ଗାନ୍ଧୀ ଦୃଷ୍ଟି: ଗାନ୍ଧୀଜୀ ଓ ରାଜଦ୍ରୋହ

ଗୌରାଙ୍ଗ ଚରଣ ପରିଡ଼ା

ଠିକ ଶହେ ବର୍ଷ ତଳେ ୧୯୨୨ ମସିହା ମାର୍ଚ୍ଚ ମାସରେ ଗାନ୍ଧୀଜୀଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରାଯାଇ ତୁରନ୍ତ ବିଚାର ପରେ ୬ ବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଥିଲା। ପରାଧୀନ ଭାରତର ଗାନ୍ଧୀଜୀ ଥିଲେ ପ୍ରଥମ ବୃହତ୍‌ ଜନପ୍ରିୟ ନେତା ଯାହାଙ୍କ ବିରୋଧରେ ପିଙ୍ଗଳ କୋଡ୍‌ର ୧୨୪ (କ) ଧାରାରେ ଥିବା ରାଜଦ୍ରୋହ ଆଇନ (ସେଡିସନ୍‌) ଲାଗିଥିଲା। ଗାନ୍ଧୀଙ୍କ ରାଜଦ୍ରୋହର କାରଣ ଥିଲା, ‘ୟଙ୍ଗ ଇଣ୍ଡିଆ’ ମାଗାଜିନ୍‌ରେ ଗାନ୍ଧୀ ଲେଖିଥିବା ତିନିଟି ପ୍ରବନ୍ଧ। ଇଂରେଜ ସରକାରଙ୍କ ମତରେ ଗାନ୍ଧୀଙ୍କ ଏ ଲେଖା ଖୁବ୍‌ ଉତ୍ତେଜକ ଥିଲା ଏବଂ ଦେଶରେ ସରକାରଙ୍କ ବିରୋଧରେ ବିଦ୍ବେଷ ସୃଷ୍ଟି କରିଥିଲା।

ଗାନ୍ଧୀଙ୍କ ବିରୋଧରେ ଲାଗିଥିବା ଅପରାଧର ପୃଷ୍ଠଭୂମି ଥିଲା ଠିକ୍‌ ଏମିତି- ୧୯୨୦ ମସିହାରେ ଗାନ୍ଧୀ ଡାକରା ଦେଇଥିବା ଅସହଯୋଗ ଆନ୍ଦୋଳନ ଭାରତରେ ଖୁବ୍‌ ବ୍ୟାପକ ହୋଇଥିଲା। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଲାଗି ଭାରତରେ ଜନସମର୍ଥନ ସ୍ୱତଃସ୍ଫୂର୍ତ୍ତ ଥିଲା। ଏହା ଏକ ଅଭୂତପୂର୍ବ ଜନ ଜାଗରଣ ଥିଲା କିନ୍ତୁ ଉତ୍ତରପ୍ରଦେଶର ଚଉରିଚଉରାରେ ସତ୍ୟାଗ୍ରହୀଙ୍କ ଦ୍ୱାରା ହିଂସା ଘଟଣା ପରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନକୁ ଅଧାରୁ ବନ୍ଦ କରି ଦେଇଥିଲେ। କାରଣ ଆନ୍ଦୋଳନ ଆରମ୍ଭ ବେଳେ ଗାନ୍ଧୀଜୀଙ୍କ ଘୋଷଣା ଥିଲା ଯେ ତାହା ଏକ ଶାନ୍ତିପୂର୍ଣ୍ଣ ଅହିଂସ ଆନ୍ଦୋଳନ ହିଁ ହେବ।

ଅସହଯୋଗ ଆନ୍ଦୋଳନ ଅଧାରୁ ପ୍ରତ୍ୟାହୃତ ହୋଇଥିଲେ ବି ୧୯୨୨ ମସିହା ମାର୍ଚ୍ଚ ଦଶ ତାରିଖ ଅଧ ରାତିରେ ଗାନ୍ଧୀଜୀଙ୍କୁ ସାବରମତି ଆଶ୍ରମରୁ ଗିରଫ କରାଯାଇଥିଲା। ଗାନ୍ଧୀଙ୍କ ସହ ତାଙ୍କର ଅନ୍ୟ ଏକ ସହଯୋଗୀ ଏସ. ସି. ବ୍ୟାଙ୍କରଙ୍କୁ ବି ଗିରଫ କରାଯାଇଥିଲା। ବ୍ୟାଙ୍କର ସେବେ ‘ୟଙ୍ଗ ଇଣ୍ଡିଆ’ର ପ୍ରକାଶକ ଥିଲେ। ଗିରଫ କରାଯିବା ପରେ ଉଭୟଙ୍କୁ ଅହମଦାବାଦର ଜିଲ୍ଲା ସର୍କିଟ୍‌ ଦୌରାଜଜ କୋର୍ଟରେ ପେସ୍‌ କରାଯାଇଥିଲା। ଜିଲ୍ଲା ଜଜ୍‌ ଥିଲେ ଜଷ୍ଟିସ୍‌ ସି.ଏନ୍‌. ବ୍ରୁମ୍‌ସ ଫିଲ୍‌ଡ। ଆଡ୍‌ଭୋକେଟ୍‌ ଜେନେରାଲ ଜେ. ଟି. ଷ୍ଟ୍ରାଙ୍ଗ୍‌ମ୍ୟାନ ଜିଲ୍ଲା ଜଜ୍‌ଙ୍କୁ ସାହାଯ୍ୟ କରୁଥିଲେ। ଗାନ୍ଧୀ ଓ ବ୍ୟାଙ୍କର କିନ୍ତୁ ନିଜ ସପକ୍ଷରେ କୌଣସି ଓକିଲ ଦେଇ ନ ଥିଲେ। ଗାନ୍ଧୀଙ୍କ ବିରୋଧରେ ଥିବା ଅଭିଯୋଗ ଥିଲା- ଇଏ ମୋହନଦାସ କରମଚାନ୍ଦ ଗାନ୍ଧୀ। ସଂକ୍ଷିପ୍ତରେ ଏମ୍‌. କେ. ଗାନ୍ଧୀ। ବୟସ ୫୨ ବର୍ଷ। ବୃତ୍ତିରେ କୃଷକ। ଲୁଗା ବୁଣାଳି। ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଏମ୍‌. ‌େକ. ଗାନ୍ଧୀଙ୍କ ନାଁରେ ତିନିଟା ଲେଖା ପ୍ରକାଶ ପାଇଛି। ପ୍ରଥମ ଲେଖା ୧୯୨୧ ମସିହା ସେପ୍ଟେମ୍ବର ୨୯ ତାରିଖରେ। ଶିରୋନାମା ‘ଟାମ୍ପରିଙ୍ଗ ଉଇଥ ଲୟାଲ୍‌ଟି’। ଦ୍ବିତୀୟ ଲେଖାର ପ୍ରକାଶନ ସମୟ ୧୯୨୧ ମସିହା ଡିସେମ୍ବର ୧୫, ନାମ ‘ପଜଲ ଆଣ୍ଡ ଇଟ୍‌ସ ସଲ୍ୟୁସନ୍‌’ଏବଂ ତୃତୀୟ ପ୍ରବନ୍ଧ ୧୯୨୨ ମସିହା ଫେବ୍ରୁଆରି ୨୩ରେ, ଶୀର୍ଷକ ‘ସେକିଙ୍ଗ୍‌ ଅଫ ଦି ମେନ୍‌ସ’। ଏସବୁ ଲେଖାରେ ଗାନ୍ଧୀ ଲେଖିଥିଲେ, ଭାରତୀୟମାନେ ଏଠି ଆଉ ଇଂରେଜ ସରକାରଙ୍କୁ ଚାହୁଁ ନାହାନ୍ତି। କ୍ଷମତାରେ ନିଶାଗ୍ରସ୍ତ ଥିବା ଇଂରେଜ ସରକାର ଗରିବ ଭାରତୀୟଙ୍କୁ ଶୋଷଣ କରୁଛି। ଭାରତୀୟମାନେ ଜେଲ୍‌ ଯିବାକୁ ଭୟ କରୁ ନାହାନ୍ତି, ରାଜଦ୍ରୋହ ଅପରାଧରେ ବି ହେଉ। ୧୯୨୦ ମସିହାରେ ସ୍ୱରାଜ ପାଇଁ ଆରମ୍ଭ ହୋଇଥିବା ଅହିଂସ ଆନ୍ଦୋଳନ ସ୍ୱରାଜ ମିଳିବା ପର୍ଯ୍ୟନ୍ତ ଚାଲିବ, ଏହା ବର୍ଷେ, ୨ ବର୍ଷ କିମ୍ବା ବର୍ଷ ବର୍ଷ ଧରି ଚାଲିପାରେ।

ଚାର୍ଜସିଟ୍‌ରେ ଉଲ୍ଲେଖ ଥିଲା ଯେ ଗାନ୍ଧୀ ‘ୟଙ୍ଗ ଇଣ୍ଡିଆ’ର ଏ ସବୁ ପ୍ରବନ୍ଧରେ ଏକ ନ୍ୟାୟୋଚିତ ସରକାର ବିରୋଧରେ ଲୋକଙ୍କୁ ଆପତ୍ତିଜନକ ଭାବେ ଉସକାଇଛନ୍ତି। ଏହା ପିଙ୍ଗଳ କୋଡ୍‌ର ୧୨୪ (କ) ଅର୍ଥାତ୍‌ ରାଜଦ୍ରୋହ ଅପରାଧ। ଗାନ୍ଧୀଜୀ ଏ ସବୁ ଅଭିଯୋଗକୁ ସ୍ୱୀକାର କରିଥିଲେ ଏବଂ ବିଚାରପତିଙ୍କ ଅନୁମତି ନେଇ କୋର୍ଟରେ ଗାନ୍ଧୀ ତାଙ୍କର ଏକ ଲିଖିତ ମନ୍ତବ୍ୟ ରଖିଥିଲେ- ‘ମୋର ଏ ବକ୍ତବ୍ୟରେ ମୁଁ ମୋ ଦଣ୍ଡ ଛାଡ଼ ବା ହ୍ରାସ କରିବାକୁ ଅନୁରୋଧ କରୁନି। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ଅସହଯୋଗ ଆନ୍ଦୋଳନ ଏକ ସଂପୂର୍ଣ୍ଣ ଅହିଂସ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଥିଲା। ବମ୍ବେ, ମାଡ୍ରାସ, ଚଉରିଚଉରା ଘଟଣା ମୋତେ ବ୍ୟଥିତ କରିଛି। ଆଇନ ଶାସ୍ତ୍ରରେ ମୋର ଦୀର୍ଘ ବର୍ଷର ଅନୁଭୂତି ଅଛି। ବିଚାରର ପରିଣତି କ’ଣ ହେବ, ମୁଁ ଜାଣେନା। ଚଳନ୍ତି ବିଚାରରେ କିନ୍ତୁ ମୋତେ କଠୋର ଦଣ୍ଡ ଦିଆଯାଉ।’

ଗାନ୍ଧୀଙ୍କ କଥା ବିଚାରପତି ଗମ୍ଭୀରତାର ସହ ଶୁଣିଥିଲେ। ନିଜ ମୁଣ୍ଡ ନୁଆଇଁ ସମର୍ଥନ କଲା ପରି ପ୍ରତିକ୍ରିୟା ଦେଲେ ଏବଂ ରା଼ୟ ଶୁଣାଇଲେ- ‘ମିଷ୍ଟର ଗାନ୍ଧୀ, ଆଇନ ପଦ ପଦବି ଦେଖେନାହିଁ। କିନ୍ତୁ ଆପଣଙ୍କ ସାମାଜିକ ସ୍ଥିତିକୁ ମୁଁ ଅଣଦେଖା କରି ପାରୁନି। ମୁଁ ଏ ପର୍ଯ୍ୟନ୍ତ ଯେତେ ଅପରାଧୀଙ୍କ ବିଚାର କରିଛି ଆପଣ ସେମାନଙ୍କ ଠାରୁ ପୃଥକ। କୋଟି କୋଟି ଭାରତୀୟଙ୍କ ଦୃଷ୍ଟିରେ ଆପଣ ଜଣେ ଦେଶଭକ୍ତ। ମୁଁ କିନ୍ତୁ ବର୍ତ୍ତମାନ ଏଠି ଆପଣଙ୍କ ଗୋଟିଏ ପରିଚୟକୁ ହିଁ ବିଚାରକୁ ନେବି। ଆପଣ ମହାମାନ୍ୟ ବ୍ରିଟିସ୍‌ ସମ୍ରାଟଙ୍କ ସାମ୍ରାଜ୍ୟର ଜଣେ ପ୍ରଜା। ଆଇନ ଆପଣଙ୍କୁ ଜଣେ ଅପରାଧୀ ଭାବେ ଦେଖୁଛି। ଆପଣ ପିଙ୍ଗଳ କୋଡ୍‌ର ୧୨୪ (କ) ଧାରାକୁ ଭଙ୍ଗ କରି ରାଜଦ୍ରୋହ ଅପରାଧ କରିଛନ୍ତି। ଆପଣଙ୍କୁ ମୁଁ ଦୋଷୀ ସାବ୍ୟସ୍ତ କରୁଛି ଏବଂ ୬ ବର୍ଷ ଜେଲ୍‌ ଦଣ୍ଡ ଦେଉଛି। ଯଦି ସରକାର କୌଣସି ସମୟରେ ଆପଣଙ୍କ ଦଣ୍ଡ କୋହଳ କରି, ଆପଣଙ୍କୁ ମୁକ୍ତ କରି ଦିଅନ୍ତି, ମୁଁ ସବୁଠାରୁ ବେଶୀ ଖୁସି ହେବି।’ ‘ୟଙ୍ଗ ଇଣ୍ଡିଆ’ର ପ୍ରକାଶକ ତଥା ଅନ୍ୟ ଏକ ଅଭିଯୁକ୍ତ ବ୍ୟାଙ୍କରଙ୍କୁ ଜରିମାନା ସହ ଏକ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା।

ରା଼ୟ ପରେ କୋର୍ଟ ରୁମ୍‌ରେ ସମ୍ପୂର୍ଣ୍ଣ ନିରବତା ଖେଳି ଯାଇଥିଲା। ଅଳ୍ପ ଦୂରରେ ଛିଡ଼ା ହୋଇ ସରୋଜିନୀ ନାଇଡ଼ୁ କାନ୍ଦୁଥିଲେ। କୋର୍ଟ ବାହାରେ ବେଞ୍ଚ ଉପରେ ଚୁପ୍‌ଚାପ ବସି ରହିଥିଲେ କସ୍ତୁରବା। ଉଭୟ ଗାନ୍ଧୀ ଓ ବ୍ୟାଙ୍କରଙ୍କୁ ସାଙ୍ଗେସାଙ୍ଗେ ୟେରାୱାଡା ଜେଲ୍‌କୁ ପଠାଇ ଦିଆଯାଇଥିଲା। ବ୍ରିଟିସ୍‌ ଶାସନ କାଳରେ ଯେତେ ବିଚାର ହୋଇଛି ଗାନ୍ଧୀଜୀଙ୍କ ଏହି ନ୍ୟାୟିକ ବିଚାରକୁ ଅନ୍ୟ ଏକ ମହାନ ବିଚାର (ଗ୍ରେଟ୍‌ ଟ୍ରାଏଲ୍‌) ବୋଲି ଅଭିହିତ କରାଯାଏ। ପ୍ରକାଶଥାଉକି, ଗାନ୍ଧୀଜୀ ତାଙ୍କ ଜୀବନରେ ଅନେକ ଥର ଜେଲ୍‌ ଯାଇଛନ୍ତି। କିନ୍ତୁ ୧୯୨୨ ମସିହା ମାର୍ଚ୍ଚ ମାସର ଏ ବିଚାର ନ୍ୟାୟାଳୟରେ ଗାନ୍ଧୀଜୀଙ୍କ ଶେଷ ନ୍ୟାୟିକ ବିଚାର ଥିଲା।
ମୋ- ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର