ଗାନ୍ଧୀ ଜୟନ୍ତୀକୁ ମିଳିତ ଜାତିସଂଘ ଦ୍ବାରା ‘ଆନ୍ତର୍ଜାତିକ ଅହିଂସା ଦିବସ’ ଭାବେ ଘୋଷଣା କରାଯାଇଛି। ପାଞ୍ଚ ପାଞ୍ଚ ଥର ‘ନୋବେଲ୍ ଶାନ୍ତି ପୁରସ୍କାର’ ପାଇଁ ଗାନ୍ଧୀଙ୍କ ନାମ ପ୍ରସ୍ତାବ କରାଯାଇଥିଲା। ୧୯୪୮ ମସିହାରେ ଏହି ପୁରସ୍କାର ଘୋଷଣା ପୂର୍ବରୁ ଗାନ୍ଧୀଙ୍କ ଦେହାନ୍ତ ହୋଇଯିବାରୁ ସେ ବର୍ଷ କାହାରିକୁ ଏହା ପ୍ରଦାନ କରାଯାଇନଥିଲା। ଅଧିକନ୍ତୁ ଗାନ୍ଧୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନ ଥିବାରୁ ନୋବେଲ୍ କମିଟି ଦୁଃଖ ପ୍ରକାଶ କରିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ। ନେତାଜୀ ସୁଭାଷ ବୋଷ ତାଙ୍କୁ ‘ଜାତିର ଜନକ’ ଆଖ୍ୟା ଦେଇଥିଲେ।
ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବାରାକ ଓବାମା କହିଥିଲେ ଯେ ଗାନ୍ଧୀଙ୍କ ସହ ଭୋଜନ କରିବା ତାଙ୍କର ଅପୂରଣୀୟ ଈପ୍ସିତ ଅଭିଳାଷ ଭିତରେ ସ୍ଥାନ ପାଇବ। ଚଳିତ ବର୍ଷ ଆମେରିକାର ପ୍ରତିନିଧି ସଭାରେ ସେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କଂଗ୍ରେସନାଲ ଗୋଲ୍ଡ ମେଡାଲ’ ମରଣୋତ୍ତର ଭାବେ ଗାନ୍ଧୀଜୀଙ୍କୁ ପ୍ରଦାନ କରାଯିବାକୁ ପ୍ରସ୍ତାବ ଆଗତ ହୋଇଛି। ନିକଟରେ ଆମେରିକା ଗସ୍ତରେ ଯାଇଥିବା ଆମ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସମଗ୍ର ବିଶ୍ବ ପାଇଁ ଗାନ୍ଧୀଙ୍କ ନୀତି ଓ ଆଦର୍ଶର ପ୍ରାସଙ୍ଗିକତା ଉପରେ ରାଷ୍ଟ୍ରପତି ବାଇଡେନ୍ ଗୁରୁତ୍ବ ଆରୋପ କରିଥିଲେ। ଗାନ୍ଧୀଙ୍କ ପ୍ରବର୍ତ୍ତିତ ‘ସତ୍ୟ ଓ ଅହିଂସା’ର ମାର୍ଗ ଆଜି ବି ସମଗ୍ର ବିଶ୍ବ ପାଇଁ ପ୍ରେରଣା ଓ ଆଶ୍ବାସନା। ଏହା ହିଁ ଗାନ୍ଧୀଙ୍କ ବିସ୍ମୟକର ବ୍ୟକ୍ତିତ୍ୱର ଝଲକ। ବିଲାତ ଫେରନ୍ତା ବାରିଷ୍ଟର ଭାବରେ ସୁଟ୍, ବୁଟ୍ ଓ ଟାଇ ପରିହିତ ସାହେବ ହେବାର ଯୋଗ୍ୟତା ଥିଲେ ବି ଗାନ୍ଧୀ ଯେ ନିଜର ହାଡ଼ ଦିଶୁଥିବା ଫୁଙ୍ଗୁଳା ଦେହକୁ ଆଣ୍ଠୁ ଲୁଚୁ ନ ଥିବା ଖଦଡ଼ରେ ଢାଙ୍କି ଜୀବନ ବିତେଇଦେବେ, ଏହା ଅବିଶ୍ବସନୀୟ ଓ ବିସ୍ମୟକର। ଆଇନଷ୍ଟାଇନ ଯଥାର୍ଥରେ କହିଥିଲେ, ରକ୍ତ ମାଂସର ଦେହ ଧରି ଗାନ୍ଧୀ ନାମକ ମଣିଷଟିଏ ଯେ ପୃଥିବୀପୃଷ୍ଠରେ ବିଚରଣ କରୁଥିଲେ, ଲୋକେ ହୁଏ’ତ ବିଶ୍ବାସ କରିବେ ନାହିଁ।
ଗାନ୍ଧୀଙ୍କ ଜନ୍ମ ବୃତ୍ତାନ୍ତ ଓ ପିଲାଦିନ ମଧ୍ୟ କମ୍ ରହସ୍ୟମୟ ଓ ବିସ୍ମୟକର ନ ଥିଲା। ତାଙ୍କ ଜେଜେ ଉତ୍ତମଚାନ୍ଦ ଗାନ୍ଧୀଙ୍କ ଦ୍ବିତୀୟ ପତ୍ନୀଙ୍କ ପୁତ୍ର ହେଉଛନ୍ତି ଗାନ୍ଧୀଙ୍କ ବାପା କରମଚାନ୍ଦ ଗାନ୍ଧୀ ବା କାବା ଗାନ୍ଧୀ। କାବା ଗାନ୍ଧୀ ଚାରିଟି ବିବାହ କରିଥିଲେ ଓ ତାଙ୍କ ଚତୁର୍ଥ ପତ୍ନୀ ପୁତୁଲିବାଈଙ୍କ ଚାରି ସନ୍ତାନ ମଧ୍ୟରେ ଗାନ୍ଧୀଜୀ ଥିଲେ ସର୍ବ କନିଷ୍ଠ। ମନେହୁଏ ଗାନ୍ଧୀଙ୍କ ଜନ୍ମ ଥିଲା ଅବତାରୀ ପୁରୁଷଙ୍କ ତୁଲ୍ୟ ବିଧି ନିର୍ଦ୍ଦିଷ୍ଟ। ବାପା କାବା ଗାନ୍ଧୀ ପଞ୍ଚମ ଯାଏଁ ପଢ଼ିଥିଲେ। ସେ ପ୍ରଥମେ ପୋର ବନ୍ଦର ଓ ପରେ ରାଜକୋଟର ଦେଵାନ ଥିଲେ। ମା’ ଥିଲେ ଏକନିଷ୍ଠ ଗୃହିଣୀ ଓ ପ୍ରଚଣ୍ଡ ଈଶ୍ବର ବିଶ୍ବାସୀ। ପିଲାଦିନେ ଗାନ୍ଧୀ ଭୟାଳୁ ଓ ଲାଜକୁଳା ଥିଲେ। ଭୂତ-ପ୍ରେତଙ୍କୁ ଡରୁଥିଲେ। ପାଠପଢ଼ାରେ ବି ସେ ସେତେ ପାରଙ୍ଗମ ନ ଥିଲେ। ଅଙ୍କ, ଜ୍ୟାମିତି ଓ ସଂସ୍କୃତ ପାଠକୁ ଭୟ କରୁଥିଲେ। କିନ୍ତୁ ଥରେ ସ୍କୁଲ୍ରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ଇଙ୍ଗିତ ସତ୍ତ୍ବେ ପାଖ ପିଲାର ଖାତାରୁ ଇଂରେଜୀ ଶବ୍ଦ ‘Kettle’ ର ଠିକ୍ ବନାନ କପି ନ କରି ବାଳକ ଗାନ୍ଧୀ ସାଧୁତା ପ୍ରତି ତାଙ୍କ ଗଭୀର ଅନୁରକ୍ତିର ପ୍ରମାଣ ଦେଇଥିଲେ।
ବାର ବର୍ଷ ବୟସରେ ଗାନ୍ଧୀ ହାଇସ୍କୁଲ୍ରେ ପ୍ରବେଶ କଲେ। ୧୮୮୩ ମସିହାରେ ତେର ବର୍ଷ ବୟସରେ ସମବୟସୀ କିଶୋରୀ କସ୍ତୁରବାଙ୍କ ସହ ତାଙ୍କର ବିବାହ ହେଲା। ବିବାହ ଯୋଗୁ ବର୍ଷେ ପାଠ ପଢ଼ା ନଷ୍ଟ ହେଲା। ଏହି ସମୟରେ ଗାନ୍ଧୀ କୁସଙ୍ଗରେ ପଡ଼ି କିଛି କୁଅଭ୍ୟାସରେ ଲିପ୍ତ ରହିଲେ। ଇଂରେଜଙ୍କ ସହ ଲଢ଼ିବା ପାଇଁ ବଳୁଆ ହେବାକୁ ସାଙ୍ଗ ବୁଦ୍ଧିରେ ପଡ଼ି ସେ ଲୁଚେଇ ଛେଳି ମାଂସ କଟ୍ଲେଟ୍ ଖାଇଲେ, ଯଦିଓ ତାଙ୍କ ପରିବାର ନୈଷ୍ଠିକ ନିରାମିଷାଶୀ ଥିଲା। ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ଧୂମପାନ କଲେ। ଏଥିପାଇଁ ଘରର ଚାକର ପକେଟ୍ରୁ ପଇସା ବି ଚୋରି କଲେ। ମନ୍ଦ ବୁଦ୍ଧି ସାଙ୍ଗର ମନ୍ତ୍ରଣାରେ ଗାନ୍ଧୀ ଏକଦା ବେଶ୍ୟାଳୟ ମଧ୍ୟ ଗମନ କରିଥିଲେ ଏବଂ ଘରେ ବିବାହିତା ପତ୍ନୀଙ୍କୁ ସନ୍ଦେହ କରିବା ଆରମ୍ଭ କଲେ। ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଲା। ପଥଭ୍ରଷ୍ଟ ଗାନ୍ଧୀ ହୀନମନ୍ୟତାର ଶିକାର ହୋଇ ଦୁଦୁରା ଫଳ ଖାଇ ଥରେ ଆତ୍ମହତ୍ୟା କରିବାର ଅପଚେଷ୍ଟା ମଧ୍ୟ କରିଥିଲେ। ଏଭଳି ଅପରିପକ୍ବ ତଥା ଅସଂଯତ ମାନସିକତାର ପଞ୍ଝାରୁ ତରୁଣ ଗାନ୍ଧୀ ମୁକ୍ତ ହୋଇ ଓକିଲାତି ପଢ଼ିବାକୁ ଯେ ବିଲାତ ଯାଇପାରିଲେ, ଏହା ହିଁ ବିସ୍ମୟକର ଓ ଅବିଶ୍ବସନୀୟ।
ଅଧଃ ପତନରୁ ସତ୍ ମାର୍ଗକୁ ଗାନ୍ଧୀଙ୍କର ଏହି ଆଶ୍ଚର୍ଯ୍ୟଜନକ ପ୍ରତ୍ୟାବର୍ତ୍ତନର ଏକମାତ୍ର କାରଣ ଥିଲା ସତ୍ୟ ପ୍ରତି ତାଙ୍କ ନିଷ୍ଠା ଓ ଅଙ୍ଗୀକାର। ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ର ଉପାଖ୍ୟାନ ଗାନ୍ଧୀଙ୍କ ଚେତନା ଓ ଚରିତ୍ର ଉପରେ ଖୁବ୍ ପ୍ରଭାବ ପକେଇ ଥିଲା। ବାପାମା’ଙ୍କୁ ଲୁଚେଇ କରାଯାଉଥିବା ପ୍ରତ୍ୟେକ କର୍ମ ନିକୃଷ୍ଟତମ ପାପ ଓ ଅକ୍ଷମଣୀୟ ଅପରାଧ ବୋଲି ଗାନ୍ଧୀ ବିବେଚନା କଲେ। ସ୍ବଚ୍ଛ ଦିଶିବା ବଦଳରେ ସ୍ବଚ୍ଛ ହେବାକୁ ଶ୍ରେୟ ମଣିଲେ। ବାପାଙ୍କୁ ଚିଠି ଲେଖି ସତ ସ୍ବୀକାର ପୂର୍ବକ ନିଜର ଅପକର୍ମ ସବୁ ଜଣେଇଲେ ଓ ଶାସ୍ତି ଭୋଗିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ଯାହା ଯାହା କୁକର୍ମ କରିଥିଲେ, ‘ଆଉ କେବେ କରିବେ ନାହିଁ’ ବୋଲି ଦୃଢ ସଂକଳ୍ପ କଲେ। ଆତ୍ମସମୀକ୍ଷା, ପଶ୍ଚାତ୍ତାପ ଓ ସଂକଳ୍ପ ହିଁ କବଚ ଭଳି ଗାନ୍ଧୀଙ୍କୁ ଦୁର୍ଗତିରୁ ରକ୍ଷା କଲା। କୁସଙ୍ଗର ଭୟାବହ ପରିଣାମ ଓ ସତ୍ୟାନୁସରଣର ଅଦ୍ଭୁତ ପରାକାଷ୍ଠାର ଅଦ୍ବିତୀୟ ପ୍ରମାଣ ଗାନ୍ଧୀଙ୍କ କୈଶୋର। ପନ୍ଦର ବର୍ଷର ଚଞ୍ଚଳମନା କିଶୋରଟିଏ ଯେ ନିଜେ ନିଜର ଏପରି ସଂଶୋଧନ କରିପାରେ, ଏହା ବିସ୍ମୟକର ହେଲେ ବି ଗାନ୍ଧୀଙ୍କ ପକ୍ଷରେ ସତ ପ୍ରମାଣିତ ହୋଇଥିଲା।
ମୋ- ୯୪୩୭୦୬୬୦୯୯