୧୯୩୬ ମସିହାରେ ଗାନ୍ଧୀଜୀ ଗୁଜୁରାଟୀ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ସ୍ୱାଧୀନତା ପାଇଁ ସଂଘର୍ଷର ବ୍ୟସ୍ତତା ଭିତରେ ବି ଗାନ୍ଧୀଙ୍କର ସାହିତ୍ୟ ପ୍ରତି ରୁଚି କମି ନ ଥିଲା। ସେହି ବର୍ଷ ସାହିତ୍ୟ ପରିଷଦର ବାର୍ଷିକ ଅଧିବେଶନରେ ଅକ୍ଟୋବର ୩୧ ଓ ନଭେମ୍ବର ୨ ତାରିଖରେ ଗାନ୍ଧୀଜୀ ଯେଉଁ ଭାଷଣ ଦେଇଥିଲେ ତାହା ଏବେ ମଧ୍ୟ ସମସ୍ତ ସାହିତ୍ୟ ଅନୁଷ୍ଠାନ, ଏକାଡେମୀ ପାଇଁ ପରାମର୍ଶର ଗ୍ରହଣୀୟ ଦଲିଲ ହୋଇ ରହିଛି।

Advertisment

ଗାନ୍ଧୀଙ୍କୁ ଏଇ ପଦ ଗ୍ରହଣ କରିବାକୁ ଅନୁରୋଧ କରାଯିବା ବେଳେ ଏହାର ମୃଦୁ ବିରୋଧ ହୋଇଥିଲା। ବିରୋଧୀଙ୍କ ଯୁକ୍ତି ଥିଲା, ଗାନ୍ଧୀ ମହାତ୍ମା ହୋଇପାରନ୍ତି, ଜଣେ ଧାର୍ମିକ ନେତା ହୋଇପାରନ୍ତି; କିନ୍ତୁ ସେ ଜଣେ ଉଚ୍ଚମାନର ଗୁଜୁରାଟୀ ସାହିତ୍ୟିକ ନୁହନ୍ତି। ଗୁଜୁରାଟୀ ଭାଷାରେ ଗାନ୍ଧୀଙ୍କର ମାତ୍ର ମାଟ୍ରିକ ପର୍ଯ୍ୟନ୍ତ ଜ୍ଞାନ ଅଛି। ସୁତରାଂ ଗୁଜୁରାଟୀ ସାହିତ୍ୟ ପରିଷଦ ପରି ଏକ ସମ୍ଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ପାଇଁ ଜଣେ ବିଦ୍ୱାନ ଦରକାର, ନେତା ନୁହେଁ।

ଗାନ୍ଧୀଜୀଙ୍କ ସାହିତ୍ୟିକ ଦକ୍ଷତା ନେଇ ଏପରି ଅଭିଯୋଗକୁ ଗାନ୍ଧୀଙ୍କ ପ୍ରଶଂସକମାନେ ଖୁବ୍ ଗମ୍ଭୀରତାର ସହ ନେଇଥିଲେ ଏବଂ ସେମାନେ ଗାନ୍ଧୀଙ୍କ ସାହିତ୍ୟ କୃତିର ଏକ ସାମଗ୍ରିକ ମୂଲ୍ୟାୟନ ଉପସ୍ଥାପନ କରିଥିଲେ। ଏହି ପ୍ରଶଂସକଙ୍କ ଭିତରେ ଥିଲେ ମହାଦେବ ଦେଶାଇ, କିଶୋର ଲାଲ ମଶ୍ରୁୱାଲା ଓ ନରହରି ପାରେଖ। ଗାନ୍ଧୀ ରଚନାର ଏମାନେ ଏକ ବିସ୍ତୃତ ବିଶ୍ଳେଷଣ କରିଥିଲେ।
ଗାନ୍ଧୀଙ୍କ ସାହିତ୍ୟ କୃତିର ମୂଲ୍ୟାୟନ ଥିଲା ଠିକ୍ ଏମିତି- ଗାନ୍ଧୀ ‘ଗୁଜୁରାଟ ବିଦ୍ୟାପୀଠ’ର କୁଳପତି। ସେ ଜଣେ ପରିଚିତ ପ୍ରାବନ୍ଧିକ। ପ୍ରବନ୍ଧ ପଢ଼ିବାକୁ ସେ ଭଲ ପାଆନ୍ତି। ସେ ଜଣେ ସାମାଜିକ ଗଣଲେଖକ ବି। ସେ କିଛି ବହି ମଧ୍ୟ ଲେଖିଛନ୍ତି। ଗାନ୍ଧୀଙ୍କ ଇଂରେଜୀ ଲେଖା ବହୁତ ଉଚ୍ଚକୋଟୀର। କିନ୍ତୁ ଗୁଜୁରାଟୀରେ ଲେଖିବା ତାଙ୍କର ବେଶୀ ପସନ୍ଦ। ମାତୃଭାଷାରେ ନିଜ କଥା ସହଜରେ କହି ହୁଏ ଏବଂ ବୁଝେଇ ହୁଏ ବୋଲି ଗାନ୍ଧୀ ସୂଚେଇ ଦିଅନ୍ତି।

ଗାନ୍ଧୀଙ୍କ ଲେଖା ଶୈଳୀ ତାଙ୍କର ନିଜସ୍ୱ ଓ ସ୍ୱତନ୍ତ୍ର। ସରଳ ତଥା ସାବଲୀଳ ଭାବେ ଗାନ୍ଧୀ ନିଜ ବିଚାରକୁ ବ୍ୟକ୍ତ କରିପାରନ୍ତି। ଶବ୍ଦ ଯୋଜନା ସୁସଂଯତ ଓ ସୁଖପାଠ୍ୟ ହୋଇଥାଏ। ସେଇଥିପାଇଁ ଗାନ୍ଧୀ ବିଚାର ଦାର୍ଶନିକ ହୋଇଥିଲେ ବି ସାହିତ୍ୟର ଏକ ବଳିଷ୍ଠ ସ୍ବାକ୍ଷର ବହନ କରେ।

‘ହିନ୍ଦ୍ ସ୍ୱରାଜ’ ଓ ‘ଆତ୍ମ ଜୀବନୀ’ ନାଁରେ ଦୁଇଟି ବହି ଗାନ୍ଧୀ ପ୍ରଥମେ ଗୁଜୁରାଟୀରେ ଲେଖିଥିଲେ। ୧୯୦୯ ମସିହାରେ ଗାନ୍ଧୀ ତାଙ୍କର ଏକ ବିଫଳ ଲଣ୍ଡନ ଅଭିଯାନ ସାରି ଦକ୍ଷିଣ ଆଫ୍ରିକା ଫେରିବା ବେଳେ ବାଟରେ ଜାହାଜ ଭିତରେ ‘ହିନ୍ଦ୍ ସ୍ୱରାଜ’ ଲେଖିଥିଲେ। ଏ ପୁସ୍ତକ କଥୋପକଥନ ଶୈଳୀରେ ଲେଖା ଯାଇଛି। ଏଥିରେ ଯୁଦ୍ଧ, ହିଂସା, ସଭ୍ୟତା ସଂସ୍କୃତିର ଚମତ୍କାର ବର୍ଣ୍ଣନା ଅଛି। ‘ହିନ୍ଦ୍ ସ୍ୱରାଜ’ ଏତେ ପ୍ରଭାବଶାଳୀ ଥିଲା ଯେ ଭାରତରେ ବ୍ରିଟିସ୍ ସରକାର ତାକୁ ନିଷେଧ କରି ଦେଇଥିଲେ। ଗାନ୍ଧୀଙ୍କ ‘ଆତ୍ମ ଜୀବନୀ’ ସତ୍ୟର ପ୍ରୟୋଗ ତ ଗାନ୍ଧୀଙ୍କର ଏକ ଅଭିନବ ସାହିତ୍ୟ କୃତି। ଟଲଷ୍ଟୟଙ୍କ ଆତ୍ମଜୀବନୀ ‘କନଫେସନ୍’ ଠାରୁ ଯେ ଏହା ଅଧିକ ସାହିତ୍ୟିକ କଳା ବହନ କରେ, ଏପରି ଦାବି ହୁଏ।

ଉଭୟ ଗୁଜୁରାଟୀ ଓ ଇଂରେଜୀରେ ଗାନ୍ଧୀଙ୍କ ସ୍ୱତନ୍ତ୍ର ଲେଖାଶୈଳୀକୁ ନେଇ ଏକ ଐତିହାସିକ ପ୍ରଚ୍ଛଦପଟର ଅବତାରଣା କରାଯାଏ। ୧୯୦୩ ମସିହାରେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ସମସ୍ୟା କଥା କହିବାକୁ ‘ଇଣ୍ଡିଆନ୍‌ ଓପିନିଅନ୍‌’ ନାମରେ ଗାନ୍ଧୀ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ। ଏଇ ଖବରକାଗଜର ଅଧିକାଂଶ ପାଠକ ଥିଲେ ଭାରତୀୟ ଗିରିମାଟିଆ କୁଲି ଓ ଛୋଟ ବ୍ୟବସାୟୀ। ସେମାନଙ୍କ ଭିତରେ ଅନେକଙ୍କର ଶବ୍ଦଜ୍ଞାନ ସଂକ୍ଷିପ୍ତ ଥିଲା। ଏପରିକି ଅନେକ ଲୋକ ଶହେରୁ ଅଧିକ ଶବ୍ଦ ଜାଣି ନ ଥିଲେ। ତେଣୁ ସେମାନଙ୍କର ଗ୍ରହଣ ଶକ୍ତି ସୀମିତ ଥିଲା। ଗାନ୍ଧୀ କହୁଥିଲେ, ପାଠକର ଗ୍ରହଣ ଶକ୍ତି ଓ ଲେଖକର ଶବ୍ଦ ଶକ୍ତି ପ୍ରୟୋଗରେ ସମନ୍ବୟ ରହିଲେ ହିଁ ଭଲ ସାହିତ୍ୟ ସୃଷ୍ଟି ହୋଇଥାଏ।

ଗାନ୍ଧୀ ଭାରତକୁ ଆସିଲା ପରେ ‘ଇଣ୍ଡିଆନ୍ ଓପିନିଅନ୍’ର ଏ ଲେଖା ଶୈଳୀକୁ ‘ନବଜୀବନ’ରେ ଲେଖିଲା ବେଳେ ପ୍ରୟୋଗ କରିଥିଲେ। ‘ୟଙ୍ଗ୍ ଇଣ୍ଡିଆ’, ‘ହରିଜନ’ ପତ୍ରିକାରେ ଗାନ୍ଧୀଙ୍କ ସମସ୍ତ ପ୍ରବନ୍ଧ ସେଇଥିପାଇଁ ଥିଲା ବେଶ୍ ଜନପ୍ରିୟ। ଅନେକ ସମୟରେ ଗାନ୍ଧୀଙ୍କ ଇଂରେଜୀ ଲେଖାକୁ ‘ଅନ୍ ଟୁ ଦିସ୍ ଲାଷ୍ଟ’ର ଲେଖକ, ଜନ୍ ରସ୍କିନ୍‌ଙ୍କ ଲେଖା ଶୈଳୀ ସହ ତୁଳନା କରାଯାଏ। ସୁତରାଂ ଲେଖାରେ ସ୍ୱତନ୍ତ୍ରତା ରଖିଥିବା ଗାନ୍ଧୀ ରଚନା ସ୍ୱତନ୍ତ୍ର ‘ଗାନ୍ଧୀ ସାହିତ୍ୟ’ ହୋଇଯାଇଛି।

ସାହିତ୍ୟିକ ଗାନ୍ଧୀ ଗୁଜୁରାଟୀ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଭାବେ ତେଣୁ ଖୁବ୍ ଗ୍ରହଣୀୟ ହୋଇ ଯାଇଥିଲେ। ୧୯୩୬ରେ ପରିଷଦର ବାର୍ଷିକ ଅଧିବେଶନରେ ଗାନ୍ଧୀଙ୍କ ଭାଷଣ ଥିଲା ଅନନ୍ୟ। ସାହିତ୍ୟ ପରିଷଦ ଓ ସାହିତ୍ୟିକଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିବାକୁ ଯାଇ ଗାନ୍ଧୀଙ୍କ ପରାମର୍ଶ ଥିଲା, ସାହିତ୍ୟିକମାନେ ବେଶୀ ଶିଶୁ ସାହିତ୍ୟ ସୃଷ୍ଟି କରନ୍ତୁ। ଅଶ୍ଳୀଳତା ନ ଥିବା ନାରୀ ସାହିତ୍ୟ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦିଆଯାଉ। ସାହିତ୍ୟ ରଚନାରେ ଗାଁର ସଂସ୍କୃତି, ଚଳଣି ଓ ଦାରିଦ୍ର୍ୟର ଉଲ୍ଲେଖ ରହୁ, କାରଣ ଗ୍ରାମ୍ୟ ସାହିତ୍ୟ ହିଁ ପ୍ରକୃତ ଜୀବନ୍ତ ସାହିତ୍ୟ।
ଗାନ୍ଧୀଙ୍କ ଭାଷଣରେ ସେଦିନ ବେଶୀ ଗୁରୁତ୍ୱ ଥିଲା ଅନୁବାଦ ସାହିତ୍ୟ ଉପରେ। ଫ୍ରାନ୍‌ସ ଓ ଜର୍ମାନୀରେ ବହିଟିଏ ବାହାରିବାର ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଏହା ବିଭିନ୍ନ ବିଦେଶୀ ଭାଷାରେ ଅନୁବାଦ ହୋଇଯାଏ ବୋଲି ଗାନ୍ଧୀ ସୂଚେଇ ଦେଇଥିଲେ।

ଭାଷଣର ଉପସଂହାରରେ କିନ୍ତୁ ଗାନ୍ଧୀଙ୍କ ଭାବୋକ୍ତି ଥିଲା ଯେ ସାହିତ୍ୟ ପରିଷଦର ସମସ୍ତ ନିଷ୍ପତ୍ତି ଗଣତାନ୍ତ୍ରିକ ପଦ୍ଧତିରେ ହେବା ଉଚିତ ଏବଂ ଚାନ୍ଦାରେ ପୁରସ୍କାର ପ୍ରଦାନର ବ୍ୟବସାୟୀକରଣ ଗ୍ରହଣୀୟ ନୁହେଁ।

କବିମାନଙ୍କୁ ସମ୍ମାନ କରୁଥିବା ଗାନ୍ଧୀଜୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ବହୁ ସଂଖ୍ୟାରେ କବିଙ୍କ ଉପସ୍ଥିତି ଦେଖି ସେଦିନ ମୁଗ୍‌ଧ ହୋଇଯାଇଥିଲେ।
ମୋ- ୯୮୬୧୪୬୯୩୨୮