୍ୱରାଜ ନୁହେଁ। କ୍ଷମତାର ଅପବ୍ୟବହାରକୁ ପ୍ରତିରୋଧ କରିବାର ସାମୂହିକ ଶକ୍ତି ହିଁ ସ୍ୱରାଜ, ଯାହା ଏବେ ପୂର୍ଣ୍ଣ ସ୍ୱରାଜର ମନ୍ତ୍ର।’
ଗାନ୍ଧୀଜୀଙ୍କ ପୂର୍ଣ୍ଣ ସ୍ୱରାଜର ଲକ୍ଷ୍ୟ ଦୁଇ ଭାଗରେ ବିଭକ୍ତ ଥିଲା: ରାଜନୈତିକ ସ୍ୱାଧୀନତା ଏବଂ ଅର୍ଥନୈତିକ ସ୍ୱାଧୀନତା। ରାଜନୈତିକ ସ୍ୱାଧୀନତା ନେଇ ଗାନ୍ଧୀଙ୍କ ବ୍ୟାଖ୍ୟା ଥିଲା, ସ୍ୱାଧୀନ ଭାରତରେ ହାସଲ ହେବାକୁ ଥିବା ଗଣତନ୍ତ୍ର ସାମ୍ୟବାଦୀ ରୁଷ୍, ନାଜି ଜର୍ମାନୀ କିମ୍ବା ଫାସିବାଦୀ ଇଟାଲୀ ଏପରିକି ବ୍ରିଟିଶ୍ ସଂସଦ ଦାବି କରୁଥିବା ଗଣତନ୍ତ୍ର ପରି ନ ହୋଇ ଭାରତୀୟଙ୍କ ସଂସ୍କୃତି ଓ ଚଳଣି ପ୍ରତି ଅନୁକୂଳ ହେବାପରି ଗଣତନ୍ତ୍ର ହେବ, ଏବଂ ସଂପତ୍ତିର ବିକେନ୍ଦ୍ରୀକରଣ ଓ ସମବଣ୍ଟନ ହିଁ ତାଙ୍କ ଅର୍ଥନୈତିକ ସ୍ୱାଧୀନତାର ମୂଳ ବିନ୍ଦୁ ଥିଲା।
୧୯୩୭ ଜାନୁଆରି ଓ ଜୁଲାଇର ‘ହରିଜନ’ ପତ୍ରିକାରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଆଚରଣବିଧି ଏବଂ ଭୋଟରଙ୍କ ପାଇଁ ଏକ ପ୍ରଶ୍ନସୂଚୀ ନେଇ ଗାନ୍ଧୀଙ୍କର ଦୁଇଟି ପ୍ରବନ୍ଧ ପ୍ରକାଶ ପାଇଥିଲା।
ଏକ ସ୍ବଚ୍ଛ ତଥା ନୀତିନିଷ୍ଠ ଗଣତାନ୍ତ୍ରିକ ପରଂପରା ସୃଷ୍ଟି ପାଇଁ ଗାନ୍ଧୀଜୀ ତାଙ୍କ ଲେଖାରେ ସାଧାରଣ ଭୋଟ୍ଦାତା, ମଧ୍ୟବିତ୍ତ ଭୋଟର ଏବଂ ଜନପ୍ରତିନିଧି ପ୍ରାର୍ଥୀମାନଙ୍କୁ କିଛି ପରାମର୍ଶ ଦେଇଥିଲେ। ସାଧାରଣ ଭୋଟରଙ୍କ ପାଇଁ ଗାନ୍ଧୀଙ୍କ ପରାମର୍ଶ ଥିଲା, ‘ମୁଁ ଜଣେ ଭୋଟ୍ଦାତା ଭାବେ ଯେଉଁ ପ୍ରଶ୍ନ ମୋ ପ୍ରାର୍ଥୀଙ୍କୁ ପଚାରି ଥାଆନ୍ତି, ମୁଁ ଆଶା କରେ ଆପଣମାନେ ସେଇ ପ୍ରଶ୍ନ ପ୍ରାର୍ଥୀଙ୍କୁ ପଚାରିବେ ଏବଂ ପ୍ରତିଶ୍ରୁତି ଚାହିଁବେ। ପଚାରିବେ, ଅସ୍ପୃଶ୍ୟତା ଦୂରୀକରଣ, ଦଳିତଙ୍କ ମନ୍ଦିର ପ୍ରବେଶ, ନିଶା ନିବାରଣ ଏବଂ ସାଂପ୍ରଦାୟିକ ସଂହତି ନେଇ ପ୍ରାର୍ଥୀଙ୍କ ଆଭିମୁଖ୍ୟ କ’ଣ? ଏବେ ବି ଅନେକ ଗାଁମାନଙ୍କରେ ଯେଉଁ ସାଧାରଣ ବ୍ୟବହୃତ କୂଅ, ପୋଖରୀ, ମଶାଣି ଇତ୍ୟାଦି ଦଳିତଙ୍କୁ ମନା ହେଉଛି, ମଦ ଟିକସରେ ଶିକ୍ଷାୟତନ ନିର୍ମାଣ ହେଉଛି ବୋଲି ଯେଉଁ ବାହାନା ଦିଆଯାଉଛି, ଇଏସବୁ କେବେ ବନ୍ଦ ହେବ, ପଚାରି ବୁଝିବେ।’
ଗାନ୍ଧୀଜୀଙ୍କ ଦ୍ବିତୀୟ ପରାମର୍ଶ ଥିଲା ମଧ୍ୟବିତ୍ତ ବର୍ଗୀଙ୍କୁ। ଗାନ୍ଧୀ ସୂଚେଇ ଦେଇଥିଲେ, ଏକ ଉତ୍ତମ ଗଣତାନ୍ତ୍ରିକ ଧାରା ତିଆରି କରିବାରେ ମଧ୍ୟବିତ୍ତ ଶ୍ରେଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ଉଦାସୀନତା ସମାଜ ପାଇଁ ଶୁଭଙ୍କର ନୁହେଁ। ବିଦେଶୀ କଂପାନି ଭାରତକୁ ବ୍ୟବସାୟ କରିବାକୁ ଆସିଲା ବେଳେ ଏଇ ଉଦାସୀନତା ସେବେ ଭାରତ ପାଇଁ ଅନୁକୂଳ ନ ଥିଲା। ଆଜି କିନ୍ତୁ ସ୍ୱରାଜ ସଂଗ୍ରାମରେ ମଧ୍ୟବିତ୍ତଙ୍କ ସକ୍ରିୟ ମୁଖରତା ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ସକାରାତ୍ମକ ଦିଶା ଦେଇଛି। ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ମଧ୍ୟବିତ୍ତ ସଚେତନ ଭୋଟରମାନେ ପରିବେଶ ସୁରକ୍ଷା ଏବଂ ଦାରିଦ୍ର୍ୟ ଦୂରୀକରଣ ସଂପର୍କରେ ଖସଡ଼ା ପ୍ରସ୍ତୁତ କରିଦେବା ଦରକାର। କାରଣ, ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଇଉରୋପକୁ ଏକ ବଢ଼ିପାଣି ପରି ମାଡ଼ି ଆସିଲାଣି। ବିତ୍ତଶାଳୀ ଇଉରୋପ ଏହାକୁ ସହ୍ୟ କରିପାରେ, କିନ୍ତୁ ପରିବେଶଗତ ଅସନ୍ତୁଳନ ଯଦି ଭାରତକୁ କେବେ ଆକ୍ରାନ୍ତ କରିନିଏ, ଏହା ଏଠି ବିପର୍ଯ୍ୟୟ ଆଣିବା ନିଶ୍ଚିତ।
ଗାନ୍ଧୀଜୀଙ୍କ ତୃତୀୟ ପରାମର୍ଶ ଥିଲା ପ୍ରାର୍ଥୀମାନଙ୍କୁ। ଉତ୍ତମ ପ୍ରାର୍ଥୀ ହେବାକୁ ହେଲେ ସେମାନେ ମଦ ପିଉ ନ ଥିବେ, ସରଳ ଜୀବନଶୈଳୀରେ ଥିବେ, ପାଶ୍ଚାତ୍ୟ ଜୀବନଚର୍ଯ୍ୟା ଓ ସଂସ୍କୃତିକୁ ଆପଣେଇ ନ ଥିବେ, ଖଦି ପିନ୍ଧୁଥିବେ ଏବଂ ମିଛ ପ୍ରତିଶ୍ରୁତି ଦେଉ ନ ଥିବେ। ‘ହରିଜନ’ ପତ୍ରିକାରେ ଗାନ୍ଧୀ ଲେଖିଥିଲେ, ବହୁତ କିଛି ଅନାୟସରେ ପାଇବାକୁ ଇଚ୍ଛା କରିବା ସାଧାରଣ ଲୋକଙ୍କ ସ୍ୱାଭାବିକ ପ୍ରକୃତି। ଯେଉଁ ଇଚ୍ଛା ପୂରଣଯୋଗ୍ୟ, ତାହାର ପୂର୍ତ୍ତି ପାଇଁ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେବା ଏବଂ ଏହା ପ୍ରଦାନ ପାଇଁ ଉଦ୍ୟମ କରିବା ଉଚିତ। ପ୍ରତିଶ୍ରୁତି ପୂରଣ ନ ହେଲେ, ଗଣତନ୍ତ୍ର ଓ ଜନପ୍ରତିନିଧିଙ୍କ ପ୍ରତି ସାଧାରଣ ଲୋକଙ୍କ ଭରସା ତୁଟିଯିବ।
୧୯୩୭ ମସିହା ପ୍ରାଦେଶିକ ନିର୍ବାଚନରେ ଏହି ଭୋଟର ସଚେତନତା ଅଭିଯାନକୁ ଗାନ୍ଧୀଜୀ ଜନଜାଗରଣ (ଏନ୍ଲାଇଟନ୍ମେଣ୍ଟ)ର ଆଖ୍ୟା ଦେଇଥିଲେ ଏବଂ ପ୍ରାର୍ଥୀଙ୍କୁ ପରଖି ଦେଖିବା ଲାଗି ପ୍ରତି ନିର୍ବାଚନରେ ଭୋଟରଙ୍କ ପାଇଁ ଏକ ଅବସର ଆସିଥାଏ ବୋଲି ଗାନ୍ଧୀ ମନ୍ତବ୍ୟ ରଖିଥିଲେ।
ଅନୁରୂପ ଜନଜାଗରଣର ଏବେ ବି ଆବଶ୍ୟକତା ଅଛି।
ମୋ: ୯୮୬୧୪୬୯୩୨୮
ଗାନ୍ଧୀ ଦୃଷ୍ଟି: ଭୋଟର ସଚେତନତା
ଗୌରାଙ୍ଗ ଚରଣ ପରିଡ଼ା
/sambad/media/post_attachments/wp-content/uploads/2023/10/mahamta-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)