ଗାନ୍ଧୀଜୀ ଓ ଗୀତା

ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ

ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ ଲଣ୍ଡନ ଯିବା ଯାଏଁ ଗୀତା ପଢ଼ି ନ ଥିଲେ। ୧୮୯୯ ମସିହାରେ ୨୦ ବର୍ଷ ବୟସରେ ତାଙ୍କର ଗୀତା ସହ ପ୍ରଥମ ପରିଚୟ ହୋଇଥିଲା। ଲଣ୍ଡନରେ ପଢୁଥିବା ବେଳେ ଦ୍ବିତୀୟ ବର୍ଷର ଶେଷ ଆଡ଼କୁ ଦୁଇ ଜଣ ଇଂରେଜ ‘ଥିଓସୋଫିଷ୍ଟ୍‌’ ବନ୍ଧୁଙ୍କ ଠାରୁ ପ୍ରଥମେ ଗୀତା ସମ୍ପର୍କରେ ଶୁଣିଥିଲେ। ସେତେବେଳକୁ ଇଂଲଣ୍ଡର ସାର୍‌ ଏଡ୍‌ଉଇନ୍‌ ଆର୍ନଲଡ୍‌ ଇଂରେଜୀ ଭାଷାରେ ଗୀତା ଅନୁବାଦ କରିସାରିଥିଲେ। ତାଙ୍କ ଗୀତା ଅନୁବାଦ ‘ଦ ସଙ୍ଗ୍ ସେଲେଷ୍ଟିଆଲ୍‌’ ନାମରେ ପ୍ରକାଶ ପାଇସାରିଥିଲା। ତାଙ୍କର ମୂଳ ଗୀତା ପାଠ କରି ବୁଝାଇବା ପାଇଁ ଗାନ୍ଧୀଜୀଙ୍କୁ ସେ ନିମନ୍ତ୍ରଣ କରିଥିଲେ। ଗାନ୍ଧୀ ଲେଖିଛନ୍ତି- ‘ମୁଁ ଗୀତା ପଢ଼ି ନାହିଁ ବୋଲି କହିବାକୁ ବାଧ୍ୟ ହେଲି, କିନ୍ତୁ ସେମାନଙ୍କ ସହିତ ଗୀତା ପାଠ କରିବାକୁ ମୁଁ ଆନନ୍ଦ ଲାଭ କଲି।’

ଗୀତା ପଢ଼ିବା ପରେ ଗାନ୍ଧୀ କହିଲେ- ‘ଗୀତା ଗ୍ରନ୍ଥଟି ଅମୂଲ୍ୟ ଜିନିଷ ଭିତରେ ଗୋଟିଏ ଭଳି ମତେ ଲାଗିଲା। ଏହାର ପ୍ରଭାବ ଏଭଳି ଭାବରେ ମୋ ଉପରେ ପଡ଼ିଲା, ଯାହା ଫଳରେ ସତ୍ୟ ଜ୍ଞାନ ଆହରଣ ପାଇଁ ଏହା ଏକ ସର୍ବଶ୍ରେଷ୍ଠ ଗ୍ରନ୍ଥ ବୋଲି ମୁଁ ଭାବେ। ମୋ ପକ୍ଷରେ ଗୀତା ଆଚରଣର ଅଭ୍ରାନ୍ତ ପଥପ୍ରଦର୍ଶକ ରୂପେ ରହିଥିଲା।’

ଗାନ୍ଧୀଜୀ ଗୀତାର ଶ୍ଳୋକ ଗୁଡ଼ିକ ମୁଖସ୍ଥ କରିବା ପାଇଁ ପ୍ରତି ଦିନ ଗାଧୁଆ ଘରେ ଦାନ୍ତ ଘଷା ସାରି କାନ୍ଥରେ ଗୀତାର ଶ୍ଳୋକ ଲେଖାଥିବା ଗୋଟିଏ କାଗଜ ଲଟକାଇ ତାକୁ ପଢ଼ି ପଢ଼ି ଗୀତାର ତେରଟି ଅଧ୍ୟାୟ ମୁଖସ୍ଥ କରିଥିଲେ। ସେ ଲେଖିଥିଲେ- ‘ମୁଁ ମୁଖସ୍ଥ କରିବାରେ ବଡ଼ ଦୁର୍ବଳ। ତେଣୁ ଯଦି କେହି ଗୀତା ମୁଖସ୍ଥ କରିଥିବା ଲୋକଙ୍କୁ ମୁଁ ଭେଟେ, ସେ ମୋର ଗଭୀର ସମ୍ମାନର ପାତ୍ର ହୋଇଥାନ୍ତି।’ ଗୀତା ଶ୍ଳୋକ ଗୁଡ଼ିକର ସଙ୍ଗୀତମୟ ଆବୃତ୍ତି ସେ ଯେତେ ବେଶୀ ଶୁଣୁଥିଲେ, ତା’ର ଅର୍ଥ ତାଙ୍କ ହୃଦୟ ଭିତରେ ସେତେ ଗଭୀର ଭାବରେ ପ୍ରବେଶ କରୁଥିଲା ବୋଲି ସେ ଲେଖିଥିଲେ।

ଗୀତାରେ ବର୍ଣ୍ଣିତ ଯୁଦ୍ଧ ଓ ତାର ଚରିତ୍ରମାନେ ପ୍ରକୃତରେ ଗୋଟିଏ ଗୋଟିଏ ରୂପକ, ଯାହା ମଣିଷର ହୃଦୟ ଭିତରେ ଭଲ ଏବଂ ମନ୍ଦ ମଧ୍ୟରେ ଅହରହ ଚାଲିଥିବା ଶାଶ୍ବତ ସଂଘର୍ଷର ବର୍ଣ୍ଣନା। ମହାଭାରତକୁ ଏକ ଗପ ବା ଇତିହାସ ରୂପରେ ଗଣାଯାଏ ନାହିଁ; ଏହା ମାନବ ଆତ୍ମାର ଇତିହାସ, ଯହିଁରେ ଶ୍ରୀକୃଷ୍ଣ ପ୍ରଧାନ ଅଭିନେତା ଭାବରେ ଅବତୀର୍ଣ୍ଣ। ଗୀତାର ପ୍ରଥମ ଅଧ୍ୟାୟରେ ଯେଉଁ ନାମଗୁଡ଼ିକ ଦିଆଯାଇଛି, ତାହା ସେଭଳି ବ୍ୟକ୍ତିବାଚକ ନୁହନ୍ତି, ଯେଭଳି ଗୁଣବାଚକ ଭଳି ମନେ ହୁଅନ୍ତି। ସୁପ୍ରବୃତ୍ତି ଏବଂ କୁପ୍ରବୃତ୍ତିର ପ୍ରତୀକ ଭାବେ ମହାଭାରତର ଚରିତ୍ରମାନେ ଠିଆ ହୋଇଥାନ୍ତି।
ଗାନ୍ଧୀଜୀଙ୍କ ମତରେ ଗୀତା ସତ୍ୟ ଓ ଅହିଂସାର ଶିକ୍ଷା ଦେଇଥାଏ। ଗୀତାର ରଚୟିତା ଋଷି ସତ୍ୟ ଦର୍ଶନକୁ ଉପଲବ୍‌ଧି କରି କହିଛନ୍ତି, ହିଂସା ନୁହେଁ, ଅହିଂସା ହିଁ ଯଥାର୍ଥ। ଅହିଂସା ବ୍ୟତୀତ ସତ୍ୟକୁ ଅନୁଭବ କରିବା ଅସମ୍ଭବ। ଗାନ୍ଧୀଜୀ କହିଛନ୍ତି- ‘ଗୀତାର ସାରତତ୍ତ୍ବକୁ ଜୀବନରେ ପ୍ରୟୋଗ କରିବାକୁ ହେଲେ, ସତ୍ୟ ଓ ଅହିଂସା ଅନୁସରଣ କରିବାକୁ ପଡ଼ିବ। ଯେଉଁଠି ଫଳ ପାଇଁ କାମନା ନାହିଁ, ସେଇଠି ମିଥ୍ୟା ଓ ହିଂସା ପାଇଁ ପ୍ରଲୋଭନ ମଧ୍ୟ ନାହିଁ।’

କର୍ମ ବିନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅସମ୍ଭବ। ଏପରିକି ରାଜର୍ଷି ଜନକ ମଧ୍ୟ କର୍ମ ଜରିଆରେ ମୁକ୍ତି ପାଇଛନ୍ତି। ତେଣୁ ଆଳସ୍ୟ ବଶତଃ କର୍ମ ତ୍ୟାଗ କରିବା ବିନଷ୍ଟର ମାର୍ଗ ଉନ୍ମୋଚନ କରିବ। ଗୀତା କହେ ତୁମେ ନିର୍ଲିପ୍ତ ଭାବେ କର୍ମ କରିଚାଲ, ଫଳର କାମନା ପରିହାର କର, କାର୍ଯ୍ୟରୁ ପୁରସ୍କାର ପାଇବାର ଇଚ୍ଛା ରଖ ନାହିଁ। କିନ୍ତୁ ସେ ବୁଝିଥିଲେ ଯେ ଏହାର ଅର୍ଥ ନୁହେଁ କର୍ମ ଫଳ ପ୍ରତି ଉଦାସୀନ ରହିବା। ପ୍ରତ୍ୟେକ କାର୍ଯ୍ୟରେ ଯେଉଁ ଫଳ ଆଶା କରାଯାଏ, ତାର ଉପାୟ ଏବଂ ତାର ଶକ୍ତିକୁ ଜାଣିବା ଗୁରୁତ୍ବପୂର୍ଣ୍ଣ। ପୁନଶ୍ଚ, କର୍ମ ଫଳ ତ୍ୟାଗର ଅର୍ଥ ଫଳ ପାଇବା ପାଇଁ ଆତୁର ନ ହେବାକୁ ବୁଝାଏ।

ଗୀତାର ଅପରିଗ୍ରହ ଶବ୍ଦରୁ ସେ ବୁଝିଥିଲେ ଯେ ଯେଉଁମାନେ ମୁକ୍ତି ଚାହାଁନ୍ତି, ସେମାନେ ନିଜ ସମ୍ପତ୍ତିର ତତ୍ତ୍ବାବଧାରକ ଭଳି କାର୍ଯ୍ୟ କରିବା ଉଚିତ। ସେ କହିଥିଲେ ଯେ ଗୀତାର ଦ୍ବିତୀୟ ଅଧ୍ୟାୟର ଶେଷ ଊଣେଇଶଟି ଶ୍ଳୋକର ସତ୍‌ ଶିକ୍ଷାରୁ ସେ ସମସ୍ତ ଜ୍ଞାନ ଆହରଣ କରିଛନ୍ତି। ଗୀତା ଅଧ୍ୟୟନରୁ ଗାନ୍ଧୀଜୀ ନିଷ୍କାମ କର୍ମର ପ୍ରକୃତ ଅର୍ଥ ବୁଝି ପାରିଥିଲେ। ଗାନ୍ଧୀଜୀ ସ୍ବୀକାର କରିଥିଲେ ଯେ ଗୀତାର ଶିକ୍ଷାକୁ ଜୀବନରେ ପୂର୍ଣ୍ଣ ଭାବରେ ପ୍ରୟୋଗ କରିବା ପାଇଁ ତାଙ୍କୁ ଚାଳିଶ ବର୍ଷର ଅଦମ୍ୟ ଚେଷ୍ଟା କରିବାକୁ ପଡ଼ିଥିଲା। ଏହା ପରେ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଫଳ ତ୍ୟାଗ ପାଇଁ ଅହିଂସା ପାଳନ କରିବା ଏକାନ୍ତ ଅବଶ୍ୟକ।

ଗାନ୍ଧୀଜୀ କହୁଥିଲେ ଯେ ଗୀତା ଭଳି ଗ୍ରନ୍ଥର ବ୍ୟାଖ୍ୟା କରିବା ଲାଗି ଜ୍ଞାନ ବା ପାଣ୍ଡିତ୍ୟ ଅପେକ୍ଷା ଭକ୍ତି ବା ବିଶ୍ବାସ ଅଧିକ ଗୁରୁତ୍ବପୂର୍ଣ୍ଣ। ତାଙ୍କ ମତରେ କେବଳ ଅନୁଭବୀ ହିଁ ଧର୍ମଗ୍ରନ୍ଥର ପ୍ରକୃତ ବ୍ୟାଖ୍ୟାକାର ହୋଇପାରିବ। ସେ ଗୁଜୁରାଟୀ ଭାଷାରେ ଗୀତାର ଅନୁବାଦ କରି ୧୯୩୦ ମସିହାରେ ପ୍ରକାଶ କରିଥିଲେ। ସେ ଯେତେବେଳେ ୟେର୍‌ଭାଡ଼ା ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ, ସାବରମତୀ ଆଶ୍ରମରେ ଅନ୍ତେବାସୀମାନଙ୍କ ପାଇଁ ଚିଠି ଆକାରରେ ଗୁଜୁରାଟୀ ଭାଷାରେ ଗୀତାର ପ୍ରତ୍ୟେକ ଅଧ୍ୟାୟର ଭାଷ୍ୟ ଲେଖି ପଠାଇଲେ। ଏଲ୍‌ଫିଲ୍‌ଷ୍ଟୋନ୍‌ କଲେଜର ଅଧ୍ୟାପକ ବାଲାଜୀ ଗୋବିନ୍ଦଜୀ ଦେଶାଇ ଏହି ଚିଠିଗୁଡ଼ିକର ଇଂରେଜୀ ଅନୁବାଦ କରିଥିଲେ, ଯାହାର ସଂକଳନ ନବ ଜୀବନ ପ୍ରକାଶନ ସଂସ୍ଥା ଦ୍ବାରା ‘ଡିସ୍‌କୋର୍ସେସ୍‌ ଅନ୍‌ ଦ ଗୀତା’ ରୂପରେ ପ୍ରକାଶିତ ହୋଇଛି। ଗୀତାର ପ୍ରତ୍ୟେକ ଅଧ୍ୟାୟ ପାଇଁ ଗୋଟିଏ ଲେଖାଏଁ ଚିଠି ଲେଖା ଯାଇଥିଲା। ଗୀତାର ଦ୍ବାଦଶ ଅଧ୍ୟାୟ (ଭକ୍ତିଯୋଗ) ଗାନ୍ଧୀଜୀଙ୍କ ଅତି ପ୍ରିୟ ହୋଇଥିବାରୁ ସେ ତାଙ୍କ ପତ୍ରମାଳାର ପ୍ରଥମ ଚିଠିରେ ଏହାର ସାରାଂଶ ଲେଖିଥିଲେ।

ଗାନ୍ଧୀଜୀ ପ୍ରତି ଦିନ ତାଙ୍କ ପ୍ରାର୍ଥନା ସଭାରେ ଗୀତାର ଦ୍ବିତୀୟ ଅଧ୍ୟାୟର ଶେଷ ଊଣେଇଶଟି ଶ୍ଳୋକ ପାଠ କରାଉଥିଲେ। ଏଥିରେ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଲକ୍ଷଣ ବର୍ଣ୍ଣନା କରାଯାଇଛି। ଗାନ୍ଧୀଜୀ ସର୍ବଦା କହୁଥିଲେ ଯେ ଗୀତା ଏପରି ଏକ ଗ୍ରନ୍ଥ, ଯହିଁରେ ସର୍ବଧର୍ମର ଲୋକ ତାଙ୍କ ନିଜ ଧର୍ମର ସାରତତ୍ତ୍ବ ସନ୍ନିହିତ ଥିବା ଦେଖିପାରିବେ। ଏଥିରେ ଧର୍ମ ସଂକୀର୍ଣ୍ଣତାର ଦୋଷ ନାହିଁ। ଆମ ଦେଶର ବିଦ୍ୟାଳୟମାନଙ୍କରେ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀ ଏହାକୁ ଏକାଠି ବସି ପଢ଼ି ପାରିବେ। କାରଣ ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ଜୀବନ ଦର୍ଶନ ଓ ଆଚରଣ ସଂହିତା।
ଗାନ୍ଧୀଜୀ କହିଥିଲେ ଯେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍କୁଲ୍‌ ବୟସରୁ ଗୀତା ପଢ଼ିବା ଉଚିତ। ମୂଳ ଗୀତା ପଢ଼ିବା ଲାଗି ପ୍ରତ୍ୟେକ ଛାତ୍ରଛାତ୍ରୀ କିଛିଟା ସଂସ୍କୃତ ଭାଷା ଶିଖିବା ଉଚିତ ବୋଲି ସେ ମନେ କରୁଥିଲେ। କିନ୍ତୁ ଏବେ ନିଜ ନିଜ ମାତୃଭାଷାରେ ଗୀତାର ଟୀକା ସରଳ ଭାଷାରେ ଲେଖି ପଢ଼ିବାକୁ ଦେବାରେ କୌଣସି ଅସୁବିଧା ନାହିଁ। ଧର୍ମ ନିରପେକ୍ଷ ଶିକ୍ଷା ପ୍ରଣାଳୀରେ ଗୀତା ପଢ଼ାଇବାରେ ମଧ୍ୟ କୌଣସି ଅସୁବିଧା ନାହିଁ।
ମୋ : ୯୮୫୩୩୩୫୯୬୨

ସମ୍ବନ୍ଧିତ ଖବର